ଉତିଷ୍ଠତ ! ଜାଗ୍ରତ ! (ସ୍ୱାମୀ ବିବେକାନନ୍ଦଙ୍କ ବାଣୀ ସଂକଳନ)

ମାନବର ଦେବତ୍ୱ

  • ମୋର ଆଦର୍ଶକୁ, ବସ୍ତୁତଃ ଅତି ସଂକ୍ଷେପରେ ପ୍ରକାଶ କରାଯାଇପାରେ ଏବଂ ତାହା ହେଉଛି: ମନୁଷ୍ୟ ନିକଟରେ ତାହାର ଅନ୍ତର୍ନିହିତ ଦେବତ୍ୱର ବାଣୀ ପ୍ରଚାର କରିବାକୁ ହେବ ଏବଂ ପ୍ରତ୍ୟେକ କାର୍ଯ୍ୟରେ ସେହି ଦେବତ୍ୱ-ବିକାଶର ପନ୍ଥା ନିର୍ଦ୍ଧାରଣ କରିଦେବାକୁ ହେବ ।
  • ଆତ୍ମା ମାତ୍ରେ ହିଁ ଅବ୍ୟକ୍ତ ବ୍ରହ୍ମ  । ବାହ୍ୟ ଓ ଅନ୍ତଃପ୍ରକୃତିକୁ ବଶୀଭୂତ କରି ଆତ୍ମାର ଏହି ବ୍ରହ୍ମଭାବକୁ ବ୍ୟକ୍ତ କରିବା ହିଁ ଜୀବନର ଚରମ ଲକ୍ଷ୍ୟ । କର୍ମ, ଉପାସନା, ମନଃସଂଯମ ଅଥବା ଜ୍ଞାନ—ଏଗୁଡ଼ିକ ମଧ୍ୟରୁ ଏକ, ଏକାଧିକ ବା ସମଗ୍ର ଉପାୟଦ୍ୱାରା ନିଜର ବ୍ରହ୍ମଭାବକୁ ବ୍ୟକ୍ତ କର ଓ ମୁକ୍ତ ହୋଇଯାଅ । ଏହା ହିଁ ଧର୍ମର ପୂର୍ଣ୍ଣାଙ୍ଗ ସ୍ୱରୂପ । ମତବାଦ, ଅନୁଷ୍ଠାନ-ପଦ୍ଧତି, ଶାସ୍ତ୍ର, ମନ୍ଦିର ବା ଅନ୍ୟ ବାହ୍ୟ କ୍ରିୟାକଳାପ ଏହାର ଗୌଣ ଅଙ୍ଗପ୍ରତ୍ୟଙ୍ଗ ମାତ୍ର ।
  • ମାନବ-ପ୍ରକୃତି ମଧ୍ୟରେ ଯାହା କିଛି ଶକ୍ତିଶାଳୀ, ମଙ୍ଗଳମୟ ଏବଂ ଐଶ୍ୱର୍ଯ୍ୟମଣ୍ଡିତ, ସେ ସମସ୍ତ ଏହି ବ୍ରହ୍ମସତ୍ତାରୁ ହିଁ ଉଦ୍ଭୁତ । ତାହା ଅନେକଙ୍କ ମଧ୍ୟରେ ସୁପ୍ତଭାବରେ ରହିଥିଲେ ସୁଦ୍ଧା ବସ୍ତୁତଃ ମନୁଷ୍ୟ ମନୁଷ୍ୟ ଭିତରେ କୌଣସି ପ୍ରଭେଦ ନାହିଁ; କାରଣ ସମସ୍ତେ ବ୍ରହ୍ମ ସହିତ ଅଭିନ୍ନ ।
  • ସମସ୍ତ ଶକ୍ତି ତୁମ ଭିତରେ ରହିଛି… ଏହା ବିଶ୍ୱାସ କର; ଭାବ ନାହିଁ ଯେ ତୁମେ ଦୁର୍ବଳ… । ଉଠ, ଜାଗ ଏବଂ ନିଜର ଅନ୍ତର୍ନିହିତ ଦେବତ୍ୱକୁ ପ୍ରକାଶ କର ।
  • ଆମେ ସେହି ସର୍ବଶକ୍ତିମାନଙ୍କ ସନ୍ତାନ, ଆମେ ସେହି ଅନନ୍ତ ବ୍ରହ୍ମାଗ୍ନିର ସ୍ଫୁଲିଙ୍ଗ । ଆମେ କିଛି ନୁହଁ କିପରି ହେବୁ ? ଆମେ ସବୁ କରିବାକୁ ପ୍ରସ୍ତୁତ, ସବୁ କରିପାରୁ, ଆମକୁ ସବୁ କରିବାକୁ ହିଁ ହେବ ।
  • ଆମର ସମସ୍ତ ଶକ୍ତି,ଜ୍ଞାନ ଓ ଆନନ୍ଦ ଧୀରେ ଧୀରେ ବିକଶିତ ହୋଇ ଅନନ୍ତ ସ୍ୱରୂପ ଲାଭ କରିବ । ଅନନ୍ତ ସତ୍ତା, ଅନନ୍ତ ଶକ୍ତି , ଅନନ୍ତ ଆନନ୍ଦ ଆମ ଭିତରେ ରହିଛି । ସେ ସବୁକୁ ଯେ ଆମେ ଉପାର୍ଜନ କରିବୁ, ତାହା ନୁହେଁ, ତାହା ଆମ ଭିତରେ ହିଁ ରହିଛି —ପ୍ରକାଶ କରିବାକୁ ହେବ ମାତ୍ର ।
  • ନିଜର ଅନ୍ତର୍ନିହିତ ଦେବତ୍ୱକୁ ପ୍ରକାଶ କର, ବାକିସବୁ ଶୃଙ୍ଖଳିତ ଭାବରେ ତୁମ ଚତୁଃପାର୍ଶ୍ୱରେ ସଜ୍ଜିତ ହୋଇଯିବ ।
  • ପ୍ରତ୍ୟେକ ମନୁଷ୍ୟ ଭିତରେ ଅନନ୍ତ ପୂର୍ଣ୍ଣତା ବିଦ୍ୟମାନ, ଯଦିଓ ଅବ୍ୟକ୍ତ । ପ୍ରତ୍ୟେକ ମନୁଷ୍ୟ ମଧ୍ୟରେ ମହାପୁରୁଷତ୍ୱ, ଋଷିତ୍ୱ ବା ଲୌକିକ ବିଦ୍ୟାରେ ପାରଦର୍ଶିତା ଅର୍ଜନ କରିବା ପାଇଁ ଯଥେଷ୍ଟ ଶକ୍ତି ନିହିତ ରହିଛି ।
  • ନିଜ ଭିତରେ ମଣିଷର ଅନନ୍ତ ଶକ୍ତି ରହିଛି, ଏବଂ ସେ ଏହାକୁ ଉପଲବ୍ଧି କରିପାରେ । ଏହା ନିଶ୍ଚିତ ଭାବରେ ସମ୍ଭବ, କିନ୍ତୁ ସେ ଏହା ବିଶ୍ୱାସ କରେ ନାହିଁ ।
  • ଦୀନହୀନ ଭାବ ମୋ ମତରେ ପାପ ଓ ଅଜ୍ଞତା ।
  • ଅନନ୍ତ ଜ୍ଞାନ ପରିପୂର୍ଣ୍ଣରୂପେ ସକଳ ମନୁଷ୍ୟଙ୍କ ମଧ୍ୟରେ ନିହିତ ଅଛି । ଅଜ୍ଞ ଭଳି ଦେଖାଗଲେ ମଧ୍ୟ ପ୍ରକୃତରେ ତୁମେମାନେ ଅଜ୍ଞ ନୁହଁ । ତୁମେମାନେ ଏବେ ମୋତେ ଉପହାସ କରିପାର, କିନ୍ତୁ ଦିନେ ସମୟ ଆସିବ, ଯେତେବେଳେ ତୁମେମାନେ ଏହା ବୁଝିପାରିବ; ଅବଶ୍ୟ ବୁଝିବ ।
  • ଏହି ଆତ୍ମା ସର୍ବଭୂତରେ ସମାନ; କେବଳ ଜୀବ ଜୀବ ମଧ୍ୟରେ ଏହାର ବିକାଶରେ ତାରତମ୍ୟ ରହିଛି ମାତ୍ର । ଏହି ଆତ୍ମାକୁ ବିକଶିତ କରିବା ଲାଗି ଚେଷ୍ଟା କର । ଦେଖିବ, ତୁମର ବୁଦ୍ଧି ପ୍ରତ୍ୟେକ ବିଷୟରେ ପ୍ରବେଶ କରିପାରିବ । ଆତ୍ମା ବିକଶିତ ହେଲେ ଦେଖିବ, ଦର୍ଶନ, ବିଜ୍ଞାନ ଏବଂ ସବୁକିଛି ଆୟତ୍ତ ହୋଇଯିବ ।
  • ଉଠ ! ଜାଗ ! ଆଉ ଶୋଇରୁହ ନାହିଁ । ସମସ୍ତ ଅଭାବ ଓ ସମସ୍ତ ଦୁଃଖ ଦୂର କରିବାର ଶକ୍ତି ତୁମ ନିଜ ଭିତରେ ହିଁ ରହିଛି, ଏକଥା ବିଶ୍ୱାସ କର । ତାହେଲେ ହିଁ ସେହି ଶକ୍ତି ଜାଗି ଉଠିବ ।
  • ମଣିଷ ତାହାର ନିଜ ଅନନ୍ତ, ଶାଶ୍ୱତ, ଅମୃତ ଆତ୍ମାର ଗୌରବରେ ବିମଣ୍ଡିତ । ସେହି ଆତ୍ମାକୁ କୌଣସି ଅସ୍ତ୍ର ଭେଦ କରିପାରେ ନାହିଁ, ବାୟୁ କେବେ ଶୁଷ୍କ କରିପାରେ ନାହିଁ, ଅଗ୍ନି ଦଗ୍ଧ କରିପାରେ ନାହିଁ, ଜଳ ଆର୍ଦ୍ର କରିପାରେ ନାହିଁ । ସେହି ଅନନ୍ତ, ଅଜାତ, ଅମୃତ, ଅନାଦି ଓ ଅଶେଷ ଆତ୍ମାର ମହିମା ନିକଟରେ ଆକାଶ ନିଶ୍ଚିହ୍ନ ହୋଇଯାଏ, ସମୟ ଶୂନ୍ୟରେ ମିଳାଇଯାଏ । ଆମମାନଙ୍କୁ ଏହି ମହିମାମୟ ଆତ୍ମାରେ ବିଶ୍ୱାସୀ ହେବାକୁ ପଡ଼ିବ । ସେହି ବିଶ୍ୱାସରୁ ହିଁ ଶକ୍ତି ଆସିବ ।
  • ଆତ୍ମାର ଏହି ଅନନ୍ତ ଶକ୍ତିକୁ ଜଡ଼ ଉପରେ ପ୍ରୟୋଗ କଲେ, ଜାଗତିକ ଉନ୍ନତି ହୁଏ; ଚିନ୍ତା ଉପରେ ପ୍ରୟୋଗ କଲେ ବୌଦ୍ଧିକ ବିକାଶ ହୁଏ; ଏବଂ ନିଜ ଉପରେ ପ୍ରୟୋଗ କଲେ ମଣିଷ ଦେବତା ପାଲଟିଯାଏ ।
  • ନିଜ ଉପରେ ବିଶ୍ୱାସ ସ୍ଥାପନ କର ଏବଂ ଯଦି ସାଂସାରିକ ଧନ ସମ୍ପଦର ଆକାଙ୍‌କ୍ଷା ଥାଏ, ତେବେ ଏହି ଅଦ୍ୱୈତବାଦକୁ କାର୍ଯ୍ୟରେ ପରିଣତ କର, ଟଙ୍କା ତୁମ ନିକଟକୁ ଆସିବ । ଯଦି ବିଦ୍ୱାନ ଓ ବୁଦ୍ଧିମାନ ହେବାକୁ ଇଚ୍ଛା କର , ତେବେ ଅଦ୍ୱୈତବାଦକୁ ସେହିଦିଗରେ ପ୍ରୟୋଗ କର, ତୁମେ ମହାମନୀଷୀ ହେବ । ପୁଣି ଯଦି ତୁମେ ମୁକ୍ତିଲାଭ କରିବାକୁ ଚାହଁ, ତେବେ ଆଧ୍ୟାତ୍ମିକ ଭୂମିରେ ଏହି ଅଦ୍ୱୈତବାଦ ପ୍ରୟୋଗ କରିବାକୁ ହେବ—ତାହାହେଲେ ତୁମେ ଈଶ୍ୱର ହୋଇଯିବ, ପରମାନନ୍ଦସ୍ୱରୂପ ନିର୍ବାଣ ଲାଭ କରିବ ।
  • ମନୁଷ୍ୟର ଆତ୍ମାରେ ଅନନ୍ତ ଶକ୍ତି ରହିଛି, ମନୁଷ୍ୟ ଏହା ସମ୍ବନ୍ଧରେ ଅବଗତ ନ ରହିଲେ ମଧ୍ୟ ଏହା ରହିଛି, କେବଳ ଜାଣିବାର ଅପେକ୍ଷା ମାତ୍ର । … ଏହି ଅନନ୍ତ ଶକ୍ତି ଏବଂ ଜ୍ଞାନ ବିଷୟରେ ପୂର୍ଣ୍ଣ ସଚେତନ ହେଲେ ଆମର ସମସ୍ତ ଶକ୍ତି, ଜ୍ଞାନ ଓ ଆନନ୍ଦ ଧିରେ ଧିରେ ବିକଶିତ ହୋଇ ଅନନ୍ତସ୍ୱରୂପ ଲାଭ କରିବ ।
  • ଦୁନ୍ଦୁଭିନାଦରେ ସମଗ୍ର ଜଗତରେ ଘୋଷଣା କର, ‘‘ତୁମ ଭିତରେ କୌଣସି ପାପ ନାହିଁ, କୌଣସି ଦୁଃଖ ନାହିଁ, ଅସୀମ କ୍ଷମତାର ଉତ୍ସ ତୁମେ । ଉଠ, ଜାଗ ଏବଂ ଅନ୍ତର୍ନିହିତ ଦେବତ୍ୱକୁ ପ୍ରକାଶ କର ।
  • ଅସୀମ ପୂର୍ଣ୍ଣତାର ବୀଜ ସମସ୍ତଙ୍କ ମଧ୍ୟରେ ନିହିତ ଅଛି । ଅତଏବ ଆମମାନଙ୍କୁ ଆଶାବାଦୀ ଦୃଷ୍ଟିଭଙ୍ଗୀ ଅନୁଶୀଳନ କରିବାକୁ ହେବ ଏବଂ ସମସ୍ତଙ୍କ ମଧ୍ୟରେ ଯାହା କିଛି ଉତ୍ତମ ନିହିତ ଅଛି, ତାହା ହିଁ ଦେଖିବା ପାଇଁ ସଚେଷ୍ଟ ରହିବାକୁ ପଡ଼ିବ । ବସି ବସି ଖାଲି ଆମର ଶରୀର-ମନର ଅପୂର୍ଣ୍ଣତା ନେଇ କାନ୍ଦିଲେ କୌଣସି ଲାଭ ହେବ ନାହିଁ । ସମସ୍ତ ପ୍ରତିକୂଳ ଅବସ୍ଥାକୁ ଦମନ କରିବା ପାଇଁ ଯେ ବୀରୋଚିତ ପ୍ରଚେଷ୍ଟା, ତାହା ହିଁ ଆମମାନଙ୍କ ଆତ୍ମାକୁ ଉନ୍ନତି ପଥରେ ଚାଳିତ କରେ ।
  • ବୟସ ଯେତେ ବଢ଼ୁଛି, ମୋର ଧାରଣା ସେତିକି ଦୃଢ଼ ହେବାରେ ଲାଗିଛି ଯେ ପ୍ରତ୍ୟେକ ମଣିଷ ଦିବ୍ୟ ସ୍ୱଭାବ ସମ୍ପନ୍ନ । ପୁରୁଷ ବା ନାରୀ ଯେତେ ଜଘନ୍ୟ ଚରିତ୍ରର ହୋଇଥାନ୍ତୁ ନା କାହିଁକି, ସେମାନଙ୍କର ଅନ୍ତର୍ନିହିତ ଦେବତ୍ୱର ବିନାଶ ନାହିଁ ।
  • ତୁମକୁ ଜାଣିବାକୁ ପଡ଼ିବ ଯେ, ‘‘ତୁମେ କିଏ; କ’ଣ ତୁମର ପ୍ରକୃତ ସ୍ୱଭାବ ?’’ତୁମର ସେହି ଅନ୍ତର୍ନିହିତ ଅସୀମ ସତ୍ତା ବିଷୟରେ ତୁମକୁ ସଚେତନ ହେବାକୁ ପଡ଼ିବ । ତେବେ ହିଁ ତୁମର ବନ୍ଧନ ଛିନ୍ନ ହେବ ।
  • ତୁମେମାନେ ସମସ୍ତେ ଭାବିବ—‘ଆମେ ସବୁ ଅନନ୍ତ ଶକ୍ତିଶାଳୀ ଆତ୍ମା’ ଦେଖ କିଭଳି ବଳ ଆସିବ ।
  • ପ୍ରବାଦ କହେ, ‘‘ଜ୍ଞାନ ହିଁ ଶକ୍ତି’’ (Knowledge is power) । ଏହି ଜ୍ଞାନ ମଧ୍ୟ ଦେଇ ହିଁ ଶକ୍ତି ଆସେ । ମଣିଷକୁ ଜାଣିବାକୁ ହେବ ଯେ ସେ ଅନନ୍ତ ଶକ୍ତି ଓ ସାମର୍ଥ୍ୟ-ସମ୍ପନ୍ନ । ସତ କହିବାକୁ ଗଲେ—ସେ ହିଁ ‘ସ୍ୱଭାବତଃ ସର୍ବଶକ୍ତିମାନ ଏବଂ ସର୍ବଜ୍ଞ’—ଏହି କଥା ତାକୁ ଅବଶ୍ୟ ଜାଣିବାକୁ ହେବ । ବ୍ୟକ୍ତି ନିଜ ଆତ୍ମା ବିଷୟରେ ଯେତେ ସଜାଗ ହେବ, ନିଜ ଶକ୍ତିକୁ ସେତେ ପ୍ରକାଶ କରିପାରିବ, ନିଜର ବନ୍ଧନ ଛିନ୍ନ କରିପାରିବ ଏବଂ ସର୍ବଶେଷରେ ମୁକ୍ତ ହୋଇଯିବ ।
  • ଆତ୍ମା କଦାପି ଜାତ ହୁଏ ନାହିଁ କି ମରେ ନାହିଁ; ଆମେ ମରିବୁ ବା ମରିବାକୁ ଭୟ କରୁ, ଏସବୁ ଭାବ କେବଳ କୁସଂସ୍କାର ମାତ୍ର । ଆମେ ଏହା କରିପାରିବୁ ବା ତାହା କରିପାରିବୁ ନାହିଁ-ଏହା ମଧ୍ୟ କୁସଂସ୍କାର । ଆମେ ସବୁକିଛି କରିପାରିବୁ ।
  • ବେଦାନ୍ତ ମଣିଷକୁ ପ୍ରଥମେ ତାର ନିଜ ଉପରେ ବିଶ୍ୱାସ କରିବାକୁ ଶିକ୍ଷା ଦିଏ । ନିଜର ଆତ୍ମ-ମାହାତ୍ମ୍ୟରେ ବିଶ୍ୱାସ ସ୍ଥାପନ ନ କରିବା ବେଦାନ୍ତ ମତରେ ନାସ୍ତିକତା । ଅନେକଙ୍କ ପକ୍ଷରେ ଏହି ଧାରଣା ଅତି ସାଂଘାତିକ, ସେଥିରେ କୌଣସି ସନ୍ଦେହ ନାହିଁ । ଆମେମାନେ ଅନେକେ ବିବେଚନା କରୁ ଯେ ଆମେ କେବେହେଲେ ଏହି ଆଦର୍ଶରେ ପ୍ରତିଷ୍ଠିତ ହୋଇପାରିବୁ ନାହିଁ । କିନ୍ତୁ ବେଦାନ୍ତ ଦୃଢ଼ ଭାବରେ କହେ ଯେ ପ୍ରତ୍ୟେକେ ଏହି ସତ୍ୟକୁ ଜୀବନରେ ପ୍ରତ୍ୟକ୍ଷ କରିପାରିବେ ।
  • ସଦା ସର୍ବଦା ଏହି ଆତ୍ମା ବିଷୟରେ କହିବ, ଶୁଣିବ ଓ ବିଚାର କରିବ । ଏହିପରି କରୁ କରୁ କାଳକ୍ରମେ ଦେଖିବ—ତୁମ ଭିତରେ ବି ସିଂହ (ବ୍ରହ୍ମ) ଜାଗିଉଠିବ ।
  • ଭିତରେ ଆତ୍ମା ସର୍ବଦା ଜଳ ଜଳ କରୁଛି, ସେହି ଦିଗକୁ ନ ଚାହିଁ ହାଡ଼ମାଂସର କିମ୍ଭୂତକିମାକାର ପଞ୍ଜୁରି ଏହି ଜଡ଼ ଶରୀରଟା ଆଡ଼କୁ ସମସ୍ତେ ଦୃଷ୍ଟି ଦେଇ ‘ମୁଁ’—‘ମୁଁ’ କରୁଛନ୍ତି । ଏଇଟା ହିଁ ହେଉଛି ସମସ୍ତ ଦୁର୍ବଳତାର ମୂଳ ।
  • ଯଦି ଜଡ଼ ଶକ୍ତିଶାଳୀ ହୁଏ, ତେବେ ଚିନ୍ତା ସର୍ବଶକ୍ତିମତୀ । ସେହି ଚିନ୍ତା, ସେହି ଧ୍ୟାନ ନେଇଆସ, ନିଜକୁ ନିଜର ସର୍ବଶକ୍ତିମତ୍ତା ଓ ମହତ୍ତ୍ୱଭାବରେ ପୂର୍ଣ୍ଣ କରିଦିଅ ।
  • ବେଦାନ୍ତର ଏହି ସମସ୍ତ ମହାନ୍ ତତ୍ତ୍ୱ କେବଳ ଅରଣ୍ୟ ବା ଗିରିଗୁହାରେ ଆବଦ୍ଧ ରହିବ ନାହିଁ; ବିଚାରାଳୟ, ଭଜନାଳୟ, ଦରିଦ୍ରର କୁଟୀର, ମତ୍ସ୍ୟଜୀବୀର ଗୃହ, ଛାତ୍ରର ଅଧ୍ୟୟନାଗାର—ସର୍ବତ୍ର ଏହି ସମସ୍ତ ତତ୍ତ୍ୱ ଆଲୋଚିତ ଓ କାର୍ଯ୍ୟରେ ପରିଣତ ହେବ । ମତ୍ସ୍ୟଜୀବୀ ଯଦି ନିଜକୁ ଆତ୍ମା ବୋଲି ଚିନ୍ତା କରେ, ତେବେ ସେ ଜଣେ ଭଲ ମତ୍ସ୍ୟଜୀବୀ ହେବ; ବିଦ୍ୟାର୍ଥୀ ଯଦି ନିଜକୁ ଆତ୍ମା ବୋଲି ଚିନ୍ତା କରେ, ତେବେ ସେ ଜଣେ ଶ୍ରେଷ୍ଠ ବିଦ୍ୟାର୍ଥୀ ହେବ । ଓକିଲ ଯଦି ନିଜକୁ ଆତ୍ମା ବୋଲି ଚିନ୍ତା କରେ, ତେବେ ସେ ଜଣେ ଭଲ ଓକିଲ ହେବ । ଏହିପରି ଅନ୍ୟ ସମସ୍ତଙ୍କ ସମ୍ବନ୍ଧରେ ମଧ୍ୟ ଏହା ପ୍ରଯୁଜ୍ୟ ।

ଭାରତର ଯୁବକମାନଙ୍କ ପ୍ରତି ଆହ୍ୱାନ

  • ଉଦୀୟମାନ ଯୁବ-ସମ୍ପ୍ରଦାୟ ଉପରେ ହିଁ ମୋର ବିଶ୍ୱାସ । ସେମାନଙ୍କ ଭିତରୁ ହିଁ ମୁଁ କର୍ମୀ ପାଇବି । ସେମାନେ ହିଁ ସିଂହବିକ୍ରମରେ ଦେଶର ଯଥାର୍ଥ ଉନ୍ନତି ପାଇଁ ସମସ୍ତ ସମସ୍ୟାର ସମାଧାନ କରିବେ । ବର୍ତ୍ତମାନ ଅନୁଷ୍ଠେୟ ଆଦର୍ଶକୁ ମୁଁ ଗୋଟିଏ ସୁନିର୍ଦ୍ଦିଷ୍ଟ ଆକାରରେ ବ୍ୟକ୍ତ କରିଛି ଏବଂ ତାହାକୁ କାର୍ଯ୍ୟରେ ସଫଳ କରିବା ପାଇଁ ମୋ ଜୀବନ ସମର୍ପଣ କରିଛି ।… ସେମାନେ ଗୋଟିଏ କେନ୍ଦ୍ରରୁ ଅନ୍ୟ କେନ୍ଦ୍ରକୁ ବିସ୍ତାର କରିବେ—ଏଭଳି ଭାବରେ ସେମାନେ ସମଗ୍ର ଭାରତରେ ପ୍ରସାରଲାଭ କରିବେ ।
  • ମୁଁ ଏହି ଯୁବ-ଗୋଷ୍ଠୀକୁ ସଂଘବଦ୍ଧ କରିବା ପାଇଁ ଜନ୍ମଗ୍ରହଣ କରିଛି । କେବଳ ସେହିମାନେ ନୁହନ୍ତି, ଭାରତର ପ୍ରତିନଗରରେ ଆହୁରି ଶତ ଶତ ଯୁବକ ମୋ ସହିତ ଯୋଗ ଦେବା ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି । ଏମାନେ ଅପ୍ରତିହତ ତରଙ୍ଗ ଆକାରରେ ଭାରତଭୂମି ଉପର ଦେଇ ପ୍ରବାହିତ ହେବେ ଏବଂ ସର୍ବାପେକ୍ଷା ଦୀନ, ହୀନ ଓ ପଦଦଳିତମାନଙ୍କ ନିକଟକୁ ସୁଖ-ସ୍ୱାଚ୍ଛନ୍ଦ୍ୟ, ନୀତି, ଧର୍ମ ଓ ଶିକ୍ଷା ବହନ କରିବେ—ଏହା ହିଁ ମୋର ଆକାଙ୍‌କ୍ଷା ଓ ବ୍ରତ, ମୁଁ ଏହାକୁ ଉଦ୍‌ଯାପନ କରିବି ନ ହେଲେ ମୃତ୍ୟୁ ବରଣ କରିବି ।
  • ଆମର ଯୁବକମାନଙ୍କୁ ସବଳ ହେବାକୁ ପଡ଼ିବ, ଧର୍ମ ପରେ ଆସିବ । ହେ ମୋର ଯୁବ-ବନ୍ଧୁଗଣ, ତୁମେମାନେ ସବଳ ହୁଅ—ଏହା ହିଁ ତୁମମାନଙ୍କ ପ୍ରତି ମୋର ଉପଦେଶ । ଗୀତାପାଠ ଅପେକ୍ଷା ଫୁଟବଲ ଖେଳିଲେ ତୁମେ ସ୍ୱର୍ଗର ଅଧିକତର ସମୀପବର୍ତ୍ତୀ ହେବ । ମୋତେ ଅତି ସାହସ ପୂର୍ବକ କଥାଗୁଡ଼ିକ କହିବାକୁ ପଡ଼ୁଛି; କିନ୍ତୁ ନ କହି ରହିପାରୁ ନାହିଁ । ମୁଁ ତୁମମାନଙ୍କୁ ଭଲ ପାଏ । ମୁଁ ଜାଣେ ଜୋତାର କେଉଁ ଜାଗା ପାଦକୁ ପୀଡ଼ା ଦେଉଛି । ମୋର କିଛି ଅଭିଜ୍ଞତା ଅଛି । ତୁମ ଶରୀର ଟିକିଏ ଶକ୍ତ ହେଲେ ତୁମେ ଗୀତା ଭଲ ଭାବରେ ବୁଝିପାରିବ ।
    ଜଣେ ଇଂରେଜ ବାଳକ ତୁମକୁ କହିବ—‘ମୁଁ ଜଣେ ଇଂରେଜ, ମୁଁ ସବୁ କରିପାରେ ।’ ଆମେରିକାର ବାଳକ ମଧ୍ୟ ଏହି କଥା କହିବ—ପ୍ରତ୍ୟେକ ୟୁରୋପୀୟ ବାଳକ ଏହି କଥା କହିବ । ଆମ ଦେଶରେ ବାଳକଗଣ ସେହି କଥା କହିପାରନ୍ତି କି ? କେବେହେଲେ ନୁହେଁ; ବାଳକମାନେ କାହିଁକି, ବାଳକମାନଙ୍କ ପିତାମାନେ ମଧ୍ୟ ଏକଥା କହିପାରନ୍ତି ନାହିଁ । ଆମେମାନେ ନିଜ ପ୍ରତି ବିଶ୍ୱାସ ହରାଇଛୁ ।
  • ହେ ବୀରହୃଦୟ ଯୁବକଗଣ, ତୁମେମାନେ ବିଶ୍ୱାସ କର ଯେ, ତୁମେମାନେ ବଡ଼ ବଡ଼ କାମ କରିବା ପାଇଁ ଜନ୍ମ ନେଇଛ । କୁକୁରର ଭୋ ଭୋ ରଡ଼ିରେ ଡରିଯାଅ ନାହିଁ—ଏପରି କି ଆକାଶରୁ ପ୍ରବଳ ବଜ୍ରପାତ ହେଲେ ମଧ୍ୟ ଭୟ କର ନାହିଁ—ମୁଣ୍ଡ ଟେକି ଠିଆ ହୁଅ, ଉଠ, କାମ କର ।
  • ଉଠ ! ସାହସୀ ହୁଅ, ବୀର୍ଯ୍ୟବାନ୍ ହୁଅ । ସମସ୍ତ ଦାୟିତ୍ୱ ନିଜ କାନ୍ଧ ଉପରକୁ ନିଅ—ଜାଣିରଖ, ତୁମେ ତୁମର ଅଦୃଷ୍ଟର ସୃଜନକର୍ତ୍ତା । ତୁମେ ଯାହା କିଛି ଶକ୍ତି ବା ସହାୟତା ଚାହଁ, ସେ ସମସ୍ତ ତୁମ ମଧ୍ୟରେ ରହିଛି । ଅତଏବ ତୁମେ ନିଜର ଭବିଷ୍ୟତ ନିଜେ ଗଠନ କର ।
  • ମନୁଷ୍ୟ ଦରକାର, ମନୁଷ୍ୟ ଦରକାର; ଆଉ ସବୁ ହୋଇଯିବ । ବୀର୍ଯ୍ୟବାନ୍, ସମ୍ପୂର୍ଣ୍ଣ ଅକପଟ, ତେଜସ୍ୱୀ, ବିଶ୍ୱାସୀ ଯୁବକମାନଙ୍କର ଆବଶ୍ୟକ । ଏହିପରି ଶହେ ଯୁବକ ହେଲେ, ସମଗ୍ର ଜଗତର ଭାବସ୍ରୋତ ପରିବର୍ତ୍ତିତ କରିହେବ ।
  • ଆମେ ଯାହା ହୋଇଛୁ ସେଥିପାଇଁ ଆମେ ହିଁ ଦାୟୀ; ଏବଂ ଯାହା ହେବାପାଇଁ ଚାହୁଁଛୁ, ତାହା ହେବାପାଇଁ ଶକ୍ତି ଆମରି ଭିତରେ ଅଛି । ଆମେ ବର୍ତ୍ତମାନ ଯାହା ହୋଇଛୁ ତାହା ଯଦି ଆମର ଅତୀତ କର୍ମର ପରିଣାମ, ତେବେ ଏହା ନିଶ୍ଚିତ ଯେ ଆମେ ଭବିଷ୍ୟତରେ ଯାହା ହେବାପାଇଁ ଚାହୁଁ ତାହା ଆମର ବର୍ତ୍ତମାନ କର୍ମଦ୍ୱାରା ନିର୍ଦ୍ଧାରିତ ହେବ । ତେଣୁ ଆମକୁ ଜାଣିବାକୁ ହେବ କାର୍ଯ୍ୟ କିପରି କରିବାକୁ ହୁଏ ।
  • କେତେଜଣ ଯୁବକ ଦରକାର, ଯେଉଁମାନେ ସବୁକିଛି ତ୍ୟାଗ କରି ଦେଶ ପାଇଁ ଜୀବନ ଉତ୍ସର୍ଗ କରିବେ । ସେମାନଙ୍କ ଜୀବନ ଆଗ ଗଢ଼ିବାକୁ ହେବ, ତେବେ ଯାଇ ପ୍ରକୃତ କାର୍ଯ୍ୟ ଆଶା କରାଯାଇପାରେ ।
  • ସେହିସବୁ ଯୁବକମାନଙ୍କ ମଧ୍ୟରେ କାର୍ଯ୍ୟ କର, ଯେଉଁମାନେ ଭାରତର ଜନସାଧାରଣଙ୍କର ଉନ୍ନୟନରୂପକ ଏକମାତ୍ର କର୍ତ୍ତବ୍ୟରେ ମନପ୍ରାଣ ଦେଇ ଆତ୍ମନିୟୋଗ କରିପାରନ୍ତି । ସେମାନଙ୍କୁ ଜାଗ୍ରତ କର, ସଂଘବଦ୍ଧ କର ଏବଂ ଏହି ତ୍ୟାଗମନ୍ତ୍ରରେ ଦୀକ୍ଷିତ କର । ଭାରତର ଯୁବକଗଣଙ୍କ ଉପରେ ହିଁ ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ନିର୍ଭର କରେ ।
  • ତୁମେମାନେ ତୁମର ସ୍ନାୟୁକୁ ସତେଜ କର । ଆମର ଆବଶ୍ୟକ—ଲୌହରେ ଗଢ଼ା ମାଂସପେଶୀ ଓ ଇସ୍ପାତ୍‌ରେ ଗଢ଼ା ସ୍ନାୟୁ । ଆମେ ଅନେକ ଦିନ ଧରି କାନ୍ଦିଛୁ । ବର୍ତ୍ତମାନ ଆଉ କାନ୍ଦିବାର ପ୍ରୟୋଜନ ନାହିଁ; ବର୍ତ୍ତମାନ ନିଜ ଗୋଡ଼ରେ ନିଜେ ଠିଆ ହୁଅ । ମନୁଷ୍ୟ ହୁଅ ।
  • ସେଠାକୁ ଯାଅ, ଯେଉଁଠାରେ ମହାମାରୀ ଅଥବା ଦୁର୍ଭିକ୍ଷ ହୋଇଛି; ଯେଉଁଠାରେ ଜୀବ ଦୁଃଖ ଭୋଗୁଛି ଏବଂ ସେମାନଙ୍କ ଦୁଃଖ ମୋଚନ କର ।
  • ଯଦି ତୁମର ମୋ କଥାପ୍ରତି ତିଳେମାତ୍ର ମଧ୍ୟ ସମ୍ମାନ ଥାଏ… ତେବେ ମୁଁ ତୁମକୁ କହିବି… ପ୍ରଥମେ ତୁମର ଘରର ସମସ୍ତ ଦ୍ୱାର ଓ ଝରକା ଉନ୍ମୁକ୍ତ କରିଦିଅ । ତୁମର ବାସସ୍ଥାନର ଚତୁଃପାର୍ଶ୍ୱରେ ବହୁଲୋକ ଦୁଃଖ ଓ ଦୁର୍ଦ୍ଦଶାରେ ବୁଡ଼ିଯାଉଛନ୍ତି, ତୁମେ ସେମାନଙ୍କ ନିକଟକୁ ଯାଅ ଏବଂ ତୁମର ସମସ୍ତ ଆଗ୍ରହ ଓ ଉତ୍ସାହର ସହିତ ସେମାନଙ୍କର ସେବା କର । ଯେଉଁମାନେ ଅସୁସ୍ଥ, ସେମାନଙ୍କୁ ଔଷଧ ବିତରଣ କର ଏବଂ ଯତ୍ନର ସହିତ ସେମାନଙ୍କର ଚିକିତ୍ସା କର; ଯେଉଁମାନେ କ୍ଷୁଧାର୍ତ୍ତ ସେମାନଙ୍କୁ ଖାଦ୍ୟ ଦିଅ ଏବଂ ତୁମେ ଯେତିକି ଜାଣ ତାହା ଶିକ୍ଷା ଦିଅ । ଲକ୍ଷ ଲକ୍ଷ ନରନାରୀ ପବିତ୍ରତାର ଅଗ୍ନିମନ୍ତ୍ରରେ ଦୀକ୍ଷିତ ହୋଇ, ଭଗବାନଙ୍କଠାରେ ଦୃଢ଼ ବିଶ୍ୱାସରୂପକ ବର୍ମରେ ସଜ୍ଜିତ ହୋଇ ଦରିଦ୍ର, ପତିତ ଓ ପଦଦଳିତମାନଙ୍କ ପ୍ରତି ସହାନୁଭୁତିପ୍ରସୂତ ସିଂହବିକ୍ରମରେ ହୃଦୟ ଦୃଢ଼ କରନ୍ତୁ ଏବଂ ମୁକ୍ତି, ସେବା, ସାମାଜିକ ଉନ୍ନୟନ ଓ ସାମ୍ୟର ମଙ୍ଗଳମୟୀ ବାର୍ତ୍ତା ଦ୍ୱାରେ ଦ୍ୱାରେ ବିତରଣ କରି ସମଗ୍ର ଭାରତ ଭ୍ରମଣ କରନ୍ତୁ ।
  • ପବିତ୍ରତା, ସହିଷ୍ଣୁତା ଓ ଅଧ୍ୟବସାୟ—ଏହି ତିନୋଟି ଏବଂ ସର୍ବୋପରି ପ୍ରେମ—ସିଦ୍ଧିଲାଭପାଇଁ ଏକାନ୍ତ ଆବଶ୍ୟକ ।
  • ଉଠ, ଜାଗ, ନିଜେ ଜାଗି ଅନ୍ୟମାନଙ୍କୁ ଜାଗ୍ରତ କର । ମୃତ୍ୟୁ ପୂର୍ବରୁ ନରଜନ୍ମ ସାର୍ଥକ କର—‘ଉତ୍ତିଷ୍ଠତ ଜାଗ୍ରତ ପ୍ରାପ୍ୟ ବରାନ୍ ନିବୋଧତ !’
  • ତୁମେସବୁ ସତରେ ଯଦି ମୋ ସନ୍ତାନ ହୋଇଥାଅ, ତା’ ହେଲେ କଦାପି ଭୟ କରିବ ନାହିଁ, କୌଣସି ବାଧାରେ ଅଟକିବ ନାହିଁ । ତୁମେ ସବୁ ସିଂହ ତୁଲ୍ୟ ହେବ । ଭାରତକୁ ଓ ସମଗ୍ର ଜଗତକୁ ଜାଗ୍ରତ କରିବାକୁ ପଡ଼ିବ ।… ମୋର ସନ୍ତାନଗଣ, ସେମାନଙ୍କ କାର୍ଯ୍ୟ ସାଧନ ପାଇଁ ଯଦି ଆବଶ୍ୟକ ପଡ଼େ ଅଗ୍ନିରେ ମଧ୍ୟ ଝାସ ଦେବା ପାଇଁ ପ୍ରସ୍ତୁତ ଥିବେ ।
  • ସମସ୍ତଙ୍କୁ ଯାଇ କୁହ—ଉଠ, ଜାଗ, ଆଉ ଶୁଅ ନାହିଁ । ସମସ୍ତ ଅଭାବ, ସମସ୍ତ ଦୁଃଖ ଦୂର କରିବାର ଶକ୍ତି ତୁମ ନିଜ ଭିତରେ ରହିଛି, ଏକଥା ବିଶ୍ୱାସ କର । ତାହାହେଲେ ହିଁ ସେହି ଶକ୍ତି ଜାଗି ଉଠିବ ।…ଯଦି ତୁମେ ଭାବିପାର ଯେ ଅସୀମ ଶକ୍ତି, ଅସୀମ ଜ୍ଞାନ ଓ ଅଦମ୍ୟ ସାହସ ତୁମ ଭିତରେ ବିଦ୍ୟମାନ ଏବଂ ଯଦି ତୁମେ ସେହି ଶକ୍ତିକୁ ପ୍ରକାଶ କରିପାର, ତେବେ ତୁମେ ମଧ୍ୟ ମୋ ପରି ହୋଇପାରିବ ।

ଆତ୍ମବିଶ୍ୱାସ

  • ସମସ୍ତ ଶାସ୍ତ୍ରରେ ଯାହା ଅଛି, ସେ ସମସ୍ତ ତୁମ ନିଜ ଭିତରେ ହିଁ ରହିଛି, ବରଂ ତାହା ଅପେକ୍ଷା ହଜାରେ ଗୁଣ ବେଶୀ ଅଛି । ନିଜ ଉପରୁ କେବେହେଲେ ବିଶ୍ୱାସ ହରାଅ ନାହିଁ, ଏହି ଜଗତରେ ତୁମେ ସବୁକିଛି କରିପାର । କେବେବି ନିଜକୁ ଦୁର୍ବଳ ଭାବ ନାହିଁ । ସବୁଶକ୍ତି ତୁମ ଭିତରେ ରହିଛି ।
  • ଆମର ଦରକାର ଶ୍ରଦ୍ଧା, ଆଉ ଦରକାର ନିଜ ଉପରେ ବିଶ୍ୱାସ । Strength is life, weakness is death (ଶକ୍ତି ହିଁ ଜୀବନ, ଦୁର୍ବଳତା ହିଁ ମୃତ୍ୟୁ) । ଆମର ଆତ୍ମା ଅମର, ମୁକ୍ତ—pure, pure by nature (ପବିତ୍ର, ସ୍ୱଭାବତଃ ପବିତ୍ର) । ଆମେମାନେ କଅଣ କେବେ ପାପ କରିପାରୁ ? ଅସମ୍ଭବ ।—ଏହିପରି ବିଶ୍ୱାସ ଦରକାର । ଏହି ବିଶ୍ୱାସ ହିଁ ଆମମାନଙ୍କୁ ମନୁଷ୍ୟ କରେ, ଆଉ ଦେବତାପରି ଗଢ଼ିତୋଳେ । ଏହି ଶ୍ରଦ୍ଧାଭାବକୁ ହରାଇ ଦେଶ ଉଚ୍ଛନ୍ନ ହୋଇଗଲା ।
  • କୌଣସି ଜାତି କିମ୍ବା ବ୍ୟକ୍ତିପକ୍ଷରେ ଉନ୍ନତି କରିବାକୁ ହେଲେ ତିନୋଟି ବିଷୟର ପ୍ରୟୋଜନ—
    କ. ସାଧୁତା ଶକ୍ତି ଉପରେ ପ୍ରଗାଢ଼ ବିଶ୍ୱାସ ।
    ଖ. ଈର୍ଷା ଓ ସନ୍ଦେହ ଭାବର ଏକାନ୍ତ ଅଭାବ ।
    ଗ. ଯେଉଁମାନେ ସତ୍ ହେବାକୁ କିମ୍ବା ସତ୍ କାର୍ଯ୍ୟ କରିବାକୁ ସଚେଷ୍ଟ, ସେମାନଙ୍କୁ ସହାୟତା କରିବା ।
  • ତୁମେ ନିଜେ ତୁମ ଅଦୃଷ୍ଟର ନିର୍ମାତା । ତୁମେ ନିଜ କର୍ମଫଳରୁ ଭଲମନ୍ଦ ଉଭୟ ଭୋଗ କରୁଛ, ତୁମେ ନିଜେ ନିଜ ଆଖିରେ ହାତ ଦେଇ କହୁଛ—ଅନ୍ଧକାର । ହାତ କାଢ଼ିଦିଅ—ଆଲୋକ ଦେଖିପାରିବ ।
  • ପରପାଇଁ ଟିକିଏ ହେଲେ ବି କାମ କଲେ ଭିତରର ଶକ୍ତି ଜାଗିଉଠେ । ପରପାଇଁ ତିଳେମାତ୍ର ଭାବିଲେ କ୍ରମେ ହୃଦୟରେ ସିଂହର ବଳ ସଞ୍ଚାର ହୁଏ ।
  • ମୋ ଉପରେ କେହି ନିର୍ଭର କରେ ଏବଂ ମୁଁ କାହାରି ଉପକାର କରିପାରେ, ଏପରି ଚିନ୍ତା କରିବା ହିଁ ଅତ୍ୟନ୍ତ ଦୁର୍ବଳତା । ଏହି ପ୍ରକାର ବିଶ୍ୱାସରୁ ହିଁ ଆମର ସବୁ ପ୍ରକାର ଆସକ୍ତି ଜନ୍ମେ ଏବଂ ଏହି ଆସକ୍ତିରୁ ହିଁ ସକଳ ଦୁଃଖର ଉଦ୍ଭବ । ତେଣୁ ଅନାସକ୍ତ ସ୍ୱଭାବର ବିକାଶ କରିବା ଜୀବନର ଏକ ମହାନ୍ ଶିକ୍ଷାର ବିଷୟ ଏବଂ ଯେତେବେଳେ ଆମେ ସଂପୂର୍ଣ୍ଣରୂପେ ଏହା ଶିକ୍ଷା କରିପାରିବୁ ସେତେବେଳେ ଆମର ଆଉ ଦୁଃଖ ରହିବ ନାହିଁ । … ଅତଏବ ଅନାସକ୍ତି ଦ୍ୱାରା ତୁମେ ତୁମ ଉପରକୁ ଆସୁଥିବା, ଯେ କୌଣସି ପ୍ରଭାବକୁ ଜୟ କର—ଅସ୍ୱୀକାର କର ।
  • ଆଜ୍ଞାବହ ହୁଅ ଏବଂ ନିଜର ଦେଶ, ମାନବଜାତି ଓ ସତ୍ୟ ପାଇଁ ନିରନ୍ତର ଶ୍ରଦ୍ଧାବାନ୍ ହୁଅ—ତୁମେ ସଂସାରକୁ ପରିବର୍ତ୍ତନ କରିଦେଇପାରିବ ।
  • କୌଣସି ବିଷୟରେ ଭୟ କର ନାହିଁ । ତୁମେମାନେ ମହତ୍ କାର୍ଯ୍ୟ କରିବ । ଯେଉଁ ମୁହୂର୍ତ୍ତରେ ତୁମ ହୃଦୟରେ ଭୟର ସଂଚାର ହୁଏ, ସେହି ମୁହୂର୍ତ୍ତରେ ତୁମେ ଶକ୍ତିହୀନ ହୋଇଯାଅ । ଭୟ ହିଁ ଜଗତର ସମସ୍ତ ଦୁଃଖର ମୁଖ୍ୟ କାରଣ, ଭୟ ହିଁ ସର୍ବାପେକ୍ଷା ବଡ଼ କୁସଂସ୍କାର; ନିର୍ଭୀକ ହେଲେ ମୁହୂର୍ତ୍ତମାତ୍ରେ ସ୍ୱର୍ଗ ମଧ୍ୟ ଆମର କରତଳଗତ ହୁଏ ।
  • ବାଧା ଯେତେ ହେବ, ସେତେ ଭଲ । ବାଧା ନ ପାଇଲେ କ’ଣ ନଦୀର ବେଗ ବଢ଼େ ? ଯେଉଁ ଜିନିଷ ଯେତେ ନୂତନ ହେବ, ଯେତେ ଉତ୍ତମ ହେବ, ସେ ଜିନିଷ ପ୍ରଥମେ ସେତେ ଅଧିକ ବାଧା ପାଇବ । ବାଧା ହିଁ ସିଦ୍ଧିର ପୂର୍ବଲକ୍ଷଣ । ବାଧା ନାହିଁ ତ ସିଦ୍ଧି ମଧ୍ୟ ନାହିଁ ।
  • କାୟ-ମନ-ବାକ୍ୟ ଯଦି ଏକ ହୁଏ, ଅଳ୍ପ ସଂଖ୍ୟକ ଲୋକ ପୃଥିବୀକୁ ବଦଳାଇ ଦେଇପାରିବେ—ଏହି ବିଶ୍ୱାସଟି କେବେହେଲେ ହରାଅ ନାହିଁ ।
  • ସଂସ୍କୃତରେ ଗୋଟିଏ ପ୍ରବାଦ ଅଛି—‘ଦୈବେନ ଦେୟମିତି କାପୁରୁଷାଃ ବଦନ୍ତି’ (କାପୁରୁଷ ଓ ମୂର୍ଖମାନେ ହିଁ ଅଦୃଷ୍ଟର ଦ୍ୱାହି ଦିଅନ୍ତି) । କିନ୍ତୁ ଯିଏ ଶକ୍ତିମାନ୍, ସେ ଏସବୁରେ ବିଶ୍ୱାସ ନ କରି ବରଂ ଅଣ୍ଟା ଭିଡ଼ି ଛିଡ଼ା ହୋଇ କହେ, ‘ମୁଁ ହିଁ ମୋର ଅଦୃଷ୍ଟକୁ ଗଢ଼ିବି ।’ ଯେଉଁମାନେ ବୃଦ୍ଧ ହେବାକୁ ଯାଉଛନ୍ତି ସେମାନେ ହିଁ ନିୟତିର କଥା କହନ୍ତି ।
  • ଆମର ବର୍ତ୍ତମାନ ଅବସ୍ଥା ଯଦି ପୂର୍ବକର୍ମ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ, ତାହାହେଲେ ଏହା ହିଁ ନିଶ୍ଚିତ ସିଦ୍ଧାନ୍ତ ଯେ, ଭବିଷ୍ୟତରେ ଆମେ ଯାହା ହେବାକୁ ଇଚ୍ଛା କରୁ ଆମର ବର୍ତ୍ତମାନ କର୍ମ ଦ୍ୱାରା ତାହା ହୋଇପାରେ । ଅତଏବ କିପରି କର୍ମ କରିବାକୁ ହେବ, ତାହା ଆମର ଜାଣିବା ଉଚିତ ।… କର୍ମ କିପରି କରିବାକୁ ହୁଏ ତାହା ଜାଣିଲେ କର୍ମରୁ ଶ୍ରେଷ୍ଠଫଳ ମିଳିବ ।… ଅତି ସାମାନ୍ୟ କର୍ମକୁ ମଧ୍ୟ ଘୃଣା କରିବା ଉଚିତ ନୁହେଁ ।
  • ତୁମେ ନିଜକୁ ମହାନ୍‌ ବୋଲି ଭାବ, ତୁମେ ମହାନ୍‌ ହୋଇଯିବ । ଆମ ମଧ୍ୟରେ ସେହି ଗୌରବମୟ ଆତ୍ମା ବିଦ୍ୟମାନ ଅଛନ୍ତି; ଆସ ଆମେ ଏଥିରେ ବିଶ୍ୱାସ କରିବା ।
  • କେତେବେଳେ ହେଲେ ‘ନା’ କୁହ ନାହିଁ, କେତେବେଳେ ହେଲେ ‘ପାରିବି ନାହିଁ’ ବୋଲି କୁହ ନାହିଁ । ଏପରି କେବେହେଲେ ହୋଇପାରେ ନାହିଁ । କାରଣ, ତୁମେ ଅନନ୍ତ-ସ୍ୱରୂପ । ତୁମର ଯଥାର୍ଥ ସ୍ୱରୂପ ତୁଳନାରେ ଦେଶକାଳ ମଧ୍ୟ ତୁଚ୍ଛ । ତୁମେ ସବୁକିଛି କରିପାର, ତୁମେ ସର୍ବଶକ୍ତିମାନ୍ ।
  • ତୁମେ ଯାହା ଚିନ୍ତା କରିବ, ତୁମେ ତାହା ହିଁ ହେବ । ଯଦି ତୁମେ ନିଜକୁ ଦୁର୍ବଳ ବୋଲି ଭାବ; ତେବେ ତୁମେ ଦୁର୍ବଳ ହେବ, ତେଜସ୍ୱୀ ଭାବିଲେ ତେଜସ୍ୱୀ ହେବ ।