ପଥ ସନ୍ଧାନରେ ପରିବ୍ରାଜକ ସନ୍ନ୍ୟାସୀ :
୧୮୮୬ ମସିହା ଅଗଷ୍ଟ ୧୬ ତାରିଖରେ ଶ୍ରୀରାମକୃଷ୍ଣଦେବଙ୍କର ଇହଲୀଳା ସମ୍ବରଣ ପରେ ସ୍ୱାମୀ ବିବେକାନନ୍ଦ ପ୍ରଥମେ ବରାହନଗରସ୍ଥିତ ନବଗଠିତ ରାମକୃଷ୍ଣ ମଠରେ ଏବଂ ପରେ ଉତ୍ତର ଭାରତର ସମତଳ ଅଞ୍ଚଳ ଓ ହିମାଳୟ ପର୍ବତର ଅନ୍ୟାନ୍ୟ ସ୍ଥାନରେ ବେଶ୍ କିଛି ବର୍ଷ ଧରି ଗଭୀର ତପସ୍ୟାରେ ରତ ରହିଲେ । ଭାରତବର୍ଷର ଗହନତମ ଜଙ୍ଗଲ ଭିତରେ ନୀରବ ଧ୍ୟାନରେ ନିଜକୁ ହଜାଇ ଦେବାକୁ ସେ ଚାହୁଁଥିଲେ, କିନ୍ତୁ ପ୍ରତ୍ୟେକ ଥର କିଛି ନା କିଛି ବାଧା-ଯେପରିକି କୌଣସି ସନ୍ନ୍ୟାସୀ ଭ୍ରାତାଙ୍କର ଅସୁସ୍ଥତା ଅଥବା କୌଣସି ଭକ୍ତଙ୍କର ପରଲୋକର ଖବର-ତାଙ୍କୁ ସହସ୍ର ଦୁଃଖ-ଜର୍ଜରିତ ସଂସାରକୁ ପୁଣି ଫେରାଇ ଆଣୁଥିଲା । କ୍ରମେ ସେ ବୁଝିପାରିଲେ ଯେ ନିଜର ବ୍ୟକ୍ତିଗତ ମୋକ୍ଷ ଉଦ୍ଦେଶ୍ୟରେ ଏକ ନିଃସଙ୍ଗ ସାଧୁଜୀବନ ବିତାଇବା ପାଇଁ ତାଙ୍କ ଜୀବନ ଉଦ୍ଦିଷ୍ଟ ନୁହେଁ; ତାଙ୍କ ଗୁରୁ ଶ୍ରୀରାମକୃଷ୍ଣଙ୍କ ଦ୍ୱାରା ଅର୍ପିତ ଆଧ୍ୟାତ୍ମିକ କାର୍ଯ୍ୟସାଧନ ତାଙ୍କ ଭାଗ୍ୟରେ ଲିଖିତ ଅଛି । ଦେହତ୍ୟାଗ ପୂର୍ବରୁ ଶ୍ରୀଗୁରୁ ତାଙ୍କୁ କହିଥିେଲ ଯେ ତାଙ୍କୁ ‘ମା’ଙ୍କ କାମ କରିବାକୁ ହେବ’; ‘ମନୁଷ୍ୟଜାତିକୁ ଶିକ୍ଷା ଦେବାକୁ ହେବ’, ଏବଂ ‘ଏକ ବିରାଟ ବରଗଛ ହୋଇ ଶ୍ରାନ୍ତ, କ୍ଲାନ୍ତ ପଥିକମାନଙ୍କୁ ଆଶ୍ରୟ େଦବାକୁ ହେବ ।’ ଏହି ସମୟରେ ସେ ତୀବ୍ର ଭାବରେ ଅନୁଭବ କଲେ ଯେ ସମ୍ପୂର୍ଣ୍ଣ ଭାରତବର୍ଷ ପରିଭ୍ରମଣ କରି ଭବିଷ୍ୟତର କାର୍ଯ୍ୟପନ୍ଥା ସ୍ଥିର କରିବେ ।
ଏହାପରେ ଜାନୁଆରୀ ୧୮୯୧ ଖ୍ରୀଷ୍ଟାବ୍ଦରେ, ସନ୍ନ୍ୟାସୀ ଭ୍ରାତାମାନଙ୍କ ସଙ୍ଗ ପରିତ୍ୟାଗ କରି ସେ ଏକାକୀ କେବଳ ଈଶ୍ୱରଙ୍କ ଶରଣାପନ୍ନ ହୋଇ ବିଭିନ୍ନ ସ୍ଥାନ ପରିଭ୍ରମଣରେ ବାହାରିଲେ । ପ୍ରଥମେ ଉତ୍ତରକୁ ଓ ପରେ ଦକ୍ଷିଣକୁ ଗଲେ ଏବଂ ଏହା ସଙ୍ଗେ ସଙ୍ଗେ ସମାଜର ପ୍ରତ୍ୟେକ ଶ୍ରେଣୀର ଲୋକମାନଙ୍କର ଜୀବନ ଖୁବ୍ ନିକଟରୁ ନିରୀକ୍ଷଣ କଲେ । ଏହି ଅଭିଜ୍ଞତା ତାଙ୍କୁ ଅତ୍ୟନ୍ତ ଆଲୋଡ଼ିତ କଲା । ଭାରତୀୟ ସାଧାରଣ ଜନତାଙ୍କର ଅଜ୍ଞାନତା ଓ ଦାରିଦ୍ର୍ୟ-ଜର୍ଜରିତ ଜୀବନଯାତ୍ରା ଦେଖି ସେ କାନ୍ଦୁଥିଲେ, ଏବଂ ଶିକ୍ଷିତ ସମ୍ପ୍ରଦାୟଙ୍କର ବସ୍ତୁବାଦୀ ଧାରଣାସମୂହ ଓ ପାଶ୍ଚାତ୍ୟ ଚାକଚକ୍ୟର ଅନ୍ଧାନୁକରଣ ତାଙ୍କୁ ଅତ୍ୟନ୍ତ ବିଚଳିତ କରୁଥିଲା । ସେ ଲକ୍ଷ୍ୟ କଲେ ଆଧ୍ୟାତ୍ମିକତାର ଜନ୍ମସ୍ଥାନରେ ହିଁ ଆଧ୍ୟାତ୍ମିକତା ଗୌଣ ହୋଇଯାଇଛି । ପ୍ରାଚୀନ ଭାରତବର୍ଷର ମର୍ଯ୍ୟାଦା ଓ ଗୌରବପୂର୍ଣ୍ଣ ଚିତ୍ର ତାଙ୍କ ଆଖି ସାମନାରେ ସୁସ୍ପଷ୍ଟ ରୂପେ ଭାସିଉଠିଲା, ଏବଂ ବର୍ତ୍ତମାନର ପତନ ତାଙ୍କୁ ଅସହ୍ୟ ବୋଧ ହେବାକୁ ଲାଗିଲା । ଏହିପରି ଭାବରେ ଭାରତକୁ ସର୍ବସ୍ୱାନ୍ତ ହେବାକୁ ଦିଆଯାଇପାରେ ନାହିଁ । ସେ ମାନସ ଚକ୍ଷୁରେ ଦର୍ଶନ କରିବାକୁ ଲାଗିଲେ ଯେ, ଏହି ଭାରତବର୍ଷକୁ ମାନବୀୟ କାର୍ଯକଳାପର ପ୍ରତ୍ୟେକ କ୍ଷେତ୍ରରେ ଏପରି ସମର୍ଥ କରିବାକୁ ହେବ, ଯଦ୍ଦ୍ୱାରା ଏହା ନିଜ ସନ୍ତାନମାନଙ୍କୁ ତଥା ସମଗ୍ର ମାନବଜାତିକୁ ଆଧ୍ୟାତ୍ମିକତା ଦେବ । ଏହି ପରିବର୍ତ୍ତନ ଆଣିବା ପାଇଁ ସେ ନିଜକୁ ଈଶ୍ୱରଙ୍କ ମନୋନୀତ ଯନ୍ତ୍ରସ୍ୱରୂପ ମନେ କଲେ ।
ଏହାପୂର୍ବରୁ ଭାରତବର୍ଷର ବିଭିନ୍ନ ପ୍ରାନ୍ତରୁ କିଛି ବିଦ୍ୱାନ୍ ବ୍ୟକ୍ତି ସ୍ୱାମୀଜୀଙ୍କୁ ପାଶ୍ଚାତ୍ୟ ଦେଶକୁ ଯିବା ପାଇଁ ଉପଦେଶ ଦେଇଥିଲେ, କାରଣ ସେଠାରେ ହିଁ ହିନ୍ଦୁଧର୍ମ ବିଷୟରେ ତାଙ୍କ ବ୍ୟାଖ୍ୟା ସଠିକ୍ ଭାବରେ ଗୃହୀତ ହେବ । ପ୍ରଥମେ ସ୍ୱାମୀଜୀ ସେକଥାକୁ ବିଶେଷ ଗୁରୁତ୍ୱ ଦେଇ ନ ଥିେଲ । କିନ୍ତୁ ପରେ ୧୮୯୩ ମସିହାରେ ଚିକାଗୋଠାରେ ଅନୁଷ୍ଠିତ ହେବାକୁ ଥିବା ଧର୍ମମହାସଭା ବିଷୟରେ ସେ ଯେତେବେଳେ ଶୁଣିଲେ, ଏହା ମନେ କରି ସେଥିରେ େଯାଗଦାନ କରିବାକୁ ସେ ଇଚ୍ଛା ପ୍ରକାଶ କଲେ ଯେ, ହୁଏତ ଏହା ତାଙ୍କୁ ଦୈବନିର୍ଦ୍ଦିଷ୍ଟ ପ୍ରଚାର-କାର୍ଯ୍ୟ କରିବା ପାଇଁ ସାହାଯ୍ୟ କରିବ ।
ତାଙ୍କ ପରିଭ୍ରମଣର ଶେଷଭାଗରେ ସେ କନ୍ୟାକୁମାରୀରେ ପହଞ୍ଚି ସେଠାରେ ସମୁଦ୍ର କୂଳଠାରୁ ଅନତିଦୂରରେ ଏକ ଶିଳାଖଣ୍ଡ ଉପରେ ବସି ତାଙ୍କ ଭ୍ରମଣ-ଅଭିଜ୍ଞତାଗୁଡ଼ିକ ପର୍ଯ୍ୟାଲୋଚନା କରୁ କରୁ ଗଭୀର ଧ୍ୟାନମଗ୍ନ ହେଲେ । ତାଙ୍କ ଧ୍ୟାନର ବିଷୟ ଈଶ୍ୱର କିମ୍ୱା ମୁକ୍ତି ନ ଥିଲା; ବରଂ ମାତୃଭୂମି ଭାରତବର୍ଷ ଥିଲା । ମାତୃଭୂମି ଭାରତର ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତ କଥା, ତାହାର ଅଧଃପତନର କାରଣସମୂହ ଓ ପୁନରୁତ୍ଥାନର ଉପାୟ ସେ ଗଭୀର ଭାବରେ ଚିନ୍ତା କରିବାକୁ ଲାଗିଲେ । ଏସବୁ ତାଙ୍କ ମନ ଭିତରେ ଆଲୋକିତ ଚିତ୍ରପଟ ପରି ସଚଳ ହେଲା, ଏବଂ ସେ ସେହି ମୁହୂର୍ତ୍ତରେ ପାଶ୍ଚାତ୍ୟ ଦେଶକୁ ଯାଇ ଭାରତୀୟ ଜନସାଧାରଣଙ୍କ ଉନ୍ନତି ପାଇଁ ପାଣ୍ଠି ଯୋଗାଡ଼ କରିବା ପାଇଁ ସ୍ଥିର କଲେ । ପ୍ରତିବଦଳରେ ଯେଉଁ ପ୍ରଚୁର ଆଧ୍ୟାତ୍ମିକ ସମ୍ପତ୍ତି ଶତ ଶତ ବର୍ଷ ଧରି ଭାରତରେ ସଞ୍ଚିତ ରହିଛି ଏବଂ ଯାହା ସେ ନିଜେ ଗୁରୁଙ୍କଠାରୁ ଉତ୍ତରାଧିକାର ସୂତ୍ରରେ ପାଇଛନ୍ତି, ତାହାକୁ ପ୍ରଦାନ କରିବେ, ଏହା ସ୍ଥିର କଲେ । ଏହି ନିଷ୍ପତ୍ତି ନେଇ ସେ ମୂଳ ଭୂଭାଗକୁ ଫେରିଆସିଲେ । କିନ୍ତୁ ତାଙ୍କର ଏହି କାର୍ଯ୍ୟପନ୍ଥା ଦୈବନିର୍ଦ୍ଦିଷ୍ଟ କି ନୁହେଁ ସେବିଷୟରେ ସେ ସୁନିଶ୍ଚିତ ହୋଇପାରୁ ନ ଥିଲେ । ତେଣୁ ଦିଗ୍ଦର୍ଶନ ଦେବା ପାଇଁ ଦିନ ପରେ ଦିନ ସେ ଶ୍ରୀଶ୍ରୀମା’ ଏବଂ ଶ୍ରୀଗୁରୁଙ୍କୁ ପ୍ରାର୍ଥନା କରିବାକୁ ଲାଗିଲେ । କିଛିଦିନ ପରେ, ଏକ ପ୍ରତୀକାତ୍ମକା ସ୍ୱପ୍ନ ତାଙ୍କୁ ପ୍ରୟୋଜନୀୟ ଦୈବୀ ଆଦେଶ ସମ୍ବନ୍ଧରେ ସ୍ଥିର ହୃଦ୍ବୋଧ କରାଇଲା । ସେ ଦେଖିଲେ ଶ୍ରୀରାମକୃଷ୍ଣ ସମୁଦ୍ରକୂଳରୁ ସମୁଦ୍ର ଭିତରକୁ ଚାଲି ଚାଲି ଯାଉଛନ୍ତି ଏବଂ ତାଙ୍କ ପଛେ ପଛେ ଆସିବାକୁ ସ୍ୱାମୀଜୀଙ୍କୁ ଇଙ୍ଗିତ କରୁଛନ୍ତି । ତତ୍ପଶ୍ଚାତ୍ ଶ୍ରୀଶ୍ରୀମା’ ସାରଦାେଦବୀଙ୍କୁ ସ୍ୱାମୀଜୀ େଲଖିଥିବା ଚିଠିର ଉତ୍ତରରେ ତାଙ୍କର ସମ୍ମତିପତ୍ର ଏବଂ ଆଶୀର୍ବାଦ ଆସି ପହଞ୍ଚିଲା । ସକଳ ସନ୍ଦେହର ନିରସନ ହେଲା । େସ ପାଶ୍ଚାତ୍ୟ ଦେଶକୁ ଯିବାକୁ ସ୍ଥିର କଲେ । ଶେଷରେ, ତାଙ୍କ ଯୁବକ ଶିଷ୍ୟମାନଙ୍କ ଦ୍ୱାରା ଭିକ୍ଷାଲବ୍ଧ କିଛି ଅର୍ଥ ଏବଂ ମହୀଶୂର ମହାରାଜା, ରାମନାଦ ମହାରାଜା ଓ ଖେତଡ଼ି ରାଜାଙ୍କ ଦ୍ୱାରା ପ୍ରଦତ୍ତ ଆର୍ଥିକ ସହାୟତା ନେଇ ସ୍ୱାମୀଜୀ ୧୮୯୩ ମସିହା ୩୧ ମଇ ଦିନ ମୁମ୍ବାଇରୁ(ତଦାନୀନ୍ତନ ବମ୍ବେ) ଆମେରିକା ଅଭିମୁଖେ ଜାହାଜରେ ଯାତ୍ରା ଶୁଭାରମ୍ଭ କଲେ ।
ଆମେରିକାରେ ପହଞ୍ଚିବା ଓ ପ୍ରତିନିଧି ହେବା :
ପ୍ରାୟ ଜୁଲାଇ ଶେଷ ଆଡ଼କୁ ସ୍ୱାମୀଜୀ କଲମ୍ବୋ, ସିଙ୍ଗାପୁର, ଜାପାନ ଏବଂ ଭାଙ୍କୋଭର ହୋଇ ଚିକାେଗା ପହଞ୍ଚଲେ । ସେଠାରେ ପହଞ୍ଚି ତାଙ୍କୁ ଏକ ଶକ୍ତ ଧକ୍କା ଲାଗିଲା, ଯେତେବେଳେ ସେ ସମ୍ବାଦ ସଂସ୍ଥାଠାରୁ ଜାଣିବାକୁ ପାଇଲେ ଯେ ସେହି ଧର୍ମ ମହାସଭା ସେପ୍ଟେମ୍ବର ପୂର୍ବରୁ ଆରମ୍ଭ ହେବ ନାହିଁ ଏବଂ କ୍ଷମତା ପ୍ରାପ୍ତ ସଂସ୍ଥା ଦେଇଥିବା ଉପଯୁକ୍ତ ପରିଚୟପତ୍ର ନ ଥିେଲ କୌଣସି ପ୍ରତିିନିଧିଙ୍କୁ ଗ୍ରହଣ କରାଯିବ ନାହିଁ । ଅଧିକନ୍ତୁ ପ୍ରତିନିଧି ଗ୍ରହଣ ଓ ପଞ୍ଜୀକରଣର ସମୟ ଅତିକ୍ରାନ୍ତ ହୋଇଯାଇଛି । ସ୍ୱାମୀଜୀଙ୍କ ପାଖରେ କୌଣସି ପ୍ରକାର ପରିଚୟ ପତ୍ର ନ ଥିଲା । ତତ୍କାଳୀନ ମାନ୍ଦ୍ରାଜସ୍ଥିତ ସ୍ୱାମୀଜୀଙ୍କର ଅତ୍ୟୁତ୍ସାହୀ ଶିଷ୍ୟମାନେ ଏହା ଭାବିଥିଲେ ଯେ ସେ େସଠାରେ କେବଳ ପହଞ୍ଚିଗଲେ ହିଁ ତାଙ୍କୁ ସୁଯୋଗ ମିଳିଯିବ । ସ୍ୱାମୀଜୀ ମଧ୍ୟ ଯାତ୍ରା ପଥର ଏତେ ଅସୁବିଧା କଥା ପୂର୍ବରୁ ଚିନ୍ତା କରି ନ ଥିଲେ, କାରଣ ସେ ନିଶ୍ଚିତ ଜାଣିଥିଲେ େଯ ସେ ଏକ ଦୈବୀ କାର୍ଯ୍ୟସାଧନ ଉଦ୍ଦେଶ୍ୟରେ ଯାଉଛନ୍ତି । ସ୍ୱାମୀଜୀ ଏହା ମଧ୍ୟ ବୁଝିପାରିଲେ ଯେ ଚିକାେଗାରେ ଅବସ୍ଥାନ କରିବା ଅତ୍ୟନ୍ତ ବ୍ୟୟସାପେକ୍ଷ । ତାଙ୍କ ନିକଟରେ ପର୍ଯ୍ୟାପ୍ତ ଅର୍ଥ ନ ଥିବାରୁ ସେ ସେଠାରୁ ବୋଷ୍ଟନ ଗଲେ, କାରଣ ସେଠାରେ ସବୁକିଛି ଅପେକ୍ଷାକୃତ ଶସ୍ତା ଥିଲା । ଟ୍ରେନରେ ସେଠାକୁ ଯାଉଥିବା ବେଳେ ମିସ୍ କାଥେରିନ୍ ଏବଟ୍ ସ୍ୟାନବର୍ଣ୍ଣ ନାମକ ଜଣେ ବିତ୍ତଶାଳୀ ମହିଳା ସ୍ୱାମୀଜୀଙ୍କର ଆଭିଜାତ୍ୟପୂର୍ଣ୍ଣ ଚେହେରା ଏବଂ ମନୋମୁଗ୍ଧକାରୀ କଥାବାର୍ତ୍ତାରେ ତାଙ୍କ ପ୍ରତି ଆକୃଷ୍ଟ ହେଲେ । ସ୍ୱାମୀଜୀଙ୍କର ଆମେରିକା ଆସିବାର କାରଣ ଜାଣିବା ପରେ ସେ ସ୍ୱାମୀଜୀଙ୍କ ପ୍ରତି ଅଧିକ ଆଗ୍ରହୀ ହୋଇ କହିଲେ : ‘‘ଠିକ୍ ଅଛି, ସ୍ୱାମୀଜୀ, ମୁଁ ଆପଣଙ୍କୁ ମୋ ଘରେ ରହିବା ପାଇଁ ଆମନ୍ତ୍ରଣ ଜଣାଉଛି । ହୁଏତ ଏହା ଦ୍ୱାରା ଆପଣଙ୍କ କାର୍ଯ୍ୟ ପାଇଁ କିଛି ସୁବିଧା ହୋଇପାରେ ।’’ ଏହି ନିମନ୍ତ୍ରଣ ସ୍ୱାମୀଜୀଙ୍କ ପାଇଁ ଈଶ୍ୱରପ୍ରେରିତ ଥିଲା । େତଣୁ ସେ ସଙ୍ଗେ ସଙ୍ଗେ ଏଥିେର ରାଜି େହାଇ ବୋଷ୍ଟନ ନିକଟସ୍ଥ ମାସାଚୁେସଟ୍ସସ୍ଥିତ ତାଙ୍କ ପଲ୍ଲୀଗୃହରେ ରହିବାକୁ ଲାଗିଲେ । ତାଙ୍କ ମାଧ୍ୟମରେ ସ୍ୱାମୀଜୀ ମିଃ. େଜ.ଏଚ. ରାଇଟ୍ ନାମକ ଜନୈକ ଗ୍ରୀକ୍ ସାହିତ୍ୟିକଙ୍କ ସହିତ ପରିଚିତ ହେଲେ । ସ୍ୱାମୀଜୀଙ୍କ ସହିତ ଥରେ ଚାରି ଘଣ୍ଟାବ୍ୟାପୀ କଥୋପକଥନ ପରେ ସେହି ଭଦ୍ରବ୍ୟକ୍ତି ତାଙ୍କ ବିଦ୍ବତ୍ତା ଓ ଜ୍ଞାନରେ ଏତେ ପ୍ରଭାବିତ ହେଲେ ଯେ, ସ୍ୱେଚ୍ଛାରେ ସ୍ୱାମୀଜୀଙ୍କର ଧର୍ମମହାସଭାରେ ପ୍ରତିନିଧି ହୋଇ ଯୋଗଦାନ କରିବା ପାଇଁ ସମସ୍ତ ବ୍ୟବସ୍ଥା କରିଦେଲେ । ସେ ସ୍ୱାମୀଜୀଙ୍କୁ କହିଲେ, ‘‘ବିଶ୍ୱର ରାଷ୍ଟ୍ରସମୂହ ସହିତ ଆପଣଙ୍କୁ ପରିଚିତ କରାଇବା ପାଇଁ ଏହା ହିଁ ଏକମାତ୍ର ଉପାୟ ।’’ ସ୍ୱାମୀଜୀ ନିଜ ଅସୁବିଧା ବିଷୟ ତାଙ୍କୁ ବୁଝାଇ ତାଙ୍କ ନିକଟରେ କୌଣସି ପରିଚୟପତ୍ର ନ ଥିବା କଥା କହିଲେ । ଏହାର ଉତ୍ତରରେ ଅଧ୍ୟାପକ ରାଇଟ୍ ଆଶ୍ଚର୍ଯ୍ୟ ହୋଇ କହିଲେ, ‘‘ସ୍ୱାମୀଜୀ, ଆପଣଙ୍କୁ ପ୍ରମାଣପତ୍ର ମାଗିବା ଅର୍ଥ ସୂର୍ଯ୍ୟଙ୍କୁ ଆଲୋକ ଦେବାର ଅଧିକାର େନଇ ପ୍ରଶ୍ନ କରିବା ।’’ ପ୍ରତିନିଧି-ଚୟନ ସମିତିର ଅଧ୍ୟକ୍ଷଙ୍କୁ ଯିଏ କି ତାଙ୍କ ବନ୍ଧୁ ଥିଲେ, ସେ ତତ୍କ୍ଷଣାତ୍ ଲେଖିଲେ: ‘‘ଏହି ବ୍ୟକ୍ତିଙ୍କର ବିଦ୍ବତ୍ତା ଆମ ସମସ୍ତ ଅଧ୍ୟାପକମାନଙ୍କର ଏକତ୍ରିତ ଜ୍ଞାନଠାରୁ ଅଧିକ ।’’ େସ ପୂର୍ବାଞ୍ଚଳ ପ୍ରତିନିଧିମାନଙ୍କ େଦଖାଶୁଣା ଦାୟିତ୍ୱରେ ଥିବା ସମିତିକୁ େଦବା ପାଇଁ ସ୍ୱାମୀଜୀଙ୍କ ଗୋଟିଏ ପରିଚୟପତ୍ର ଦେଲେ, ଏବଂ ତାଙ୍କ ପାଇଁ ଚିକାଗୋ ଯିବାର ଏକ ଟିକଟ୍ ମଧ୍ୟ କିଣିଦେଲେ । ଦୁର୍ଭାଗ୍ୟବଶତଃ ସେପ୍ଟେମ୍ବର ୯ତାରିଖରେ ଚିକାଗୋରେ ପହଞ୍ଚି ସ୍ୱାମୀଜୀ ସମିତିର ଠିକଣା େଖାଜି ପାଇଲେ ନାହିଁ । େସ ସହଯାତ୍ରୀମାନଙ୍କୁ ପଚାରି ବୁଝିବାକୁ ଚେଷ୍ଟା କଲେ, କିନ୍ତୁ ସେହି ଅଞ୍ଚଳଟି ସହରର ଉତ୍ତର-ପୂର୍ବାଞ୍ଚଳ ଥିଲା େଯଉଁଠି ମୁଖ୍ୟତଃ ଜର୍ମାନମାନେ ରହୁଥିଲେ; ଫଳରେ ସେମାେନ ସ୍ୱାମୀଜୀଙ୍କ କଥା ବୁଝିପାରିଲେ ନାହିଁ । ସୁତରାଂ ସ୍ୱାମୀଜୀ ସେହି ପ୍ରଚଣ୍ଡ ଶୀତ ରାତ୍ରିରେ ଅନ୍ୟ କୌଣସି ବିକଳ୍ପ ଖୋଜି ନ ପାଇ ସେଠାରେ ଥିବା ଏକ ଖାଲି ରେଳ ଡବା ଭିତରେ ଆଶ୍ରୟ ନେଲେ । ପଥପ୍ରଦର୍ଶକ ପ୍ରଭୁଙ୍କ ଉପରେ ଭରସା କରି ଖୁବ୍ଶୀଘ୍ର ସମସ୍ତ ଚିନ୍ତାମୁକ୍ତ ହୋଇ ସେ ସେଠାରେ ନିଦ୍ରାଭିଭୂତ ହେଲେ । ସକାଳେ ଉଠି ସେ ନିଜ ଗନ୍ତବ୍ୟ ଖୋଜିବାକୁ ବାହାରି ପଡ଼ିଲେ । ଖୁବ୍ ଶୀଘ୍ର ସେ ସହରର ଧନୀେଲାକ ବସବାସ କରୁଥିବା ଅଞ୍ଚଳକୁ ଆସିଲେ । ଅତିଶୟ କ୍ଳାନ୍ତ ଓ କ୍ଷୁଧାର୍ତ୍ତ ସ୍ୱାମୀଜୀ ଭାରତର ସନ୍ନ୍ୟାସୀଙ୍କ ପରି ଘରେ ଘରେ ଭିକ୍ଷା ମାଗିଲେ । ତାଙ୍କର ମଳିନ ବସ୍ତ୍ର ଏବଂ ପରିଶ୍ରାନ୍ତ ଚେହେରା ଦେଖି ସେହି ସବୁ ଘରର ଭୃତ୍ୟମାନେ ତାଙ୍କୁ କଠୋର ବ୍ୟବହାର କଲେ, ଏପରିକି ମୁହଁ ଉପରେ କବାଟ ମଧ୍ୟ ବନ୍ଦ କରିଦେଲେ । କିଛି ସମୟ ପରେ ଅବସନ୍ନ ଓ କ୍ଳାନ୍ତ ସ୍ୱାମୀଜୀ ଈଶ୍ୱରଙ୍କ ଉପରେ ସବୁ ଛାଡ଼ିଦେଇ ରାସ୍ତାକଡ଼ରେ ବସିପଡ଼ିଲେ । ଠିକ୍ ସେହି ସମୟରେ ତାଙ୍କ ବିପରୀତ ଦିଗରେ ଥିବା ଏକ ସୁରୁଚିପୂର୍ଣ୍ଣ ଗୃହର ଦ୍ୱାର ଖୋଲିଲା ଏବଂ ଜଣେ ସମ୍ଭ୍ରାନ୍ତ ମହିଳା ବାହାରି ଆସି ତାଙ୍କୁ କୋମଳ ସ୍ୱରରେ ପଚାରିଲେ, ‘‘ମହାଶୟ, ଆପଣ କ’ଣ ଧର୍ମମହାସଭାର ପ୍ରତିନିଧି ?’’ ସ୍ୱାମୀଜୀ ତାଙ୍କର ଅସୁବିଧା କଥା ମହିଳାଙ୍କୁ ଜଣାଇେଲ । ମହିଳା ଜଣଙ୍କ ତତ୍କ୍ଷଣାତ୍ ତାଙ୍କୁ ଘରକୁ ଡାକିେନଇ ପ୍ରୟୋଜନୀୟ ଚର୍ଚ୍ଚା କଲେ । ପରେ ସ୍ୱାମୀଜୀ ଖାଦ୍ୟଗ୍ରହଣ ଓ କିଛି ସମୟ ବିଶ୍ରାମ ନେଲେ । ପରେ ସେ ତାଙ୍କୁ ଧର୍ମମହାସଭାର କାର୍ଯ୍ୟାଳୟକୁ ନେଇଗଲେ । ସେଠାରେ ପ୍ରତିନିଧି ରୂପରେ ତାଙ୍କୁ ସାଦରେ ଗ୍ରହଣ କରାଯାଇ ପୂର୍ବାଞ୍ଚଳ ଅତିଥିମାନଙ୍କ ସହିତ ରହିବାର ବ୍ୟବସ୍ଥା କରାଗଲା । ତାଙ୍କର ସେଦିନର ରକ୍ଷାକର୍ତ୍ତ୍ରୀ ଥିଲେ ଶ୍ରୀମତୀ ଜର୍ଜ ଡବ୍ଲ୍ୟୁ ହେଲ୍ । ସେ ଏବଂ ତାଙ୍କର ପିଲାମାନେ ସ୍ୱାମୀଜୀଙ୍କ ଘନିଷ୍ଠ ବନ୍ଧୁ ହୋଇଗଲେ ।
ସ୍ୱାମୀଜୀ ଏେବ ଏକ ନୂତନ ପ୍ରେରଣା ଲାଭ କଲେ । ସେ ନିଃସନ୍ଦେହ ହେଲେ ଯେ ପ୍ରଭୁ ତାଙ୍କ ସହିତ ଅଛନ୍ତି । ତାଙ୍କର ଦିନଗୁଡ଼ିକ ପ୍ରାର୍ଥନା ଓ ଧ୍ୟାନରେ କଟିବାକୁ ଲାଗିଲା ଏବଂ ଏଥିସହିତ ନିଜକୁ ଈଶ୍ୱରଙ୍କ ଯନ୍ତ୍ର, ହିନ୍ଦୁଧର୍ମର ପ୍ରକୃତ ମୁଖପାତ୍ର ଓ ଠାକୁରଙ୍କ ବାଣୀ-ବାହକ ହେବାର ଏକ ତୀବ୍ର ଆକାଂକ୍ଷା ମନ ଭିତରେ ଜାଗୃତ ହେଲା ।
ଧର୍ମ ମହାସଭା ମଞ୍ଚରେ :
କ୍ରିଷ୍ଟୋଫର କଲମ୍ୱସଙ୍କ ଦ୍ୱାରା ଆମେରିକା ଆବିଷ୍କାରର ଚାରିଶହ ବର୍ଷ ପୂର୍ତ୍ତି ଉପଲକ୍ଷେ ୧୮୯୩ ଖ୍ରୀଷ୍ଟାବ୍ଦରେ ଚିକାଗୋଠାରେ ହେଉଥିବା ବିଶ୍ୱ କଲମ୍ବିୟନ ପ୍ରଦର୍ଶନୀର ଏକ ଅଂଶ ଭାବରେ ଏହି ଧର୍ମମହାସଭା ଆୟୋଜିତ ହୋଇଥିଲା । ଏଥିରେ ଘୋଷଣା କରାଯାଇଥିବା ଉଦ୍ଦେଶ୍ୟ ଥିଲା ପୃଥିବୀର ସମସ୍ତ ଧର୍ମରେ ଶିକ୍ଷା ଦିଆଯାଉଥିବା ସାଧାରଣ ଏବଂ ଗୁରୁତ୍ୱପୂର୍ଣ୍ଣ ସତ୍ୟଗୁଡ଼ିକ ଉପସ୍ଥାପନା କରି ପୃଥିବୀର ବିଭିନ୍ନ ଜାତିଗୁଡ଼ିକ ଭିତରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରକ୍ଷା କରିବା । କିନ୍ତୁ ଅନେକେ ତାଙ୍କ ନିଜ ଧର୍ମ ଅନ୍ୟ ସମସ୍ତ ଧର୍ମଠାରୁ ଉନ୍ନତ ଏବଂ ଉତ୍କୃଷ୍ଟ ଏହା ହିଁ ପ୍ରମାଣିତ ହେବ ଏପରି ଆଶା ରଖିଥିଲେ । କିନ୍ତୁ ଈଶ୍ୱରଙ୍କ ଇଚ୍ଛାରେ ସକଳ ଧର୍ମର ଅବସ୍ଥିତି ଓ ବୈଧତା ମହାସଭାର ପ୍ରଧାନ ଲକ୍ଷ୍ୟ ହେଲା, ଏବଂ ସ୍ୱାମୀ ବିବେକାନନ୍ଦ ଏହି ମୂଳ ବିଷୟର ସବୁଠାରୁ ପ୍ରଭାବଶାଳୀ ବକ୍ତା ହେଲେ ।
ମହାସଭାର ପ୍ରଥମ ଅଧିେବଶନ ସୋମବାର, ୧୧ େସପ୍ଟେମ୍ବର ୧୮୯୩ରେ, ଆର୍ଟ ଇନ୍ଷ୍ଟିଚ୍ୟୁଟ୍ର ପ୍ରଶସ୍ତ ସଭାଗୃହରେ ଅନୁଷ୍ଠିତ ହେଲା । ଏହାର ବିଶାଳ ଗ୍ୟାେଲରୀଗୁଡ଼ିକ ୪,୦୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ଦ୍ୱାରା ପୂର୍ଣ୍ଣ ହୋଇଥିଲା । ମହିଳା ଏବଂ ପୁରୁଷ ପ୍ରତିନିଧିମାେନ ଆେମରିକାର ସର୍ବୋତ୍କୃଷ୍ଟ ସଂସ୍କୃତିକୁ ଉପସ୍ଥାପନ କରିବା ପାଇଁ ସମବେତ େହାଇଥିଲେ । ସକଳ ଧର୍ମର ପ୍ରତିନିଧିମାେନ ଯଥା-ବୌଦ୍ଧଧର୍ମ, ଖ୍ରୀଷ୍ଟଧର୍ମ, କନ୍ଫୁସୀୟସ୍ଧର୍ମ, ହିନ୍ଦୁଧର୍ମ, ଜୈନଧର୍ମ, ଜୁଦାଇଧର୍ମ, ମୁସଲିମ୍ଧର୍ମ, ଶିଣ୍ଟୋଧର୍ମ, ଥେଇଜିମ୍ (ବିଶ୍ୱର ଦୈବୀ ଉତ୍ପତ୍ତିରେ ବିଶ୍ୱାସୀ), ବ୍ରାହ୍ମସମାଜ ଏବଂ ଜରାଥ୍ରୁଷ୍ଟ (ପାରସ୍ୟ ଦେଶୀୟ ଧର୍ମ)-ସମସ୍ତେ ସେଠାରେ ଥିଲେ ଏବଂ ତାଙ୍କ ମଧ୍ୟରେ ସ୍ୱାମୀ ବିବେକାନନ୍ଦ ନୀରବ ପ୍ରାର୍ଥନାରତ ରହି ଶ୍ରୋତାମାନଙ୍କର ଦୃଷ୍ଟି ଆକର୍ଷଣ କରୁଥିଲେ । ଏକ ପ୍ରାର୍ଥନା ସଙ୍ଗୀତ ଗାନ ଦ୍ୱାରା ମହାସଭା ଉଦ୍ଘାଟନ ହେଲା । ପରେ ଅଧ୍ୟକ୍ଷ ମାନନୀୟ ଜେ.ଏଚ.ବ୍ୟାରୋଜ ମହୋଦୟ ପ୍ରତିନିଧିମାନଙ୍କର ପରିଚୟ ପ୍ରଦାନ କଲେ ଏବଂ ଏହା ପରେ ସେମାନେ ପ୍ରତ୍ୟେକେ ପୂର୍ବରୁ ପ୍ରସ୍ତୁତ କରି ଆଣିଥିବା ବକ୍ତୃତା ପଢ଼ିଲେ । କିନ୍ତୁ ସ୍ୱାମୀଜୀଙ୍କର କୌଣସି ଲିଖିତ ବକ୍ତୃତା ନ ଥିଲା ଏବଂ ଏହାପୂର୍ବରୁ ସେ କେବେହେଲେ ଏେତ ବିରାଟ ଜନସଭାରେ ଭାଷଣ ଦେଇ ନ ଥିଲେ । ପ୍ରଭାତ ଅଧିେବଶନରେ ସ୍ୱାମୀଜୀ ବକ୍ତୃତା ନ କରି ନିଜ ପାଳି ବାରମ୍ୱାର ଘୁଞ୍ଚାଇବାକୁ ଲାଗିଲେ । କିନ୍ତୁ ଅପରାହ୍ଣ ଅଧିେବଶନରେ ସେ ଆଉ ଏହା କରିପାରିଲେ ନାହିଁ । ତେଣୁ ଉଦ୍ଦିଷ୍ଟ ମଞ୍ଚ ଉପରେ ଉଠି ଠିଆ ହେଲେ । ତାଙ୍କ ମୁଖ ଅଗ୍ନିସଦୃଶ ଉଜ୍ଜ୍ୱଳ ଦେଖାଯାଉଥିଲା । ମନେ ମନେ ଜ୍ଞାନର େଦବୀ ମା’ ସରସ୍ୱତୀଙ୍କୁ ପ୍ରଣାମ ଜଣାଇ ସେ କହିବାକୁ ଆରମ୍ଭ କଲେ । ସେ ଜନସଭାକୁ ‘‘ଆମେରିକାବାସୀ ଭଗିନୀ ଓ ଭ୍ରାତୃଗଣ’’ ସମ୍ବୋଧନ କରିବା ସଙ୍ଗେ ସଙ୍ଗେ ଉତ୍ସାହର ଏକ ଲହରୀ ଶ୍ରୋତାମାନଙ୍କ ମଧ୍ୟରେ ସଞ୍ଚାରିତ ହେଲା । ସେମାନେ ସମସ୍ତେ ଠିଆ ହୋଇ ଆନନ୍ଦରେ କରତାଳି ଧ୍ୱନି କରିବାକୁ ଲାଗିଲେ । ପ୍ରତ୍ୟେକେ ପ୍ରଶଂସା ଧ୍ୱନି ଉଚ୍ଚାରଣ କରିବାକୁ ଲାଗିଲେ । ସ୍ୱାମୀଜୀ ବିଭ୍ରାନ୍ତ, ବିଚଳିତ ହୋଇପଡ଼ିଲେ । ପୁରା ଦୁଇ ମିନିଟ୍ ପର୍ଯ୍ୟନ୍ତ କହିବାକୁ ଚେଷ୍ଟା କରି ମଧ୍ୟ ସେ କିଛି କହିପାରିଲେ ନାହିଁ; କାରଣ ଅତ୍ୟୁତ୍ସାହୀ କରତାଳିରତ ଶ୍ରୋତାମାନେ ତାଙ୍କୁ କୁହାଇଦେଲେ ନାହିଁ । ଅନ୍ୟାନ୍ୟ ବକ୍ତାମାନେ ଗତାନୁଗତିକ ପ୍ରଥା ଅନୁଯାୟୀ ସମ୍ବୋଧନ କରିଥିଲେ, କିନ୍ତୁ ସ୍ୱାମୀଜୀ ଶୁଷ୍କ ପରମ୍ପରାକୁ ପରିହାର କରି ଆତ୍ମୀୟତାକୁ ପ୍ରାଧାନ୍ୟ ଦେବାରୁ ଶ୍ରୋତାମାନଙ୍କ ହୃଦୟର ଗଭୀରତମ ସୂତ୍ରଟି ସ୍ପର୍ଶ କରିପାରିଥିଲେ । କରତାଳି ସରିବା ପରେ ସ୍ୱାମୀଜୀ ଏକ ସଂକ୍ଷିପ୍ତ ବକ୍ତୃତା ଦେଲେ ।
ବକ୍ତୃତା ଶେଷ କରି ଭାବାବେଗରେ କ୍ଲାନ୍ତ ହୋଇ ସ୍ୱାମୀଜୀ ଯେତେବେଳେ ବସିପଡ଼ିଲେ ଆଉ ଥରେ ଉଚ୍ଛ୍ୱସିତ କରତାଳି ଧ୍ୱନି ହେବାକୁ ଲାଗିଲା । ପରଦିନ ସବୁ ସମ୍ବାଦପତ୍ରରେ ତାଙ୍କୁ ଧର୍ମ ମହାସଭାର ସର୍ବୋତ୍ତମ ବକ୍ତା ଓ ବ୍ୟକ୍ତିତ୍ୱ ବୋଲି ପ୍ରଚାର କରାଗଲା । ଅଜଣା ଯୁବକ ସାଧୁଙ୍କୁ ସାରା ଆମେରିକା ଜାଣିଲା । ‘ତାଙ୍କର ବଡ଼ ବଡ଼ ଫଟୋଚିତ୍ର ତଳେ ତାଙ୍କ ନାମ ଲେଖାଯାଇ ଚିକାେଗା ସହରର ରାସ୍ତାକଡ଼ରେ ଟଙ୍ଗା ଗଲା ଏବଂ ଅନେକ ଲୋକ ନତଶିରରେ ତାଙ୍କୁ ଶ୍ରଦ୍ଧା ଜଣାଇଲେ ।’
ମହାସଭାରେ ସ୍ୱାମୀଜୀଙ୍କ ଭାଷଣଗୁଡ଼ିକ ସବୁ ଧର୍ମର ଯଥାର୍ଥତା ଏବଂ ସେମାନଙ୍କର ସୁସଙ୍ଗତ ସ୍ଥିତି ଉପରେ ବାରମ୍ୱାର ଗୁରୁତ୍ୱ ଆରୋପ କରିଥିଲା । ସେ ଦେଖାଇଲେ ଯେ ପ୍ରତ୍ୟେକ ଧର୍ମରେ ଅତ୍ୟନ୍ତ ଉଚ୍ଚକୋଟୀର ପବିତ୍ର, ଦାନଶୀଳ ଓ ଉଦାର ଚରିତ୍ରର ସ୍ତ୍ରୀ ପୁରୁଷ ଜନ୍ମଗ୍ରହଣ କରିଛନ୍ତି । ଏହା ହିଁ ପ୍ରତିଟି ଧର୍ମର ଯଥାର୍ଥତା ସଂସ୍ଥାପନ କରେ । ତେଣୁ ସେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ନିଜର ଏକକ ସତ୍ତ୍ୱା ରକ୍ଷା କରିବା ସହିତ ଅନ୍ୟ ଧର୍ମର ଭଲ ଜିନିଷଗୁଡ଼ିକୁ ଶିକ୍ଷା କରିବାକୁ ନିେବଦନ କଲେ ।
ଆଉ ଏକ ଧାରଣା ମଧ୍ୟ ସ୍ୱାମୀଜୀ ଧର୍ମ ମହାସଭାରେ ଜୋର ଦେଇ ପ୍ରଚାର କରୁଥିଲେ, ତାହା ହେଲା ଦୃଶ୍ୟତଃ ମନୁଷ୍ୟ ଏକ ମରଣଶୀଳ ଶରୀର ଓ ମନଟିଏ ହୋଇଥିଲେ ମଧ୍ୟ ପ୍ରକୃତରେ ସେ ଏକ ଦୈବୀ ଆତ୍ମା, ଏକ ପବିତ୍ର ଓ ଅମର ଆତ୍ମା, ଜଡ଼ ବସ୍ତୁ ଓ ମନର ପ୍ରଭୁ । ସ୍ୱାମୀଜୀ ଦେଖାଇଲେ ଯେ ମନୁଷ୍ୟ ଜୀବନର ଲକ୍ଷ୍ୟ ହେଉଛି ପ୍ରତ୍ୟେକ କାର୍ଯ୍ୟ ଏବଂ ଚିନ୍ତା ଦ୍ୱାରା ଦେବତ୍ୱର ବିକାଶ କରି ଦେବତ୍ୱ ଲାଭ କରିବା । ଏଥିରେ ହିଁ ଆମର ବ୍ୟକ୍ତିଗତ ଓ ସାମୂହିକ ସମସ୍ତ ସମସ୍ୟାର ସମାଧାନ ରହିଛି ।
ବର୍ତ୍ତମାନ ଆମେ ସ୍ୱାମୀଜୀଙ୍କର ଆତ୍ମା-ଶିହରଣକାରୀ ବକ୍ତୃତା ତାଙ୍କ ନିଜ କଥାରେ ଉପସ୍ଥାପିତ କରୁଛୁ ।
***
[୧୮୯୩ ସେପ୍ଟେମ୍ବର ୧୧ ତାରିଖ ଚିକୋଗୋ ଧର୍ମ ମହାସଭାର ପ୍ରଥମ ଦିବସର ଅଧିବେଶନରେ ସଭାପତି କାର୍ଡ଼ିନାଲ୍ ଗିବନ୍ସ୍ ଶ୍ରୋତୃମଣ୍ଡଳୀଙ୍କ ନିକଟରେ ପରିଚୟ କରାଇଦେବା ପରେ ଅଭ୍ୟର୍ଥନାର ଉତ୍ତରରେ ସ୍ୱାମୀଜୀ କହିଲେ :]
ହେ ଆମେରିକାବାସୀ ଭଗିନୀ ଓ ଭ୍ରାତୃବୃନ୍ଦ ! ଆଜି ଆପଣମାନେ ଆମମାନଙ୍କୁ ଯେଉଁ ଆନ୍ତରିକ ଓ ସାଦର ଅଭ୍ୟର୍ଥନା କରିଅଛନ୍ତି, ତାହାର ଉତ୍ତର ଦେବାକୁ ଯାଇ ମୋ ହୃଦୟ ଅନିର୍ବଚନୀୟ ଆନନ୍ଦରେ ପରିପୂର୍ଣ୍ଣ ହୋଇଯାଉଛି । ପୃଥିବୀର ସର୍ବାପେକ୍ଷା ପ୍ରାଚୀନ ସନ୍ନ୍ୟାସୀ-ସମାଜ ପକ୍ଷରୁ ଆଜି ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି । ସର୍ବଧର୍ମର ଜନନୀସ୍ୱରୂପା ଯେଉଁ ହିନ୍ଦୁଧର୍ମ, ତାହାର ପ୍ରତିନିଧି ହୋଇ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜ୍ଞାପନ କରୁଛି । ସମସ୍ତ ହିନ୍ଦୁ ଜାତି ଓ ସମ୍ପ୍ରଦାୟ ଅନ୍ତର୍ଗତ କୋଟି କୋଟି ନରନାରୀଙ୍କ ପକ୍ଷରୁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଜଣାଉଛି ।
ଏହି ସଭାମଞ୍ଚରେ ସେହି କେତେଜଣ ବକ୍ତାଙ୍କୁ ମୁଁ ଧନ୍ୟବାଦ ଜଣାଉଛି, ଯେଉଁମାନେ ପ୍ରାଚ୍ୟଦେଶୀୟ ପ୍ରତିନିଧିଙ୍କ ସମ୍ବନ୍ଧରେ ମନ୍ତବ୍ୟ ପ୍ରକାଶ କଲେ ଯେ, ଅତି ଦୂର ଦେଶନିବାସୀ ଜାତିସମୂହ ମଧ୍ୟରୁ ଯେଉଁମାନେ ଏଠାରେ ସମାଗତ ହୋଇଛନ୍ତି, ସେମାନେ ମଧ୍ୟ ବିଭିନ୍ନ ଦେଶରେ ପରଧର୍ମ ସହିଷ୍ଣୁତାର ଭାବ ପ୍ରଚାର କରିବାର ଗୌରବ ଦାବି କରିପାରନ୍ତି । ଯେଉଁ ଧର୍ମ-ଜଗତକୁ ଆବହମାନକାଳରୁ ପରମତସହିଷ୍ଣୁତା ଓ ସର୍ବବିଧ ମତ ସ୍ୱୀକାର କରିବାକୁ ଶିକ୍ଷାଦେଇ ଆସୁଛି, ମୁଁ ସେହି ଧର୍ମଭୁକ୍ତ ବୋଲି ନିଜକୁ ଗୌରବାନ୍ୱିତ ମନେକରେ । ଆମେମାନେ ଯେ କେବଳ ସବୁ ଧର୍ମକୁ ସହ୍ୟ କରୁ ତାହା ନୁହେଁ, ବରଂ ସବୁଧର୍ମଗୁଡ଼ିକୁ ଆମେ ସତ୍ୟ ବୋଲି ବିଶ୍ୱାସ କରୁ । ଯେଉଁ ଧର୍ମର ପବିତ୍ର ସଂସ୍କୃତ ଭାଷାରେ ଇଂରାଜୀ ଶବ୍ଦ ‘ଏକ୍ସକ୍ଲୁଶନ୍’କୁ [ଭାବାର୍ଥ: ବହିଷ୍କରଣ, ପରିବର୍ଜନ] ଅନୁବାଦ କରାଯାଏ ନାହିଁ, ମୁଁ ସେହି ଧର୍ମଭୁକ୍ତ ବୋଲି ଗର୍ବ ଅନୁଭବ କରେ । ଯେଉଁ ଜାତି ପୃଥିବୀର ସମସ୍ତ ଧର୍ମର ଓ ସକଳ ଜାତିର ନିପୀଡ଼ିତ ଓ ଆଶ୍ରୟ ପ୍ରାର୍ଥୀମାନଙ୍କୁ ଚିରକାଳ ଆଶ୍ରୟ ଦେଇଆସିଛି, ମୁଁ ସେହି ଜାତିର ଅନ୍ତର୍ଭୁକ୍ତ ବୋଲି ନିଜକୁ ଗୌରବାନ୍ୱିତ ମନେ କରେ । ମୁଁ ଆପଣମାନଙ୍କୁ ଏକଥା କହିବାରେ ଗର୍ବ ଅନୁଭବ କରୁଛି ଯେ, ଆମେ ଇହୁଦୀମାନଙ୍କର ଖାଣ୍ଟି ବଂଶଧରଗଣଙ୍କର ଅବଶିଷ୍ଟ ଅଂଶକୁ ଆଦର ସହକାରେ ହୃଦୟରେ ଧାରଣ କରି ରଖିଛୁ; ଯେଉଁ ବର୍ଷ ରୋମାନ୍ମାନଙ୍କ ଭୟଙ୍କର ଉତ୍ପୀଡ଼ନରେ ଇହୁଦୀ ଜାତିର ପବିତ୍ର ମନ୍ଦିରଗୁଡ଼ିକ ବିଧ୍ୱସ୍ତ ହେଲା, ସେହି ବର୍ଷ ସେମାନେ ଦକ୍ଷିଣ ଭାରତରେ ଉପନୀତ ହୋଇ ଆଶ୍ରୟପ୍ରାର୍ଥୀ ହୋଇଥିଲେ । ଜରାଥ୍ରୁଷ୍ଟଙ୍କ ଅନୁଗାମୀ ମହାନ୍ ପାରସିକ ଜାତିର ଅବଶିଷ୍ଟାଂଶକୁ ଯେଉଁ ଧର୍ମାବଲମ୍ବୀଗଣ ଆଶ୍ରୟଦାନ କରିଥିଲେ ଏବଂ ଆଜି ପର୍ଯ୍ୟନ୍ତ ଯେଉଁମାନେ ସେମାନଙ୍କୁ ପ୍ରତିପାଳନ କରୁଛନ୍ତି, ମୁଁ ସେମାନଙ୍କର ଅନ୍ତର୍ଭୁକ୍ତ । କୋଟି କୋଟି ନରନାରୀ ଯେଉଁ ସ୍ତୋତ୍ରଟିକୁ ପ୍ରତିଦିନ ପାଠ କରନ୍ତି, ଯେଉଁ ସ୍ତବକଟିକୁ ମୁଁ ଶୈଶବରୁ ଆବୃତ୍ତି କରି ଆସୁଛି, ତାହାର କେତୋଟି ପଙ୍କ୍ତି ମୁଁ ଆପଣଙ୍କ ନିକଟରେ ଆବୃତ୍ତି କରୁଛି :
‘ରୁଚୀନାଂ ବୈଚିତ୍ର୍ୟାଦୃଜୁକୁଟିଲ ନାନାପଥଜୁଷାମ୍ । ନୃଣାମେକୋ ଗମ୍ୟସ୍ତ୍ୱମସି ପୟସାମର୍ଣ୍ଣବ ଇବ ॥’
-ବିଭିନ୍ନ ନଦୀର ଉତ୍ସ ବିଭିନ୍ନ ସ୍ଥାନରେ, କିନ୍ତୁ ସେମାନେ ସମସ୍ତେ ଯେପରି ଗୋଟିଏ ସମୁଦ୍ରରେ ସେମାନଙ୍କର ଜଳରାଶି ଢାଳି ଏକତ୍ର ମିଳିତ ହୁଅନ୍ତି, ସେହିପରି ହେ ଭଗବାନ୍ ! ନିଜ ନିଜ ରୁଚିର ବୈଚିତ୍ର୍ୟବଶତଃ ସରଳ, କୁଟିଳ ପ୍ରଭୃତି ନାନା ପଥରେ ଯେଉଁମାନେ ଯାଉଛନ୍ତି, ତୁମେ ହିଁ ସେମାନଙ୍କର ଏକମାତ୍ର ଲକ୍ଷ୍ୟ ।
ଏହି ଧର୍ମମହାସଭା ଗୀତା-ପ୍ରଚାରିତ ସେହି ଅଦ୍ଭୁତ ମତର ସତ୍ୟତା ପ୍ରତିପନ୍ନ କରୁଛି, ସେହି ବାଣୀ ଘୋଷଣା କରୁଛି:
‘ୟେ ୟଥା ମାଂ ପ୍ରପଦ୍ୟନ୍ତେ ତାଂସ୍ତଥୈବ ଭଜାମ୍ୟହମ୍ । ମମ ବର୍ତ୍ମାନୁବର୍ତ୍ତନ୍ତେ ମନୁଷ୍ୟାଃ ପାର୍ଥ ସର୍ବଶଃ ॥’
-ଯେ ଯେଉଁ ଭାବ ଆଶ୍ରୟ କରି ଆସୁନା କାହିଁକି, ମୁଁ ତାକୁ ସେହି ଭାବରେ ଅନୁଗ୍ରହ କରିଥାଏ । ହେ ଅର୍ଜ୍ଜୁନ ! ମନୁଷ୍ୟମାନେ ସର୍ବତୋଭାବରେ ମୋ ଦିଗକୁ ହିଁ ଅନୁଗମନ କରିଥାଆନ୍ତି ।
ସାମ୍ପ୍ରଦାୟିକତା, ସଂକୀର୍ଣ୍ଣତା ଓ ଏସବୁର ଭୟାବହ ଫଳସ୍ୱରୂପ ଧର୍ମୋନ୍ମତ୍ତତା, ଏହି ସୁନ୍ଦର ଧରାକୁ ବହୁକାଳ ଧରି ଅଧିକାର କରି ରଖିଛି । ଏଗୁଡ଼ିକ ପୃଥିବୀକୁ ହିଂସାରେ ପୂର୍ଣ୍ଣ କରିଛି, ବହୁବାର ଏହାକୁ ନରଶୋଣିତରେ ସିକ୍ତ କରିଛି, ସଭ୍ୟତାକୁ ଧ୍ୱଂସ କରିଛି ଏବଂ ସମଗ୍ର ଜାତିକୁ ହତାଶାରେ ମଗ୍ନ କରିଛି । ଏହିସବୁ ଭୀଷଣ ପିଶାଚଗୁଡ଼ିକ ଯଦି ନ ଥାନ୍ତେ, ତାହାହେଲେ ମାନବସମାଜ ଆଜି ପୂର୍ବାପେକ୍ଷା ବହୁଗୁଣ ଉନ୍ନତ ହୋଇଥାଆନ୍ତା । ତେବେ ଏମାନଙ୍କର ମୃତ୍ୟୁକାଳ ଉପସ୍ଥିତ, ମୁଁ ସର୍ବାନ୍ତଃକରଣରେ ଆଶା କରେ ଯେ, ଏହି ଧର୍ମ-ମହାସମିତିର ସମ୍ମାନାର୍ଥ ଆଜି ଯେଉଁ ଘଣ୍ଟାଧ୍ୱନି ନିନାଦିତ ହୋଇଛି, ତାହା ହିଁ ସର୍ବବିଧ ଧର୍ମୋନ୍ମତ୍ତତା, ତରବାରି ଅଥବା ଲେଖନୀଦ୍ୱାରା ଅନୁଷ୍ଠିତ ସର୍ବପ୍ରକାର ନିର୍ଯ୍ୟାତନାର ଏବଂ ସେହି ଏକ ଲକ୍ଷ୍ୟଦିଗକୁ ଅଗ୍ରସର ହେଉଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ସର୍ବବିଧ ଅସଦ୍ଭାବର ସମ୍ପୂର୍ଣ୍ଣ ଅବସାନର ବାର୍ତ୍ତା ଘୋଷଣା କରୁ ।
***
ସେପ୍ଟେମ୍ବର ୧୫ ତାରିଖ ଶୁକ୍ରବାର ଅପରାହ୍ଣରେ ଧର୍ମମହାସଭାର ପଞ୍ଚମ ଦିବସୀୟ ଅଧିବେଶନରେ ଭିନ୍ନ ଭିନ୍ନ ଧର୍ମାବଲମ୍ବୀମାନେ ନିଜ ନିଜ ଧର୍ମର ପ୍ରାଧାନ୍ୟ ପ୍ରତିପାଦନ ନିମିତ୍ତ ବାଗ୍ବିତଣ୍ଡାରେ ନିଯୁକ୍ତ ଥିବା ଦେଖି ସ୍ୱାମୀଜୀ ନିମ୍ନଲିଖିତ ଉପାଖ୍ୟାନଟି କହି ସମସ୍ତଙ୍କୁ ଚୁପ୍ କରିଦେଇଥିଲେ :
ମୁଁ ଆପଣଙ୍କ ନିକଟରେ ଗୋଟିଏ କ୍ଷୁଦ୍ର ଗଳ୍ପ କହିବି । ବର୍ତ୍ତମାନ ଜଣେ ସୁବକ୍ତା କହିଲେ, ‘ଆସ, ଆମେମାନେ ପରସ୍ପରର ନିନ୍ଦାବାଦରୁ ବିରତ ହେବା ।’ – ଏହା ଆପଣମାନେ ଶୁଣିଛନ୍ତି । ମନୁଷ୍ୟ ମଧ୍ୟରେ ସର୍ବଦା ଏତେ ବେଶୀ ମତଭେଦ ଦେଖି ବକ୍ତା ମହାଶୟ ଅତ୍ୟନ୍ତ ଦୁଃଖିତ । ମୁଁ ଗୋଟିଏ ଗଳ୍ପ କହିବି, ହୁଏତ ତଦ୍ଦ୍ୱାରା ଏହି ମତଭେଦର କାରଣ ସ୍ପଷ୍ଟ ଜଣାପଡ଼ିବ ।
ଗୋଟିଏ ବେଙ୍ଗ ଗୋଟିଏ କୂଅରେ ବାସ କରୁଥିଲା । ସେ ବହୁକାଳ ଧରି ସେଠାରେ ଥିଲା । ସେହି କୂଅରେ ତାହାର ଜନ୍ମ ଏବଂ ସେଠାରେ ସେ ପ୍ରତିପାଳିତ । ତାହାର ଆକାର ଅତିଶୟ କ୍ଷୁଦ୍ର ଥିଲା । ଅବଶ୍ୟ ସେଠାରେ ବର୍ତ୍ତମାନ ଯୁଗରେ କୌଣସି କ୍ରମବିକାଶବାଦୀ ନ ଥିଲେ, ତେଣୁ କହିହେବ ନାହିଁ, ଅନ୍ଧାର କୂଅରେ ବାସ କରିବା ଦ୍ୱାରା ବେଙ୍ଗଟି ଦୃଷ୍ଟିଶକ୍ତି ହରାଇଥିଲା କି ନାହିଁ; କିନ୍ତୁ ଗଳ୍ପର ସୁବିଧା ପାଇଁ ବେଙ୍ଗକୁ ଚକ୍ଷୁଷ୍ମାନ୍ ବୋଲି ଆମେ ଧରିନେବା । ବେଙ୍ଗଟି ପ୍ରତିଦିନ ଏପରି ଉତ୍ସାହ ସହକାରେ କୂପମଧ୍ୟସ୍ଥ ଯାବତୀୟ କୀଟସମୂହକୁ ଗ୍ରାସ କରି ତାହାର ଜଳକୁ ଏତେ ପରିଷ୍କାର ରଖୁଥିଲା ଯେ, ଏହା ଆଧୁନିକ କୀଟାଣୁତତ୍ତ୍ୱବିଦ୍ମାନଙ୍କର ମଧ୍ୟ ଶ୍ଳାଘାର ବିଷୟ । ଏହି ଭାବରେ ତା’ର ଦେହ କ୍ରମେ କ୍ରମେ ଟିକିଏ ସ୍ଥୂଳ ଓ ମସୃଣ ହେବାକୁ ଲାଗିଲା ।
ଏକଦା ଘଟଣାକ୍ରମେ ସମୁଦ୍ରରୁ ଗୋଟିଏ ବେଙ୍ଗ ଆସି ସେହି କୂଅରେ ପଡ଼ିଲା । କୂପମଣ୍ଡୁକ ପଚାରିଲା,
‘ତୁମେ କେଉଁଠାରୁ ଆସିଲ ?’
ସେ ଉତ୍ତର ଦେଲା, ‘ମୁଁ ସମୁଦ୍ରରୁ ଆସିଲି ।’
‘ସମୁଦ୍ର ? ତାହା କେତେ ବଡ଼ ? ତାହା କ’ଣ ମୋ କୂଅ ପରି ଏତେ ବଡ଼ !’ ଏହା କହି କୂପମଣ୍ଡୁକ କୂଅର ଏକ ପ୍ରାନ୍ତରୁ ଅନ୍ୟ ପ୍ରାନ୍ତକୁ ଲମ୍ଫ ଦେଲା ।
ଉତ୍ତରରେ ସାଗରବାସୀ ଭେକ କହିଲା, ‘ଆହେ ଭାଇ! ତୁମେ ଏହି କ୍ଷୁଦ୍ର କୂଅ ସହିତ ସାଗରକୁ କିପରି ତୁଳନା କରୁଛ ?’
ଏହା ଶୁଣି କୂପମଣ୍ଡୁକ ଆଉ ଥରେ ଲମ୍ଫ ଦେଇ ପଚାରିଲା, ‘ତୁମର ସମୁଦ୍ର କ’ଣ ଏତେ ବଡ଼ ?’
‘ସମୁଦ୍ର ସହିତ କୂଅର ତୁଳନା କରି ତୁମେ କ’ଣ ମୂର୍ଖପରି ପ୍ରଳାପ କରୁଛ ?’
ଉତ୍ତରରେ କୂପମଣ୍ଡୁକ କହିଲା, ‘ମୋ କୂଅଠାରୁ ଆଉ କିଛି ବଡ଼ ହୋଇପାରେ ନାହିଁ, ପୃଥିବୀରେ ଏହାଠାରୁ କିଛି ବଡ଼ ରହି ନ ପାରେ । ଏ ନିଶ୍ଚୟ ମିଥ୍ୟାବାଦୀ, ଅତଏବ ଏହାକୁ ବାହାର କରିଦିଅ ।’
ହେ ଭ୍ରାତୃବୃନ୍ଦ ! ଏହିପରି ସଂକୀର୍ଣ୍ଣଭାବ ହିଁ ଆମମାନଙ୍କର ମତଭେଦର କାରଣ । ମୁଁ ଜଣେ ହିନ୍ଦୁ । ମୁଁ ମୋର ନିଜର କ୍ଷୁଦ୍ର କୂପରେ ବସି ରହିଛି ଏବଂ ସେହିଟିକୁ ସମଗ୍ର ଜଗତ ବୋଲି ମନେ କରୁଛି ! ମୁସଲମାନ୍ମାନେ ମଧ୍ୟ ତାଙ୍କର କ୍ଷୁଦ୍ର କୂପରେ ବସି ଅଛନ୍ତି ଏବଂ ତାହାକୁ ହିଁ ସମଗ୍ର ଜଗତ ବୋଲି ଭାବୁଛନ୍ତି ! ହେ ଆମେରିକାବାସୀଗଣ, ଆପଣମାନେ ଯେ ଆମମାନଙ୍କର ଏହିସବୁ କ୍ଷୁଦ୍ର ଜଗତଗୁଡ଼ିକର ଅବରୋଧ ଭାଙ୍ଗିବା ପାଇଁ ବିଶେଷ ଯତ୍ନଶୀଳ ହୋଇଛନ୍ତି, ସେଥିପାଇଁ ମୁଁ ଆପଣମାନଙ୍କୁ ଧନ୍ୟବାଦ ଦେଉଛି । ମୁଁ ଆଶା କରୁଛି, ଭବିଷ୍ୟତରେ ଈଶ୍ୱର ଆପଣମାନଙ୍କୁ ଏହି ମହତ୍ ଉଦ୍ଦେଶ୍ୟ ସମ୍ପାଦନରେ ସାହାଯ୍ୟ କରିବେ ।
***
[ ୧୯ ସେପ୍ଟେମ୍ବର ୧୮୯୩, ନବମ ଦିବସର ଅଧିବେଶନରେ ସ୍ୱାମୀଜୀ ଏହି ପ୍ରବନ୍ଧଟି ପାଠ କରିଥିଲେ । ]
ହିନ୍ଦୁ, ଜରଥୁଷ୍ଟ୍ରୀୟ ଓ ଇହୁଦୀ-କେବଳ ଏହି ତିନୋଟି ଧର୍ମ ପ୍ରାଗୈତିହାସିକ ଯୁଗରୁ ବର୍ତ୍ତମାନ କାଳ ପର୍ଯ୍ୟନ୍ତ ଏହି ପୃଥିବୀରେ ପ୍ରଚଳିତ ଅଛି । ଏହି ଧର୍ମଗୁଡ଼ିକ ମଧ୍ୟରୁ ପ୍ରତ୍ୟେକଟି ହିଁ ପ୍ରଚଣ୍ଡ ଆଘାତ ସହ୍ୟ କରିଛି, ତଥାପି ଲୁପ୍ତ ନ ହୋଇ ଏଗୁଡ଼ିକ ଯେ ଏପର୍ଯ୍ୟନ୍ତ ଜୀବିତ ଅଛି, ତହିଁରୁ ପ୍ରମାଣିତ ହୁଏ ଯେ, ଏମାନଙ୍କ ମଧ୍ୟରେ ମହତୀ ଶକ୍ତି ନିହିତ ଅଛି । କିନ୍ତୁ ଏକ ଦିଗରେ ଯେପରି ଈହୁଦୀଧର୍ମ ତତ୍ପ୍ରସୂତ ଖ୍ରୀଷ୍ଟଧର୍ମକୁ ଆତ୍ମସାତ୍ କରିବା ତ ଦୂରର କଥା, ନିଜେ ସେହି ସର୍ବଜୟୀ ଧର୍ମଦ୍ୱାରା ସ୍ୱୀୟ ଜନ୍ମଭୂମିରୁ ବିତାଡ଼ିତ ହେଲା ଏବଂ ଅତି ଅଳ୍ପସଂଖ୍ୟକ ମାତ୍ର ପାରସୀ ମହାନ୍ ଜରଥୁଷ୍ଟ୍ରୀୟ ଧର୍ମର ସାକ୍ଷୀସ୍ୱରୂପ ହୋଇ ରହିଛନ୍ତି; ଅନ୍ୟଦିଗରେ ଭାରତବର୍ଷରେ ମଧ୍ୟ ସମ୍ପ୍ରଦାୟ ପରେ ସମ୍ପ୍ରଦାୟ ଉତ୍ଥିତ ହେଲା, ମନେହେଲା ଯେପରି ବେଦୋକ୍ତ ଧର୍ମର ଭିତ୍ତି ପର୍ଯ୍ୟନ୍ତ ଦୋହଲିଗଲା; କିନ୍ତୁ ପ୍ରଚଣ୍ଡ ଭୂମିକମ୍ପ ସମୟରେ ସାଗରସଲିଳ ଯେପରି କିଛି ବାଟ ପଶ୍ଚାତ୍ପଦ ହୋଇ ସହସ୍ର ଗୁଣ ପ୍ରବଳ ବେଗରେ ସର୍ବଗ୍ରାସୀ ବନ୍ୟାରୂପରେ ଫେରିଆସେ, ସେହିପରି ଏମାନଙ୍କର ଜନନୀସ୍ୱରୂପା ବେଦୋକ୍ତ ଧର୍ମ ମଧ୍ୟ ପ୍ରଥମେ କିଞ୍ଚିତ୍ ପଶ୍ଚାତ୍ପଦ ହୋଇ ଆଲୋଡ଼ନର ଅଗ୍ରଗତି ଶେଷ ହେଲେ ଏହି ସମ୍ପ୍ରଦାୟଗୁଡ଼ିକୁ ସର୍ବତୋଭାବରେ ଆତ୍ମସାତ୍ କରି ନିଜର ବିରାଟ ଦେହ ପୁଷ୍ଟ କରିଛି ।
ବିଜ୍ଞାନର ଅତି ଆଧୁନିକ ଆବିଷ୍କାରସମୂହ ବେଦାନ୍ତର ଯେଉଁ ଉଚ୍ଚ ଆଧ୍ୟାତ୍ମିକ ଭାବର ପ୍ରତିଧ୍ୱନି ମାତ୍ର, ସେହି ସର୍ବୋତ୍କୃଷ୍ଟ ବେଦାନ୍ତଜ୍ଞାନଠାରୁ ନିମ୍ନସ୍ତରର ମୂର୍ତ୍ତିପୂଜା ଓ ଆନୁଷଙ୍ଗିକ ନାନାବିଧ ପୌରାଣିକ ଗଳ୍ପ ପର୍ଯ୍ୟନ୍ତ, ଏପରିକି ବୌଦ୍ଧମାନଙ୍କର ଅଜ୍ଞେୟବାଦ, ଜୈନମାନଙ୍କର ନିରୀଶ୍ୱରବାଦ ଏଗୁଡ଼ିକ ପ୍ରତ୍ୟେକଟିର ହିନ୍ଦୁଧର୍ମରେ ସ୍ଥାନ ଅଛି ।
ବର୍ତ୍ତମାନ ପ୍ରଶ୍ନ ହୋଇପାରେ, ଏହି ସକଳ ଆପାତପ୍ରତୀୟମାନ ବିରୋଧୀ ଭାବଗୁଡ଼ିକ କେଉଁ ସାଧାରଣ କେନ୍ଦ୍ରରେ ସଂହତ ହୋଇଛି ? କେଉଁ ସାଧାରଣ ଭିତ୍ତିକୁ ଆଶ୍ରୟ କରି ଏହି ଆପାତ-ବିରୋଧୀ ଭାବଗୁଡ଼ିକ ଅବସ୍ଥାନ କରୁଅଛି ? ମୁଁ ବର୍ତ୍ତମାନ ଏହି ପ୍ରଶ୍ନର ମୀମାଂସା କରିବାକୁ ଯଥାସାଧ୍ୟ ଚେଷ୍ଟା କରିବି ।
ଆପ୍ତବାକ୍ୟ ବେଦରୁ ହିନ୍ଦୁମାନେ ସନାତନ ଧର୍ମ ଲାଭ କରିଛନ୍ତି । ସେମାନେ ବେଦସମୂହକୁ ଅନାଦି ଓ ଅନନ୍ତ ବୋଲି ବିଶ୍ୱାସ କରନ୍ତି । ଗୋଟିଏ ପୁସ୍ତକକୁ ଅନାଦି ଓ ଅନନ୍ତ କହିଲେ ଏହି ଶ୍ରୋତୃମଣ୍ଡଳୀଙ୍କ ପାଖରେ ତାହା ହାସ୍ୟକର ବୋଲି ମନେ ହୋଇପାରେ ସତ, କିନ୍ତୁ ‘ବେଦ’ ଶବ୍ଦଦ୍ୱାରା କୌଣସି ପୁସ୍ତକବିଶେଷକୁ ବୁଝାଯାଏ ନାହିଁ । ଭିନ୍ନ ଭିନ୍ନ ବ୍ୟକ୍ତି ବିଭିନ୍ନ ସମୟରେ ଯେଉଁ ଆଧ୍ୟାତ୍ମିକ ସତ୍ୟସମୂହ ଆବିଷ୍କାର କରିଯାଇଛନ୍ତି, ବେଦ ସେହିସବୁର ସଞ୍ଚିତ ଭଣ୍ଡାରସ୍ୱରୂପ । ଆବିଷ୍କୃତ ହେବା ପୂର୍ବରୁ ମଧ୍ୟ ମାଧ୍ୟାକର୍ଷଣର ନିୟମାବଳୀ ଯେପରି ସର୍ବତ୍ର ବିଦ୍ୟମାନ ଥିଲା ଏବଂ ସମୁଦାୟ ମନୁଷ୍ୟସମାଜ ଭୁଲିଗଲେ ମଧ୍ୟ ଯେପରି ସେଗୁଡ଼ିକ ବିଦ୍ୟମାନ ରହିବ, ଆଧ୍ୟାତ୍ମିକ ଜଗତର ନିୟମାବଳୀ ମଧ୍ୟ ତଦ୍ରୂପ । ଆତ୍ମା ସହିତ ଆତ୍ମାର ଯେଉଁ ନୈତିକ ଓ ଆଧ୍ୟାତ୍ମିକ ସମ୍ବନ୍ଧ, ପ୍ରତ୍ୟେକ ଜୀବାତ୍ମା ସହିତ ସମସ୍ତଙ୍କର ପିତାସ୍ୱରୂପ ପରମାତ୍ମାଙ୍କର ଯେଉଁ ଦିବ୍ୟ ସମ୍ବନ୍ଧ, ଆବିଷ୍କୃତ ହେବାପୂର୍ବରୁ ମଧ୍ୟ ସେସବୁ ଥିଲା ଏବଂ ସମସ୍ତେ ବିସ୍ମୃତ ହୋଇଗଲେ ମଧ୍ୟ ଏଗୁଡ଼ିକ ରହିବ ।
ଏହି ଆଧ୍ୟାତ୍ମିକ ସତ୍ୟଗୁଡ଼ିକର ଆବିଷ୍କାରକମାନଙ୍କର ନାମ ‘ଋଷି’ । ଆମେ ସେମାନଙ୍କୁ ସିଦ୍ଧ ବା ପୂର୍ଣ୍ଣ ବୋଲି ଭକ୍ତି ଓ ମାନ୍ୟ କରୁ । ମୁଁ ଏହି ଶ୍ରୋତୃମଣ୍ଡଳୀଙ୍କୁ ଅତି ଆନନ୍ଦର ସହିତ କହୁଛି ଯେ, ଅତିଶୟ ଉନ୍ନତ ଋଷିମାନଙ୍କ ମଧ୍ୟରେ କେତେ ଜଣ ନାରୀ ମଧ୍ୟ ଥିଲେ ।
ଏ ସ୍ଥଳରେ ଏପରି କୁହାଯାଇପାରେ ଯେ, ଉକ୍ତ ଆଧ୍ୟାତ୍ମିକ ନିୟମଗୁଡ଼ିକ ନିୟମ ହିସାବରେ ଅନନ୍ତ ହୋଇପାରେ, କିନ୍ତୁ ନିଶ୍ଚୟ ସେମାନଙ୍କର ଆଦି ଅଛି । ବେଦ କହେ-ସୃଷ୍ଟି ଅନାଦି ଓ ଅନନ୍ତ । ବିଜ୍ଞାନ ମଧ୍ୟ ପ୍ରମାଣ କରିଛି ଯେ, ବିଶ୍ୱଶକ୍ତିର ସମଷ୍ଟି ସର୍ବଦା ସମପରିମାଣ । ଆଚ୍ଛା, ଯଦି ଏପରି ଏକ ସମୟ ଆମେ କଳ୍ପନା କରୁ, ଯେତେବେଳେ କିଛି ବି ନ ଥିଲା, ତେବେ ଏହିସକଳ ବ୍ୟକ୍ତ ଶକ୍ତି ସେତେବେଳେ କେଉଁଠି ଥିଲା ? କେହି ହୁଏତ କହିବେ ଯେ, ଏଗୁଡ଼ିକ ଅବ୍ୟକ୍ତ ଅବସ୍ଥାରେ ଈଶ୍ୱରଙ୍କଠାରେ ହିଁ ଥିଲା । ତାହାହେଲେ ଈଶ୍ୱର କେବେ ସୁପ୍ତ ବା ନିଷ୍କ୍ରିୟ, କେବେ ପୁଣି ସକ୍ରିୟ ବା ଗତିଶୀଳ; ଅର୍ଥାତ୍ ସେ ବିକାରଶୀଳ । ବିକାରଶୀଳ ପଦାର୍ଥ ମାତ୍ରେ ହିଁ ମିଶ୍ରପଦାର୍ଥ ଏବଂ ମିଶ୍ରପଦାର୍ଥ ମାତ୍ରେ ହିଁ ଧ୍ୱଂସ ନାମକ ପରିବର୍ତ୍ତନର ଅଧୀନ । ତାହାହେଲେ ଈଶ୍ୱରଙ୍କର ମଧ୍ୟ ମୃତ୍ୟୁ ହେବ; କିନ୍ତୁ ଏହା ଅସମ୍ଭବ । ସୁତରାଂ ଏପରି ସମୟ କେବେହେଲେ ନ ଥିଲା, ଯେତେବେଳେ ସୃଷ୍ଟି ନ ଥିଲା; ତେଣୁ ସୃଷ୍ଟି ଅନାଦି ।
ଯଦି କୌଣସି ଉପମାଦ୍ୱାରା ବୁଝାଇବାକୁ ହୁଏ; ତାହାହେଲେ ସୃଷ୍ଟି ଓ ସ୍ରଷ୍ଟା ଦୁଇଟି ଅନାଦି ଓ ଅନନ୍ତ ସମାନ୍ତରାଳ ରେଖା । ଈଶ୍ୱର ଶକ୍ତିସ୍ୱରୂପ-ନିତ୍ୟ ସକ୍ରିୟ ବିଧାତା; ତାଙ୍କର ହିଁ ନିର୍ଦ୍ଦେଶରେ ବିଶୃଙ୍ଖଳ ପ୍ରଳୟ ଅବସ୍ଥାରୁ ଗୋଟିଏ ପରେ ଗୋଟିଏ ଶୃଙ୍ଖଳାପୂର୍ଣ୍ଣ ଜଗତର ସୃଷ୍ଟି ହେଉଛି, କିଛି କାଳ ଚାଳିତ ହେଉଛି, ପୁନରାୟ ଧ୍ୱଂସ ପାଇଯାଉଛି । ହିନ୍ଦୁ ବାଳକ ଗୁରୁଙ୍କ ସହିତ ପ୍ରତ୍ୟେକ ଦିନ ଆବୃତ୍ତି କରିଥାଏ: ‘ସୂର୍ଯ୍ୟଚନ୍ଦ୍ରମସୌ ଧାତା ୟଥା ପୂର୍ବମକଲ୍ପୟତ୍’-ଅର୍ଥାତ୍ ବିଧାତା ପୂର୍ବ ପୂର୍ବ କଳ୍ପର ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ପରି ଏହି ସୂର୍ଯ୍ୟ ଓ ଚନ୍ଦ୍ରଙ୍କୁ ମଧ୍ୟ ସୃଷ୍ଟି କରିଛନ୍ତି । ଏହା ଆଧୁନିକ ବିଜ୍ଞାନସମ୍ମତ ।
ମୁଁ ଏଠାରେ ଠିଆ ହୋଇଛି । ଯଦି ଚକ୍ଷୁ ମୁଦ୍ରିତ କରି ମୋର ସତ୍ତାସମ୍ବନ୍ଧରେ ଚିନ୍ତା କରିବାର ଚେଷ୍ଟା କରେ-‘ମୁଁ’ ‘ମୁଁ’ ‘ମୁଁ’, ତାହାହେଲେ ମୋ ମନରେ କେଉଁ ଭାବ ଉଦିତ ହେବ ? ଏହି ଦେହଟି ମୁଁ-ଏହି ଭାବ ହିଁ ମନରେ ଆସେ; ତେବେ କ’ଣ ମୁଁ ଜଡ଼ର ସମଷ୍ଟି ଛଡ଼ା ଆଉ କିଛି ନୁହେଁ ? ବେଦ କହୁଛନ୍ତି : ନା, ମୁଁ ଦେହ ମଧ୍ୟସ୍ଥ ଆତ୍ମା-ମୁଁ ଦେହ ନୁହେଁ । ଦେହ ମରିବ; କିନ୍ତୁ ମୁଁ ମରିବି ନାହିଁ । ମୁଁ ଏହି ଦେହ ମଧ୍ୟରେ ଅଛି; କିନ୍ତୁ ଯେତେବେଳେ ଏହି ଦେହ ମରିଯିବ, ସେତେବେଳେ ମଧ୍ୟ ମୁଁ ବଞ୍ଚି ରହିବି ଏବଂ ତା’ପୂର୍ବରୁ ମଧ୍ୟ ମୁଁ ଥିଲି । ଆତ୍ମା ଶୂନ୍ୟରୁ ସୃଷ୍ଟ ନୁହେଁ, କାରଣ ‘ସୃଷ୍ଟି’ ଶବ୍ଦର ଅର୍ଥ ବିଭିନ୍ନ ଦ୍ରବ୍ୟର ସଂଯୋଗ; ଭବିଷ୍ୟତରେ ନିଶ୍ଚୟ ଏଗୁଡ଼ିକ ବିଚ୍ଛିନ୍ନ ହେବ । ଅତଏବ ଆତ୍ମା ଯଦି ସୃଷ୍ଟ ପଦାର୍ଥ ହୁଅନ୍ତି, ତା’ହେଲେ ନିଶ୍ଚୟ ଏହା ମରଣଶୀଳ ହେବ; ସୁତରାଂ ଆତ୍ମା ସୃଷ୍ଟ ପଦାର୍ଥ ନୁହଁନ୍ତି ।
କେହି ଜନ୍ମକାଳରୁ ସୁଖଭୋଗ କରୁଛନ୍ତି-ଶରୀର ସୁସ୍ଥ ଓ ସୁନ୍ଦର, ମନ ଉତ୍ସାହପୂର୍ଣ୍ଣ, କୌଣସି ଜିନିଷର ଅଭାବ ନାହିଁ; ପୁଣି କେହି ଜାତ ହେବା ଦିନୁ ଦୁଃଖ ଭୋଗ କରୁଛନ୍ତି, କାହାର ହାତଗୋଡ଼ ନାହିଁ, କେହି ବା ଜଡ଼ବୁଦ୍ଧି ଏବଂ ଅତିକଷ୍ଟରେ ଜୀବନଯାପନ କରୁଛନ୍ତି । ସମସ୍ତେ ଯଦି ଏକ ନ୍ୟାୟପରାୟଣ ଓ କରୁଣାମୟ ଈଶ୍ୱରଙ୍କ ଦ୍ୱରା ସୃଷ୍ଟ, ତେବେ କେହି ସୁଖୀ ଏବଂ କେହି ଦୁଃଖୀ ହେଲେ କାହିଁକି ? ଭଗବାନ କାହିଁକି ଏତେ ପକ୍ଷପାତୀ ? ଯଦି କୁହ ଯେ, ଯେଉଁମାନେ ଏଜନ୍ମରେ ଦୁଃଖ ଭୋଗ କରୁଛନ୍ତି, ପରଜନ୍ମରେ ସେମାନେ ସୁଖୀ ହେବେ, ତାହାହେଲେ ଅବସ୍ଥାର କିଛି ହେଲେ ଉନ୍ନତି ହେଲା ନାହିଁ । ଦୟାମୟ ଓ ନ୍ୟାୟପରାୟଣ ଈଶ୍ୱରଙ୍କ ରାଜ୍ୟରେ ଜଣେ ହେଲେ କାହିଁକି ଦୁଃଖ ଭୋଗ କରିବ ? ଦ୍ୱିତୀୟତଃ ସୃଷ୍ଟିକର୍ତ୍ତା ଇଶ୍ୱରଙ୍କୁ ଏହି ଭାବରେ ଦେଖିଲେ ଏହି ଦୃଷ୍ଟିଭଙ୍ଗି ମଧ୍ୟରେ ସୃଷ୍ଟିର ଅନ୍ତର୍ଗତ ଅସଙ୍ଗତିର କୌଣସି କାରଣ ପ୍ରଦର୍ଶନ କରିବାର ଚେଷ୍ଟା ଲକ୍ଷିତ ହୁଏ ନାହିଁ; ପରନ୍ତୁ ଏକ ସର୍ବଶକ୍ତିମାନ୍ ସ୍ୱେଚ୍ଛାଚାରୀ ପୁରୁଷଙ୍କର ନିଷ୍ଠୁର ଆଦେଶକୁ ହିଁ ସ୍ୱୀକାର କରାଗଲା । ସ୍ପଷ୍ଟତଃ ଏହା ଅବୈଜ୍ଞାନିକ; ଅତଏବ ସ୍ୱୀକାର କରିବାକୁ ହିଁ ହେବ, ସୁଖୀ ବା ଦୁଃଖୀ ହୋଇ ଜନ୍ମିବାର ପୂର୍ବେ ନିଶ୍ଚୟ ବହୁ ପ୍ରକାର କାରଣ ଅଛି, ଯାହା ଫଳରେ ଜନ୍ମ ପରେ ମଣିଷ ସୁଖୀ ବା ଦୁଃଖୀ ହୁଏ ଓ ତାହାର ନିଜ ପୂର୍ବଜନ୍ମର କର୍ମସମୂହ ହିଁ ସେହି ସବୁର କାରଣ ।
ଦେହମନର ପ୍ରବଣତା ମାତାପିତାଙ୍କର ଦେହମନର ପ୍ରବଣତାରୁ ଉତ୍ତରାଧିକାର ସୂତ୍ରରେ ଲବ୍ଧ ହୁଏ ନାହିଁ କି ? ଦେଖାଯାଉଛି ଯେ, ଦୁଇଟି ସତ୍ତା ସମାନ୍ତରାଳ ଭାବରେ ବର୍ତ୍ତମାନ : ଗୋଟିଏ ମନ, ଅପରଟି ସ୍ଥୂଳ ପଦାର୍ଥ । ଯଦି ଜଡ଼ ଓ ଜଡ଼ର ବିକାର ଦ୍ୱାରା ହିଁ ଆମର ଅନ୍ତର୍ନିହିତ ଭାବଗୁଡ଼ିକୁ ଯଥାର୍ଥଭାବେ ବ୍ୟାଖ୍ୟା କରାଯାଏ, ତେବେ ଆଉ ଆତ୍ମାର ଅସ୍ତିତ୍ୱ ସ୍ୱୀକାର କରିବାର କୌଣସି ଆବଶ୍ୟକତା ନାହିଁ । କିନ୍ତୁ ଜଡ଼ ଯେ ଚିନ୍ତାରୁ ଉଦ୍ଭବ ହୋଇଛି ଏହା ପ୍ରମାଣ କରିହେବ ନାହିଁ ଏବଂ ଯଦି ଦାର୍ଶନିକ ଦୃଷ୍ଟିକୋଣରୁ ଏକତ୍ୱବାଦ ଅପରିହାର୍ଯ୍ୟ ହୁଏ, ତେବେ ଆଧ୍ୟାତ୍ମିକ ଏକତ୍ୱବାଦ ନିଶ୍ଚୟ ହିଁ ଯୁକ୍ତିସଙ୍ଗତ ଏବଂ ଜଡ଼ବାଦୀ ଏକତ୍ୱବାଦ ଅପେକ୍ଷା ଏହା କମ୍ ବାଞ୍ଛନୀୟ ନୁହେଁ; କିନ୍ତୁ ବର୍ତ୍ତମାନ ପ୍ରସଙ୍ଗରେ ଏ ଦୁଇଟି ମଧ୍ୟରୁ ଆମର କୌଣସିଟିର ପ୍ରୟୋଜନ ନାହିଁ ।
ଆମେ ଅସ୍ୱୀକାର କରିପାରିବା ନାହିଁ ଯେ, ଶରୀରମାତ୍ରେ ଉତ୍ତରାଧିକାର ସୂତ୍ରରେ କେତେଗୁଡ଼ିଏ ପ୍ରବଣତା ଲାଭ କରେ; କିନ୍ତୁ ସେଗୁଡ଼ିକ ସମ୍ପୂର୍ଣ୍ଣ ଦୈହିକ । ଏହି ଦୈହିକ ପ୍ରବଣତାର ମାଧ୍ୟମରେ ହିଁ ମନରେ ବିଶେଷ ପ୍ରବଣତା ବ୍ୟକ୍ତ ହୁଏ । ମନର ଏପରି ବିଶେଷ ପ୍ରବଣତାର କାରଣ ପୂର୍ବାନୁଷ୍ଠିତ କର୍ମ । ବିଶେଷ କୌଣସି ପ୍ରବଣତାସମ୍ପନ୍ନ ଜୀବ ସଦୃଶ ବସ୍ତୁର ପ୍ରତି ଆକର୍ଷଣ ନିୟମାନୁସାରେ ଏପରି ଗୋଟିଏ ଶରୀରରେ ଜନ୍ମଗ୍ରହଣ କରିବ, ଯାହା ଏହି ପ୍ରବଣତା ବିକଶିତ କରିବାର ସର୍ବଶ୍ରେଷ୍ଠ ସହାୟକ ହେବ । ଏହା ସମ୍ପୂର୍ଣ୍ଣଭାବେ ବିଜ୍ଞାନ ସମ୍ମତ; କାରଣ ବିଜ୍ଞାନ ଅଭ୍ୟାସ ଦ୍ୱାରା ସବୁକିଛି ବ୍ୟାଖ୍ୟା କରିବାକୁ ଚାହେଁ, ଅଭ୍ୟାସ ପୁଣି ପୁନଃ ପୁନଃ ଅନୁଷ୍ଠାନର ଫଳ । ସୁତରାଂ ଅନୁମାନ କରିବାକୁ ହେବ, ନବଜାତ ପ୍ରାଣୀର ସ୍ୱଭାବ ମଧ୍ୟ ତାହାର ପୁନଃ ପୁନଃ ଅନୁଷ୍ଠିତ କର୍ମର ଫଳ; ଯେହେତୁ ତାଙ୍କ ପକ୍ଷରେ ବର୍ତ୍ତମାନ ଜୀବନରେ ଏଗୁଡ଼ିକ ଲାଭ କରିବା ଅସମ୍ଭବ, ତେଣୁ ଅବଶ୍ୟ ହିଁ ପୂର୍ବ ଜୀବନରୁ ସେଗୁଡ଼ିକ ଆସିଛି ।
ଆଉ ଗୋଟିଏ ପ୍ରଶ୍ନର ଇଙ୍ଗିତ ଏଠାରେ ରହିଛି । ସ୍ୱୀକାର କରାଗଲା ପୂର୍ବଜନ୍ମ ଅଛି, କିନ୍ତୁ ପୂର୍ବ ଜୀବନ ବିଷୟ ଆମମାନଙ୍କର ମନେ ରହେ ନାହିଁ କାହିଁକି ? ଏହା ସହଜରେ କୁହାଯାଇପାରେ । ମୁଁ ବର୍ତ୍ତମାନ ଇଂରାଜୀରେ କଥା କହୁଛି; ଏହା ମୋ ମାତୃଭାଷା ନୁହେଁ । ବାସ୍ତବିକ ବର୍ତ୍ତମାନ ମୋ ଚେତନ ମନରେ ମାତୃଭାଷାର ଗୋଟିଏ ଅକ୍ଷର ବି ନାହିଁ; କିନ୍ତୁ ଯଦି ମୁଁ ମନେ କରିବାକୁ ଚେଷ୍ଟା କରେ, ତାହାହେଲେ ତାହା ଏହିକ୍ଷଣି ପ୍ରବଳ ବେଗରେ ମନେ ପଡ଼ିବ । ଏହି ଘଟଣାରୁ ବୁଝାଯାଉଛି ଯେ ମନ-ସମୁଦ୍ରର ଉପରିଭାଗରେ ହିଁ ଚେତନାଭାବ ଅନୁଭୂତ ହୁଏ ଏବଂ ଆମର ପୂର୍ବାର୍ଜିତ ଅଭିଜ୍ଞତା ସେହି ସମୁଦ୍ରର ଗଭୀର ଦେଶରେ ସଞ୍ଚିତ ଥାଏ । ଚେଷ୍ଟା ଓ ସାଧନା କର, ସେଗୁଡ଼ିକ ସବୁ ଉପରକୁ ଉଠି ଆସିବ, ଏପରିକି କି ପୂର୍ବଜନ୍ମ ସମ୍ବନ୍ଧରେ ମଧ୍ୟ ତୁମେ ଜାଣିପାରିବ ।
ପୂର୍ବଜନ୍ମ ସମ୍ବନ୍ଧରେ ଏହା ହିଁ ସାକ୍ଷାତ୍ ଓ ପରୀକ୍ଷାମୂଳକ ପ୍ରମାଣ । କାର୍ଯ୍ୟକ୍ଷେତ୍ରରେ ସତ୍ୟତା ନିର୍ଣ୍ଣୀତ ହେଲେ ଯେକୌଣସି ମତବାଦ ସମ୍ପୂର୍ଣ୍ଣ ଭାବରେ ପ୍ରମାଣିତ ହୁଏ । ଏହା ଋଷିଗଣ ସମଗ୍ର ଜଗତ ସମ୍ମୁଖରେ ସଦର୍ପ ଘୋଷଣା କରୁଛନ୍ତି ଯେ, ସ୍ମୃତିସାଗରର ଗଭୀରତମ ପ୍ରଦେଶ କିପରି ଆଲୋଡ଼ିତ କରିବାକୁ ହୁଏ, ସେହି ରହସ୍ୟ ଆମେ ଆବିଷ୍କାର କରିଅଛୁ । ସାଧନା କର, ତୁମେ ମଧ୍ୟ ପୂର୍ବଜନ୍ମର ସବୁକଥା ମନେ ପକାଇପାରିବ ।
ଅତଏବ ଦେଖାଗଲା, ହିନ୍ଦୁ ନିଜକୁ ଆତ୍ମା ବୋଲି ବିଶ୍ୱାସ କରେ । ‘‘ସେହି ଆତ୍ମାକୁ ତରବାରି ଛେଦନ କରିପାରେ ନାହିଁ, ଅଗ୍ନି ଦଗ୍ଧ କରିପାରେ ନାହିଁ, ଜଳ ଆର୍ଦ୍ର କରିପାରେ ନାହିଁ ଏବଂ ବାୟୁ ଶୁଷ୍କ କରିପାରେ ନାହିଁ ।’’ ହିନ୍ଦୁ ବିଶ୍ୱାସ କରେ ଯେ ସେହି ଆତ୍ମା ଏପରି ଗୋଟିଏ ବୃତ୍ତ, ଯାହାର ପରିଧି କେଉଁଠାରେ ହେଲେ ନାହିଁ; କିନ୍ତୁ ତାହାର କେନ୍ଦ୍ର ଦେହ ମଧ୍ୟରେ ଅବସ୍ଥିତ ଏବଂ ସେହି କେନ୍ଦ୍ରର ଦେହଠାରୁ ଦେହାନ୍ତରକୁ ଗମନର ନାମ ହିଁ ମୃତ୍ୟୁ । ଆତ୍ମା ଜଡ଼ ନିୟମର ବଶୀଭୂତ ନୁହଁନ୍ତି, ଆତ୍ମା ନିତ୍ୟ-ଶୁଦ୍ଧ-ବୁଦ୍ଧ-ମୁକ୍ତ-ସ୍ୱଭାବ । କିନ୍ତୁ କୌଣସି କାରଣବଶତଃ ଜଡ଼ରେ ଆବଦ୍ଧ ହୋଇ ଅଛନ୍ତି ଓ ନିଜକୁ ଜଡ଼ ମନେ କରୁଛନ୍ତି ।
ପରବର୍ତ୍ତୀ ପ୍ରଶ୍ନ ହେଉଛି, କାହିଁକି ଏହି ଶୁଦ୍ଧ, ପୂର୍ଣ୍ଣ ଓ ମୁକ୍ତ ଆତ୍ମା ଜଡ଼ର ଦାସତ୍ୱବନ୍ଧନରେ ଆବଦ୍ଧ ? ପୂର୍ଣ୍ଣ ହେଲେ ବି କାହିଁକି ସେ ନିଜକୁ ଅପୂର୍ଣ୍ଣ ମନେ କରୁଛନ୍ତି ? ମୁଁ ଶୁଣିଛି ଯେ, କେହି କେହି ମନେ କରନ୍ତି-ହିନ୍ଦୁଗଣ ଏ ପ୍ରଶ୍ନର ଯଥାଯଥ ମୀମାଂସା କରିପାରିବେ ନାହିଁ ବୋଲି ଏହା ଏଡ଼ାଇ ଯିବାକୁ ଚେଷ୍ଟା କରନ୍ତି । କେଉଁ କେଉଁ ପଣ୍ଡିତ ଆତ୍ମା ଓ ଜୀବ-ଏହି ଦୁହିଁଙ୍କ ମଧ୍ୟରେ କେତେଗୁଡ଼ିଏ ପୂର୍ଣ୍ଣକଳ୍ପ ସତ୍ତାର ଅସ୍ତିତ୍ୱ କଳ୍ପନା କରି ଏ ପ୍ରଶ୍ନର ମୀମାଂସା କରିବାକୁ ଚାହାଁନ୍ତି ଏବଂ ଶୂନ୍ୟସ୍ଥାନ ପୂର୍ଣ୍ଣ କରିବାକୁ ବହୁବିଧ ସୁଦୀର୍ଘ ବୈଜ୍ଞାନିକ ସଂଜ୍ଞା ବ୍ୟବହାର କରନ୍ତି । କିନ୍ତୁ ସଂଜ୍ଞାଦ୍ୱାରା ବ୍ୟାଖ୍ୟା କରାହୁଏ ନାହିଁ । ପ୍ରଶ୍ନ ଯେପରି ଥିଲା ସେପରି ରହିଗଲା । ଯିଏ ପୂର୍ଣ୍ଣ, ସେ କିପରି ପୂର୍ଣ୍ଣକଳ୍ପ (Quashi-perfect) ହୋଇପାରିବ ? ଯିଏ ନିତ୍ୟ-ଶୁଦ୍ଧ-ବୁଦ୍ଧ-ମୁକ୍ତସ୍ୱଭାବ, କିପରି ତାଙ୍କର ସେହି ସ୍ୱଭାବର ଅଣୁମାତ୍ର ବ୍ୟତିକ୍ରମ ହୁଏ ? ହିନ୍ଦୁମାନେ ଏ ସମ୍ବନ୍ଧରେ ସରଳ ଓ ସତ୍ୟବାଦୀ; ସେମାନେ ମିଥ୍ୟା ଯୁକ୍ତିତର୍କର ଆଶ୍ରୟ ଗ୍ରହଣ କରିବାକୁ ଚାହାଁନ୍ତି ନାହିଁ । ସେମାନେ ସାହସର ସହିତ ଏହି ପ୍ରଶ୍ନର ସମ୍ମୁଖୀନ ହୁଅନ୍ତି ଏବଂ ଉତ୍ତରରେ କହନ୍ତି, ‘ଆମେ ଜାଣି ନାହୁଁ, କିପରି ପୂର୍ଣ୍ଣ ଆତ୍ମା ନିଜକୁ ଅପୂର୍ଣ୍ଣ ଏବଂ ଜଡ଼ ସହିତ ଯୁକ୍ତ ଓ ଜଡ଼ର ନିୟମାଧୀନ ବୋଲି ମନେ କରନ୍ତି; ଏହା କିନ୍ତୁ ଗୋଟିଏ ଅନୁଭୂତ ସତ୍ୟ; ପ୍ରତ୍ୟେକ ଲୋକ ହିଁ ନିଜକୁ ଦେହ ବୋଲି ମନେ କରନ୍ତି ।’ କାହିଁକି ଏପରି ହେଲା, କାହିଁକି ବା ଆତ୍ମା ଏହି ଦେହରେ ରହିଛନ୍ତି, ଏହି ତତ୍ତ୍ୱ ସେମାନେ ବ୍ୟାଖ୍ୟା କରିବାକୁ ଚେଷ୍ଟା କରନ୍ତି ନାହିଁ । ଏହା ଈଶ୍ୱରଙ୍କ ଇଚ୍ଛା-ଏହିପରି କହିଲେ କିଛି ହେଲେ ବ୍ୟାଖ୍ୟା ହେଲା ନାହିଁ । ହିନ୍ଦୁମାନେ ଯେ କହନ୍ତି, ‘ଆମେ ଜାଣି ନାହୁଁ’, ତାହା ଅପେକ୍ଷା ଏ ଉତ୍ତର କିଛି ଅଧିକ ନୁହେଁ ।
ବେଶ୍, ତାହାହେଲେ ବୁଝାଗଲା ଯେ, ମଣିଷର ଆତ୍ମା ଅନାଦି, ଅମର, ପୂର୍ଣ୍ଣ ଓ ଅନନ୍ତ ଏବଂ କେନ୍ଦ୍ର ପରିବର୍ତ୍ତନ ବା ଦେହରୁ ଦେହାନ୍ତରକୁ ଗମନର ନାମ ମୃତ୍ୟୁ । ଆମର ବର୍ତ୍ତମାନ ଅବସ୍ଥା ପୂର୍ବାନୁଷ୍ଠିତ କର୍ମଦ୍ୱାରା ଏବଂ ବର୍ତ୍ତମାନ କର୍ମଦ୍ୱାରା ଭବିଷ୍ୟତ ନିରୂପିତ ହୁଏ । ଆତ୍ମା ଜନ୍ମରୁ ଜନ୍ମାନ୍ତରକୁ ଗୋଟିଏ ମୃତ୍ୟୁରୁ ଆଉ ଗୋଟିଏ ମୃତ୍ୟୁ ଦିଗକୁ କେତେବେଳେ ବିକଶିତ ହୋଇ, କେତେବେଳେ ସଂକୁଚିତ ହୋଇ ଅଗ୍ରସର ହେଉଛି । କିନ୍ତୁ ଏଠାରେ ଆଉ ଗୋଟିଏ ପ୍ରଶ୍ନ ଉଠେ: ପ୍ରଚଣ୍ଡ ଝଡ଼ରେ କ୍ଷୁଦ୍ର ତରଣୀ ଯେପରି ଥରେ ଫେନିଳ ତରଙ୍ଗର ଶୀର୍ଷକୁ ଉଠୁଛି ଓ ପରକ୍ଷଣରେ ମୁଖବ୍ୟାଦାନକାରୀ ତରଙ୍ଗଗହ୍ୱରରେ ନିକ୍ଷିପ୍ତ ହେଉଛି, ସେହିପରି ଆତ୍ମା କଣ ସଦସତ୍ କର୍ମର ଏକାନ୍ତ ବଶବର୍ତ୍ତୀ ହୋଇ କ୍ରମାଗତ ଥରେ ଉଠୁଛି ଓ ଥରେ ପଡ଼ୁଛି ? ଆତ୍ମା କଅଣ ନିତ୍ୟ ପ୍ରବାହିତ ପ୍ରଚଣ୍ଡ ଗର୍ଜନଶୀଳ ଅଦମ୍ୟ କାର୍ଯ୍ୟ-କାରଣ-ସ୍ରୋତରେ ଦୁର୍ବଳ ଅସହାୟ ଅବସ୍ଥାରେ କ୍ରମାଗତ ଇତସ୍ତତଃ ବିତାଡ଼ିତ ହେଉଛି ? ଆଉ କ’ଣ ଗୋଟିଏ କ୍ଷୁଦ୍ର କୀଟ ପରି କାର୍ଯ୍ୟକାରଣ-ଚକ୍ରର ନିମ୍ନରେ ଅବସ୍ଥିତ ? ଆଉ ଏହି ଚକ୍ର, ସମ୍ମୁଖରେ ଯାହା ପାଉଛି, ତାହା ଚୂର୍ଣ୍ଣ କରି କ୍ରମାଗତ ବିଘୂର୍ଣ୍ଣିତ ହେଉଛି ? ବିଧବାର ଅଶ୍ରୁ ଦିଗକୁ ଚାହୁଁ ନାହିଁ, ପିତୃମାତୃହୀନ ବାଳକର କ୍ରନ୍ଦନ ମଧ୍ୟ ଶୁଣୁ ନାହିଁ ?
ଏହା ଭାବିଲେ ମନ ନିରୁତ୍ସାହିତ ହୋଇଯାଏ । କିନ୍ତୁ ଏହା ପ୍ରକୃତିର ନିୟମ; ତେବେ କ’ଣ କୌଣସି ଆଶା ନାହିଁ ? ପରିତ୍ରାଣର କଅଣ କୌଣସି ପଥ ନାହିଁ ? ମାନବର ହତାଶ ହୃଦୟର ଅନ୍ତଃସ୍ଥଳରୁ ଏହି କ୍ରନ୍ଦନ ଧ୍ୱନି ଉଠିବାକୁ ଲାଗିଲା । କରୁଣାମୟଙ୍କ ସିଂହାସନ ସମୀପରେ ଏହା ଉପନୀତ ହେଲା, ସେଠାରୁ ଆଶା ଓ ସାନ୍ତ୍ୱନାର ବାଣୀ ଆସି ଜଣେ ବୈଦିକ ଋଷିଙ୍କୁ ଉଦ୍ବୁଦ୍ଧ କଲା । ବିଶ୍ୱ ସମ୍ମୁଖରେ ଦଣ୍ଡାୟମାନ ହୋଇ ଉଚ୍ଚ ସ୍ୱରରେ ସେ ଏହି ଆନନ୍ଦ-ସମାଚାର ଜଗତକୁ ଘୋଷଣା କଲେ, ‘ଶୁଣ, ଶୁଣ ଅମୃତର ପୁତ୍ରଗଣ, ଶୁଣ ଦିବ୍ୟଲୋକର ଅଧିବାସୀଗଣ, ମୁଁ ସେହି ପୁରାତନ ମହାନ୍ ପୁରୁଷଙ୍କୁ ଜାଣିଛି । ଆଦିତ୍ୟଙ୍କ ପରି ତାଙ୍କର ବର୍ଣ୍ଣ, ସେ ସକଳ ଅଜ୍ଞାନ ଅନ୍ଧକାରର ଅତୀତ; କେବଳ ତାଙ୍କୁ ଜାଣିବା ଦ୍ୱାରା ମୃତ୍ୟୁକୁ ଅତିକ୍ରମ କରାଯାଏ । ଆଉ ଅନ୍ୟ ପଥ ନାହିଁ ।’
‘ଅମୃତର ପୁତ୍ର’ କି ମଧୁର ଓ ଆଶାର ନାମ ! ହେ ଭ୍ରାତୃଗଣ, ଏହି ମଧୁର ନାମରେ ମୁଁ ତୁମମାନଙ୍କୁ ସମ୍ବୋଧନ କରିବାକୁ ଚାହେଁ, ତୁମେମାନେ ଅମୃତର ଅଧିକାରୀ । ହିନ୍ଦୁମାନେ ତୁମକୁ ପାପୀ କହିବାକୁ ଚାହାଁନ୍ତି ନାହିଁ, ତୁମେମାନେ ଈଶ୍ୱରଙ୍କର ସନ୍ତାନ, ଅମୃତର ଅଧିକାରୀ ପବିତ୍ର ଓ ପୂର୍ଣ୍ଣ । ମର୍ତ୍ତ୍ୟଭୂମିର ଦେବତା ତୁମେମାନେ, ତୁମେ ପୁଣି ପାପୀ ? ମଣିଷକୁ ପାପୀ କହିବା ହିଁ ଏକ ମହାପାପ । ମାନବର ଯଥାର୍ଥ ସ୍ୱରୂପ ଉପରେ ଏହା ମିଥ୍ୟା କଳଙ୍କାରୋପ । ଉଠ, ଆସ, ସିଂହସ୍ୱରୂପ ହେବା ସତ୍ତ୍ୱେ ତୁମେମାନେ ନିଜକୁ ମେଷତୁଲ୍ୟ ମନେକରୁଛ । ଏହି ଭ୍ରମକୁ ଦୂର କରିଦିଅ । ତୁମେମାନେ ଅମର ଆତ୍ମା, ମୁକ୍ତ ଆତ୍ମା, ଚିର ଆନନ୍ଦମୟ । ତୁମେ ଜଡ଼ ନୁହଁ, ତୁମେ ଦେହ ନୁହଁ; ଜଡ଼ ତୁମର ଦାସ, ତୁମେ ଜଡ଼ର ଦାସ ନୁହଁ ।
ଏହି ଭାବରେ ବେଦ ଯେ କେବଳ କେତେଗୁଡ଼ିଏ କ୍ଷମାହୀନ ନିୟମାବଳୀର ଭୟାବହ ସମାବେଶକୁ ବା କାର୍ଯ୍ୟକାରଣର କାରାବନ୍ଧନକୁ ଘୋଷଣା କରିଛି ତାହା ନୁହେଁ, ବରଂ କହିଛି ଯେ, ଏହି ସକଳ ନିୟମର ଊର୍ଦ୍ଧ୍ୱରେ ପ୍ରତ୍ୟେକ ପରମାଣୁ ଓ ଶକ୍ତି ମଧ୍ୟରେ ଓତପ୍ରୋତ ରହିଛନ୍ତି ଏକ ବିରାଟ ପୁରୁଷ, ‘ଯାହାଙ୍କର ଆଦେଶରେ ବାୟୁ ପ୍ରବାହିତ ହେଉଛି, ଅଗ୍ନି ପ୍ରଜ୍ୱଳିତ ହେଉଛି, ମେଘ ବାରି ବର୍ଷଣ କରୁଛି, ଏବଂ ମୃତ୍ୟୁ ଜଗତରେ ପରିଭ୍ରମଣ କରୁଛି ।’
ତାଙ୍କର ସ୍ୱରୂପ କ’ଣ ? ସେ ସର୍ବବ୍ୟାପୀ, ଶୁଦ୍ଧ, ନିରାକାର, ସର୍ବଶକ୍ତିମାନ୍; ସମସ୍ତଙ୍କ ଉପରେ ତାଙ୍କର କରୁଣା ବର୍ଷିତ ହେଉଛି । ‘ତୁମେ ଆମର ପିତା, ତୁମେ ଆମର ମାତା, ତୁମେ ଆମର ପରମ ପ୍ରେମାସ୍ପଦ ସଖା ଓ ବନ୍ଧୁ । ତୁମେ ସମସ୍ତ ଶକ୍ତିର ମୂଳ, ତୁମେ ଆମକୁ ଶକ୍ତି ଦିଅ, ତୁମେ ବିଶ୍ୱଜଗତର ଭାର ଧରି ରହିଛ; ଏହି କ୍ଷୁଦ୍ର ଜୀବନର ଭାର ବହନ କରିବା ପାଇଁ ମୋତେ ସାହାଯ୍ୟ କର’-ବୈଦିକ ଋଷିଗଣ ଏହିପରି ସ୍ତୁତି କରିଛନ୍ତି । ଆମେ ତାଙ୍କୁ କିପରି ଭାବରେ ପୂଜା କରିବୁ ? ପ୍ରୀତି ଦ୍ୱାରା, ଭଲ ପାଇ, ପ୍ରେମାସ୍ପଦ ରୂପେ-ଐହିକ ଓ ପାରତ୍ରିକ ସମୁଦାୟ ପ୍ରିୟ ବସ୍ତୁ ଅପେକ୍ଷା ପ୍ରିୟତର ରୂପେ ତାଙ୍କୁ ପୂଜା କରିବାକୁ ହେବ ।
ଶୁଦ୍ଧ ପ୍ରେମ ସମ୍ବନ୍ଧରେ ବେଦ ଏହିପରି ଶିକ୍ଷା ଦେଇଛି । ବର୍ତ୍ତମାନ ଦେଖାଯାଉ, ହିନ୍ଦୁଗଣ ପୃଥିବୀରେ ଈଶ୍ୱରଙ୍କର ଅବତାର ବୋଲି ଯାହାଙ୍କୁ ବିଶ୍ୱାସ କରନ୍ତି, ସେହି ଶ୍ରୀକୃଷ୍ଣ କିପରି ଏହି ପ୍ରେମତତ୍ତ୍ୱକୁ ପୂର୍ଣ୍ଣ ରୂପରେ ପ୍ରଚାର କରିଛନ୍ତି ।
ସେ ଶିକ୍ଷା ଦେଇଛନ୍ତି ଯେ, ମଣିଷ ପଦ୍ମପତ୍ର ପରି ସଂସାରରେ ବାସ କରିବ । ପଦ୍ମପତ୍ର ପାଣିରେ ଥାଏ, କିନ୍ତୁ ତହିଁରେ ପାଣି ଲାଗେ ନାହିଁ; ମଣିଷ ସେହିପରି ସଂସାରରେ ରହିବ, ଈଶ୍ୱରଙ୍କଠାରେ ହୃଦୟ ସମର୍ପଣ କରି ନିର୍ଲିପ୍ତ ଭାବରେ କାମ କରିବ ।
ଇହଲୋକ ଓ ପରଲୋକରେ ପୁରସ୍କାର ପ୍ରତ୍ୟାଶାରେ ଈଶ୍ୱରଙ୍କୁ ଭଲପାଇବା ଭଲ; କିନ୍ତୁ ଭଲପାଇବା ପାଇଁ ତାଙ୍କୁ ଭଲ ପାଇବା ଆହୁରି ଭଲ; ତେଣୁ ତାଙ୍କୁ ପ୍ରାର୍ଥନା କର, ‘‘ହେ ପ୍ରଭୁ! ମୁଁ ତୁମ ନିକଟରେ ଧନ, ସନ୍ତାନ ବା ବିଦ୍ୟା ଚାହେଁ ନାହିଁ । ଯଦି ତୁମର ଇଚ୍ଛା ହୁଏ, ମୁଁ ଶତ ବିପଦ ଭିତରେ ଦେଇ ଯିବି; କିନ୍ତୁ ମୋର କେବଳ ଏହି ଇଚ୍ଛା ପୂର୍ଣ୍ଣ କର ଯେ, ଯେପରି କୌଣସି ପୁରସ୍କାର ଆଶାରେ ନୁହେଁ, ବରଂ ନିଃସ୍ୱାର୍ଥଭାବରେ କେବଳ ଭଲପାଇବା ପାଇଁ ତୁମକୁ ଭଲପାଇପାରେ ।’’
ଶ୍ରୀକୃଷ୍ଣଙ୍କର ଜଣେ ଶିଷ୍ୟ, ତତ୍କାଳୀନ ଭାରତର ସମ୍ରାଟ ଯୁଧିଷ୍ଠିର, ଶତ୍ରୁକର୍ତ୍ତୃକ ସିଂହାସନଚ୍ୟୁତ ହୋଇ ରାଣୀଙ୍କ ସହିତ ହିମାଳୟର ଅରଣ୍ୟରେ ଆଶ୍ରୟ ନେଇଥିଲେ । ସେଠାରେ ରାଣୀ ଦିନେ ତାଙ୍କୁ ପଚାରିଲେ, ‘‘ଆପଣ ସର୍ବାପେକ୍ଷା ଧାର୍ମିକ ବ୍ୟକ୍ତି, ଆପଣଙ୍କୁ କାହିଁକି ଏତେ କଷ୍ଟ ଯନ୍ତ୍ରଣା ଭୋଗ କରିବାକୁ ହେଉଛି ?’’ ଯୁଧିଷ୍ଠିର ଉତ୍ତର ଦେଲେ, ‘‘ପ୍ରିୟେ, ଦେଖ, ହିମାଳୟକୁ ଚାହିଁ ଦେଖ । ଆହା ! କିପରି ସୁନ୍ଦର ଓ ମହାନ୍ ! ମୁଁ ହିମାଳୟକୁ ଭାରି ଭଲପାଏ । ପର୍ବତ ମୋତେ କିଛି ଦିଏ ନାହିଁ, ତଥାପି ସୁନ୍ଦର ଓ ମହାନ୍ ବସ୍ତୁକୁ ଭଲପାଇବା ହିଁ ମୋ ସ୍ୱଭାବ, ତେଣୁ ହିମାଳୟକୁ ମୁଁ ଭଲପାଏ । ଈଶ୍ୱରଙ୍କୁ ମୁଁ ଠିକ୍ ଏଥିପାଇଁ ଭଲପାଏ । ସେ ନିଖିଳ ସୌନ୍ଦର୍ଯ୍ୟର ଓ ମହତ୍ତ୍ୱର ମୂଳ, ସେ ହିଁ ପ୍ରେମର ଏକମାତ୍ର ପାତ୍ର । ତାଙ୍କୁ ଭଲପାଇବା ମୋ ସ୍ୱଭାବ, ତେଣୁ ମୁଁ ଭଲ ପାଏ । ମୁଁ କୌଣସି ଆଶାରେ ପ୍ରାର୍ଥନା କରେ ନାହିଁ, ମୁଁ ତାଙ୍କଠାରୁ କିଛି ଚାହେଁ ନାହିଁ, ତାଙ୍କର ଯେଉଁଠାରେ ଇଚ୍ଛା ମୋତେ ରଖନ୍ତୁ ନା କାହିଁକି, ସବୁ ଅବସ୍ଥାରେ ମୁଁ ତାଙ୍କୁ ଭଲପାଇବି । ମୁଁ ଭଲପାଇବା ପାଇଁ ତାଙ୍କୁ ଭଲପାଏ । ମୁଁ ଭଲପାଇବାର ବ୍ୟବସାୟ କରେ ନାହିଁ ।’’
ବେଦ ଶିକ୍ଷା ଦିଏ : ଆତ୍ମା ବ୍ରହ୍ମସ୍ୱରୂପ, କେବଳ ଜଡ଼ ପଞ୍ଚଭୂତରେ ବଦ୍ଧ ହୋଇ ଅଛି; ଏହି ବନ୍ଧନର ଶୃଙ୍ଖଳ ଚୂର୍ଣ୍ଣ ହେଲେ ଆତ୍ମା ପୂର୍ଣ୍ଣତ୍ୱ ଉପଲବ୍ଧି କରେ । ଅତଏବ ଏହି ପରିତ୍ରାଣର ଅବସ୍ଥା ବୁଝାଇବା ପାଇଁ ଋଷିମାନଙ୍କର ବ୍ୟବହୃତ ଶବ୍ଦ ‘ମୁକ୍ତି’ ! ମୁକ୍ତି, ମୁକ୍ତି-ଅପୂର୍ଣ୍ଣତାରୁ ମୁକ୍ତି-ମୃତ୍ୟୁ ଓ ଦୁଃଖରୁ ମୁକ୍ତି ।
ଈଶ୍ୱରଙ୍କର କୃପା ହେଲେ ଆମର ଏହି ବନ୍ଧନ ଘୁଞ୍ଚିଯାଇପାରେ ଏବଂ କେବଳ ପବିତ୍ର ସ୍ୱଭାବ ବିଶିଷ୍ଟ ବ୍ୟକ୍ତିମାନଙ୍କ ଉପରେ ହିଁ ତାଙ୍କର କୃପା ହୁଏ । ଅତଏବ ପବିତ୍ରତା ହିଁ ତାଙ୍କର କୃପାଲାଭର ଉପାୟ । କି ଭାବରେ ତାଙ୍କର କରୁଣା କାର୍ଯ୍ୟ କରେ ? ଶୁଦ୍ଧ ବା ପବିତ୍ର ହୃଦୟରେ ହିଁ ସେ ନିଜକୁ ପ୍ରକାଶିତ କରନ୍ତି; ନିର୍ମଳ ବିଶୁଦ୍ଧଚିତ୍ତ ମାନବ ଇହଜୀବନରେ ହିଁ ଈଶ୍ୱରଙ୍କର ଦର୍ଶନ ଲାଭ କରନ୍ତି । ସେତେବେଳେ ‘କେବଳ ସେତିକିବେଳେ ହୃଦୟର ସବୁ କୁଟିଳତା ସରଳ ହୋଇଯାଏ, ସକଳ ସନ୍ଦେହ ବିଦୂରିତ ହୁଏ ।’ ମଣିଷ ସେତେବେଳେ ଭୟଙ୍କର କାର୍ଯ୍ୟ-କାରଣ-ନିୟମର ହସ୍ତରୁ ଅବ୍ୟାହତି ପାଏ । ଏହା ହିଁ ହିନ୍ଦୁଧର୍ମର ମର୍ମସ୍ଥଳ, ତାହାର ପ୍ରାଣସ୍ୱରୂପ । ହିନ୍ଦୁ କେବଳ ମତବାଦ ଓ ଶାସ୍ତ୍ର-ବିଚାର ନେଇ ବ୍ୟସ୍ତ ରହିବାକୁ ଚାହେଁ ନାହିଁ । ସାଧାରଣ ଇନ୍ଦ୍ରିୟାନୁଭୂତିର ଊର୍ଦ୍ଧ୍ୱରେ ଯଦି ଅତୀନ୍ଦ୍ରିୟ ସତ୍ତା ବୋଲି କିଛି ଥାଏ, ତେବେ ହିନ୍ଦୁ ସାକ୍ଷାତ୍ ଭାବେ ତାହାର ସମ୍ମୁଖୀନ ହେବାକୁ ଚାହେଁ । ଯଦି ତା’ଭିତରେ ଆତ୍ମା ବୋଲି କିଛି ଥାଏ, ଯାହା ଆଦୌ ଜଡ଼ ନୁହେଁ, ଯଦି କରୁଣାମୟ ବିଶ୍ୱବ୍ୟାପୀ ପରମାତ୍ମା ବୋଲି କେହି ଥାଏ, ହିନ୍ଦୁ ସିଧା ତାଙ୍କ ପାଖକୁ ଯିବ, ନିଶ୍ଚିତ ରୂପରେ ତାଙ୍କୁ ଦର୍ଶନ କରିବ । ତେବେ ଯାଇ ତାର ସକଳ ସନ୍ଦେହ ଦୂର ହେବ । ଅତଏବ ଆତ୍ମା ଓ ଈଶ୍ୱରଙ୍କର ସର୍ବୋତ୍କୃଷ୍ଟ ପ୍ରମାଣ ଦେବା ପାଇଁ ଜ୍ଞାନୀ ହିନ୍ଦୁ କହନ୍ତି, ‘‘ମୁଁ ଆତ୍ମାକୁ ଦର୍ଶନ କରିଛି, ଈଶ୍ୱରଙ୍କୁ ଦେଖିଛି ।’’ ସିଦ୍ଧି ବା ପୂର୍ଣ୍ଣତ୍ୱର ଏହା ଏକମାତ୍ର ନିଦର୍ଶନ । କୌଣସି ମତବାଦ ଅଥବା ବଦ୍ଧମୂଳ ଧାରଣାକୁ ବିଶ୍ୱାସ କରିବା ମଧ୍ୟରେ ହିନ୍ଦୁଧର୍ମ ଆବଦ୍ଧ ନୁହେଁ । ଅପରୋକ୍ଷାନୁଭୂତି ହିଁ ଏହାର ମୂଳମନ୍ତ୍ର, କେବଳ ବିଶ୍ୱାସ କରିବା ନୁହେଁ, ନିଜେ ଆଦର୍ଶସ୍ୱରୂପ ହୋଇଯିବା-ଏହାକୁ ଜୀବନରେ ପରିଣତ କରିବା ହିଁ ପ୍ରକୃତ ଧର୍ମ ।
ବର୍ତ୍ତମାନ ଦେଖାଯାଉଛି, କ୍ରମାଗତ ସଂଗ୍ରାମ ଓ ସାଧନା ଦ୍ୱାରା ସିଦ୍ଧିଲାଭ କରିବା-ଦିବ୍ୟ ଭାବରେ ଭାବାନ୍ୱିତ ହୋଇ ଈଶ୍ୱରଙ୍କର ସାନ୍ନିଧ୍ୟକୁ ଯିବା ଓ ତାଙ୍କର ଦର୍ଶନ ଲାଭ କରି ସେହି ‘ସ୍ୱର୍ଗସ୍ଥ ପିତା’ଙ୍କ ପରି ପୂର୍ଣ୍ଣ ହେବା ହିଁ ହିନ୍ଦୁମାନଙ୍କର ଧର୍ମ ।
ପୂର୍ଣ୍ଣତା ଲାଭ କଲେ ମାନବର କିପରି ଅବସ୍ଥା ହୁଏ ?-ତାଙ୍କର ଜୀବନ ଅସୀମ ଆନନ୍ଦରେ ପରିପୂର୍ଣ୍ଣ ହୁଏ । ଆନନ୍ଦର ଏକମାତ୍ର ଉତ୍ସ ଈଶ୍ୱରଙ୍କୁ ଲାଭ କରି ସେ ପରମାନନ୍ଦର ଅଧିକାରୀ ହୁଅନ୍ତି ଏବଂ ଈଶ୍ୱରଙ୍କ ସହିତ ସେହି ଆନନ୍ଦ ଉପଭୋଗ କରନ୍ତି-ହିନ୍ଦୁମାତ୍ରେ ଏ ବିଷୟରେ ଏକମତ । ଭାରତର ସକଳ ସମ୍ପ୍ରଦାୟର ଏହା ସାଧାରଣ ଧର୍ମ ।
ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ, ପୂର୍ଣ୍ଣତ୍ୱ ହିଁ ପରମ ତତ୍ତ୍ୱ ଏବଂ ସେହି ତତ୍ତ୍ୱ କେବେ ବି ଦୁଇ ବା ତିନି ହୋଇ ନ ପାରନ୍ତି, ତାଙ୍କର କୌଣସି ଗୁଣ ବା ବ୍ୟକ୍ତିତ୍ୱ ରହି ନ ପାରେ । ଅତଏବ ଯେତେବେଳେ ଆମର ଆତ୍ମା ଏହି ପୂର୍ଣ୍ଣ ଓ ପରମ ଅବସ୍ଥାରେ ଉପନୀତ ହୁଅନ୍ତି, ସେତେବେଳେ ବ୍ରହ୍ମଙ୍କ ସହିତ ସେ ଏକ ହୋଇଯାଆନ୍ତି ଏବଂ ଏକମାତ୍ର ବ୍ରହ୍ମକୁ ହିଁ ନିତ୍ୟ ଓ ପୂର୍ଣ୍ଣରୂପେ ଉପଲବ୍ଧି କରନ୍ତି । ଏପରି ଭାବରେ ଆତ୍ମା ନିରପେକ୍ଷ ସତ୍ତା, ନିରପେକ୍ଷ ଜ୍ଞାନ, ନିରପେକ୍ଷ ଆନନ୍ଦ, ସତ୍-ଚିତ୍-ଆନନ୍ଦସ୍ୱରୂପ ହୋଇଯାଆନ୍ତି ।
ଆମେ ପ୍ରାୟ ପଢ଼ିଥାଉ ଯେ, ଆତ୍ମାର ଏହି ଅବସ୍ଥାରେ ବ୍ୟକ୍ତିତ୍ୱର ଲୟ ହୁଏ ଓ ଏହା କାଠ ପଥର ପରି ଜଡ଼ ଅବସ୍ଥା । କିନ୍ତୁ ଏହାଦ୍ୱାରା ଲେଖକମାନଙ୍କର ଅନଭିଜ୍ଞତା ହିଁ ପ୍ରକାଶ ପାଏ । ଯିଏ କେବେହେଲେ ଆଘାତ କିମ୍ବା ବେଦନା ଅନୁଭବ କରି ନାହାନ୍ତି, ସେ ଅନ୍ୟମାନଙ୍କର କ୍ଷତଚିହ୍ନ ଦେଖି ପରିହାସ କରିଥାଆନ୍ତି ।
କିନ୍ତୁ ମୁଁ କହୁଛି ଯେ ଏହି ଅବସ୍ଥା ଏପ୍ରକାର ନୁହେଁ । ଆମର ଏହି କ୍ଷୁଦ୍ର ଦେହର ଚେତନା ଉପଭୋଗ ଯଦି ସୁଖକର ହୁଏ, ତେବେ ଦୁଇଟି ଦେହର ଚେତନା ଉପଭୋଗ କରିବା ଆହୁରି ବେଶୀ ସୁଖକର ହେବ । ତେଣୁ ଦେହସଂଖ୍ୟା ଯେତେ ବଢ଼ିବ, ମୋର ସୁଖ ବି ସେତେ ବଢ଼ିବ । ଏହି ଭାବରେ ଯେତେବେଳେ ଏହି ନିଖିଳ ବିଶ୍ୱ ସହିତ ମୋର ଆତ୍ମବୋଧ ହେବ, ସେତେବେଳେ ମୁଁ ଲକ୍ଷ୍ୟସ୍ଥଳରେ, ଆନନ୍ଦର ଚରମ ସ୍ତରରେ ଉପନୀତ ହେବି ।
ଅତଏବ ଏହି ଅନନ୍ତ ବିଶ୍ୱଜନୀନ ବ୍ୟକ୍ତିତ୍ୱ ଲାଭ କରିବାକୁ ଗଲେ ଏହି ଦୁଃଖପୂର୍ଣ୍ଣ କ୍ଷୁଦ୍ର ଦେହାବଦ୍ଧ ବ୍ୟକ୍ତିତ୍ୱ ଅବଶ୍ୟ ହିଁ ତ୍ୟାଗ କରିବାକୁ ହେବ । ଯେତେବେଳେ ମୁଁ ପ୍ରାଣସ୍ୱରୂପ ହୋଇଯିବି, ସେତେବେଳେ ମୁଁ ମୃତ୍ୟୁହାତରୁ ନିଷ୍କୃତି ପାଇବି; ଯେତେବେଳେ ମୁଁ ଆନନ୍ଦସ୍ୱରୂପ ହୋଇଯିବି, ସେତେବେଳେ ଦୁଃଖରୁ ନିଷ୍କୃତି ପାଇବି; ଯେତେବେଳେ ଜ୍ଞାନସ୍ୱରୂପ ହୋଇଯିବି, ସେତେବେଳେ ମୋର ଭ୍ରମର ନିବୃତ୍ତି ହେବ । ଏହା ହିଁ ଯୁକ୍ତିସଙ୍ଗତ ବୈଜ୍ଞାନିକ ସିଦ୍ଧାନ୍ତ । ବିଜ୍ଞାନ ସାହାଯ୍ୟରେ ମୁଁ ଜାଣିଛି, ମୋର ଦେହଗତ ବ୍ୟକ୍ତିତ୍ୱ କେବଳ ଏକ ଭ୍ରାନ୍ତି । ପ୍ରକୃତ ପକ୍ଷରେ ଆମର ଦେହ ଏହି ନିରବଚ୍ଛିନ୍ନ ଜଡ଼ସମୁଦ୍ରରେ ଅବିରାମ ପରିବର୍ତ୍ତିତ ହେଉଅଛି, ତେଣୁ ମୋର ଚୈତନ୍ୟ ଅଂଶ ସମ୍ବନ୍ଧରେ ଏହି ଅଦ୍ୱୈତ (ଏକତ୍ୱ) ଜ୍ଞାନ ହିଁ ଠିକ୍ ଯୁକ୍ତିଯୁକ୍ତ ସିଦ୍ଧାନ୍ତ ।
ଏକତ୍ୱର ଆବିଷ୍କାର ବ୍ୟତୀତ ବିଜ୍ଞାନ ଆଉ କିଛି ନୁହେଁ ଏବଂ ଯେତେବେଳେ କୌଣସି ବିଜ୍ଞାନ ସେହି ପୂର୍ଣ୍ଣ ଏକତ୍ୱରେ ଉପନୀତ ହୁଏ, ସେତେବେଳେ ତାହାର ଅଗ୍ରଗତି ବନ୍ଦ ହେବ, କାରଣ ଏହି ବିଜ୍ଞାନ ତାହାର ଲକ୍ଷ୍ୟରେ ଉପନୀତ ହୋଇଛି । ଯଥା, ରସାୟନଶାସ୍ତ୍ର ଯଦି ଏପରି ଗୋଟିଏ ମୂଳ ପଦାର୍ଥ ଆବିଷ୍କାର କରେ, ଯହିଁରୁ ଅନ୍ୟାନ୍ୟ ସକଳ ପଦାର୍ଥ ପ୍ରସ୍ତୁତ କରାଯାଇପାରେ, ତାହାହେଲେ, ଏହା ତା’ର ଚରମ ଉନ୍ନତି । ପଦାର୍ଥବିଦ୍ୟା ଯଦି ଏପରି ଗୋଟିଏ ଶକ୍ତି ଆବିଷ୍କାର କରିପାରେ, ଅନ୍ୟାନ୍ୟ ଶକ୍ତି ଯାହାର ରୂପାନ୍ତର ମାତ୍ର, ତାହାହେଲେ ସେହି ବିଜ୍ଞାନର କାର୍ଯ୍ୟ ଶେଷ ହେଲା । ଧର୍ମବିଜ୍ଞାନ ମଧ୍ୟ ସେତେବେଳେ ପୂର୍ଣ୍ଣତା ଲାଭ କରେ, ଯେତେବେଳେ ଏହା ତାଙ୍କୁ ଆବିଷ୍କାର କରେ-ଯିଏ ଏହି ମୃତ୍ୟୁମୟ ଜଗତରେ ଏକମାତ୍ର ଜୀବନସ୍ୱରୂପ, ଯିଏ ନିତ୍ୟ ପରିବର୍ତ୍ତନଶୀଳ ଜଗତର ଏକମାତ୍ର ଅଚଳ, ଅଟଳ ଭିତ୍ତି, ଯିଏ ଏକମାତ୍ର ପରମାତ୍ମା-ଅନ୍ୟାନ୍ୟ ଆତ୍ମା ଯାହାର ଭ୍ରମାତ୍ମକ ପ୍ରକାଶମାତ୍ର । ଏହିରୂପେ ବହୁବାଦ, ଦ୍ୱୈତବାଦ ପ୍ରଭୃତିର ଭିତର ଦେଇ ଶେଷରେ ଅଦ୍ୱୈତବାଦରେ ଉପନୀତ ହେଲେ ଧର୍ମ-ବିଜ୍ଞାନ ଆଉ ଅଗ୍ରସର ହୋଇପାରେ ନାହିଁ । ଏହା ହିଁ ସର୍ବ ପ୍ରକାର ଜ୍ଞାନ ବା ବିଜ୍ଞାନର ଚରମ ଲକ୍ଷ୍ୟ ।
ସବୁ ବିଜ୍ଞାନଗୁଡ଼ିକୁ ଅବଶେଷରେ ଏହି ସିଦ୍ଧାନ୍ତରେ ଉପନୀତ ହେବାକୁ ପଡ଼ିବ । ଆଜିକାଲି ବୈଜ୍ଞାନିକଗଣ ‘ସୃଷ୍ଟି’ ନ କହି ‘ବିକାଶ’ ଶବ୍ଦ ବ୍ୟବହାର କରୁଛନ୍ତି । ହିନ୍ଦୁମାନେ ଯୁଗ ଯୁଗ ଧରି ଯେଉଁ ଭାବ ହୃଦୟରେ ପୋଷଣ କରି ଆସିଛନ୍ତି, ସେହି ଭାବ ଆଧୁନିକ ବୈଜ୍ଞାନିକ ସିଦ୍ଧାନ୍ତର ନବୀନତମ ଆଲୋକରେ ଅଧିକ ଶକ୍ତିଶାଳୀ ଭାବରେ ପ୍ରଚାରିତ ହେବାର ସମ୍ଭାବନା ଦେଖି ତାଙ୍କ ହୃଦୟରେ ଆନନ୍ଦର ସଞ୍ଚାର ହେଉଛି ।
ବର୍ତ୍ତମାନ ଦର୍ଶନର ଉଚ୍ଚ ଶିଖରରୁ ଅବତରଣ କରି ଅଜ୍ଞ ଲୋକମାନଙ୍କର ଧର୍ମ ସମ୍ବନ୍ଧରେ ଆଲୋଚନା କରୁଛି । ପ୍ରଥମରୁ କହି ରଖୁଛି ଯେ, ଭାରତବର୍ଷରେ ବହୁ-ଈଶ୍ୱରବାଦ ନାହିଁ । ପ୍ରତି ଦେବାଳୟ ପାର୍ଶ୍ୱରେ ଠିଆ ହୋଇ ଯଦି କେହି ଶ୍ରବଣ କରେ, ତାହାହେଲେ ଶୁଣିବାକୁ ପାଇବ ପୂଜକ ଦେବ-ବିଗ୍ରହରେ ଈଶ୍ୱରଙ୍କର ସମୁଦାୟ ଗୁଣ, ଏପରି କି ସର୍ବବ୍ୟାପୀତ୍ୱ ପର୍ଯ୍ୟନ୍ତ ଆରୋପ କରୁଛି । ଏହା ବହୁ ଈଶ୍ୱରବାଦ ନୁହେଁ ବା ଏହାକୁ କୌଣସି ଦେବ-ବିଶେଷଙ୍କର ପ୍ରାଧାନ୍ୟ ବୋଲି କହିଲେ ମଧ୍ୟ ପ୍ରକୃତ କଥାର ବ୍ୟାଖ୍ୟା ହେଲା ନାହିଁ । ଗୋଲାପକୁ ଅନ୍ୟ ଯେ କୌଣସି ନାମ ଦିଅନା କାହିଁକି, ତାହାର ସୁଗନ୍ଧ ସମାନ ରହିବ । ସଂଜ୍ଞା ବା ନାମ ଦ୍ୱାରା ବ୍ୟାଖ୍ୟା ହୁଏ ନାହିଁ ।
ଭାରତରେ, ମୋ ବାଲ୍ୟକାଳରେ ଏକଦା ଜଣେ ଖ୍ରୀଷ୍ଟିଆନ୍ ପାଦ୍ରୀଙ୍କୁ ଏକ ଜନଗହଳି ସମ୍ମୁଖରେ ବକ୍ତୃତା ଦେବା ଶୁଣିଥିଲି । ନାନାବିଧ ମଧୁର କଥା କହୁ କହୁ ସେ କହି ଉଠିଲେ, ‘ମୁଁ ଯଦି ତୁମର ବିଗ୍ରହକୁ ଏହି ଲାଠିଦ୍ୱାରା ଆଘାତ କରେ, ତେବେ ସେ ମୋର କ’ଣ କରିପାରିବେ ?’ ଜନତା ମଧ୍ୟରୁ ଜଣେ କହିଲେ, ‘ମୁଁ ଯଦି ତୁମ ଭଗବାନଙ୍କୁ ଗାଳିଦିଏ, ସେ ବି ମୋର କ’ଣ କରିପାରିବେ ?’ ପାଦ୍ରୀ ଉତ୍ତର ଦେଲେ, ‘ମୃତ୍ୟୁ ପରେ ତୁମର ଶାସ୍ତି ହେବ ।’ ସେ ବ୍ୟକ୍ତି ମଧ୍ୟ କହିଲେ, ‘ତୁମେ ମଲେ ଆମ ଦେବତା ମଧ୍ୟ ତୁମକୁ ଶାସ୍ତି ଦେବେ ।’
ଫଳଦ୍ୱାରା ହିଁ ବୃକ୍ଷର ପ୍ରକୃତ ପରିଚୟ ମିଳେ । ଯେତେବେଳେ ମୁଁ ଦେଖେ ଯେ, ଯାହାଙ୍କୁ ପୌତ୍ତଳିକ କୁହାଯାଏ, ତାଙ୍କ ମଧ୍ୟରେ ବି ଏପରି ମନୁଷ୍ୟ ଅଛନ୍ତି, ଯାହାଙ୍କ ପରି ଚରିତ୍ରବାନ୍, ଆଧ୍ୟାତ୍ମିକ ଭାବପୂର୍ଣ୍ଣ ଓ ପ୍ରେମିକ କେବେ କେଉଁଠି ହେଲେ ଦେଖି ନାହିଁ, ସେତେବେଳେ ମନରେ ଏହି ପ୍ରଶ୍ନ ସ୍ୱତଃ ଉଦିତ ହୁଏ ଯେ ପାପରୁ କ’ଣ କେବେ ପବିତ୍ରତା ଜନ୍ମିପାରେ ?
କୁସଂସ୍କାର ମଣିଷର ଶତ୍ରୁ ସତ; କିନ୍ତୁ ଧର୍ମାନ୍ଧତା ଆହୁରି ଖରାପ । ଖ୍ରୀଷ୍ଟିଆନ୍ମାନେ କାହିଁକି ଗୀର୍ଜାକୁ ଯାଆନ୍ତି ? କ୍ରୁଶ୍ ଏତେ ପବିତ୍ର କାହିଁକି ? ପ୍ରାର୍ଥନା ସମୟରେ ସେମାନେ କାହିଁକି ଉପର ଆଡ଼କୁ ଚାହାଁନ୍ତି ? କ୍ୟାଥଲିକ୍ମାନଙ୍କର ଗୀର୍ଜାରେ ଏତେ ମୂର୍ତ୍ତି ରହିଛି କାହିଁକି ? ପ୍ରୋଟେଷ୍ଟାଣ୍ଟ୍ମାନଙ୍କ ମନରେ ପ୍ରାର୍ଥନା କାଳରେ ଏତେ ଭାବମୟ ରୂପର ଆବିର୍ଭାବ ହୁଏ କାହିଁକି ? ହେ ମୋର ଭ୍ରାତୃବୃନ୍ଦ, ନିଃଶ୍ୱାସ ଗ୍ରହଣ ନ କରି ଜୀବନ ଧାରଣ କରିବା ଯେପରି ଅସମ୍ଭବ, ଚିନ୍ତା କଲାବେଳେ ରୂପବିଶେଷର ସାହାଯ୍ୟ ନ ନେବା ମଧ୍ୟ ଆମ ପକ୍ଷରେ ସେହିପରି ଅସମ୍ଭବ । ଭାବାନୁସଙ୍ଗ ନିୟମାନୁସାରେ (Law of association) ଜଡ଼ମୂର୍ତ୍ତି ଦେଖିଲେ ମାନସିକ ଭାବବିଶେଷର ଉଦ୍ଦୀପନ ହୁଏ, ବିପରୀତ କ୍ରମେ ମନରେ ଭାବବିଶେଷର ଉଦ୍ଦୀପନ ହେଲେ ତଦନୁରୂପ ମୂର୍ତ୍ତିବିଶେଷ ମଧ୍ୟ ମନରେ ଉଦିତ ହୁଏ । ହିନ୍ଦୁମାନେ ଉପାସନା ସମୟରେ କାହିଁକି ବାହ୍ୟ ପ୍ରତୀକ ବ୍ୟବହାର କରନ୍ତି, ଏହା ହିଁ ତାହାର କାରଣ । ସେମାନେ କହିବେ ଯେ, ଉପାସ୍ୟ ଦେବତାଙ୍କ ଉପରେ ମନ ସ୍ଥିର କରିବା ପାଇଁ ପ୍ରତୀକ ସାହାଯ୍ୟ କରେ । ସେମାନେ ମଧ୍ୟ ତୁମମାନଙ୍କ ପରି ଜାଣନ୍ତି ଯେ, ପ୍ରତିମା ଈଶ୍ୱର ନୁହେଁ କିମ୍ବା ସର୍ବବ୍ୟାପୀ ମଧ୍ୟ ନୁହେଁ । ଆଚ୍ଛା କହନ୍ତୁ, ‘ସର୍ବବ୍ୟାପୀ’ କହିଲେ ଅଧିକାଂଶ ଲୋକ କ’ଣ ବୁଝନ୍ତି ? ତାଙ୍କ ପକ୍ଷରେ ଏହା ଗୋଟିଏ ଶବ୍ଦ ମାତ୍ର-ଗୋଟିଏ ପ୍ରତୀକ ମାତ୍ର । ଈଶ୍ୱର କ’ଣ ବାହ୍ୟ ଆୟତନ ବିଶିଷ୍ଟ ? ତାହା ଯଦି ନ ହୁଏ, ତେବେ ସର୍ବବ୍ୟାପୀ ଶବ୍ଦଟି ଆବୃତ୍ତି କଲେ ଆମ ମନରେ ବିସ୍ତୃତ ଆକାଶ ଅଥବା ମହାଶୂନ୍ୟର କଳ୍ପନା ଛଡ଼ା ଅନ୍ୟ କିଛି ଉଦିତ ହୁଏ ନାହିଁ ।
ତେଣୁ ଦେଖାଯାଉଛି ଯେ, ଯେପରି ମଣିଷ-ମନର ଗଠନ ଅନୁସାରେ ଅନନ୍ତର ଧାରଣା ଅନନ୍ତ ନୀଳାକାଶ ବା ସମୁଦ୍ରର ପ୍ରତିଛବି ସହିତ ଜଡ଼ିତ ଥାଏ, ସେହିପରି ଆମେ ମଧ୍ୟ ସ୍ୱଭାବତଃ ପବିତ୍ରତାର ଧାରଣା ଗୀର୍ଜା, ମସ୍ଜିଦ୍ ବା କ୍ରୁଶ ସହିତ ଯୁକ୍ତ କରିଥାଉ । ତେଣୁ ହିନ୍ଦୁମାନେ ପବିତ୍ରତା, ସତ୍ୟ, ସର୍ବବ୍ୟାପୀତ୍ୱ ପ୍ରଭୃତି ଭାବଗୁଡ଼ିକୁ ବିଭିନ୍ନ ମୂର୍ତ୍ତି ଓ ପ୍ରତୀକ ସହିତ ଯୁକ୍ତ କରି ରଖିଛନ୍ତି । ତେବେ ପ୍ରଭେଦ ଏହି ଯେ, କେହି କେହି ସମଗ୍ର ଜୀବନ ସ୍ୱୀୟ ସମ୍ପ୍ରଦାୟ ମଧ୍ୟରେ ଆବଦ୍ଧ ହୋଇ ନିଷ୍ଠାପୂର୍ବକ କଟାଇ ଦିଅନ୍ତି, ତାହା ଅପେକ୍ଷା ଉଚ୍ଚତର ଅବସ୍ଥା ଲାଭ କରନ୍ତି ନାହିଁ । ସେମାନଙ୍କ ନିକଟରେ କେତୋଟି ମତକୁ ମାନିନେବା ଏବଂ ଲୋକଙ୍କର ଉପକାର କରିବା ବ୍ୟତୀତ ଧର୍ମ ଆଉ କିଛି ନୁହେଁ; କିନ୍ତୁ ହିନ୍ଦୁର ସମଗ୍ର ଧର୍ମଭାବ ଅପରୋକ୍ଷାନୁଭୂତିରେ ହିଁ କେନ୍ଦ୍ରୀଭୂତ । ଈଶ୍ୱରଙ୍କୁ ଉପଲବ୍ଧି କରି ମଣିଷକୁ ଦେବତା ହେବାକୁ ପଡ଼ିବ । ମନ୍ଦିର, ପ୍ରାର୍ଥନାଗୃହ, ଦେବବିଗ୍ରହ ବା ଧର୍ମଶାସ୍ତ୍ର ଏଗୁଡ଼ିକ ମଣିଷର ଧର୍ମଜୀବନରେ ପ୍ରାଥମିକ ଅବଲମ୍ବନ ଓ ସହାୟକ ମାତ୍ର, ଏଗୁଡ଼ିକୁ ଅତିକ୍ରମ କରି ତାହାକୁ କ୍ରମଶଃ ଅଗ୍ରସର ହେବାକୁ ହେବ ।
ଶାସ୍ତ୍ରରେ ଅଛି : ‘ବାହ୍ୟପୂଜା ବା ମୂର୍ତ୍ତିପୂଜା ପ୍ରଥମାବସ୍ଥା, ଅଳ୍ପ ଉନ୍ନତି ହେଲେ ମାନସିକ ପ୍ରାର୍ଥନା ପରବର୍ତ୍ତୀ ସ୍ତର; କିନ୍ତୁ ଈଶ୍ୱରସାକ୍ଷାତ୍କାର ହିଁ ଉଚ୍ଚତମ ଅବସ୍ଥା ।’ ଯେଉଁ ଏକାଗ୍ର ସାଧକ ଜାନୁପାତି ଦେବବିଗ୍ରହଙ୍କ ସମ୍ମୁଖରେ ପୂଜା କରୁଛନ୍ତି, ଲକ୍ଷ୍ୟ କର, ସେ ତୁମକୁ କ’ଣ କହନ୍ତି । ‘ସୂର୍ଯ୍ୟ ତାଙ୍କୁ ପ୍ରକାଶ କରିପାରେ ନାହିଁ, ଚନ୍ଦ୍ର, ତାରା ଏବଂ ବିଦ୍ୟୁତ୍ ମଧ୍ୟ ତାଙ୍କୁ ପ୍ରକାଶ କରିପାରନ୍ତି ନାହିଁ, ତେବେ ଏହି ଅଗ୍ନି ତାଙ୍କୁ କିପରି ପ୍ରକାଶ କରିବ ? ଏମାନେ ସମସ୍ତେ ହିଁ ତାଙ୍କ ଆଲୋକରେ ପ୍ରକାଶିତ ।’ ସେ କାହାରି ଦେବବିଗ୍ରହଙ୍କୁ ଗାଳି ଦିଅନ୍ତି ନାହିଁ, କିମ୍ୱା ପ୍ରତିମାପୂଜାକୁ ପାପ ବୋଲି ମଧ୍ୟ କହନ୍ତି ନାହିଁ । ସେ ଏହାକୁ ଜୀବନର ଏକ ପ୍ରୟୋଜନୀୟ ଅବସ୍ଥା ବୋଲି ସ୍ୱୀକାର କରନ୍ତି । ଶିଶୁ ମଧ୍ୟରେ ହିଁ ପୂର୍ଣ୍ଣମାନବର ସମ୍ଭାବନା ନିହିତ । ଜଣେ ବୃଦ୍ଧଙ୍କ ପକ୍ଷରେ ଶୈଶବ ଓ ଯୌବନକୁ ପାପ ବୋଲି କହିବା କ’ଣ ଉଚିତ ହେବ ?
ହିନ୍ଦୁଧର୍ମରେ ବିଗ୍ରହ-ପୂଜା ଯେ ସମସ୍ତଙ୍କର ଅବଶ୍ୟ କର୍ତ୍ତବ୍ୟ, ତାହା ନୁହେଁ । କିନ୍ତୁ କେହି ଯଦି ବିଗ୍ରହ ସାହାଯ୍ୟରେ ସହଜରେ ନିଜର ଦିବ୍ୟଭାବ ଉପଲବ୍ଧି କରିପାରନ୍ତି, ତାହାହେଲେ କ’ଣ ଏହାକୁ ପାପ ବୋଲି କହିବା ସଙ୍ଗତ ? କିମ୍ବା ସାଧକ ଯେତେବେଳେ ଏହି ଅବସ୍ଥାକୁ ଅତିକ୍ରମ କରିଯାଇଛନ୍ତି, ସେତେବେଳେ ତାଙ୍କ ପକ୍ଷରେ ଏହାକୁ ଭୁଲ କହିବା କ’ଣ ସଙ୍ଗତ ? ହିନ୍ଦୁମାନଙ୍କର ଦୃଷ୍ଟିରେ ମଣିଷ ଭ୍ରମରୁ ସତ୍ୟକୁ ଯାଏ ନାହିଁ, ବରଂ ସତ୍ୟଠାରୁ ସତ୍ୟକୁ-ନିମ୍ନତର ସତ୍ୟରୁ ଉଚ୍ଚତର ସତ୍ୟରେ ଉପନୀତ ହୁଏ । ହିନ୍ଦୁ ନିକଟରେ ନିମ୍ନତମ ଜଡ଼ୋପାସନାରୁ ଆରମ୍ଭ କରି ବେଦାନ୍ତର ଅଦ୍ୱୈତବାଦ ପର୍ଯ୍ୟନ୍ତ ସକଳ ସାଧନାର ଅର୍ଥ ଅସୀମକୁ ଧାରଣା ବା ଉପଲବ୍ଧି କରିବା ପାଇଁ ମାନବାତ୍ମାର ବିବିଧ ଚେଷ୍ଟା ମାତ୍ର । ଜନ୍ମ, ସଙ୍ଗ ଓ ପରିବେଶ ଅନୁଯାୟୀ ପ୍ରତ୍ୟେକ ସାଧକର ସାଧନ-ପ୍ରଚେଷ୍ଟା ନିରୂପିତ ହୁଏ । ପ୍ରତ୍ୟେକଟି ସାଧନ ହିଁ କ୍ରମୋନ୍ନତିର ବିଭିନ୍ନ ଅବସ୍ଥା ମାତ୍ର । ପ୍ରତ୍ୟେକ ମାନବାତ୍ମା ହିଁ ଈଗଲ୍ ପକ୍ଷୀର ଶାବକ ପରି କ୍ରମଶଃ ଉଚ୍ଚରୁ ଉଚ୍ଚତର ସ୍ତରକୁ ଉଠି ଥାଆନ୍ତି ଏବଂ କ୍ରମଶଃ ଶକ୍ତି ସଞ୍ଚୟ କରି ଶେଷରେ ସେହି ମହାନ୍ ସୂର୍ଯ୍ୟର ସମୀପବର୍ତ୍ତୀ ହୁଅନ୍ତି ।
ବହୁତ୍ୱ ମଧ୍ୟରେ ଏକତ୍ୱ ହିଁ ପ୍ରକୃତିର ନିୟମ-ହିନ୍ଦୁଗଣ ଏହି ରହସ୍ୟ ଉପଲବ୍ଧି କରିଛନ୍ତି । ଅନ୍ୟାନ୍ୟ ଧର୍ମସମୂହ କେତେଗୁଡ଼ିଏ ନିର୍ଦ୍ଦିଷ୍ଟ ମତବାଦକୁ ବିଧିବଦ୍ଧ କରି ସମଗ୍ର ସମାଜକୁ ବଳପୂର୍ବକ ସେଗୁଡ଼ିକୁ ମାନି ନେବା ପାଇଁ ଚେଷ୍ଟା କରନ୍ତି । ସମାଜ ସମ୍ମୁଖରେ ସେମାନେ ଏକ ମାପର ଜାମା ରଖିଦିଅନ୍ତି; ଜ୍ୟାକ୍, ଜନ୍, ହେନ୍ରି ପ୍ରଭୃତି ସମସ୍ତଙ୍କୁ ହିଁ ଏହି ଏକ ମାପର ଜାମା ପିନ୍ଧିବାକୁ ହେବ । ଯଦି ହେନ୍ରି ବା ଜନ୍ର ଦେହକୁ ତାହା ନ ହୁଏ, ତେବେ ତାକୁ ଜାମା ନ ପିନ୍ଧି ଖାଲି ଦେହରେ ରହିବାକୁ ହେବ । ହିନ୍ଦୁଗଣ ଆବିଷ୍କାର କରିଛନ୍ତି ଯେ, ଆପେକ୍ଷିକକୁ ଆଶ୍ରୟ କରିବାଦ୍ୱାରା ନିରପେକ୍ଷ ପରମ ତତ୍ତ୍ୱର ଚିନ୍ତା, ଉପଲବ୍ଧି ବା ପ୍ରକାଶ କରିବା ସମ୍ଭବ; ପ୍ରତିମା, କ୍ରୁଶ୍ ବା ଚନ୍ଦ୍ରକଳା ପ୍ରତୀକମାତ୍ର, ଆଧ୍ୟାତ୍ମିକ ଭାବ ପ୍ରକାଶ କରିବାର ଅବଲମ୍ବନ ସ୍ୱରୂପ । ଏହି ପ୍ରକାର ସାହାଯ୍ୟ ଯେ ସମସ୍ତଙ୍କ ପକ୍ଷରେ ଆବଶ୍ୟକ ତାହା ନୁହେଁ, ତେବେ ଅଧିକାଂଶ ଲୋକଙ୍କ ପକ୍ଷରେ ଏହି ପ୍ରକାର ସାହାଯ୍ୟ ଆବଶ୍ୟକ । ଯେଉଁମାନଙ୍କ ପକ୍ଷରେ ଏହା ଆବଶ୍ୟକ ନୁହେଁ, ସେମାନଙ୍କର ଏହାକୁ ଅନ୍ୟାୟ ବୋଲି କହିବାର କୌଣସି ଅଧିକାର ନାହିଁ ।
ଆଉ ଗୋଟିଏ ବିଷୟ କହିବା ମୋର ଅବଶ୍ୟ କର୍ତ୍ତବ୍ୟ । ଭାରତବର୍ଷରେ ମୂର୍ତ୍ତିପୂଜା କହିଲେ କୌଣସି ଅନର୍ଥକୁ ବୁଝାଏ ନାହିଁ । ଏହା ଦୁଷ୍କର୍ମର ଜନକ ନୁହେଁ, ବରଂ ଏହା ଅପରିଣତ ମନଦ୍ୱାରା ଉଚ୍ଚ ଆଧ୍ୟାତ୍ମିକ ଭାବ ଧାରଣ କରିବାର ଚେଷ୍ଟା ମାତ୍ର । ହିନ୍ଦୁମାନଙ୍କର ଅନେକ ଦୋଷ ଅଛି, ଅନେକ ବୈଶିଷ୍ଟ୍ୟ ମଧ୍ୟ ଅଛି; କିନ୍ତୁ ଏହା ଲକ୍ଷ୍ୟ କରିବାର ବିଷୟ ଯେ ସେମାନେ ସର୍ବଦା ନିଜ ଦେହକୁ ପୀଡ଼ା ଦିଅନ୍ତି, ସେମାନେ ପ୍ରତିବେଶୀଙ୍କର ଅନିଷ୍ଟ କରନ୍ତି ନାହିଁ । କୌଣସି କୌଣସି ଧର୍ମୋନ୍ମାଦ ହିନ୍ଦୁ ଚିତାଗ୍ନିରେ ନିଜ ଦେହକୁ ଦଗ୍ଧ କରନ୍ତି ସତ, କିନ୍ତୁ ସେମାନେ ବିଧର୍ମୀମାନଙ୍କୁ ଶାସ୍ତି ଦେବା ପାଇଁ କେବେ ହେଁ ଅଗ୍ନି ପ୍ରଜ୍ଜ୍ୱଳିତ କରନ୍ତି ନାହିଁ; ଏହାକୁ ଯଦି ତାଙ୍କର ଦୁର୍ବଳତା କୁହ, ତେବେ ସେ ଦୋଷ ତାଙ୍କ ଧର୍ମର ନୁହେଁ; ଯେପରି ଡାହାଣୀ ପୋଡ଼ିବାର ଦୋଷ ଖ୍ରୀଷ୍ଟଧର୍ମ ଉପରେ ଦିଆଯାଇପାରେ ନାହିଁ ।
ଅତଏବ ହିନ୍ଦୁମାନଙ୍କ ମତରେ ସମଗ୍ର ଧର୍ମ-ଜଗତ ନାନା ରୁଚି ବିଶିଷ୍ଟ ନରନାରୀଙ୍କର ନାନା ଅବସ୍ଥା ଓ ପରିବେଶ ମଧ୍ୟ ଦେଇ ସେହି ଏକ ଲକ୍ଷ୍ୟକୁ ଅଗ୍ରସର ହେବା ବ୍ୟତୀତ ଆଉ କିଛି ନୁହେଁ । ପ୍ରତ୍ୟେକ ଧର୍ମ ହିଁ ଜଡ଼ଭାବାପନ୍ନ ମନୁଷ୍ୟର ଦେବତ୍ୱକୁ ବିକଶିତ କରେ ଏବଂ ସେହି ଏକ ଚୈତନ୍ୟସ୍ୱରୂପ ଈଶ୍ୱର ହିଁ ସକଳ ଧର୍ମର ପ୍ରେରଣାଦାତା । ତେବେ ଏତେ ପରସ୍ପର ବିରୋଧୀ ଭାବସବୁ କାହିଁକି ରହିଛି ? ହିନ୍ଦୁମାନେ କହନ୍ତି ଆପାତଦୃଷ୍ଟିରେ, ଭିନ୍ନ ଭିନ୍ନ ପରିବେଶରେ, ବିଭିନ୍ନ ପ୍ରକୃତିର ମନୁଷ୍ୟମାନଙ୍କର ଉପଯୋଗୀ ହେବା ପାଇଁ ସେହି ଏକ ସତ୍ୟ ହିଁ ଏପରି ପରସ୍ପର ବିରୋଧୀଭାବ ଧାରଣ କରେ ।
ଏକ ଆଲୋକ ଭିନ୍ନ ଭିନ୍ନ ବର୍ଣ୍ଣର କାଚ ମଧ୍ୟ ଦେଇ ଆସୁଅଛି । ସମସ୍ତଙ୍କର ଉପଯୋଗୀ ହେବ ବୋଲି ଏହି ସାମାନ୍ୟ ବିଭିନ୍ନତାର ପ୍ରୟୋଜନ । କିନ୍ତୁ ସବୁର ଅନ୍ତସ୍ଥଳରେ ସେହି ଏକ ସତ୍ୟ ବିରାଜମାନ । ଶ୍ରୀକୃଷ୍ଣ ଅବତାରରେ ଭଗବାନ କହିଛନ୍ତି : ସୂତ୍ର ଯେପରି ମଣିଗଣ ମଧ୍ୟରେ, ମୁଁ ବି ସେହିପରି ସବୁଧର୍ମ ମଧ୍ୟରେ ଅନୁସ୍ୟୂତ । ଯାହା କିଛି ଅତିଶୟ ପବିତ୍ର ଓ ପ୍ରଭାବଶାଳୀ, ମାନବଜାତିର ଉନ୍ନତିକାରକ ଓ ପାବନକାରୀ, ଜାଣିବ ସେଠାରେ ମୁଁ ଅଛି । ଏହି ଶିକ୍ଷାର ତାତ୍ପର୍ଯ୍ୟ କଣ ? ମୁଁ ସାହସ କରି କହୁଛି, ସମୁଦାୟ ସଂସ୍କୃତ ଦର୍ଶନଶାସ୍ତ୍ର ମଧ୍ୟରେ ଏପରି ଭାବ କେହି ଦେଖାଇ ପାରିବେ ନାହିଁ ଯେ, ଏକମାତ୍ର ହିନ୍ଦୁ ମୁକ୍ତିର ଅଧିକାରୀ, ଆଉ କେହି ନୁହଁନ୍ତି । ବ୍ୟାସ କହିଛନ୍ତି, ‘ଆମ ଜାତି ଓ ଧର୍ମମତର ସୀମା ବାହାରେ ମଧ୍ୟ ଆମେ ସିଦ୍ଧପୁରୁଷ ଦେଖିବାକୁ ପାଉ ।’
ଆଉ ଗୋଟିଏ କଥା । କେହି ଏହିପରି ପ୍ରଶ୍ନ କରିପାରନ୍ତି ଯେ, ସର୍ବତୋଭାବରେ ଈଶ୍ୱରପରାୟଣ ହିନ୍ଦୁଗଣ କିପରି ଅଜ୍ଞେୟବାଦୀ ବୌଦ୍ଧ ଓ ନିରୀଶ୍ୱରବାଦୀ ଜୈନମାନଙ୍କ ମତରେ ବିଶ୍ୱାସ ସ୍ଥାପନ କରିପାରନ୍ତି ? ବୌଦ୍ଧ ଓ ଜୈନମାନେ ଈଶ୍ୱରଙ୍କ ଉପରେ ନିର୍ଭର କରି ନାହାନ୍ତି ସତ; କିନ୍ତୁ ସକଳ ଧର୍ମରେ ସେହି ଏକ ମହାନ୍ ମୂଳ ତତ୍ତ୍ୱ ହେଉଛି ମଣିଷ ଭିତରେ ଦେବତ୍ୱକୁ ବିକଶିତ କରିବା, ସେମାନଙ୍କ ଧର୍ମର ସକଳ ଶକ୍ତି ମଧ୍ୟ ଏଥିପାଇଁ ନିୟୋଜିତ ହୁଏ । ସେମାନେ ଜଗତପିତାଙ୍କୁ ଦେଖି ନାହାନ୍ତି, କିନ୍ତୁ ତାଙ୍କର ପୁତ୍ରଙ୍କୁ (ଆଦର୍ଶ ମାନବଙ୍କୁ) ଦେଖିଛନ୍ତି ଏବଂ ‘ଯିଏ ପୁତ୍ରଙ୍କୁ ଦେଖିଛନ୍ତି, ସେ ପିତାଙ୍କୁ ମଧ୍ୟ ଦେଖିଛନ୍ତି ।’
ଭ୍ରାତୃଗଣ ! ଏହା ହିଁ ହିନ୍ଦୁମାନଙ୍କର ଧର୍ମବିଷୟକ ଧାରଣାଗୁଡ଼ିକର ସଂକ୍ଷିପ୍ତ ବିବରଣୀ । ହିନ୍ଦୁମାନେ ହୁଏତ ତାଙ୍କର ସବୁ ପରିକଳ୍ପନା କାର୍ଯ୍ୟରେ ପରିଣତ କରିପାରି ନାହାନ୍ତି; କିନ୍ତୁ ଯଦି କେବେ ଗୋଟିଏ ସାର୍ବଜନୀନ ଧର୍ମର ଉଦ୍ଭବ ହୁଏ, ତେବେ ତାହା କେବେ କୌଣସି ଦେଶ ବା କାଳରେ ସୀମାବଦ୍ଧ ହେବ ନାହିଁ, ଯେଉଁ ଅସୀମ ଭଗବାନଙ୍କ ବିଷୟ ସେହି ଧର୍ମଦ୍ୱାରା ପ୍ରଚାରିତ ହେବ, ସେହି ଧର୍ମକୁ ମଧ୍ୟ ତାଙ୍କରି ପରି ଅସୀମ ହେବାକୁ ହେବ । ସେହି ଧର୍ମ ସୂର୍ଯ୍ୟଭକ୍ତ, କୃଷ୍ଣଭକ୍ତ, ଖ୍ରୀଷ୍ଟଭକ୍ତ, ସାଧୁ-ଅସାଧୁ-ସମସ୍ତଙ୍କ ଉପରେ ସମଭାବରେ ସ୍ୱୀୟ କିରଣଜାଲ ବିସ୍ତାର କରିବ । ସେହି ଧର୍ମ ଖାଲି ବ୍ରାହ୍ମଣ ବା ବୌଦ୍ଧ, ଖ୍ରୀଷ୍ଟିୟାନ ବା ମୁସଲମାନ୍ଙ୍କର ହେବ ନାହିଁ, ପରନ୍ତୁ ସକଳ ଧର୍ମର ସମଷ୍ଟିରୂପ ହେବ, ଅଥଚ ତହିଁରେ ଉନ୍ନତିର ସୀମାହୀନ ଅବକାଶ ରହିବ; ସ୍ୱୀୟ ଉଦାରତାବଶତଃ ସେହି ଧର୍ମ ଅସଂଖ୍ୟ ପ୍ରସାରିତ ହସ୍ତରେ ପୃଥିବୀର ସମସ୍ତ ନରନାରୀଙ୍କୁ ସାଦର ଆଲିଙ୍ଗନ କରିବ; ପଶୁତୁଲ୍ୟ ଅତି ହୀନ ବର୍ବର ମଣିଷଠାରୁ ଆରମ୍ଭ କରି ହୃଦୟ ଓ ମସ୍ତିଷ୍କର ଗୁଣରାଶି ପାଇଁ ଯେଉଁମାନେ ସମଗ୍ର ମାନବଜାତିର ଊର୍ଦ୍ଧ୍ୱରେ ସ୍ଥାନ ପାଇଛନ୍ତି, ସମାଜ ଯେଉଁମାନଙ୍କୁ ସାଧାରଣ ମଣିଷ କହିବାକୁ ସାହସ ନ କରି ସଶ୍ରଦ୍ଧ ଭୟରେ ଦେଖନ୍ତି-ସେହି ସକଳ ଶ୍ରେଷ୍ଠ ମଣିଷ ପର୍ଯ୍ୟନ୍ତ ସମସ୍ତଙ୍କୁ ସ୍ୱୀୟ ଅଙ୍କରେ ସ୍ଥାନ ଦେବ । ସେହି ଧର୍ମର ନୀତିରେ କାହାପ୍ରତି ବିଦ୍ୱେଷ ବା ଉତ୍ପୀଡ଼ନର ସ୍ଥାନ ରହିବ ନାହିିଁଁ । ତାହାଦ୍ୱାରା ପ୍ରତ୍ୟେକ ନରନାରୀଙ୍କର ଦେବସ୍ୱଭାବ ସ୍ୱୀକୃତ ହେବ ଏବଂ ଏହାର ସମଗ୍ର ଶକ୍ତି ମଣିଷ ଜାତିକୁ ଦେବସ୍ୱଭାବ ଉପଲବ୍ଧି କରିବାକୁ ସହାୟତା କରିବା ପାଇଁ ସତତ ନିଯୁକ୍ତ ରହିବ ।
ଏପରି ଏକ ଧର୍ମ ଉପସ୍ଥାପିତ କର, ଯେପରି ସକଳ ଜାତି ତୁମର ଅନୁବର୍ତ୍ତୀ ହେବେ । ଅଶୋକଙ୍କର ଧର୍ମସଭା କେବଳ ବୌଦ୍ଧଧର୍ମ ପାଇଁ ହୋଇଥିଲା । ଆକବରଙ୍କର ଧର୍ମସଭା ଏହି ଉଦ୍ଦେଶ୍ୟର ନିକଟବର୍ତ୍ତୀ ହେଲେ ମଧ୍ୟ ଏହା ବୈଠକଖାନାର ଆଲୋଚନା ମାତ୍ର ହୋଇ ରହିଲା । ପ୍ରତ୍ୟେକ ଧର୍ମରେ ହିଁ ଈଶ୍ୱର ଅଛନ୍ତି-ସମଗ୍ର ଜଗତରେ ଏକଥା ଘୋଷଣା କରିବାର ଦାୟିତ୍ୱ କେବଳ ଆମେରିକା ପାଇଁ ସଂରକ୍ଷିତ ଥିଲା ।
ଯିଏ ହିନ୍ଦୁମାନଙ୍କର ବ୍ରହ୍ମ, ପାରସିକମାନଙ୍କର ଆହୁର୍-ମଜାଦା, ବୌଦ୍ଧମାନଙ୍କର ବୁଦ୍ଧ, ଇହୁଦୀମାନଙ୍କର ଜିହୋବା, ଖ୍ରୀଷ୍ଟିୟାନମାନଙ୍କର ‘ସ୍ୱର୍ଗସ୍ଥ ପିତା’, ସେ ଏହି ମହତ୍-ଭାବ କାର୍ଯ୍ୟରେ ପରିଣତ କରିବାର ଶକ୍ତି ତୁମମାନଙ୍କୁ ପ୍ରଦାନ କରନ୍ତୁ । ପୂର୍ବ ଗଗନରେ ନକ୍ଷତ୍ର ଉଦିତ ହେଲା-କେତେବେଳେ ଉଜ୍ଜ୍ୱଳ, କେତେବେଳେ ଅସ୍ପଷ୍ଟ ହୋଇ ଧୀରେ ଧୀରେ ଏହା ପଶ୍ଚିମ ଦିଗକୁ ଯିବାକୁ ଲାଗିଲା । କ୍ରମେ ସମଗ୍ର ଜଗତ୍ ପ୍ରଦକ୍ଷିଣ କରି ପୂର୍ବାପେକ୍ଷା ସହସ୍ର ଗୁଣ ଉଜ୍ଜ୍ୱଳ ହୋଇ ପୁନରାୟ ପୂର୍ବ ଗଗନରେ ସ୍ୟାନ୍ପୋର ସୀମାନ୍ତରୁ ଏହା ଉଦିତ ହେଉଛି ।
ସ୍ୱାଧୀନତାର ମାତୃଭୂମି କଲମ୍ବିୟା ! ତୁମେ କେବେହେଲେ ପ୍ରତିବେଶୀର ଶୋଣିତରେ ନିଜ ହସ୍ତ ରଞ୍ଜିତ କରି ନାହଁ, ପ୍ରତିବେଶୀର ସର୍ବସ୍ୱ ଅପହରଣ କରି ଧନଶାଳୀ ହେବାର ସହଜ ପନ୍ଥା ଆବିଷ୍କାର କରି ନାହଁ; ସଭ୍ୟତାର ପୁରୋଭାଗରେ ସମନ୍ୱୟର ପତାକା ବହନ କରି ବୀରଦର୍ପରେ ଅଗ୍ରସର ହେବାର ଦାୟିତ୍ୱ ତେଣୁ ତୁମ ଉପରେ ହିଁ ନ୍ୟସ୍ତ ହୋଇଛି ।
***
[ ୨୦ ସେପ୍ଟେମ୍ବର, ଦଶମ ଦିବସର ଅଧିବେଶନରେ ପ୍ରଦତ୍ତ ଭାଷଣ ]
ଖ୍ରୀଷ୍ଟିଆନମାନେ ସର୍ବଦା ସ୍ପଷ୍ଟ କଥା ଶୁଣିବା ପାଇଁ ପ୍ରସ୍ତୁତ ରହିବା ଉଚିତ୍ ଏବଂ ମୋର ବୋଧହୁଏ, ଯଦି ମୁଁ ତୁମମାନଙ୍କର ଟିକିଏ ସମାଲୋଚନା କରେ, ତହିଁରେ ତୁମେ କିଛି ମନେ କରିବ ନାହିଁ । ତୁମେ ଖ୍ରୀଷ୍ଟିଆନମାନେ ପୌତ୍ତଳିକମାନଙ୍କର ଆତ୍ମାକୁ ଉଦ୍ଧାର କରିବା ଉଦ୍ଦେଶ୍ୟରେ ସେମାନଙ୍କ ନିକଟକୁ ଧର୍ମପ୍ରଚାରକ ପଠାଇବା ପାଇଁ ଖୁବ୍ ଉଦ୍ଗ୍ରୀବ; କିନ୍ତୁ କହ ଦେଖି, ଅନାହାର ଓ ଦୁର୍ଭିକ୍ଷ କବଳରୁ ସେମାନଙ୍କ ଦେହଗୁଡ଼ିକୁ ବଞ୍ଚାଇବା ପାଇଁ କିଛି ଚେଷ୍ଟା କର ନାହିଁ କାହିଁକି ? ଭାରତବର୍ଷରେ ଭୟଙ୍କର ଦୁର୍ଭିକ୍ଷ ସମୟରେ ସହସ୍ର ସହସ୍ର ମଣିଷ କ୍ଷୁଧାରୁ ମୃତ୍ୟୁମୁଖରେ ପତିତ ହୁଅନ୍ତି; କିନ୍ତୁ ତୁମେ ଖ୍ରୀଷ୍ଟିଆନମାନେ କିଛି ହେଲେ କରି ନାହଁ । ତୁମେ ଭାରତର ସର୍ବତ୍ର ଗୀର୍ଜା ନିର୍ମାଣ କର । ପ୍ରାଚ୍ୟ ଜଗତରେ ସର୍ବାଧିକ ଅଭାବ ବସ୍ତୁ ଧର୍ମ ନୁହେଁ, କାରଣ ଧର୍ମ ତାଙ୍କର ପ୍ରଚୁର ପରିମାଣରେ ଅଛି । ଭାରତର କୋଟି କୋଟି ଆର୍ତ୍ତ ନରନାରୀ ଶୁଷ୍କ କଣ୍ଠରେ କେବଳ ଅନ୍ନମୁଠିଏ ଚାହୁଁଛନ୍ତି । ସେମାନେ ଅନ୍ନ ଚାହୁଁଛନ୍ତି, ଆଉ ଆମେ ତାଙ୍କୁ ପ୍ରସ୍ତରଖଣ୍ଡ ଦେଉଛୁ । କ୍ଷୁଧାର୍ତ୍ତ ମଣିଷକୁ ଧର୍ମକଥା ଶୁଣାଇବା ବା ଦର୍ଶନଶାସ୍ତ୍ର ଶିଖାଇବା ଅର୍ଥ ତାହାକୁ ଅପମାନିତ କରିବା । ଭାରତରେ ଯଦି କେହି ପାରିଶ୍ରମିକ ନେଇ ଧର୍ମପ୍ରଚାର କରେ, ତେବେ ତାକୁ ଜାତିଚ୍ୟୁତ ହେବାକୁ ପଡ଼େ, ସମସ୍ତେ ତାକୁ ଘୃଣା କରନ୍ତି । ମୁଁ ମୋ ଦରିଦ୍ର ଦେଶବାସୀଙ୍କ ପାଇଁ ତୁମମାନଙ୍କ ନିକଟରୁ ସାହାଯ୍ୟ ମାଗିବାକୁ ଆସିଥିଲି, କିନ୍ତୁ ଖ୍ରୀଷ୍ଟିଆନ ଦେଶରେ ଖ୍ରୀଷ୍ଟିଆନମାନଙ୍କ ନିକଟରୁ ଅଣଖ୍ରୀଷ୍ଟିଆନମାନଙ୍କ ପାଇଁ ସାହାଯ୍ୟ ଲାଭ କରିବା ଯେ କି ଦୁରୂହ କଥା, ଏବେ ବିଶେଷଭାବରେ ତାହା ଉପଲବ୍ଧି କରୁଛି ।
[ ଶେଷରେ ସନାତନ ଧର୍ମର ପୁନର୍ଜନ୍ମବାଦ ସମ୍ବନ୍ଧରେ କିଛି କହି ସେ ବକ୍ତୃତା ଶେଷ କଲେ ।
***
[୨୨ ସେପ୍ଟେମ୍ବର ଶୁକ୍ରବାର ଦ୍ୱାଦଶ ଦିବସର ଅଧିବେଶନରେ ହିନ୍ଦୁଧର୍ମ ସମ୍ବନ୍ଧରେ ଅନେକ କଥା କୁହା ହୋଇଥିଲା । ସେହିଦିନ ସ୍ୱାମୀ ବିବେକାନନ୍ଦ ସନାତନ ଧର୍ମ ସମ୍ବନ୍ଧରେ ଅନେକ କଥା କହିଥିଲେ । ନାନା ମତାବଲମ୍ବୀ ନରନାରୀମାନେ ଅତିଶୟ ଆଗ୍ରହ ସହକାରେ ତାଙ୍କୁ ବହୁ ଧର୍ମବିଷୟକ ପ୍ରଶ୍ନ କରିଥିଲେ । ସେ ମଧ୍ୟ ତତ୍କ୍ଷଣାତ୍ ଅତି ନିପୁଣତାର ସହିତ ସେହି ସକଳ ପ୍ରଶ୍ନର ଉତ୍ତର ଦେଇ ସେମାନଙ୍କର କୌତୁହଳ ଚରିତାର୍ଥ କରିଥିଲେ । ସେଦିନ ସ୍ୱାମୀଜୀ ସେମାନଙ୍କ ହୃଦୟରେ ହିନ୍ଦୁଧର୍ମ ସମ୍ବନ୍ଧରେ ଏପରି କୌତୁହଳ ଉଦ୍ଦୀପିତ କରିଥିଲେ ଯେ, ସେମାନେ ସମସ୍ତେ ସମବେତ ହୋଇ ତାଙ୍କୁ ସନାତନ ଧର୍ମ ସମ୍ବନ୍ଧରେ ଦିନେ ଅନ୍ୟତ୍ର ବକ୍ତୃତା ଦେବା ପାଇଁ ଅନୁରୋଧ କରିଥିଲେ ଏବଂ ସ୍ୱାମୀଜୀ ସେଥିରେ ସ୍ୱୀକୃତି ପ୍ରଦାନ କରିଥିଲେ ।]
***
[୨୬ ସେପ୍ଟେମ୍ବର, ଷୋଡ଼ଶ ଦିବସର ଅଧିବେଶନରେ ପ୍ରଦତ୍ତ ବକ୍ତୃତା]
ଆପଣମାନେ ସମସ୍ତେ ଶୁଣିଛନ୍ତି ଯେ ମୁଁ ବୌଦ୍ଧ ନୁହେଁ, ତଥାପି ଏକ ଭାବରେ ମୁଁ ବୌଦ୍ଧ । ଚୀନ, ଜାପାନ, ଓ ସିଂହଳ ସେହି ମହାନଗୁରୁ ବୁଦ୍ଧଙ୍କର ଉପଦେଶ ଅନୁସରଣ କରନ୍ତି, କିନ୍ତୁ ଭାରତ ତାଙ୍କୁ ଈଶ୍ୱରାବତାର ବୋଲି ପୂଜା କରେ । ଆପଣମାନେ ବର୍ତ୍ତମାନ ଶୁଣିଲେ ଯେ, ମୁଁ ବୌଦ୍ଧଧର୍ମର ସମାଲୋଚନା କରିବାକୁ ଉଠିଛି; କିନ୍ତୁ ମୁଁ ଚାହେଁ ଯେ ଆପଣମାନେ ଏହା ପୂର୍ବୋକ୍ତ ଅର୍ଥରେ ହିଁ ଗ୍ରହଣ କରିବେ । ଯାହାଙ୍କୁ ମୁଁ ଈଶ୍ୱରାବତାର ବୋଲି ପୂଜା କରେ, ତାଙ୍କ ବିରୋଧରେ ସମାଲୋଚନା କରିବା ମୋର ଅଭିପ୍ରାୟ ନୁହେଁ । ବୁଦ୍ଧଦେବଙ୍କ ସମ୍ବନ୍ଧରେ ଆମର ମତ ହେଉଛି-ତାଙ୍କର ଶିଷ୍ୟଗଣ ତାଙ୍କୁ ଠିକ୍ ଠିକ୍ ବୁଝିପାରି ନାହାନ୍ତି । ଇହୁଦୀ ଧର୍ମ ସହିତ ଖ୍ରୀଷ୍ଟିୟାନ ଧର୍ମର ଯେଉଁ ସମ୍ବନ୍ଧ, ହିନ୍ଦୁଧର୍ମ ଅର୍ଥାତ୍ ବେଦବିହିତ ଧର୍ମ ସହିତ ବର୍ତ୍ତମାନ ଯୁଗର ବୌଦ୍ଧଧର୍ମର ପ୍ରାୟ ସେହିପରି ସମ୍ବନ୍ଧ । ଯୀଶୁଖ୍ରୀଷ୍ଟ ଇହୁଦୀ ଥିଲେ ଓ ଶାକ୍ୟମୁନି ହିନ୍ଦୁ ଥିଲେ, ତେବେ ପ୍ରଭେଦ ଏତିକି ଯେ ଇହୁଦୀମାନେ ଯୀଶୁଙ୍କୁ ପରିତ୍ୟାଗ କରିଥିଲେ ଏବଂ ଏପରିକି କ୍ରୁଶରେ ବିଦ୍ଧ କରି ତାଙ୍କୁ ହତ୍ୟା କଲେ; କିନ୍ତୁ ହିନ୍ଦୁମାନେ ଶାକ୍ୟମୁନିଙ୍କୁ ଈଶ୍ୱରଙ୍କର ଅବତାର ଭାବରେ ଗ୍ରହଣ କରି ଆଜି ପର୍ଯ୍ୟନ୍ତ ପୂଜା କରନ୍ତି । କିନ୍ତୁ ଆଧୁନିକ ବୌଦ୍ଧଧର୍ମ ସହିତ ବୁଦ୍ଧଦେବଙ୍କର ପ୍ରକୃତ ଶିକ୍ଷାର ଯେଉଁ ପାର୍ଥକ୍ୟ, ଆମେ ହିନ୍ଦୁମାନେ ଦେଖାଇବାକୁ ଚାହୁଁ, ତାହା ପ୍ରଧାନତଃ ଏହା ଯେ, ଶାକ୍ୟମୁନି ନୂତନ କିଛି ପ୍ରଚାର କରିବାକୁ ଆସି ନ ଥିଲେ; ଯୀଶୁଙ୍କ ପରି ସେ ମଧ୍ୟ ‘ପୂର୍ଣ୍ଣ କରିବା ପାଇଁ ଆସିଥିଲେ, ଧ୍ୱଂସ କରିବାକୁ ନୁହେଁ ।’ ପ୍ରଭେଦ କେବଳ ଏତିକି ଯେ, ଯୀଶୁଙ୍କ କ୍ଷେତ୍ରରେ ପ୍ରାଚୀନମାନେ ଅର୍ଥାତ୍ ଇହୁଦୀମାନେ ହିଁ ତାଙ୍କୁ ବୁଝିପାରି ନାହାନ୍ତି, ଆଉ ବୁଦ୍ଧଦେବଙ୍କ କ୍ଷେତ୍ରରେ ତାଙ୍କରି ଶିଷ୍ୟମାନେ ତାଙ୍କ ଶିକ୍ଷାର ମର୍ମ ବୁଝିପାରି ନାହାନ୍ତି । ଇହୁଦୀମାନେ ଯେପରି (ଯୀଶୁଙ୍କ ମଧ୍ୟରେ) ଓଲ୍ଡ଼ ଟେଷ୍ଟାମେଣ୍ଟର ପୂର୍ଣ୍ଣ ପରିଣତି ବୁଝିପାରି ନାହାନ୍ତି, ବୌଦ୍ଧଗଣ ମଧ୍ୟ ସେହିପରି (ବୁଦ୍ଧଙ୍କ ମଧ୍ୟରେ) ହିନ୍ଦୁଧର୍ମର ସତ୍ୟଗୁଡ଼ିକର ପୂର୍ଣ୍ଣ ପରିଣତି ବୁଝିପାରି ନାହାନ୍ତି । ମୁଁ ପୁଣି କହୁଛି-ଶାକ୍ୟମୁନି ପୂର୍ଣ୍ଣ କରିବାକୁ ଆସିଥିଲେ, ଧ୍ୱଂସ କରିବାକୁ ନୁହେଁ; ସେ ଥିଲେ ହିନ୍ଦୁଧର୍ମର ସ୍ୱାଭାବିକ ପରିଣତି ଓ ଯୁକ୍ତି ସଂଗତ ସିଦ୍ଧାନ୍ତ, ନ୍ୟାୟସମ୍ମତ ବିକାଶ ।
ହିନ୍ଦୁମାନଙ୍କର ଧର୍ମ ଦୁଇ ଭାଗରେ ବିଭକ୍ତ-କର୍ମକାଣ୍ଡ ଓ ଜ୍ଞାନକାଣ୍ଡ । ସନ୍ନ୍ୟାସୀମାନେ ଜ୍ଞାନକାଣ୍ଡର ଆଲୋଚନା କରିଥାଆନ୍ତି; ଏଥିରେ ଜାତିଭେଦ ନାହିିଁଁ । ଭାରତରେ ଯେପରି ଉଚ୍ଚତମ ବର୍ଣ୍ଣର ମଣିଷ ସନ୍ନ୍ୟାସୀ ହୋଇପାରେ, ସେହିପରି ନିମ୍ନତର ବର୍ଣ୍ଣର ମଣିଷ ମଧ୍ୟ ସନ୍ନ୍ୟାସୀ ହୋଇପାରେ । ସେତେବେଳେ ଉଭୟ ଜାତି ହିଁ ସମାନ ହୋଇଯାଆନ୍ତି । ଧର୍ମରେ ଜାତିଭେଦ ନାହିଁ; ଜାତିଭେଦ କେବଳ ଗୋଟିଏ ସାମାଜିକ ବ୍ୟବସ୍ଥା ମାତ୍ର । ଶାକ୍ୟମୁନି ସ୍ୱୟଂ ସନ୍ନ୍ୟାସୀ ଥିଲେ ଏବଂ ତାଙ୍କ ହୃଦୟ ଏତେ ଉଦାର ଥିଲା ଯେ ବେଦ ମଧ୍ୟରେ ଲୁକ୍କାୟିତ ସତ୍ୟକୁ ବାହାର କରି ସେ ସେଗୁଡ଼ିକ ସମଗ୍ର ପୃଥିବୀ ସମକ୍ଷରେ ବିତରଣ କଲେ । ଏହା ହିଁ ତାଙ୍କର ଗୌରବ । ପୃଥିବୀରେ ଧର୍ମ ପ୍ରଚାରର ସେ ପ୍ରଥମ ପ୍ରବର୍ତ୍ତକ; କେବଳ ତାହା ନୁହେଁ, ଧର୍ମାନ୍ତରିତ କରିବାର କଥା ତାଙ୍କରି ମନରେ ପ୍ରଥମେ ଉଦିତ ହୋଇଥିଲା ।
ସମସ୍ତଙ୍କ ପ୍ରତି, ବିଶେଷତଃ ଅଜ୍ଞାନୀ ଓ ଦରିଦ୍ରଗଣଙ୍କ ପ୍ରତି ଅଦ୍ଭୁତ ସହାନୁଭୂତିରେ ହିଁ ତାଙ୍କର ଗୌରବ । ତାଙ୍କର କେତେ ଜଣ ଶିଷ୍ୟ ବ୍ରାହ୍ମଣ ଥିଲେ । ଯେଉଁ ସମୟରେ ବୁଦ୍ଧ ଶିକ୍ଷା ଦେଉଥିଲେ, ସେସମୟରେ ସଂସ୍କୃତ ଆଉ ଭାରତର କଥିତ ଭାଷା ନ ଥିଲା, ଏହା ସେସମୟରେ କେବଳ ପଣ୍ଡିତମାନଙ୍କର ପୁସ୍ତକରେ ନିବଦ୍ଧ ଥିଲା । ବୁଦ୍ଧଦେବଙ୍କର କେହି କେହି ବ୍ରାହ୍ମଣ-ଶିଷ୍ୟ ତାଙ୍କର ଉପଦେଶଗୁଡ଼ିକୁ ସଂସ୍କୃତରେ ଅନୁବାଦ କରିବାକୁ ଚାହିଁଥିଲେ । ବୁଦ୍ଧଦେବ ସ୍ପଷ୍ଟ ଭାଷାରେ କହିଥିଲେ, ‘‘ମୁଁ ଦରିଦ୍ରମାନଙ୍କ ପାଇଁ, ଜନସାଧାରଣଙ୍କ ପାଇଁ ଆସିଛି । ମୁଁ ଜନସାଧାରଣଙ୍କ ଭାଷାରେ ହିଁ କହିବି ।’’ ଆଜି ପର୍ଯ୍ୟନ୍ତ ତାଙ୍କର ଅଧିକାଂଶ ଉପଦେଶ ସେହି ସମୟର ପ୍ରଚଳିତ ଭାଷାରେ ଲିଖିତ ।
ଦର୍ଶନଶାସ୍ତ୍ର ଓ ତତ୍ତ୍ୱବିଦ୍ୟା ଯେତେ ଉଚ୍ଚ ଆସନ ଗ୍ରହଣ କରୁନା କାହିଁକି, ଯେତେଦିନ ଯାଏ ଜଗତରେ ମୃତ୍ୟୁ ବୋଲି କଥାଟି ରହିଥିବ, ଯେତେଦିନ ମାନବ ହୃଦୟରେ ଦୁର୍ବଳତା ବୋଲି କିଛି ରହିଥିବ, ଯେତେଦିନ ଚରମ ଦୁର୍ବଳତା ଯୋଗୁଁ ମନୁଷ୍ୟଙ୍କର ମର୍ମସ୍ଥଳରୁ ରୋଦନ ଧ୍ୱନି ଉତ୍ଥିତ ହେଉଥିବ, ସେତେଦିନ ପର୍ଯ୍ୟନ୍ତ ଈଶ୍ୱରଙ୍କ ଉପରେ ଆମର ବିଶ୍ୱାସ ମଧ୍ୟ ରହିବ ।
ଦର୍ଶନଶାସ୍ତ୍ରର ଦୃଷ୍ଟିରୁ ସେହି ଲୋକଗୁରୁ ବୁଦ୍ଧଙ୍କର ଶିଷ୍ୟଗଣ ବେଦରୂପ ସନାତନ ଶୈଳ ଉପରେ ସବେଗରେ ପତିତ ହେଲେ, କିନ୍ତୁ ତାହାକୁ ଚୂର୍ଣ୍ଣ କରିପାରିଲେ ନାହିିଁଁ । ଅନ୍ୟ ଦିଗରୁ ଦେଖିଲେ, ଯେଉଁ ସନାତନ ଈଶ୍ୱରଙ୍କୁ ନରନାରୀ ସବୁ ସାଦରରେ ଧରି ରଖନ୍ତି, ତାଙ୍କୁ ସମଗ୍ର ଜାତି ନିକଟରୁ ଅପସୃତ କଲେ । ଏହା ଫଳରେ ଭାରତବର୍ଷରେ ବୌଦ୍ଧଧର୍ମର ସ୍ୱାଭାବିକ ମୃତ୍ୟୁ ହୋଇଥିଲା । ବର୍ତ୍ତମାନ ବୌଦ୍ଧଧର୍ମର ଜନ୍ମଭୂମି ଭାରତରେ ଏପରି ଜଣେ ହେଲେ କେହି ନାହାନ୍ତି, ଯେ ନିଜକୁ ବୌଦ୍ଧ ବୋଲି ପରିଚୟ ଦେବେ । କିନ୍ତୁ ତତ୍କାଳୀନ ବ୍ରାହ୍ମଣ୍ୟଧର୍ମ ମଧ୍ୟ କେତେକ ବିଷୟରେ କ୍ଷତିଗ୍ରସ୍ତ ହେଲା । ସମାଜ ସଂସ୍କାର ପାଇଁ ସେହି ଆଗ୍ରହ, ସମସ୍ତଙ୍କ ପ୍ରତି ସେହି ଅପୂର୍ବ ସହାନୁଭୂତି ଓ ଦୟା, ସର୍ବସାଧାରଣଙ୍କ ଭିତରେ ବୌଦ୍ଧଧର୍ମ ଯେଉଁ ବ୍ୟାପକ ପରିବର୍ତ୍ତନର ଭାବ ପ୍ରବାହିତ କରି ଦେଇଥିଲା, ତାହା ଭାରତୀୟ ସମାଜକୁ ଏତେ ଦୂର ଉନ୍ନତ ଓ ମହାନ୍ କରିଥିଲା ଯେ, ତଦାନୀନ୍ତନ ଭାରତବର୍ଷ ସମ୍ବନ୍ଧରେ ଲେଖିବାକୁ ଯାଇ ଜଣେ ଗ୍ରୀକ୍ ଐତିହାସିକଙ୍କୁ କହିବାକୁ ହୋଇଥିଲା, କୌଣସି ହିନ୍ଦୁ ମିଥ୍ୟା କହେ ବା କୌଣସି ହିନ୍ଦୁ ନାରୀ ଅସତୀ-ଏକଥା ଶୁଣାଯାଏ ନାହିିଁଁ ।
[ ସଭାମଞ୍ଚରେ ଯେଉଁ ସକଳ ବୌଦ୍ଧ ଉପବିଷ୍ଟ ଥିଲେ, ତାଙ୍କ ଆଡ଼କୁ ଚାହିଁ ବକ୍ତା କହିବାକୁ ଲାଗିଲେ: ]
ହେ ବୌଦ୍ଧଗଣ ! ବୌଦ୍ଧଧର୍ମ ଛଡ଼ା ହିନ୍ଦୁଧର୍ମ ବଞ୍ଚି ରହିପାରେ ନାହିଁ; ହିନ୍ଦୁଧର୍ମକୁ ଛାଡ଼ି ବୌଦ୍ଧଧର୍ମ ମଧ୍ୟ ବଞ୍ଚିପାରେ ନାହିିଁଁ । ଅତଏବ ଉପଲବ୍ଧି କରନ୍ତୁ ଯେ, ଆମମାନଙ୍କର ଏହି ବିଯୁକ୍ତ ବିଚ୍ଛିନ୍ନ ଭାବ ସ୍ପଷ୍ଟ ହିଁ ଦେଖାଇ ଦେଉଛି ଯେ ବ୍ରାହ୍ମଣର ଧୀ-ଶକ୍ତି ଓ ଦର୍ଶନ ଶାସ୍ତ୍ରର ସାହାଯ୍ୟ ନ ନେଇ ବୌଦ୍ଧମାନେ ଦୃଢ଼ତା ଲାଭ କରିପାରନ୍ତି ନାହିଁ ଏବଂ ବ୍ରାହ୍ମଣ ମଧ୍ୟ ବୌଦ୍ଧର ହୃଦୟ ଛଡ଼ା ତିଷ୍ଠି ପାରେ ନାହିଁ । ବୌଦ୍ଧ ଓ ବ୍ରାହ୍ମଣଙ୍କର ଏହି ବିଚ୍ଛେଦ ହିଁ ଭାରତବର୍ଷର ଅବନତିର କାରଣ । ଏଥିପାଇଁ ଆଜି ଭାରତବର୍ଷ ତିରିଶ କୋଟି ଭିକ୍ଷୁକର ବାସଭୂମିରେ ପରିଣତ ହୋଇଛି, ଏଥିପାଇଁ ସହସ୍ର ବର୍ଷଧରି ସେ ବିଜେତାମାନଙ୍କର ଦାସତ୍ୱ କରୁଛି । ଅତଏବ ଆସନ୍ତୁ, ଆମେ ବ୍ରାହ୍ମଣର ଅପୂର୍ବ ଧୀ-ଶକ୍ତି ସହିତ ଲୋକଗୁରୁ ବୁଦ୍ଧଙ୍କର ହୃଦୟ, ମହାନ୍ ଆତ୍ମା ଏବଂ ଅସାଧାରଣ ଲୋକ କଲ୍ୟାଣକାରୀ ଶକ୍ତିକୁ ଯୁକ୍ତ କରିଦେବା ।
***
[୨୭ ସେପ୍ଟେମ୍ବର, ସପ୍ତଦଶ (ଶେଷ) ଦିବସର ଅଧିବେଶନ]
ବିଶ୍ୱଧର୍ମ-ମହାସମ୍ମେଳନ ଏବେ ବାସ୍ତବରେ ରୂପାୟିତ ହୋଇଛି ଏବଂ ଯେଉଁମାନେ ଏହି ମହାସଭାକୁ କାର୍ଯ୍ୟକାରୀ କରିବା ପାଇଁ ପରିଶ୍ରମ କରିଥିଲେ, କରୁଣାମୟ ଈଶ୍ୱର ସେମାନଙ୍କୁ ସହାୟତା କରିଛନ୍ତି ଓ ତାଙ୍କର ନିଃସ୍ୱାର୍ଥ ପରିଶ୍ରମକୁ ସାଫଲ୍ୟମଣ୍ଡିତ କରିଛନ୍ତି ।
ଯେଉଁମାନଙ୍କର ପ୍ରଶସ୍ତ ହୃଦୟ ଏବଂ ସତ୍ୟାନୁରାଗ, ସ୍ୱପ୍ନ ତୁଲ୍ୟ ଏହି ଆଶ୍ଚର୍ଯ୍ୟ ଘଟଣାକୁ ସର୍ବପ୍ରଥମେ କଳ୍ପନା କରିଛି ଓ ତାହାକୁ କାର୍ଯ୍ୟରେ ପରିଣତ କରିଛିି, ମୁଁ ସେହି ମହାନୁଭବ ବ୍ୟକ୍ତିମାନଙ୍କୁ ଧନ୍ୟବାଦ ଦେଉଛି । ଏହି ସଭାମଞ୍ଚରୁ ଯେଉଁ ସକଳ ଉଦାର ଭାବ ପରିବେଷିତ ହୋଇଛି, ସେଥିପାଇଁ ମୁଁ କୃତଜ୍ଞ । ଏହି ଶିକ୍ଷିତ ଶ୍ରୋତୃମଣ୍ଡଳୀ ମୋ ପ୍ରତି ସମଭାବରେ ଦୟା ପ୍ରକାଶ କରିଛନ୍ତି ଏବଂ ଯେଉଁ ଭାବଗୁଡ଼ିକଦ୍ୱାରା ବିଭିନ୍ନ ଧର୍ମସମୂହର ବିବାଦ ମନ୍ଦୀଭୂତ ହୁଏ, ତାହା ସେମାନେ ଉପଲବ୍ଧି କରିଛନ୍ତି ଓ ସେଥିପାଇଁ ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି । ଏହି ସମତା ଓ ଶୃଙ୍ଖଳା ମଧ୍ୟରେ ବେଳେବେଳେ କିଛି ଶ୍ରୁତିକଟୁ ଧ୍ୱନି ମଧ୍ୟ ଶୁଣାଯାଇଛି ଏବଂ ମୁଁ ଏଥିପାଇଁ ବିଶେଷ ଭାବରେ କୃତଜ୍ଞ; କାରଣ ଏହି ବୈଷମ୍ୟଦ୍ୱାରା ସେମାନେ ଆମମାନଙ୍କର ମନୋଯୋଗ ଆକର୍ଷଣ କରିଛନ୍ତି ଏବଂ ଆମମାନଙ୍କ ମଧ୍ୟରେ ଯେଉଁ ସ୍ୱାଭାବିକ ସାମଞ୍ଜସ୍ୟ ରହିଛି, ତାହାକୁ ମଧୁରତର କରିବାରେ ସାହାଯ୍ୟ କରିଛନ୍ତି ।
ଧର୍ମସମନ୍ୱୟର ସାଧାରଣ ଭିତ୍ତିଭୂମି ସମ୍ବନ୍ଧରେ ଅନେକ କଥା କୁହାହୋଇଛି । ମୁଁ ବର୍ତ୍ତମାନ ସେବିଷୟରେ ମୋ ମତବାଦ ଉପସ୍ଥାପନ କରୁ ନାହିଁ । କିନ୍ତୁ ଯଦି ଏଠାରେ କେହି ଏପରି ଆଶା କରନ୍ତି ଯେ, ଏହି ଐକ୍ୟ-ପ୍ରଚଳିତ ବିଭିନ୍ନ ଧର୍ମଗୁଡ଼ିକ ମଧ୍ୟରୁ ଗୋଟିକର ଅଭ୍ୟୁଦୟ ଓ ଅପରଗୁଡ଼ିକର ବିନାଶ ଦ୍ୱାରା ସାଧିତ ହେବ, ତେବେ ତାଙ୍କୁ ମୁଁ କହେ, ‘ଭାଇ ! ଏହା ତୁମର ଦୁରାଶା ।’ ମୁଁ କ’ଣ ଇଚ୍ଛା କରେ ଯେ ଜଣେ ଖ୍ରୀଷ୍ଟିୟାନ ହିନ୍ଦୁ ହେଉ ? ଈଶ୍ୱର ତାହା ନ କରନ୍ତୁ । ମୋର କ’ଣ ଇଚ୍ଛା ଯେ, କୌଣସିି ହିନ୍ଦୁ, ବୌଦ୍ଧ ବା ଖ୍ରୀଷ୍ଟିୟାନ ହୁଅନ୍ତୁ ? ଭଗବାନ ତାହା ନ କରନ୍ତୁ ।
ଗୋଟିଏ ବୀଜ ଭୂମିରେ ପୋତା ହେଲା, ମୃତ୍ତିକା ବାୟୁ ଓ ଜଳ ତାହାର ଚତୁର୍ଦ୍ଦିଗରେ ରହିଛି । ତାହାହେଲେ ବୀଜଟି କ’ଣ ମୃତ୍ତିକା, ବାୟୁ ବା ଜଳରେ ପରିଣତ ହେବ ? ନା, ବରଂ ସେହି ବୀଜରୁ ଗୋଟିଏ ଚାରାଗଛ ଉତ୍ପନ୍ନ ହେବ ଓ ଏହା କ୍ରମେ ନିଜର ସ୍ୱାଭାବିକ ନିୟମାନୁସାରେ ବର୍ଦ୍ଧିତ ହେବ ଏବଂ ମୃତ୍ତିକା, ବାୟୁ ଓ ଜଳର ସାରକୁ ଗ୍ରହଣ କରି ସେହି ସକଳ ଉପାଦାନ ଦ୍ୱାରା ସ୍ୱୀୟ ଅଙ୍ଗପ୍ରତ୍ୟଙ୍ଗ ପରିବର୍ଦ୍ଧିତ କରି କ୍ରମେ ବୃକ୍ଷରେ ପରିଣତ ହେବ ।
ଧର୍ମ ସମ୍ବନ୍ଧରେ ମଧ୍ୟ ଏହି କଥା ସତ୍ୟ । ଖ୍ରୀଷ୍ଟିୟାନ୍କୁ ହିନ୍ଦୁ ବା ବୌଦ୍ଧ ହେବାକୁ ହେବ ନାହିଁ; ଅଥବା ହିନ୍ଦୁ ଓ ବୌଦ୍ଧକୁ ଖ୍ରୀଷ୍ଟିୟାନ ହେବାକୁ ହେବ ନାହିଁ; କିନ୍ତୁ ପ୍ରତ୍ୟେକ ଧର୍ମ ଅନ୍ୟାନ୍ୟ ଧର୍ମର ସାରଗୁଡ଼ିକ ଗ୍ରହଣ କରି ପୁଷ୍ଟି ଲାଭ କରିବ ଏବଂ ସ୍ୱୀୟ ବିଶେଷତ୍ୱ ବଜାୟ ରଖି ନିଜ ପ୍ରକୃତି ଅନୁସାରେ ବର୍ଦ୍ଧିତ ହେବ ।
ଯଦି ଏହି ଧର୍ମମହାସମିତି ଜଗତ ସମ୍ମୁଖରେ କିଛି ପ୍ରମାଣ କରିଥାଏ, ତେବେ ତାହା ଏହି ଯେ, ସାଧୁଚରିତ୍ର, ପବିତ୍ରତା ଓ ଦୟା-ଦାକ୍ଷିଣ୍ୟ ଜଗତର କୌଣସି ଗୋଟିଏ ବିଶେଷ ଧର୍ମମଣ୍ଡଳୀର ନିଜସ୍ୱ ସମ୍ପତ୍ତି ନୁହେଁ ଏବଂ ପ୍ରତ୍ୟେକ ଧର୍ମ-ସମ୍ପ୍ରଦାୟରେ ଅତି ଉନ୍ନତ ଚରିତ୍ର ନରନାରୀ ଜନ୍ମଗ୍ରହଣ କରିଛନ୍ତି ।
ଏହି ସକଳ ପ୍ରତ୍ୟକ୍ଷ ପ୍ରମାଣ ଥିବା ସତ୍ତ୍ୱେ ଯଦି କେହି ଏପରି ସ୍ୱପ୍ନ ଦେଖନ୍ତି ଯେ, ଅନ୍ୟାନ୍ୟ ଧର୍ମଗୁଡ଼ିକ ଲୋପ ପାଇବ ଓ କେବଳ ତାଙ୍କର ଧର୍ମ ହିଁ ବଞ୍ଚିରହିବ, ତେବେ ସେ ବାସ୍ତବିକ୍ କୃପାର ପାତ୍ର, ତାଙ୍କ ପାଇଁ ମୁଁ ଆନ୍ତରିକ ଭାବରେ ଦୁଃଖିତ ଓ ତାଙ୍କୁ ମୁଁ ସ୍ପଷ୍ଟ ଭାଷାରେ କହୁଛି ଯେ ତାଙ୍କ ବାଧା ସତ୍ତ୍ୱେ ଶୀଘ୍ର ହିଁ ପ୍ରତ୍ୟେକ ଧର୍ମର ପତାକା ଉପରେ ଲିଖିତ ହେବ : ‘ବିବାଦ ନୁହେଁ, ସହାୟତା; ବିନାଶ ନୁହେଁ, ପରସ୍ପରର ଭାବଗ୍ରହଣ; ମତବିରୋଧ ନୁହେଁ, ସମନ୍ୱୟ ଓ ଶାନ୍ତି ।’
***
ଚିକାଗୋ ଧର୍ମମହାସଭାର ଅଧିବେଶନ ସମୟରେ ମହାସଭାର ବୈଜ୍ଞାନିକ ବିଭାଗରେ ସ୍ୱାମୀଜୀ ନିମ୍ନଲିଖିତ ବିଷୟଗୁଡ଼ିକ ଉପରେ ବକ୍ତୃତା ଦେଇଥିଲେ :
(୧) ଶାସ୍ତ୍ରନିଷ୍ଠ ହିନ୍ଦୁଧର୍ମ ଓ ବେଦାନ୍ତ ଦର୍ଶନ : ଶୁକ୍ରବାର, ୨୨ ସେପ୍ଟେମ୍ବର, ପୂର୍ବାହ୍ଣ ୧୦ଟାରେ
(୨) ଭାରତର ବର୍ତ୍ତମାନ ଧର୍ମସମୂହ : ଶୁକ୍ରବାର, ୨୨ ସେପ୍ଟେମ୍ବର, ଅପରାହ୍ଣ ଅଧିବେଶନ ।
(୩) ପ୍ରଦତ୍ତ ବକ୍ତୁତାଗୁଡ଼ିକ ବିଷୟ ସମ୍ବନ୍ଧରେ : ଶନିବାର, ୨୩ ସେପ୍ଟେମ୍ବର
(୪) ହିନ୍ଦୁଧର୍ମର ସାରାଂଶ : ସୋମବାର,୨୫ ସେପ୍ଟେମ୍ବର
‘The Chicago Daily Inter-Ocean’ ସମ୍ବାଦପତ୍ର ୨୩ ସେପ୍ଟେମ୍ବରରେ ପ୍ରଥମ ବକ୍ତ୍ୃତା ସମ୍ବନ୍ଧରେ ନିମ୍ନଲିଖିତ ମନ୍ତବ୍ୟ ପ୍ରକାଶ କରିଥିଲା ।
ଧର୍ମମହାସଭାର ବୈଜ୍ଞାନିକ ବିଭାଗରେ ଗତ କାଲି ପୂର୍ବାହ୍ଣରେ ସ୍ୱାମୀ ବିବେକାନନ୍ଦ ‘ଶାସ୍ତ୍ରନିଷ୍ଠ ହିନ୍ଦୁଧର୍ମ’ ବିଷୟ ଉପରେ ବକ୍ତୃତା ଦେଇଥିଲେ । ୩ ନମ୍ବର ହଲ୍ ଲୋକମାନଙ୍କ ଦ୍ୱାରା ପରିପୂର୍ଣ୍ଣ ହୋଇଥିଲା । ଶ୍ରୋତୃବୃନ୍ଦ ବହୁ ପ୍ରଶ୍ନ ପଚାରିଲେ ଏବଂ ସନ୍ନ୍ୟାସୀ-ପ୍ରବର ଦକ୍ଷତାର ସହିତ ପ୍ରାଞ୍ଜଳ ଭାବରେ ଏଗୁଡ଼ିକର ଉତ୍ତର ଦେଲେ । ଅଧିବେଶନ ଶେଷ ହେବା ପରେ ଆଗ୍ରହାନ୍ୱିତ ଜିଜ୍ଞାସୁମାନେ ତାଙ୍କୁ ଘେରିଗଲେ ଏବଂ ତାଙ୍କ ଧର୍ମ ସମ୍ବନ୍ଧରେ ଅନ୍ୟ ଗୋଟିଏ ସଭାରେ ବକ୍ତୃତା ଦେବା ପାଇଁ ଅନୁରୋଧ ଜଣାଇଲେ । ସେ ଉତ୍ତରରେ କହିଲେ ଯେ, ଏହି ପରିକଳ୍ପନାଟି ଇତିପୂର୍ବରୁ ତାଙ୍କ ମନରେ ଉଠିଛି ।
***
[ଚିକାଗୋ ଧର୍ମମହାସଭାର ଏକ ଅଧିବେଶନରେ ମହାସଭାର ‘ମହିଳା ପରିଚାଳକ ବୋର୍ଡ଼’ର ଅଧ୍ୟକ୍ଷା ମିସେସ୍ ପଟାର୍ ପାମାର୍ଙ୍କ ଦ୍ୱାରା ଆୟୋଜିତ ଏକ ସଭାରେ ଚିକାଗୋର ଜ୍ୟାକସନ୍ ଷ୍ଟ୍ରୀଟ୍ସ୍ଥିତ ମହିଳା ସଦନରେ ସ୍ୱାମୀଜୀ ଏହି ବକ୍ତୃତା ଦେଇଥିଲେ । ୨୩ ସେପ୍ଟେମ୍ବର ‘Chicago Daily Inter-Ocean’ ସମ୍ବାଦପତ୍ରରେ ନିମ୍ନଲିଖିତ ସଂକ୍ଷିପ୍ତ ବିବରଣୀ ପ୍ରକାଶିତ ହୋଇଥିଲା ।]
ସ୍ୱାମୀ ବିବେକାନନ୍ଦ ଗୋଟିଏ ବିଶେଷ ସଭାରେ ପ୍ରାଚ୍ୟ ନାରୀମାନଙ୍କର ବର୍ତ୍ତମାନ ଓ ଭବିଷ୍ୟତ ସମ୍ବନ୍ଧରେ ନିମ୍ନଲିଖିତ ଭାବରେ ଆଲୋଚନା କରିଥିଲେ: କୌଣସି ଜାତିର ଉନ୍ନତିର ଶ୍ରେଷ୍ଠ ମାପକାଠି ହେଉଛି ନାରୀମାନଙ୍କ ପ୍ରତି ତାହାର ମନୋଭାବ । ପ୍ରାଚୀନ ଗ୍ରୀସ୍ରେ ସ୍ତ୍ରୀ ଓ ପୁରୁଷଙ୍କର ମର୍ଯ୍ୟାଦାରେ କୌଣସି ପାର୍ଥକ୍ୟ ନ ଥିଲା, ପ୍ରତ୍ୟେକର ସମାଜରେ ସମାନ ଅଧିକାର ଥିଲା । କୌଣସି ଅବିବାହିତ ହିନ୍ଦୁ ପୁରୋହିତ ହୋଇପାରେ ନାହିଁ; କାରଣ, ସେ ଅର୍ଦ୍ଧାଙ୍ଗ ଓ ଅସମ୍ପୂର୍ଣ୍ଣ । ପୂର୍ଣ୍ଣ ସ୍ୱାତନ୍ତ୍ର୍ୟ ହିଁ ପୂର୍ଣ୍ଣ ନାରୀତ୍ୱ । ସତୀତ୍ୱ ଆଧୁନିକ ହିନ୍ଦୁ ନାରୀର ପ୍ରଧାନ ଆଦର୍ଶ । ପତ୍ନୀ ଯେପରି ଗୋଟିଏ ବୃତ୍ତର କେନ୍ଦ୍ରସ୍ଥଳ ଓ ସେହି କେନ୍ଦ୍ରର ସ୍ଥିରତ୍ୱ ନିର୍ଭର କରେ ତାର ସତୀତ୍ୱ ଉପରେ । ଏହି ଆଦର୍ଶର ଚରମ ଅବସ୍ଥାରେ ହିନ୍ଦୁ ବିଧବାମାନେ ସତୀଦାହ ପ୍ରଥା ଅନୁସରଣ କରୁଥିଲେ । ବୋଧହୁଏ ପୃଥିବୀର ଅନ୍ୟାନ୍ୟ ଦେଶର ନାରୀମାନଙ୍କ ଅପେକ୍ଷା ହିନ୍ଦୁ ନାରୀମାନେ ବେଶୀ ଧର୍ମଶୀଳା ଓ ଆଧ୍ୟାତ୍ମିକଭାବସମ୍ପନ୍ନା । ଯଦି ଆମେ ଚରିତ୍ରର ଏହି ସକଳ ସଦ୍ଗୁଣ ରକ୍ଷା କରିପାରୁ ଏବଂ ଆମ ନାରୀମାନଙ୍କର ବୁଦ୍ଧିବୃତ୍ତିକୁ ପରିପୁଷ୍ଟ କରିପାରୁ, ତେବେ ଭବିଷ୍ୟତରେ ସେମାନେ ପୃଥିବୀର ଆଦର୍ଶସ୍ଥାନୀୟା ହେବେ ।
***
[୨୪ ସେପ୍ଟେମ୍ବର, ୧୮୯୩, ‘Chicago Sunday Herald’ ପତ୍ରିକାରେ ପ୍ରକାଶିତ ସ୍ୱାମୀଜୀଙ୍କର ବକ୍ତୃତାର ସଂକ୍ଷିପ୍ତ ବିବରଣୀ ।]
ଏହି ଧର୍ମମହାସଭାରେ ପ୍ରଦତ୍ତ ବକ୍ତୃତାଗୁଡ଼ିକର ସାଧାରଣ ସିଦ୍ଧାନ୍ତ ହେଉଛି-ମାନବଭ୍ରାତୃତ୍ୱ ହିଁ ଆମର ବହୁ ଆକାଙ୍କ୍ଷିତ ଉଦ୍ଦେଶ୍ୟ । ଏହି ଭ୍ରାତୃତ୍ୱ ଗୋଟିଏ ସ୍ୱାଭାବିକ ଅବସ୍ଥା, କାରଣ ଆମେ ସମସ୍ତେ ଈଶ୍ୱରଙ୍କର ସନ୍ତାନ । ଏହି ବିଷୟରେ ଆହୁରି ଅନେକ କଥା କୁହା ହୋଇଛି । ଏପରି ଅନେକ ସମ୍ପ୍ରଦାୟ ଅଛନ୍ତି, ଯେଉଁମାନେ ଈଶ୍ୱରଙ୍କର ଅସ୍ତିତ୍ୱକୁ ଅର୍ଥାତ୍ ବ୍ୟକ୍ତି-ସ୍ୱରୂପ ଈଶ୍ୱରଙ୍କୁ ସ୍ୱୀକାର କରନ୍ତି ନାହିିଁଁ । ଯଦି ଆମେ ଏହି ସମ୍ପ୍ରଦାୟଗୁଡ଼ିକୁ ଉପେକ୍ଷା କରି ଅଲଗା ରଖିବାକୁ ଚାହୁଁ, ତେବେ ଆମମାନଙ୍କର ସାର୍ବଜନୀନ ଭ୍ରାତୃତ୍ୱ କେବେହେଲେ ସମ୍ଭବ ହେବ ନାହିିଁଁ । ତେଣୁ ସମଗ୍ର ମାନବଜାତିକୁ ସମ୍ମିଳିତ କରିବା ପାଇଁ ଆତ୍ମା ସହିତ ଆତ୍ମାର ମିଳନଭୂମିକୁ ଆହୁରି ପ୍ରଶସ୍ତ କରିବାକୁ ହେବ । ଏହି ଧର୍ମମହାସଭାରେ ଏହା ମଧ୍ୟ କୁହାଯାଇଛି ଯେ, ମାନବ ଜାତିର କଲ୍ୟାଣ ସାଧନା କରିବା ହିଁ ଆମର କର୍ତ୍ତବ୍ୟ, କାରଣ ପ୍ରତ୍ୟେକ ଅସତ୍ ଓ ହୀନ କାର୍ଯ୍ୟର ପ୍ରତିକ୍ରିୟା ଅଛି । ମୋ ମତରେ, ‘ଆମେ ପ୍ରଥମେ-ତା’ପରେ ଆମ ଭାଇମାନେ’ ଏହା ହେଉଛି ବ୍ୟବସାୟୀ ମନୋଭାବ । ମୁଁ ମନେକରେ, ଈଶ୍ୱରଙ୍କ ସାର୍ବଜନୀନ ପିତୃତ୍ୱରେ ଆମେ ବିଶ୍ୱାସ କରୁ ବା ନ କରୁ, ଆମ ଭାଇମାନଙ୍କୁ ଭଲ ପାଇବା ଆମର ଅବଶ୍ୟ କର୍ତ୍ତବ୍ୟ; କାରଣ ପ୍ରତ୍ୟେକ ଧର୍ମ ଓ ପ୍ରତ୍ୟେକ ମତବାଦ ମନୁଷ୍ୟର ଦିବ୍ୟଭାବ ସ୍ୱୀକାର କରେ । ତେଣୁ କାହାରି ହେଲେ ଅନିଷ୍ଟ କର ନାହିଁ; କାରଣ ଏହା ଦ୍ୱାରା ତାହାର ଅନ୍ତରସ୍ଥ ଦିବ୍ୟ ଭାବକୁ କ୍ଷୁଣ୍ଣ କରାହେବ ।
***
[୨୫ ସେପ୍ଟେମ୍ବର, ୧୮୯୩, ‘Chicago Herald’ ପତ୍ରିକାରେ ପ୍ରକାଶିତ ସ୍ୱାମୀଜୀଙ୍କ ଗୋଟିଏ ବକ୍ତୃତାର ସଂକ୍ଷିପ୍ତ ବିବରଣୀ ।]
ଲାଫ୍ଲିନ୍ ଓ ମନ୍ରୋ ଷ୍ଟ୍ରୀଟ୍ରେ ତୃତୀୟ ଇଉନିଟାରିୟାନ୍ ଚର୍ଚ୍ଚର ବକ୍ତୃତା ଗୃହରେ ସମବେତ ଶ୍ରୋତୃମଣ୍ଡଳୀ ଗତ କାଲି ସକାଳେ ସ୍ୱାମୀ ବିବେକାନନ୍ଦଙ୍କ ବକ୍ତୃତା ଶ୍ରବଣ କରିଛନ୍ତି । ତାଙ୍କ ବକ୍ତୃତାର ବିଷୟ ଥିଲା ଭଗବତ୍ ପ୍ରେମ; ଆଲୋଚନା ବାଗ୍ମୀତାପୂର୍ଣ୍ଣ ଓ ଅତି ସୁନ୍ଦର ହୋଇଥିଲା । ସେ କହିଲେ:
ଈଶ୍ୱର ସର୍ବତ୍ର ପୂଜିତ ହୁଅନ୍ତି, କିନ୍ତୁ ବିଭିନ୍ନ ନାମ ଓ ଉପାୟ ଦ୍ୱାରା । ମହାନ୍ ଓ ସୁନ୍ଦର ଈଶ୍ୱରଙ୍କୁ ଉପାସନା କରିବା ଆମ ପକ୍ଷରେ ସ୍ୱାଭାବିକ ଏବଂ ଧର୍ମ ମଣିଷର ପ୍ରକୃତିଗତ । ସମସ୍ତେ ଈଶ୍ୱରଙ୍କ ପ୍ରୟୋଜନୀୟତା ଅନୁଭବ କରନ୍ତି ଏବଂ ଈଶ୍ୱରଙ୍କ ପ୍ରତି ପ୍ରେମ ହିଁ ମାନବକୁ ଦାନ, ଦୟା, ନ୍ୟାୟପରାୟଣତା ପ୍ରଭୃତି ସତ୍କାର୍ଯ୍ୟରେ ନିୟୋଜିତ କରେ । ସମସ୍ତେ ଈଶ୍ୱରଙ୍କୁ ଭଲ ପାଆନ୍ତି କାରଣ ସେ ପ୍ରେମସ୍ୱରୂପ ।
ବକ୍ତା ଚିକାଗୋକୁ ଆସିବା ଦିନୁ ହିଁ ମାନବର ଭ୍ରାତୃତ୍ୱ ସମ୍ବନ୍ଧରେ ଅନେକ କଥା ଶୁଣିଛନ୍ତି, ମାତ୍ର ସେ ବିଶ୍ୱାସ କରନ୍ତି ଯେ ଆହୁରି ଗୋଟିଏ ଦୃଢ଼ତର ବନ୍ଧନ ମାନବକୁ ଯୁକ୍ତ କରି ରଖିଛି, କାରଣ ସମସ୍ତେ ହିଁ ଈଶ୍ୱର-ପ୍ରେମରୁ ସୃଷ୍ଟ । ମାନବର ଭ୍ରାତୃତ୍ୱ ଈଶ୍ୱରଙ୍କ ପିତୃତ୍ୱର ହିଁ ଯୁକ୍ତିଗତ ସିଦ୍ଧାନ୍ତ । ବକ୍ତା କହିଲେ :
ସେ ଭାରତର ବଣ-ଜଙ୍ଗଲରେ ଅନେକ ଭ୍ରମଣ କରିଛନ୍ତି, ପର୍ବତଗୁହାରେ ରାତ୍ରିଯାପନ କରିଛନ୍ତି, ସମଗ୍ର ପ୍ରକୃତିକୁ ପର୍ଯ୍ୟବେକ୍ଷଣ କରି ସେ ଏହି ବିଶ୍ୱାସରେ ଉପନୀତ ହୋଇଛନ୍ତି ଯେ ସ୍ୱାଭାବିକ ନିୟମର ଊର୍ଦ୍ଧ୍ୱରେ ଏପରି କିଛି ଅଛି, ଯାହା ମଣିଷକୁ ଅସତ୍ୟ ବା ଅନ୍ୟାୟରୁ ରକ୍ଷା କରେ ଏବଂ ଏହା ହେଉଛି ଈଶ୍ୱର ପ୍ରେମ । ଈଶ୍ୱର ଯଦି ଯୀଶୁ, ମହମ୍ମଦ ଏବଂ ବୈଦିକ ଋଷିଗଣଙ୍କ ସହିତ କଥାବାର୍ତ୍ତା କରିଥାଆନ୍ତି, ତେବେ ସେ ତାଙ୍କ ସହିତ କାହିଁକି କଥା କହିବେ ନାହିଁ, ଯେହେତୁ ସେ ମଧ୍ୟ ଈଶ୍ୱରଙ୍କର ସନ୍ତାନ ।
ସ୍ୱାମୀଜୀ ଆହୁରି କହିଲେ : ବାସ୍ତବିକ ଈଶ୍ୱର ମୋ ସହିତ ଏବଂ ତାଙ୍କର ଅନ୍ୟାନ୍ୟ ସକଳ ସନ୍ତାନମାନଙ୍କ କଥା କହିଥାନ୍ତି । ଆମେ ତାଙ୍କୁ ଆମର ଚତୁର୍ଦ୍ଦିଗରେ ଦେଖୁ ଏବଂ ତାଙ୍କ ଅସୀମ ପ୍ରେମ ଦ୍ୱାରା ସର୍ବଦା ପ୍ରଭାବିତ ହେଉ, ସେହି ପ୍ରେମରୁ ଆମେ ପ୍ରତ୍ୟେକ ମଙ୍ଗଳ ଓ ଶୁଭକର୍ମ ପାଇଁ ପ୍ରେରଣା ମଧ୍ୟ ଲାଭକରୁ ।
***
ସ୍ୱାମୀ ବିବେକାନନ୍ଦ ଶ୍ରୋତାଙ୍କ ଉପରେ ଏକ ଆଶ୍ଚର୍ଯ୍ୟଜନକ ପ୍ରଭାବ ବିସ୍ତାର କରିଥିଲେ ।
-ଡଃ. ଜେ. ଏଚ୍. ବ୍ୟାେରାସ୍
ଚିକାେଗା ଧର୍ମମହାସଭା ସାଧାରଣ ସମିତିର ସଭାପତି
…ସ୍ୱାମୀ ବିବେକାନନ୍ଦ ହିନ୍ଦୁଧର୍ମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଏବଂ ସଠିକ୍ ପ୍ରତିନିଧି ଥିଲେ । ପ୍ରକୃତରେ କହିବାକୁ ଗଲେ ସେ ଯେ ଧର୍ମ ମହାସଭାର ସବୁଠାରୁ ଜନପ୍ରିୟ ଏବଂ ପ୍ରଭାବଶାଳୀ ବ୍ୟକ୍ତି, ଏହା ପ୍ରଶ୍ନାତୀତ ।
-ମିଃ. ମାରଉଇନ୍ମେରୀ ସ୍ନେଲ୍
ଚିକାେଗା ଧର୍ମମହାସଭା ବିଜ୍ଞାନ-ସମ୍ବନ୍ଧୀୟ ବିଭାଗର ଅଧ୍ୟକ୍ଷା
ନିଃସନ୍ଦେହରେ ସେ ଧର୍ମମହାସଭାର ମହତ୍ତମ ବ୍ୟକ୍ତିତ୍ୱ । ତାଙ୍କୁ ଶୁଣିବା ପରେ ଆେମ ଅନୁଭବ କରୁଛୁ ଏପରି ବିଦ୍ୱାନ୍ ରାଷ୍ଟ୍ରକୁ ଧର୍ମ ପ୍ରଚାରକ ପଠାଇବା କେତେ ବୋକାମି ।
-ଦି ନ୍ୟୁୟର୍କ ହେରାଲ୍ଡ଼
ଧର୍ମ-ମହାସଭାରେ ବିବେକାନନ୍ଦଙ୍କ ଭାଷଣ ଆମ ଉପରିସ୍ଥିତ ସ୍ୱର୍ଗ ପରି ବ୍ୟାପି ଥିଲା ଯାହା ସବୁ ଧର୍ମର ଉତ୍କୃଷ୍ଟ ଅଂଶଗୁଡ଼ିକ ବିଶ୍ୱଧର୍ମ ଭାବରେ ଗ୍ରହଣ କରି ନେଇଥିଲା । ସମଗ୍ର ମାନବଜାତିର ସେବା ଓ ଦାନ ଏବଂ ସତ୍କର୍ମ ସାଧନ, ଈଶ୍ୱରଙ୍କ ପ୍ରେମ ସକାେଶ କରାଯାଏ, ଶାସ୍ତିଭୟରେ ବା ପୁରସ୍କାର ଆଶାରେ ନୁହେଁ । ଧର୍ମ ମହାସଭାେର ସେ ସମସ୍ତଙ୍କର ଅତ୍ୟନ୍ତ ପ୍ରିୟପାତ୍ର ହୋଇଛନ୍ତି । … ସେ କେବଳ ମଞ୍ଚ ଅତିକ୍ରମ କରୁଥିେଲ ମଧ୍ୟ କରତାଳି ଦ୍ୱାରା ସମ୍ମାନିତ ହେଉଛନ୍ତି । …ଧର୍ମ ମହାସଭା କର୍ତ୍ତୃପକ୍ଷ ଲୋକମାନଙ୍କୁ ଅଧିେବଶନର ସମାପ୍ତି ପର୍ଯ୍ୟନ୍ତ ଅଟକାଇ ରଖିବା ପାଇଁ ବିେବକାନନ୍ଦଙ୍କୁ ଅନୁଷ୍ଠାନର ସର୍ବଶେଷ ବକ୍ତାରୂପେ ରଖୁଥିଲେ ।…ଚାରି ସହସ୍ର ଆଗ୍ରହୀ ବ୍ୟକ୍ତି କଲମ୍ବୋସ ହଲରେ ସ୍ମିତ ମୁଖରେ ଆଶାୟୀ ହୋଇ ବିବେକାନନ୍ଦଙ୍କର ପନ୍ଦର ମିନିଟ୍ର ବକ୍ତୃତା ଶୁଣିବା ପାଇଁ ଘଣ୍ଟେ-ଦୁଇଘଣ୍ଟା ଅପେକ୍ଷା କରି ବସି ରହୁଛନ୍ତି, । ‘ସର୍ବଶ୍ରେଷ୍ଠ ସର୍ବଶେଷରେ’ ଏହି ପୁରାତନ ନିୟମଟି ସଭାପତି ଜାଣିଛନ୍ତି ।
-ବୋଷ୍ଟନ ଇଭ୍ନିଂ ଟ୍ରାନ୍ସକ୍ରିପ୍ଟ
…ଧର୍ମମହାସଭାରେ ସ୍ୱାମୀଜୀଙ୍କ ବକ୍ତୃତା ସମ୍ବନ୍ଧରେ କୁହାଯାଇପାରେ, ଯେତେବେଳେ ସେ ବକ୍ତୃତା ଆରମ୍ଭ କଲେ, ସେତେବେଳେ ତାଙ୍କ ବିଷୟବସ୍ତୁ ଥିଲା, ହିନ୍ଦୁମାନଙ୍କ ‘ଧର୍ମଭାବ-ସମୂହ’; କିନ୍ତୁ ଯେତେବେଳେ ସେ ତାହା ଶେଷ କଲେ, ସେତେବେଳେ ହିନ୍ଦୁଧର୍ମ ଏକ ନୂତନ ଆକାର ଧାରଣ କଲା ।
….କାରଣ ସେଠାରେ ସ୍ୱାମୀ ବିବେକାନନ୍ଦଙ୍କ ମୁଖରେ ତାଙ୍କର ନିଜର କୌଣସି ଅନୁଭୂତିର କଥା ଉଦ୍ଗତ ହୋଇ ନାହିଁ-ଏପରିକି ଏହି ସମୟରେ ନିଜ ଗୁରୁଙ୍କ ପ୍ରସଙ୍ଗ ଅବତାରଣା କରିବାର ସୁେଯାଗ ମଧ୍ୟ ସେ ଗ୍ରହଣ କରି ନାହାନ୍ତି । ଏହା ପରିବର୍ତ୍ତେ ଭାରତର ଧର୍ମଚେତନା ହିଁ ତାଙ୍କ ମାଧ୍ୟମରେ ବାଙ୍ମୟ ହୋଇ ଉଠିଥିଲା-ଯାହା ଭାରତବର୍ଷର ସମଗ୍ର ଅତୀତ ଦ୍ୱାର ସୁନିର୍ଦ୍ଦିଷ୍ଟ ତାଙ୍କ ଦେଶର ସକଳ ମନୁଷ୍ୟଙ୍କ ବାଣୀ ଥିଲା !
…ସେହି ବକ୍ତୃତା-ମଞ୍ଚରେ ସ୍ୱାମୀ ବିବେକାନନ୍ଦଙ୍କ ପାର୍ଶ୍ୱରେ ଆହୁରି ଅନେକ ବକ୍ତା ଦଣ୍ଡାୟମାନ ଥିେଲ । ସେମାନେ ଥିଲେ ବିେଶଷ ବିେଶଷ ଧର୍ମମତର ଓ ଧର୍ମୀୟ ପ୍ରତିଷ୍ଠାନର ପ୍ରବକ୍ତା । କିନ୍ତୁ ସ୍ୱାମୀଜୀଙ୍କର ଗୌରବ ହେଉଛି-ତାଙ୍କ ଭାଷାରେ କହିଲେ-ସେ ଏପରି ଏକ ଧର୍ମ ପ୍ରଚାର କରିବାକୁ ସେଠାକୁ ଯାଇଥିଲେ ଯାହା ଦୃଷ୍ଟିରେ ପୃଥିବୀର ପ୍ରତ୍ୟେକ ଧର୍ମ ହେଉଛି ବିଭିନ୍ନ ଅବସ୍ଥା ଓ ପରିସ୍ଥିତି ଭିତର ଦେଇ ବିଭିନ୍ନ ଦେଶର ନରନାରୀଙ୍କର କେବଳ ଗୋଟିଏ ଲକ୍ଷ୍ୟରେ ପହଞ୍ଚିବାର ଅଭିଯାତ୍ରା ବା ଅଗ୍ରଗତିର ପ୍ରଚେଷ୍ଟା ।
-ଭଗିନୀ ନିେବଦିତାଙ୍କ ଦ୍ୱାରା ଲିଖିତ ଭୂମିକା
ଦି କମ୍ପ୍ଲିଟ୍ ୱାର୍କ୍ସ ଅଫ୍ ସ୍ୱାମୀ ବିବେକାନନ୍ଦ
ଚିକାେଗାଠାେର ୧୮୯୩େର ଅନୁଷ୍ଠିତ େହାଇଥିବା ଆନ୍ତଃରାଷ୍ଟ୍ରୀୟ ଧର୍ମମହାସମ୍ମିଳନୀେର ସ୍ୱାମୀ ବିେବକାନନ୍ଦଙ୍କ ଯୋଗଦାନ ଏବଂ ତାଙ୍କର ଉଦାତ୍ତ ଅଥଚ ସୁମିଷ୍ଟ ଏବଂ ଯୁକ୍ତିସଙ୍ଗତ ଭାଷଣ ଆଧୁନିକ ମନୁଷ୍ୟର ବୌଦ୍ଧିକ ଇତିହାସରେ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣା ଥିଲା । ସେଠାରେ ସେ ପ୍ରଥମଥର ପାଇଁ ଏକ ନୂତନ ଏବଂ ଜ୍ଞାନଦୀପ୍ତ ଧର୍ମ, ଯାହା କି ଧର୍ମୀୟ ବୁଝାମଣା ଓ ସହନଶୀଳତା ଉପରେ ପ୍ରତିଷ୍ଠିତ ହେବ, ତାହାର ପ୍ରୟୋଜନୀୟତା ଘୋଷଣା କଲେ । ଯଦିଓ ସାଧାରଣ ଜନତା ଏବିଷୟରେ ସଚେତନ ନୁହନ୍ତି, ସ୍ୱାମୀ ବିେବକାନନ୍ଦ ୧୮୯୩ ଖ୍ରୀଷ୍ଟାବ୍ଦରେ ଚିକାେଗାଠାରେ ଦେଇଥିବା ବାର୍ତ୍ତା ଆମେରିକା ସହ ପାଶ୍ଚାତ୍ୟ ଜଗତ ଏବଂ ପରେ ପରେ ଭାରତବର୍ଷର ଲୋକଙ୍କ ପାଇଁ ଧର୍ମର ଅନୁସରଣରେ ମାନବାତ୍ମାର ମୁକ୍ତି ପାଇଁ ଏକ କାର୍ଯ୍ୟକାରୀ ଶକ୍ତିର ରୂପ ନେଇଥିଲା ।
-ସୁନିତି କୁମାର ଚାଟାର୍ଜୀ
ସ୍ୱାମୀ ବିବେକାନନ୍ଦ ଶତବାର୍ଷିକୀ ସ୍ମାରକୀ ପୁସ୍ତକ ପୃ: ୨୨୮-୩୩
ସୋମବାର, ସେପ୍ଟମ୍ବର ୧୧, ୧୮୯୩, ଧର୍ମମହାସଭାର ପ୍ରଥମ ଅଧିେବଶନ ଆରମ୍ଭ ହେଲା ।… କିନ୍ତୁ ସେହି ଯୁବକ ଜଣକ [ବିବେକାନନ୍ଦ] ଯିଏ ପ୍ରତ୍ୟକ୍ଷରେ କୌଣସିଟିର ପ୍ରତିନିଧିତ୍ୱ କରି ନ ଥିଲେ ମଧ୍ୟ ପରୋକ୍ଷରେ ସବୁକିଛିର ପ୍ରତିନିଧିତ୍ୱ କରିଥିଲେ । ଯିଏ କୌଣସି ବିଶେଷ ସମ୍ପ୍ରଦାୟର ନୁହେଁ ବରଂ ସମଗ୍ର ଭାରତବର୍ଷର ପ୍ରତିନିଧିତ୍ୱ କରୁଥିଲେ; ସେ ଏକତ୍ରିତ ହୋଇଥିବା ସହସ୍ର ସହସ୍ର େଲାକଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ।… ତାଙ୍କର ବକ୍ତୃତା ଅଗ୍ନିଶିଖାସଦୃଶ ଥିଲା, ତାହା ଯେପରି ଶ୍ରୋତୃବର୍ଗଙ୍କ ଆତ୍ମାରେ ଅଗ୍ନିବର୍ଷଣ କରିଥିଲା ।
ପ୍ରତେକ ବକ୍ତା ନିଜ ଈଶ୍ୱରଙ୍କ ସମ୍ବନ୍ଧରେ କହିଥିଲେ, ନିଜ ନିଜ ଧର୍ମର ଈଶ୍ୱରଙ୍କ ସମ୍ବନ୍ଧରେ କହିଥିଲେ । ସେ ଏକମାତ୍ର ସେ ହିଁ ସମସ୍ତଙ୍କର ଈଶ୍ୱରଙ୍କ କଥା କହିଥିେଲ ଏବଂ ସମସ୍ତଙ୍କୁ ଏକ ସାବର୍ଜନୀନ ଈଶ୍ୱରଙ୍କ ସହିତ ଏକତ୍ରିତ କରିଥିଲେ । ଏହା ଥିଲା ସକଳ ପ୍ରାଚୀରକୁ ଭାଙ୍ଗି ଦେଉଥିବା ଶ୍ରୀରାମକୃଷ୍ଣଙ୍କ ନିଃଶ୍ୱାସ, ଯାହା ତାଙ୍କର ମହାନ୍ ଶିଷ୍ୟଙ୍କ ମୁଖଦ୍ୱାରା ସଂଘଟିତ େହାଇଥିଲା । ପରବର୍ତ୍ତୀ ଦିନଗୁଡ଼ିକରେ ସେ ଦଶ-ବାର ଥର ପୁଣି କହିଥିଲେ । ପ୍ରତିଥର ନୂଆ ନୂଆ ଯୁକ୍ତି େଦଇ ଏବଂ ସମାନ ଶକ୍ତିରେ ସେ ନିଜ ସିଦ୍ଧାନ୍ତ ସେହି ସାବର୍ଜନୀନ ବିଶ୍ୱଧର୍ମର, ପୁନରାବୃତ୍ତି କରୁଥିଲେ, ଯାହା ସମୟ ଓ ସ୍ଥାନ ଦ୍ୱାରା ସୀମାବଦ୍ଧ ନୁହେଁ ଏବଂ ଯାହା ମାନବସତ୍ତାର ସମଗ୍ର ଧର୍ମମତକୁ-ସାମାନ୍ୟ ବ୍ୟକ୍ତିଙ୍କର ଦାସସୁଲଭ ପ୍ରତିମା ଉପାସନାରୁ ଆରମ୍ଭ କରି ଆଧୁନିକ ବିଜ୍ଞାନର ଅତି ଉଦାର ସୃଜନୀଶକ୍ତିକୁ-ସମର୍ଥନ ଓ ସଂଯୁକ୍ତ କରେ । ସେ ଏଗୁଡ଼ିକର ଚମତ୍କାର ସମନ୍ୱୟ ସ୍ଥାପନ କଲେ… ଯାହା ସମସ୍ତ ପ୍ରତ୍ୟାଶାକୁ ନିଜ ପ୍ରକୃତି ଅନୁଯାୟୀ ବର୍ଦ୍ଧିତ ଏବଂ ବିକଶିତ କରିବାକୁ ସାହାଯ୍ୟ କରିବ । ଆଗାମୀ ଦିନରେ ମାନବର ଅନ୍ତର୍ନିହିତ ଦେବତ୍ୱ ଏବଂ ତାହାର ଅସୀମ ପରିପ୍ରକାଶ ବ୍ୟତୀତ ଅନ୍ୟ କୌଣସି ଧର୍ମମତ ହେବ ନାହିଁ ।
ଏହି ସବୁ ଶକ୍ତିପୂର୍ଣ୍ଣ ଶବ୍ଦଗୁଡ଼ିକର ଅପରିସୀମ ପ୍ରଭାବ ଥିଲା । ଧର୍ମ ମହାସଭାର କାର୍ଯ୍ୟକାରୀ ପ୍ରତିିନିଧିମାନଙ୍କୁ କେବଳ ନୁହେଁ, ତାହା ସମସ୍ତଙ୍କୁ ଉେଦ୍ଦଶ୍ୟ କରି ପରିବେଶିତ ହୋଇଥିଲା ଏବଂ ତାହା ସମସ୍ତଙ୍କର ଅନ୍ତର ସ୍ପର୍ଶ କରିଥିଲା । ତତ୍କ୍ଷଣାତ୍ ସ୍ୱାମୀ ବିବେକାନନ୍ଦଙ୍କ ସୁଖ୍ୟାତି ଚତୁର୍ଦ୍ଦିଗକୁ ବ୍ୟାପିଗଲା ଏବଂ ସମଗ୍ର ଭାରତବର୍ଷ ଉପକୃତ ହେଲା ।…
-ରୋମାଁ ରୋଲାଁ
ଦି ଲାଇଫ୍ ଅଫ୍ ସ୍ୱାମୀ ବିବେକାନନ୍ଦ, ପୃ୩୬-୪୦
ସ୍ୱାମୀ ବିେବକାନନ୍ଦ ଆମେରିକା ପରିଦର୍ଶନ ଏବଂ ପରବର୍ତ୍ତୀକାଳରେ ତାଙ୍କ ଅନୁଗାମୀମାନଙ୍କ କାର୍ଯ୍ୟ ଭାରତବର୍ଷ ପାଇଁ ଏକଶତ ଲଣ୍ଡନ କଂଗ୍ରେସ ଅପେକ୍ଷା ଅଧିକ ଫଳପ୍ରଦ ହୋଇଥିଲା । ଏହା ସହାନୁଭୂତି ଜାଗ୍ରତ କରିବାର ସଠିକ୍ ଉପାୟ ଥିଲା-ବିଶ୍ୱବାସୀଙ୍କୁ ଏହା ଦେଖାଇବା ଦ୍ୱାରା ଯେ, ଆମର ଏକ ମହାନ୍ ଅତୀତ ଏବଂ ପ୍ରାଚୀନ ସଭ୍ୟତା ଥିଲା ଏବଂ ଏବେ ମଧ୍ୟ ଆମ ମଧ୍ୟରେ ଆମର ପୂର୍ବସୁରୀଙ୍କ ପ୍ରତିଭା ଓ ଚରିତ୍ର ରହିଛି; ଏବେ ମଧ୍ୟ ଆେମ ଜଗତକୁ କିଛି ଦେଇପାରୁ । ସୁତରାଂ ଆମେ ସ୍ୱାଧୀନତା ପାଇବାକୁ ହକ୍ଦାର । ଏହା ଆମର ଯୋଗ୍ୟତା ଏବଂ ପୁରୁଷକାର ଦ୍ୱାରା ପ୍ରାପ୍ୟ, ଭିକ୍ଷା ମାଗି ନୁହେଁ ।
ପ୍ରଭୁଙ୍କ ଦ୍ୱାରା ବୀରଆତ୍ମା ରୂପେ ଚିହ୍ନିତ ସ୍ୱାମୀ ବିବେକାନନ୍ଦଙ୍କ ପାଶ୍ଚାତ୍ୟ ଯାତ୍ରା କରିବା ଏବଂ ସମଗ୍ର ପୃଥିବୀକୁ ଦୁଇ ହାତ ମଧ୍ୟରେ ରଖି ବଦଳାଇ ଦେବା ତାଙ୍କ ଭାଗ୍ୟ ନିରୂପିତ ଥିଲା । ଏହା ବିଶ୍ୱକୁ ପ୍ରଥମ ଦୃଶ୍ୟମାନ ସଂକେତ ଯେ ଭାରତବର୍ଷ ଜାଗ୍ରତ ହୋଇଛି କେବଳ ବଞ୍ଚିବା ପାଇଁ ନୁେହଁ, ଜୟ କରିବା ପାଇଁ । ଥରେ ମାତ୍ର ଜାତୀୟ ଆତ୍ମା ଧର୍ମରେ ଜାଗ୍ରତ ହେଲେ, ସମସ୍ତ ଆଧ୍ୟାତ୍ମିକ ଓ ବୌଦ୍ଧିକ କାର୍ଯକଳାପରେ ନିଜ ପ୍ରଭାବ ବିସ୍ତାର କରିବା ପାଇଁ କେବଳ ସମୟ ଓ ସୁଯୋଗର ଅପେକ୍ଷା ରହିବ ।
-ଶ୍ରୀ ଅରବିନ୍ଦ,
ଶ୍ରୀ ଅରବିନ୍ଦ (ଶ୍ରୀ ଅରବିନ୍ଦ ବାର୍ଥ ସେଣ୍ଟେନାରୀ ଲାଇବ୍ରେରୀ, ପଣ୍ଡିଚେରୀ)
ଖଣ୍ଡ -୨ (୧୯୭୨) ପୃ ୩୭ ଏବଂ ୧୭୧
ଆମେରିକୀୟ ସମ୍ୱାଦପତ୍ର ପ୍ରକାଶ କରିଛିନ୍ତି ଯେ, ଯେଉଁ ମନୋଭାବ ଧର୍ମମହାସଭା କବଳିତ କରି ପ୍ରାୟ ପ୍ରତ୍ୟେକ ଧର୍ମପ୍ରତିନିଧିମାନଙ୍କ ଆତ୍ମା ଉପରେ ଆଧିପତ୍ୟ ବିସ୍ତାର କରିଥିଲା, ତାହା ଥିଲା ବିଶ୍ୱବ୍ୟାପୀ ସହନଶୀଳତା ଏବଂ ସାର୍ବଜନୀନ ମୁକ୍ତି ଏବଂ ଏହା ନିଶ୍ଚିତରୂପେ ଭାରତବର୍ଷ ବିଶେଷ ରୂପେ ସମସ୍ତ ହିନ୍ଦୁମାନଙ୍କ ପାଇଁ ଗୌରବର ବିଷୟ, କାରଣ ହିନ୍ଦୁ ପ୍ରତିନିଧି ସ୍ୱାମୀ ବିବେକାନନ୍ଦଙ୍କ ବ୍ୟତୀତ ଅନ୍ୟ କେହିହେଲେ ଏହି ଭାବ ଏେତ ଭଲ ଭାବରେ ବ୍ୟକ୍ତ କରି ନାହାନ୍ତି । ତାଙ୍କ ଭାଷଣ ସବୁଦିଗରୁ ହିନ୍ଦୁଧର୍ମ ଭଳି ଏକ ଧର୍ମକୁ ପ୍ରତିନିଧିତ୍ୱ କରିବା ପାଇଁ ଯୋଗ୍ୟ ଥିଲା ଏବଂ ଧର୍ମମହାସଭାର ମୂଳମନ୍ତ୍ରକୁ ଆଘାତ କରିଥିଲା । …ହିନ୍ଦୁଧର୍ମର ଉଦାରତା ଓ ସହନଶୀଳତା ଯାହା ଅନ୍ୟ ଧର୍ମଠାରୁ ଏହାକୁ ପୃଥକ୍ କରେ ଏବଂ ଯାହା ଏହାର ଅନ୍ୟତମ ବ୍ୟାପକ ବୈଶିଷ୍ଟ୍ୟ ଅେଟ, ତାହା ସ୍ୱାମୀ ବିବେକାନନ୍ଦ ଯେପରି ଉପସ୍ଥାପନା କଲେ,ଏହା ପୂବର୍ରୁ ଜଗତ ସମ୍ମୁଖରେ କେବେହେଲେ ଏତେ ସ୍ପଷ୍ଟ ଭାବରେ ଉପସ୍ଥାପିତ ହୋଇ ନ ଥିଲା । ଆମର ସନ୍ଦେହ ନାହିଁ ଯେ, ଅନ୍ୟ ଧର୍ମପ୍ରଚାରକମାନେ ଯେଉଁମାନେ ସ୍ୱାମୀଜୀଙ୍କୁ ଶୁଣିଛନ୍ତି ଓ ତାଙ୍କ ବକ୍ତୃତାରେ ଅଭିଭୂତ ହୋଇଛନ୍ତି ସେମାନଙ୍କ ଧର୍ମରେ ସ୍ୱାମୀଜୀଙ୍କ ବକ୍ତୃତା ପ୍ରଭାବ ବିସ୍ତାର କରିବ ।
-ଇଣ୍ଡିୟାନ ମିରର୍ (୨୧ ମାର୍ଚ୍ଚ, ୧୮୯୪)
‘ଦି ଲାଇଫ୍ ଅଫ ସ୍ୱାମୀ ବିବେକାନନ୍ଦ’ରେ ଉଲ୍ଲିଖିତ
ଖଣ୍ଡ-୧ (୧୯୨୯) , ପୃ.-୪୩୭
ହଳଦିଆ ଓ କମଳା ରଙ୍ଗ ପୋଷାକରେ ସଜ୍ଜିତ ଏକ ଆକର୍ଷଣୀୟ ଚେହେରା, ଚିକାଗୋ ସହରର ବ୍ୟସ୍ତ ବାତାବରଣ ମଧ୍ୟରେ ଭାରତବର୍ଷର ସୂର୍ଯ୍ୟପରି ଜାଜ୍ୱଲ୍ୟମାନ, ସିଂହ ସଦୃଶ ମସ୍ତକ, ଅନ୍ତର୍ଭେଦୀ ଦୃଷ୍ଟି, ଚଞ୍ଚଳ ଓ ଅସ୍ଥିର ଓଷ୍ଠ ଯୁଗଳ, ତ୍ୱରିତ ଏବଂ ଆକସ୍ମିକ ଚଳନ-ଏହା ହିଁ ଧର୍ମମହାସଭାର ପ୍ରତିନିଧିଙ୍କ ସକାେଶ ଉଦ୍ଦିଷ୍ଟ ଗୋଟିଏ କକ୍ଷରେ ସ୍ୱାମୀ ବିବେକାନନ୍ଦଙ୍କୁ ଭେଟିଲା ବେଳେ ମୋର ପ୍ରଥମ ଧାରଣା ଥିଲା ।
ବିଶାଳ, ଅତି ବିଶାଳ ଜନତା ଯେପରି ଅଭିଭୂତ ହୋଇ ତାଙ୍କ ବାକ୍ୟ ଶୁଣୁଥିଲେ; ଗୋଟିଏ ବାକ୍ୟାଂଶ ମଧ୍ୟ ଯେପରି ଅଶ୍ରୁତ ନ ରହେ, ଗୋଟିଏ ମଧ୍ୟ ସୁରଯୁକ୍ତ ସ୍ତୋତ୍ର ଯେପରି ବାଦ ନ ଯାଏ ! ସେହି ବଡ଼ ପ୍ରକୋଷ୍ଠରୁ ବାହାରୁ ବାହାରୁ ଜଣେ କହିଲେ, ‘‘ସେହି ଲୋକଟି ପୁଣି ବିଧର୍ମୀ !’’ ଆଉ ଆମେ ତାଙ୍କ ଜାତି ପାଇଁ ଧର୍ମ ପ୍ରଚାରକ ପଠାଉଛୁ ! ବରଂ ସେମାନେ ଆମ ଦେଶକୁ ଧର୍ମ-ପ୍ରଚାରକ ପଠାଇବା ଉଚିତ୍ ହୋବ ।’’
-ଡଃ, ଆନି ବେସାନ୍ତ
‘ଦି ଲାଇଫ୍ ଅଫ ସ୍ୱାମୀ ବିବେକାନନ୍ଦ’ରୁ ଉଦ୍ଧୃତା
ଖଣ୍ଡ ୧ (୧୯୭୯) ପୃ. – ୪୨୯
ତାଙ୍କର ଗଭୀର କଣ୍ଠରେ ସେ ଆରମ୍ଭ କଲେ, ‘ଆମେରିକାବାସୀ ଭଗିନୀ ଓ ଭ୍ରାତୃବୃନ୍ଦ’-ସମ୍ପୂର୍ଣ୍ଣ ଶ୍ରୋତାମଣ୍ଡଳୀ, ଶହ ଶହ ସଂଖ୍ୟାରେ ପୁରା ଦୁଇ ମିନିଟ୍ ପାଇଁ କରତାଳି ଓ ଆନନ୍ଦ ଧ୍ୱନି କରିବାକୁ ଲାଗିଲେ । ଉପସ୍ଥିତ ଅଧିକାଂଶ ଲୋକ ହୁଏତ ଜାଣିପାରି ନ ଥିଲେ କାହିଁକି ସେମାନେ ଏତେ ପ୍ରଭାବିତ ହୋଇଥିଲେ । ସ୍ୱାମୀ ବିବେକାନନ୍ଦଙ୍କ ଚେହେରା ଏବଂ କଣ୍ଠସ୍ୱର ମଧ୍ୟ ତାହା ସମ୍ପୂର୍ଣ୍ଣ ଭାବରେ ବୁଝାଇପାରି ନ ଥିଲା । ଗୋଟେ ବଡ଼ ଜନସମାବେଶରେ ଏକ ଆଶ୍ଚର୍ଯ୍ୟ ଉପାୟରେ ଅବଚେତନ ମନ ଦ୍ୱାରା ବାର୍ତ୍ତା ପ୍ରେରିତ ହେବା ପରି ଏହା ପ୍ରତ୍ୟେକଙ୍କୁ ଅବଗତ କରାଉଥିଲା ଯେ ଏହା ଜଣେ ଅସାଧାରଣ ଲୋକଙ୍କ ବାଣୀ ଯାହାର ଅର୍ଥ ନିର୍ଭୁଲ୍ ଭାବରେ ସେ ନିଜେ । ଯେତେବେଳେ ବିବେକାନନ୍ଦ ‘ଭଗିନୀ ଓ ଭ୍ରାତୃବୃନ୍ଦ’ କହିଲେ, ସେ ପ୍ରକୃତରେ ଆମେରିକୀୟ ସ୍ତ୍ରୀ-ପୁରୁଷଙ୍କୁ ନିଜର ଭଉଣୀ ଓ ଭାଇ ବୋଲି ଅନୁଭବ କରିଥିଲେ; ତେଣୁ ସର୍ବଜନବିଦିତ ଏହି ବାକ୍ୟାଂଶଟି ସରଳ ସତ୍ୟରୂପେ ପ୍ରତିଭାତ ହୋଇଥିଲା ।
-କ୍ରିଷ୍ଟୋଫର୍ ଇଶର୍ଉଡ଼୍
ହ୍ୱାଟ୍ ରିଲିଜିଅନ୍ ଇଜ୍ ଇନ୍ ଦି ୱାର୍ଡସ୍ ଅଫ
ସ୍ୱାମୀ ବିବେକାନନ୍ଦ (୧୯୯୧) ପୃଷ୍ଠା – (XVI)
***