ତିନୋଟି ଦିବ୍ୟ ଜୀବନ ଓ ବାଣୀ

ଶ୍ରୀରାମକୃଷ୍ଣ

ଶ୍ରୀରାମକୃଷ୍ଣ ହୁଗୁଳୀ ଜିଲ୍ଲାର କାମାରପୁକୁର ଗାଁରେ ଏକ ବ୍ରାହ୍ମଣ ବଂଶରେ ଜନ୍ମଗ୍ରହଣ କରିଥିଲେ । ସେ ଦିନ ଥିଲା ୧୨୪୨ ସାଲର ଛଅ ଫାଲ୍ଗୁନ, ବୁଧବାର, ଶୁକ୍ଳ ଦ୍ୱିତୀୟା ତିଥି (୧୮୩୬ ଖ୍ରୀଷ୍ଟାବ୍ଦର ଫେବୃଆରୀ ୧୮ ତାରିଖ) । ତାଙ୍କ ପିତାଙ୍କ ନାମ କ୍ଷୁଦିରାମ ଚଟ୍ଟୋପାଧ୍ୟାୟ ଓ ମାତା ଚନ୍ଦ୍ରମଣି ଦେବୀ । କ୍ଷୁଦିରାମ ଅତି ନିଷ୍ଠାବାନ, ତେଜସ୍ୱୀ, ଦେବଦେବୀଙ୍କ ପ୍ରତି ଭକ୍ତିପରାୟଣ, ସତ୍ୟବାଦୀ ଓ ସଦାଚାରୀ ବ୍ରାହ୍ମଣ ଥିଲେ । ତାଙ୍କର ବିଶ୍ୱାସ ଥିଲା ଜ୍ୱଳନ୍ତ । ଶୀତଳା ଦେବୀ ବାଳିକା ରୂପରେ ଆସି ପ୍ରତ୍ୟୁଷରେ ପୂଜାଫୁଲ ତୋଳିବାରେ କ୍ଷୁଦିରାମଙ୍କୁ ସାହାଯ୍ୟ କରୁଥିଲେ । ଚନ୍ଦ୍ରମଣି ଦେବୀ ସରଳତା ଓ ଦୟାର ପ୍ରତିମୂର୍ତ୍ତି ଥିଲେ । ତାଙ୍କର ପୂର୍ବ ବାସସ୍ଥାନ ଥିଲା ଦେରେ ଗାଁରେ, କାମାରପୁକୁରଠାରୁ ତିନି ମାଇଲ ଦୂରରେ । ସେହି ଗ୍ରାମର ଜମିଦାରଙ୍କ ପକ୍ଷରେ ମିଥ୍ୟା ସାକ୍ଷ୍ୟ ନ ଦେବା ଫଳରେ, ଚାଳିଶ ବର୍ଷ ବୟସରେ କ୍ଷୁଦିରାମଙ୍କୁ ସ୍ୱଜନବର୍ଗଙ୍କ ସହ ପୈତୃକ ବାସସ୍ଥାନ ଛାଡ଼ି କାମାରପୁକୁରରେ ଏକ ବନ୍ଧୁଙ୍କ ଦାନ ସ୍ୱରୂପ ସାମାନ୍ୟ ଏକ କୁଟୀରରେ ଆଶ୍ରୟ ନେବାକୁ ପଡ଼ିଥିଲା । ଥରେ ପିତୃପୁରୁଷଙ୍କୁ ପିଣ୍ଡଦାନ ଦେବା ଲାଗି ସେ ଗୟାତୀର୍ଥକୁ ଯାଇଥିଲେ । ନାରାୟଣ ତାଙ୍କୁ ସ୍ୱପ୍ନରେ ଦର୍ଶନ ଦେଇ କହିଲେ, ‘କ୍ଷୁଦିରାମ, ତୁମର ଭକ୍ତିରେ ମୁଁ ସନ୍ତୁଷ୍ଟ ହୋଇଛି । ତୁମର ସେବା ଗ୍ରହଣ କରିବା ପାଇଁ ତୁମର ପୁତ୍ର ରୂପେ ମୁଁ ଜନ୍ମ ନେବି ।‘ କ୍ଷୁଦିରାମ, କାନ୍ଦି ପକାଇ କହିଲେ, ‘ମୁଁ ଯେ ବଡ଼ ଗରୀବ ! ଆପଣଙ୍କର ସେବା ମୁଁ କରିପାରିବ ତ ପ୍ରଭୁ ?‘ ସେହି ଜ୍ୟୋତିର୍ମୟ ପୁରୁଷ ସ୍ନେହବିଗଳିତ କଣ୍ଠରେ କହିଲେ, ‘ଭୟ କର ନାହିଁ ବ୍ରାହ୍ମଣ ! ତୁମେ ଯେଉଁ ଭାବରେ ମୋର ସେବା କରନା କାହିଁକି, ସେଥିରେ ମୁଁ ତୁପ୍ତ ହେବି ।‘ ଏଣେ ତାଙ୍କ ଗୃହରେ ଚନ୍ଦ୍ରମଣି ଦେବୀଙ୍କର ନାନା ପ୍ରକାର ଦିବ୍ୟ ଦର୍ଶନ ଓ ଅନୁଭୂତି ହେବାକୁ ଲାଗିଲା । ସେ ଅନୁଭବ କଲେ ଯେ ଏକ ପ୍ରକାଣ୍ଡ ଜ୍ୟୋତି ସତେ ଯେମିତି ତାଙ୍କ ଉଦରରେ ପ୍ରବେଶ କରିଛି । ଯଥା ସମୟରେ ଶ୍ରୀରାମକୃଷ୍ଣଙ୍କର ଜନ୍ମ ହେଲା । ସ୍ୱପ୍ନକଥା ମନେ ପକାଇ କ୍ଷୁଦିରାମ ନବଜାତକର ନାମ ଗଦାଧର ରଖିଲେ । ପଞ୍ଚମ ବର୍ଷରେ ବିଦ୍ୟାରମ୍ଭ କରାଇ କ୍ଷୁଦିରାମ ଗଦାଧରଙ୍କୁ ଗ୍ରାମ ପାଠଶାଳାରେ ନାମ ଲେଖାଇ ଦେଲେ । ପଢ଼ାପଢ଼ି ବେଶୀ ଦୂର ଅଗ୍ରସର ହେଲା ନାହିଁ । ପାଠଶାଳାରେ ଅଙ୍କ ପାଠଟା ଗଦାଧରଙ୍କର ବୋଧଗମ୍ୟ ହେଲା ନାହିଁ । ସପ୍ତମ ବର୍ଷରେ ପିତାଙ୍କ ମୃତ୍ୟୁପରେ ଗଦାଧର ମା’ଙ୍କୁ ଗୃହ କର୍ମରେ ସାହାଯ୍ୟ କରିବାକୁ ଲାଗିଲେ । ସେ ଗୃହଦେବତାଙ୍କ ସେବାରେ ମଧ୍ୟ ବହୁ ସମୟ କଟାଉଥିଲେ । ଏଗାର ବର୍ଷ ବୟସରେ ଉପନୟନ ପରେ ସେ ଗୃହଦେବତା ରଘୁବୀରଙ୍କ ପୂଜାର ଭାର ଗ୍ରହଣ କଲେ । ଫୁଲ ତୋଳି ମାଳ ଗୁନ୍ଥୁଥିଲେ ଏବଂ ନିତ୍ୟ ପୂଜା-ଅର୍ଚ୍ଚନାଦି କରୁଥିଲେ । ଅତି ଅଳ୍ପ ବୟସରୁ ଶ୍ରୀରାମକୃଷ୍ଣଙ୍କର ଭଗବଦ୍ଭାବର ଆବେଶ ହେବାକୁ ଲାଗିଲା । ଯେତେବେଳେ ତାଙ୍କୁ ମାତ୍ର ସାତ ବର୍ଷ ବୟସ, ଦିନେ ସକାଳେ ଅଣ୍ଟିରେ ମୁଢ଼ି ଧରି ଖାଇ ଖାଇ ଚାଲିଛନ୍ତି ବିଲର ହିଡ଼ବାଟରେ । ଆକାଶରେ କଳା ମେଘର ବିସ୍ତାର ତଳେ ଉଡ୍ଡୀୟମାନ ବଗଙ୍କର ସ୍ୱଚ୍ଛନ୍ଦ ଗତି ଦେଖୁ ଦେଖୁ ଅପୂର୍ବ ଭାବର ଆବେଶରେ ସେ ଅଜ୍ଞାନ ହୋଇ ପଡ଼ିଗଲେ । ବାଟୋଇ ଲୋକେ ଦେଖିପାରି ତାଙ୍କୁ ଆଣି ଘରେ ପହଞ୍ଚାଇ ଦେଇଗଲେ । ଆଉ ଦିନେ ଗାଁର ସ୍ତ୍ରୀ-ଭକ୍ତଗଣଙ୍କ ସହିତ ଗଦାଧର ନିକଟବର୍ତ୍ତୀ ଆନୁଡ଼ଗ୍ରାମର ଜାଗ୍ରତା ଦେବୀ ବିଶାଳାକ୍ଷୀଙ୍କ ଦର୍ଶନ ପାଇଁ ଯାଉଥିଲେ । ସେତେବେଳେ ଅକସ୍ମାତ୍ ଅନ୍ତର ଭିତରେ ଏକ ଅଦ୍ଭୁତ ଜ୍ୟୋତି ଦର୍ଶନ କରି ଦେବୀଙ୍କର ଆବେଶରେ ସେ ବାହ୍ୟଜ୍ଞାନ ହରାଇ ବସିଲେ । ଲୋକେ କହିଲେ ମୂର୍ଚ୍ଛା । ଏହାକୁ ପୁଅର ବେମାରି ମନେ କରି ଚନ୍ଦ୍ରମଣି ଦେବୀ ବହୁ ଗୁଣିଗାରଡ଼ି ଚିକିତ୍ସା ପ୍ରଭୃତି କରାଇଥିଲେ । ଗଦାଧର କିନ୍ତୁ କହିଥିଲେ-ତାଙ୍କର ଅନ୍ତର ଦିବ୍ୟାନନ୍ଦରେ ଭରି ଉଠିଥିଲା । ଶ୍ରୀରାମକୃଷ୍ଣ ପିଲାଦିନେ ଗଦାଇ ନାମରେ ପରିଚିତ ଥିଲେ । ସେ ଅତି ସୁନ୍ଦର ଗୀତ ଗାଇ ପାରୁଥିଲେ । ତାଙ୍କର ସୁମଧୁର କଣ୍ଠସ୍ୱର ସହିତ ପ୍ରବଳ ସ୍ମୃତିଶକ୍ତି ମଧ୍ୟ ରହିଥିଲା । ତେଣୁ ଥରଟିଏ ମାତ୍ର ଯାତ୍ରା ବା ପାଲା ଗୀତ ଶୁଣି ସେଥିରୁ ଅଧିକାଂଶ ଗୀତ ଗାଇପାରୁଥିଲେ ଏବଂ ସମଗ୍ର ଯାତ୍ରା ଅଭିନୟ କରି ସମସ୍ତଙ୍କୁ ଆନନ୍ଦ ଦେଉଥିଲେ । ଏହି ସଦାନନ୍ଦ ବାଳକକୁ ପଡ଼ିଶାର ଆବାଳବୃଦ୍ଧବନିତା ସମସ୍ତେ ଅତ୍ୟନ୍ତ ଭଲ ପାଉଥିଲେ । ଘର ନିକଟରେ ଲାହାବାବୁଙ୍କର ଅତିଥିଶାଳାରେ ବହୁ ସାଧୁସମାଗମ ହେଉଥିଲା । ଶ୍ରୀରାମକୃଷ୍ଣ ସେଠାରେ ସାଧୁମାନଙ୍କର ସେବା ଯତ୍ନ କରୁଥିଲେ, ସେମାନଙ୍କର ମୁହଁରୁ ବହୁ ଧର୍ମକଥା ତନ୍ମୟ ହୋଇ ଶୁଣୁଥିଲେ । କଥକମାନଙ୍କର ପୁରାଣପାଠ ଶୁଣି ସେ ସବୁ କଣ୍ଠସ୍ଥ କରି ପକାଉଥିଲେ । ଏହିପରି ରାମାୟଣ, ମହାଭାରତ, ଶ୍ରୀମଦ୍ଭାଗବତର କଥାସବୁ ତାଙ୍କର ହୃଦୟଙ୍ଗମ ହୋଇଗଲା । ତାଙ୍କର ସୁଲଳିତ କଣ୍ଠରୁ ଏହିସବୁ ଧର୍ମଗ୍ରନ୍ଥ ପାଠ ଓ ବ୍ୟାଖ୍ୟା ଶୁଣି ଗ୍ରାମର ସ୍ତ୍ରୀ ପୁରୁଷ ସଭିଏଁ ମୁଗ୍ଧ ହୋଇ ଯାଉଥିଲେ । ପିଲାଦିନୁ ଶ୍ରୀରାମକୃଷ୍ଣଙ୍କର ଉଚ୍ଚନୀଚ ବୋଧ ନ ଥିଲା । ନିମ୍ନ ଜାତିର ଲୋକଙ୍କ ଘରକୁ ଯାଇ ମଧ୍ୟ ସେ ପ୍ରହ୍ଲାଦଚରିତ, ଧ୍ରୁବଚରିତ ବା ରାମାୟଣ ପାଠ କରି ଆନନ୍ଦ ବିତରଣ କରୁଥିଲେ । ଘରେ ରହି ଗଦାଇର ପାଠ ହେଉ ନାହିଁ ଦେଖି ତାଙ୍କୁ ବଡ଼ଭାଇ ରାମକୁମାର କଲିକତା ଝାମାପୁକୁରସ୍ଥିତ ତାଙ୍କ ଟୋଲକୁ ପଢ଼ିବା ପାଇଁ ନେଇ ଗଲେ । ସେତେବେଳେ ତାଙ୍କ ବୟସ ସତର ବର୍ଷ । କିନ୍ତୁ ପାଠ ପଢ଼ାରେ ତାଙ୍କର ସେପରି ଉତ୍ସାହ ଦେଖାଗଲା ନାହିଁ । ବାଲ୍ୟକାଳରୁ ଧର୍ମସମ୍ବନ୍ଧୀୟ ବିଷୟ ଛଡ଼ା ଅନ୍ୟ କେଉଁ ପାଠରେ ତାଙ୍କର ମନ ଲାଗୁ ନ ଥିଲା । ପଢ଼ାପଢ଼ିରେ ତାଙ୍କର ଔଦାସୀନ୍ୟ ରାମକୁମାରଙ୍କୁ ବିଶେଷ ଚିନ୍ତିତ କଲା । ବଡ଼ଭାଇଙ୍କ ପ୍ରଶ୍ନରେ ଶ୍ରୀରାମକୃଷ୍ଣ ସହଜ କଣ୍ଠରେ ଉତ୍ତର ଦେଲେ, ‘ଏ ସବୁ ଚାଉଳ-କଦଳୀ ବନ୍ଧା ବିଦ୍ୟା ମୁଁ ଶିଖିବି ନାହିଁ । ମୁଁ ଏପରି ବିଦ୍ୟା ଅର୍ଜନ କରିବାକୁ ଚାହେଁ, ଯେଉଁଥିରେ ଯଥାର୍ଥ ଜ୍ଞାନ ଲାଭ କରି ମାନବଜୀବନ ସାର୍ଥକ ହେବ ।‘ କଲିକତା ଆସି ଶ୍ରୀରାମକୃଷ୍ଣ ଝାମାପୁକୁର ଓ ଅନ୍ୟାନ୍ୟ ସ୍ଥାନରେ କେତେ ଦିନ ପୂଜା ଅର୍ଚ୍ଚନା ମଧ୍ୟ କରିଥିଲେ । ରାଣୀ ରାସମଣି ବହୁ ଅର୍ଥବ୍ୟୟରେ ଗଙ୍ଗାକୂଳବର୍ତ୍ତୀ ଦକ୍ଷିଣେଶ୍ୱରରେ ବିଭିନ୍ନ ମନ୍ଦିର ନିର୍ମାଣ କରି ଶ୍ରୀରାଧାଗୋବିନ୍ଦ ଓ ମା’କାଳୀଙ୍କ ବିଗ୍ରହ ସ୍ଥାପନ କଲେ । ୧୨୬୨ ସାଲର ଜ୍ୟେଷ୍ଠ ୧୮ ତାରିଖ ଗୁରୁବାର ସ୍ନାନଯାତ୍ରା ଦିନ (ଇଂରାଜୀ ୩୧ ମେ ୧୮୫୫ ଖ୍ରୀ.) । ଶ୍ରୀ ରାମକୃଷ୍ଣଙ୍କ ବଡ଼ଭାଇ ପଣ୍ଡିତ ରାମକୁମାର କାଳୀମନ୍ଦିରର ପ୍ରଥମ ପୂଜକ ରୂପେ ନିଯୁକ୍ତ ହେଲେ । ରାମକୃଷ୍ଣ ମଧ୍ୟ ବେଳେ ବେଳେ କଲିକତାରୁ ସେଠାକୁ ଆସୁଥିଲେ ଏବଂ ଘଟଣାଚକ୍ରରେ କିଛି ଦିନ ପରେ ନିଜେ ମଧ୍ୟ ପୂଜା-କାର୍ଯ୍ୟରେ ବ୍ରତୀ ହେଲେ । ସେତେବେଳେ ତାଙ୍କର ବୟସ ମାତ୍ର ୨୧/୨୨ ବର୍ଷ । କେତେ ଦିନ ପୂଜା କଲା ପରେ ଶ୍ରୀରାମକୃଷ୍ଣଙ୍କ ମନରେ ପ୍ରଶ୍ନ ଉଠିଲା-‘ମୁଁ କାହାର ପୂଜା କରୁଛି ? ମା’ ପାଷାଣମୟୀ ନା ଚିନ୍ମୟୀ ? ଯଦି ଚିନ୍ମୟୀ, ତା’ ହେଲେ ମୋତେ କାହିଁକି ଦେଖା ଦେଉ ନାହାନ୍ତି । ଏତେ ତ ଡାକୁଛି, କେତେ ତ କାନ୍ଦୁଛି ।‘ କ୍ରମଶଃ ତାଙ୍କ ମନର ଅବସ୍ଥା ଅନ୍ୟ ପ୍ରକାର ହୋଇଗଲା । ସବୁବେଳେ ‘ମା’ ଦେଖା ଦିଅ, ମା’ ଦେଖା ଦିଅ’ କହି ଅତି ବ୍ୟାକୁଳ ହୋଇ କାନ୍ଦୁଥିଲେ । ଜଙ୍ଗଲ ଭିତରକୁ ଯାଇ ଧ୍ୟାନରେ ବସି କେତେ ରାତି କଟାଇ ଦେଉଥିଲେ । ଦିନ ଶେଷରେ ଗଙ୍ଗାକୂଳ ଭୂଇଁ ଉପରେ ମୁହଁ ଘଷି ଘଷି ଆର୍ତ୍ତନାଦ କରି ଡାକୁଥିଲେ, ‘ଏତେ ଦିନ ତ ବିତିଗଲା ମା’, ତଥାପି ତୋର ଦେଖା ପାଇଲି ନାହିଁ । ତୋତେ ନ ଦେଖିଲେ ମୋର ବଞ୍ଚି ରହିବା ବୃଥା ସିନା !‘ ଭୂଇଁରେ ଏତେ ଜୋର୍ରେ ମୁହଁ ଘଷୁଥିଲେ ଯେ, ମୁହଁ ରକ୍ତାକ୍ତ ହୋଇଯାଉଥିଲା । ସେଥିପ୍ରତି ଏହି ଦିବ୍ୟ-ଉନ୍ମାଦଙ୍କର ଆଦୌ ଖିଆଲ ରହୁ ନ ଥିଲା । ଆହାର ନିଦ୍ରା ତ୍ୟାଗ କରି ଭବତାରିଣୀଙ୍କ ପ୍ରତିମା ସମ୍ମୁଖରେ ବସି ଛାତି ବାଡ଼େଇ କାନ୍ଦୁଥିଲେ । ତାଙ୍କର ସାଧନା ଓ ବ୍ୟାକୁଳତା ଚରମ ସୀମାରେ ପହଞ୍ଚିଗଲା । ଦିନେ ମନ୍ଦିରରେ ବସି କାନ୍ଦୁ କାନ୍ଦୁ ତାଙ୍କର ମନେ ହେଲା-‘ମା’ଙ୍କର ଦର୍ଶନ ଯେତେବେଳେ ପାଇଲି ନାହିଁ, ସେତେବେଳେ ଏ ଜୀବନ ରଖି ଆଉ ଲାଭ କ’ଣ ?, ହଠାତ୍ ସେ ଉନ୍ମାଦ ଭଳି ମନ୍ଦିର କାନ୍ଥରୁ ମା’ଙ୍କ ଖଣ୍ଡାଟି ଟାଣି ଆଣି କହିଲେ, ‘ଆଜି ଏଇଠି ଏ ଜୀବନ ବଳି ଦେବି ।‘ ଏହା କହି ନିଜକୁ ବଧ କରିବା ପାଇଁ ଯେତେବେଳେ ସେ ଖଣ୍ଡା ଉଠାଇଲେ, ସେତେବେଳେ ହଠାତ୍ ମା’ କାଳୀ ଜ୍ୟୋତିର୍ମୟୀ ମୂର୍ତ୍ତି ଧରି ତାଙ୍କୁ ଦର୍ଶନ ଦେଲେ । ଅନ୍ତରରେ ଓ ବାହାରେ ବରାଭୟା ମୂର୍ତ୍ତିରେ ମା’ଙ୍କୁ ଦେଖି ରାମକୃଷ୍ଣ ସଂଜ୍ଞାଶୂନ୍ୟ ହୋଇ ପଡ଼ିଗଲେ । ଦୁଇ ତିନି ଦିନ ସେହି ଅବସ୍ଥାରେ ଆନନ୍ଦରେ ଆତ୍ମହରା ହୋଇ ରହିଲେ । ଏହି ପ୍ରଥମ ଦର୍ଶନ ପରେ ଶ୍ରୀରାମକୃଷ୍ଣଙ୍କ ବ୍ୟାକୁଳତା ଆହୁରି ବଢ଼ି ଉଠିଲା; ସତେ ଯେପରି ମା’ଙ୍କୁ ଛାଡ଼ି ମୂହୁର୍ତ୍ତେ ମଧ୍ୟ ରହିପାରିବେ ନାହିଁ । ସେ ଚିନ୍ମୟୀ ମା’ଙ୍କ ଛାଡ଼ି ମୂହୁର୍ତ୍ତେ ମଧ୍ୟ ରହିପାରିବେ ନାହିଁ । ସେ ଚିନ୍ମୟୀ ମା’ଙ୍କ ସାଙ୍ଗରେ କଥା କହୁଥିଲେ, ହସୁଥିଲେ । ନାନା ଭାବରେ ମା’ଙ୍କୁ ପାଇ ଆନନ୍ଦରେ ବିଭୋର ହୋଇ ରହୁଥିଲେ । ମନ୍ଦିରର ଭବତାରିଣୀ ପାଷାଣ ପ୍ରତିମା ହୋଇ ଆଉ ନାହାନ୍ତି । ସେ ଚିନ୍ମୟୀରୂପରେ, ଆନନ୍ଦମୟୀ ରୂପରେ ରାମକୃଷ୍ଣଙ୍କ ନିକଟରେ ଧରା ଦେଇ ଲୀଳାନନ୍ଦ-ରସରେ ତାଙ୍କୁ ବୁଡ଼ାଇ ରଖିଲେ । ରାମକୃଷ୍ଣଙ୍କ ଜୀବନରେ ଚିନ୍ମୟୀଙ୍କର ନାନା ଭାବର ବିଳାସ ଆଧ୍ୟାତ୍ମିକ ଇତିହାସରେ ବିଶେଷ ଗୁରୁତ୍ୱପୂର୍ଣ୍ଣ ଘଟଣା ।

*                          *                             *

ଗଦାଧର ଉନ୍ମାଦ ହୋଇଯାଇଛି; ମନ୍ଦିରରେ ଆଉ ପୂଜାର୍ଚ୍ଚନା କରୁ ନାହିଁ; ସବୁବେଳେ ମା’, ମା’, ମା’, ବୋଲି କାନ୍ଦୁଛି; ଆହାର ନିଦ୍ରା ଛାଡ଼ିଛି; ପାଗଳଭଳି କାନ୍ଧରେ ଠେଙ୍ଗା ଧରି ଘୂରି ବୁଳୁଛି; କାଙ୍ଗାଳୀମାନଙ୍କ ଅଇଁଠା ଖାଉଛି-ଏହିସବୁ କଥା ଶୁଣି କାମାରପୁକୁରରେ ତାଙ୍କ ଜନନୀ ଚନ୍ଦ୍ରମଣି ବିଶେଷ ଉଦ୍ବିଗ୍ନ ହୋଇପଡ଼ିଥିଲେ । ସେ ଭାବିଳେ, ଗଦାଇର ପିଲାବେଳର ବାୟୁରୋଗ ପୁଣି ହୁଏତ ବାହରିଛି । ତେଣୁ ଚିକିତ୍ସା ପାଇଁ ଗଦାଧରକୁ କାମାରପୁକୁରକୁ ଡକାଇ ଆଣିଲେ । ନାନା ଚିକିତ୍ସା ସତ୍ତ୍ୱେ ରୋଗର ସାମାନ୍ୟ ଉପଶମ ମଧ୍ୟ ହେଲା ନାହିଁ । ତେଣୁ ଆତ୍ମୀୟସ୍ୱଜନଙ୍କ ପରାମର୍ଶରେ ବିବାହର ଚେଷ୍ଟା ଚାଲିଲା । କିନ୍ତୁ କେଉଁଠି ହେଲେ ମନଲାଖି ପାତ୍ରୀ ମିଳିଲା ନାହିଁ । ଏସବୁ ଦେଖି ଶ୍ରୀରାମକୃଷ୍ଣ ନିଜେ ପାତ୍ରୀର ସନ୍ଧାନ ଦେଲେ-‘ଜୟରାମବାଟୀରେ ରାମଚନ୍ଦ୍ର ମୁଖୋପାଧ୍ୟାୟଙ୍କ ଘରେ ପାତ୍ରୀ କୁଟାବନ୍ଧା ହୋଇ ରହିଛି, ସେଇଠି ଯାଇ ଦେଖ ।‘ ଲୋକ ପଠାଇ କନ୍ୟାର ସନ୍ଧାନ ନେଲେ । ଦୁଇ ତରଫର ସମ୍ମତି ହେଲା; ପରବର୍ତ୍ତୀ ବୈଶାଖ ମାସର ଏକ ଶୁଭଲଗ୍ନରେ ବିବାହ କାର୍ଯ୍ୟ ସମ୍ପନ୍ନ ହେଲା । ଶ୍ରୀରାମକୃଷ୍ଣଙ୍କର ତେଇଶ ବର୍ଷ ପୂର୍ଣ୍ଣ ହୋଇଛି, ସାରଦାମଣି ମାତ୍ର ପାଞ୍ଚ ବର୍ଷର ବାଳିକା । ଜୟରାମବାଟୀର ନାରୀଗଣ କୁହାକୁହି ହେଲେ ‘ଆହା ! ସାରଦାର କପାଳ ଖରାପ, ବରର ପୁଣି ମୁଣ୍ଡ-ପାଗଳ ଦୋଷ ଅଛି ।‘ ବିବାହ ପରେ ଶ୍ରୀରାମକୃଷ୍ଣ କେତେଦିନ କାମାରପୁକୁରରେ ଥିଲେ ଏବଂ ନିକଟବର୍ତ୍ତୀ ଶ୍ମଶାନକୁ ଯାଇ ନାନା ସାଧନା କରୁଥିଲେ । ରାତି ପାହି ଯାଉଥିଲା ସେ ସାଧନାରେ । ସେତିକିବେଳେ କୁଳପ୍ରଥାନୁସାରେ ତାଙ୍କୁ କିଛି ଦିନ ପାଇଁ ଶ୍ୱଶୁରଘର ଜୟରାମବାଟୀକୁ ଯିବାକୁ ପଡ଼ିଥିଲା । ଏକ ଶୁଭ ଦିନରେ ସ୍ୱାମୀ ସ୍ତ୍ରୀ ଦୁହେଁ କାମାରପୁକୁରକୁ ଫେରି ଆସିଥିଲେ । ସେତେବେଳକୁ ସାରଦାଦେବୀ ସପ୍ତମ ବର୍ଷରେ ପଦାର୍ପଣ କରିଥାଆନ୍ତି । ପାଲିଙ୍କିରେ ବସି ଆସିଲାବେଳେ ଶ୍ରୀରାମକୃଷ୍ଣ ସ୍ତ୍ରୀଙ୍କୁ କହିଲେ-‘କେହି ଯଦି ପଚାରେ, ତୁମକୁ ମୁଁ ଭଲ ପାଏ କି ନାହିଁ, କହିବ ଖୁବ୍ ଭଲ ପାଏ ।‘ ସାତ ବର୍ଷ ବୟସର ବଧୂ ସାରଦାମଣି କେବଳ ମୁଣ୍ଡ ହଲାଇ ସ୍ୱାମୀଙ୍କ କଥା ଅନୁମୋଦନ କଲେ । ଏହାର କେତେ ଦିନ ପରେ ପ୍ରାୟ ସୁସ୍ଥ ଶରୀରରେ ଶ୍ରୀରାମକୃଷ୍ଣ ତାଙ୍କର ସାଧନାପୀଠ ଦକ୍ଷିଣେଶ୍ୱରକୁ ଫେରିଆସିଲେ, ଏବଂ ସାରଦାମଣି ବାପଘରକୁ ଫେରିଯାଇ ନିଜ ପିତାମାତାଙ୍କ ସେବାରେ ବ୍ରତୀ ହେଲେ । ଦକ୍ଷିଣେଶ୍ୱରକୁ ଫେରିଆସି ଶ୍ରୀରାମକୃଷ୍ଣ ପୁଣି ତୀବ୍ର ସାଧନା ଆରମ୍ଭ କଲେ; ଫଳରେ ତାଙ୍କର ଉନ୍ମାଦନା ଆରମ୍ଭ ହେଲା ଆହୁରି ତୀବ୍ର ରୂପରେ-ସେହି ଗାତ୍ରଦାହ, ସେହି ଅସ୍ଥିରତା, ସବୁବେଳେ ଛାତି ଲାଲ ହୋଇ ରହୁଥିଲା, ଆଖିର ପଲକ ପଡ଼ୁ ନଥିଲା, ସବୁବେଳେ ମା’ ମା’ ବୋଲି ଡାକି କାନ୍ଦୁଥିଲେ ।… ମନ୍ଦିରର କର୍ମଚାରୀ ଓ ବିଶେଷତଃ ରାଣୀ ରାସମଣିଙ୍କ ଜାମାତା ମଥୁରବାବୁ ବିସ୍ମୟ ପ୍ରକାଶ କଲେ । ବାହା ହେଲା ପରେ ତ ମନଟା ବାଗକୁ ଆସିବା କଥା, କିନ୍ତୁ ବର୍ତ୍ତମାନ ଦେଖୁଛୁ ଠିକ୍ ତା’ର ଓଲଟା ହେଉଛି । ଏଥିରେ ଶ୍ରୀରାମକୃଷ୍ଣଙ୍କ ପ୍ରତି ମଥୁରବାବୁଙ୍କର ଶ୍ରଦ୍ଧା-ଭକ୍ତି ଆହୁରି ବଢ଼ିଗଲା । ସେ କଲିକତାର ବିଖ୍ୟାତ ବୈଦ୍ୟମାନଙ୍କୁ ଡାକି ତାଙ୍କ ଚିକିତ୍ସାର ବ୍ୟବସ୍ଥା କରାଇଲେ । ଜନୈକ ପ୍ରବୀଣ ବୈଦ୍ୟ କହିଲେ, ‘ଏହାଙ୍କର ତ ଦିବ୍ୟଉନ୍ମାଦ ଅବସ୍ଥା, ଏହା ଯୋଗଜ ବ୍ୟାଧି ! ଔଷଧରେ ଏ ତ ଭଲ ହେବ ନାହିଁ ।‘ ତାହା ହିଁ ସତ୍ୟ ହେଲା । ରୋଗର ଉପଶମ ହେବା ଦୂରେ ଥାଉ, ବରଂ ଦିନକୁ ଦିନ ସେହି ଉନ୍ମାଦ ଅବସ୍ଥା ବଢ଼ି ଚାଲିଲା । ଇତି ମଧ୍ୟରେ ମଥୁରବାବୁଙ୍କର ଏକ ଅଲୌକିକ ଦର୍ଶନ ହେଲା । ସେ ଶ୍ରୀରାମକୃଷ୍ଣଙ୍କ ଭିତରେ ମା’କାଳୀ ଓ ଦେବାଦିଦେବ ମହାଦେବଙ୍କର ଦର୍ଶନ ପାଇଲେ । ଏହି ଦର୍ଶନ ପରେ ମଥୁରବାବୁଙ୍କର ସନ୍ଦେହ ଭାଙ୍ଗିଲା । ସେହିଦିନଠାରୁ ଜୀବନର ଶେଷ ଦିନ ପର୍ଯ୍ୟନ୍ତ ସେ ଶ୍ରୀରାମକୃଷ୍ଣଙ୍କୁ ନରଦେହଧାରୀ ଦେବତା ଜ୍ଞାନ କରି ଭକ୍ତି ଓ ସେବା କରୁଥିଲେ । ଦକ୍ଷିଣେଶ୍ୱରକୁ ଫେରିଆସି ଶ୍ରୀରାମକୃଷ୍ଣ ମନ୍ଦିରରେ ଭବତାରିଣୀଙ୍କ ପୂଜାରେ ବ୍ରତୀ ହେଲେ । କାଳୀବିଗ୍ରହ ପୂଜା କରୁ କରୁ ଅଦ୍ଭୁତ ଈଶ୍ୱରୀୟ ରୂପମାନ ଦର୍ଶନ କରୁଥିଲେ । ଆଳତି କରୁଛନ୍ତି ତ କରୁଛନ୍ତି; ଆଳତି ଆଉ ଶେଷ ହେଉ ନାହିଁ । ପୂଜା କରିବାକୁ ବସିଲେ ପୂଜା ଆଉ ଶେଷ ହୁଏ ନାହିଁ ।… ହୁଏତ ଦେବୀଙ୍କ ପାଦରେ ଫୁଲ ଦେବାକୁ ଯାଇ ନିଜ ମୁଣ୍ଡ ଉପରେ ଫୁଲ ରଖନ୍ତି । ଦେବୀଙ୍କୁ ନୈବେଦ୍ୟ ନିବେଦନ କରି କହନ୍ତି, ‘ମୋତେ ଖାଇବାକୁ କହୁଛୁ ! ହଉ, ମୁଁ ତା’ ହେଲେ ଖାଉଛି, ଆଉ ତୁ ବି ଖାଆ !‘ କହି ନିଜେ ଟିକିଏ ଖାଇ ସେହି ନୈବେଦ୍ୟ ଦେବୀଙ୍କ ମୁହଁ ନିକଟରେ ଟେକି ଧରନ୍ତି । ଦେବୀଙ୍କୁ ଶଯ୍ୟା ନିବେଦନ କରିବାକୁ ଯାଇ ନିଜେ ସେହି ଶଯ୍ୟାରେ ଶୋଇ ପଡ଼ନ୍ତି ! ଏପରି କେତେ କଥା । କ୍ରମେ ସେ ଆଉ ପୂଜା କରିପାରିଲେ ନାହିଁ, ଉନ୍ମାଦ ଭଳି ବ୍ୟବହାର କରିବାକୁ ଲାଗିଲେ । ମଥୁରବାବୁ ତାଙ୍କୁ ମହାପୁରୁଷ ଜ୍ଞାନ କରି ତାଙ୍କର ସେବାଯତ୍ନ କରିବାକୁ ଲାଗିଲେ ଓ ଅତଃପର ଅନ୍ୟ ବ୍ରାହ୍ମଣଙ୍କ ଦ୍ୱାରା ମା’ କାଳୀଙ୍କ ନିତ୍ୟପୂଜାର ବ୍ୟବସ୍ଥା କଲେ । ଏହାପରେ ଶ୍ରୀରାମକୃଷ୍ଣ ବହୁ କଠୋର ସାଧନାରେ ବ୍ରତୀ ହେଲେ । ‘ଲୋଷ୍ଟ୍ର ଓ କାଞ୍ଚନ ସମାନ’ ଏହି ଜ୍ଞାନରେ ପ୍ରତିଷ୍ଠିତ ହେବା ପାଇଁ ସେ ‘ଟଙ୍କା-ମାଟି ମାଟି-ଟଙ୍କା’ କହି ସମବୁଦ୍ଧିରେ ଟଙ୍କା ଓ ମାଟି ଗଙ୍ଗାଜଳରେ ନିକ୍ଷେପ କଲେ । କାଞ୍ଚନ ପ୍ରତି ଆସକ୍ତି ତାଙ୍କର ଚିରଦିନ ପାଇଁ ଦୂର ହେଲା । ଦିନେ ଶ୍ରୀରାମକୃଷ୍ଣ ମା’ କାଳୀଙ୍କୁ କହିଲେ, ‘ମା’, ମୁଁ ଲେଖାପଢ଼ା ଜାଣେ ନାହିଁ, ଶାସ୍ତ୍ର ଜାଣେ ନାହିଁ । ତୁ ଦୟା କରି ମୋତେ ସବୁ ଧର୍ମର, ସବୁ ଶାସ୍ତ୍ରର ସାର କହି ଦେ ।‘ ଜଗଜ୍ଜନନୀଙ୍କ ଇଚ୍ଛାରେ ସେହି ଦିନଠାରୁ ନାନା ଭାବର ନାନା ଧର୍ମର ଆଚାର୍ଯ୍ୟଗଣ ଦକ୍ଷିଣେଶ୍ୱରକୁ ଆଗମନ କରି ଶ୍ରୀରାମକୃଷ୍ଣଙ୍କୁ ବିଭିନ୍ନ ଧର୍ମର ସାଧନାରେ ଦୀକ୍ଷିତ କଲେ । କ୍ରମେ କ୍ରମେ ସକଳ ସାଧନାରେ ସିଦ୍ଧିଲାଭ କରି ସେ ଉପଲବ୍ଧି କଲେ ଯେ ସବୁ ଧର୍ମ ସତ୍ୟରେ ପ୍ରତିଷ୍ଠିତ, ସବୁ ଧର୍ମର ଲକ୍ଷ୍ୟ ଈଶ୍ୱରଲାଭ । ‘ଯେତେ ମତ, ସେତେ ପଥ’-ସବୁ ଧର୍ମ ସେହି ଏକ ପରମେଶ୍ୱରଙ୍କ ନିକଟକୁ ନେଇ ଯାଏ ।… ଜଣେ ଭୈରବୀ ବ୍ରାହ୍ମଣୀ ଦକ୍ଷିଣେଶ୍ୱରକୁ ଆସି ଶ୍ରୀରାମକୃଷ୍ଣଙ୍କୁ ତନ୍ତ୍ରମତରେ ବହୁ ସାଧନା କରାଇଲେ ଏବଂ ତାଙ୍କୁ ଗୌରାଙ୍ଗ ଭାବି ଶ୍ରୀଚୈତନ୍ୟଚରିତାମୃତ ପ୍ରଭୃତି ବୈଷ୍ଣବ ଗ୍ରନ୍ଥସବୁ ପଢ଼ି ଶୁଣାଇଲେ । ଏହି ସନ୍ନ୍ୟାସିନୀ ତନ୍ତ୍ରଶାସ୍ତ୍ରରେ ବିଶେଷ ପାରଦର୍ଶିନୀ ଥିଲେ ଓ ସବୁ ସାଧନାରହସ୍ୟ ମଧ୍ୟ ଜାଣିଥିଲେ । ତାଙ୍କ ଉପଦେଶାନୁଯାୟୀ ଶ୍ରୀରାମକୃଷ୍ଣ ପ୍ରଧାନ ଚୌଷଠି ପ୍ରକାର ତନ୍ତ୍ର-ସାଧନାରେ ସିଦ୍ଧିଲାଭ କଲେ । କୌଣସି ସାଧନାରେ ସିଦ୍ଧିଲାଭ କରିବାକୁ ତାଙ୍କୁ ତିନି ଦିନରୁ ବେଶୀ ସମୟ ଲାଗି ନାହିଁ । ଏହି ସମୟରେ ଦଶଭୁଜାଠାରୁ ଆରମ୍ଭ କରି ଦ୍ୱିଭୁଜା ପର୍ଯ୍ୟନ୍ତ କେତେ ଯେ ଦେବଦେବୀଙ୍କ ମୂର୍ତ୍ତି ସେ ଦର୍ଶନ କରିଥିଲେ ତା’ର ଠିକଣା ନାହିଁ । ଗଙ୍ଗାକୂଳରେ ପଞ୍ଚବଟୀ, ତୁଳସୀକାନନ ଓ ପଞ୍ଚମୁଣ୍ଡିର ଆସନ ପ୍ରଭୃତି ପ୍ରସ୍ତୁତ କରି ଶ୍ରୀରାମକୃଷ୍ଣ ନାନା ସାଧନାରେ ରତ ଥିଲେ । ତାନ୍ତ୍ରିକ ସାଧନାରେ ସିଦ୍ଧିଲାଭ କରି ସେ ବୈଷ୍ଣବ-ତନ୍ତ୍ର ସାଧନାରେ ବ୍ରତୀ ହେଲେ ଏବଂ ଶାନ୍ତ, ଦାସ୍ୟ ପ୍ରଭୃତି ଭାବ ସାଧନା କରି ଭଗବାନଙ୍କର ଦର୍ଶନ ଲାଭ କଲେ । ପୁଣି ପଞ୍ଚରାତ୍ର ଗୌଡ଼ୀୟ ପ୍ରଭୃତି ବିଭିନ୍ନ ପନ୍ଥାର ମଧ୍ୟ ଅନୁସରଣ କରିଥିଲେ । ମଧୁରଭାବ ସାଧନା କାଳରେ ସେ ଶ୍ରୀରାଧାଙ୍କ ସଖୀ ଭାବରେ ନାରୀପୋଷାକ ପରିଧାନ କରି ରହୁଥିଲେ । ଏହି ସମୟରେ ତାଙ୍କ ଶ୍ରୀରାଧା-ଦର୍ଶନ ହେଲା ଏବଂ ଶ୍ରୀରାଧା ତାଙ୍କ ଅଙ୍ଗରେ ବିଲୀନ ହୋଇଗଲେ । ସେ କହିଥିଲେ, ‘ଶ୍ରୀମତୀଙ୍କ ଅଙ୍ଗକାନ୍ତି ନାଗକେଶର ଫୁଲ ଭଳି ଗୌରବର୍ଣ୍ଣ ।‘ ଶ୍ରୀକୃଷ୍ଣଙ୍କ ଦର୍ଶନ ପାଇଁ ଶ୍ରୀରାମକୃଷ୍ଣ ମଧୁରଭାବ ସାଧନା କରିଥିଲେ ଓ ରାଧାରାଣୀଙ୍କ ଭାବରେ ପ୍ରେମୋନ୍ମତ୍ତ ହୋଇ ସ୍ୱଳ୍ପକାଳ ଅବସ୍ଥାନ କରି ଅବଶେଷର ଶ୍ରୀକୃଷ୍ଣଙ୍କର ଦର୍ଶନ ମଧ୍ୟ ପାଇଥିଲେ । ସେହି ଦିବ୍ୟମୂର୍ତ୍ତି ଶ୍ରୀରାମକୃଷ୍ଣଙ୍କ ଅଙ୍ଗରେ ବିଲୀନ ହୋଇଗଲେ । ସେତେବେଳେ ଛ’ ମାସ ପର୍ଯ୍ୟନ୍ତ ସେ ସର୍ବତ୍ର ଶ୍ରୀକୃଷ୍ଣଙ୍କୁ ଦେଖୁଥିଲେ । ଶ୍ରୀଗୌରାଙ୍ଗଙ୍କୁ ଧ୍ୟାନଚିନ୍ତା କରି ଶ୍ରୀରାମକୃଷ୍ଣ ତାଙ୍କର ମଧ୍ୟ ଦର୍ଶନ ଲାଭ କଲେ । ଭାବଚକ୍ଷୁରେ ଶ୍ରୀଗୌରାଙ୍ଗଙ୍କ ମହାସଂକୀର୍ତ୍ତନ ଦଳକୁ ମଧ୍ୟ ଦେଖିଲେ । ତା’ପରେ ହନୁମାନଙ୍କ ଭାବରେ ଶ୍ରୀରାମଚନ୍ଦ୍ରଙ୍କର ଉପାସନା କଲେ । ପୁଣି ରାମମନ୍ତ୍ରରେ ଦୀକ୍ଷିତ ହୋଇ ବାତ୍ସଲ୍ୟଭାବରେ ସାଧନା କରି ରାମଲାଲା ମୂର୍ତ୍ତି ମଧ୍ୟରେ ଶ୍ରୀରାମଚନ୍ଦ୍ରଙ୍କ ଦର୍ଶନ ପାଇଥିଲେ । ଏହି ସମୟରେ ବୈଷ୍ଣବ ସାଧକଗଣ ତାଙ୍କ ନିକଟକୁ ଆସିବା ଆରମ୍ଭ କଲେ । ବୈଷ୍ଣବ ପଣ୍ଡିତ ବୈଷ୍ଣବଚରଣ ଶ୍ରୀରାମକୃଷ୍ଣଙ୍କୁ କଲୁଟୋଲାସ୍ଥିତ ଚୈତନ୍ୟସଭାକୁ ନେଇଯାଇଥିଲେ । ଏହି ସଭାରେ ଶ୍ରୀରାମକୃଷ୍ଣ ଭାବାବିଷ୍ଟ ହୋଇ ଶ୍ରୀଚୈତନ୍ୟଦେବଙ୍କ ଆସନରେ ଯାଇ ବସିଥିଲେ । ଏହା ଦେଖି ବୈଷ୍ଣବଚରଣ ମଥୁରାନାଥଙ୍କୁ କହିଥିଲେ, ‘ଏ ଉନ୍ମାଦ ସାମାନ୍ୟ ବା ତୁଚ୍ଛ ନୁହେଁ, ଏହା ପ୍ରେମୋନ୍ମାଦ ଅବସ୍ଥା । ସେ ଈଶ୍ୱରଙ୍କ ପାଇଁ ପାଗଳ- ଚୈତନ୍ୟଦେବଙ୍କ ଆସନରେ ବସିବାର ଯୋଗ୍ୟ ।‘ ଭୈରବୀ ବ୍ରାହ୍ମଣୀ, ବୈଷ୍ଣବଚରଣ, ଗୌରୀ ପଣ୍ଡିତ ପ୍ରଭୃତି ଦେଖିଲେ ଶ୍ରୀରାମକୃଷ୍ଣଙ୍କର ମହାଭାବର ଅବସ୍ଥା । ଶ୍ରୀଚୈତନ୍ୟଦେବଙ୍କ ଭଳି କେତେବେଳେ ଅନ୍ତର୍ଦ୍ଦଶା, କେତେବେଳେ ଜଡ଼ବତ ସମାଧିସ୍ଥ, କେତେବେଳେ ବା ଅର୍ଦ୍ଧବାହ୍ୟଦଶା, ପୁଣି କେତେବେଳେ ବାହ୍ୟଦଶା । ସକଳ ପ୍ରକାର ଦ୍ୱୈତ ସାଧନାରେ ସିଦ୍ଧି ଲାଭ କରି ଶ୍ରୀରାମକୃଷ୍ଣଙ୍କ ମନରେ ଭାବାତୀତ ଅଦ୍ୱୈତ-ସାଧନାର ଇଚ୍ଛା ବଳବତୀ ହେଲା । ଦକ୍ଷିଣେଶ୍ୱର କାଳୀବାଡ଼ିରେ ସଦାବ୍ରତର ବ୍ୟବସ୍ଥା ଥିଲା । ବହୁ ସାଧୁ ସନ୍ନ୍ୟାସୀ ସେଠାକୁ ଆସୁଥିଲେ । ସେତିକିବେଳେ ପୁରୀ ସଂପ୍ରଦାୟର ଜଟାଜୁଟଧାରୀ ବ୍ରହ୍ମଦର୍ଶୀ ନାଗା (ଉଲଙ୍ଗ) ସନ୍ନ୍ୟାସୀ ତୋତାପୁରୀ ଦକ୍ଷିଣେଶ୍ୱରକୁ ଆସିଲେ । ଶ୍ରୀରାମକୃଷ୍ଣଙ୍କୁ ଦେଖି ସେ ବେଦାନ୍ତ ସାଧନାର ଉତ୍ତମ ଅଧିକାରୀ ବୋଲି ଚିହ୍ନିପାରିଲେ ଏବଂ ତାଙ୍କୁ ବେଦାନ୍ତ-ସାଧନ କରିବେ କି ନାହିଁ ବୋଲି ପଚାରିଲେ । ଶ୍ରୀରାମକୃଷ୍ଣ ମା’ ଭବତାରିଣୀଙ୍କ ଆଦେଶ ନେଇ ତୋତାପୁରୀଙ୍କ ନିକଟରୁ ବିଧିବଦ୍ଧ ସନ୍ନ୍ୟାସ ଗ୍ରହଣ କରି ବେଦାନ୍ତସାଧନର ଉପଦେଶ ଗ୍ରହଣ କଲେ ଓ ସେଥିରେ ମନ ନିବିଷ୍ଟ କଲେ । ଅଳ୍ପ ସମୟ ମଧ୍ୟରେ ଶ୍ରୀରାମକୃଷ୍ଣଙ୍କ ମନ ନିର୍ବିକଳ୍ପ ସମାଧିରେ ଲୀନ ହୋଇଗଲା । ଯେଉଁ ସମାଧିଭୂମିରେ ଅଧିଷ୍ଠିତ ହେବାକୁ ତାଙ୍କୁ ଦୀର୍ଘ ଚାଳିଶ ବର୍ଷ କଠୋର ସାଧନା କରିବାକୁ ପଡ଼ିଥିଲା, ଶିଷ୍ୟ ଅନାୟାସରେ କେଇଦିନ ଭିତରେ ସେହି ଅବସ୍ଥା ଲାଭ କରିବା ଦେଖି ତୋତାପୁରୀ ଚମତ୍କୃତ ହୋଇଗଲେ । ଆପଣା ଶିଷ୍ୟକୁ ତିନିଦିନ କାଳ ସେହି ନିର୍ବିକଳ୍ପ ସମାଧିରେ ଅବସ୍ଥାନ କରିବା ଦେଖି ତୋତାପୁରୀ ଯୌଗିକ ପ୍ରକ୍ରିୟାରେ ଶିଷ୍ୟଙ୍କ ମନକୁ ସହଜ ଅବସ୍ଥାକୁ ଫେରାଇ ଆଣିଲେ । ତା’ପରେ ନିର୍ବିକଳ୍ପ ସମାଧିରେ ସ୍ଥିତ ହେବା ଶ୍ରୀରାମକୃଷ୍ଣଙ୍କ ପକ୍ଷରେ ସହଜ ହୋଇଗଲା । ସେ ଏକଦା ଛଅ ମାସ କାଳ ନିର୍ବିକଳ୍ପ ସମାଧିରେ ମଗ୍ନ ଥିଲେ । ଏହିଭଳି ଭାବରେ ଦୀର୍ଘ ବାର ବର୍ଷ ନିରନ୍ତର ସାଧନାଦ୍ୱାରା ହିନ୍ଦୁଧର୍ମର ସକଳ ପ୍ରକାର ଧର୍ମମତର ସାଧନାରେ ସିଦ୍ଧିଲାଭ କରି ସେ ପରମହଂସ ଶ୍ରୀରାମକୃଷ୍ଣ ହେଲେ । ଗୋଟିଏ ଗୋଟିଏ ମତରେ ସିଦ୍ଧିଲାଭ କରି ସେ କିଛି କାଳ ସେହି ଭାବରେ ତନ୍ମୟ ହୋଇ ରହୁଥଲେ । ସେତେବେଳେ ସେହିସବୁ ମତର ସାଧକଗଣ ଭାରତର ନାନା ପ୍ରାନ୍ତରୁ ଆସି ଶ୍ରୀରାମକୃଷ୍ଣଙ୍କ ନିକଟରୁ ସାଧନୋପଦେଶ ଗ୍ରହଣ ନିମନ୍ତେ ଦକ୍ଷିଣେଶ୍ୱରରେ ସମବେତ ହେଉଥିଲେ । ଏହି ବାରବର୍ଷ କାଳ ସେ ନିମିଷକ ପାଇଁ ମଧ୍ୟ ଶୋଇ ନାହାନ୍ତି । ଏହି ଦୀର୍ଘ ସମୟରେ ତାଙ୍କର ଆହାରାଦିର ମଧ୍ୟ କୌଣସି ନିୟମ ନ ଥିଲା । ଦିନରାତି ଯେ କିଭଳି କଟି ଯାଉଥିଲା ସେ ଆଡ଼କୁ ତାଙ୍କର ଦୃଷ୍ଟି ନ ଥିଲା । ସେ ବହୁ ଦିବ୍ୟଶକ୍ତିର ଅଧିକାରୀ ହୋଇଥିଲେ, ଇଚ୍ଛାମାତ୍ରକେ ଯେ କୌଣସି ଲୋକର ମନରେ ଧର୍ମଭାବର ସଞ୍ଚାର କରିପାରୁଥିଲେ, ସ୍ପର୍ଶମାତ୍ରକେ ଲୋକଙ୍କୁ ସମାଧିସ୍ଥ କରି ଦେଉଥିଲେ । ତାଙ୍କର ଆଶୀର୍ବାଦରୁ ଅନେକ ଲୋକ କଠିନ ରୋଗରୁ ଆରୋଗ୍ୟ ଲାଭ କରୁଥିଲେ; କିନ୍ତୁ ଏ ସବୁଥିରେ ତାଙ୍କର ବିନ୍ଦୁମାତ୍ର ଅହଂକାର ନ ଥିଲା । ସେ ସମାଧିଭୂମିରୁ ତାଙ୍କ ମନକୁ ଜୀବକଲ୍ୟାଣ ପାଇଁ ତଳକୁ ଟାଣି ଆଣି ମା’ ମା’ ବୋଲି କାନ୍ଦୁଥିଲେ । ସର୍ବଦା ମା’ଙ୍କ ସଂଗେ କଥା କହୁଥିଲେ । ମା’ଙ୍କ ନିକଟରୁ ଉପଦେଶ ମାଗୁଥିଲେ-ମଣିଷର ଆଧ୍ୟାତ୍ମିକ କଲ୍ୟାଣ ନିମନ୍ତେ ମା’ଙ୍କ ନିକଟରେ କେତେ ପ୍ରାର୍ଥନା କରୁଥିଲେ । କହୁଥିଲେ, ‘ମା’, ତୋ’ରି କଥା କେବଳ କହ, କେବଳ ତୋ’ରି କଥା ଶୁଣିବି । ମୁଁ ଶାସ୍ତ୍ର ଜାଣେ ନାହିଁ, ସାହିତ୍ୟ ଜାଣେ ନାହିଁ, ତୁ ବୁଝାଇଲେ ଯାଇ ବିଶ୍ୱାସ କରିବି ।‘ ଶ୍ରୀରାମକୃଷ୍ଣ ଜାଣିଥିଲେ, ଯିଏ ପରଂବ୍ରହ୍ମ ଅଖଣ୍ଡ ସଚ୍ଚିଦାନନ୍ଦ ସେ ହିଁ ମା’, କାଳୀ । ଜଗନ୍ମାତା ଶ୍ରୀରାମକୃଷ୍ଣଙ୍କୁ କହିଥିଲେ, ‘ତୁ ଆଉ ମୁଁ ଏକ । ତୁ ଭକ୍ତି ଘେନି ଭାବମୁଖରେ ଥା, ଜୀବ ମଙ୍ଗଳ ପାଇଁ ତୋ ନିକଟକୁ ବହୁ ଭକ୍ତ ଆସିବେ, ତୁ ସେମାନଙ୍କର କଲ୍ୟାଣ କର । କେତେ ଶୁଦ୍ଧସତ୍ତ୍ୱ, କାମନାଶୂନ୍ୟ ଭକ୍ତ ତୋ ନିକଟକୁ ଆସିବେ ।… ତୋ ନିକଟକୁ ଆସି ସେମାନେ ଭକ୍ତିଲାଭ କରିବେ, ଜ୍ଞାନଲାଭ କରିବେ ।‘

*                          *                             *

ଶ୍ରୀରାମକୃଷ୍ଣଙ୍କ ମାତୃଭକ୍ତି ଅନନ୍ୟାସାଧାରଣ । ସେ ମାତା ଚନ୍ଦ୍ରମଣିଙ୍କୁ ଜଗଜ୍ଜନନୀଙ୍କ ରୂପାନ୍ତର ଜ୍ଞାନରେ ସେବାପୂଜାଦି କରୁଥିଲେ । ଜ୍ୟେଷ୍ଠଭ୍ରାତା ରାମକୁମାର ଓ ରାମେଶ୍ୱରଙ୍କ ସ୍ୱର୍ଗଲାଭ ପରେ ମାତା ଚନ୍ଦ୍ରାମଣି ପୁତ୍ରଶୋକରେ ଅଧୀର ହୋଇ ପଡ଼ିଥିଲେ । କେତେ କାଳ ପରେ ଶ୍ରୀରାମକୃଷ୍ଣ ତାଙ୍କ ମା’ଙ୍କୁ ଦକ୍ଷିଣେଶ୍ୱର କାଳୀବାଡ଼ିକୁ ନେଇ ଆସି ନିଜ ପାଖରେ ରଖିଥିଲେ । ପ୍ରତିଦିନ ପ୍ରତ୍ୟୁଷରେ ଉଠି ପ୍ରଥମେ ମା’ଙ୍କ ନିକଟକୁ ଯାଉଥିଲେ ଏବଂ ଅସୀମ ଶ୍ରଦ୍ଧା ସହକାରେ ତାଙ୍କ ପଦଧୂଳି ଗ୍ରହଣ କରି କୁଶଳ ପ୍ରଶ୍ନ ପଚାରୁଥିଲେ । ନାନା ଭାବରେ ସେବାଯତ୍ନ କରି ଜନନୀଙ୍କୁ ପ୍ରସନ୍ନ ରଖିବା ନିମନ୍ତେ ତାଙ୍କର ଚେଷ୍ଟା ଥିଲା ଅନ୍ତହୀନ । ଶ୍ରୀରାମକୃଷ୍ଣ ତୀର୍ଥଦର୍ଶନ ପାଇଁ ବାହାରିଥିଲେ ୧୮୬୮ ଖ୍ରୀଷ୍ଟାବ୍ଦରେ । ସସ୍ତ୍ରୀକ ମଥୁରବାବୁ ଓ ଭଣଜା ହୃଦୟ ତାଙ୍କ ସଙ୍ଗରେ ଯାଇଥିଲେ । ବୈଦ୍ୟନାଥ, କାଶୀ, ପ୍ରୟାଗ ଓ ଶ୍ରୀବୃନ୍ଦାବନ ଦର୍ଶନ କଲେ । ବୈଦ୍ୟନାଥରେ ଶତ ଶତ ଗରିବ ସାନ୍ତାଳଙ୍କୁ ଦେଖି ତାଙ୍କ ଅନ୍ତରରେ ଦୟାର ଉଦ୍ରେକ ହେଲା । ସେ ମଥୁରାନାଥଙ୍କୁ କହି ସେମାନଙ୍କୁ ନାରାୟଣ ମନେକରି ଅନ୍ନବସ୍ତ୍ରାଦି ଦ୍ୱାରା ସେବାର ବ୍ୟବସ୍ଥା କଲେ । କାଶୀର ମଣିକର୍ଣ୍ଣିକାରେ ବିଶ୍ୱନାଥଙ୍କ ଗମ୍ଭୀର ଚିନ୍ମୟ ରୂପ ଦର୍ଶନ କରି ସେ ସମାଧିସ୍ଥ ହୋଇଗଲେ । ସେ ଦେଖିଥିଲେ ମା’ କାଳୀଙ୍କୁ ସଙ୍ଗରେ ଘେନି ବିଶ୍ୱନାଥ ପ୍ରତ୍ୟେକ ଶବ’ର କାନେ କାନେ ତାରକବ୍ରହ୍ମନାମ ଦେଉଛନ୍ତି ଏବଂ ମା’ କାଳୀ ଚିତା ଉପରେ ବସି ଜୀବର କର୍ମବନ୍ଧନ ମୁକ୍ତ କରି ଦେଉଛନ୍ତି । କାଶୀରେ ଶ୍ରୀରାମକୃଷ୍ଣ ମୌନବ୍ରତଧାରୀ ତ୍ରୈଲଙ୍ଗସ୍ୱାମୀଙ୍କ ସଙ୍ଗରେ ସାକ୍ଷାତ କରି ତାଙ୍କୁ ପାୟସ ନିବେଦନ କରିଥିଲେ । କାଶୀରୁ ମଥୁରବାବୁଙ୍କ ସହିତ ସେ ପ୍ରୟାଗକୁ ଯାଇଥିଲେ ଓ ସଙ୍ଗମରେ ସ୍ନାନ କରି ସେଠାରେ ତ୍ରିରାତ୍ର ବାସ କରିଥିଲେ । ସେଠାରୁ କାଶୀ ଫେରି ଆସି ବୃନ୍ଦାବନକୁ ଗଲେ । ବୃନ୍ଦାବନରେ ଶ୍ରୀକୃଷ୍ଣଙ୍କ ଲୀଳାସ୍ଥଳ ଦେଖି ‘କୃଷ୍ଣ’ ‘କୃଷ୍ଣ’ ଉଚ୍ଚାରଣ କରି ସେ କାନ୍ଦି କାନ୍ଦି ଆକୁଳ ହୋଇଗଲେ । ମଥୁରାର ଧ୍ରୁବଘାଟରେ ବସୁଦେବଙ୍କ କୋଳରେ ଶ୍ରୀକୃଷ୍ଣଙ୍କୁ ଦର୍ଶନ କରି ସେ ଭାବସ୍ଥ ହେଲେ । ଶ୍ରୀବୃନ୍ଦାବନରେ ସନ୍ଧ୍ୟାବେଳେ ଗୋଧୂଳି ଲଗ୍ନରେ ଗୃହମୁଖୀ ଧେନୁପଲ ସହ ଶ୍ରୀକୃଷ୍ଣ ଯମୁନା ପାର ହୋଇ ଆସୁଥିବା ପ୍ରଭୃତି ଲୀଳା ସେ ଭାବଚକ୍ଷୁରେ ଦର୍ଶନ କରିଥିଲେ । ନିଧୁବନରେ ରାଧାପ୍ରେମରେ ବିଭୋର ଗଙ୍ଗାମାତାଙ୍କ ସହ ସାକ୍ଷାତ ହେଲାକ୍ଷଣି ସେହି ବୃଦ୍ଧା ତପସ୍ୱିନୀ ତାଙ୍କୁ ସେଠାରେ ରହିବା ପାଇଁ ଜିଦ୍ କଲେ । ଶ୍ରୀରାମକୃଷ୍ଣ ମଧ୍ୟ ରହିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ; କିନ୍ତୁ ତାଙ୍କ ଅଦର୍ଶନରେ ବୃଦ୍ଧା ଜନନୀ ଶୋକାନ୍ୱିତା ହେବେ ଭାବି ସେ ବୃନ୍ଦାବନରେ ରହିଲେ ନାହିଁ । ଏଥିରୁ ଶ୍ରୀରାମକୃଷ୍ଣଙ୍କ ଗଭୀର ମାତୃଭକ୍ତିର ପରିଚୟ ମିଳେ । ସେ ବୃନ୍ଦାବନର ଧୂଳି ସଙ୍ଗରେ ଆଣି ଦକ୍ଷିଣେଶ୍ୱରରେ ପଞ୍ଚବଟୀର ଚାରିଆଡ଼େ ବିଞ୍ଚିଦେଲେ ଓ କିଛି ଧୂଳି ଆପଣା ସାଧନକୁଟୀରରେ ପ୍ରୋତ୍ଥିତ କଲେ ଏବଂ ଆନନ୍ଦରେ ଉତ୍ଫୁଲ୍ଲ ହୋଇ କହିଲେ, ‘ଆଜିଠାରୁ ଏହି ସ୍ଥାନ ଶ୍ରୀବୃନ୍ଦାବନ ଭଳି ଦେବଭୂମି ହେଲା ।‘ ଏହା ଶ୍ରୀକୃଷ୍ଣଙ୍କ ପ୍ରତି ତାଙ୍କର ଗଭୀର ଶ୍ରଦ୍ଧାର ନିଦର୍ଶନ ।

*                          *                             *

ଶ୍ରୀରାମକୃଷ୍ଣ କହିଥିଲେ, ‘ମୋତେ ସବୁ ଧର୍ମ ଥରଟିଏ କରି ଗ୍ରହଣ କରିବାକୁ ପଡ଼ିଥିଲା । ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟାନ, ପୁଣି ବୈଷ୍ଣବ, ବେଦାନ୍ତ, ଏହିସବୁ ପଥ ଧରି ମଧ୍ୟ ଆସିବାକୁ ପଡ଼ିଛି । ସବୁଠି ସେହି ଏକ ଈଶ୍ୱରଙ୍କୁ ଦେଖିଲି; ତାଙ୍କରି ପାଖକୁ ସଭିଏଁ ଆସୁଛନ୍ତି ଭିନ୍ନ ଭିନ୍ନ ପଥ ଧରି ।‘ ଶ୍ରୀରାମକୃଷ୍ଣ ଜଗନ୍ମାତାଙ୍କୁ କହିଲେ, ‘ମା’ ଅନ୍ୟାନ୍ୟ ଧର୍ମାବଲମ୍ବୀଗଣ ତୋତେ କିପରି ଭାବରେ ଭଜନ କରନ୍ତି, ତା’ ମୋତେ ଜଣାଇ ଦେ ।‘ ଏହାର କିଛି ଦିନ ପରେ ଦକ୍ଷିଣେଶ୍ୱରକୁ ସୁଫୀ ସଂପ୍ରଦାୟର ମୁସଲମାନ ଫକିର ଆସିଲେ, ନାମ ଗୋବିନ୍ଦ ରାୟ । ଫକିରଙ୍କ ଈଶ୍ୱରପ୍ରେମ ଓ ସରଳତା ଶ୍ରୀରାମକୃଷ୍ଣଙ୍କୁ ଖୁବ୍ ମୁଗ୍ଧ କଲା । ସେ ତାଙ୍କ ନିକଟରୁ ଦୀକ୍ଷା ଓ ଶିକ୍ଷା ଗ୍ରହଣ କରି ଇସ୍ଲାମ ଧର୍ମସାଧନାରେ ପ୍ରବୃତ୍ତ ହେଲେ । ସେ ସେତେବେଳେ କେବଳ ଆଲ୍ଲାଙ୍କ ନାମ ଜପ କରୁଥିଲେ, ନମାଜ ପଢ଼ୁଥିଲେ ଏବଂ ଆହାର ବିହାରରେ ସଂମ୍ପୂର୍ଣ୍ଣ ମୁସଲମାନଭାବାପନ୍ନ ହୋଇ ଯାଇଥିଲେ । ମନ୍ଦିରକୁ ଯିବା ବନ୍ଦ କରିଦେଲେ । ଏହି ଭାବରେ ତିନୋଟି ଦିନ ସାଧନା କଲାପରେ ଏକ ଦୀର୍ଘ ଶ୍ମଶ୍ରୁଧାରୀ ସୁଗମ୍ଭୀର ଜ୍ୟୋତିର୍ମୟ ପୁରୁଷପ୍ରବରଙ୍କ ଦିବ୍ୟଦର୍ଶନ ସେ ଲାଭ କରିଥିଲେ । ତା’ପରେ ତାଙ୍କ ମନ ତୁରୀୟ ନିର୍ଗୁଣ ବ୍ରହ୍ମରେ ଲୀନ ହୋଇ ଯାଇଥିଲା । ତେରଶହ ବର୍ଷ ପୂର୍ବେ ମହମ୍ମଦ ସଗୁଣ ଏକେଶ୍ୱରବାଦ ପ୍ରଚାର କରିଥିଲେ । ତାଙ୍କର ପ୍ରଧାନ ଉପଦେଶ, ‘ଏକ ଈଶ୍ୱର, ଏକ ଧର୍ମ ।‘ ତାହା ବେଦାନ୍ତର ସଗୁଣ ବ୍ରହ୍ମର ନାମାନ୍ତର ମାତ୍ର । ଆପାତଃଦୃଷ୍ଟିରେ ଯାହା ବହୁ ଧର୍ମ, ତାହା ହିଁ ପାରମାର୍ଥିକ ଦୃଷ୍ଟିରେ ଏକ ଧର୍ମ । ମହମ୍ମଦ ଶ୍ରୀରାମକୃଷ୍ଣଙ୍କୁ ଆଲିଙ୍ଗନ କରି ତାଙ୍କ ଭିତରେ ସମାହିତ ହୋଇଗଲେ । ଶ୍ରୀରାମକୃଷ୍ଣ ହେଲେ ସର୍ବଧର୍ମର ସମନ୍ୱୟସ୍ୱରୂପ ମହଦ୍ଧର୍ମର ପ୍ରତୀକ । ଜୀବନର ଶେଷ ଭାଗରେ କାଶୀପୁର ଉଦ୍ୟାନରେ ଅବସ୍ଥାନ କାଳରେ ଶ୍ରୀରାମକୃଷ୍ଣ ଆପଣା ଛବିକୁ ଦେଖାଇ କହିଥିଲେ, ‘ଏହି ମୂର୍ତ୍ତିର ପୂଜା ଘରେ ଘରେ ହେବ ।‘ ଆଉ ତାଙ୍କର ଅଭୟ ବାଣୀ-‘ଯାହାଙ୍କର ଶେଷ ଜନ୍ମ, ସେମାନଙ୍କୁ ଏଠାକୁ (ତତ୍ ପ୍ରଚାରିତ ଉଦାର ଧର୍ମ ମତକୁ ) ଆସିବାକୁ ପଡ଼ିବ ।‘ ଏହାର ପ୍ରାୟ ସାତବର୍ଷ ପରର ଘଟଣା । ଶ୍ରୀରାମକୃଷ୍ଣ ଦିନେ ବ୍ୟାକୁଳ ହୋଇ ଭବତାରିଣୀ ମା’ଙ୍କୁ କହିଲେ, ‘ମା’, ତୋର ଖ୍ରୀଷ୍ଟିୟାନ ଭକ୍ତଗଣ ତୋତେ କିପରି ଡାକନ୍ତି, ତାହା ମୁଁ ଦେଖିବି, ମୋତେ ଦେଖା ।‘ କେଇଟା ଦିନ ପରେ ଶ୍ରୀରାମକୃଷ୍ଣ କଲିକତା ଯାଇ ଏକ ଗୀର୍ଜାର ଦ୍ୱାରରେ ଛିଡ଼ା ହୋଇ ଉପାସନା ଦେଖି ଫେରିଆସି କହିଲେ, ‘ମୁଁ ଖାଜାଞ୍ଚି ଡରରେ ଭିତରକୁ ଯାଇ ବସିଲି ନାହିିଁ ; ଭାବିଲି କେଜାଣି ଅବା ମୋତେ କାଳୀଙ୍କ ଘରେ ଆଉ ପଶିବାକୁ ଦେବ ନାହିଁ ।‘ ଏତିକି ବେଳେ ଦିନେ ସେ ମନ୍ଦିର ନିକଟସ୍ଥ ଯଦୁ ମଲ୍ଲିକଙ୍କ ବଗିଚାକୁ ଯାଇ ବୈଠକଖାନାରେ ବସି ମେରୀଙ୍କ କୋଳରେ ଯୀଶୁଙ୍କ ଛବିଟିକୁ ତନ୍ମୟ ହୋଇ ଦେଖୁଥିଲେ । ହଠାତ୍ ଦେଖିଲେ ଛବି ଖଣ୍ଡକ ଜ୍ୟୋତିର୍ମୟ ହୋଇ ଉଠୁଛି ଏବଂ ଦେବଜନନୀ ଓ ଦେବଶିଶୁଙ୍କ ଅଙ୍ଗରୁ ଦିବ୍ୟ ଜ୍ୟୋତି ବିଚ୍ଛୁରିତ ହୋଇ ତାଙ୍କ ମଧ୍ୟରେ ପ୍ରବେଶ କରୁଛି । ଏହି ଭାବମଗ୍ନ ଅବସ୍ଥାରେ ସେ କାଳୀବାଟୀକୁ ଫେରି ଆସିଲେ । ତିନି ଦିନ କାଳ ସେହି ତନ୍ମୟତା ରହିଲା । ଏହି କେତୋଟି ଦିନ ସେ କାଳୀମନ୍ଦିରକୁ ଯାଇ ନାହାନ୍ତି । ଶେଷଦିନ ଯୀଶୁଙ୍କ ଭାବରେ ବିଭୋର ହୋଇ ପଞ୍ଚବଟୀ ତଳେ ସେ ପଦଚାରଣ କରୁଛନ୍ତି, ଦେଖିଲେ ଗୌରବର୍ଣ୍ଣ ଏକ ଦେବମାନବ ମୂର୍ତ୍ତି ତାଙ୍କ ଆଡ଼କୁ ଆଗେଇ ଆସୁଛନ୍ତି । ତାଙ୍କ ହୃଦୟରେ ଧ୍ୱନିତ ହେଲା, ଏହି ଯେ ସେହି ଈଶାମସି । ସେହି ପରମପୁରୁଷ ଧୀର ପଦଚାଳନାରେ ଆଗେଇ ଆସି ଶ୍ରୀରାମକୃଷ୍ଣଙ୍କୁ ଆଲିଙ୍ଗନ କରି ତାଙ୍କର ଶରୀର ମଧ୍ୟରେ ଲୀନ ହୋଇଗଲେ । ଶ୍ରୀରାମକୃଷ୍ଣଙ୍କ ମନ ବ୍ରହ୍ମସମୁଦ୍ରରେ ନିମଗ୍ନ ହେଲା । ଭଗବାନ ବୁଦ୍ଧଙ୍କ ସମ୍ବନ୍ଧରେ ଶ୍ରୀରାମକୃଷ୍ଣ କହିଥିଲେ-‘ସେ ଦଶାବତାରଙ୍କ ମଧ୍ୟରୁ ଜଣେ । ବ୍ରହ୍ମ ଅଟଳ ଅଚଳ ନିଷ୍କ୍ରିୟ ବୋଧସ୍ୱରୂପ । ବୁଦ୍ଧି ଯେତେବେଳେ ଏହି ବୋଧସ୍ୱରୂପରେ ଲୀନ ହୁଏ, ସେତେବେଳେ ବ୍ରହ୍ମଜ୍ଞାନର ଉଦୟ ହୁଏ, ସେତେବେଳେ ମଣିଷ ବୁଦ୍ଧ ହୋଇଯାଏ ।‘ ଜୈନଧର୍ମର ପ୍ରବର୍ତ୍ତକ ତୀର୍ଥଙ୍କରଗଣଙ୍କ ଉପରେ ଏବଂ ଶିଖ୍ଗୁରୁ ନାନକଙ୍କ ଉପରେ ମଧ୍ୟ ତାଙ୍କର ଗଭୀର ଶ୍ରଦ୍ଧା ଥିଲା ଏବଂ ଏହି ସବୁ ଧର୍ମକୁ ମଧ୍ୟ ଭଗବତ୍ ପ୍ରାପ୍ତିର ପଥ ବୋଲି ସେ ନିର୍ଦ୍ଦେଶ କରୁଥିଲେ । ତାଙ୍କ କୋଠରୀରେ ଅନ୍ୟାନ୍ୟ ଦେବଦେବୀଙ୍କର ଆଲେଖ୍ୟ ସହ ମହାବୀର ତୀର୍ଥଙ୍କରଙ୍କର ଗୋଟିଏ ପ୍ରସ୍ତରମୂର୍ତ୍ତି ମଧ୍ୟ ସ୍ଥାପିତ ହୋଇଥିଲା । ଆପାତଃଦୃଷ୍ଟିରେ ମନେ ହୁଏ, ଶ୍ରୀରାମକୃଷ୍ଣ ବିବାହ କରିଥିଲେ; କିନ୍ତୁ ସେ ସଂସାରଧର୍ମ ସଂସାରୀଭାବରେ ପାଳନ କରି ନାହାନ୍ତି । ସ୍ତ୍ରୀଙ୍କ ସହିତ ତାଙ୍କର କୌଣସି ଦୈହିକ ସମ୍ପର୍କ ନ ଥିଲେ ମଧ୍ୟ ତାଙ୍କ ପ୍ରତି ସେ କେବେହେଲେ ବିନ୍ଦୁମାତ୍ର ଔଦାସୀନ୍ୟ ଦେଖାଇ ନାହାନ୍ତି । ସ୍ତ୍ରୀଙ୍କୁ ସେ ଖୁବ୍ ଭଲ ପାଉଥିଲେ, ନାନାଭାବରେ ସ୍ତ୍ରୀଙ୍କ ସୁଖସ୍ୱାଚ୍ଛନ୍ଦ୍ୟ ବିଧାନରେ ସଦା ତତ୍ପର ରହୁଥିଲେ ଏବଂ ସ୍ତ୍ରୀଙ୍କୁ ଖୁବ୍ ସମ୍ମାନ ଦୃଷ୍ଟିରେ ଦେଖୁଥିଲେ ଓ ଦେବୀଜ୍ଞାନ କରୁଥିଲେ । ସେ କହୁଥିଲେ, ‘ଏ ଯେ ସାରଦା, ସରସ୍ୱତୀ, ସେଥିପାଇଁ ତ ସାଜସଜ୍ଜାକୁ ଏତେ ଭଲପାଏ ।‘ ତେଣୁ ସ୍ତ୍ରୀଙ୍କ ପାଇଁ ସେ ଯତ୍ନ ସହକାରେ ସୁନାର ଗହଣା ଗଢ଼ାଇ ଦେଇଥିଲେ । ଦେହସ୍ପର୍ଶ- ନିରପେକ୍ଷ ଏ ଯେପରି କେବଳ ଦୁଇଟି ଆତ୍ମାର ଅମୃତ ମିଳନ ! ସ୍ତ୍ରୀଙ୍କୁ ସେ ଖୁବ୍ ଶ୍ରଦ୍ଧା କରୁଥିଲେ । ସାରଦାଦେବୀ ଅଠର ବର୍ଷ ବୟସରେ ଯେତେବେଳେ ଦକ୍ଷିଣେଶ୍ୱରକୁ ସ୍ୱାମୀ-ସାହଚର୍ଯ୍ୟ ଲାଭ ପାଇଁ ଆସିଲେ, ଶ୍ରୀରାମକୃଷ୍ଣ ତାଙ୍କୁ ଅତି ସମାଦରରେ ଗ୍ରହଣ କଲେ ଏବଂ ତାଙ୍କୁ ଦେବୀ ଷୋଡ଼ଶୀ ତ୍ରୀପୁରାସୁନ୍ଦରୀ ଜ୍ଞାନରେ ଯଥାବିଧି ପୂଜା କରିଥିଲେ ଏବଂ ଅତି ଯତ୍ନ ସହକାରେ ଆପଣା ନିକଟରେ ରଖିଥିଲେ । ତାଙ୍କ ସୁଖସ୍ୱାଚ୍ଛନ୍ଦ୍ୟର ବ୍ୟବସ୍ଥା କରି ଧର୍ମଜୀବନ-ଯାପନରେ ନାନାଭାବରେ ସାହାଯ୍ୟ କରିଥିଲେ । ପରସ୍ପର ମଧ୍ୟରେ ସେମାନଙ୍କର ନିବିଡ଼ ପ୍ରୀତିବନ୍ଧନ ଥିଲା । ସାରଦାଦେବୀ ଏକଦା କହିଥିଲେ, ‘ଆହା, ସେ ମୋ ସହିତ କିପରି ବ୍ୟବହାର କରିଛନ୍ତି ! ଦିନେହେଲେ ମୋ ମନରେ ବ୍ୟଥା ଲାଗିଲା ଭଳି କିଛି କହିନାହାନ୍ତି । ଗୋଟିଏ ଫୁଲର ଆଘାତ ମଧ୍ୟ ମୋତେ ଦେଇନାହାନ୍ତି ।…ଯେଉଁଥିରେ ମୁଁ ଭଲରେ ରହିବି, କେବଳ ସେହି ବ୍ୟବସ୍ଥା ହିଁ କରିଛନ୍ତି ।‘ ନାରୀଗଣଙ୍କ ପ୍ରତି ଶ୍ରୀରାମକୃଷ୍ଣଙ୍କର ମାତୃବୁଦ୍ଧି । …ସେ କହିଥିଲେ, ‘ଆମେ ଦିହେଁ ମା’ଙ୍କର ସଖୀ । ତା’ନ ହେଲେ ସ୍ତ୍ରୀକୁ ପାଖରେ ରଖି ଆଠ ମାସ କାଳ କିପରି ରହି ପାରିଲି ?‘ ଶ୍ରୀରାମକୃଷ୍ଣଙ୍କ ସହ ଏକତ୍ରବାସ ଫଳରେ ସାରଦାଦେବୀଙ୍କ ଅନ୍ତରରେ ବିଶ୍ୱମାତୃତ୍ୱର ଅକୁଣ୍ଠ ଚେତନା ଜାଗ୍ରତ ହୋଇଥିଲା । ସେ ଯେ ଜଗଜ୍ଜନନୀ । ଶ୍ରୀରାମକୃଷ୍ଣଦେବ ନିଜର ଦେହତ୍ୟାଗ ପୂର୍ବରୁ ସାରଦାଦେବୀଙ୍କ ଉପରେ ଜୀବତ୍ରାଣ ଓ ଜୀବକଲ୍ୟାଣ-କାର୍ଯ୍ୟର ସମ୍ପୂର୍ଣ୍ଣ ଭାର ଅର୍ପଣ କରିଥିଲେ । ସେ ମଧ୍ୟ ଆଦେଶ ମନେକରି ସେହି ସମସ୍ତ ଦାୟିତ୍ୱ, ଆନ୍ତରିକତା ସହ ପୂର୍ଣ୍ଣ କରିଥିଲେ । ସେହି ମାତୃତ୍ୱରେ ଧନୀ-ନିର୍ଦ୍ଧନ, ପଣ୍ଡିତ-ମୂର୍ଖ, ବ୍ରାହ୍ମଣ-ଚଣ୍ଡାଳ, ସନ୍ନ୍ୟାସୀ-ଗୃହୀ, ସ୍ତ୍ରୀ-ପୁରୁଷ ତଥା ସଜ୍ଜନ-ଦୁର୍ଜ୍ଜନ ଭେଦ ନ ଥିଲା । ସେ ଥିଲେ ସଭିଙ୍କର ମା’, ସେ ଥିଲେ ପ୍ରକୃତ ମା’ ।…

*                          *                             *

ଶ୍ରୀରାମକୃଷ୍ଣଙ୍କ ନିକଟକୁ ସବୁ ଧର୍ମର ସାଧକଗଣ ଆସୁଥିଲେ । ସେ ମଧ୍ୟ ସେମାନଙ୍କୁ ପରମ ଆତ୍ମୀୟ ମନେକରି ସାଧନା ପଥରେ ସାହାଯ୍ୟ କରୁଥିଲେ । କେଶବ ଚନ୍ଦ୍ର ସେନ ୧୮୭୫ ଖ୍ରୀଷ୍ଟାବ୍ଦରେ ଯେତେବେଳେ ବେଲଘରିଆ ଉଦ୍ୟାନରେ ଭକ୍ତମଣ୍ଡଳୀ ସହ ଈଶ୍ୱରଙ୍କ ଧ୍ୟାନଚିନ୍ତାରେ ନିମଗ୍ନ ଥିଲେ, ସେତେବେଳେ ଶ୍ରୀରାମକୃଷ୍ଣ ତାଙ୍କ ସହିତ ଦେଖା କରିବାକୁ ଗଲେ । ସେହି ପରିଚୟ କ୍ରମେ ଗଭୀର ଆତ୍ମୀୟତାରେ ପରିଣତ ହେଲା । ପରେ ଶ୍ରୀରାମକୃଷ୍ଣ କେଶବଙ୍କୁ ବ୍ରାହ୍ମମନ୍ଦିର ଓ ସାଧାରଣ ସମାଜ ଉପାସନା ସମୟରେ ଦେଖିବାକୁ ଯାଇଥିଲେ । ସେ କେଶବଙ୍କ ଘରକୁ ମଧ୍ୟ ଯାଉଥିଲେ । ବ୍ରାହ୍ମଭକ୍ତଙ୍କ ସହ କେତେ ଆନନ୍ଦ କରୁଥିଲେ । କେଶବ ମଧ୍ୟ ବେଳେବେଳେ ଭକ୍ତଗଣଙ୍କ ସହିତ, କେତେବେଳେ ବା ଏକାକୀ ଦକ୍ଷିଣେଶ୍ୱରକୁ ଆସୁଥିଲେ ଏବଂ ଶ୍ରୀରାମକୃଷ୍ଣଙ୍କ ପଦପ୍ରାନ୍ତରେ ବସି ବହୁ ଶିକ୍ଷା ଲାଭ କରୁଥିଲେ । ଶ୍ରୀରାମକୃଷ୍ଣଙ୍କ ପୁଣ୍ୟଦର୍ଶନ ଓ ଜ୍ଞାନଗର୍ଭ ବାଣୀରେ କେଶବ ଜୀବନ-ପଥରେ ଯେତେ ନୂତନ ଆଲୋକ ଦେଖିବାକୁ ପାଇଲେ, ସେତେ ବକ୍ତୃତା ତଥା ବ୍ରାହ୍ମସମାଜର ପତ୍ରିକାଗୁଡ଼ିକରେ ମୁକ୍ତ କଣ୍ଠରେ ଶ୍ରୀରାମକୃଷ୍ଣଙ୍କ ମହିମା ଜନସାଧାରଣଙ୍କ ମଧ୍ୟରେ ପ୍ରଚାର କରିବାକୁ ଲାଗିଲେ । ଶ୍ରୀରାମକୃଷ୍ଣ କେଶବଙ୍କୁ ଏତେ ଭଲ ପାଇଥିଲେ ଯେ, ତାଙ୍କର ଅନ୍ତିମ ଅସୁସ୍ଥତା ସମୟରେ ରୋଗମୁକ୍ତି ପାଇଁ ମା’ କାଳୀଙ୍କ ନିକଟରେ ମାନସିକ କରିଥିଲେ । ବ୍ରାହ୍ମସମାଜର ଅନେକେ ଶ୍ରୀରାମକୃଷ୍ଣଙ୍କ ନିକଟକୁ ସର୍ବଦା ଯାଉଥିଲେ । ତାଙ୍କ ମଧ୍ୟରୁ ବିଜୟକୃଷ୍ଣ, ପ୍ରତାପଚନ୍ଦ୍ର, କାଳୀ (ବସୁ), ଶିବନାଥ ଶାସ୍ତ୍ରୀ, ଅମୃତ, ତ୍ରେିଲୋକ୍ୟ ପ୍ରଭୃତିଙ୍କ ନାମ ବିଶେଷ ଭାବରେ ଉଲ୍ଲେଖଯୋଗ୍ୟ । ଶ୍ରୀରାମକୃଷ୍ଣ ମଧ୍ୟ ବ୍ରାହ୍ମଗଣଙ୍କୁ ଦେଖିବାକୁ ଯାଉଥିଲେ ଏବଂ ବହୁ ଧର୍ମାଳାପ କରି ସେମାନଙ୍କୁ ଆନନ୍ଦ ଦେଉଥିଲେ । ଶ୍ରୀରାମକୃଷ୍ଣ ବହୁପୂର୍ବେ ଦେବେନ୍ଦ୍ରନାଥ ଠାକୁରଙ୍କୁ ତାଙ୍କ ଘରେ ଓ ଆଦି ବ୍ରାହ୍ମସମାଜରେ ଉପାସନା ବେଳେ ଦେଖିବାକୁ ଯାଇଥିଲେ । ଭାରତର ତତ୍କାଳୀନ ବହୁ ସାଧକ, ସିଦ୍ଧପୁରୁଷ, ଭକ୍ତ ଓ ପଣ୍ଡିତ ଶ୍ରୀରାମକୃଷ୍ଣଙ୍କ ସଙ୍ଗଲାଭ କରି ଆପଣାକୁ ଧନ୍ୟ ମନେ କରୁଥିଲେ । ଅନ୍ତରଙ୍ଗ ପାର୍ଷଦ ଓ ଭକ୍ତଗଣ ଶ୍ରୀରାମକୃଷ୍ଣଙ୍କ ନିକଟକୁ ଆସିବା ପୂର୍ବରୁ କୃଷ୍ଣକିଶୋର, ମଥୁର, ଶମ୍ଭୁ ମଲ୍ଲିକ, ନାରାୟଣ ଶାସ୍ତ୍ରୀ, ଇଂଦେଶର ଗୌରୀ ପଣ୍ଡିତ, ଚନ୍ଦ୍ର, ଅଚଳାନନ୍ଦ ପ୍ରଭୃତି ବହୁ ସାଧକ ଶ୍ରୀରାମକୃଷ୍ଣଙ୍କୁ ଦର୍ଶନ କରି ତାଙ୍କୁ ଈଶ୍ୱରଙ୍କ ଅବତାର ଭାବି ସମ୍ମାନ କରୁଥିଲେ । ବର୍ଦ୍ଧମାନର ରାଜପଣ୍ଡିତ ପଦ୍ମଲୋଚନ ଓ ବୈଷ୍ଣବ ସାଧକ ବୈଷ୍ଣବଚରଣ ଶ୍ରୀରାମକୃଷ୍ଣଙ୍କୁ ଅବତାର ବୋଲି ଘୋଷଣା କଲେ । ବୈଷ୍ଣବଚରଣ ପଣ୍ଡିତସଭାରେ କହିଲେ, ‘ଏ ଉନ୍ମାଦ ସାମାନ୍ୟ ନୁହେଁ, ଏହା ପ୍ରେମୋନ୍ମାଦ ।‘ ସେ ଦେଖିଲେ-ଶ୍ରୀରାମକୃଷ୍ଣଙ୍କର ମହାଭାବର ଅବସ୍ଥା । ଚୈତନ୍ୟଦେବଙ୍କ ଭଳି କେତେବେଳେ ଅନ୍ତର୍ଦ୍ଦଶା, କେତେବେଳେ ଜଡ଼ବତ୍ ସମାଧିସ୍ଥ; କେତେବେଳେ ବା ଅର୍ଦ୍ଧବାହ୍ୟ, ପୁଣି କେତେବେଳେ ବାହ୍ୟଦଶା । ଈଶ୍ୱରଚନ୍ଦ୍ର ବିଦ୍ୟାସାଗର, ଶଶଧର ପଣ୍ଡିତ, ଡାକ୍ତର ରାଜେନ୍ଦ୍ର, ଡାକ୍ତର ସରକାର, ବଙ୍କିମ ଚାଟାର୍ଜୀ, ଆମେରିକାର କୁକ୍ ସାହେବ, ଭକ୍ତ ଉଇଲିୟମ୍, ମିଶର୍ ସାହେବ, ମାଇକେଲ୍ ମଧୁସୂଦନ, କୃଷ୍ଣଦାସ ପାଲ୍, ପଣ୍ଡିତ ଦୀନବନ୍ଧୁ, ନୀଳକଣ୍ଠ ପ୍ରଭୃତି ସାଧକଗଣ ଶ୍ରୀରାମକୃଷ୍ଣଙ୍କୁ ମହାମାନବ ଜ୍ଞାନରେ ଦର୍ଶନ କରି ତାଙ୍କର କୃପା ଲାଭ କରିଥିଲେ ଏବଂ ତାଙ୍କର ସମାଧି ଅବସ୍ଥା ଦେଖି ମୁଗ୍ଧ ହୋଇଥିଲେ । କାଲ୍ନାର ଭଗବାନଦାସ ବାବାଜୀ ଜଣେ ଉଚ୍ଚକୋଟୀର ସାଧକ ରୂପେ ବୈଷ୍ଣବ ସମାଜରେ ବିଶେଷ ସମ୍ମାନର ପାତ୍ର ଥିଲେ । ସେ ଶ୍ରୀରାମକୃଷ୍ଣଙ୍କ ନିକଟରୁ ବହୁ ଶିକ୍ଷା ଲାଭ କରିଥିଲେ ଏବଂ ଶେଷରେ କହିଥିଲେ, ‘ମହାପୁରୁଷ ଶ୍ରୀଚୈତନ୍ୟଦେବ ହିଁ ଆପଣଙ୍କ ଦେହରେ ଆବିର୍ଭୂତ ହୋଇଛନ୍ତି ।‘ ଏମାନେ ଯେତେବେଳେ ଶ୍ରୀରାମକୃଷ୍ଣଙ୍କ ନିକଟକୁ ଆସନ୍ତି, ସେତେବେଳେ ତାଙ୍କର ଭାବୋନ୍ମାଦ ଅବସ୍ଥା କଟିଯାଇଛି । ସେତେବେଳେ ଶାନ୍ତ ସଦାନନ୍ଦ ଶିଶୁର ଅବସ୍ଥା; କିନ୍ତୁ ସବୁବେଳେ ପ୍ରାୟ ସମାଧିସ୍ଥ- କେତେବେଳେ ଜଡ଼ ସମାଧି ତ ଆଉ କେତେବେଳେ ଭାବ-ସମାଧି । ସମାଧି ଭାଙ୍ଗିଲା ପରେ ଭାବରାଜ୍ୟରେ ବିଚରଣ କରୁଥିଲେ । ସତେ ଯେପରି ପାଞ୍ଚ ବର୍ଷ ବୟସର ବାଳକ ! ସବୁବେଳେ ମା’ ମା’ ବୋଲି ଡାକୁଥିଲେ । ୧୮୭୫ ଖ୍ରୀଷ୍ଟାବ୍ଦରୁ ତାଙ୍କ ନିକଟକୁ ଅନ୍ତରଙ୍ଗ ଭକ୍ତଗଣ ଆସିବା ଆରମ୍ଭ କଲେ । ବିଶ୍ୱନାଥ ଉପାଧ୍ୟାୟ, ସିଁଥିର ଗୋପାଳ, ମହେନ୍ଦ୍ର କବିରାଜ, କିଶୋରୀ ଓ ମହିମା ଚରଣ ପ୍ରଭୃତି ଶ୍ରୀରାମକୃଷ୍ଣଙ୍କୁ ଦର୍ଶନ କରିବାକୁ ଆସିଥିଲେ । ତା’ପରେ ରାମ ଓ ମନମୋହନ ୧୮୭୯ ଖ୍ରୀ: ସୁଦ୍ଧା ଏବଂ କେଦାର, ସୁରେନ୍ଦ୍ର ପ୍ରଭୃତି ଓ ଚୁନୀ, ଲାଟୁ, ତାରକ ପରେ ଆସିଥିଲେ । ୧୮୮୧ ଖ୍ରୀଷ୍ଟାବ୍ଦରୁ ନରେନ୍ଦ୍ର, ରାଖାଲ, ଭବନାଥ, ବାବୁରାମ, ବଳରାମ, ନିରଞ୍ଜନ, ମାଷ୍ଟର, ଯୋଗେନ୍ ପ୍ରଭୃତି ଦକ୍ଷିଣେଶ୍ୱରକୁ ଆସି ଶ୍ରୀରାମକୃଷ୍ଣଙ୍କ ପଦପ୍ରାନ୍ତରେ ମିଳିତ ହେଲେ । ସେତିକିବେଳୁ ଶ୍ରୀରାମକୃଷ୍ଣ ଏହି ତ୍ୟାଗୀ ଓ ଗୃହୀ ଭକ୍ତଗଣଙ୍କ ଧର୍ମଜୀବନ ଗଠନରେ ବ୍ରତୀ ହେଲେ । ଭଜନ, କୀର୍ତ୍ତନ, ରାତି ରାତି ଜପଧ୍ୟାନ, ତପସ୍ୟା ଓ ଧର୍ମାଲୋଚନା ପ୍ରଭୃତିରେ ଶ୍ରୀରାମକୃଷ୍ଣଙ୍କ କ୍ଷୁଦ୍ର ପ୍ରକୋଷ୍ଠଟି ସର୍ବଦା ମୁଖରିତ ରହୁଥିଲା ।

*                          *                             *

ଶ୍ରୀରାମକୃଷ୍ଣ କହୁଥିଲେ-‘ଫୁଲ ଫୁଟିଲେ ଭ୍ରମର ଆପେ ଆପେ ଆସେ ମଧୁପାନ କରିବାକୁ; ତାକୁ ଡାକିବାକୁ ପଡ଼େ ନାହିଁ ।‘…କେଉଁ ଏକ ଅଜ୍ଞାତ ଆକର୍ଷଣରେ ଦକ୍ଷିଣେଶ୍ୱରକୁ ଛୁଟି ଆସିଲେ ଆବାଳ ବୃଦ୍ଧ-ବନିତା, ସମାଜର ସବୁ ସ୍ତରର, ସବୁ ଧର୍ମର ଲୋକେ । ଉଚ୍ଚ-ନୀଚ, ବ୍ରାହ୍ମଣ-ଚଣ୍ଡାଳର କୌଣସି ଭେଦ ନ ଥିଲା । ସେ ଥିଲେ କରୁଣାସାଗର । ସଭିଙ୍କ ପ୍ରତି ତାଙ୍କର ସମାନ କରୁଣା, ସମାନ ଦୟା । ସଭିଙ୍କୁ ସେ ଭଗବତ୍-ପ୍ରାପ୍ତି ନିମନ୍ତେ ସାହାଯ୍ୟ କରୁଥିଲେ । ସେ ଥିଲେ ତ୍ରିକାଳଦର୍ଶୀ ମହାପୁରୁଷ । ଅନ୍ତର ଭିତରେ ପଶି କିଏ କେଉଁ ଭାବର ଲୋକ, ତାହା ଜାଣି ସେହି ଭାବରେ ସଭିଙ୍କୁ ଉପଦେଶ ଦେଉଥିଲେ । ତାଙ୍କ ଭିତରେ ଏପରି ଆଧ୍ୟାତ୍ମିକ ଶକ୍ତିର ବିକାଶ ହୋଇଥିଲା ଯେ ଥରଟିଏ ମାତ୍ର ସ୍ପର୍ଶ କରି ଭକ୍ତଗଣଙ୍କୁ ସମାଧିସ୍ଥ କରି ଦେଇପାରୁଥିଲେ, ଈଶ୍ୱର ଦର୍ଶନ କରାଇ ପାରୁଥିଲେ । ଦିନେ ଭାବାବେଶରେ କହିଥିଲେ, ‘ବର୍ତ୍ତମାନ ମାଆଙ୍କୁ (ଜଗଜ୍ଜନନୀଙ୍କୁ) କହୁଥିଲି-ମା’ ! ଥରଟିଏ ଛୁଇଁଦେଲେ ଯେପରି ଲୋକଙ୍କର ଚୈତନ୍ୟ ଉଦୟ ହୁଏ ।‘ ଜୀବର ଦୁଃଖରେ ସେ କାନ୍ଦୁଥିଲେ-ଆର୍ତ୍ତଗଣଙ୍କ ଦୁଃଖରେ ପ୍ରାଣରେ ଗଭୀର ବେଦନା ଅନୁଭବ କରୁଥିଲେ ଏବଂ ତା’ର ପ୍ରତିକାର କରୁଥିଲେ । ଥରେ ମଥୁରନାଥଙ୍କ ଜମିଦାରୀକୁ ଯାଇ ପ୍ରଜାଙ୍କ ଦୁଃଖ ଦେଖି ସେ ମଥୁରବାବୁଙ୍କୁ କହି ପ୍ରଜାମାନଙ୍କର ଖଜଣା ଛାଡ଼ କରାଇ ଦେଇଥିଲେ ଏବଂ ମରୁଡ଼ି ପାଇଁ ଫସଲ ହୋଇ ନାହିଁ ଦେଖି ସେମାନଙ୍କ ପାଇଁ ଖାଦ୍ୟର ବ୍ୟବସ୍ଥା କରିଥିଲେ । ସେ ସାଧକଗଣଙ୍କୁ ବିମୁଖ କରୁ ନ ଥିଲେ । ତାଙ୍କ କୃପାଦୃଷ୍ଟିରେ ମଣିଷର ମନ ପରିବର୍ତ୍ତିତ ହୋଇ ଯାଉଥିଲା, ଅନ୍ତରରେ ଐଶୀ ଭାବ ଜାଗ୍ରତ ହୋଇ ଉଠୁଥିଲା ଏବଂ ଫଳରେ କାହାରି କାହାରି ଦିବ୍ୟଜ୍ୟୋତି ବା ଦେବଦେବୀଙ୍କ ଜ୍ୟୋତିର୍ମୟ ରୂପ ଦର୍ଶନ ହେଉଥିଲା; କେହି ଗଭୀର ଧ୍ୟାନରେ ମଗ୍ନ ହୋଇ ଯାଉଥିଲେ, କେହି ବା ଈଶ୍ୱରଲାଭ ପାଇଁ ବ୍ୟାକୁଳ ହୋଇ ଉଠୁଥିଲେ । ସେହି ମହାଶକ୍ତିର ଆକର୍ଷଣରେ କେବଳ କଲିକତା ବା ପାର୍ଶ୍ୱବର୍ତ୍ତୀ ସ୍ଥାନରୁ ନୁହେଁ, ବହୁ ଦୂର ଦୂର ସ୍ଥାନରୁ ବିବିଧ ଭାଷାଭାଷୀ, ବିଭିନ୍ନ ଧର୍ମର ଅନୁରାଗୀ ଓ ମୁକ୍ତିକାମୀ ଲୋକ ଆସି ସମବେତ ହେଉଥିଲେ ଦକ୍ଷିଣେଶ୍ୱରର ଏହି ପୂଜକ ବ୍ରାହ୍ମଣଙ୍କ ପାଦତଳେ । ସେ ଦିନେ ଭାବାବେଶରେ କହିଥିଲେ, ‘ଯେଉଁମାନେ ଆନ୍ତରିକ ଧ୍ୟାନ-ଜପ କରିଛନ୍ତି, ଭଗବାନଙ୍କୁ ଡାକିଛନ୍ତି, ସେମାନଙ୍କୁ ଏଠାକୁ (ଅର୍ଥାତ୍ ତାଙ୍କ ନିକଟକୁ) ଆସିବାକୁ ପଡ଼ିବ ।‘ ଶ୍ରୀରାମକୃଷ୍ଣ ତାଙ୍କ ଦେହତ୍ୟାଗର ସମୟ ଜାଣିପାରି ଏକ ଶ୍ରେଣୀର ତ୍ୟାଗୀ ଶିଷ୍ୟଗଣଙ୍କୁ ତାଙ୍କ ନିକଟରେ ସମବେତ କରାଇଲେ ଏବଂ ତ୍ୟାଗ, ତପସ୍ୟା, ପବିତ୍ରତା ଓ ବିଭିନ୍ନ ସାଧନାର ସାହାଯ୍ୟରେ ‘ଆତ୍ମନଃ ମୋକ୍ଷାର୍ଥଂ ଜଗଦ୍ଧିତାୟ ଚ‘ ବ୍ରତରେ ଜୀବନ ଉତ୍ସର୍ଗ କରିବା ପାଇଁ ସେମାନଙ୍କୁ ଶିକ୍ଷା ଦେବାକୁ ଲାଗିଲେ । ସେହି ତ୍ୟାଗୀ ଯୁବକ-ଭକ୍ତଗଣଙ୍କର ନେତା କଲେ ତାଙ୍କ ପ୍ରିୟ ଶିଷ୍ୟ ନରେନ୍ଦ୍ରନାଥଙ୍କୁ, ପରବର୍ତ୍ତୀ କାଳରେ ଯିଏ ବିବେକାନନ୍ଦ ନାମରେ ସମଗ୍ର ବିଶ୍ୱରେ ଶ୍ରୀରାମକୃଷ୍ଣ-ଆଚରିତ ବିଶ୍ୱଧର୍ମର ବାଣୀ ପ୍ରଚାରିତ କରିଥିଲେ । ‘ଯେତେ ମତ ସେତେ ପଥ‘-ବିଶ୍ୱଧର୍ମର ଏହି ନବ ରୂପ । ଶ୍ରୀରାମକୃଷ୍ଣଙ୍କ କଥା ‘ଯିଏ ରାମ, ଯିଏ କୃଷ୍ଣ, ଏବେ (ଆପଣା ଶରୀରକୁ ଦେଖାଇ) ସେ ଏହି ଦେହକୁ ଆସିଛନ୍ତି । …କିନ୍ତୁ ଏଥର ଛଦ୍ମବେଶରେ ଆସିଛନ୍ତି; ଯେପରି ଜମିଦାର ଗୋପନରେ କେବେ କେବେ ଜମିଦାରୀ ଦେଖିବାକୁ ଯାଆନ୍ତି, ଠିକ୍ ସେହିଭଳି ।’ ଶ୍ରୀରାମକୃଷ୍ଣଙ୍କର କୌଣସି ପ୍ରକାର ଐଶ୍ୱର୍ଯ୍ୟ ନ ଥିଲା । ସେ ଏକ ପ୍ରକାର ନିରକ୍ଷର ହୋଇ ଆସିଥିଲେ । ଜଟା ବଳ୍କଳ ମଧ୍ୟ ଧାରଣ କରି ନାହାନ୍ତି । ହିମାଳୟର ଗହ୍ୱରକୁ ମଧ୍ୟ ତପସ୍ୟା କରିବାକୁ ଯାଇ ନାହାନ୍ତି । ବାହ୍ୟତଃ ସେ ଥିଲେ ଅତି ସାଧାରଣ ମଣିଷ । କେବଳ ପରାଭକ୍ତି, ପରମ ଜ୍ଞାନ, ଅପୂର୍ବ ତ୍ୟାଗ, ଜ୍ୱଳନ୍ତ ବୈରାଗ୍ୟ ଉଦ୍ବେଳ ଈଶ୍ୱରପରାୟଣତା ଓ ବିଶ୍ୱପ୍ଳାବୀ ପ୍ରେମ-ଏହା ହିଁ ଥିଲା ତାଙ୍କର ଏକମାତ୍ର ଐଶ୍ୱର୍ଯ୍ୟ । ସେ ଦିନେ ଭକ୍ତମାନଙ୍କୁ କହିଥିଲେ, ‘ବହୁ ଲୋକ ଯେତେବେଳେ ଈଶ୍ୱରଜ୍ଞାନରେ ଶ୍ରଦ୍ଧାଭକ୍ତି କରିବେ, ସେତେବେଳେ ଏହାର (ଶରୀରର) ଅନ୍ତର୍ଦ୍ଧାନ ହେବ ।‘

*                          *                             *

୧୮୮୫ ଖ୍ରୀ:ର ଏପ୍ରିଲ ଶେଷ ଆଡ଼କୁ ଶ୍ରୀରାମକୃଷ୍ଣଙ୍କ ଶରୀରରେ କଠିନ ରୋଗର ସଞ୍ଚାର ହେଲା । ଗଳାଭିତର ଫୁଲିଯାଇ କ୍ରମେ ସେଥିରେ ଘାଆ ହେଲା । କଥା କହିବା ମଧ୍ୟ କଷ୍ଟକର ହୋଇ ପଡ଼ିଲା । ଏଡ଼େ ଅସୁସ୍ଥ ଶରୀରରେ ମଧ୍ୟ ସେ ଲୋକମାନଙ୍କୁ ଉପଦେଶ ଦେବାରୁ ବିରତ ହେଉ ନ ଥିଲେ । ଧର୍ମପିପାସୁ କେହି ଆସିବା ମାତ୍ରକେ ଅବିରାମ ଭଗବତ୍ଚର୍ଚ୍ଚା କରୁଥିଲେ । କାହାକୁ ବା ସ୍ପର୍ଶ କରି, କାହାପ୍ରତି କୃପାଦୃଷ୍ଟି ଢାଳି, କାହାକୁ ବା ଆଶୀର୍ବାଦ କରି ମନରେ ଧର୍ମଭାବର ସଞ୍ଚାର କରିଦେଉଥିଲେ । ଏଣେ ସାମାନ୍ୟ ଭଗବତ୍ଚର୍ଚ୍ଚାରେ ହିଁ ସେ ଗଭୀର ସମାଧିସ୍ଥ ହୋଇ ପଡ଼ୁଥିଲେ ଏବଂ ସେହି ଭାବାବସ୍ଥାରେ ସ୍ତ୍ରୀ-ପୁରୁଷ ସଭିଙ୍କୁ କୃପା କରି ସଭିଙ୍କ ଅନ୍ତରରେ ଧର୍ମଭାବ ଉଦ୍ବୁଦ୍ଧ କରି ଦେଉଥିଲେ । ଚିକିତ୍ସା ପାଇଁ ଭକ୍ତଗଣ ତାଙ୍କୁ ପ୍ରଥମେ କଲିକତାର ଶ୍ୟାମପୁକୁରକୁ ଓ ପରେ କାଶୀପୁର ଉଦ୍ୟାନବାଟୀକୁ ନେଇ ଆସିଲେ । ନାନା ଚିକିତ୍ସା ସତ୍ତ୍ୱେ ରୋଗର ଉପଶମ ହେଲା ନାହିଁ । ଦିନେ ଭାବାବେଶରେ ସେ କହିଲେ, ‘ମା’ ଦେଖାଇ ଦେଲେ-କେତେ ପ୍ରକାର ଭାବର ଲୋକ ଆସି ଛୁଅଁନ୍ତି, ତାଙ୍କର ଦୁର୍ଦ୍ଦଶା ଦେଖି ମନରେ ଦୟା ହୁଏ; ସେସବୁର (ଦୁଷ୍କର୍ମର) ଫଳ ତ ଭୋଗିବାକୁ ହେବ । ସେହିସବୁ ଗ୍ରହଣ କରି ଏ ଅବସ୍ଥା ହେଲା । ନ ହେଲେ ଏ ଶରୀର କେବେ କିଛି ଅନ୍ୟାୟ କରି ନାହିଁ-ସେଥିରେ ରୋଗ ହେବ କାହିଁକି ?‘ ଜୀବର ପାପଭାର ଗ୍ରହଣ କରି ତାଙ୍କ ଦେହରେ ଏହି କଠିନ ରୋଗ ହୋଇଥିଲା । ପରମହଂସଦେବ ଅସୁସ୍ଥ ହୋଇ କଲିକତା ଆସିଛନ୍ତି-ଏ ସମ୍ବାଦ ପ୍ରଚାରିତ ହେବା ସଙ୍ଗେ ସଙ୍ଗେ ଦଳ ଦଳ ହୋଇ ଲୋକେ ତାଙ୍କୁ ଦର୍ଶନ ପାଇଁ ଆସିବାକୁ ଲାଗିଲେ । ସେ ସଭିଙ୍କୁ ଆଶାର ବାଣୀ ଶୁଣାଉଥିଲେ, ନାନା ଭାବର କୃପା କରୁଥିଲେ ଏବଂ ଏହି ଦେହର ଅସୁସ୍ଥତା ଅବଲମ୍ବନ କରି ଠାକୁର ଶ୍ରୀରାମକୃଷ୍ଣ କାଶୀପୁର-ଉଦ୍ୟାନରେ ତ୍ୟାଗୀ ଶିଷ୍ୟଗଣଙ୍କୁ ନେଇ ଭାବୀ ‘ଧର୍ମସଂଘ’ର ସୂଚନା କରିଥିଲେ । ତ୍ୟାଗୀଗଣଙ୍କର ପ୍ରଥମ ଶିକ୍ଷା ହେଲା କାମ-କାଞ୍ଚନ ତ୍ୟାଗ । ତ୍ୟାଗ-ବୈରାଗ୍ୟ, ପ୍ରେମ-ଦୟା, ଭକ୍ତି-ବିଶ୍ୱାସ, ସାରଲ୍ୟ-ସତ୍ୟନିଷ୍ଠାର ପ୍ରତିମୂର୍ତ୍ତି ଓ ସର୍ବଜୀବଙ୍କ ସୁହୃଦ୍ ଶ୍ରୀରାମକୃଷ୍ଣ ଦେହତ୍ୟାଗ ପୂର୍ବରୁ ତାଙ୍କ ଶିଷ୍ୟଗଣଙ୍କ ମଧ୍ୟରେ ବିଶେଷ ଆଧ୍ୟାତ୍ମିକ ଶକ୍ତି ସଂଚାରିତ କରି ଜୀବ-କଲ୍ୟାଣ ପାଇଁ ସେମାନଙ୍କର ଜୀବନ-ଉତ୍ସର୍ଗ କରିବାକୁ ନିର୍ଦ୍ଦେଶ ଦେଲେ । ୧୮୮୬ ଖ୍ରୀଷ୍ଟାବ୍ଦରେ ଜାନୁଆରୀ ପହିଲା ଏକ ବିଶେଷ ସ୍ମରଣୀୟ ଦିନ । ସେଦିନ କୃପାମୂର୍ତ୍ତି ଶ୍ରୀରାମକୃଷ୍ଣ କାଶୀପୁର ଉଦ୍ୟାନରେ ଯେତେ ଭକ୍ତ ଥିଲେ, ସମସ୍ତଙ୍କୁ ଭାବାବେଶରେ କହିଥିଲେ, ‘ତୁମ ସମସ୍ତଙ୍କର ଚୈତନ୍ୟ ହେଉ ।‘ ଏତିକି କହି ସମସ୍ତଙ୍କ ବକ୍ଷସ୍ଥଳ ସ୍ପର୍ଶ କରି ସେମାନଙ୍କର ଚୈତନ୍ୟ ସମ୍ପାଦନ କରି ସଭିଙ୍କୁ ବନ୍ଧନରୁ ମୁକ୍ତ କରି ଦେଇଥିଲେ । ଏହି ଶକ୍ତିପୂର୍ଣ୍ଣ ସ୍ପର୍ଶର ଫଳସ୍ୱରୂପ ଭକ୍ତଗଣଙ୍କ ଅନ୍ତର ଭୂମାନନ୍ଦରେ ପ୍ରତିଷ୍ଠିତ ହୋଇଥିଲା । ଦିନେ ଭାବାବେଶରେ ଶ୍ରୀରାମକୃଷ୍ଣ କହିଲେ, ‘ଅବତାରଙ୍କୁ ଦେଖିବା ଯାହା, ଭଗବାନଙ୍କୁ ଦେଖିବା ମଧ୍ୟ ସେଇଆ ।‘ ଅନ୍ୟ ସମୟରେ ଗଭୀର ସମାଧିରୁ ବ୍ୟୁତ୍ଥିତ ହୋଇ କହିଥିଲେ, ‘ଏହା ଭିତରେ (ଅର୍ଥାତ୍ ତାଙ୍କ ଶରୀରରେ) ଦୁହେଁ ଅଛନ୍ତି-ଜଣେ ସେ ସ୍ୱୟଂ, ଆଉ ଜଣେ ଭକ୍ତ ହୋଇ ରହିଛନ୍ତି, ଯାହାଙ୍କ ହାତ ଭାଙ୍ଗିଥିଲା ଦକ୍ଷିଣେଶ୍ୱରରେ ।‘…ଦିନେ ଭାବାବେଶରେ ପଡ଼ିଯାଇ ଶ୍ରୀରାମକୃଷ୍ଣଙ୍କର ହାତ ଭାଙ୍ଗିଯାଇଥିଲା । ବହୁ ଦିନ ଧରି ପଟା ବାନ୍ଧି ହାତକୁ ରଖିବାକୁ ପଡ଼ିଥିଲା । ସେହି ଘଟଣା ଉଲ୍ଲେଖ କରି ସେ ଏକଥା କହିଥିଲେ । ‘ତାଙ୍କରି ପୁଣି ରୋଗ ହୋଇଛି ।…ସେ ଅବତାର ହୋଇ ମଣିଷ ରୂପରେ ଭକ୍ତ ମେଳକୁ ଆସନ୍ତି । ଭକ୍ତଗଣ (ପାର୍ଷଦଗଣ) ତାଙ୍କ ସଙ୍ଗରେ ଆସି ପୁଣି ଚାଲିଯାଆନ୍ତି ।‘ ଶ୍ରୀରାମକୃଷ୍ଣ କ୍ରମେ ମହାଯାତ୍ରା ପାଇଁ ପ୍ରସ୍ତୁତ ହେଲେ ଏବଂ ତ୍ୟାଗୀ ଅନ୍ତରଙ୍ଗ ପାର୍ଷଦଗଣଙ୍କୁ ସଂଘବଦ୍ଧ କରି କିପରି ଭାବରେ ଯୁଗବାଣୀ ଓ ମହଦ୍ଧର୍ମ ଜଗତରେ ପ୍ରଚାର କରିବାକୁ ହେବ, ତାହା ଶିକ୍ଷା ଦେବାକୁ ଲାଗିଲେ । ନରେନ୍ଦ୍ରନାଥଙ୍କୁ ଲକ୍ଷ୍ୟ କରି କହିଲେ, ‘ନରେନ୍ ଲୋକଶିକ୍ଷା ଦେବ ।‘ ଅନ୍ୟାନ୍ୟ ଶିଷ୍ୟମାନଙ୍କୁ ମଧ୍ୟ ନାନା ଭାବରେ ‘ଲୋକଶିକ୍ଷାର’ ନିର୍ଦ୍ଦେଶ ଓ ଶିକ୍ଷା ଦେଲେ । ସେତେବେଳେ ତାଙ୍କ ଶରୀର ଅତି ଦୁର୍ବଳ-କଙ୍କାଳସାର; କେଇଟା ଦିନ ପରେ କଥା ମଧ୍ୟ ଅସ୍ପଷ୍ଟ ହୋଇଗଲା । ସେହି ଅବସ୍ଥାରେ ମଧ୍ୟ ପ୍ରତ୍ୟେକଙ୍କୁ ପୃଥକ୍ ପୃଥକ୍ ଭାବରେ ଗୁହ୍ୟ ସାଧନାର ଉପଦେଶ ଦେଉଥିଲେ । ମୁହୁର୍ମୁହଃ ଭାବସମାଧି ହେଉଛି-ତାହାରି ଭିତରେ ତ୍ୟାଗୀ ସନ୍ତାନଗଣଙ୍କୁ ନିକଟକୁ ଡାକି ନିଭୃତରେ କେତେ ଶିକ୍ଷା ଦେଇଛନ୍ତି । ଏଥିପୂର୍ବରୁ ସେ ଏଗାର ଜଣ ଶିଷ୍ୟଙ୍କୁ ଗୈରିକବସ୍ତ୍ର, ଜପମାଳା ଇତ୍ୟାଦି ଦେଇ ସନ୍ନ୍ୟାସଧର୍ମରେ ଦୀକ୍ଷିତ କରିଥିଲେ । ନରେନ୍ଦ୍ରନାଥଙ୍କ ପ୍ରାଣ ନିର୍ବିକଳ୍ପ ସମାଧିରେ ସ୍ଥିତ ହେବା ପାଇଁ ଅତିଶୟ ବ୍ୟାକୁଳ । ଅସ୍ଥିର ପ୍ରାଣରେ ସେ ଦିନେ ଶ୍ରୀରାମକୃଷ୍ଣଙ୍କ ନିକଟରେ ଅଳି କଲେ । ‘ତୁ କଅଣ ଚାହୁଁ, କହ ତ ?‘ ସ୍ମିତମୁଖରେ ଶ୍ରୀରାମକୃଷ୍ଣ ପଚାରିଲେ । ଛଳ ଛଳ ଆଖିରେ ନରେନ୍ଦ୍ରନାଥ କହିଲେ, ‘ମୋର ଇଚ୍ଛା ହେଉଛି, ସମାଧିରେ ବୁଡ଼ି ରହିବି ।‘ ଏହା ଶୁଣି ଶ୍ରୀରାମକୃଷ୍ଣ ଗମ୍ଭୀର ହୋଇଗଲେ । ପରେ ତିରସ୍କାର ସ୍ୱରରେ କହିଲେ, ‘ଛି ଛି‘ । ତୁ ଏତେ ବଡ଼ ଆଧାର ! ତୋ ମୁହଁରେ ଏଇ କଥା ? ତା’ଠାରୁ ମଧ୍ୟ ଉଚ୍ଚ ଅବସ୍ଥା ଯେ ରହିଛି !‘ ଆହୁରି ମଧ୍ୟ କହିଲେ-‘ମୁଁ ଭାବିଥିଲି, ତୁ କେଉଁଠି ଏକ ବିଶାଳ ବଟବୃକ୍ଷ ଭଳି ହେବୁ । ତୋର ଛାୟାରେ ହଜାର ହଜାର ଲୋକ ଆଶ୍ରୟ ପାଇବେ, ତା’ ନ ହୋଇ ତୁ କେବଳ ନିଜର ମୁକ୍ତି ଚାହୁଁଛୁ ?‘ ଏହା ଶୁଣି ନରେନ୍ଦ୍ର ମୁହଁ ତଳକୁ ପୋତି ଅଶ୍ରୁ ବିସର୍ଜନ କଲେ; ଭାବିଲେ-ଆହା, ତାଙ୍କ ହୃଦୟ କେଡ଼େ ବିଶାଳ ! ଏହାର କିଛି ଦିନ ପରେ ସନ୍ଧ୍ୟାବେଳେ ଧ୍ୟାନ କରୁ କରୁ ନରେନ୍ଦ୍ରଙ୍କ ମନ ନିର୍ବିକଳ୍ପ ସମାଧିରେ ମଗ୍ନ ହୋଇଗଲା । ସେହି ଅବସ୍ଥାରେ ବହୁ ସମୟ ରହିଲା ପରେ ଗଭୀର ରାତ୍ରିରେ ନିର୍ବିକଳ୍ପ ନିର୍ବିଷୟରୁ ନରେନ୍ଦ୍ରଙ୍କ ମନ ବାହ୍ୟ ଜଗତକୁ ଫେରି ଆସିଲା । ନରେନ୍ଦ୍ର ଧ୍ୟାନରୁ ଉଠି ଶ୍ରୀରାମକୃଷ୍ଣଙ୍କ ରୋଗଶଯ୍ୟା ନିକଟକୁ ଯାଇ ଉପସ୍ଥିତ ହେଲା ମାତ୍ରକେ ସେ ଗମ୍ଭୀର ସ୍ୱରରେ କହିଲେ, ‘କିରେ, ଏଥର ତ ମା’ ତୋତେ ସବୁ ଦେଖାଇ ଦେଇଛନ୍ତି, ପୂର୍ଣ୍ଣଜ୍ଞାନରେ ପ୍ରତିଷ୍ଠିତ କରିଛନ୍ତି । ଯାହା ଦେଖୁଛୁ ସେସବୁ ବର୍ତ୍ତମାନ ବନ୍ଦ ରହିବ । ଚାବିକାଠି ମୋ ହାତରେ ରହିଲା । ଏଥର ତୋତେ ମା’ଙ୍କ କାମ କରିବାକୁ ପଡ଼ିବ । କାମ ଶେଷ ହେଲେ ପୁଣି ଏ ଅବସ୍ଥା ଫେରି ପାଇବୁ ।‘ ନରେନ୍ଦ୍ର ନୀରବରେ ମୁଣ୍ଡ ନୁଆଁଇ ବସି ରହିଲେ । ଦେହତ୍ୟାଗର ଛ’ ସାତ ଦିନ ପୂର୍ବେ ସେ ପାଞ୍ଜି ଦେଖି ମହାପ୍ରସ୍ଥାନ ପାଇଁ ଦିନ ସ୍ଥିର କଲେ । ଶ୍ରାବଣ ସଂକ୍ରାନ୍ତି, ତିନି ଚାରି ଦିନ ମାତ୍ର ବାକି । ଶ୍ରୀରାମକୃଷ୍ଣ ନରେନ୍ଦ୍ରଙ୍କୁ ନିଜ ଶଯ୍ୟାପାର୍ଶ୍ୱକୁ ଡାକିଲେ ଏବଂ ଦ୍ୱାର ବନ୍ଦ କରିବାକୁ କହିଲେ । କୋଠରୀଟି ନିସ୍ତବ୍ଧତାରେ ଭାରାକ୍ରାନ୍ତ । ନରେନ୍ଦ୍ରଙ୍କୁ ସମ୍ମୁଖରେ ବସିବାକୁ ଇଙ୍ଗିତ କରି ସେ ନରେନ୍ଦ୍ରଙ୍କ ଆଖି ଉପରେ ଦୃଷ୍ଟି ନିବଦ୍ଧ କରି କ୍ରମେ ସମାଧିସ୍ଥ ହେଲେ । ସେତେବେଳେ ନରେନ୍ଦ୍ର ଅନୁଭବ କଲେ-ଶ୍ରୀରାମକୃଷ୍ଣଙ୍କ ଦେହରୁ ଯେପରି ଗୋଟିଏ ସୂକ୍ଷ୍ମ ତେଜରଶ୍ମି ତାଙ୍କ ଭିତରକୁ ଆସି ପ୍ରବେଶ କରୁଛି । କ୍ରମେ ବାହ୍ୟ ଚେତନା ବିଲୁପ୍ତ ହୋଇ ତାଙ୍କ ମନ ଗଭୀର ସମାଧିରେ ଲୀନ ହୋଇଗଲା । ବହୁ ସମୟ ପରେ ନରେନ୍ଦ୍ରଙ୍କ ବାହ୍ୟ ଚେତନା ଫେରି ଆସିଲା । ଶ୍ରୀରାମକୃଷ୍ଣ କହିଲେ, ‘ଆଜି ତୋତେ ସବୁ ଦେଇ ମୁଁ ଫକିର ହେଲି । ତୁ ଏହି ଶକ୍ତିବଳରେ ଜଗତର ପ୍ରଭୂତ କଲ୍ୟାଣ କରିବୁ । କାମ ଶେଷ ହେଲେ ସ୍ୱଧାମକୁ ଫେରିଯିବୁ ।‘ ଦେହତ୍ୟାଗର ଦୁଇ ଦିନ ମାତ୍ର ବାକୀ । ଶ୍ରୀରାମକୃଷ୍ଣ ଅସହ୍ୟ ରୋଗ ଯାତନାରେ କାତର; ତା’ରି ଭିତରେ ସେ ବାରମ୍ବାର ସମାଧିମଗ୍ନ ହେଉଛନ୍ତି । ଭକ୍ତଗଣ ନୀରବରେ ଅଧୋବଦନ ହୋଇ ଚାରିଆଡ଼େ ଘେରି ବସିଛନ୍ତି । ନରେନ୍ଦ୍ରନାଥ ମଧ୍ୟ ମ୍ଳାନମୁଖରେ ଗଭୀର ଚିନ୍ତାମଗ୍ନ ହୋଇ ବସିଛନ୍ତି । ଶ୍ରୀରାମକୃଷ୍ଣଙ୍କୁ ଶତ ଶତ ଲୋକ ଅବତାର ବୋଲି ଘୋଷଣା କରିଛନ୍ତି । ଭକ୍ତଗଣଙ୍କ ମଧ୍ୟରୁ ଅନେକଙ୍କର ବିଶ୍ୱାସ ଯେ ସେ ଭଗବାନଙ୍କର ଅବତାର । ନରେନ୍ଦ୍ରଙ୍କ ମନ କିନ୍ତୁ ସେତେବେଳେ ସୁଦ୍ଧା ଦ୍ୱିଧାଶୂନ୍ୟ ହୋଇନାହିଁ । ନିଜେ ତା’ର ପ୍ରମାଣ ନ ପାଇଲେ ସେ ପାଞ୍ଚଜଣଙ୍କ କଥାରେ ବିଶ୍ୱାସ କରିବା ଲୋକ ନୁହନ୍ତି । ଏତିକିବେଳେ ହଠାତ୍ ତାଙ୍କର ମନେ ହେଲା ଏହି ନିଦାରୁଣ କଷ୍ଟବେଳେ ଯଦି ସେ କହିବେ ଯେ ‘ମୁଁ ସ୍ୱୟଂ ଭଗବାନ‘, ତା’ ହେଲେ ମୁଁ ବିଶ୍ୱାସ କରିବି । ଆଶ୍ଚର୍ଯ୍ୟ ! ନରେନ୍ଦ୍ରଙ୍କ ମନରେ ଏହି ଚିନ୍ତା ଉଦୟ ହେବା ମାତ୍ରକେ ଶ୍ରୀରାମକୃଷ୍ଣ ନରେନ୍ଦ୍ରଙ୍କ ଆଡ଼କୁ ମୁହଁ ବୁଲାଇ ସ୍ୱାଭାବିକ କଣ୍ଠରେ କହିଲେ, ‘ଯିଏ ରାମ ପୁଣି ଯିଏ କୃଷ୍ଣ, ବର୍ତ୍ତମାନ ସେ ନିଜେ (ଏହି ଦେହରେ) ରାମକୃଷ୍ଣ ରୂପେ ଅବତୀର୍ଣ୍ଣ ।‘ ନରେନ୍ଦ୍ର ଅପରାଧୀ ଭଳି ମୁହଁ ପୋତି ରହିଲେ । ତାଙ୍କର ମନ ସଂଶୟ-ମେଘମୁକ୍ତ ହେଲା । ସେ ଶ୍ରୀରାମକୃଷ୍ଣଙ୍କୁ ଅବତାର ବୋଲି ଗ୍ରହଣ କଲେ । ୧୨୯୩ ସାଲର ୩୧ ଶ୍ରାବଣ ଆଗତ । ନିଦାରୁଣ ରୋଗଯନ୍ତ୍ରଣାରେ ସେ କାତର । ଭକ୍ତଗଣ ନୀରବରେ ଅଶ୍ରୁ ବିସର୍ଜନ କରୁଛନ୍ତି । କିନ୍ତୁ ସନ୍ଧ୍ୟାର କିଛିକ୍ଷଣ ପରେ ଶ୍ରୀରାମକୃଷ୍ଣ ଗଭୀର ସମାଧିମଗ୍ନ ହେଲେ । ଶରୀର ନିସ୍ପନ୍ଦ, ସ୍ଥିର । ଭକ୍ତଗଣ ସ୍ତବ୍ଧ ହୋଇ ସମାଧିରୁ ତାଙ୍କର ବ୍ୟୁତ୍ଥାନ ପାଇଁ ଅପେକ୍ଷା କରିଛନ୍ତି । ମଝି ରାତିରେ ତାଙ୍କର ସମାଧିଭଙ୍ଗ ହେଲା । ଭକ୍ତଗଣ ତାଙ୍କୁ ତକିଆରେ ଆଉଜାଇ ବସାଇଦେଲେ । ସେ ସମବେତ ଭକ୍ତଙ୍କ ଉପରେ ସସ୍ନେହ ଦୃଷ୍ଟିପାତ କରି ସ୍ୱାଭାବିକ କଣ୍ଠରେ ତିନିଥର ‘କାଳୀ’ ନାମ ଉଚ୍ଚାରଣ କରି ପୁନର୍ବାର ସମାଧିମଗ୍ନ ହେଲେ । ରାତି ଗୋଟାଏ ଦୁଇ ମିନିଟ୍ ବେଳେ ହଠାତ୍ ତାଙ୍କ ସର୍ବାଙ୍ଗରେ ମୁହୁର୍ମୁହୁଃ ପୁଲକ ଓ ରୋମାଞ୍ଚ ହେବାକୁ ଲାଗିଲା । ଦୃଷ୍ଟି-ନାସାଗ୍ର-ନିବଦ୍ଧ । ମୁଖମଣ୍ଡଳରେ ଦିବ୍ୟାନନ୍ଦର ଦୀପ୍ତି । ଶ୍ରୀରାମକୃଷ୍ଣ ଗଭୀର ସମାଧିମଗ୍ନ ହେଲେ । ଭକ୍ତଗଣ ଭାବିଲେ ଶୀଘ୍ର ପୁଣି ବାହ୍ୟଜ୍ଞାନ ଫେରି ଆସିବ । ରାତି ଶେଷ ହୋଇଗଲା, କିନ୍ତୁ ତାଙ୍କ ସମାଧି ଭଙ୍ଗ ହେଲା ନାହିଁ । ଏହି ସମାଧି ପର୍ଯ୍ୟବସିତ ହେଲା ମହାସମାଧିରେ । ୧୮୮୬ ଖ୍ରୀ: ଅଗଷ୍ଟ ୧୬ ତାରିଖ ଶ୍ରୀରାମକୃଷ୍ଣ ସ୍ୱ-ସ୍ୱରୂପରେ ଲୀନ ହେଲେ । ତା’ ପରଦିନ ଅପରାହ୍ନରେ ପୁଣ୍ୟତୋୟା ଗଙ୍ଗାକୂଳରେ ତାଙ୍କ ଦେହର ସଂସ୍କାର କରାଗଲା । ଶ୍ରୀରାମକୃଷ୍ଣ ନରଦେହ ତ୍ୟାଗ କରିଛନ୍ତି । ତାଙ୍କ ଭାବରାଶି ଦ୍ରୁତଗତିରେ ଦିଗଦିଗନ୍ତକୁ ପକ୍ଷ ବିସ୍ତାର କରି ଚାଲିଛି-ଉତ୍ତର-ଦକ୍ଷିଣ, ପୂର୍ବପଶ୍ଚିମ, ଦେଶଦେଶାନ୍ତର, ଦୂରଦୂରାନ୍ତରକୁ-ଚାଲିଛି ବିଶ୍ୱମାନବର ସକଳ ଚେତନା ଭିତରେ, ନାନା ଛନ୍ଦରେ, ବିଚିତ୍ର ଭଙ୍ଗୀରେ ପ୍ରାଣଶକ୍ତି ସଞ୍ଚୟ କରି, ଅଭିନବ ଚେତନା ଉଦ୍ବୁଦ୍ଧ କରି । ସ୍ୱାମୀ ବିବେକାନନ୍ଦ ପୃଥିବୀର ସର୍ବତ୍ର ବୁଲି ତାଙ୍କ ଗୁରୁଦେବଙ୍କର ଭାବ ପ୍ରଚାର କରିବାକୁ ଲାଗିଲେ । ଶ୍ରୀରାମକୃଷ୍ଣଙ୍କର ସନ୍ନ୍ୟାସୀ ଓ ଭକ୍ତମଣ୍ଡଳୀ ଭାରତ ଓ ଭାରତ ବାହାରେ ନାନା ସ୍ଥାନରେ ମଠ ଓ ମିଶନର ବହୁ କେନ୍ଦ୍ର ସ୍ଥାପନ କରି ଶ୍ରୀରାମକୃଷ୍ଣଙ୍କ ଜୀବନ-ବେଦ ଓ ଭାବଧାରା ପ୍ରଚାର କରି ଚାଲିଛନ୍ତି । ॥ ଓଁ ନମୋ ଭଗବତେ ଶ୍ରୀରାମକୃଷ୍ଣାୟ ନମଃ ॥

***

ଶ୍ରୀରାମକୃଷ୍ଣଙ୍କ ଉପଦେଶ

୧. ଈଶ୍ୱରଙ୍କ ନାମଗୁଣ ଗାନ ସର୍ବଦା କରିବାକୁ ହୁଏ ଏବଂ ସତ୍ସଙ୍ଗ ମଧ୍ୟ କରିବାକୁ ହୁଏ ।

୨. ବେଳେବେଳେ ନିର୍ଜନକୁ ଯାଇ ତାଙ୍କର ଧ୍ୟାନ ଓ ଚିନ୍ତା କରିବା ଦରକାର । ପ୍ରଥମ ଅବସ୍ଥାରେ ବେଳେବେଳେ ନିର୍ଜନ ନ ହେଲେ ଈଶ୍ୱରଙ୍କ ଉପରେ ମନୋନିବେଶ କରିବା କଠିନ ହୋଇଥାଏ ।

୩. ଧ୍ୟାନ କରିବ ମନରେ, କୋଣରେ ଓ ବନରେ ।

୪. ସର୍ବଦା ସତ୍ ଅସତ୍ ବିଚାର କରିବ । ଈଶ୍ୱର ହିଁ ସତ୍, ଅର୍ଥାତ୍ ନିତ୍ୟ ବସ୍ତୁ; ଆଉସବୁ ଅସତ୍, ଅନିତ୍ୟ ।

୫. ବିଚାର କରୁ କରୁ ମନ ଭିତରୁ ଅନିତ୍ୟ ବସ୍ତୁ ତ୍ୟାଗ କରିବ ।

୬. ସବୁ କାମ କରିବ, କିନ୍ତୁ ମନ ଈଶ୍ୱରଙ୍କ ନିକଟରେ ରଖିବ ।

୭. ଈଶ୍ୱରଙ୍କ ପାଦପଦ୍ମରେ ଭକ୍ତିଲାଭ ନ କରି ଯଦି ସଂସାର କରିବାକୁ ଯାଅ, ତା’ ହେଲେ ଆହୁରି ବନ୍ଧନରେ ପଡ଼ିବ ।

୮. ତେଲ ଲଗାଇ ପଣସ ଭାଙ୍ଗିବାକୁ ହୁଏ, ତା’ନ ହେଲେ ହାତରେ ଅଠା ଲାଗିବ । ଈଶ୍ୱର-ଭକ୍ତିର ତେଲ ଲଗାଇ ସଂସାର କାର୍ଯ୍ୟରେ ହାତ ଦେବାକୁ ହୁଏ ।

୯. ସଂସାର ହେଉଛି ପାଣି, ଆଉ ମନ ହେଉଛି ଦୁଧ । ତା’କୁ ଯଦି ପାଣିରେ ଢାଳିଦେବ, ତା’ ହେଲେ ଦୁଧ ଓ ପାଣି ମିଶିଯିବ । ଦୁଧକୁ ବସାଇ ସେଥିରୁ ଲହୁଣୀ ବାହାର କରି ସଂସାର-ପାଣିରେ ରଖିଲେ ତାହା ମିଶିବ ନାହିଁ, ଭାସି ଉଠିବ ।

୧୦. ବିଚାର କରିବା ଖୁବ୍ ଦରକାର । କାମ-କାଞ୍ଚନ ଅନିତ୍ୟ, ଈଶ୍ୱର ଏକମାତ୍ର ନିତ୍ୟ ବସ୍ତୁ-ଏହାର ନାମ ବିଚାର ।

୧୧. ଈଶ୍ୱର-ଦର୍ଶନ ନିଶ୍ଚିତ ସମ୍ଭବ । ବେଳେବେଳେ ନିର୍ଜନ-ବାସ, ତାଙ୍କର ନାମଗୁଣ ଗାନ, ବସ୍ତୁ-ବିଚାର-ଏହିସବୁ ଉପାୟ ଅବଲମ୍ବନ କରିବାକୁ ହୁଏ ।

୧୨. ଖୁବ୍ ବ୍ୟାକୁଳ ହୋଇ କାନ୍ଦିଲେ ତାଙ୍କୁ ଦେଖିପାରିବ ।

୧୩. ବିଷୟୀର ବିଷୟ ଉପରେ, ମା’ର ସନ୍ତାନ ଉପରେ, ଆଉ ସତୀର ପତି ଉପରେ ଆକର୍ଷଣ-ଏହି ତିନି ଆକର୍ଷଣ ଏକ ହେଲେ ଯାଇ ଭଗବାନ ଦେଖା ଦିଅନ୍ତି ।

୧୪. ଅସଲ କଥା, ଈଶ୍ୱରଙ୍କ ପ୍ରତି ପ୍ରୀତିର ଟାଣ ରଖିବାକୁ ହେବ ।

୧୫. ବିଶ୍ୱାସ ଆସିଲେ ହେଲା । ବିଶ୍ୱାସଠାରୁ ଅଧିକ କିଛି ନାହିଁ ।

୧୬. ଜ୍ଞାନୀଗଣ ଯାହାକୁ ବ୍ରହ୍ମ କହନ୍ତି, ଯୋଗୀଗଣ ତାହାଙ୍କୁ ହିଁ ଆତ୍ମା କହନ୍ତି, ଆଉ ଭକ୍ତଗଣ ତାହାଙ୍କୁ ହିଁ ଭଗବାନ କହନ୍ତି ।

୧୭. କାଳୀ କ’ଣ କଳା ! ଦୂରରେ, ତେଣୁ କଳା; ବୁଝିପାରିଲେ କଳା ନୁହନ୍ତି ।

୧୮. ମନ ହେଉଛି ସବୁ । ମନରେ ବଦ୍ଧ, ମନରେ ହିଁ ମୁକ୍ତ । ମନକୁ ଯେଉଁ ରଙ୍ଗରେ ରଙ୍ଗେଇବ, ତାହା ସେହି ରଙ୍ଗ ଧରିବ ।

୧୯. ଭଗବାନ ନାମ ଜପିଲେ ମଣିଷର ଦେହ ମନ ସବୁ ଶୁଦ୍ଧ ହୋଇଯାଏ ।

୨୦. ସଂସାରରେ ରହି ଈଶ୍ୱର ଲାଭ ହେବ ନାହିଁ କାହିଁକି ? ଜନକଙ୍କର ତ ହୋଇଥିଲା ।

୨୧. ବିବେକ-ବୈରାଗ୍ୟ ଲାଭ କରି ସଂସାର କରିବାକୁ ହୁଏ । ଈଶ୍ୱରଙ୍କ ପ୍ରତି ଅନୁରାଗ ହେଲେ ହେଲା ।

୨୨. ସଚ୍ଚିଦାନନ୍ଦ ଅସଲ ଗୁରୁ; ସେ ଶିକ୍ଷା ଦେବେ ।

୨୩. କର୍ମ ତ୍ୟାଗ କରିବ କାହିଁକି ? ଈଶ୍ୱରଙ୍କ ଚିନ୍ତା, ତାଙ୍କ ନାମଗୁଣ ଗାନ, ନିତ୍ୟକର୍ମ-ଏହିସବୁ କଲେ ହେଲା ।

୨୪. କର୍ମଯୋଗ ଅତ୍ୟନ୍ତ କଠିନ । ଭକ୍ତିଯୋଗ ହିଁ ଯୁଗଧର୍ମ ।

୨୫. ଚୈତନ୍ୟଦେବ କହିଥିଲେ-ଈଶ୍ୱରଙ୍କ ନାମର ମାହାତ୍ମ୍ୟ ବହୁତ; ଶୀଘ୍ର ଫଳ ନ ମିଳିପାରେ, କିନ୍ତୁ କେବେ ନା କେବେ ତା’ର ଫଳ ନିଶ୍ଚୟ ମିଳିବ ।

୨୬. ପୂର୍ଣ୍ଣଜ୍ଞାନର ଲକ୍ଷଣ-ପୂର୍ଣ୍ଣଜ୍ଞାନରେ ମଣିଷ ଚୁପ୍ ହୋଇଯାଏ ।

୨୭. କବୀର କହୁଥିଲେ ନିରାକାର ମୋର ବାପ, ସାକାର ମୋର ମା’ । ଯେ ସାକାର, ସେ ହିଁ ନିରାକାର ।

୨୮. ତୁମମାନଙ୍କ ପାଇଁ ଭକ୍ତିପଥ ଉତ୍ତମ ଓ ସହଜ ।

୨୯. ପୂର୍ବଜନ୍ମର ସଂସ୍କାର ମାନିବାକୁ ହୁଏ ।

୩୦. ଯାହାର ବୈରାଗ୍ୟ ତୀବ୍ର, ସେ ଭଗବାନ ବ୍ୟତୀତ ଆଉ କିଛି ଚାହେଁ ନାହିଁ ।

୩୧. ଯେ ଈଶ୍ୱର ଲାଭ କରିଛନ୍ତି, ସେ ଠିକ୍ ଦେଖନ୍ତି ନାରୀଗଣ ମା’ ବ୍ରହ୍ମମୟୀଙ୍କ ଅଂଶ, ତେଣୁ ମା’ ଭାବି ସେମାନଙ୍କୁ ପୂଜା କରନ୍ତି ।

୩୨. ‘ମୁଁ’ ମଲେ ଜଞ୍ଜାଳ ଯିବ । ‘ମୁଁ ଅକର୍ତ୍ତା’ ଏହି ବୋଧ ଆସିଲେ ସେ ଜୀବନ୍ମୁକ୍ତ ହୋଇଯିବ ।

୩୩. ‘ପ୍ରଭୁ, ବିନା ଅନୁରାଗ, କରି ଯଜ୍ଞଯାଗ, ତୁମକୁ କି ଜାଣି ହେବ ? ଏହି ଅନୁରାଗ, ଏହି ପ୍ରେମ, ଏହି ପରାଭକ୍ତି, ଏହି ପ୍ରୀତି ଯଦି ହୁଏ, ତା’ ହେଲେ ସାକାର ନିରାକାର ଉଭୟର ସାକ୍ଷାତକାର ହୁଏ ।

୩୪. ଅଭିମାନଶୂନ୍ୟ ହେବା ବଡ଼ କଠିନ । ପିଆଜ ରସୁଣକୁ କୌଣସି ପାତ୍ରରେ ରଖିବା ପରେ ପାତ୍ରଟିକୁ ଶହେଥର ଧୋଇଲେ ମଧ୍ୟ ତା’ର ଗନ୍ଧ ଯେପରି କୌଣସିମତେ ଯାଏ ନାହିଁ, ସେହିପରି ଅଭିମାନର ଲେଶ କିଛି ନା କିଛି ରହିଯାଏ ।

୩୫. ସହସ୍ର ଚେଷ୍ଟା କର, କିନ୍ତୁ ତାଙ୍କର କୃପା ନ ହେଲେ କିଛି ହେବ ନାହିଁ । କୃପା ନ ହେଲେ ତାଙ୍କର ଦର୍ଶନ ମିଳିବ ନାହିଁ । କୃପା ହେଲେ ଦର୍ଶନ ମିଳିବ । ସେ ଜ୍ଞାନସୂର୍ଯ୍ୟ । ଚିତ୍ତଶୁଦ୍ଧି ପ୍ରୟୋଜନ । ଈଶ୍ୱରଙ୍କୁ ପ୍ରାର୍ଥନା କର । ପ୍ରାର୍ଥନାରେ ଶକ୍ତି ବହୁତ ।

୩୬. ମିଥ୍ୟା ଆଦୌ ଭଲ ନୁହେଁ । ଯେଉଁମାନେ ସତ୍, ଅଭିନୟରେ ମଧ୍ୟ ତାଙ୍କ ପକ୍ଷରେ ମିଥ୍ୟା କଥା ବା କାର୍ଯ୍ୟ ଭଲ ନୁହେଁ ।

୩୭. ଈଶ୍ୱରଚନ୍ଦ୍ର ବିଦ୍ୟାସାଗର ଯେଉଁ କାମ କରୁଛି, ସେସବୁ ଭଲ । ଦୟା ଅତି ଭଲ, ସର୍ବଭୂତରେ ସମାନ ପ୍ରୀତି ହିଁ ଦୟା ।

୩୮. ଯାହାର ମନ, ପ୍ରାଣ, ଅନ୍ତରାତ୍ମା ଈଶ୍ୱରଙ୍କ ନିକଟରେ ଅର୍ପିତ, ସେ ପ୍ରକୃତ ସାଧୁ ।

୩୯. ସାଧୁସଙ୍ଗ, ତାଙ୍କର ନାମ, ଗୁଣଗାନ, ତାଙ୍କୁ ସର୍ବଦା ପ୍ରାର୍ଥନା କରିବା ଈଶ୍ୱର ଲାଭରେ ସାହାଯ୍ୟ କରେ ।

୪୦. ଯଦି ପାଗଳ ହେବ ତ ସାଂସାରିକ ବସ୍ତୁ ପାଇଁ ପାଗଳ ହେବ କାହିଁକି ? ଯଦି ପାଗଳ ହେବ ତ ଭଗବାନଙ୍କ ପାଇଁ ପାଗଳ ହୁଅ ।

୪୧. ଅନାସକ୍ତ ଭାବରେ କର୍ମ କରିଯିବାର ନାମ କର୍ମଯୋଗ । ବଡ଼ କଠିନ । ଏବେ ତ କଳିଯୁଗ,-ସହଜରେ ଆସକ୍ତି ଆସିଯାଏ ।

୪୨. କଳିରେ ଭକ୍ତିଯୋଗ, ନାରଦୀୟ ଭକ୍ତି । ଭଗବାନଙ୍କ ନାମ, ଗୁଣଗାନ ଓ ବ୍ୟାକୁଳ ହୋଇ ପ୍ରାର୍ଥନା କର, ‘ହେ ପ୍ରଭୁ ମୋତେ ଜ୍ଞାନ ଦିଅ, ଭକ୍ତି ଦିଅ, ମୋତେ ଦେଖା ଦିଅ ।‘

୪୩. ଜୀବନର ଉଦ୍ଦେଶ୍ୟ ଭଗବତ୍ ପ୍ରାପ୍ତି । କର୍ମ ତ ଆଦିକାଣ୍ଡ; ତାହା ଜୀବନର ଉଦ୍ଦେଶ୍ୟ ନୁହେଁ । ତେବେ ନିଷ୍କାମ କର୍ମ ଗୋଟିଏ ଉପାୟ କିନ୍ତୁ ଉଦ୍ଦେଶ୍ୟ ନୁହେଁ ।

୪୪. ଜ୍ଞାନଯୋଗରେ ଜ୍ଞାନୀ ବ୍ରହ୍ମକୁ ଜାଣିବାକୁ ଚାହେଁ-ବ୍ରହ୍ମ ସତ୍ୟ ଜଗତ୍ ମିଥ୍ୟା-ଏହି ବିଚାର କରେ । ବିଚାରର ଶେଷ ଯେଉଁଠି, ସେଠାରେ ସମାଧି ହୁଏ ଓ ବ୍ରହ୍ମଜ୍ଞାନ ଲାଭ ହୁଏ ।

୪୫. କର୍ମଯୋଗ-କର୍ମ କଲାବେଳେ ଭଗବାନଙ୍କ ନିକଟରେ ମନକୁ ଅର୍ପିତ କରିବା । ଭଗବାନଙ୍କ ନିକଟରେ ଫଳ ଅର୍ପଣ କରି ପୂଜା-ଜପ କରିଯିବାର ନାମ ମଧ୍ୟ କର୍ମଯୋଗ । ଭଗବତ୍-ଲାଭ କର୍ମଯୋଗର ଉଦ୍ଦେଶ୍ୟ ।

୪୬. ଭକ୍ତିଯୋଗ-ଭଗବାନଙ୍କ ନାମଗୁଣ କୀର୍ତ୍ତନ ପ୍ରଭୃତି କରି ତାଙ୍କ ନିକଟରେ ମନକୁ ନିବିଷ୍ଟ କରିବା ।

୪୭. ଭଗବତ୍-ଲାଭ ପାଇଁ ସଂସାରରେ ରହି ଗୋଟିଏ ହାତରେ ଭଗବତ୍ ପାଦପଦ୍ମ ଧରି ରଖିଥିବ, ଅନ୍ୟ ହାତରେ କର୍ମ ।

୪୮. ଅଧର୍ମ ଅର୍ଥାତ୍ ଅସତ୍ କର୍ମ । ଧର୍ମ ଅର୍ଥାତ୍ ବୈଧୀ କର୍ମ- ଏତେ ଦାନ କରିବାକୁ ହେବ, ଇତ୍ୟାଦି ।

୪୯. ଅବତାରଙ୍କ ଭିତରେ ତାଙ୍କର ବିଶେଷ ଶକ୍ତିର ପ୍ରକାଶ; ସେହି ଶକ୍ତି ବେଳେବେଳେ ପୂର୍ଣ୍ଣଭାବରେ ଥାଏ । ଶକ୍ତି ହିଁ ଅବତାର । ଅବତାରଙ୍କୁ ଦେଖିବା ଅର୍ଥ ତାଙ୍କୁ ଦେଖିବା ।

୫୦. କେବଳ ପାଣ୍ଡିତ୍ୟରେ କ’ଣ ହେବ ? ବହି, ଶାସ୍ତ୍ର-ଏସବୁ କେବଳ ଭଗବାନଙ୍କ ନିକଟରେ ପହଞ୍ଚିବାର ବାଟ ବତାଇଦିଏ । ଶାସ୍ତ୍ରର ମର୍ମ ଗୁରୁଙ୍କ ମୁହଁରୁ ଶୁଣି ସାଧନ କରିବାକୁ ହୁଏ ।

୫୧. ସେ ଶୁଦ୍ଧ ବୁଦ୍ଧିର ଗୋଚର । ଶୁଦ୍ଧ ବୁଦ୍ଧି, ଶୁଦ୍ଧ ଆତ୍ମା ଏକ । ଋଷିଗଣ ଶୁଦ୍ଧ ବୁଦ୍ଧି, ଶୁଦ୍ଧ ମନ ଦ୍ୱାରା ଶୁଦ୍ଧ ଆତ୍ମାର ସାକ୍ଷାତକାର କରିଥିଲେ ।

୫୨. ବ୍ରହ୍ମ ଓ ଶକ୍ତି ଅଭେଦ । ତାଙ୍କୁ ହିଁ ମୁଁ ଶକ୍ତି କହେ, କାଳୀ କହେ ।…ବ୍ରହ୍ମ ଓ କାଳୀ ଅଭେଦ, ଯେପରି ଅଗ୍ନି ଓ ଦାହିକା ଶକ୍ତି । ଅଗ୍ନି କଥା ଭାବିଲେ ହିଁ ଦାହିକା-ଶକ୍ତିର କଥା ଭାବିବାକୁ ହୁଏ ।

୫୩. ଜନକ ନିର୍ଲିପ୍ତ ବୋଲି ତାଙ୍କର ଅନ୍ୟ ନାମ ବିଦେହ, ଅର୍ଥାତ୍ ତାଙ୍କର ଦେହବୁଦ୍ଧି ନାହିଁ । ସେ ସଂସାରରେ ରହି ମଧ୍ୟ ଜୀବନ୍ମୁକ୍ତ ହୋଇଥିଲେ ।

୫୪. ଜପ ଦ୍ୱାରା ଭଗବତ୍-ପ୍ରାପ୍ତି ହୁଏ । ନିର୍ଜନରେ, ଗୋପନରେ ତାଙ୍କର ନାମ ଜପୁ ଜପୁ ତାଙ୍କ କୃପା ମିଳେ । ତା’ପରେ ଦର୍ଶନ ।

୫୫. ସବୁ କାମ ଛାଡ଼ି ସନ୍ଧ୍ୟାବେଳେ ତୁମେ ତାଙ୍କୁ ଡ଼ାକ ।

୫୬. ଭକ୍ତି ଦ୍ୱାରା ସବୁ ମିଳେ । ଯେଉଁମାନେ ବ୍ରହ୍ମଜ୍ଞାନ ଚାହାନ୍ତି, ସେମାନେ ଯଦି ଭକ୍ତିପଥ ଧରି ଥାଆନ୍ତି, ତା’ହେଲେ ବ୍ରହ୍ମଜ୍ଞାନ ମଧ୍ୟ ପାଆନ୍ତି ।

୫୭. ଅସଲ କଥା ହେଲା ବିଶ୍ୱାସ । (ଗୁରୁବାକ୍ୟରେ) ବିଶ୍ୱାସ ହେବା ଦରକାର, ବାଳକର ବିଶ୍ୱାସ ଭଳି ।

୫୮. ନାମ କଅଣ କମ୍ ? ସେ ଏବଂ ତାଙ୍କ ନାମରେ ଫରକ୍ ନାହିଁ । ନାମ ଓ ନାମୀ ଅଭେଦ ।

୫୯. ଯେ ପାପ ହରଣ କରନ୍ତି ସେ ହରି । ହରି ତ୍ରିତାପ ହରଣ କରନ୍ତି । ଚୈତନ୍ୟଦେବ ହରିନାମ ପ୍ରଚାର କରିଥିଲେ । ହରିନାମର ଅପାର ମାହାତ୍ମ୍ୟ ।

୬୦. କାହାରି ନିନ୍ଦା କର ନାହିଁ-ପୋକ ମାଛିର ମଧ୍ୟ ନୁହେଁ । ଯେପରି ଭକ୍ତି ପ୍ରାର୍ଥନା କରିବ, ସେହିପରି ଏହା ମଧ୍ୟ କହିବ-‘ମୁଁ ଯେପରି କାହାରି ନିନ୍ଦା ନ କରେ ।‘

୬୧. ଅନ୍ନ ଦାନ ଠାରୁ ଜ୍ଞାନ ଦାନ, ଭକ୍ତି ଦାନ ଆହୁରି ବଡ଼ । ଚୈତନ୍ୟଦେବ ସେଥିପାଇଁ ଆଚଣ୍ଡାଳ ଭକ୍ତି ବିତରଣ କରିଥିଲେ ।

୬୨. ନାରୀଙ୍କର ଲଜ୍ଜା ହିଁ ଭୂଷଣ ।

୬୩. ସତ୍ୟ ହିଁ କଳିର ତପସ୍ୟା । ଯେଉଁମାନେ ବିଷୟକର୍ମ କରନ୍ତି-ଅଫିସ କାମ ହେଉ ବା ବ୍ୟବସାୟ ହେଉ-ସେମାନେ ମଧ୍ୟ ସତ୍ୟରେ ରହିବା ଉଚିତ୍ ।

୬୪. ଯେପରି ପାଦରେ ଜୋତା ଥିଲେ ଲୋକ ସ୍ୱଚ୍ଛନ୍ଦରେ କଣ୍ଟା ଉପରେ ମଧ୍ୟ ଚାଲିଯାଏ, ସେହିପରି ତତ୍ତ୍ୱଜ୍ଞାନ ଲାଭ କଲେ ମଣିଷ ଏହି କଣ୍ଟକମୟ ସଂସାରରେ ଅନାୟାସରେ ବିଚରଣ କରିପାରେ ।

୬୫. ସାକାର ଓ ନିରାକାର କିପରି ଜାଣ ? ଯେପରି ପାଣି ଓ ବରଫ । ଯେତେବେଳେ ପାଣି ଜମାଟ ବାନ୍ଧି ରହେ, ସେତେବେଳେ ସାକାର, ଆଉ ଯେତେବେଳେ ତରଳି ପାଣି ହୁଏ, ସେତେବେଳେ ନିରାକାର ।

୬୬. ପାଣି ଗୋଳିଆ ଥିଲେ ଚନ୍ଦ୍ର-ସୂର୍ଯ୍ୟର ପ୍ରତିବିମ୍ବ ସେଥିରେ ଠିକ୍ ଦେଖାଯାଏ ନାହିଁ । ସେହିଭଳି ‘ମାୟା’ ଅର୍ଥାତ୍ ‘ମୁଁ’ ଓ ‘ମୋର’ ଏହି ବୋଧ ଯେତେବେଳ ଯାଏ ନ ଯିବ, ସେତେବେଳ ଯାଏ ଆତ୍ମାର ସାକ୍ଷାତ୍କାର ହେବ ନାହିଁ ।

୬୭. ରେଳଗାଡ଼ିର ଇଞ୍ଜିନ ଆପେ ଚାଲିଯାଏ ଏବଂ କେତେଗୁଡ଼ିଏ ମାଲଗାଡ଼ିକୁ ମଧ୍ୟ ଟାଣି ନେଇଯାଏ । ଅବତାରଗଣ ସେହିପରି ସହସ୍ର ସହସ୍ର ଲୋକଙ୍କୁ ଭଗବାନଙ୍କ ନିକଟକୁ ନେଇଯାଆନ୍ତି ।

୬୮. ଯେ ମୂଳା ଖାଇଥାଏ, ତା’ର ହାକୁଟିରେ ମୂଳାର ଗନ୍ଧ ମିଳେ । ସେହିପରି ଯେ ଧାର୍ମିକ ତା’ ସହିତ ଆଳାପ କଲେ ସେ କେବଳ ଧର୍ମପ୍ରସଙ୍ଗ କରେ ଏବଂ ଯେ ବିଷୟୀ, ସେ କେବଳ ବିଷୟ ଚର୍ଚ୍ଚା କରେ ।

୬୯. ସୂର୍ଯ୍ୟର କିରଣ ସବୁ ଜାଗାରେ ସମାନ ଭାବରେ ପଡ଼ିଲେ ମଧ୍ୟ ପାଣି, ଦର୍ପଣ ବା କୌଣସି ସ୍ୱଚ୍ଛ ପଦାର୍ଥରେ ବେଶୀ ପ୍ରକାଶିତ ହୁଏ । ସେହିପରି ଭଗବାନ ସକଳ ହୃଦୟରେ ସମାନ ଥିଲେ ମଧ୍ୟ ସାଧୁମାନଙ୍କ ହୃଦୟରେ ତାଙ୍କର ବେଶି ପ୍ରକାଶ ଦେଖାଯାଏ ।

୭୦. ବାଘ ଭିତରେ ମଧ୍ୟ ଭଗବାନ ଅଛନ୍ତି, କିନ୍ତୁ ବାଘ ମୁହଁକୁ ଯିବା ଉଚିତ୍ ନୁହେଁ । ସେହିଭଳି ଦୁଷ୍ଟ ଲୋକଙ୍କ ଭିତରେ ମଧ୍ୟ ଭଗବାନ ଅଛନ୍ତି, କିନ୍ତୁ ତାଙ୍କର ସଙ୍ଗ କରିବା ଉଚିତ୍ ନୁହେଁ ।

୭୧. ସତ୍ଲୋକର ରାଗ କିଭଳି ଜାଣ ? ଯେପରି ପାଣିର ଗାର । ପାଣି ଉପରେ ଗାର କାଟିଲେ ଯେପରି ସଙ୍ଗେ ସଙ୍ଗେ ମିଳେଇଯାଏ, ସେହିପରି ସତ୍ ଲୋକର ରାଗ କ୍ଷଣକ ପରେ ଶାନ୍ତ ହୋଇଯାଏ ।

୭୨. ମଣିଷ ଓ ମାନହୁଁସ୍ । ଯେଉଁମାନେ ଭଗବାନଙ୍କ ପାଇଁ ବ୍ୟାକୁଳ ସେମାନେ ମାନହୁଁସ୍ । ଆଉ ଯେଉଁମାନେ କାମ-କାଞ୍ଚନରୂପକ ବିଷୟରେ ମତ୍ତ, ସେମାନେ ସବୁ ସାଧାରଣ ମଣିଷ ।

୭୩. ‘ତାକ୍ ତେରେ କେଟେ ତାକ୍‘ ତାଳ ମୁହଁରେ କହିବା ସହଜ, କିନ୍ତୁ ହାତରେ ବଜାଇବା କଠିନ । ସେହିଭଳି ଧର୍ମକଥା ମୁହଁରେ କହିବା ସହଜ, କିନ୍ତୁ କାମରେ କରିବା କଠିନ ।

୭୪. ଲୁଚକାଳି ଖେଳରେ ଯେପରି ବୁଢ଼ୀକୁ ଛୁଇଁଲେ ଚୋର ହୁଅନ୍ତି ନାହିଁ, ସେହିପରି ଭଗବାନଙ୍କ ପାଦପଦ୍ମ ଛୁଇଁଲେ ଆଉ ସଂସାରରେ ଆବଦ୍ଧ ହେବାକୁ ପଡ଼େ ନାହିଁ ।

୭୫. ସଂସାରରେ ଥାଇ ମଧ୍ୟ ଯିଏ ସାଧନା କରିପାରନ୍ତି, ସେ ବୀର ସାଧକ । ବୀର ପୁରୁଷ ଯେପରି ମୁଣ୍ଡରେ ବୋଝ ବୋହି ମଧ୍ୟ ଚାରିଆଡ଼କୁ ଅନାଇଁ ପାରନ୍ତି, ବୀର ସାଧକ ମଧ୍ୟ ସେହି ଭଳି ସଂସାରର ବୋଝ କାନ୍ଧରେ ବୋହି ଭଗବାନଙ୍କ ନିକଟରେ ମନ ନିବିଷ୍ଟ କରିପାରନ୍ତି ।

୭୬. ପାଣିରେ ନୌକା ରହିଲେ କ୍ଷତି ନାହିଁ । କିନ୍ତୁ ନୌକା ଭିତରେ ପାଣି ଯେପରି ନ ପଶେ, ତା’ ହେଲେ ନୌକା ବୁଡ଼ିଯିବ । ସାଧକ ସଂସାରରେ ରହୁ, କ୍ଷତି ନାହିଁ, କିନ୍ତୁ ସାଧକର ମନ ଭିତରେ ଯେପରି ସଂସାର ନ ରହେ ।

୭୭. ମନ ମୁହଁ ଏକ କରିବା ହେଉଛି ପ୍ରକୃତ ସାଧନା । ନ ହେଲେ ମୁହଁ କହୁଛି-‘ହେ ଭଗବାନ, ତୁମେ ମୋର ସର୍ବସ୍ୱ ଧନ’-ଆଉ ମନ ଭିତରେ ବିଷୟକୁ ସର୍ବସ୍ୱ ଜ୍ଞାନ କରି ବସି ରହିଛି । ଏଭଳି ଲୋକଙ୍କ ସକଳ ସାଧନା ବିଫଳ ହୁଏ ।

୭୮. ବାସନାର ଲେଶ ମାତ୍ର ଥିଲେ ଭଗବାନଙ୍କୁ ଲାଭ କରି ହୁଏ ନାହିଁ, ଯେପରି ସୂତା ଭିତରେ କେଉଁଠି ଟିକେ ଆଁଶୁଥିଲେ ଛୁଞ୍ଛିରେ ଗଳେ ନାହିଁ । ମନ ଯେତେବେଳେ ବାସନା ଶୂନ୍ୟ ହୋଇ ଶୁଦ୍ଧ ହୁଏ, ସେତେବେଳେ ଯାଇ ସଚ୍ଚିଦାନନ୍ଦ ପ୍ରାପ୍ତି ହୁଏ ।

୭୯. ଯେପରି ପବନ ବାଜି ପାଣି ହଲିଲେ ପ୍ରତିବିମ୍ବ ଠିକ୍ ଦେଖାଯାଏ ନାହିଁ, ସେହିପରି ମନ ସ୍ଥିର ନ ହେଲେ ସେଥିରେ ଭଗବାନଙ୍କର ପ୍ରକାଶ ହୁଏ ନାହିଁ ।

୮୦. ସହ୍ୟ ଗୁଣଠାରୁ ଆଉ ଗୁଣ ନାହିଁ । ଯେ ସହେ, ସେ କେବଳ ରହେ । ଯେ ନ ସହେ, ସେ ନାଶ ହୁଏ । ସକଳ ବର୍ଣ୍ଣ ଭିତରେ ‘ସ’ ତିନୋଟି-ଶ, ଷ, ସ ।

୮୧. ଲକ୍ଷ ଲକ୍ଷ ଟଙ୍କାର ହୀରା, ମୋତି ବଜାରରେ ମିଳିବ, କିନ୍ତୁ କୃଷ୍ଣଙ୍କୁ ଅର୍ପିତ ମନ କେତୋଟି ମିଳିବ ?

୮୨. ସନ୍ଧ୍ୟା ଆହ୍ନିକ ସେତିକି ଦିନ ଯାଏ ଦରକାର, ଯେତେ ଦିନ ଯାଏ ତାଙ୍କ ପାଦପଦ୍ମରେ ଭକ୍ତି ପ୍ରେମ ନ ହୋଇଛି ଓ ତାଙ୍କ ନାମ ଜପୁ ଜପୁ ଆଖିରୁ ଅଶ୍ରୁ ନ ଝରିଛି, ଆଉ ଶରୀର ରୋମାଞ୍ଚିତ ନ ହୋଇଛି ।

୮୩. ଅହଲ୍ୟା କହିଥିଲେ-‘ହେ ରାମ ! ଯଦି ଶୂକର ଯୋନିରେ ମୋର ଜନ୍ମ ହୁଏ, ତା’ ବି ମୁଁ ସ୍ୱୀକାର କରିବି, କିନ୍ତୁ ଯେପରି ତୁମର ଶ୍ରୀପାଦପଦ୍ମରେ ମୋର ଅଚଳା ଶ୍ରଦ୍ଧାଭକ୍ତି ରହେ । ଆଉ ଅଧିକ କିଛି ମୁଁ ଚାହେଁ ନାହିଁ ।‘

୮୪. ଯେପରି ଆମ୍ବ ପାଚିଲେ ଡେମ୍ଫରୁ ଆପଣା ଛାଏଁ ଖସି ପଡ଼େ, ସେହିପରି ଜ୍ଞାନ ଲାଭ ହେଲେ ଆତ୍ମାଭିମାନ ଆପଣା ଛାଏଁ ଚାଲିଯାଏ । ଜୋର କରି ଜାତି ତ୍ୟାଗ କରିବା ଉଚିତ ନୁହେଁ ।

୮୫. ଛାତ ଉପରକୁ ଉଠିବାକୁ ହେଲେ ନିଶୁଣି, ବାଉଁଶ, ପାହାଚ ପ୍ରଭୃତି ନାନା ମାଧ୍ୟମରେ ଉଠିବାକୁ ପଡ଼େ; ସେହିପରି ପରମେଶ୍ୱରଙ୍କ ନିକଟକୁ ଯିବାର ବହୁ ଉପାୟ ରହିଛି । ପ୍ରତ୍ୟେକ ଧର୍ମ ହେଉଛି ତାହାର ଗୋଟିଏ ଉପାୟ ।

୮୬. ଯେପରି କାଳୀ ମନ୍ଦିରକୁ ଆସିବାକୁ ହେଲେ କିଏ ନୌକାରେ, କିଏ ଗାଡ଼ିରେ, କିଏ ବା ପାଦରେ ଚାଲି ଆସନ୍ତି, ସେହିପରି ଭିନ୍ନ ଭିନ୍ନ ମତ ଆଶ୍ରୟ କରି ମଣିଷ ସଚ୍ଚିଦାନନ୍ଦ-ଲାଭ ହୋଇଥାଏ । ଯେତେ ମତ ସେତେ ପଥ ।

୮୭. ଯେଉଁମାନଙ୍କର ସଂକୀର୍ଣ୍ଣ ଭାବ ସେହିମାନେ ହିଁ କେବଳ ଅନ୍ୟମାନଙ୍କ ଧର୍ମକୁ ନିନ୍ଦା କରନ୍ତି ଓ ଆପଣା ଧର୍ମକୁ ଶ୍ରେଷ୍ଠ ବୋଲି କହନ୍ତି ।

୮୮. ଭଗବାନ ଏକ, ସାଧକ ଓ ଭକ୍ତଗଣ ଭିନ୍ନ ଭିନ୍ନ ଭାବରେ ଓ ରୁଚି ଅନୁସାରେ ତାଙ୍କର ଉପାସନା କରନ୍ତି ।

୮୯. ଭଗବାନଙ୍କ ନାମ ଓ ଚିନ୍ତା ଯେଉଁଭାବରେ କରନା କାହିଁକି, ସେଥିରେ କଲ୍ୟାଣ ହେବ । ଯେପରି ମିଶ୍ରିର ରୁଟି ସିଧା କରି ଖାଅ ବା ଆଡ଼ ପଟୁ ଖାଅ, ମିଠା ଲାଗିବ ହିଁ ଲାଗିବ ।

୯୦. ହାତ ତାଳି ମାରି ସକାଳ ଓ ସନ୍ଧ୍ୟାରେ ହରି ନାମ କର, ତା’ହେଲେ ସବୁ ପାପତାପ ଦୂର ହେବ ।

୯୧. ଗୀତାର ସାର ଅର୍ଥ-ହେ ଜୀବ, ସବୁ ତ୍ୟାଗ କରି ଭଗବାନଙ୍କୁ ପାଇବା ପାଇଁ ସାଧନା କର ।

୯୨. ବ୍ରହ୍ମ ଯେ କି ବସ୍ତୁ, ମୁହଁରେ କହିହେବ ନାହିଁ । ସବୁ ଜିନିଷ ଅଇଁଠା ହୋଇଛି (ଅର୍ଥାତ୍ ମୁହଁରେ କୁହାଯାଇଛି)-କିନ୍ତୁ ବ୍ରହ୍ମ କଅଣ, ତା’ କେହି ମୁହଁରେ କହିପାରି ନାହାନ୍ତି । ତେଣୁ ତାହା ଅଇଁଠା ହୋଇ ନାହିଁ ।

୯୩. ମୁଁ ‘ରାମ ରାମ’ କରି ପାଗଳ ହୋଇଥିଲି ।…ରାମଲାଲା -ରାମଲାଲା କହି କହି ପାଗଳ ହୋଇଗଲି ।

୯୪. ଭକ୍ତି ଘେନି ରହିଲେ ଜ୍ଞାନ ଭକ୍ତି ଉଭୟ ହୁଏ । ଦରକାର ହେଲେ ସେ ବ୍ରହ୍ମଜ୍ଞାନ ମଧ୍ୟ ଦିଅନ୍ତି । ଖୁବ୍ ଉଚ୍ଚ ଆଧାର ହେଲେ ଉଭୟ ଦିଅନ୍ତି ।

୯୫. ବ୍ରହ୍ମ ବାକ୍ୟ ଓ ମନର ଅତୀତ । ଲୁଣର ପିତୁଳା ସମୁଦ୍ର ମାପିବାକୁ ଯାଇଥିଲା, କିନ୍ତୁ ଖବର ଦେବା ପାଇଁ ଆଉ ଫେରିଲା ନାହିଁ- ସମୁଦ୍ରରେ ମିଶିଗଲା ।

୯୬. ବ୍ୟାକୁଳତା ଦରକାର । ବ୍ୟାକୁଳ ହେଲେ ସେ ଶୁଣିବେ ନିଶ୍ଚୟ । ସେ ତୁମର ବାପ, ସେ ତୁମର ମା’-ତାଙ୍କ ଉପରେ ଜୋର କରିବା ଚଳେ ।

୯୭. କୁମାରୀ-ପୂଜା କରନ୍ତି କାହିଁକି ? ସବୁ ସ୍ତ୍ରୀ ଲୋକ ଭଗବତୀଙ୍କର ଗୋଟିଏ ଗୋଟିଏ ରୂପ । ଶୁଦ୍ଧାତ୍ମା କୁମାରୀ ଭିତରେ ଭଗବତୀଙ୍କର ବେଶି ପ୍ରକାଶ ।

୯୮. ଭଗବାନ ହିଁ କେବଳ ବସ୍ତୁ, ଆଉ ସବୁ ଅବସ୍ତୁ । ସର୍ବାନ୍ତଃକରଣରେ ତାଙ୍କର ଆରାଧନା କରିବା ଉଚିତ ।

୯୯. ପାନ ଗୁଣ୍ଡି ଛାଡ଼ିଲେ କଅଣ ହେବ ? କାମ-କାଞ୍ଚନ ତ୍ୟାଗ ହିଁ ତ୍ୟାଗ ।

୧୦୦. ଜ୍ୱଳନ୍ତ ବିଶ୍ୱାସ ଦରକାର । କଅଣ ଥରେ କାଳୀନାମ, ଦୁର୍ଗାନାମ ଜପିଛି, ଥରେ ରାମନାମ ଜପିଛି, ମୋର ପୁଣି ପାପ !

୧୦୧. ମୁଁ ମା’ଙ୍କୁ ଏପରି ଡାକୁଥିଲି ‘ମା’ ଆନନ୍ଦମୟୀ ! ଦେଖା ଦେବାକୁ ହେବ ।‘ ପୁଣି କହୁଥିଲି-‘ହେ ଦୀନନାଥ, ଜଗନ୍ନାଥ, ମୁଁ ତ ଜଗତଛଡ଼ା ନୁହେଁ ନାଥ ! ମୁଁ ଜ୍ଞାନହୀନ, ଭକ୍ତିହୀନ, ମୁଁ କିଛି ଜାଣେ ନାହିଁ-ଦୟାକରି ମୋତେ ଦେଖା ଦିଅ !‘

***

ଶ୍ରୀସାରଦାଦେବୀ

(୧)

ଯାହାଙ୍କୁ କେନ୍ଦ୍ର କରି ଆଜି ଜୟରାମବାଟୀ ଅଗଣିତ ନରନାରୀଙ୍କ ପକ୍ଷେ ପୁଣ୍ୟତୀର୍ଥରେ ପରିଣତ ହୋଇଛି, ସେହି ସାରଦାଦେବୀଙ୍କ ଜୀବନ-କାହାଣୀ ଆମେମାନେ ସଂକ୍ଷେପରେ ଆଲୋଚନା କରିବା । ଜୟରାମବାଟୀ ବଙ୍ଗପ୍ରଦେଶ ବାଁକୁଡ଼ା ଜିଲ୍ଲାର ପୂର୍ବପ୍ରାନ୍ତରେ ତରୁଲତା ସମାକୀର୍ଣ୍ଣ ଗୋଟିଏ କ୍ଷୁଦ୍ର ଗ୍ରାମ । ତିନି ଦିଗରେ ଧାନ କ୍ଷେତ । ଅପର ଦିଗରେ ଆମୋଦର ନଦୀ ସର୍ପିଳ ଗତିରେ ପ୍ରବାହିତ ହୋଇ ଗ୍ରାମଟିକୁ ଶସ୍ୟଶ୍ୟାମଳା କରିଥିଲା । ଗ୍ରାମବାସୀ ସମସ୍ତେ ପ୍ରାୟ ଦରିଦ୍ର, ମାତ୍ର ଧର୍ମପରାୟଣ । ମାଟିଘର-ପଲ୍ଲୀନାରୀଗଣ ପ୍ରଭାତରେ ଉଠି ଭକ୍ତିଭରେ ତୁଳସୀଚଉରା ଗୋବର ଦେଇ ଲିପନ୍ତି; ସଂଧ୍ୟାରେ ଗଳବସ୍ତ୍ର ହୋଇ ସଂଧ୍ୟାଦୀପ ଓ ଧୂପ ଜାଳି ଭୂଲୁଣ୍ଠିତ ହୋଇ ଦେବତାଙ୍କୁ ପ୍ରଣାମ କରନ୍ତି । ରାମଚନ୍ଦ୍ର ମୁଖୋପାଧ୍ୟାୟ ନାମକ ଜନୈକ ବ୍ରାହ୍ମଣ ଏହି ଗ୍ରାମରେ ବାସ କରୁଥିଲେ । ତାଙ୍କର ସହଧର୍ମିଣୀ ଶ୍ୟାମାସୁନ୍ଦରୀ ଦେବୀ ନିକଟବର୍ତ୍ତୀ ଶିହଡ଼ ଗ୍ରାମର କନ୍ୟା ।

ଦିନେ ଦ୍ୱିପ୍ରହର ସମୟରେ ନିଘୋଡ଼ ନିଦରେ ଶୋଇଥିବାବେଳେ ରାମଚନ୍ଦ୍ର ଦେଖିଲେ ଗୋଟିଏ ସର୍ବସୁଲକ୍ଷଣୀ ବାଳିକା ତାଙ୍କର କଣ୍ଠଦେଶକୁ ଦୁଇ ହସ୍ତରେ ବେଷ୍ଟନ କରି କହୁଛି-‘ବାପା, ମୁଁ ତୁମ ଘରକୁ ଆସିଲି ।‘ ଆଖି ଖୋଲିଲା ମାତ୍ରେ ସେ ଦେଖିଲେ କେହି କୁଆଡ଼େ ନାହିଁ । ନିଃସନ୍ତାନ ବ୍ରାହ୍ମଣ ବୁଝିପାରିଲେ ଯେ କୌଣସି ଦେବୀ କନ୍ୟା ରୂପରେ ଆସିବେ । ସେହି ସମୟରେ ଶ୍ୟାମାସୁନ୍ଦରୀ ବାପଘର ଗାଁ ଶିହଡ଼କୁ ପାଲା ଶୁଣିବା ପାଇଁ ଯାଇଥାଆନ୍ତି । ଫେରିବା ବାଟରେ ସଂଧ୍ୟା ପରେ ଦେବାଳୟ ନିକଟରେ ଏକ ବିଲ୍ୱବୃକ୍ଷ ତଳେ ବସି ଦେଖିଲେ ନାଲି ଶାଢ଼ୀ ପିନ୍ଧିଥିବା ଗୋଟିଏ ଝିଅ ଗଛରୁ ଓହ୍ଲାଇ ତାଙ୍କର ଗଳାକୁ ଦୁଇ ହାତରେ ଭିଡ଼ି ଧରି କହୁଛି-‘ମା’, ମୁଁ ତୁମ ପାଖକୁ ଆସିଲି ।‘ ଶ୍ୟାମାସୁନ୍ଦରୀ ଅନୁଭବ କଲେ ଯେ ଯେପରି ଗୋଟିଏ ବାୟୁ ତାଙ୍କ ଉଦର ମଧ୍ୟରେ ପ୍ରବେଶ କଲା । ସେ ଅଚେତନ ହୋଇ ପଡ଼ିଗଲେ । ତାଙ୍କ ସାଥିରେ ଥିବା ସ୍ତ୍ରୀଲୋକମାନେ ତାଙ୍କୁ ଧରାଧରି କରି ନେଇଗଲେ ।

ଏହି ବ୍ରାହ୍ମଣ ଦମ୍ପତିଙ୍କ ଜ୍ୟେଷ୍ଠା କନ୍ୟାରୂପେ ଶ୍ରୀସାରଦା ଦେବୀ ୧୨୬୦ ସାଲ ପୌଷମାସ ଦି୮ନ ଗୁରୁବାର କୃଷ୍ଣା ସପ୍ତମୀ, ୧୮୫୩ ଖ୍ରୀ. ୨୨ ଡିସେମ୍ବରରେ ଜନ୍ମଗ୍ରହଣ କରିଥିଲେ ।

ତାଙ୍କ ପିତାମାତାଙ୍କର ମହାପ୍ରାଣତା ସମ୍ବନ୍ଧରେ ସାରଦା ଦେବୀଙ୍କ କଥାରୁ ଜଣାଯାଏ-‘ମୋର ମା’ ଓ ବାପା ଖୁବ୍ ଭଲ ଥିଲେ । ବାପା ନୈଷ୍ଠିକ, ପରୋପକାରୀ ଓ ରାମଭକ୍ତ ଥିଲେ । ମା’ଙ୍କର କେତେ ଦୟା ଥିଲା । ଲୋକମାନଙ୍କୁ କେତେ ଖୁଆଉଥିଲେ, କେତେ ଯତ୍ନ କରୁଥିଲେ; କେଡ଼େ ସରଳ ! ସେଥିପାଇଁ ସିନା ଏହି ଘରେ ଜନ୍ମିଛି ।‘

ପୂର୍ବରୁ ଦେଖିଥିବା ସ୍ୱପ୍ନ କଥା ସ୍ମରଣ କରି ରାମଚନ୍ଦ୍ର ବୁଝିପାରିଲେ, ‘ଲକ୍ଷ୍ମୀବାର ପୁଣ୍ୟ ସନ୍ଧ୍ୟା ସମୟରେ ସ୍ୱୟଂ ଲକ୍ଷ୍ମୀଠାକୁରାଣୀ ଆସି ତାଙ୍କର ପର୍ଣ୍ଣକୁଟୀରରେ ଆବିର୍ଭୂତା ହୋଇଛନ୍ତି ।‘ ତେଣୁ ସେ କନ୍ୟାର ନାମ ଦେଲେ ସାରଦାମଣି-ଡାକନାମ ‘ସାରୁ’ ।

ସାରଦା ଦରିଦ୍ର ବ୍ରାହ୍ମଣ ଦମ୍ପତିଙ୍କ ଅତି ଆଦରର ଜ୍ୟେଷ୍ଠା କନ୍ୟା, ବୟସ ବୃଦ୍ଧି ହେବା ସଙ୍ଗେ ସଙ୍ଗେ ସେ ପିତାମାତାଙ୍କୁ ନାନା କାର୍ଯ୍ୟରେ ସାହାଯ୍ୟ କରିବାକୁ ଲାଗିଲେ । ବିଲରେ କାମ କରୁଥିବା ମୂଲିଆମାନଙ୍କ ପାଇଁ ମୁଢ଼ି ଆଦି ଦେଇ ଆସିବା, ଗାଈ ଗୋରୁଙ୍କ ପାଇଁ ବେକ ପର୍ଯ୍ୟନ୍ତ ପାଣିରେ ପଶି ଦଳଘାସକାଟି ଆଣିବା, କପାଗଛରୁ ତୁଳା ତୋଳି ଆଣି ମା’ଙ୍କ ସାଙ୍ଗରେ ମିଶି ପଇତା ପାଇଁ ସୂତା କାଟିବା ଇତ୍ୟାଦି ନାନା କାର୍ଯ୍ୟରେ ସେ ବ୍ୟାପୃତ ରହୁଥିଲେ । କେବେ ପଙ୍ଗପାଳ ଦଳ ଧାନକ୍ଷେତରେ ପଶି ଧାନ ନଷ୍ଟ କରିଦେଲେ ଚାଷୀ ମୂଲିଆଙ୍କ ସହିତ ସାରଦା ନିଜେ ଯାଇ କ୍ଷେତ କ୍ଷେତ ବୁଲି ଧାନଗୁଡ଼ିକ ଗୋଟାଇବାରେ ଲାଗିଯାଆନ୍ତି ।

ବୟସ ତୁଳନାରେ ସାରଦା ଦେବୀ ଟିକିଏ ଗମ୍ଭୀର ପ୍ରକୃତିର ଥିଲେ । ଗାଁରେ ତାଙ୍କର ସମବୟସୀ କୌଣସି ସାଙ୍ଗ ବା ବନ୍ଧୁ ଅସୁସ୍ଥ ହେଲେ ସେମାନଙ୍କର ସେବାଯତ୍ନ କରିବା ମଧ୍ୟ ତାଙ୍କର ଅତି ପ୍ରିୟ କାର୍ଯ୍ୟ ଥିଲା । ସାରଦା ଦେବୀଙ୍କର ମାତୃଭାବ ଯେପରି ଜନ୍ମଗତ, ଶୈଶବରୁ ହିଁ ଏହାର ପ୍ରକାଶ ଘଟିଥିଲା । ଏହା ଛଡ଼ା ଦେବଦେବୀଙ୍କ ମୂର୍ତ୍ତି ଗଢ଼ି ଫୁଲ, ବେଲପତ୍ର ଦେଇ ପୂଜା କରିବାରେ ସେ ପରମ ଆନନ୍ଦ ଲାଭ କରୁଥିଲେ । ଥରେ ଶ୍ରୀଶ୍ରୀଜଗଦ୍ଧାତ୍ରୀଙ୍କ ପ୍ରତିମା ସମ୍ମୁଖରେ ବସି ସାରଦା ଦେବୀ ଗଭୀର ଧ୍ୟାନସ୍ଥ ହୋଇଯାଇଥିଲେ ।

ସାରଦା କିନ୍ତୁ ପାଠ ପଢ଼ିବା ପାଇଁ ଆଦୌ ସୁଯୋଗ ପାଇ ନାହାନ୍ତି । ଏ’କେ ତ ପଲ୍ଲୀଗ୍ରାମର ଝିଅ, ତା ଛଡ଼ା ସେକାଳର ଲୋକମାନଙ୍କର ଧାରଣା ଥିଲା ଯେ ସ୍ତ୍ରୀଲୋକମାନେ ପାଠ ପଢ଼ିଲେ ନାଟକ ନଭେଲ୍ ପଢ଼ି ସମୟ କଟାଇବେ, ତେଣୁ ଗୃହକାର୍ଯ୍ୟରେ ଆଦୌ ମନ ଦେବେ ନାହିଁ । ଭାଇମାନେ ଚାଟଶାଳୀରେ ପଢ଼ୁଥିଲେ । ଯେତେବେଳେ ଗୃହ କାର୍ଯରୁ ସାମାନ୍ୟ ଅବସର ପାଉଥିଲେ, ସେତେବେଳେ ସାରଦା ଭାଇମାନଙ୍କ ପାଖରେ ବସି ଟିକିଏ ପଢ଼ୁଥିଲେ । ପଢ଼ାପଢ଼ିରେ ତାଙ୍କର ପ୍ରବଳ ଆଗ୍ରହ ଥିଲା, ପ୍ରଖର ମେଧା ମଧ୍ୟ ଥିଲା; ତେଣୁ ତାଙ୍କର ନିଜ ଚେଷ୍ଟାରେ ଶେଷ ପର୍ଯ୍ୟନ୍ତ ସେ ରାମାୟଣ, ମହାଭାରତ ଆଦି ପୁସ୍ତକ ସବୁ ବେଶ୍ ଭଲ ଭାବରେ ପଢ଼ିବାକୁ ଶିଖିଥିଲେ; କିନ୍ତୁ ଲେଖିପାରୁ ନ ଥିଲେ । ଯାତ୍ରା, ପାଲା, କୀର୍ତ୍ତନ ପ୍ରଭୃତି ଶୁଣି ମଧ୍ୟ ବହୁତ ବିଷୟ ଶିକ୍ଷା କରିଥିଲେ । ସେ କୀର୍ତ୍ତନ ଭାରୀ ଭଲ ପାଉଥିଲେ ।

ଛଅ ବର୍ଷରେ ପଦାର୍ପଣ କରିବା ସଙ୍ଗେ ସଙ୍ଗେ ଶ୍ରୀରାମକୃଷ୍ଣଙ୍କ ସହିତ ସାରଦା ଦେବୀଙ୍କର ବିବାହ ହେଲା । ବରର ବୟସ ଚବିଶ ବର୍ଷ । ଏହି ବିବାହର ଗୋଟିଏ ଗୁରୁତ୍ୱପୂର୍ଣ୍ଣ ଇତିହାସ ଅଛି । ଶୁଣାଯାଏ ଦୁଇ ତିନିବର୍ଷ ପୂର୍ବେ ସାରଦାଙ୍କୁ କୋଳରେ ଧରି ଶ୍ୟାମାସୁନ୍ଦରୀ ବାପଘର ଗାଁ ଶିହଡ଼କୁ ପାଲା ଶୁଣିବା ପାଇଁ ଯାଇଥିଲେ । ଶ୍ରୀରାମକୃଷ୍ଣ ମଧ୍ୟ ସେହି ଉପଲକ୍ଷରେ ସେଠାକୁ ଆସିଥିଲେ । ସଙ୍ଗୀତର ଆସର ଭାଙ୍ଗିବା ପରେ ତାଙ୍କର କୌଣସି ଏକ ଆତ୍ମୀୟା ତିନି ଚାରି ବର୍ଷର ଝିଅ ସାରଦାଙ୍କୁ କୋଳରେ ଘେନି ଗେଲ କରୁ କରୁ ପଚାରିଲେ, ‘ଏତେ ଲୋକଙ୍କ ଭିତରୁ ତୁ କାହାକୁ ବାହାହେବୁ ଦେଖେଇ ଦେଲୁ ?‘ ସେତେବେଳେ ଶିଶୁ ସାରଦା ହସି ହସି ଛୋଟ ଆଙ୍ଗୁଳି ବଢ଼ାଇ ପାଖରେ ଥିବା ଶ୍ରୀରାମକୃଷ୍ଣଙ୍କୁ ଦେଖାଇଦେଇଥିଲେ ।

ପୁନଶ୍ଚ ପକ୍ଷାନ୍ତରରେ ଜଣାଯାଏ-ଶ୍ରୀରାମକୃଷ୍ଣଙ୍କର ବିବାହ ଉପଯୋଗୀ ମନମୁତାବକ କନ୍ୟା ଖୋଜି ଖୋଜି ନ ମିଳିବାରୁ ଭାବାବସ୍ଥାରେ ଶ୍ରୀରାମକୃଷ୍ଣ ନିଜେ ପାତ୍ରୀର ସନ୍ଧାନ ଦେଇ ଆତ୍ମୀୟମାନଙ୍କୁ କହିଥିଲେ, ‘ଜୟରାମବାଟୀରେ ରାମଚନ୍ଦ୍ର ମୁଖୋପାଧ୍ୟାୟଙ୍କ ଝିଅ ‘କୁଟାବନ୍ଧା’ ହୋଇ ରହିଛି; ସେଠାରେ ଖୋଜି ଦେଖ ।‘

ବିବାହ ସମ୍ପନ୍ନ ହୋଇଗଲା । ଏତ ବିବାହ ନୁହେଁ, ଏ ଯେପରି ଶିବପାର୍ବତୀଙ୍କ ମିଳନ । ଦୁଇବର୍ଷ ପରେ ଶ୍ରୀରାମକୃଷ୍ଣ ଦ୍ୱିତୀୟ ଥର ପାଇଁ ଶ୍ୱଶୁରାଳୟ ଜୟରାମବାଟୀକୁ ଆସିଥାଆନ୍ତି । ସେତେବେଳେ ବାଳିକା ସାରଦାଙ୍କୁ କେହି କିଛି ବତେଇ ନ ଦେବା ସତ୍ତ୍ୱେ ସ୍ୱାମୀ ପହଞ୍ଚିବା ମାତ୍ରକେ ସାରଦା ନିଜେ ସ୍ୱାମୀଙ୍କର ପାଦ ଧୋଇଦେଲେ ଏବଂ ନିଜର କେଶ ଓ ପଣତ କାନି ଦେଇ ଶ୍ରୀରାମକୃଷ୍ଣଙ୍କ ପାଦ ପୋଛିଦେଲେ ଓ ତାଙ୍କୁ ପଙ୍ଖାରେ ବିଞ୍ଚିଲେ । ଏହିସବୁ କାର୍ଯ୍ୟ ଦେଖି ପ୍ରତିବେଶୀ ମହିଳାମାନେ ଖୁବ୍ ହସ କୌତୁକ କରିଥିଲେ ।

ଏଥର ଶ୍ୱଶୁରଘରକୁ ଯିବାବେଳେ ବରବଧୂ ସବାରି ଚଢ଼ି ଯାଇଥିଲେ । ସବାରିରେ ବସି ଏକ ସଙ୍ଗରେ ଯିବାକୁ କାଳେ ସାରଦାମଣି ବିବାହ ବୋଲି ମନେ କରିପାରନ୍ତି, ତେଣୁ ଶ୍ରୀରାମକୃଷ୍ଣ ତାଙ୍କୁ ଆଗରୁ ବୁଝେଇ ସୁଝେଇ କହି ଦେଇଥିଲେ, ‘ତୁମକୁ ଯଦି କେହି ପଚାରେ ଯେ ତୁମେ କେତେ ବୟସରେ ବାହା ହୋଇଛ, ତୁମେ ପାଞ୍ଚ ବର୍ଷ କହିବ, ସାତ ବର୍ଷ କହିବ ନାହିଁ, ଆଉ ଯଦି କେହି ପଚାରନ୍ତି ଯେ ତୁମକୁ ମୁଁ ଭଲ ପାଏ କି ନାହିଁ, ତେବେ ତୁମେ କହିବ, ମୁଁ ତୁମକୁ ଖୁବ୍ ଭଲପାଏ ।‘ ସାରଦା ଏ ସମସ୍ତ ଶୁଣି ଖାଲି ମୁଣ୍ଡ ଟୁଙ୍ଗାରୁଥାଆନ୍ତି । ଏହି ଘଟଣାର କିଛିଦିନ ପରେ ଶ୍ରୀରାମକୃଷ୍ଣ ତାଙ୍କର ସାଧନାପୀଠ ଓ କର୍ମସ୍ଥଳ ଦକ୍ଷିଣେଶ୍ୱରକୁ ଫେରିଗଲେ, ଆଉ ସାରଦା ଗଲେ ନିଜ ବାପଘରକୁ !

ବାଳିକା ବୟସରେ ମଧ୍ୟ ସାରଦା ଥିଲେ ଯେପରି ମୂର୍ତ୍ତିମତୀ କରୁଣା । ସେହି ମମତା ଆତ୍ମୀୟସ୍ୱଜନମାନଙ୍କ ସୀମାରେଖାକୁ ଅତିକ୍ରମ କରି ପ୍ରବାହିତ ହେଉଥିଲା ଦୁଃଖୀ-ଦରିଦ୍ରମାନଙ୍କ ପ୍ରତି ସେବାରୂପେ । ସାରଦାଙ୍କୁ ଯେତେବେଳେ ୧୧ବର୍ଷ ବୟସ, ସେହି ସମୟରେ ଜୟରାମବାଟୀ ଅଞ୍ଚଳରେ ଥରେ ଭୀଷଣ ଦୁର୍ଭିକ୍ଷ ପଡ଼ିଥିଲା । ଧର୍ମପ୍ରାଣ ରାମଚନ୍ଦ୍ରଙ୍କର କିଛି ଧାନ ସଞ୍ଚିତ ହୋଇ ରହିଥିଲା । ପରିଜନବର୍ଗଙ୍କ କଥା ନ ଭାବି ରାମଚନ୍ଦ୍ର ଅନ୍ନଛତ୍ର ଖୋଲି ଦେଲେ । ବିରି ଡାଲିରେ ହାଣ୍ଡି ହାଣ୍ଡି ଖେଚେଡ଼ି ରନ୍ଧା ହୋଇଥାଏ । ସେହି ଗରମ ଖେଚେଡ଼ି କିପରି ଶୀଘ୍ର ଶୀତଳ ହେବ, ସେଥିପାଇଁ ସାରଦା ନିଜେ ପଙ୍ଖା କରି ଶୀତଳ କରୁଥାନ୍ତି-‘ଆହାଃ ! ଭୋକଦାଉରେ ଲୋକେ ଖାଇବା ପାଇଁ କିପରି ବିକଳ ହୋଇ ଅନାଇଁ ବସିଛନ୍ତି !‘

ଏହି ସମୟରେ ବେଶୀ ଦିନ ପିତ୍ରାଳୟରେ ରହିଥିଲେ ସୁଦ୍ଧା ସାରଦାଦେବୀ କାମାରପୁକୁରକୁ ଦୁଇଥର ଅଳ୍ପଦିନ ପାଇଁ ଆସିଥିଲେ । ସେତେବେଳେ ସେ ନୂଆ ନୂଆ ବୋହୂ ହୋଇ ଆସିଥାଆନ୍ତି । ନୂଆ ଜାଗା, ତେଣୁ ହାଲ୍ଦାର ପୋଖରୀକୁ ଏକୁଟିଆ ଗାଧୋଇଯିବାକୁ ତାଙ୍କୁ ଡର ମାଡ଼ୁଥାଏ । ବାଡ଼ିଆଡ଼େ କବାଟ ଖୋଲି ଅତି ସନ୍ତର୍ପଣରେ ଅନାଇଁ ପ୍ରତିଦିନ ଦେଖିବାକୁ ପାଆନ୍ତି-ତାଙ୍କର ସମବୟସୀ ଆଠଟି ଝିଅ ବାଟରେ ଛିଡ଼ା ହୋଇଛନ୍ତି । ସମସ୍ତେ ଗପ କରି କରି ଗାଧୋଇବାକୁ ଯାଆନ୍ତି, ଚାରିଜଣ ଆଗରେ ଓ ଚାରିଜଣ ପଛରେ । ଗାଧୋଇ ସାରି ଘରକୁ ଫେରିଲା ବେଳକୁ ସେମାନଙ୍କୁ ସେ ଆଉ ଦେଖିବାକୁ ପାଆନ୍ତି ନାହିଁ । ବହୁ ଦିନ ପରେ ସେ ଜାଣିପାରିଲେ ଯେ ସେମାନେ ସେହି ଗାଁର ଝିଅ ନୁହନ୍ତି । ସେମାନେ ଦେବୀଙ୍କର ଅଷ୍ଟସଖୀ, ଅଷ୍ଟନାୟିକା-ଲୋକଲୋଚନ ଅଲକ୍ଷ୍ୟରେ ସାରଦାଙ୍କୁ ଅନୁସରଣ କରୁଥାଆନ୍ତି ଓ ତାଙ୍କ ସଙ୍ଗରେ ସବୁବେଳେ ରହୁଥାଆନ୍ତି ।

କ୍ରମେ ସାରଦା ଦେବୀ ଚତୁର୍ଦ୍ଦଶ ବର୍ଷ ବୟସରେ ପଦାର୍ପଣ କଲେ । ଏଥର ସାତବର୍ଷ ପରେ ଶ୍ରୀରାମକୃଷ୍ଣଦେବ କାମାରପୁକୁରକୁ ଆସିଲେ । ତାଙ୍କର ତନ୍ତ୍ରସାଧନାର ଗୁରୁ ଭୈରବୀ ବ୍ରାହ୍ମଣୀ ଓ ଭଣଜା ହୃଦୟ ତାଙ୍କ ସଙ୍ଗରେ ଥାଆନ୍ତି । ଜୟରାମବାଟୀରୁ ସାରଦାଙ୍କୁ ଅଣା ହେଲା । ଏହି ସମୟରେ ପାଞ୍ଚ ଛଅ ମାସ ଏକତ୍ର ରହି ସ୍ୱାମୀଙ୍କ ନିକଟରୁ ସେ ଲୌକିକ ଓ ଆଧ୍ୟାତ୍ମିକ ଅନେକ ଶିକ୍ଷା ଲାଭ କରିଥଲେ । ଶ୍ରୀରାମକୃଷ୍ଣ ତାଙ୍କୁ ଦୀପର ସଳିତା କିପରି ତେଜିବାକୁ ହୁଏ, କାହା ସହିତ କିପରି ବ୍ୟବହାର କରିବାକୁ ହୁଏ ଇତ୍ୟାଦି ବିଷୟରୁ ଆରମ୍ଭ କରି ଭଗବାନଙ୍କର ଧ୍ୟାନ ଧାରଣା କିପରି ଭାବରେ କରିବାକୁ ହୁଏ, ସବୁ ବିଷୟ ଟିକିନିଖି କରି ଶିକ୍ଷା ଦେଇ ଶ୍ରୀସାରଦାଦେବୀଙ୍କ ଜୀବନକୁ ସର୍ବାଙ୍ଗସୁନ୍ଦର କରିଥିଲେ ।

ଦିନେ ମାନବ ଜୀବନର ଉଦ୍ଦେଶ୍ୟ ଓ ଆଧ୍ୟାତ୍ମିକ ସାଧନା ସମ୍ବନ୍ଧରେ ଶ୍ରୀରାମକୃଷ୍ଣ ତାଙ୍କୁ କହିଥିଲେ ଦେଖ, ‘ଜହ୍ନମାମୁଁ ଯେପରି ସମସ୍ତଙ୍କର ମାମୁଁ, ଈଶ୍ୱର ସେହିପରି ସମସ୍ତଙ୍କର ଅତି ଆପଣାର, ଯେ ତାଙ୍କୁ ମନ ପ୍ରାଣ ଦେଇ ଡାକେ ସେ କେବଳ ତାଙ୍କର ଦେଖା ପାଇବ । ତୁମେ ଯଦି ଡାକ ତୁମେ ମଧ୍ୟ ତାଙ୍କର ଦର୍ଶନ ପାଇବ । ଈଶ୍ୱରଲାଭ ହିଁ ମନୁଷ୍ୟ ଜୀବନର ଉଦ୍ଦେଶ୍ୟ, ନତୁବା ଏ ଜୀବନ ବୃଥା ।‘ସ୍ୱାମୀଙ୍କର ଏହି ପ୍ରେମପୂର୍ଣ୍ଣ ଉପଦେଶ ସାରଦାଦେବୀ ମନ୍ତ୍ରବତ୍ ଗ୍ରହଣ କରି ସମଗ୍ର ମନପ୍ରାଣ ଦେଇ ସାଧନାରେ ବ୍ରତୀ ହୋଇଥିଲେ । ଦେବ-ସ୍ୱାମୀଙ୍କର ପୂତସଙ୍ଗ ଲାଭ କରି ତାଙ୍କର ଅନ୍ତର ଏକ ଦିବ୍ୟ ଆନନ୍ଦରେ ଭରପୂର ହୋଇଯାଇଥିଲା । ଏହି ବେଳର ସ୍ମୃତି ସେ ପରବର୍ତ୍ତୀ କାଳରେ ତାଙ୍କର ସ୍ତ୍ରୀ-ଭକ୍ତମାନଙ୍କ ଆଗରେ ପ୍ରକାଶ କରି କହିଥିଲେ, ‘ସେତେବେଳେ ମୋର ମନେ ହେଉଥିଲା, ଅନ୍ତର ମଧ୍ୟରେ କେହି ଯେପରି ଗୋଟିଏ ପୂର୍ଣ୍ଣାନନ୍ଦର କଳସ ସ୍ଥାପନ କରି ରଖିଛି ।‘

(୨)

କେତେକ ମାସ କାମାରପୁକୁରରେ ରହିବା ପରେ ଶ୍ରୀରାମକୃଷ୍ଣ ଦକ୍ଷିଣେଶ୍ୱରକୁ ଫେରିଗଲେ; ସାରଦା ଦେବୀ ମଧ୍ୟ ଶୂନ୍ୟ ପ୍ରାଣରେ ଜୟରାମବାଟୀକୁ ଚାଲିଗଲେ । ଦେବ-ସ୍ୱାମୀଙ୍କ ପୁଣ୍ୟସାନିଧ୍ୟର ମଧୁର ସ୍ମୃତି ତାଙ୍କର ସମସ୍ତ ସତ୍ତାକୁ ଯେପରି ଆଚ୍ଛନ୍ନ କରି ରଖିଥିଲା । ଶୟନେ, ସ୍ୱପନେ, ଜାଗରଣେ ଏକମାତ୍ର ଶ୍ରୀରାମକୃଷ୍ଣଦେବଙ୍କ ଚିନ୍ତାରେ ସେ ବିଭୋର ହୋଇ ରହୁଥିଲେ । ଯେ ତାଙ୍କୁ ଏତେ ଭଲ ପାଉଥିଲେ-ବେଳ ଆସିଲେ ସେ ନିଶ୍ଚୟ ତାଙ୍କୁ ନିଜ ପାଖକୁ ଡାକି ନେବେ-ଏହି ଆଶାରେ ତାଙ୍କର ସୁଦୀର୍ଘ ଚାରିବର୍ଷ କଟିଗଲା । କିନ୍ତୁ ସେ ତ କାହିଁ ଆସୁନାହାନ୍ତି ! ତାଙ୍କର ଆହ୍ୱାନ ଆସୁ ନାହିଁ ! ସାରଦାଙ୍କର ଖବର ବି ତ କେବେ ହେଲେ ନେଇ ନାହାନ୍ତି ! ତାହା ହେଲେ କଅଣ ସେ ଭୁଲିଗଲେ ! ଏହିସବୁ କଥା ଭାଳି ଭାଳି ସାରଦା ସବୁବେଳେ କାନ୍ଦୁଥାଆନ୍ତି ।

ଅନ୍ୟ ପକ୍ଷରେ କ୍ରମେ ଶ୍ରୀରାମକୃଷ୍ଣଙ୍କ ସମ୍ବନ୍ଧରେ ଗାଁ-ସାରା ନାନା କଥା ରଟିବାକୁ ଲାଗିଲା । ସେ କୁଆଡ଼େ ଗୋଟାଏ ଲମ୍ବା ବାଡ଼ି କାନ୍ଧରେ ପକାଇ ଉଲଗ୍ନ ହୋଇ ବୁଲୁଛନ୍ତି । ଗରିବ କାଙ୍ଗାଳିମାନଙ୍କର ଅଇଁଠା ଖାଉଛନ୍ତି; ମେହନ୍ତରଙ୍କ ପରି ପାଇଖାନା ସଫା କରୁଛନ୍ତି-ଏହିପରି କେତେ ପ୍ରକାରର କଥା । ଲୋକେ ଯାହା କହୁଛନ୍ତି, ତାହା ଯଦି ସତ୍ୟ ହୁଏ, ତେବେ ମୋର ତ ଆଉ ତାଙ୍କଠାରୁ ଦୂରରେ ରହିବା ଆଦୌ ଉଚିତ ନୁହେଁ-ସାରଦା ଅଧୀର ହୋଇ ଏହା ଭାବିବାକୁ ଲାଗିଲେ ।

ଦୋଳପୂର୍ଣ୍ଣିମା ସମାଗତ । ଗ୍ରାମର କେତେକ ସ୍ତ୍ରୀ ଲୋକ କଲିକତାରେ ଗଙ୍ଗାସ୍ନାନ କରିବାକୁ ବାହାରିଲେ । ସାରଦା ମଧ୍ୟ ସେମାନଙ୍କ ସହିତ ଯିବାକୁ ଇଚ୍ଛା ପ୍ରକାଶ କରିବାରୁ ରାମଚନ୍ଦ୍ର ତାଙ୍କର ଅଭିପ୍ରାୟ ବୁଝିଲେ ଏବଂ ସଙ୍ଗରେ ନେବାକୁ ରାଜି ହେଲେ ।

ଦୀର୍ଘପଥ-କଣ୍ଟା, ବୁଦା, ଗୋହିରି, ବିଲ ଦେଇ ପାଦଚଲା ବାଟ । ଅନଭ୍ୟସ୍ତ ସାରଦା କ୍ରମାଗତ ଦୁଇଦିନ ଚାଲିବା ପରେ ହଠାତ୍ କମ୍ପ ହୋଇ ତାଙ୍କର ଜ୍ୱର ଆସିଲା । ନିରୁପାୟ ହୋଇ ରାମଚନ୍ଦ୍ର ଝିଅକୁ ନେଇ ନିକଟବର୍ତ୍ତୀ ଗୋଟିଏ ଧର୍ମଶାଳାରେ ଆଶ୍ରୟ ନେଲେ । ଜ୍ୱର ପ୍ରକୋପରେ ଓ ମନକଷ୍ଟରେ ସାରଦା ବେହୋସ୍ ହୋଇ ଶୋଇପଡ଼ିଲେ । ସେହି ଅବସ୍ଥାରେ ସେ ଦେଖିଲେ କାଳିଆ ହୋଇ ଝିଅଟିଏ ତାଙ୍କ ମୁଣ୍ଡ ପାଖରେ ବସି ତାଙ୍କ ଦେହରେ ଓ ମୁଣ୍ଡରେ ହାତ ବୁଲାଉଛି-ହାତ ଦୁଇଟି ଭାରି ନରମ ଓ ଥଣ୍ଡା । ସେହି କୋମଳ ସ୍ପର୍ଶରେ ତାଙ୍କ ଦେହର ଉତ୍ତାପ ଓ ଯନ୍ତ୍ରଣା ସଙ୍ଗେ ସଙ୍ଗେ ଦୂର ହୋଇଗଲା । ସାରଦା ବିସ୍ମିତ ହୋଇ ସେହି ଝିଅଟିକୁ ପଚାରିଲେ, ‘ଆହା, କିଏ ତମେ ? କେଉଁଠୁ ଆସିଛ କହିଲ ?‘ ଝିଅଟି କହିଲା, ‘ଦକ୍ଷିଣେଶ୍ୱରରୁ ଆସିଛି, ମୁଁ ତୁମର ଭଉଣୀ ।‘

ସାରଦା କାନ୍ଦି କାନ୍ଦି କହିଲେ, ‘ଆହା ! ତୁମେ ଦକ୍ଷିଣେଶ୍ୱରରୁ ଆସିଛ ? ମୁଁ ତ କେତେ ମନାସିଥିଲି ଦକ୍ଷିଣେଶ୍ୱରକୁ ତାଙ୍କ ପାଖକୁ ଯିବି ବୋଲି, ତାଙ୍କର ସେବାଯତ୍ନ କରିବି ବୋଲି । ଏତେ ଜ୍ୱର ହେଲାଣି; ବୋଧ ହୁଏ ଆଉ ଯିବା ହୋଇପାରିବ ନାହିଁ ।‘ ଝିଅଟି କହିଲା, ‘ଇଏ କଅଣ, ତମେ କାନ୍ଦୁଛ ? ତମେ କାନ୍ଦନି, ତମେ ଭଲ ହୋଇ ଦକ୍ଷିଣେଶ୍ୱରକୁ ଯିବ ତାଙ୍କୁ ଦେଖିବ । ତମ ପାଇଁ ତ ମୁଁ ତାଙ୍କୁ ସେଠାରେ ଅଟକାଇ ରଖିଛି ।‘

‘ଏଁ, ସତ ନା କଅଣ ?‘-ଏହି କଥା କହୁ କହୁ ଅବସନ୍ନ ହୋଇ ସାରଦା ଶୋଇପଡ଼ିଲେ । ପରଦିନ ସକାଳେ ରାମଚନ୍ଦ୍ର ଦେଖିଲେ ଝିଅର ଜ୍ୱର ଛାଡ଼ିଯାଇଛି-ଦୁର୍ବଳତା ଯାଇନି, ତେଣୁ ସେ ସାରଦାଙ୍କୁ ଧରି ଧରି ଆସ୍ତେ ଆସ୍ତେ ବାଟ ଚାଲିବାକୁ ଲାଗିଲେ । ଖଣ୍ଡେ ବାଟ ଯିବା ପରେ ଅପ୍ରତ୍ୟାଶିତ ଭାବରେ ଗୋଟିଏ ସବାରି ତାଙ୍କୁ ମିଳିଗଲା । ସବାରିରେ ବସି ଯାଉ ଯାଉ ସାରଦାଙ୍କୁ ପୁଣି ଜ୍ୱର ହେଲା । କ୍ରମେ ବାଟ ମଧ୍ୟ ଶେଷ ହୋଇଗଲା । ରାତି ନଅଟା ବେଳକୁ ସେମାନେ ଆସି ଦକ୍ଷିଣେଶ୍ୱରରେ ପହଞ୍ଚିଲେ ।

ସାରଦା ଜ୍ୱର ଦେହରେ ଆସିଛନ୍ତି ଶୁଣି ଶ୍ରୀରାମକୃଷ୍ଣ ବିଶେଷ ଉଦ୍ବିଗ୍ନ ହୋଇ ନିଜ କେଠାରୀରେ ତାଙ୍କର ରହିବାର ବ୍ୟବସ୍ଥା କରି ସେବା ଶୁଶ୍ରୁଷା କରିବାକୁ ଲାଗିଲେ । ଆଉ ବାରମ୍ବାର ଦୁଃଖ କରି କହୁଥାଆନ୍ତି ‘ଆହା ! ଏତେ ଦିନ ପରେ ତୁମେ ଆସିଲ ! ଆଉ କଅଣ ମୋର ‘ସେଜୋବାବୁ’ (ମଥୁରବାବୁ) ଅଛନ୍ତି ଯେ ତମର ଯତ୍ନ ନେବେ !‘

ନିଜ କୋଠରୀରେ ତିନି-ଚାରିଦିନ ରଖି ଶ୍ରୀରାମକୃଷ୍ଣ ସେବା ଯତ୍ନାଦି ଓ ଔଷଧପତ୍ର ଦ୍ୱାରା ପତ୍ନୀଙ୍କୁ ଆରୋଗ୍ୟ କରାଇଲେ ଏବଂ ନହବତ୍ରେ ନିଜ ମାଆଙ୍କ ନିକଟରେ ତାଙ୍କର ରହିବାର ବ୍ୟବସ୍ଥା କରିଦେଲେ ।

ସାରଦାମଣି ସ୍ୱାମୀଙ୍କର ଏତେ ଯତ୍ନ ଓ ଆଦର ପାଇ ବୁଝିଲେ ଯେ ତାଙ୍କ ପ୍ରାଣର ଦେବତା ଠିକ୍ ଆଗଭଳି ରହିଛନ୍ତି, ଲୋକେ ଯାହା ପ୍ରଚାର କରି କହୁଛନ୍ତି ତାହାସବୁ ମିଥ୍ୟା । ତେଣୁ ସେ ନହବତ୍ରେ ରହିଲେ ସୁଦ୍ଧା ଉଲ୍ଲସିତ ପ୍ରାଣରେ ଶାଶୁ ଓ ସ୍ୱାମୀଙ୍କର ସେବାରେ ଦେହ, ମନ, ପ୍ରାଣ ଢାଳିଦେଲେ ।

ଦିନେ ଏକାନ୍ତରେ ଶ୍ରୀରାମକୃଷ୍ଣ ସାରଦାଦେବୀଙ୍କୁ ପଚାରିଲେ ‘ହଇହେ, ତମେ କ’ଣ ମତେ ସଂସାର-ପଥକୁ ଟାଣି ନେବାକୁ ଆସିଛ ?‘ ସ୍ନିଗ୍ଧ କଣ୍ଠରେ ସାରଦାମଣି ଉତ୍ତର ଦେଲେ, ‘ତୁମକୁ ସଂସାର-ପଥକୁ ଟାଣିନେବି କାହିଁକି ? ମୁଁ ତୁମକୁ ଇଷ୍ଟପଥରେ ସାହାଯ୍ୟ କରିବାକୁ ଆସିଛି ।‘ ତାହା ଶୁଣି ଶ୍ରୀରାମକୃଷ୍ଣ ନିଶ୍ଚିନ୍ତ ହେଲେ । ତାଙ୍କର ସମସ୍ତ ନାରୀଙ୍କ ପ୍ରତି ମାତୃଭାବ । ଥରେ ସେ କହିଥିଲେ, ‘ଆମେ ଦୁଇଜଣଯାକ ମା’ଙ୍କର ସଖୀ, ତା ନ ହେଲେ ସ୍ତ୍ରୀକୁ ନେଇ ଆଠମାସ କାଳ ଏକ ସଙ୍ଗରେ ଥିଲି କିପରି ?‘

ଦିନେ ସାରଦା ଦେବୀ ଏକାନ୍ତରେ ସ୍ୱାମୀଙ୍କର ପଦସେବା କରୁ କରୁ ପଚାରିଲେ, ‘ମୋତେ ତୁମେ କଅଣ ବୋଲି ଭାବ ?‘ ଶ୍ରୀରାମକୃଷ୍ଣ ସ୍ମିତ କଣ୍ଠରେ ଉତ୍ତର ଦେଲେ-‘ମନ୍ଦିରରେ ଯେଉଁ ଭବତାରିଣୀ ମା’, ନହବତ୍ରେ ଯେଉଁ ମା’ ମୋତେ ଗର୍ଭରେ ଧାରଣ କରିଥିଲେ, ସେହି ମା’ ଆଜି ପଦସେବା କରୁଅଛନ୍ତି । ମୁଁ ତୁମକୁ ସାକ୍ଷାତ୍ ଜଗଦମ୍ବା ବୋଲି ମନେକରେ ।‘

ଶ୍ରୀରାମକୃଷ୍ଣ ସାଧନାର ପ୍ରଥମ ଅବସ୍ଥାରେ ସୀତାଦେବୀଙ୍କୁ ଦର୍ଶନ କରିଥିଲେ; ସୀତାଙ୍କ ହାତରେ ଡାଇମଣ୍ଡକଟା ଖଡ଼ୁଥିଲା । ଭଣଜା ହୃଦୟ ନିକଟରେ ତାଙ୍କର କିଛି ଟଙ୍କା ଥିଲା । ସେହି ଟଙ୍କାରେ ସେ ସ୍ତ୍ରୀଙ୍କ ପାଇଁ ସେହିପରି ଖଡୁ ଓ ଅନ୍ୟାନ୍ୟ ଗହଣା ଗଢ଼ାଇ ଦେଲେ ଓ ଭଣଜା ହୃଦୟକୁ କହିଲେ, ‘ବୁଝିଲୁ ହୃଦୟ ! ତାଙ୍କ ସହିତ ମୋର ଏହି ସମ୍ପର୍କ । ସେ ସ୍ୱୟଂ ଲକ୍ଷ୍ମୀ ଠାକୁରାଣୀ; ଗହଣା ପିନ୍ଧିବାକୁ ଭାରି ଭଲ ପାଆନ୍ତି ।‘ ଅଳଙ୍କାର ପାଇ ସାରଦାମଣିଙ୍କର କି ଆନନ୍ଦ !

ଦିନେ ରାତିରେ ସାରଦା ଦେବୀ ତାଙ୍କ ପାଖରେ ଘୋର ନିଦରେ ଶୋଇଥା’ନ୍ତି । ଶ୍ରୀରାମକୃଷ୍ଣ ଆପଣା ମନକୁ ପଚାରିଲେ-‘ମନ ! ଏହାର ନାମ ନାରୀଦେହ । ଏହାକୁ ଗ୍ରହଣ କଲେ ଦେହର ଆନନ୍ଦରେ ଆବଦ୍ଧ ହେବାକୁ ହୁଏ, ସଚ୍ଚିଦାନନ୍ଦ ଈଶ୍ୱରଙ୍କୁ ଲାଭ କରାଯାଇପାରେ ନାହିଁ । ଭାବଘରେ ଚୋରି କର ନାହିଁ, ସତ କୁହ, ଏହାକୁ ଗ୍ରହଣ କରିବାକୁ ଚାହୁଁ ନା ଭଗବାନଙ୍କୁ ଚାହୁଁ ?‘ ସଚ୍ଚିଦାନନ୍ଦ ଚିନ୍ତା କରିବା ମାତ୍ରେ ତାଙ୍କ ମନ ସମାଧିରେ ମଗ୍ନ ହୋଇଗଲା, ସଚ୍ଚିଦାନନ୍ଦ-ସାଗରରେ ମଜ୍ଜିଗଲା । ସେହି ରାତିରେ ତାଙ୍କର ଆଉ ସମାଧିଭଙ୍ଗ ହେଲା ନାହିଁ ।

ଜ୍ୟେଷ୍ଠମାସ ଫଳହାରିଣୀ କାଳୀପୂଜା ରାତିରେ ଶ୍ରୀରାମକୃଷ୍ଣ ନିଜ ଘର ଭିତରେ ଗୁପ୍ତଭାବରେ ଶ୍ରୀସାରଦା ଦେବୀଙ୍କୁ ଷୋଡ଼ଶୋପଚାର ସହିତ ଷୋଡ଼ଶୀ ବା ତ୍ରିପୁରସୁନ୍ଦରୀରୂପେ ପୂଜା କରିଥିଲେ । ପୂଜା କରିବା ସମୟରେ ‘ସମାଧିସ୍ଥ ପୂଜକ ସମାଧିସ୍ଥା ସାରଦା ଦେବୀଙ୍କ ସହିତ ଆତ୍ମସ୍ୱରୂପରେ ମିଳିତ ଓ ଏକୀଭୂତ ହୋଇଗଲେ ।‘ ପୂଜାନ୍ତେ ଶ୍ରୀରାମକୃଷ୍ଣ ଜପାମାଳି ସହିତ ସମସ୍ତ ସାଧନାର ଫଳ ସାରଦା ଦେବୀଙ୍କ ଚରଣରେ ଅର୍ପଣ କରି ପ୍ରଣାମ କଲେ । ତାଙ୍କର ସବୁସାଧନାର ପରିସମାପ୍ତି ହେଲା ।

ଦକ୍ଷିଣେଶ୍ୱରରେ ଶ୍ରୀସାରଦାଦେବୀଙ୍କୁ ଅତି କଷ୍ଟରେ ରହିବାକୁ ହେଉଥିଲା-ନହବତ୍ଖାନାର ତଳମହଲାରେ ଅତି ଅପ୍ରଶସ୍ତ ଓ ସଂକୀର୍ଣ୍ଣ କୋଠରୀରେ-ପାଞ୍ଚଟଙ୍କା ବେତନର ଜଣେ ମନ୍ଦିର ପୂଜକଙ୍କର ସ୍ତ୍ରୀ ସେ; କିନ୍ତୁ ଏପରି କଷ୍ଟ ମଧ୍ୟରେ ରହି ସୁଦ୍ଧା ତାଙ୍କର ତିଳେ ହେଲେ ଅସନ୍ତୋଷ ନ ଥିଲା । ଶାରୀରିକ ଶତ ଅସୁବିଧା ସତ୍ତ୍ୱେ ସେ ଅକ୍ଳାନ୍ତ ଭାବରେ ତାଙ୍କ ଦେବ ସ୍ୱାମୀଙ୍କର ସେବା କରୁଥାଆନ୍ତି । ପତିସେବା ହିଁ ଥିଲା ତାଙ୍କ ଜୀବନର ଶ୍ରେଷ୍ଠ ସାଧନା । ଦକ୍ଷିଣେଶ୍ୱରରେ ସୁଦୀର୍ଘ ପନ୍ଦର ବର୍ଷ କାଳ ଶତ ପ୍ରତିକୂଳ ଅବସ୍ଥା ସତ୍ତ୍ୱେ କାୟମନୋବାକ୍ୟରେ ସେ ଶ୍ରୀରାମକୃଷ୍ଣ ଓ ତାଙ୍କର ଭକ୍ତ ସନ୍ତାନମାନଙ୍କୁ ଆପ୍ରାଣ ସେବା କରି ଗାର୍ହସ୍ଥ୍ୟ ଧର୍ମର ଏକ ନୂତନ ଆଦର୍ଶ ମାନବଜାତି ନିକଟରେ ଉପସ୍ଥାପିତ କରିଥିଲେ ଏବଂ ତତ୍ସଙ୍ଗେ ଐଶୀ-ଦାମ୍ପତ୍ୟ ଜୀବନକୁ ଏକ ଉଚ୍ଚପର୍ଯ୍ୟାୟରେ ପ୍ରତିଷ୍ଠିତ କରିଥିଲେ । ସାଂସାରିକ ଯାବତୀୟ କାର୍ଯ୍ୟରେ ରତ ଥାଇ ସୁଦ୍ଧା ସାରଦାଦେବୀ ବହୁତ ଧ୍ୟାନ-ଜପ କରୁଥିଲେ । ଦୀର୍ଘକାଳ ଲକ୍ଷେ ଜପ ସମାପ୍ତ ନ କରି ସେ ଜଳଗ୍ରହଣ କରୁ ନଥିଲେ । ଗଭୀର ରାତିରୁ ଶଯ୍ୟାତ୍ୟାଗ କରି ଜପରେ ବସୁଥିଲେ । ତାଙ୍କ ନିଜ କଥାରୁ ତାଙ୍କ ତପସ୍ୟାରତ ଦିନ ଗୁଡ଼ିକର କିଞ୍ଚିତ୍ ଆଭାସ ମିଳେ । ‘ସେତେବେଳେ କିପରି ଦିନସବୁ ଯାଇଛି ! ଜହ୍ନରାତିରେ ଚନ୍ଦ୍ର ଆଡ଼କୁ ଅନାଇଁ ହାତ ଯୋଡ଼ି ତାଙ୍କୁ କେତେ ଥର ଜଣାଇଛି-ତୁମର ଜ୍ୟୋସ୍ନାପରି ମତେ ନିର୍ମଳ କରିଦିଅ । …ଚନ୍ଦ୍ରରେ ମଧ୍ୟ କଳଙ୍କ ଅଛି, ହେ ଭଗବାନ, ମୋର ମନରେ ଯେପରି କୌଣସି ମାଳିନ୍ୟ ନ ରହେ । …ମୋ କଥା କଅଣ କହିବି ମା’ ! ମୁଁ ସେତେବେଳେ ଦକ୍ଷିଣେଶ୍ୱରରେ ରାତି ଅଧରୁ ଉଠି ଧ୍ୟାନରେ ବସେ, ମୋର ଆଦୌ ହୋସ୍ ନ ଥାଏ । ରାତିରେ କିଏ ବଂଶୀ ବଜାଉଥାଏ, ଶୁଣୁ ଶୁଣୁ ମନ ବ୍ୟାକୁଳ ହୋଇଉଠେ । ମୋର ମନେହୁଏ ସାକ୍ଷାତ୍ ଭଗବାନ୍ ଯେପରି ବଂଶୀ ବଜାଉଛନ୍ତି । ସଂଗେ ସଂଗେ ମନ ସମାଧିସ୍ଥ ହୋଇଯାଏ ।‘

ଦିନ ତମାମ କାମର ଶେଷ ନାହିଁ । ଏହା ଛଡ଼ା ସନ୍ଧ୍ୟା ସମୟରେ ଯେତେବେଳେ ସାରଦାଦେବୀ ତିନି ସେର କି ସାଢ଼େ ତିନି ସେର ଅଟାର ରୁଟି ବେଲିବାକୁ ବସନ୍ତି, ସେତେବେଳେ ହାତ ଆଉ ଚଳେ ନାହିଁ । ତେବେ ସୁଦ୍ଧା ସାନନ୍ଦରେ ଦିନ ପରେ ଦିନ ସେ ସବୁ କରିଯାଆନ୍ତି ।

ତାଙ୍କର ଏହିପରି ଅକ୍ଳାନ୍ତ ଶାରୀରିକ ପରିଶ୍ରମ କଥା ଶ୍ରୀରାମକୃଷ୍ଣ ଜାଣିପାରିଲେ ଏବଂ ତାଙ୍କ ବାଳକ ଭକ୍ତ ଲାଟୁକୁ ଦନେ ଗଙ୍ଗାତୀରରେ ସନ୍ଧ୍ୟାବେଳେ ଧ୍ୟାନ କରୁଥିବାର ଦେଖି କହିଲେ, ‘ଆରେ, ତୁ ଯାହାର ଧ୍ୟାନ କରୁଛୁ, ସେ ତ ସେଠି ଅଟା ଦଳୁଛି ।‘ ସେହିଦିନଠାରୁ ଲାଟୁ ଶ୍ରୀଶ୍ରୀମା’ଙ୍କର ଅନେକ କାମରେ ସାହାଯ୍ୟ କରିବାକୁ ଲାଗିଲେ ।

ନିଜ ସମ୍ବନ୍ଧରେ ଶ୍ରୀଶ୍ରୀମା’ ଅନ୍ତିମ ଅବସ୍ଥାରେ ସ୍ତ୍ରୀ ଭକ୍ତମାନଙ୍କୁ କହିଥିଲେ, ‘ମୋର କ’ଣ ତାହାହେଲେ ସବୁ ଅଲୌକିକ ! ଅଶାନ୍ତି ବୋଲି ତ କେବେ କିଛି ଜାଣିଲି ନାହିଁ । ଆଉ ଇଷ୍ଟ ଦର୍ଶନ ! ସେ ତ ହାତମୁଠାରେ । ଥରେ ବସିବା ମାତ୍ରେ ଦର୍ଶନ ହୁଏ । ଦକ୍ଷିଣେଶ୍ୱରରେ ନହବତ୍ ଦେଖିଛ ? ଯେଉଁ ଛୋଟିଆ ଘରଟିରେ ରହୁଥିଲି, ପ୍ରଥମେ ପ୍ରଥମେ ଘରକୁ ପଶିଲା ବେଳକୁ ଦୁଆରବନ୍ଧରେ ମୁଣ୍ଡ ବାଜୁଥିଲା । ଦିନେ ମୋ ମୁଣ୍ଡ ଫାଟିଗଲା, କିନ୍ତୁ ତା’ପରେ ଅଭ୍ୟାସ ହୋଇଗଲା । ଦୁଆରମୁହଁକୁ ଆସିଲା ମାତ୍ରେ ମୁଣ୍ଡ ଛାଏଁ ନଇଁ ଆସେ ।‘ ଆବଦ୍ଧ ସ୍ଥାନରେ ରହି ରହି ତାଙ୍କ ପାଦରେ ଯେଉଁ ବାତରୋଗ ହେଲା, ତାହା ତାଙ୍କୁ ସାରା ଜୀବନ ବଡ଼ କଷ୍ଟ ଦେଇଥିଲା ।

ଦିନବେଳେ ଠାକୁରଙ୍କ ଘର ଭିତରେ କେହି ନ ଥିଲା ବେଳେ ଶ୍ରୀଶ୍ରୀମା’ କାହାରିକୁ ସାଙ୍ଗରେ ନେଇ ଶ୍ରୀରାମକୃଷ୍ଣଙ୍କ ଖାଦ୍ୟ ସ୍ୱହସ୍ତରେ ବାଢ଼ି ଦେଇଯାଆନ୍ତି । ରାତିରେ ପାଖରେ ବସି ତାଙ୍କୁ ଖୁଆନ୍ତି । ଶ୍ରୀରାମକୃଷ୍ଣଙ୍କ ମନ ଅଳ୍ପକେ ସମାଧିସ୍ଥ ହୋଇଯାଏ । ସେତେବେଳେ ଖାଇବା ପାଇଁ ତାଙ୍କର ଆଉ ମନେ ରହେ ନାହିଁ-ତେଣୁ ଶ୍ରୀଶ୍ରୀମା’ ତାଙ୍କୁ ନାନା ପ୍ରକାର ଭୁଲାଇ ଖୁଆଉଥିଲେ ।

ଜଣେ ଭକ୍ତଙ୍କ ପ୍ରଶ୍ନରେ ଶ୍ରୀରାମକୃଷ୍ଣ ଦିନେ ପରିହାସ କରି କହିଲେ, ‘ପିନ୍ଧିବା ଲୁଗାର ଠିକଣା ନ ଥାଏ, ପୁଣି ବାହା ହେଲି କାହିଁକି ! …ହଁ ହଁ ବୁଝିଛି; ରାମଲାଲର ଖୁଡ଼ୀ ନ ଥିଲେ କିଏ ଏମିତି ରାନ୍ଧି ଖୁଆନ୍ତା !‘

ନହବତ୍ର ସେହି ଆବଦ୍ଧ ଘରେ ବରାବର ରହି ରହି ଶ୍ରୀଶ୍ରୀମା’ଙ୍କର ସ୍ୱାସ୍ଥ୍ୟର ଅବନତି ଘଟିଲା । ସେଥିପାଇଁ ଶ୍ରୀରାମକୃଷ୍ଣଙ୍କ ଉତ୍କଣ୍ଠାର ଅନ୍ତ ନ ଥିଲା । ଦିନେ ଶ୍ରୀଶ୍ରୀମା’ଙ୍କ ମୁଣ୍ଡରେ ଯନ୍ତ୍ରଣା ହେଉଥିବାର ଶୁଣି ସେ ଉଦ୍ବିଗ୍ନ ଚିତ୍ତରେ ବାରମ୍ବାର ପଚାରୁଥାଆନ୍ତି-‘ଆରେ ରାମଲାଲ, ତୋ’ ଖୁଡ଼ୀର ମୁଣ୍ଡବିନ୍ଧା କାହିଁକି ହେଲା ?‘

ଶ୍ରୀଶ୍ରୀମା’ଙ୍କୁ ଶ୍ରୀରାମକୃଷ୍ଣ ଯେଉଁ ସମ୍ମାନ ଚକ୍ଷୁରେ ଦେଖୁଥିଲେ, ତାହା ସାଧାରଣ ସ୍ୱାମୀ୍-ସ୍ତ୍ରୀଙ୍କ ମଧ୍ୟରେ ଦେଖିବା ବିରଳ । ଦୈନନ୍ଦିନ ବ୍ୟବହାରରେ ମଧ୍ୟ ତାହାର ବ୍ୟତିକ୍ରମ ଘଟୁ ନ ଥିଲା । ଶ୍ରୀଶ୍ରୀମା’ ଖାଇବା ଥାଳି ହାତରେ ଧରି ପ୍ରବେଶ କଲା ମାତ୍ରେ ଶ୍ରୀରାମକୃଷ୍ଣ ‘ମା’ ବ୍ରହ୍ମମୟୀ ! ମା’ ବ୍ରହ୍ମମୟୀ !‘ ବୋଲି କହି ଛିଡ଼ା ହୋଇ ଯାଉଥିଲେ ।

ଦିନେ ସନ୍ଧ୍ୟା ହେବାର କିଛି ସମୟ ପରେ ଶ୍ରୀଶ୍ରୀମା’ କୌଣସି କାମରେ ଶ୍ରୀରାମକୃଷ୍ଣଙ୍କ ଘର ଭିତରକୁ ଆସି କାମ ସାରି ଚାଲି ଯାଉଥିଲେ । ଶ୍ରୀରାମକୃଷ୍ଣ ଆଖିବୁଜି ରହିଥିଲେ । ସେହି ଅବସ୍ଥାରେ କହିଲେ, ‘କବାଟ ଆଉଜେଇ ଦେଇ ଯା’ !‘ ଉତ୍ତରରେ ଶ୍ରୀଶ୍ରୀମା’ଙ୍କ କଣ୍ଠସ୍ୱର ଶୁଣିବାମାତ୍ରେ ସେ କାତର ହୋଇ କହିବାକୁ ଲାଗିଲେ, ‘ହଇହେ ! ତୁମେ କିଛି ମନେ କରିବ ନାହିଁ । ମୁଁ ଭାବିଥିଲି ଲକ୍ଷ୍ମୀ ଘର ଭିତରକୁ ଆସିଥିଲା, ତେଣୁ କହିଲି-କବାଟ ଆଉଜେଇ ଦେଇ ଯା’ । ତମେ କିଛି ମନେ କରିବ ନାହିଁ । ଶ୍ରୀଶ୍ରୀମା’ ସହଜ କଣ୍ଠରେ କହିଲେ, ‘ଏ କି କଥା, ଯଦି ତୁମେ କହିଥାଅ, ସେଥିରେ ହେଲା କଅଣ ?‘ ଶ୍ରୀରାମକୃଷ୍ଣ ରାତିସାରା ଆଉ ଶୋଇପାରିଲେ ନାହିଁ । ତା’ ପରଦିନ ସକାଳେ ନହବତ୍କୁ ଯାଇ କହିଲେ, ‘ବୁଝିଲ, କାଲି ରାତିସାରା ଭାବି ଭାବି ନିଦ ହେଲା ନାହିଁ । କାହିଁକି ଏପରି ରୁକ୍ଷ କଥା ତୁମକୁ କହିଲି ?‘

ସେଇଥିପାଇଁ ଶ୍ରୀଶ୍ରୀମା’ ତାଙ୍କ ଭ୍ରାତୃଷ୍ପୁତ୍ରୀ ରାଧୁକୁ ଗର୍ବର ସହିତ କହିଥିଲେ, ‘ଆହା, ସେ (ଶ୍ରୀରାମକୃଷ୍ଣ) ମୋ ସହିତ କିପରି ବ୍ୟବହାର କରୁଥିଲେ ! ଦିନେ ହେଲେ ମୋ ମନରେ କଷ୍ଟ ହେଲାଭଳି କିଛି କହି ନାହାନ୍ତି । ଦେହରେ ଫୁଲଟିଏ ବାଜିଲେ ଯେତିକି କଷ୍ଟ ହୁଏ, ସେତିକି କଷ୍ଟ ମଧ୍ୟ ସେ ମୋତେ କେବେ ହେଲେ ଦେଇ ନାହାନ୍ତି । ଯେଉଁଥିରେ ମୋର ମଙ୍ଗଳ ହେବ, ସେହି ଚିନ୍ତା କେବଳ କରୁଥିଲେ ।‘ ଦେହସ୍ପର୍ଶ-ନିରପେକ୍ଷ ଏପରି ଦାମ୍ପତ୍ୟପ୍ରେମ ଜଗତରେ ବିରଳ ।

(୩)

୧୮୮୫ ମସିହା ଏପ୍ରିଲ୍ମାସ ଶେଷ ଆଡ଼କୁ ଶ୍ରୀରାମକୃଷ୍ଣଙ୍କର ଗଳକ୍ଷତ ରୋଗର ସୂତ୍ରପାତ ହୁଏ । ରୋଗର ଉପଶମ ହେବା ଆଶାରେ ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ କଲିକତା ସହରର ଶ୍ୟାମପୁକୁରକୁ ଓ ପରେ କାଶୀପୁର ଉଦ୍ୟାନବାଟୀକୁ ଅଣା ହେଲା । ଶ୍ରୀଶ୍ରୀମା’ ଆସି ପୂର୍ବପରି ପତିଙ୍କର ସେବାରେ ଆତ୍ମନିୟୋଗ କଲେ । ଥରେ ନିରୁପାୟ ହୋଇ ଶ୍ରୀଶ୍ରୀମା’ତାରକେଶ୍ୱର ମହାଦେବଙ୍କଠାରେ ଜଳସ୍ପର୍ଶ ନ କରି ତିନିଦନ ଧାରଣା ଦେଇ ପଡ଼ି ରହିଲେ; କିନ୍ତୁ କୌଣସି ଫଳ ହେଲା ନାହିଁ ।

ଶ୍ରୀରାମକୃଷ୍ଣ ଧୀରେ ଧୀରେ ମହାପ୍ରସ୍ଥାନ ପାଇଁ ପ୍ରସ୍ତୁତ ହେଲେ । ଦେହତ୍ୟାଗର କିଛିଦିନ ପୂର୍ବରୁ ସେ କଲିକତା ଆଡ଼କୁ ଶୀର୍ଣ୍ଣ ହାତ ଖଣ୍ଡିକ ବଢ଼ାଇ ଶ୍ରୀଶ୍ରୀମା’ଙ୍କୁ ସମ୍ବୋଧନ କରି କହିଲେ, ‘ଦେଖୁଛ, ଈଶ୍ୱରଙ୍କୁ ଭୁଲି ମଣିଷଗୁଡ଼ାକ କିପରି ଦୁଃଖ ଭୋଗ କରୁଛନ୍ତି, ପୋକମାଛି ପରି କଲବଲ ହେଉଛନ୍ତି । ତୁମେ ସେମାନଙ୍କୁ ଦେଖିବ ।‘

ଶ୍ରୀଶ୍ରୀମା’ ଅବନତ ମୁଖରେ କହିଲେ, ‘ମୁଁ ସ୍ତ୍ରୀଲୋକ, ମୁଁ କଅଣ କରିପାରିବି ?‘ ଶ୍ରୀରାମକୃଷ୍ଣ ସ୍ପଷ୍ଟ କଣ୍ଠରେ କହିଲେ, ‘ନା, ତୁମକୁ କରିବାକୁ ହେବ । ମୁଁ ଆଉ କଅଣ କରିଛି । ତା’ଠାରୁ ଅନେକ ବେଶୀ ତୁମକୁ କରିବାକୁ ହେବ । ସମସ୍ତ କାର୍ଯ୍ୟର ଭାର ତୁମ ଉପରେ ରହିଲା ।‘

ଏହିପରି ଭାବରେ ଜୀବୋଦ୍ଧାରର ଅସମାପ୍ତ କାର୍ଯ୍ୟର ଭାର ଶ୍ରୀସାରଦାଦେବୀଙ୍କ ଉପରେ ଅର୍ପଣ କରି ୧୮୮୬ ଖ୍ରୀଷ୍ଟାବ୍ଦ ଅଗଷ୍ଟ ୧୬ ତାରିଖ ରବିବାର ରାତି ପ୍ରାୟ ଗୋଟାଏ ବେଳେ ଇଷ୍ଟନାମ ଉଚ୍ଚାରଣ କରୁ କରୁ ଶ୍ରୀରାମକୃଷ୍ଣ ଧ୍ୟାନସ୍ଥ ହୋଇ ମହାସମାଧି ଲାଭ କଲେ । ଶ୍ରୀଶ୍ରୀମା’ ଏହି ଖବର ଶୁଣିବା ମାତ୍ରେ ଚିତ୍କାର କରି କାନ୍ଦି କାନ୍ଦି କହିଲେ, ‘ମୋର ମା’ କାଳୀ, କୁଆଡ଼େ ଗଲ ଗୋ !‘

ଶ୍ରୀରାମକୃଷ୍ଣଙ୍କ ଦେହ ଗଙ୍ଗାନଦୀ କୂଳରେ ଯଥାରୀତି ସତ୍କାର କରାଗଲା । ପରଦିନ ଶୋକାତୁରା ଶ୍ରୀଶ୍ରୀମା’ ବିଧବାବେଶ ଧାରଣ କଲେ । ଦେହର ଅନ୍ୟାନ୍ୟ ଆଭରଣ ତ୍ୟାଗ କରି ଯେତେବେଳେ ହାତର ବାଲାଟି କାଢ଼ିବାକୁ ଯାଉଛନ୍ତି, ସେତେବେଳେ ଶ୍ରୀରାମକୃଷ୍ଣ ତାଙ୍କୁ ଦର୍ଶନ ଦେଇ ହାତରୁ ବାଲା କାଢ଼ିବାକୁ ମନା କଲେ; କହିଲେ, ‘ହଇହେ, ମୁଁ କଅଣ କୁଆଡ଼େ ଯାଇଛି ? ଏ ଯେପରି ଏ ଘର ଆଉ ସେ ଘର । ତୁମେ ନିରାଭରଣା ହୁଅ ନାହିଁ । ତୁମେ ନିରାଭରଣା ହେଲେ ଜଗତର ମହା ଅକଲ୍ୟାଣ ହେବ ।‘

ଶ୍ରୀଶ୍ରୀମା’ ହାତରୁ ବାଲା ଓ ଗଳାରୁ ହାରଟି କାଢ଼ିଲେ ନାହିଁ । ସେ ଚିରସୀମନ୍ତିନୀ ହୋଇ ରହିଲେ । କେବଳ ପିନ୍ଧିଥିବା ଶାଢ଼ୀର ଧଡ଼ିଟି ଛିଣ୍ଡାଇ ଦେଇ ସରୁ ଧଡ଼ି କରି ସେହି ଶାଢ଼ୀ ପିନ୍ଧିଲେ । ଅବଶ୍ୟ ସଂପୂର୍ଣ୍ଣରୂପେ ବିଧବାବେଶ ଧାରଣ ନ କରିବା ହେତୁ ଶ୍ରୀଶ୍ରୀମା’ଙ୍କୁ ଜୟରାମବାଟୀ ଓ କାମାରପୁକୁର ଅଞ୍ଚଳରେ ନାନା ପ୍ରକାର ସାମାଜିକ ସମାଲୋଚନା ସହିବାକୁ ପଡ଼ିଥିଲା, ମାତ୍ର ସେ ପତିଙ୍କ ନିର୍ଦ୍ଦେଶକୁ ଯଥାର୍ଥ ମାନି ଚଳିଥିଲେ ।

ଶ୍ରୀରାମକୃଷ୍ଣଙ୍କର ଦେହାବସାନ ପରେ ଶ୍ରୀଶ୍ରୀମା’ ମଧ୍ୟ ଶରୀର ତ୍ୟାଗ କରିବାକୁ ସଂକଳ୍ପ କଲେ । ସେତେବେଳେ ଶ୍ରୀରାମକୃଷ୍ଣ ତାଙ୍କୁ ଦର୍ଶନ ଦେଇ କହିଲେ, ‘ନା, ତୁମକୁ ରହିବାକୁ ହେବ । ଆହୁରି ଅନେକ କାମ ବାକି ଅଛି । ତୁମେ ଯୋଗମାୟା ଆଶ୍ରୟ କରି ଆହୁରି କିଛିଦିନ ପୃଥିବୀରେ ରହ ।‘

ମାତ୍ର ଶ୍ରୀରାମକୃଷ୍ଣ ତାଙ୍କ ପ୍ରାଣରେ ଯେଉଁ ଶୂନ୍ୟତା ସୃଷ୍ଟି କରି ଚାଲିଗଲେ, ତାହା ଶ୍ରୀଶ୍ରୀମା’ଙ୍କ ପକ୍ଷରେ କ୍ରମଶଃ ଅସହନୀୟ ହେଲା । ଭକ୍ତଗଣ ପରାମର୍ଶ କରି ତାଙ୍କୁ ଶ୍ରୀବୃନ୍ଦାବନଧାମ ଦର୍ଶନ ପାଇଁ ପଠାଇଲେ । ତାଙ୍କ ସଙ୍ଗରେ ଗଲେ ଯୋଗେନ୍, କାଳୀ ଓ ଲାଟୁ ଇତ୍ୟାଦି ବାଳକ ଭକ୍ତମାନେ ଓ ଗୋଲାପ-ମା’, ଲକ୍ଷ୍ମୀ ଦିଦି ଓ ଅନ୍ୟାନ୍ୟ ସ୍ତ୍ରୀ-ଭକ୍ତମାନେ । ବାଟରେ ଦେଓଘର, କାଶୀ, ଅଯୋଧ୍ୟା ଦେଇ ବୃନ୍ଦାବନକୁ ଆସିଲେ ଓ ସେଠାରେ ବଳରାମବାବୁଙ୍କ ‘କାଲାବାବୁ କୁଞ୍ଜ’ ରେ ତପସ୍ୟାରତା ହେଲେ । ବ୍ରଜଧାମକୁ ଆସି ଶ୍ରୀଶ୍ରୀମା’ଙ୍କ ମନରେ ଶ୍ରୀରାଧିକାଙ୍କ ମହାବିରହର ଭାବ ଉଦ୍ରେକ ହେଲା । ଅଜସ୍ର ଲୋତକଧାରାରେ ସେ କାନ୍ଦୁଥାଆନ୍ତି । ଶ୍ରୀରାମକୃଷ୍ଣ ଦର୍ଶନ ଦେଇ କହିଲେ, ‘ତୁମେ ଏତେ କାନ୍ଦୁଛ କାହିଁକି ? ମୁଁ କଅଣ କୁଆଡ଼େ ଯାଇଛି ? ଏଇ ତ ମୁଁ ରହିଛି । ଏ ଘରରୁ ସେ ଘରକୁ ଯିବା ଛଡ଼ା ତ ଆଉ କିଛି ନୁହେଁ । ଏବେଠାରୁ ମୁଁ ସୂକ୍ଷ୍ମ ଦେହରେ ତୁମ ଭିତରେ ରହିବି ।‘ ଏହାପରେ ଘନ ଘନ ଶ୍ରୀରାମକୃଷ୍ଣଙ୍କର ଦର୍ଶନ ପାଇ ଶ୍ରୀଶ୍ରୀମା’ଙ୍କ ବିରହ-ଯନ୍ତ୍ରଣା ଶାନ୍ତ ହେଲା । ବୃନ୍ଦାବନରେ କେତେଥର ସେ ଏପରି ଗଭୀର ଧ୍ୟାନରେ ମଗ୍ନା ହୋଇଥିଲେ ଯେ ତାଙ୍କର ବାହ୍ୟ ଚେତନା ଫେରାଇ ଆଣିବା ପାଇଁ ତାଙ୍କ କାନରେ ବାରମ୍ବାର ଭଗବାନଙ୍କର ବିଭିନ୍ନ ନାମ ଶୁଣାଇବାକୁ ପଡ଼ିଥିଲା ।

ସେହି ସମୟରେ ଶ୍ରୀଶ୍ରୀମା’ ପ୍ରାୟ ବର୍ଷେକାଳ ବୃନ୍ଦାବନରେ କଠୋର ତପଶ୍ଚର୍ଯ୍ୟାରେ କଟାଇଥିଲେ । ସେ ସେବକ ସଙ୍ଗିନୀମାନଙ୍କୁ ନେଇ ସେଠାକାର ବିଭିନ୍ନ ମନ୍ଦିରାଦି ଦର୍ଶନ କଲେ ଏବଂ ବୃନ୍ଦାବନ ପରିକ୍ରମା କଲେ । ବୃନ୍ଦାବନକୁ ଯିବାର କେତେଦିନ ପରେ ପୁଣି ଶ୍ରୀରାମକୃଷ୍ଣ ମା’ଙ୍କୁ ଦର୍ଶନ ଦେଇ କହିଲେ, ‘ମୁ ଯୋଗେନ୍‌ଙ୍କୁ ମନ୍ତ୍ରଦୀକ୍ଷା ଦେଇ ନାହିଁ; ତୁମେ ତାହାକୁ ମନ୍ତ୍ର ଦିଅ ।‘ କି ମନ୍ତ୍ର ଦେବାକୁ ହେବ ତାହା ମଧ୍ୟ କହିଦେଲେ । ସେତେବେଳେ କିନ୍ତୁ ମା’ ଶୋକରେ ମୁହ୍ୟମାନା ହୋଇ ରହିଥିଲେ । ତେଣୁ ଶ୍ରୀରାମକୃଷ୍ଣ ତାହା ବୁଝିପାରି ଲାଗି ଲାଗି ତିନିଦିନ ତାହାଙ୍କୁ ଦର୍ଶନ ଦେଇ ଯୋଗେନ୍କୁ ଦୀକ୍ଷା ଦେବା କଥା କହିଲେ । ତା’ପରେ ଶ୍ରୀଶ୍ରୀମା’ ଦୀକ୍ଷା ଦେବା ସମ୍ବନ୍ଧରେ ମନ ସ୍ଥିର କଲେ । ଦିନେ ଶ୍ରୀରାମକୃଷ୍ଣଙ୍କର ଛବି ଓ ଦେହାବଶେଷ ରକ୍ଷିତ ଫରୁଆକୁ ପୂଜା କରୁଥିବା ସମୟରେ ତାଙ୍କର ଗଭୀର ଭାବାବେଶ ହେଲା । ସେହି ଅବସ୍ଥାରେ ସେ ଯୋଗେନ୍‌ଙ୍କୁ ମନ୍ତ୍ରଦୀକ୍ଷା ଦେଲେ ।

ଶ୍ରୀଶ୍ରୀମା’ ସାରଦା ଏହି ଭାବରେ ଶ୍ରୀରାମକୃଷ୍ଣଙ୍କ ଦ୍ୱାରା ଆଦିଷ୍ଟ ହୋଇ ଜୀବତ୍ରାଣ କାର୍ଯ୍ୟରେ ବ୍ରତୀ ହେଲେ । ଅମୃତ-ଗଙ୍ଗାର ପୂତଧାରା ପରି ଶ୍ରୀଶ୍ରୀମା’ଙ୍କ କୃପାବାରି କାଳକ୍ରମେ ଶତ ଶତ ପ୍ରାଣକୁ ସଞ୍ଜୀବିତ କରିଥିଲା । ଜୀବନର ଶେଷଦିନ ପର୍ଯ୍ୟନ୍ତ ସେ ଜୀବୋଦ୍ଧାର କରିଯାଇଛନ୍ତି ।

ବୃନ୍ଦାବନରୁ ଶ୍ରୀଶ୍ରୀମା’ ଭକ୍ତମାନଙ୍କୁ ନେଇ ହିମାଳୟ ପାଦ ଦେଶରେ ଅବସ୍ଥିତ ହରିଦ୍ୱାରକୁ ଯାଇ ବ୍ରହ୍ମକୁଣ୍ଡର ପବିତ୍ର ଜଳରେ ଶ୍ରୀରାମକୃଷ୍ଣଙ୍କ କେଶର କିୟଦଂଶ ଓ ନଖ ବିସର୍ଜନ ଦେଲେ । ତା’ପରେ ଜୟପୁର, ଆଜ୍ମୀର ପ୍ରଭୃତି ତୀର୍ଥଦର୍ଶନ କରି କ୍ରମେ ତୀର୍ଥରାଜ ପ୍ରୟାଗକୁ ଆସି ଗଙ୍ଗାଯମୁନା ସଙ୍ଗମରେ ଶ୍ରୀରାମକୃଷ୍ଣଙ୍କ କେଶ ବିସର୍ଜନ ଦେଲେ ଓ ସଙ୍ଗମରେ ସ୍ନାନ କରି କାମରାପୁକୁରସ୍ଥ ଶୂନ୍ୟ ଘରକୁ ଫେରି ଆସିଲେ ।

ଶ୍ରୀରାମକୃଷ୍ଣ ଦେହତ୍ୟାଗ ପୂର୍ବରୁ ଦିନେ ଶ୍ରୀଶ୍ରୀମା’ଙ୍କୁ କହିଥିଲେ, ‘କାମାରପୁକୁରର ଭିଟା ଏକାବେଳକେ ଛାଡ଼ି ଆସିବ ନାହିଁ । ସେଠାରେ ରହିବ, ଶାଗ ବୁଣିବ, ଶାଗଭାତ ଖାଇବ ଓ ହରିନାମ କରିବ ।‘ ଆଦର୍ଶ ସାତ୍ତ୍ୱିକ ଜୀବନଯାପନ କରିବା ପାଇଁ କି ସୁନ୍ଦର ନିର୍ଦ୍ଦେଶ ! ଆଉଥରେ ମଧ୍ୟ ସେ ମା’ଙ୍କୁ କହିଥିଲେ, ‘ଶୁଣ, କାହାରି ନିକଟରେ ହାତ ପତାଇବ ନାହିଁ, ଯେତେ ପାର ମୁକ୍ତହସ୍ତ ହେବ ।‘ ଅର୍ଥାତ୍ କାହାରି ନିକଟରେ ପ୍ରାର୍ଥୀ ହେବ ନାହିଁ, ଯେତେ ପାର ଦାନ କରି ଯିବ । ଅପରିଗ୍ରହିତା ଧର୍ମଲାଭର ସହାୟକ । ଶ୍ରୀଶ୍ରୀମା’ ଜୀବନର ଶେଷଦିନ ପର୍ଯ୍ୟନ୍ତ ପତିଙ୍କର ଉକ୍ତ ନିର୍ଦ୍ଦେଶ ଅକ୍ଷରେ ଅକ୍ଷରେ ପାଳନ କରିଥିଲେ । କାମାରପୁକୁରରେ ଏପରି ଦିନ ବିତିଛି, ଯେତେବେଳେ ସେ ବିନାଲୁଣରେ ଶାଗପଖାଳ ଖାଇ ଦିନ କଟାଇଛନ୍ତି । କାହାରି ନିକଟରେ ନିଜର ଅଭାବ କଥା କେବେ ହେଲେ ପ୍ରକାଶ କରି ନାହାନ୍ତି ।

କାମାରପୁକୁରରେ ଶ୍ରୀଶ୍ରୀମା’ କୃଚ୍ଛ୍ରସାଧନରେ ଦିନାତିପାତ କରୁଥିବା ଜାଣିପାରି ଭକ୍ତଗଣ ତାଙ୍କୁ କଲିକତାକୁ ଆଣି ଗଙ୍ଗାକୂଳସ୍ଥ ବେଲୁଡ଼ ଓ ଘୁସୁଡ଼ି ପ୍ରଭୃତି ସ୍ଥାନରେ ଘରଭଡ଼ା କରି ତାଙ୍କ ରହିବାର ବ୍ୟବସ୍ଥା କଲେ । ଶ୍ରୀଶ୍ରୀମା’ କଠୋର ତପସ୍ୟାରେ ବ୍ରତୀ ହେଲେ । ଏହି ସମୟରେ ସେ ସର୍ବଦା ସମାଧିସ୍ଥ ହୋଇ ରହୁଥିଲେ । ଦିନେ ଗଭୀର ଧ୍ୟାନ କରୁଛନ୍ତି-ଧ୍ୟାନଭଙ୍ଗ ପରେ ସଙ୍ଗିନୀମାନଙ୍କୁ କହିଲେ, ‘ଆଲୋ ଯୋଗେନ୍, ମୋର ହାତ କାହିଁ ? ମୋର ଗୋଡ଼ କାହିଁ ?‘ ସଂପୂର୍ଣ୍ଣ ଦେହଜ୍ଞାନବିରହିତ ଏହି ଉଚ୍ଚ ସମାଧି ପରେ ମଧ୍ୟ ଅନେକ ସମୟରେ ନାନାପ୍ରକାର ଜ୍ୟୋତି-ସମୁଦ୍ରରେ ତାଙ୍କର ମନ ବିଲୀନ ହୋଇ ରହୁଥାଏ । ଦିନେ ଗଭୀର ଧ୍ୟାନରୁ ବ୍ୟୁତ୍ଥିତ ହୋଇ କହିଲେ, ‘ଦେଖିଲି ବହୁ ଦୂରରେ ଥିବା ଏକ ରାଜ୍ୟକୁ ଚାଲିଯାଇଛି-ସେଠାରେ ସମସ୍ତେ ମୋତେ ଭାରି ଭଲ ପାଉଛନ୍ତି । ସେଠାରେ ମୋର କି ରୂପ ! ଶ୍ରୀଠାକୁର ମଧ୍ୟ ରହିଛନ୍ତି-ସେ କେତେ ଆଦର କରି ମୋତେ ତାଙ୍କ ପାଖରେ ବସାଇଲେ-ମୋର କେତେ ଯେ ଆନନ୍ଦ ହେଉଥିଲା କ’ଣ କହିବି ! ସେ ଆନନ୍ଦ ଭାଷାରେ ବ୍ୟକ୍ତ କରିପାରୁ ନାହିଁ । ଯେତେବେଳେ ମନ ତଳକୁ ଖସି ଆସିଲା, ଦେଖିଲି ଦେହଟା ପଡ଼ି ରହିଛି । ଭାବୁଥାଏ କିପରି ତାହା ଭିତରେ ପଶିବି ? କିଛି ସମୟ ପରେ ମୋ ଦେହରେ ଚେତା ଫେରିଆସିଲା ।‘

ବେଲୁଡ଼ରେ ଶ୍ରୀଶ୍ରୀମା’ ପଞ୍ଚତପା ସାଧନ କଲେ । ସେଠାରେ ନୀଳାମ୍ବର ମୁଖାର୍ଜିଙ୍କ ଭଡ଼ାଘରେ ତପସ୍ୟା କଲାବେଳେ ଶ୍ରୀଶ୍ରୀମା’ଙ୍କର ଅତି ଆଶ୍ଚର୍ଯ୍ୟଜନକ ଏକ ଦର୍ଶନ ହୋଇଥିଲା । ଉଦ୍ୟାନଗୃହ ସମ୍ମୁଖରେ ଗଙ୍ଗା ପ୍ରବାହିତ । ଶ୍ରୀଶ୍ରୀମା’ ଦେଖିଲେ ଶ୍ରୀଠାକୁର ପାହାଚ ଦେଇ ନଦୀକୁ ଓହ୍ଲାଇଗଲେ ଏବଂ ତତ୍କ୍ଷଣାତ୍ ତାଙ୍କ ଦେହ ଗଙ୍ଗାବାରି ସହିତ ମିଶିଗଲା । ଶ୍ରୀରାମକୃଷ୍ଣ ଓ ଗଙ୍ଗା ଏକ ହୋଇଗଲେ । ଏଣେ ସ୍ୱାମୀ ବିବେକାନନ୍ଦ ‘ଜୟ ରାମକୃଷ୍ଣ, ଜୟ ରାମକୃଷ୍ଣ‘ କହି କହି ସେହି ଗଙ୍ଗାଜଳ ଆଞ୍ଜୁଳା ଆଞ୍ଜୁଳା ନେଇ ଅଗଣିତ ନରନାରୀଙ୍କ ମସ୍ତକ ଉପରେ ଛିଞ୍ଚିବାକୁ ଲାଗିଲେ । ଏବଂ ସେହି ବ୍ରହ୍ମବାରି ସ୍ପର୍ଶରେ ସମସ୍ତେ ମୁକ୍ତ ହେବାକୁ ଲାଗିଲେ । ଏହି ଦିବ୍ୟ ଦର୍ଶନ ଶ୍ରୀଶ୍ରୀମା’ଙ୍କ ମନରେ ଏପରି ଗଭୀର ରେଖାପାତ କରିଥିଲା ଯେ ସେ କେତେଦିନ ଯାଏ ଗଙ୍ଗାରେ ପ୍ରବେଶ କରି ଅବଗାହନ କରିପାରିଲେ ନାହିଁ । କହିଲେ, ‘ଏହା ଶ୍ରୀଠାକୁରଙ୍କ ଦେହ, ଏଥିରେ କିପରି ପାଦ ଦେବି !‘

ଏହିପରି ଭାବରେ ବିଭିନ୍ନ ସ୍ଥାନରେ ଦୀର୍ଘକାଳ ତପସ୍ୟାରତ ରହିବା ପରେ ଶ୍ରୀଶ୍ରୀମା’ଙ୍କ ଅନ୍ତରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରିବାର ଦୁର୍ବାର ଆକର୍ଷଣ ଅନୁଭୂତ ହେଲା । ଭକ୍ତମାନେ ତାଙ୍କର ଇଚ୍ଛା ଜାଣିପାରି ଶ୍ରୀଜଗନ୍ନାଥ-କ୍ଷେତ୍ରକୁ ତୀର୍ଥଯାତ୍ରା କରିବା ପାଇଁ ଆୟୋଜନ କରିବାରେ ଲାଗିଲେ ।

ଶ୍ରୀଜଗନ୍ନାଥକ୍ଷେତ୍ରର ଆଧ୍ୟାତ୍ମିକ ପରିବେଶକୁ ଶ୍ରୀଶ୍ରୀମା’ ଏତେ ଉଚ୍ଚଭାବୋଦ୍ଦୀପକ ବୋଲି ମନେ କରୁଥିଲେ ଯେ ସେ ସର୍ବମୋଟ ତିନି ଚାରିଥର ଶ୍ରୀକ୍ଷେତ୍ରକୁ ଆସିଥିଲେ ଏବଂ ପୁରୀକ୍ଷେତ୍ର ଅନ୍ତର୍ଗତ ସାକ୍ଷୀଗୋପାଳ, ଭୁବନେଶ୍ୱର, ଉଦୟଗିରି ଓ ଖଣ୍ଡଗିରି ପ୍ରଭୃତି ଦର୍ଶନ କରିଥିଲେ ଏବଂ ଶ୍ରୀକ୍ଷେତ୍ରକୁ ଯିବା ପଥରେ କଟକ, ବାଲେଶ୍ୱର, ଭଦ୍ରକ ଓ କୋଠାରରେ ବାସ କରିଥିଲେ ।

ଏହାର କେତେବର୍ଷ ପରେ ଶ୍ରୀଶ୍ରୀମା’ ବୃଦ୍ଧା ଗର୍ଭଧାରିଣୀ ଓ ନିକଟ ଆତ୍ମୀୟବର୍ଗଙ୍କୁ ନେଇ କାଶୀ, ବୃନ୍ଦାବନ ଓ ଶ୍ରୀକ୍ଷେତ୍ର ପ୍ରଭୃତି ତୀର୍ଥସ୍ଥାନଗୁଡ଼ିକରେ ତିନିମାସରୁ ଅଧିକ କାଳ ରହିଥିଲେ । ସେ କହୁଥିଲେ, ‘କାହାରି ଋଣ ରଖିବା ଉଚିତ୍ ନୁହେଁ । -ମା’ଙ୍କ ପ୍ରତି ସମସ୍ତଙ୍କର କର୍ତ୍ତବ୍ୟ ଅଛି ।‘ ଶ୍ରୀଶ୍ରୀମା’ ପିତୃଋଣ, ମାତୃଋଣ, ଦେବଋଣ, ଆତ୍ମୀୟସ୍ୱଜନ, ପ୍ରତିବେଶୀ ଓ ଭକ୍ତ ପ୍ରଭୃତି ସମସ୍ତଙ୍କର ଋଣ ପରିଶୋଧ କରିଯାଇଛନ୍ତି । ସମସ୍ତଙ୍କ ପ୍ରତି କର୍ତ୍ତବ୍ୟପାଳନ କରି ସେ ସମାଜବଦ୍ଧ ମାନବ ସମ୍ମୁଖରେ ଗାର୍ହସ୍ଥ୍ୟ ଧର୍ମର ଏକ ନୂତନ ଆଦର୍ଶ ରଖିଯାଇଛନ୍ତି । ଆଦର୍ଶ କନ୍ୟା, ଭଗ୍ନୀ, ଜାୟା, ପ୍ରତିବେଶିନୀରୂପେ, ମାତା ଓ ଗୁରୁରୂପେ ଏବଂ ଦୟା-କରୁଣା-ସେବା-ସାନ୍ତ୍ୱନାରୂପେ, ସ୍ନେହ-ମମତା-ଭକ୍ତି-ମୁକ୍ତି ଓ କ୍ଷମାରୂପେ ଜଗତ ଶ୍ରୀସାରଦା ଦେବୀଙ୍କୁ ଏ ଯୁଗରେ ପାଇଅଛି ।

(୪)

ଶ୍ରୀରାମକୃଷ୍ଣଙ୍କର ଦେହାବସାନ ପରେ ଶ୍ରୀସାରଦାଦେବୀଙ୍କୁ କେନ୍ଦ୍ରକରି ସମଗ୍ର ଭାରତରେ ଆଧ୍ୟାତ୍ମିକ ଜାଗରଣ ଓ ପ୍ରବଳ ଧର୍ମୀୟ ଆନ୍ଦୋଳନ ରୂପ ନେଇଥିଲା । ଶ୍ରୀଶ୍ରୀମା’ ଯେଉଁଠାକୁ ଯାଉଥିଲେ ଶତ ଶତ ଧର୍ମ-ପିପାସୁ ତାଙ୍କ ନିକଟକୁ ଧର୍ମଲାଭ କରିବା ପାଇଁ ଆସୁଥିଲେ । ସେ ମଧ୍ୟ ଅକ୍ଳାନ୍ତ ଭାବରେ ଜାତି ଧର୍ମ ନିର୍ବିଶେଷରେ ନରନାରୀ, ବୃଦ୍ଧବୃଦ୍ଧା, ବାଳକବାଳିକା, ପାପୀତାପୀ ସମସ୍ତଙ୍କୁ ଧର୍ମଦାନ କରିବାକୁ ଲାଗିଲେ ।

ଦୁର୍ଗମ ଜୟରାମବାଟୀକୁ ଅନେକ ଲୋକ ଯାଇପାରୁ ନଥିଲେ । ତେଣୁ ସ୍ୱାମୀ ସାରଦାନନ୍ଦ ଶ୍ରୀଶ୍ରୀମା’ ରହିବା ପାଇଁ କଲିକତାର ବାଗବଜାରରେ ଗୋଟିଏ ଘର ନିର୍ମାଣ କଲେ । ୧୯୦୯ ମସିହାଠାରୁ ଏହି ଗୃହକୁ କେନ୍ଦ୍ରକରି ସମଗ୍ର ଭାରତ ଓ ଦେଶ ଦେଶାନ୍ତରରୁ ଭକ୍ତବୃନ୍ଦ ଶ୍ରୀଶ୍ରୀମା’ଙ୍କ ଚରଣପ୍ରାନ୍ତରେ ସମବେତ ହେବାକୁ ଲାଗିଲେ । ସେ ମଧ୍ୟ ଶ୍ରୀରାମକୃଷ୍ଣଙ୍କର ଶେଷ ଆଦେଶକୁ ମନରେ ରଖି ଜୀବତ୍ରାଣ କାର୍ଯ୍ୟରେ ସର୍ବତୋଭାବେ ଆତ୍ମନିୟୋଗ କଲେ । ଶ୍ରୀରାମକୃଷ୍ଣଙ୍କର ଭାବଧାରା ପ୍ରଚାର ପାଇଁ ମଝିରେ ମଝିରେ ଓଡ଼ିଶା, ମାନ୍ଦ୍ରାଜ ଓ ଉତ୍ତରପ୍ରଦେଶର ବହୁସ୍ଥାନକୁ ସେ ଯାଇଥିଲେ ଏବଂ ଗୟା, କାଶୀ, ବୃନ୍ଦାବନ, ପୁରୀ, ରାମେଶ୍ୱର ପ୍ରଭୃତି ଅନେକ ତୀର୍ଥ ପର୍ଯ୍ୟଟନ କରିଥିଲେ । ସେ ବକ୍ତୃତା, ଧର୍ମପ୍ରବଚନାଦି ଦ୍ୱାରା ଧର୍ମପ୍ରଚାର କରୁ ନ ଥିଲେ । ତାଙ୍କର ଅବସ୍ଥିତି ମାତ୍ରେ ଲୋକଙ୍କ ପ୍ରାଣରେ ଧର୍ମଭାବ ଉଦ୍ବୁଦ୍ଧ ହେଉଥିଲା । ସେ ଲଜ୍ଜାପଟାବୃତା ହୋଇ ରହୁଥିଲେ । ସ୍ତ୍ରୀଲୋକଙ୍କ ବ୍ୟତୀତ ଅନ୍ୟମାନଙ୍କ ସହିତ ସେ କେବେ ହେଁ କଥାବାର୍ତ୍ତା କରୁ ନ ଥିଲେ । ଏପରିକି ସ୍ୱାମୀ ବିବେକାନନ୍ଦ ପ୍ରଭୃତି ତାଙ୍କର ସନ୍ନ୍ୟାସୀ ସନ୍ତାନମାନେ ମଧ୍ୟ କେବେ ହେଁ ତାଙ୍କର ଶ୍ରୀମୁଖଦର୍ଶନ କରିବାର ସୁଯୋଗ ପାଇ ନାହାନ୍ତି । ତାଙ୍କର ଶ୍ରୀପାଦପଦ୍ମଦର୍ଶନ ଓ ପ୍ରଣାମ କରିବାରେ ହିଁ ସେମାନଙ୍କର ଅନ୍ତର ତୃପ୍ତ ହେଉଥିଲା ।

ବିବାହର ବହୁବର୍ଷ ବିତିଗଲା ପରେ ମଧ୍ୟ ଶ୍ରୀସାରଦାଦେବୀଙ୍କର ସନ୍ତାନାଦି ହେଉ ନାହିଁ ଦେଖି ତାଙ୍କର ମାତା ଶ୍ୟାମାସୁନ୍ଦରୀ ଥରେ ଜୟରାମବାଟୀରେ ଜାମାତାଙ୍କୁ ଶୁଣାଇ ଦୁଃଖ କରି କହିଲେ, ‘ଏପରି ପାଗଳ ଜୋଇଁ ସହିତ ମୋର ସାରଦାର ବାହାଘର ହେଲା ! ଆହା ! ଘରସଂସାର ତ କଲା ନାହିଁ । ଛୁଆପିଲା ବି ହେଲା ନାହିଁ; ସେ କେବେ ମା’ ଡାକ ଶୁଣିଲା ନାହିଁ ।‘ ଶ୍ରୀରାମକୃଷ୍ଣଦେବ ଏହା ଶୁଣି କହିଥିଲେ, ‘ଶାଶୁଠାକୁରାଣୀ ! ସେଥିପାଇଁ ଦୁଃଖ କରନ୍ତୁ ନାହିଁ । ଆପଣଙ୍କ ଝିଅର ଏତେ ସନ୍ତାନ ହେବ ଯେ ଶେଷରେ ଦେଖିବେ ମା’ ମା’ ଡାକରେ ସେ ଅସ୍ଥିର ହୋଇଯିବ ।‘ ଶ୍ରୀରାମକୃଷ୍ଣଙ୍କର ଏହି ଭବିଷ୍ୟତବାଣୀ ଅକ୍ଷରେ ଅକ୍ଷରେ ସତ୍ୟ ହୋଇଅଛି । ଶ୍ରୀସାରଦାଦେବୀ ଯଦି ଗୋଟିଏ ଦୁଇଟି ସନ୍ତାନର ମାଆ ହୋଇଥାଆନ୍ତେ, ତାହାହେଲେ କଅଣ ସେ ଆଜି ବିଶ୍ୱଜନନୀ ହୋଇପାରିଥାଆନ୍ତେ ! ସମସ୍ତେ କ’ଣ ତାଙ୍କର ସ୍ନେହମୟ ଅଭୟ କୋଳରେ ସ୍ଥାନ ପାଇଥାଆନ୍ତେ !!

ଶ୍ରୀଶ୍ରୀମା’ଙ୍କ ମଧ୍ୟରେ ବିଶ୍ୱମାତୃତ୍ୱର ବିକାଶ ସମସ୍ତଙ୍କୁ ଚମତ୍କୃତ କରେ । ଥରେ ସେ କହିଥିଲେ, ‘ମୁଁ ସତ୍ଲୋକର ମା’, ଅସତ୍ଲୋକର ବି ମା’ ।‘ ଆମଜାଦ୍ ମିଆଁ ଦୁର୍ଦ୍ଦାନ୍ତ ଚୋର ଓ ଡକାୟତ । ଶ୍ରୀଶ୍ରୀମା’ଙ୍କ କୃପାରେ ତାହାର ଜୀବନରେ ପରିବର୍ତ୍ତନ ଦେଖି ଗାଁର ଲୋକମାନେ କୁହାକୁହି ହେଉଥାଆନ୍ତି, ‘ମା’ଙ୍କ କୃପାରେ ଡକାୟତଗୁଡ଼ାକ ବି ଭକ୍ତ ହୋଇଗଲେ ହୋ !‘ ତେଲୋଭେଲୋ ପଡ଼ିଆରେ ଖୁନୀ ଡକାୟତ ସର୍ଦ୍ଦାରକୁ ଶ୍ରୀଶ୍ରୀମା’ କୃପା କରି କାଳୀରୂପେ ଦର୍ଶନ ଦେଇଥିଲେ । ଭକ୍ତ ଡକାୟତ ତାହାର ଡକାୟତି ପେଶା ଛାଡ଼ି ଭକ୍ତ ହୋଇଥିଲା । ଖ୍ରୀଷ୍ଟିଆନ ପାଶ୍ଚାତ୍ୟ ମହିଳା ନିବେଦିତାଙ୍କୁ ଶ୍ରୀଶ୍ରୀମା’, ନିଜ କୋଳକୁ ଟାଣିନେଇ ହିନ୍ଦୁ ସମାଜରେ ସ୍ଥାନ ଦେଲେ । ନିବେଦିତାଙ୍କ ଦ୍ୱାରା ଆନୀତ ଦ୍ରବ୍ୟଗୁଡ଼ିକୁ ଗ୍ରହଣ କରି, ତାଙ୍କୁ ଦେବସେବାର ଅଧିକାର ଦେଇ ହିନ୍ଦୁଧର୍ମରେ ଦୀକ୍ଷିତ କଲେ ।

ଶ୍ରୀସାରଦାଦେବୀଙ୍କର ଏହି ଐଶୀମାତୃତ୍ୱର ପ୍ରଭାବ ଜାତି, ଧର୍ମ ଓ ଭାଷାର ସୀମାରେଖା ଅତିକ୍ରମ କରି ଆଗେଇ ଚାଲିଛି । ଆଜି ଦେଶଦେଶାନ୍ତରରୁ ଆସୁଥିବା ଅଗଣିତ ନରନାରୀଙ୍କ ଅନ୍ତରରେ ଶ୍ରୀସାରଦାଦେବୀ ମାଆ’ଙ୍କ ଆସନ ଲାଭ କରିଛନ୍ତି । ଏହି ମାତୃତ୍ୱ ନିକଟରେ ଧନୀ, ନିର୍ଦ୍ଧନ, ପଣ୍ଡିତ, ମୂର୍ଖ, ସନ୍ନ୍ୟାସୀ, ଗୃହସ୍ଥ, ହିନ୍ଦୁ, ମୁସଲମାନ-ଏପରିକି ସଜ୍ଜନ, ଦୁର୍ଜନର ଭେଦବିଚାର ନ ଥିଲା । ଯିଏ ଥରେ ମାତ୍ର ତାଙ୍କୁ ମା’ ବୋଲି ଡାକିଛି ସେ ତାକୁ ଅଭୟ କୋଳରେ ସ୍ଥାନ ଦେଇଛନ୍ତି ।

ଜଣେ କୁଳବଧୂ ଅନ୍ୟର ପ୍ରରୋଚନାରେ ପଡ଼ି ପଦÕଳିତ ହୋଇଥିଲେ । ପରେ ସେ ନିଜର ଭୁଲ ବୁଝିପାରି ଅନୁତପ୍ତ ହୋଇ ମା’ଙ୍କ ପାଖକୁ ଆସିଲେ ଶ୍ରୀଶ୍ରୀମା’ଙ୍କ ଚରଣତଳେ ଆଶ୍ରୟ-ଶାନ୍ତି ପାଇବା ପାଇଁ । ଶ୍ରୀଶ୍ରୀମା’ଙ୍କ ଚରଣସ୍ପର୍ଶ କରିବାକୁ କୁଣ୍ଠିତା ହୋଇ ମା’ଙ୍କ ରହିବା ଘରର ଦୁଆର ମୁହଁରେ ଠିଆହୋଇ କାନ୍ଦି କାନ୍ଦି ନିଜର ପାପକାହାଣୀ ପ୍ରକାଶ କରି ସେ କହିଲେ, ‘ମା’, ମୋର କଅଣ ଉପାୟ ହେବ ? ଆପଣଙ୍କ ଏହି ପବିତ୍ର ମନ୍ଦିର ମଧ୍ୟରେ ପ୍ରବେଶ କରିବାର ଅଧିକାରରୁ ମୁଁ ବଞ୍ଚିତ, ସେ ଅଧିକାର ପାଇବା ପାଇଁ ମୋର ଯୋଗ୍ୟତା ନାହିଁ ।‘ ଏକଥା ଶୁଣି ଶ୍ରୀଶ୍ରୀମା’ଙ୍କ ମନରେ ଭାବାନ୍ତର ଉପସ୍ଥିତ ହେଲା । ସେ ଦୁଇପାହୁଣ୍ଡ ଆଗେଇଯାଇ ମହିଳାଟିକୁ କୁଣ୍ଢାଇ ପକାଇ ଅତି ଆଦର ଓ ସ୍ନେହ ଗଦ୍ଗଦ କଣ୍ଠରେ କହିଲେ, ‘ଆସ, ମା’, ଘର ଭିତରକୁ ଆସ । ଯେତେବେଳେ ତୁମେ ନିଜର ଦୋଷ ଉପଲ୍ବଧି କରିଛ, ଅନୁତପ୍ତ ହୋଇଛ, ସେଥିରେ ଆଉ ଦୁଃଖ କରିବାର କଅଣ ଅଛି ? ଆସ ମୁଁ ତୁମକୁ ମନ୍ତ୍ର ଦେବି । ଠାକୁରଙ୍କ ଚରଣରେ ସବୁ ଅର୍ପଣ କରିଦିଅ, ଭୟ କଅଣ ?‘

ଶ୍ରୀଶ୍ରୀମା’ ସେହି ପତିତାର କାନରେ ତାରକ-ବ୍ରହ୍ମ-ମହାମନ୍ତ୍ର ଶୁଣାଇଲେ । ଥରେ ମା’ କହିଥିଲେ, ‘ମୋର ସନ୍ତାନ ଯଦି ଧୂଳି କାଦୁଅ ବୋଳି ହୋଇଥାଏ, ମୋତେ ତ ପୁଣି ତାକୁ ଧୋଇ ସଫା କରି କୋଳକୁ ନେବାକୁ ହେବ ।‘
ଅନ୍ୟ ଏକ ଭକ୍ତର ଉତ୍ତରରେ ଶ୍ରୀଶ୍ରୀମା କହିଥିଲେ ‘ବାବା, ଜାଣ ତ, ଜଗତର ପ୍ରତ୍ୟେକ ପ୍ରାଣୀ ଉପରେ ତାଙ୍କର (ଶ୍ରୀରାମକୃଷ୍ଣଙ୍କର) ମାତୃଭାବ ଥିଲା । ସେଥିପାଇଁ ଜଗତରେ ମାତୃଭାବର ବିକାଶ ପାଇଁ ମୋତେ ଏଥର ରଖିଦେଇ ଯାଇଛନ୍ତି ।‘ ଶ୍ରୀସାରଦାଦେବୀଙ୍କ ମଧ୍ୟରେ ଯେଉଁ ମାତୃତ୍ୱର ବିକାଶ ହୋଇଥିଲା, ତାହାର ତୁଳନା ନାହିଁ । ନିବେଦିତା ମଧ୍ୟ ଲେଖିଛନ୍ତି-‘କିଏ ତୁମେ । ମୋର ପ୍ରାର୍ଥନାବେଳେ ମେରୀଙ୍କ ସ୍ଥାନରେ ଆବିର୍ଭୂତା ହୁଅ !!‘

ଅଗଣିତ ଭକ୍ତ ଶ୍ରୀଶ୍ରୀମାଙ୍କ ନିକଟରୁ ମନ୍ତ୍ରଦୀକ୍ଷା ପାଇବା ପୂର୍ବରୁ ତାହାଙ୍କୁ ସ୍ୱପ୍ନରେ ବା ଧ୍ୟାନ କଲାବେଳେ ଦେବୀମୂର୍ତ୍ତିରୂପେ ଦର୍ଶନଲାଭ କରୁଥିଲେ । ଜନୈକ ଭାଗ୍ୟବାନ ଦୀକ୍ଷିତ ସନ୍ତାନକୁ ସେ କହିଥିଲେ, ‘ବାବା, ଠାକୁରଙ୍କୁ ଓ ମୋତେ ଅଭେଦ ଭାବରେ ଦେଖିବ, ଆମେ ଦୁଇଜଣ ଏକ ।‘ ସେ ସବୁ ସନ୍ତାନମାନଙ୍କ ଭାର ଗ୍ରହଣ କରି କହିଥିଲେ, ‘ମୁଁ ଯଦି ଠାକୁରଙ୍କ ପାଖକୁ ଯାଏ ତେବେ ତୁମ୍ଭେମାନେ ନିଶ୍ଚୟ ଯିବ ।‘ କରୁଣାମୟୀ ମା’ ଆଉଥରେ ନିଜ ସମ୍ବନ୍ଧରେ ଇଙ୍ଗିତଦ୍ୱାରା ଜଣାଇଥିଲେ, ‘ଦେଖ ମା’, ଏହି ଶରୀରକୁ (ନିଜର ଦେହକୁ ଦେଖାଇ) ଦେବ-ଶରୀର ଜାଣିବ । ମୁଁ ଥିବା ପର୍ଯ୍ୟନ୍ତ ଏକଥା କେହି ଜାଣିପାରିବେ ନାହିଁ, ପରେ ବୁଝିବେ ।‘ ଶ୍ରୀସାରଦାଦେବୀଙ୍କ ମଧ୍ୟରେ ମାନବୀ ଓ ଦେବୀଭାବର ଅପୂର୍ବ ମିଶ୍ରଣ ଜଗତକୁ ସ୍ତମ୍ଭୀଭୂତ କରିଅଛି । ନିବେଦିତା ଲେଖିଛନ୍ତି- ‘ନାରୀର ଆଦର୍ଶ ସମ୍ବନ୍ଧରେ ସାରଦାଦେବୀ ଶ୍ରୀରାମକୃଷ୍ଣଙ୍କର ଶେଷ କଥା ।‘

ଶ୍ରୀଶ୍ରୀମା ଥିଲେ ‘ପୁରାତନ’ ର ଶେଷ ଅଭିବ୍ୟକ୍ତି ଓ ‘ନୂତନ’ର ସାର୍ଥକ ସୂଚନା । ତାଙ୍କର ଜୀବନ ଉମା, ସୀତା, ସାବିତ୍ରୀ ଓ ଶ୍ରୀରାଧାଙ୍କ ଚରିତ୍ରର ଏକ ଅପୂର୍ବ ସଙ୍ଗମ । ପୁଣି ଗୋପା, ମୀରା ଓ ବିଷ୍ଣୁପ୍ରିୟାଙ୍କ ଜୀବନସାଧନା ମଧ୍ୟ ତାଙ୍କ ଭିତରେ ମୂର୍ତ୍ତ ହୋଇଥିବାର ଦେଖିବାକୁ ମିଳେ । ତାଙ୍କର ଜୀବନକୁ କେନ୍ଦ୍ର କରି ବର୍ତ୍ତମାନ ପୁଣି ସୀତା, ସାବିତ୍ରୀ, ଗାର୍ଗୀ ଓ ମୈତ୍ରେୟୀ ବାହାରିବେ-ଏହା ହିଁ ଥିଲା ସ୍ୱାମୀ ବିବେକାନନ୍ଦଙ୍କ ଭବିଷ୍ୟତ ବାଣୀ ।

(୫)

କୃପାର ପ୍ଳାବନ ଆସିଥିଲା ଶ୍ରୀସାରଦାଦେବୀଙ୍କ ପ୍ରାଣରେ । ସେହି ତରଙ୍ଗ ନିର୍ବିଚାରରେ ସବୁ କିଛି ଭସାଇ ନେଇଥିଲା । କ୍ରମେ ୧୯୧୮ ମସିହା ସମାଗତ ହେଲା । ଶ୍ରୀଶ୍ରୀମା’ଙ୍କ ମନ ଅନେକ ସମୟରେ ଦିବ୍ୟ ଭାବଭୂମିରେ ଆରୂଢ଼ ହୋଇ ରହୁଥାଏ । ଏଣେ ପ୍ରାୟ ଜ୍ୱର ଲାଗି ରହିଥାଏ, ଦେହ ଅତ୍ୟନ୍ତ ଦୁର୍ବଳ ଓ ଶୀର୍ଣ୍ଣ: ଏବେ ଆହୁରି ଅନେକ ରୋଗ ଦେଖା ଦେଇଛି । ଜନୈକ ଭକ୍ତର ପ୍ରଶ୍ନର ଉତ୍ତରରେ ଶ୍ରୀଶ୍ରୀମା’ କହିଲେ, ‘କେତେ ଲୋକ କେତେ କଅଣ (ପାପ କାମ) କରି ମୋ ପାଖକୁ ଆସନ୍ତି । ସମସ୍ତଙ୍କର ପାପର ଭାର ମୋତେ ବହନ କରିବାକୁ ହେଉଛି । ସେଥିପାଇଁ ତ ମୁଁ ଏପରି ଅସୁସ୍ଥ । ଏ ଦେହ କୌଣସି ପାପ କରି ନାହିଁ । ପାଞ୍ଚବର୍ଷ ବୟସରୁ ଶ୍ରୀଠାକୁରେ ମୋର ହାତ ଧରିଛନ୍ତି ।‘ ଏପରି ଅସୁସ୍ଥ ଥାଇ ମଧ୍ୟ ଦୀକ୍ଷା ପ୍ରାର୍ଥୀ କେହି ଆସିଲେ କାହାରିକୁ ସେ ଫେରାଉ ନ ଥିଲେ । ସେବକମାନେ ନିଷେଧ କଲେ ସୁଦ୍ଧା ସେ ଶୁଣୁ ନ ଥିଲେ । କହୁଥିଲେ, ‘ତୁମ୍ଭେମାନେ ସେସବୁ ବିଷୟ କଅଣ ବୁଝିବ ? ଆମମାନଙ୍କର ଏଇଥିପାଇଁ ତ ଏହି ପୃଥିବୀକୁ ଆସିବା । ମୁଁ ତାକୁ ଶ୍ରୀଠାକୁରଙ୍କ ନାମ ଦେବି ।‘

ସମସ୍ତେ ତ ଆଉ ମୁକ୍ତିକାମୀ ହୋଇ ଆସନ୍ତି ନାହିଁ । କେତେ ଲୋକ କାମନା ବାସନା ନେଇ ଆସନ୍ତି । ତେଣୁ ସମସ୍ତଙ୍କୁ ଧର୍ମ, ଅର୍ଥ, କାମ, ମୋକ୍ଷ, ଏହି ଚତୁବର୍ଗ ଫଳ ଦେଇ ସେମାନଙ୍କର ମନୋବାଞ୍ଛା ପୂର୍ଣ୍ଣ କରୁଥିଲେ । ଏହି ଦୀକ୍ଷାଦାନ ପ୍ରସଙ୍ଗରେ ସେ ଜନୈକ ଭକ୍ତ ସନ୍ତାନକୁ କହିଥିଲେ, ‘ମୋର ଯାହା କରିବାର କଥା ମୁଁ ତାହା ସେହି ସମୟରେ (ଅର୍ଥାତ୍ ଦୀକ୍ଷାଦାନ ସମୟରେ) କରି ଦେଇଛି । ଯଦି ତୁମେ ସଦ୍ୟ ଶାନ୍ତି ଚାହଁ, ତେବେ ସାଧନ ଭଜନ କର । ଦେହାନ୍ତରେ ମୁକ୍ତି ନିଶ୍ଚୟ ହେବ । ଶେଷ ସମୟରେ ଶ୍ରୀଠାକୁର ହାତ ଧରି ନେଇ ଯିବେ ।‘

ସାଧନ ଭଜନ ସମ୍ବନ୍ଧରେ ଅନେକ ଦୀକ୍ଷିତ ସନ୍ତାନଙ୍କୁ ମା’ କହିଥିଲେ, ‘ତୁମକୁ କିଛି କରିବାକୁ ହେବ ନାହିଁ । ତୁମ ପାଇଁ ଯାହା କରିବାକୁ ହେବ ତାହା ମୁଁ କରିବି ।‘

ଦିନେ କୌଣସି ଏକ ସେବକ ହଠାତ୍ ରାତିରେ ନିଦ ଭାଙ୍ଗିବା ମାତ୍ରେ ଦେଖନ୍ତି ଯେ ଶ୍ରୀଶ୍ରୀମା’ ବସି ମାଳି ଜପୁଛନ୍ତି । ଉକ୍ତ ସେବକ ବ୍ୟଗ୍ର ହୋଇ ନିବେଦନ କଲେ, ‘ମା’ ଏତେ ରାତି ହେଲାଣି; ଆପଣ ଶୋଇନାହାନ୍ତି । ଏ ପର୍ଯ୍ୟନ୍ତ ବସି ରହିଛନ୍ତି ?‘ ତାହାର ଉତ୍ତରରେ ମା’ ଧୀରେ ଧୀରେ କହିଲେ, ‘ବାପା, ଶୋଇବି କଅଣ ? ମୋ ଆଖିରେ କ’ଣ ନିଦ ଅଛି ? ଏଠାରୁ ଦୀକ୍ଷାର୍ଥୀମାନେ ତ ଦୀକ୍ଷା ନେଇ ଯାଆନ୍ତି, କିନ୍ତୁ କିଛି କରନ୍ତି ନାହିଁ; ତେଣୁ ପିଲାମାନଙ୍କ ପାଇଁ କିଛି କରୁଛି, ଆଉ ଠାକୁରଙ୍କୁ ଜଣାଉଛି, ‘ହେ ଠାକୁର ! ଏମାନଙ୍କ ଇହକାଳ ଓ ପରକାଳର କଲ୍ୟାଣ କର ।’ କେତେ ଲୋକ ଅବା ତାଙ୍କୁ ବାସ୍ତବିକ ଚାହାଁନ୍ତି !‘ ଶ୍ରୀଶ୍ରୀମା’ଙ୍କର ସନ୍ତାନମାନଙ୍କ ପାଇଁ କି ଅଶେଷ ବ୍ୟାକୁଳତା ! ସେମାନଙ୍କର କଲ୍ୟାଣ ପାଇଁ ରାତି ରାତି ଧରି ଜପ କରୁଥିଲେ । କାହାରିକୁ କେବେହେଲେ ବିମୁଖ କରୁ ନ ଥିଲେ । ତାଙ୍କର ଅଯାଚିତ କୃପା ବିତରଣ କରିବା ଦେଖି ଲୋକଙ୍କର ମନେ ହେଉଥିଲା ଯେ ସେ ଯେପରି ମାନବଲୀଳା ଶୀଘ୍ର ସମାପ୍ତ କରିବାକୁ ଚାହୁଁଛନ୍ତି । ଅଧିକାଂଶ ସମୟରେ ଶ୍ରୀଶ୍ରୀମା’ ଭାବସ୍ଥ ହୋଇ ରହୁଥିଲେ । ତାଙ୍କର ମନ ଯାବତୀୟ ପାର୍ଥିବ ବିଷୟରୁ ଅଲଗା ହୋଇଯାଉଥିଲା । ସେ ଯେପରି ଠାକୁରଙ୍କ ଆହ୍ୱାନ ଶୁଣିବାକୁ ପାଉଥିଲେ ଓ ମହାପ୍ରସ୍ଥାନ ପାଇଁ ପ୍ରସ୍ତୁତ ହେଉଥିଲେ ।

ଶ୍ରୀଶ୍ରୀମା’ଙ୍କର ମ୍ୟାଲେରିଆ ଜ୍ୱର କୌଣସିମତେ ଛାଡ଼ୁନାହିଁ- ସ୍ୱାମୀ ସାରଦାନନ୍ଦଙ୍କ ବିଶେଷ ଅନୁରୋଧରେ ଶ୍ରୀଶ୍ରୀମା’ ୧୩୨୬ ସାଲ ଫାଲଗୁନ ମାସ ୧୫ ତାରିଖରେ କଙ୍କାଳସାର ହୋଇ ଜୟରାମବାଟୀରୁ ବାଗବଜାର ବାସଭବନକୁ ଆସିଲେ । ବଡ଼ ବଡ଼ ଡାକ୍ତର କବିରାଜମାନଙ୍କୁ ଅଣା ହେଲା । ନାନା ପ୍ରକାର ଚିକିତ୍ସା ହେଲା । ଅକ୍ଳାନ୍ତ ସେବା ଚାଲିଲା । ଡାକ୍ତରମାନେ ତାଙ୍କୁ ପରୀକ୍ଷା କରି ମତ ଦେଲେ, ‘ଶ୍ରୀଶ୍ରୀମା’ଙ୍କର କାଲାଜ୍ୱର ହୋଇଛି । ଜୀବନର ଆଶା ଖୁବ୍ କମ୍ ।‘…ରୋଗ ଦିନକୁ ଦିନ ବଢ଼ି ଚାଲିଛି । କ୍ରମେ ରକ୍ତହୀନତା ଯୋଗୁଁ ଗୋଡ଼ ଓ ହାତରେ ଶୋଥ ଦେଖାଗଲା । ପ୍ରତିଦିନ ଦୁଇ ତିନିଥର ଜ୍ୱର ଆସେ । ମା’ ଉତ୍ଥାନ-ଶକ୍ତି-ରହିତ ହେଲେ ।

କୌଣସି ଚିକିତ୍ସା ଦ୍ୱାରା ଫଳ ହେଉ ନାହିଁ ଦେଖି ସ୍ୱାମୀ ସାରଦାନନ୍ଦ ଦୈବୀ ଚିକିତ୍ସା କରିବାରେ ବ୍ରତୀ ହେଲେ । ନାନା ପ୍ରକାର ଶାନ୍ତିସ୍ୱସ୍ତ୍ୟୟନ କରଗଲା । ମନ୍ଦିରମାନଙ୍କରେ ପୂଜାଦି ଅନୁଷ୍ଠିତ ହେଲା । କିନ୍ତୁ ଶ୍ରୀଶ୍ରୀ ମାଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଦେଖାଗଲା ନାହିଁ ।

ସମସ୍ତେ ଶୋକରେ ମିୟମ୍ରାଣ ହୋଇ ରହିଥାଆନ୍ତି । ଜନୈକ ସନ୍ନ୍ୟାସୀ ସନ୍ତାନ ଅତ୍ୟନ୍ତ ବ୍ୟାକୁଳ ହୋଇ ଦୁଃଖ କରିବାରୁ, ଶ୍ରୀଶ୍ରୀମା’ କହିଲେ, ‘ହଁ ବାପା, ଖୁବ ଦୁର୍ବଳ ହୋଇ ପଡ଼ିଛି, ମନେ ହେଉଛି, ଏହି ଶରୀର ଦ୍ୱାରା ଠାକୁରଙ୍କର ଯାହା କରିବାର ଥିଲା, ତାହା ଶେଷ ହୋଇଛି । ବର୍ତ୍ତମାନ ମନ କେବଳ ତାଙ୍କୁ ଚାହୁଁଛି, ଅନ୍ୟ କିଛି ଆଉ ଭଲ ଲାଗୁ ନାହିଁ । ହେଇ ଦେଖୁନା, ରାଧୁକୁ ଏତେ ଭଲ ପାଉଥିଲି, ବର୍ତ୍ତମାନ ସେ ମୋ ପାଖକୁ ଆସିଲେ ବିରକ୍ତବୋଧ ହେଉଛି । ଠାକୁରେ ତାଙ୍କ କାମ ପାଇଁ ଏତେ କାଳ ଏହି ମନଟାକୁ ନିମ୍ନ ସ୍ତରରେ ରଖିଥିଲେ । ନ ହେଲେ ସେ ଯେତେବେଳେ ଚାଲିଗଲେ ତାପରେ କଅଣ ମୋର ଆଉ ରହିବା ସମ୍ଭବ ହୋଇଥାଆନ୍ତା ?‘

ଶ୍ରୀଶ୍ରୀମା’ଙ୍କର ଆସନ୍ନ ବିଚ୍ଛେଦ ବେଦନା-କ୍ଲିଷ୍ଟ ପ୍ରାଣରେ ଜନୈକ ମହିଳା ଭକ୍ତ ସଜଳନୟନ ହୋଇ କହିଲେ, ‘ମା, ଆମମାନଙ୍କର କଅଣ ହେବ ?‘

ବ୍ରହ୍ମମୟୀ ଅଭୟ ଦେଇ କହିଲେ, ‘ଭୟ କଅଣ ମା’ ? ତୁମେ ତ ଠାକୁରଙ୍କୁ ଦେଖିଛ ।‘ କିଛିକ୍ଷଣ ପରେ କ୍ଷୀଣକଣ୍ଠରେ କହିଲେ, ଗୋଟିଏ କଥା କୁହେ-ଯଦି ଶାନ୍ତି ଚାହଁ ମା’, ତେବେ କାହାରି ଦୋଷ ଦେଖିବ ନାହିଁ, ଦୋଷ ଦେଖିବ ନିଜର । ଜଗତକୁ ନିଜର କରିବାକୁ ଶିଖ । କେହି ପର ନୁହେଁ, ଜଗତ ତୁମର… ।‘

ମର୍ତ୍ତବାସୀମାନଙ୍କ ପାଇଁ ଶ୍ରୀଶ୍ରୀମା’ଙ୍କର ଏହି ଶେଷ ଉପଦେଶ । ଏହି ଶେଷ ବାଣୀଟିରେ ଶ୍ରୀଶ୍ରୀମା’ଙ୍କର ସମଗ୍ର ଜୀବନ ଓ ସାଧନା ମୂର୍ତ୍ତ ହୋଇଛି । ଶେଷ ଦୁଇଦିନ ସେ ଗଭୀର ସମାଧିସ୍ଥ ଥିଲେ-ପ୍ରଶାନ୍ତ ଓ ସ୍ଥିର । ସେହି ପ୍ରଶାନ୍ତି ଭଙ୍ଗ କରିବାକୁ କାହାରି ସାହସ ହେଉ ନ ଥିଲା ।

ଶ୍ରୀଶ୍ରୀଠାକୁରଙ୍କ ଅନ୍ତର୍ଦ୍ଧାନ ପରେ ଚଉତିରିଶି ବର୍ଷ କାଳ ତାଙ୍କର ଆଦିଷ୍ଟ କର୍ମ ଆପ୍ରାଣ ସାଧନ କରି ଉଦ୍ବୋଧନସ୍ଥିତ ନିଜ ଘରେ ରାତ୍ର ଘ୧-୩୦ମିନିଟ୍ ସମୟରେ ମହାସମାଧିଯୋଗେ ୬୬ ବର୍ଷ ୭ ମାସ ବୟସରେ ଶ୍ରୀଶ୍ରୀମା ପରମାରାଧ୍ୟ ଶ୍ରୀରାମକୃଷ୍ଣଙ୍କ ସହିତ ଚିରଦିନ ପାଇଁ ମିଳିତ ହେଲେ । ଛାୟା ପ୍ରବେଶ କଲା କାୟାରେ ।

* * *

ବେଲୁଡ଼ ମଠରେ ମାଙ୍କ ସମାଧିସ୍ଥାନରେ ଗଢ଼ି ଉଠିଛି ଗୋଟିଏ ସୁନ୍ଦର ମନ୍ଦିର । ଗଙ୍ଗାର ପଶ୍ଚିମ ତୀରରେ ଶ୍ରୀଶ୍ରୀମା ସତେ ଯେପରି ଅଧୀରା ହୋଇ ପ୍ରତୀକ୍ଷା କରି ବସିଛନ୍ତି ଦେଶ-ଦେଶାନ୍ତରରୁ ଆଗତ ତାଙ୍କ ସନ୍ତାନମାନଙ୍କ ପାଇଁ ।

* * *

ଶ୍ରୀସାରଦାଦେବୀଙ୍କ ଉପଦେଶ

୧. ଭଗବାନଙ୍କୁ ଲାଭକଲେ ଅଧିକ କଅଣ ହୁଏ, କଅଣ ଦୁଇଟା ଶିଙ୍ଗ ବାହାରିବ ? ନା-ମନ ଶୁଦ୍ଧ ହେବ । ଶୁଦ୍ଧ ମନରେ ଜ୍ଞାନ, ଚୈତନ୍ୟ ଓ ଆନନ୍ଦଲାଭ ହେବ । ଭଗବାନଙ୍କ ପ୍ରତି ଭକ୍ତି, ପ୍ରେମ ଓ ଅନୁରାଗ ବଢ଼ିବ । ସର୍ବଦା ତାଙ୍କ ପ୍ରତି ଗୋଟିଏ ଆକର୍ଷଣ ରହିବ ।

୨. ମନ ହେଉଛି ମତ୍ତହସ୍ତୀ ସଦୃଶ । ପବନ ବେଗରେ ଧାଉଁଛି । ତେଣୁ ସର୍ବଦା ବିଚାର କରିବାକୁ ହୁଏ । ଈଶ୍ୱରଲାଭ କରିବା ପାଇଁ ଉଦ୍ୟମ ଆବଶ୍ୟକ ।

୩. ମନ ମଧ୍ୟରେ ଗୋଳମାଳ ରହିଛି । ତାହା ପ୍ରକୃତିର ନିୟମ-ଯେପରି ଅମାବାସ୍ୟା ଓ ପୂର୍ଣ୍ଣିମା । ସେହିପରି ମନ କେତେବେଳେ ଭଲ, ପୁଣି କେତେବେଳେ ମନ୍ଦ ହୋଇଥାଏ ।

୪. ଯେତେବେଳେ କିଛି ଖାଇବ, ତାଙ୍କୁ ନିବେଦନ କରି ପ୍ରସାଦ ଭାବି ଖାଇବ । ତା’ହେଲେ ତୁମର ରକ୍ତ ଶୁଦ୍ଧ ହେବ, ମନ ମଧ୍ୟ ଶୁଦ୍ଧ ହେବ ।

୫. ମନରେ ସବୁ-ମନରେ ଶୁଦ୍ଧ, ପୁଣି ମନରେ ଅଶୁଦ୍ଧ ।

୬. ସଫା କରିବା ଭଲ କାମ । ଠାକୁରେ କହୁଥିଲେ, ‘ରାସ୍ତାଘାଟ, ଦେବାଳୟ ପରିଷ୍କାର କରିବା ଭଲ ।‘ ସେଠାରେ କେତେ ସାଧୁଭକ୍ତଙ୍କର ଚରଣ-ଧୂଳି ପଡ଼ିଥାଏ । ସେହି ସ୍ପର୍ଶରେ ମନର ମଇଳା ସଫା ହୋଇଯାଏ ।

୭. ମଣିଷର ମନ ଆଗେ ଦୋଷ କରେ, ତା’ପରେ ସେ ପରର ଦୋଷ ଦେଖେ । ପରର ଦୋଷ ଦେଖିଲେ କାହାର କଅଣ ହେବ ? କେବଳ ନିଜର କ୍ଷତି । ମୋର ଏହି ଅଭ୍ୟାସଟି ପିଲାଦିନରୁ ଥିଲା । କାହାରି ଦୋଷ ମୁଁ ଦେଖିପାରୁ ନ ଥିଲି । ଅନ୍ୟର ଦୋଷ ଦେଖିବା-ଏହି କଥାଟି ମୁଁ ଶିଖି ନାହିଁ । କ୍ଷମା ହିଁ ପରମ ତପସ୍ୟା ।

୮. ତୁମ୍ଭେମାନେ ମାଳି ଜପିବ, ତା’ହେଲେ ସହଜରେ ଚିତ୍ତ ସ୍ଥିର ହେବ ।

୯. ମନ୍ତ୍ରଦ୍ୱାରା ଦେହ ଶୁଦ୍ଧ ହୁଏ, ମନ୍ତ୍ର ଜପ କରି ଲୋକେ ପବିତ୍ର ହୁଅନ୍ତି-ଜପାତ୍ ସିଦ୍ଧି, ଜପାତ୍ ସିଦ୍ଧି ।

୧୦ ଠାକୁରେ କହୁଥିଲେ, ‘ଯେ ସହେ ସେ ମହାଶୟ । ଯେ ନ ସହେ, ସେ ନାଶ ହୁଏ ।‘ (ଅର୍ଥାତ୍ ଯେ ସହେ ସେ ମହାଶୟ ସଦୃଶ, ଆଉ ଯେଉଁ ଲୋକ ନ ସହେ, ତାହାର ସବୁ ନଷ୍ଟ ହୋଇଯାଏ ।)

୧୧. ଯାହାର (ଅର୍ଥ) ଅଛି ସେ ମାପୁ (ଦାନ କରୁ); ଯାହାର (କିଛି) ନାହିଁ ସେ ଜପୁ (ଜପ କରୁ) ।

୧୨. କର୍ମ କରିବାକୁ ହେବ । କର୍ମଦ୍ୱାରା କର୍ମ-ବନ୍ଧନରୁ ମୁକ୍ତ ହେବ ଏବଂ ନିଷ୍କାମଭାବ ମନରେ ଆସିବ । ଦଣ୍ଡେ ହେଲେ ସୁଦ୍ଧା କର୍ମ ନ କରି ରହିବା ଉଚିତ୍ ନୁହେଁ ।

୧୩. କର୍ମଫଳକୁ କେହି ଏଡ଼େଇ ପାରନ୍ତି ନାହିଁ । ତେବେ ଯଦି ସାଧନ ଭଜନ ଥାଏ, ଯେଉଁଠି ଖଣ୍ଡାରେ ଆଘାତ ହେବା କଥା, ସେଠାରେ କଣ୍ଟାଟିଏ ହୁଏତ ଫୁଟି ଯାଇପାରେ ।

୧୪. ବାସନାରୁ ଶରୀର । ଯେତେବେଳେ ବାସନା ଶେଷ ହେବ ଶରୀର ସେତେବେଳେ ନଷ୍ଟ ହୋଇଯିବ । ସମ୍ପର୍ଣ୍ଣ ବାସନାକ୍ଷୟ ହିଁ ମୁକ୍ତି । ନିର୍ବାସନା ହେବା ପାଇଁ ବାସନା କର ।

୧୫. ଶରୀର ଧାରଣରେ କୌଣସି ସୁଖ ନାହିଁ । ଜଗତ ଦୁଃଖପୂର୍ଣ୍ଣ । କେବଳ ତାଙ୍କର ନାମ ଜପ କରିବାରେ ସୁଖ ଅଛି ।

୧୬. ଦୁଃଖ ବିପଦ ଆସିବ ନାହିଁ-ଏପରି ଭାବିବା ଅନ୍ୟାୟ । ତାହା ନିଶ୍ଚୟ ଆସିବ । କିନ୍ତୁ ଭକ୍ତର ସେଥିରେ କଅଣ ହୁଏ ଜାଣ ? ଦୁଃଖରାଶି ତାହାର ପାଦତଳ ଦେଇ ପାଣିସୁଅ ଗଲା ପରି ଆପଣା ଛାଏଁ ଚାଲିଯାଏ ।
୧୭. ତାଙ୍କ କୃପାବାରି ଯାହା ଉପରେ ବର୍ଷିତ ହୋଇଛି, ସେ କେବଳ ତାଙ୍କୁ ଜାଣିପାରେ ।

୧୮. ସାଧନଭଜନ ଇତ୍ୟାଦି ଯୁବା ବୟସରେ କରି ନିଅ । ଶେଷରେ କଅଣ ଆଉ କରିପାରିବ ? ଯାହା କରିପାରିବ ବର୍ତ୍ତମାନ କରିନିଅ ।

୧୯. ଭଗବାନ ହାତ ଦେଇଛନ୍ତି, ଅଙ୍ଗୁଳି ଦେଇଛନ୍ତି-ଜପ କରି ସେଗୁଡ଼ିକୁ ସାର୍ଥକ କର ।

୨୦. (ଦେବମନ୍ଦିରରେ) ପୂଜା ଅର୍ଚ୍ଚନା ଇତ୍ୟାଦି କରିବା ପାଇଁ କିଛି ନା କିଛି ଖର୍ଚ୍ଚ କରିବାକୁ ପଡ଼େ; ଜପ କରିବାରେ କୌଣସି ଖର୍ଚ୍ଚ ନାହିଁ ।

୨୧. ଯେ ସାଧୁ ହୋଇଛି, ସେ ଭଗବାନଙ୍କୁ ଡାକିବ ନାହିଁ ତ କଅଣ କରିବ ! କିନ୍ତୁ ତାଙ୍କର ଯେତେବେଳେ ଇଚ୍ଛା ହେବ ସେ ଦେଖା ଦେବେ ।

୨୨. ଠାକୁରେ କହୁଥିଲେ, ‘ଯେଉଁମାନେ ମୋତେ ଡାକିବେ, ସେମାନଙ୍କ ନିକଟକୁ ମୋତେ ଅନ୍ତିମ କାଳରେ ଆସିବାକୁ ପଡ଼ିବ‘-ଏହା ତାଙ୍କ ନିଜ ମୁଖନିଃସୃତ ବାଣୀ ।

୨୩. ଆହା ! ନିବେଦିତାର କିପରି ଭକ୍ତି ଥିଲା ! ମୋ ପାଇଁ କଅଣ କରିବା ତାହା ଭାବି ସେ ଅସ୍ଥିର । ପ୍ରଣାମ କରି ରୁମାଲ ଦ୍ୱାରା ଅତି ସନ୍ତର୍ପଣରେ ପାଦଧୂଳି ନେଇ ମୁଣ୍ଡରେ ଲଗାଉଥିଲା । ମୋ ଗୋଡ଼ରେ ହାତ ଦେବାକୁ ମଧ୍ୟ ସେ ସଙ୍କୁଚିତ ହେଉଥାଏ ।

୨୪. ଜାଣିଛି ତ ମା’, ଯେ ସୁପ୍ରାଣୀ, ତା’ ପାଇଁ କାନ୍ଦେ ମହାପ୍ରାଣୀ (ଅନ୍ତରାତ୍ମା) ।

୨୫. ସନ୍ତାନମାନେ ବର୍ତ୍ତମାନ ବୁଝିପାରୁଛନ୍ତି ଯେ ସଂସାର ଅନିତ୍ୟ । ସଂସାର ମଧ୍ୟରେ ଯେପରି ଲିପ୍ତ ହେବାକୁ ନ ପଡ଼େ, ସେଥିପାଇଁ ଚେଷ୍ଟା କର ।

୨୬. ପ୍ରଶ୍ନ-ମା’ , ସ୍ତ୍ରୀଲୋକମାନଙ୍କର ଅଶୁଚି ଅବସ୍ଥାରେ ଠାକୁରଙ୍କୁ ପୂଜା କରିବା ଉଚିତ କି ?
ଉତ୍ତର – ହଁ ମା’, ଉଚିତ ହେବ, ଯଦି ଠାକୁରଙ୍କ ଉପରେ ତୁମର ସେପରି ଭକ୍ତି ଥାଏ । ଏ ବିଷୟରେ ମୁଁ ଠାକୁରଙ୍କୁ ପଚାରିଥିଲି । ଠାକୁରେ କହିଥିଲେ, ‘ପୂଜା ନ କଲେ ଯଦି ମନ ଖରାପ ହୁଏ, ତେବେ ପୂଜା କରିବ, ସେଥିରେ ଦୋଷ ହେବ ନାହିଁ ।‘

୨୭. ଥରେ ଜଣେ ସ୍ତ୍ରୀ-ଭକ୍ତଙ୍କୁ ମା କହିଥିଲେ, ‘ଏ ଅବସ୍ଥାରେ (ଅଶୁଚି ଅବସ୍ଥାରେ) କଅଣ ଠାକୁର ଦେବତାଙ୍କ କାମ କରାଯାଏ ? – ତାହା କର ନାହିଁ ।‘

୨୮. ଯଦି ଶାନ୍ତି ଚାହଁ ମା’, ତେବେ କାହାରି ଦୋଷ ଦେଖିବ ନାହିଁ, ଦୋଷ ଦେଖିବ ନିଜର । ଜଗତକୁ ନିଜର କରିବାକୁ ଶିଖ । କେହି ପର ନୁହେଁ, ଜଗତ ତୁମର ।

୨୯. ସ୍ତ୍ରୀର ସ୍ୱାମୀ ହିଁ ଦେବତା, ସ୍ୱାମୀ ହିଁ ସବୁ । ସତୀ ସ୍ତ୍ରୀ ସ୍ୱାମୀକୁ ସର୍ବାପେକ୍ଷା ଭଲ ପାଇବ ।

୩୦. ସ୍ୱାମୀର ଭଲମନ୍ଦ ପ୍ରତି ଲକ୍ଷ୍ୟ ରଖିବା ଯେପରି ସ୍ତ୍ରୀର କର୍ତ୍ତବ୍ୟ, ସେହିପରି ସ୍ତ୍ରୀର ଧର୍ମରକ୍ଷା କରିବା ସ୍ୱାମୀର କର୍ତ୍ତବ୍ୟ । ଦେଖ ମା’, ସ୍ୱାମୀ ସ୍ତ୍ରୀ, ଏକମତ ହେଲେ ଯାଇ ଧର୍ମଲାଭ ହୁଏ ।

୩୧. ରାସ୍ତାରେ ରଥଟଣା ହେଉଥିଲା । ସେତେବେଳେ ମା କହିଥିଲେ, ‘ସମସ୍ତେ ତ ଜଗନ୍ନାଥ-ଦର୍ଶନ ପାଇଁ ଯାଇପାରନ୍ତି ନାହିଁ । ଯେଉଁମାନେ ଏଠାରେ (ରଥରେ ଠାକୁରଙ୍କୁ) ଦର୍ଶନ କରିବେ, ସେମାନଙ୍କର ମଧ୍ୟ ମୁକ୍ତି ହେବ ।‘

୩୨. ଯିଏ ବ୍ୟାକୁଳ ହୋଇ ଡାକିବ, କେବଳ ସେ ତାଙ୍କର ଦେଖା ପାଇବ ।

୩୩. ଆଜି ଅକ୍ଷୟ ତୃତୀୟା ଦିନ, ମୁଁ ତୁମମାନଙ୍କୁ ଆଶୀର୍ବାଦ କରୁଛି, ‘ତୁମମାନଙ୍କର ମୁକ୍ତିଲାଭ ହେଉ ! ଜନ୍ମମୃତ୍ୟୁରେ ବଡ଼ ଯନ୍ତ୍ରଣା, ତୁମମାନଙ୍କୁ ଆଉ ଯେପରି ତାହା ଭୋଗିବାକୁ ନ ହୁଏ ।‘

୩୪. ସ୍ତ୍ରୀ-ଲୋକମାନଙ୍କର ଏତେ ରାଗ କରିବା କଅଣ ଭଲ ? ସହିବାକୁ ପଡ଼ିବ । ଶୈଶବରେ ବାପ ମାଆଙ୍କ କୋଳ ଓ ଯୌବନରେ ସ୍ୱାମୀଙ୍କ ଆଶ୍ରୟ ବିନା ସ୍ତ୍ରୀଲୋକମାନଙ୍କୁ କେହି ଆବୁରି ପାରିବେ ନାହିଁ ।

୩୫. ଠାକୁରେ କହୁଥିଲେ, ‘ଜରୁ, ଗୋରୁ, ଧନ, ଏହି ତିନୋଟି ରଖିବ ଆପଣା ବିଦ୍ୟମାନ ।‘

୩୬. ଠାକୁରଙ୍କୁ ଓ ମୋତେ ତୁମେମାନେ ଅଭେଦ ଦେଖିବ । ଯିଏ ଯେ କୌଣସି ଭାବରେ ଆମର ଦର୍ଶନ ପାଇବ, ସେହି ଭାବରେ ଧ୍ୟାନ ସ୍ତୁତି କରିବ ।-ଧ୍ୟାନ କରି ସାରିବା ପରେ ପୂଜା ମଧ୍ୟ ଶେଷ ହେବ । ଏହିଠାରୁ (ହୃଦୟରୁ ଆରମ୍ଭ) ଓ ଏହିଠାରେ (ମସ୍ତକରେ) ଶେଷ କରିବ-ଏହା କହି ମା’ ନିଜେ ତାହା ଦେଖାଇ ଦେଲେ ।

୩୭. ମନ୍ତ୍ର ତନ୍ତ୍ର କିଛି ନୁହେଁ ମା’, ଭକ୍ତି ହିଁ ସାର । ଠାକୁରଙ୍କ ମଧ୍ୟରେ ଗୁରୁ ଇଷ୍ଟ ସବୁ ପାଇବ । ସେ ହେଉଛନ୍ତି ସବୁ ।

୩୮. ପ୍ରତିଦିନ ୧୦/୧୫ ହଜାର ଜପ କରିପାରିଲେ ଯାଇ ହେବ । ମୁଁ ନିଜେ ଦେଖିଛି, ବାସ୍ତବିକ ହେବ । ଆଗେ କର, ତା’ପରେ କହିବ । ତେବେ ଟିକିଏ ମନ ଦେଇ କରିବାକୁ ହେବ ।

୩୯. ଧ୍ୟାନଜପର ଗୋଟିଏ ନିୟମିତ ସମୟ ରହିବା ଦରକାର । ସନ୍ଧିବେଳେ ତାଙ୍କୁ ଡାକିବା ଉଚିତ । ରାତି ଯାଉଛି; ଦିନ ଆସୁଛି; ପୁଣି ଦିନ ଯାଉଛି, ରାତି ଆସୁଛି-ଏହି ସମୟ ହେଲା ସନ୍ଧିବେଳ । ଏହିପରି ସମୟରେ ମନ ଶାନ୍ତ ଓ ପବିତ୍ର ଥାଏ ।…ଅସୁସ୍ଥ ହେଲେ କିମ୍ବା କାର୍ଯ୍ୟର ଝନ୍ଝଟ ମଧ୍ୟରେ ଥରେ ସ୍ମରଣ କିମ୍ବା ପ୍ରଣାମ କଲେ ମଧ୍ୟ ଚଳିବ ।
୪୦. ଜପ ତପ ଦ୍ୱାରା କର୍ମବନ୍ଧନ କଟିଯାଏ; କିନ୍ତୁ ପ୍ରେମଭକ୍ତି ବ୍ୟତୀତ ଭଗବାନଙ୍କୁ ପାଇବା ଦୁଷ୍କର ।

୪୧. ଜପ ତପ କଅଣ ଜାଣ ? ଏହାଦ୍ୱାରା ଇନ୍ଦ୍ରିୟ-ସଂଯମ ହୁଏ । …ଗୋପବାଳକମାନେ କଅଣ କୃଷ୍ଣଙ୍କୁ ଜପଧ୍ୟାନ କରି ପାଇଥିଲେ ? ନା । ସେମାନେ-ଆ-ରେ, ଖା-ରେ, ନେ-ରେ, ଏପରି କହି କୃଷ୍ଣଙ୍କୁ ପାଇଥିଲେ । (ପ୍ରେମର ମାଧ୍ୟମରେ)

୪୨. ଭଗବାନଙ୍କୁ କିଏ ବାନ୍ଧିପାରିଛି କହିଲ ଭଲା ? ସେ ନିଜେ ନିଜେ ଧରା ଦେଇଥିଲେ ବୋଲି ତ ଯଶୋଦା ତାଙ୍କୁ ବାନ୍ଧିପାରିଥିଲେ ।

୪୩. ମଣିଷକୁ ଭଲ ପାଇଲେ ଅନେକ ଦୁଃଖ କଷ୍ଟ ମିଳେ ଓ ମନର ଅଯଥା ଶକ୍ତି ଖର୍ଚ୍ଚ ହୁଏ । ଭଗବାନଙ୍କୁ ଭଲ ପାଇଲେ ଯାଇ ପ୍ରକୃତ ଶାନ୍ତିଲାଭ କରାଯାଏ ।

୪୪. ଯେଉଁମାନେ ସ୍ୱାମୀ, ପିଲାପିଲିଙ୍କୁ ନେଇ ସଂସାରରେ ରହି ସେମାନଙ୍କର ସେବାଯତ୍ନ କରି ଭଗବାନଙ୍କୁ ଡାକିପାରନ୍ତି, ସେମାନେ ନିଶ୍ଚୟ ତାଙ୍କର ଦର୍ଶନ ପାଇବେ ।

୪୫. ସର୍ବଦା ଇଷ୍ଟଚିନ୍ତା କରୁଥିଲେ ଅନିଷ୍ଟ କପରି ହେବ ?

୪୬. ମୋର ପିଲାମାନେ ଯଦି ଧୂଳି କାଦୁଅ ବୋଳି ହୁଅନ୍ତି, ତେବେ ମୋତେ ତ ଧୂଳି କାଦୁଅ ସଫାକରି ତାଙ୍କୁ କୋଳକୁ ନେବାକୁ ହେବ !

୪୭. ପିତୃଗୃହ, ପତିଗୃହ କିମ୍ବା ଅନ୍ୟ ଯେଉଁଠାରେ ଥାଅ ନା କାହିଁକି, ସେବା ହେଉଛି ସ୍ତ୍ରୀଲୋକମାନଙ୍କର ପ୍ରଧାନ କାମ ।

୪୮. କନ୍ୟାରୂପେ, ପତ୍ନୀରୂପେ, ମାତୃରୂପେ ବା ଅନ୍ୟ ଯେ କୌଣସି ଭାବରେ ସେବା କରିବା ହିଁ ହେଉଛି ନାରୀର ଧର୍ମ ।

୪୯. ସ୍ତ୍ରୀଲୋକମାନେ ପଢ଼ାପଢ଼ି କରିବେ, ବିଦ୍ୟାଲାଭ କରିବେ; କିନ୍ତୁ ସେମାନଙ୍କର ଛୁଞ୍ଚିପରି ତୀକ୍ଷଣ୍ ବୁଦ୍ଧି ଭଲ ନୁହେଁ । ସେମାନେ ଯଦି ଠକି ଯାଆନ୍ତି, ତାହା ବରଂ ଭଲ, ଜିଣିବା ଦରକାର ନାହିଁ । ସେମାନେ ସରଳ ହେବେ ଓ ପବିତ୍ର ଭାବରେ ରହିବେ ।

୫୦. ପତ୍ନୀ ଥାଉ ଥାଉ ଦ୍ୱିତୀୟ ବିବାହ କରିବା ଉଚିତ ନୁହେଁ । ଏପରି କି ବିପତ୍ନୀକ ମଧ୍ୟ ଦ୍ୱିତୀୟ ବିବାହ ନ କରିବା ଶ୍ରେୟସ୍କର । ‘ଏକନାରୀ ସଦାବ୍ରତୀ, ଏକାହାରୀ ସଦା ଯତି ।‘

୫୧. ଦେଖ ମା’, ଚାପୁଡ଼ାମାଡ଼ ଡରରେ ରାମନାମ ଅନେକ କରନ୍ତି; କିନ୍ତୁ ଶୈଶବରୁ ନିଜର ମନଟିକୁ ଯିଏ ଠାକୁରଙ୍କ ପାଦପଦ୍ମରେ ଅର୍ପଣ କରିପାରେ ସେ ଧନ୍ୟ ।

୫୨. ମୁଁ ଆଉ କଅଣ ଉପଦେଶ ଦେବି ? ଠାକୁରଙ୍କ କଥା ସବୁ ବହିରେ ଲେଖା ହୋଇ ବାହାରିଲାଣି । ତାଙ୍କର ଗୋଟିଏ ମାତ୍ର କଥା ଧାରଣ କରି ଯଦି ଚଳିପାର ତାହେଲେ ସବୁ ହେବ ।

୫୩. ଉପଦେଶ ଗ୍ରହଣ କରିପାରିବ-ଏପରି ଆଧାର କାହିଁ ମା’ ? -ଆଧାର ହେଲା ଅସଲ, ଆଧାର ନ ଥିଲେ କିଛି ହେବ ନାହିଁ ।

୫୪. ତୁମମାନଙ୍କର ଆଉ ଦାୟିତ୍ୱ କଅଣ ? ତୁମ୍ଭେମାନେ ତ ମନ୍ତ୍ରଟି ନେଇ ଖଲାସ, କିନ୍ତୁ ତା’ପରେ ?

୫୫. ହଁ ମା’, ଠାକୁରେ ମଧ୍ୟ ତାହା କହୁଥିଲେ-ଅନ୍ୟର ପାପ ଗ୍ରହଣ କରି ରୋଗ ହୁଏ । ତା’ ନ ହେଲେ ଏହି ଦେହରେ କଅଣ ରୋଗ ହେବା କଥା ?

୫୬. ନୂଆ ଭକ୍ତମାନଙ୍କୁ ଠାକୁର ସେବା କରିବାକୁ ଦେବା ଉଚିତ । କାରଣ ସେମାନଙ୍କର ନବାନୁରାଗ-ସେଥିରେ ସେବା ଭଲ ହୁଏ ।

୫୭. ଚନ୍ଦନ ଭଲ କରି ଘସିବ । ଫୁଲ ବେଲପତ୍ର ଯେପରି ଖଣ୍ଡିଆ ନ ହୁଏ । ଅତି ଯତ୍ନ ସହିତ ଏହିସବୁ କରିବ, ଆଉ ଭୋଗ ଠିକ୍ ସମୟରେ ଦେବ ।

୫୮. ଦେଖ ମା’, ସ୍ୱାମୀ ସ୍ତ୍ରୀ ଏକମତ ହେଲେ ଯାଇ ଧର୍ମ ହୁଏ ।

୫୯. ସମସ୍ତେ କୁହନ୍ତି ମୋର ଏତେ ଦୁଃଖ ! ସ େମାନେ କହୁଥାନ୍ତି-ଭଗବାନଙ୍କୁ ଏତେ ଡାକିଲି, ତଥାପି ମୋର ଦୁଃଖ ଘୁଞ୍ଚିଲା ନାହିଁ । ଭଗବାନ କିନ୍ତୁ ଦୟାକରି ଆମମାନଙ୍କୁ ଦୁଃଖ ଦେଇଥାଆନ୍ତି ।

୬୦. ଭିକାରୀକୁ ଅନ୍ତତଃ ମୁଠାଏ ଚାଉଳ ଭିକ୍ଷା ଦେବା ଉଚିତ୍ । ଯାହାର ଯାହା ପ୍ରାପ୍ୟ, ସେଥିରୁ ତାକୁ ବଞ୍ଚିତ କରିବା ଉଚିତ ନୁହେଁ ।

୬୧. ମୁଁ ତ ଅଶାନ୍ତି ବୋଲି କିଛି ଦେଖିଲି ନାହିଁ । ଆଉ ଇଷ୍ଟଦର୍ଶନ, ସେ ତ ମୋ’ ହାତମୁଠାରେ-ଥରେ ବସିବା ମାତ୍ରେ ତାଙ୍କୁ ଦେଖିବାକୁ ପାଏ ।

୬୨. ଟଙ୍କା ପଇସାରେ କଅଣ ଅଛି ମା’ ? ଠାକୁରେ ତ ଟଙ୍କା ଛୁଇଁପାରୁ ନ ଥିଲେ ।

୬୩. ସ୍ୱାମୀ କୁହ, ପୁତ୍ର କୁହ, ଦେହ କୁହ, ସବୁ ମାୟା; ଏଗୁଡ଼ିକ ବନ୍ଧନ । ଏହି ବନ୍ଧନକୁ ଚ୍ଛିନ୍ନ ନ କରିପାରିଲେ ଏହି ସଂସାରସମୁଦ୍ର ପାର ହୋଇପାରିବ ନାହିଁ, ଅର୍ଥାତ୍ ଜୀବ ମୁକ୍ତ ହୋଇପାରିବ ନାହିଁ ।

୬୪. ଭଗବାନ ମଣିଷ ଦେହ ମଧ୍ୟରେ ଅଛନ୍ତି । ଲୋକେ ତାହା ନ ଜାଣି ଘୂରି ଘୂରି ମରୁଛନ୍ତି । ….ଭଗବାନ ହିଁ ସତ୍ୟ, ଆଉ ସବୁ ମିଥ୍ୟା ।

୬୫. (ଶ୍ରୀରାମକୃଷ୍ଣଙ୍କ ସମ୍ବନ୍ଧରେ କହୁଛନ୍ତି) କିପରି ପୁରୁଷ ସେ ଥିଲେ । କି ସଦାନନ୍ଦ ପୁରୁଷ ସେ ଥିଲେ ! କେତେ ଲୋକଙ୍କର ଚୈତନ୍ୟ ହେଲା !

୬୬. ଶ୍ରୀଠାକୁରେ ଭଗବାନଙ୍କ ବିଷୟ ଛଡ଼ା ଆଉ କିଛି କହୁ ନଥିଲେ । ସେ କହୁଥିଲେ, ‘କେବଳ ଭଗବାନ ହିଁ ନିତ୍ୟ, ତାଙ୍କୁ ଡାକିପାରିବା ହିଁ ଯଥାର୍ଥ କାମ ।‘

୬୭. ପୂର୍ବଜନ୍ମର କେତେ ସୌଭାଗ୍ୟରୁ ଆମ୍ଭେମାନେ ଏହି ମାନବ ଜନ୍ମ ପାଇଛେ । ଯେତେ ପାର ଭଗବାନଙ୍କୁ ଡାକିଯାଅ । ଖଟିବାକୁ ହେବ, ନ ଖଟିଲେ କଅଣ କିଛି ହେବ ? ସଂସାରରେ କାମଦାମ କରୁଥିବା ବେଳେ ମଧ୍ୟ ଗୋଟିଏ ସମୟ କରି ଭଗବାନଙ୍କୁ ଡାକିବାକୁ ହୁଏ ।

୬୮. ଜପଧ୍ୟାନ କରୁ କରୁ ଦେଖିବ (ଠାକୁରଙ୍କୁ ନିର୍ଦ୍ଦେଶ କରି) ସେ କଥା କହିବେ, ମନ ମଧ୍ୟରେ ଯେଉଁ ବାସନା ଥିବ, ତାହା ପୂର୍ଣ୍ଣ କରିଦେବେ-କି ଅପୂର୍ବ ଶାନ୍ତି ସେତେବେଳେ ପ୍ରାଣରେ ପାଇବ !

୬୯. ସାଧନ କରୁ କରୁ ଦେଖିବ, ମୋ ଅନ୍ତରରେ ଯିଏ, ତୁମ ଅନ୍ତରରେ ମଧ୍ୟ ସିଏ । ନୀଚ ଜାତି ମଣିଷଙ୍କ ଅନ୍ତରରେ ମଧ୍ୟ ସେ ବିରାଜମାନ-ଏହିପରି ଭାବିଲେ ସିନା ଅହଂକାର କଟିବ ।

୭୦. ସେ (ଠାକୁରେ) କହୁଥିଲେ, ‘କର୍ମ କରିବାକୁ ହେବ, ସ୍ତ୍ରୀ ଲୋକମାନଙ୍କର ବସିରହିବା ଉଚିତ ନୁହେଁ । ବସି ରହିଲେ ନାନା ପ୍ରକାର କୁଚିନ୍ତା ପ୍ରବେଶ କରେ ।‘

୭୧. ସ୍ତ୍ରୀ ପକ୍ଷରେ ଗୁରୁ ଆଉ ସ୍ୱାମୀ-ତ୍ୟାଗ କରାଯାଏ ନାହିଁ । ବିବାହିତା ସ୍ତ୍ରୀ ଶତ ଦୁଃଖ ପାଇଲେ ସୁଦ୍ଧା ସ୍ୱାମୀର ସେବା କରିବ ।

୭୨. ପତିଙ୍କର ଚିତ୍ତ ଯଦି ପ୍ରକୃତରେ ଭଗବତ୍-ଅଭିମୁଖୀ ହୋଇଥାଏ ତେବେ ସାଧ୍ୱୀ ପତ୍ନୀର କର୍ତ୍ତବ୍ୟ ହେଉଛି, ତାହାଙ୍କୁ ସେହି ଧର୍ମପଥରେ ଉତ୍ସାହ ଦେବା ଏବଂ ସେହି ପଥରେ ନିଜର ଜୀବନକୁ ମଧ୍ୟ ପରିଚାଳିତ କରିବା । ଏଥିରେ ଉଭୟଙ୍କର କଲ୍ୟାଣ ହେବ ।

୭୩. ସ୍ତ୍ରୀଲୋକମାନଙ୍କର ପବିତ୍ର ଭାବରେ ରହିବା କଅଣ ସହଜ କଥା ! ସତୀ ସ୍ତ୍ରୀଙ୍କ ସମ୍ମୁଖରେ ମୁନି, ଋଷି, ଦେବତା, ଗନ୍ଧର୍ବ ମଧ୍ୟ ହାତ ଯୋଡ଼ି ସ୍ତବ୍ଧ ହୋଇ ରହନ୍ତି ।

୭୪. ସ୍ତ୍ରୀଲୋକମାନଙ୍କର ପାଠ ପଢ଼ି ପଣ୍ଡିତ ହେବା ବଡ଼ କଥା ନୁହେଁ, ରୂପ ମଧ୍ୟ ବଡ଼ କଥା ନୁହେଁ । ସେମାନଙ୍କର ଅସଲ କଥା ପବିତ୍ରତା ।

୭୫. ଠାକୁରେ କହୁଥିଲେ, ‘ଛାୟା କାୟା, ଘଟ-ପଟ ସମାନ ।‘

୭୬. ଠାକୁରେ କହୁଥିଲେ, ‘ଲୋକେ ରୋଗ, ଶୋକ, ପାପତାପ ନେଇ, କେତେ ଦୁଷ୍କର୍ମ କରି ଆସି ମୋତେ ଛୁଅଁନ୍ତି, ସେହିସବୁ ଏହି ଦେହରେ ଆଶ୍ରୟ କରିଛି ।‘ ଏ କଥା ଠିକ୍ ମା’ !

୭୭. (ଠାକୁରେ) ମୋତେ ଦିନେ କହିଲେ, ‘ଦେଖିବ, ଏହାପରେ ଘରେ ଘରେ ମୋର ପୂଜା ହେବ । ଏହାକୁ (ଠାକୁରଙ୍କୁ) ସମସ୍ତେ ମାନିବେ, ତମେ ଚିନ୍ତା କର ନାହିଁ ।‘

୭୮. ଶ୍ରୀଠାକୁର ମୋତେ କହିଥିଲେ, ‘ମୋର ଚିନ୍ତା ଯିଏ କରେ, ତାହାର ସାମାନ୍ୟ ଖାଇବା ପିଇବା କଷ୍ଟ ହେବ ନାହିଁ ।‘

୭୯. ହରିଦାସୀ (ଜନୈକ ସ୍ତ୍ରୀ-ଭକ୍ତ) ଠାକୁରଙ୍କ ଜନ୍ମସ୍ଥାନର ଧୂଳି ସାଉଁଟି ପାଖରେ ରଖିଥିଲା । ସେ କହିଲା-‘ଏହିଠାରେ ତ ନବଦ୍ୱୀପ, ସ୍ୱୟଂ ଗୌରାଙ୍ଗ ଏଠାକୁ ଆସିଛନ୍ତି; ଆଉ କାହିଁକି ନବଦ୍ୱୀପକୁ ଯିବି ?‘ ଆହା କି ବିଶ୍ୱାସ !

୮୦. ବୁଝିଲ ମା’, ମୁଁ କିଛି ନୁହେଁ । ଠାକୁରେ ହିଁ ସବୁ । ତୁମେ ସବୁ ଠାକୁରଙ୍କ ପାଖରେ ଏଇୟା କୁହ (ହାତଯୋଡ଼ି ଠାକୁରଙ୍କୁ ପ୍ରଣାମ କଲେ) ମୋର ଅହଙ୍କାର ଯେପରି ନ ଆସେ ।

୮୧. ହରି ଓ ତାଙ୍କ ପ୍ରସାଦ ମଧ୍ୟରେ କୌଣସି ପ୍ରଭେଦ ନାହିଁ ମନରେ ଏହି ସ୍ଥିର ବିଶ୍ୱାସ ରଖ ।

୮୨. କୌଣସି ଏକ ଭକ୍ତର ଦର୍ଶନାଦି କଥା ଶୁଣି ମା’ ଆନନ୍ଦରେ କହୁଛନ୍ତି, ‘ଆହା! ସେ ଆନନ୍ଦ କଅଣ ଆଉ ପ୍ରତିଦିନ ହୁଏ ମା’ ! ତାହା ସବୁ ସତ୍ୟ, ସବୁ ସତ୍ୟ, କିଛି ମିଥ୍ୟା ନୁହେଁ, ମା’ ! ସେ ହେଉଛନ୍ତି ସବୁ । ସେ ପ୍ରକୃତି, ସେ ପୁରୁଷ । ‘ଓଁ‘ ରୁ ସବୁ ବାହାରିଛି ।

୮୩. କୁଳକୁଣ୍ଡଳିନୀ ଜାଗ୍ରତ ନ ହେଲେ ଏପରି ଅନୁଭବ ହୁଏ ନାହିଁ । ଡାହାଣ ଆଡ଼ୁ ଯାହା (ଯେଉଁ ଜାଗରଣ ଅନୁଭବ) ହୁଏ, ତାହା ଠିକ୍ । ତା’ପରେ ମନ ଗୁରୁ ହୋଇଯାଏ । ମନସ୍ଥିର କରି ଦୁଇ ମିନିଟ୍ ମଧ୍ୟ (ଈଶ୍ୱରଙ୍କୁ) ଡାକିପାରିବା ଭଲ ।

୮୪. ଶ୍ରୀଶ୍ରୀମା’ଙ୍କ ଦେହ ଖୁବ୍ ଅସୁସ୍ଥ । ଜନୈକା ମହିଳା ଭକ୍ତ କହିଲେ, ‘ଆଉ କାହାରିକୁ ଦୀକ୍ଷା ଦିଆଯିବ ନାହିଁ । ଲୋକମାନଙ୍କ ପାପଭାର ଭାର ଗ୍ରହଣ କରି ଆପଣଙ୍କର ଏହି ଯନ୍ତ୍ରଣା ହେଉଛି ।‘ ଏହା ଶୁଣି ମା’ ମୃଦୁ ହାସ୍ୟ କରି କହିଲେ, ‘କାହିଁକି ମା’, ଠାକୁରେ କଅଣ ଖାଲି ରସଗୋଲା ଖାଇବାକୁ ଆସିଛନ୍ତି ?‘

୮୫. ଜନୈକ ଭକ୍ତ ସାଧନ ଭଜନ କିପରି କରିବାକୁ ହେବ ପ୍ରଶ୍ନ କରିବାରୁ ଶ୍ରୀଶ୍ରୀମା କହିଲେ, ‘ତୁମକୁ କିଛି କରିବାକୁ ହେବ ନାହିଁ ।‘ ପୁଣି ଥରେ ଏହିପରି ପ୍ରଶ୍ନର ଉତ୍ତରରେ ମା’ କହିଲେ, ‘ତୁମ ପାଇଁ ଯାହା କରିବାକୁ ହେବ, ତାହା ମୁଁ କରିବି । ତୁମକୁ କିଛି କରିବାକୁ ହେବ ନାହିଁ ।‘

୮୬. ଶ୍ରାଦ୍ଧ ଅନ୍ନ ଭୋଜନ କରିବାକୁ ଠାକୁରେ ବିଶେଷ ନିଷେଧ କରୁଥିଲେ । ସେଥିରେ ଭକ୍ତିର ହାନି ହୁଏ । ସବୁ କର୍ମରେ ଯଜ୍ଞେଶ୍ୱର ନାରାୟଣଙ୍କର ଅର୍ଚ୍ଚନା ହୁଏ ସତ, ତେବେ ସେ ଶ୍ରାଦ୍ଧାନ୍ନ ଭୋଜନ କରିବାକୁ ମନା କରୁଥିଲେ । କିନ୍ତୁ ଆତ୍ମୀୟସ୍ୱଜନଙ୍କର ଶ୍ରାଦ୍ଧରେ ନ ଖାଇ ଉପାୟ କଅଣ ?

୮୭. ବନ୍ୟାରେ ଲୋକମାନଙ୍କର ବହୁତ କଷ୍ଟ ହେଉଛି । ଏହା ଶୁଣି ମା କରୁଣସ୍ୱରରେ କହିଲେ, ‘ବାବା ଜଗତର ମଙ୍ଗଳ କର ।‘

୮୮. ଜଣେ ଜଣେ ଯେତେବେଳେ ମୋତେ ପ୍ରଣାମ କରନ୍ତି, ସେତେବେଳେ ବିରୁଡ଼ି ଶୁ‘ ମାରିଦେଲା ଭଳି ଯନ୍ତ୍ରଣା ବୋଧହୁଏ । କିନ୍ତୁ ମୁଁ କାହାରିକୁ କିଛି କହେ ନାହିଁ ।

୮୯. ଭୟ କଅଣ ବାବା, ସବୁବେଳେ ଜାଣିବ ଯେ ଠାକୁର ତୁମ ପଛରେ ରହୁଛନ୍ତି । ମୁଁ ରହୁଛି । ମୁଁ ମା’ ରହିଛି । ତେଣୁ ଭୟ କଅଣ ?

୯୦. ଠାକୁରେ ପରା କହିଛନ୍ତି, ‘ଯେଉଁମାନେ ତୁମ ନିକଟକୁ ଆସିବେ, ମୁଁ ଶେଷ ସମୟରେ ଆସି ସେମାନଙ୍କର ହାତ ଧରି ନେଇଯିବି ।‘

୯୧. ଯାହାର ଯାହା ଖୁସି କର, ଯେପରି ଖୁସି ସେହିପରି ଭାବରେ ଚଳ । ଠାକୁରଙ୍କୁ କିନ୍ତୁ ଶେଷ ବେଳକୁ ଆସିବାକୁ ହେବ, ତୁମମାନଙ୍କୁ ନେବା ପାଇଁ ।

୯୨. ସୁଯୋଗ ଉପସ୍ଥିତ ହେବା ମାତ୍ରେ ଭଲମନ୍ଦ ସମୟ ଅପେକ୍ଷା ନ କରି ପୁଣ୍ୟ କାର୍ଯ୍ୟ କରି ପକାଇବା ଭଲ ।

୯୩. ଠାକୁରଙ୍କ ପ୍ରତି ଭକ୍ତି ରଖ । ଯେତେବେଳେ କଷ୍ଟ ହେବ, ଠାକୁରଙ୍କୁ ଜଣାଇବ ।

୯୪. ଠାକୁରେ ଏକମାତ୍ର ରକ୍ଷାକର୍ତ୍ତା, ଏହି କଥାଟି ସବୁବେଳେ ମନେ ରଖିବ । ଏହା ଭୁଲିଲେ ଚଳିବ ନାହିଁ ।

୯୫. ଜପଧ୍ୟାନ କରିବ, ସତ୍ସଙ୍ଗ ରଖିବ, ଅହଂକାରକୁ କୌଣସିମତେ ମୁଣ୍ଡ ଟେକିବାକୁ ଦେବ ନାହିଁ ।

୯୬. ଯିଏ ଠାକୁରଙ୍କ ଶରଣାଗତ ହୁଏ, ତାକୁ ବ୍ରହ୍ମଶାପ ମଧ୍ୟ କିଛି କରିପାରିବ ନାହିଁ । ମୋର କୌଣସି ଭୟ ନାହିଁ ।

୯୭. ବାବା ! ଠାକୁରେ ଦୟା କରିବେ, ତାହାଙ୍କୁ ଡାକ, ଆଉ ସତ୍ସଙ୍ଗ କର, ସାଧନ-ଭଜନ କର । ଠାକୁରଙ୍କୁ ଡାକିଲେ ସବୁ ହେବ ।

୯୮. ଏଠାକୁ (ଠାକୁରଙ୍କ ଆଶ୍ରୟକୁ) ଯିଏ ଆସିଛି, ଯେଉଁମାନେ ମୋର ସନ୍ତାନ, ସେମାନଙ୍କର ମୁକ୍ତି ନିଶ୍ଚୟ । ବିଧିର ସାଧ୍ୟ ନାହିଁ ଯେ ମୋର ସନ୍ତାନମାନଙ୍କୁ ରସାତଳକୁ ପକାଇବ ।

୯୯. ସତ୍ସଙ୍ଗ କର, ଭଲ ହେବାକୁ ଚେଷ୍ଟା କର । କ୍ରମେ ସବୁ ହେବ ।

୧୦୦. ଠାକୁରଙ୍କୁ ଡାକ, ମୁଁ ରହିଲି । ତୁମ୍ଭେମାନେ ଏ ଜନ୍ମରେ ମୁକ୍ତ ହୋଇ ରହିଛ, ଜାଣିବ । ଭୟ କଅଣ, ବେଳ ଆସିଲେ ସେ ସବୁ କରିଦେବେ ।

୧୦୧. ଆନ୍ତରିକ ହେଲେ ଶେଷରେ ଏଠାରେ (ଠାକୁରଙ୍କ ଆଶ୍ରୟରେ) ଆସି ପହଞ୍ଚିବ-ଦେଖୁ ନାହଁ, ବର୍ତ୍ତମାନ ତାରକ ବ୍ରହ୍ମନାମର ଚାରିଆଡ଼େ ପ୍ରଚାର ହେଉଛି; ଟିକିଏ ସାର ଥିଲେ କେହି ବାଦ୍ ଯିବେ ନାହିଁ । (ଅର୍ଥାତ୍ ସମସ୍ତେ ଶାନ୍ତି ପାଇବେ ।)

***

ସ୍ୱାମୀ ବିବେକାନନ୍ଦ

୧୮୬୩ ଖ୍ରୀଷ୍ଟାବ୍ଦ ଜାନୁଆରୀ ୧୨ ତାରିଖ, ପୌଷ ସଂକ୍ରାନ୍ତି ଦିନ ପ୍ରତ୍ୟୁଷରେ କଲିକତାର ସିମଳାପଲ୍ଲୀରେ ବିଶ୍ୱନାଥ ଦତ୍ତ ଓ ଭୁବନେଶ୍ୱରୀ ଦେବୀଙ୍କର ପ୍ରଥମ ପୁତ୍ରରୂପେ ଯେଉଁ ଶିଶୁଟି ଜନ୍ମଗ୍ରହଣ କରିଥିଲା, ସେହି ନବଜାତକ ପ୍ରତି ଆମମାନଙ୍କର ପ୍ରଣତି । ସେଦିନ ହୁଏତ ଶତ ଶତ ଶିଶୁଙ୍କର ଜନ୍ମ ହୋଇଛି, କିନ୍ତୁ ଏହି ଶିଶୁଟିକୁ ହିଁ ବିଶେଷ କରି ଜଗତ ସ୍ମରଣ କରି ରଖିଛି । ଏହି ନବଜାତକ ନରେନ୍ଦ୍ରନାଥ ଦତ୍ତ, ଯିଏ ପରବର୍ତ୍ତୀ କାଳରେ ବିଶ୍ୱବରେଣ୍ୟ ଯୁଗାଚାର୍ଯ୍ୟ ସ୍ୱାମୀ ବିବେକାନନ୍ଦ ହୋଇଥିଲେ ।

ବିଶ୍ୱନାଥ ଦତ୍ତ ଥିଲେ ଜଣେ ଲବ୍ଧପ୍ରତିଷ୍ଠିତ ଆଟର୍ଣ୍ଣି । ତାଙ୍କର ଉଦାରତା, ଚରିତ୍ରର ତେଜସ୍ୱିତା ଓ ପରଦୁଃଖକାତରତା ସମସ୍ତଙ୍କର ଶ୍ରଦ୍ଧା ଆକର୍ଷଣ କରୁଥିଲା । ଭୁବନେଶ୍ୱରୀ ଦେବୀ ଥିଲେ ସୁରୂପା, ତେଜସ୍ୱିନୀ, ଧର୍ମପ୍ରାଣା, ଆଦର୍ଶ ହିନ୍ଦୁ ରମଣୀ । କାଶୀର ବୀରେଶ୍ୱର ଶିବଙ୍କର ପ୍ରସନ୍ନତାରୁ ଏହି ପୁତ୍ର ଲାଭ ହୋଇଥିଲା, ତେଣୁ ନାମ ରଖାହେଲା ବୀରେଶ୍ୱର-ଡାକନାମ ‘ବିଲେ’ । ଅନ୍ନପ୍ରାଶନ ସମୟରେ ନାମ ଦିଆଗଲା ନରେନ୍ଦ୍ରନାଥ ।

ଶୈଶବରେ ବିଲେ ବଡ଼ ଅଶାନ୍ତ ଥିଲେ । ଭୁବନେଶ୍ୱରୀ ଦେବୀ ଦୁଃଖ କରି କହୁଥିଲେ, ‘ଶିବଙ୍କୁ ଗୋଟିଏ ପୁଅ ମାଗିଥିଲି, ସେ ଗୋଟିଏ ଭୂତ ପଠାଇ ଦେଲେ ।‘ ମା’ ଙ୍କଠାରୁ ରାମାୟଣ ମହାଭାରତ ଗଳ୍ପ ଶୁଣିବା ମାଧ୍ୟମରେ ବାଳକର ପ୍ରାଥମିକ ଶିକ୍ଷା ଆରମ୍ଭ ହେଲା । ରାମସୀତାଙ୍କର ମୂର୍ତ୍ତିକୁ ପୁଷ୍ପମାଲ୍ୟରେ ସଜ୍ଜିତ କରିବାକୁ ବିଲେ ଖୁବ୍ ଭଲ ପାଉଥିଲେ । ସଙ୍ଗୀମାନଙ୍କୁ ନେଇ ଶିବମୂର୍ତ୍ତି ସମ୍ମୁଖରେ ବସି ଧ୍ୟାନ କରିବା ଥିଲା ବିଲେର ଅନ୍ୟତମ ପ୍ରିୟ ଖେଳ । ଦିନେଛାତଘରେ ଏହି ଧ୍ୟାନର ଖେଳ ଚାଲିଛି, ଏପରି ସମୟରେ ଗୋଟିଏ ଗୋଖର ସାପ ସେଠାରେ ଦେଖାଗଲା; ସଙ୍ଗୀମାନେ ସମସ୍ତେ ଦୌଡ଼ି ପଳାଇଲେ; କିନ୍ତୁ ବିଲେ ଗଭୀର ଧ୍ୟାନମଗ୍ନ । ଚାରିଆଡ଼େ ଚହଳ ପଡ଼ିଗଲା । ସାପଟି ଚାଲିଯିବା ପରେ ଧ୍ୟାନସ୍ଥ ବିଲେକୁ କୋଳ କରି ବାହାରକୁ ଅଣାଗଲା । ପରେ ପଚାରିବାରୁ ବିଲେ କହିଲା, ‘ମୁଁ ତ କିଛି ଜାଣିନି ।‘ ଶ୍ରୀରାମକୃଷ୍ଣଦେବ କହୁଥିଲେ, ‘ନରେନ୍ ଧ୍ୟାନସିଦ୍ଧ ମହାପୁରୁଷ ।‘

ଗରିବ ଦୁଃଖୀ ଓ ସାଧୁ ଫକିରଙ୍କ ଉପରେ ବାଳକ ନରେନ୍ଦ୍ରର ଖୁବ୍ ଦରଦ ଥିଲା । ଭିକ୍ଷା ପାଇଁ କେହି ଆସିଲେ ସେ ଚାଉଳ ଡାଲି, ପଇସା, କଉଡ଼ି ଯାହା ପାଏ, ତାହା ଆଣିଦିଏ, ଆଉ କିଛି ନ ପାଇଲେ ଖୋଲି ଦିଏ ନିଜର ପିନ୍ଧାଲୁଗା ଖଣ୍ଡିକ । ସର୍ବହରାମାନଙ୍କ ମୁହଁରେ ହସ ଦେଖି ତା’ର ପ୍ରାଣ ଅପରିସୀମ ତୃପ୍ତିରେ ଭରି ଉଠେ । ଜାତିଭେଦ ସମ୍ବନ୍ଧରେ ବାଳକ ନରେନ୍ର ବିଶେଷ କୌତୁହଳ । ବାପାଙ୍କ ବୈଠକଖାନାରେ ବିଭିନ୍ନ ଜାତିର ମହକିଲମାନଙ୍କର ଅଲଗା ଅଲଗା ହୁକ୍କାରେ ମୁହଁ ଲଗାଇ ଟାଣି ଟାଣି ଦେଖେ-ଜାତି କିପରି ଯାଏ । ଜଣେ ମୁସଲମାନ ମହକିଲ ଥରେ ଆଦର କରି ନରେନ୍କୁ ଭଲ ଭଲ ସନ୍ଦେଶ ଖୁଆଇ ଦେଲେ । ମା’ ତାହା ଦେଖି କହିଲେ, ‘ଅନ୍ୟ ଜାତିର ଛୁଆଁ ଖାଇଲେ ଜାତି ଯାଏ ।‘ କିନ୍ତୁ ଜାତି କିପରି ଯାଏ, ତାହା ହିଁ ହେଲା ନରେନ୍ର ଚିନ୍ତାର ବିଷୟ ।

ଛ’ ବର୍ଷ ବୟସରେ ସ୍କୁଲରେ ନରେନ୍ଦ୍ରଙ୍କର ନାମ ଲେଖା ହେଲା, କିନ୍ତୁ ସେ ଇଂରାଜୀ ପଢ଼ିବାକୁ ରାଜି ହେଲା ନାହିଁ । ‘ସେ ତ ବିଦେଶୀ ଭାଷା, କାହିଁକି ପଢ଼ିବି ? ତ?ା’ଠାରୁ ମାତୃଭାଷା ତ ଶିଖିବା ଭଲ ।‘-ଏହା ଥିଲା ତାଙ୍କର କଥା । ଅନେକ ବୁଝାଇବା ପରେ କିଛି ମାସ ପରେ ନରେନ୍ଦ୍ର ଇଂରାଜୀ ପଢ଼ିବାକୁ ଆରମ୍ଭ କଲେ । ପ୍ରଖର ମେଧା, ଅଦ୍ଭୁତ ଧୀଶକ୍ତି ନେଇ ସେ ଜନ୍ମଗ୍ରହଣ କରିଥିଲେ । ଥରେ ଯାହା ପଢ଼ୁଥିଲେ କେବେ ତାହା ଭୁଲୁ ନ ଥିଲେ । ସ୍କୁଲର ପାଠ୍ୟ-ପ୍ରସ୍ତୁତି ପାଇଁ ତାଙ୍କୁ ଅତି ଅଳ୍ପ ସମୟ ଲାଗୁଥିଲା । ବାକି ସମୟତକ ଖେଳାଖେଳି, କୁସ୍ତି, ଆଖଡ଼ା, ପହଁରିବା ବା ଅଭିନୟ କରିବାରେ କିମ୍ବା କଳକବ୍ଜା ତିଆରି ଇତ୍ୟାଦିରେ କଟି ଯାଉଥିଲା । ନରେନ୍ଦ୍ର ଖୁବ୍ ଏକଜିଦିଆ ଓ ଦୁଷ୍ଟ ଥିଲେ । ଭୂତଭୟ, ବ୍ରହ୍ମଦୈତ୍ୟଭୟ, କୋକବାୟାଭୟ ଏସବୁ ହସି ଉଡ଼େଇ ଦେଉଥିଲେ । ଆମେରିକାରୁ ଫେରିବାପରେ ବିବେକାନନ୍ଦ ଦିନେ ଶିଷ୍ୟମାନଙ୍କୁ ହସି ହସି କହିଥିଲେ, ‘ପିଲାଦିନେ ମୁଁ ଖୁବ୍ ଦୁଷ୍ଟ ଥିଲି । ତା ନ ହେଲେ ଏହି ଭାବରେ ଦୁନିଆସାରା ମୁଁ କଅଣ ଘୂରିଆସି ପାରିଥାନ୍ତି କିରେ ?‘ ବାଲ୍ୟକାଳରୁ ନରେନ୍ଦ୍ରଙ୍କର ସ୍ୱଭାବ ଥିଲା ଅତିଶୟ ନିର୍ମଳ । ପଢ଼ାପଢ଼ିରେ ତାଙ୍କର ବିଶେଷ ଅନୁରାଗ ଥିଲା । ସ୍କୁଲ ପାଠ୍ୟ ଛଡ଼ା ନାନା ବିଷୟ ପଢ଼ିବାକୁ ସେ ଭଲ ପାଉଥିଲେ । ତାଙ୍କର ଜ୍ଞାନାର୍ଜନ ସ୍ପୃହା ଓ ଧାରଣାଶକ୍ତି ଅତି ଅଦ୍ଭୁତ ଥିଲା । ଏଣ୍ଟ୍ରାନ୍ସ ପାଶ୍ କରିବା ପୂର୍ବରୁ ସମୁଦାୟ ଭାରତର ଇତିହାସ ସେ ଆୟତ୍ତ କରିଥିଲେ । ସାହିତ୍ୟରେ ମଧ୍ୟ ତାଙ୍କର ବିଶେଷ ପ୍ରୀତି ଥିଲା । ୧୭ ବର୍ଷ ବୟସରେ ସେ ପ୍ରଥମ ଶ୍ରେଣୀରେ ଏଣ୍ଟ୍ରାନ୍ସ ପାଶ୍ କଲେ । ପରେ ବର୍ଷେ ମାତ୍ର ପ୍ରେସିଡ଼େନ୍ସି କଲେଜ୍ରେ ପଢ଼ି ନିକଟବର୍ତ୍ତୀ ଜେନେରାଲ୍ ଆସେମ୍ବ୍ଲିଜ୍ ଇନ୍ଷ୍ଟିଚିଉସନ୍ରେ ସ୍ନାତକ ଜୀବନର ବାକି ତିନିବର୍ଷ ଅଧ୍ୟୟନ କରିଥିଲେ ।

କଲେଜ୍ରେ ପ୍ରବେଶ କରି ନରେନ୍ଦ୍ରଙ୍କର ଜ୍ଞାନସ୍ପୃହା ବଢ଼ିଗଲା । ସେ ପାଶ୍ଚାତ୍ୟ ଦର୍ଶନ, ନ୍ୟାୟଶାସ୍ତ୍ର, ବୈଜ୍ଞାନିକ ଆବିଷ୍କାର ଓ ଦେଶବିଦେଶର ଇତିହାସ ପ୍ରଭୃତି ବିଶେଷ ଆଗ୍ରହ ସହକାରେ ପଢ଼ିବାକୁ ଲାଗିଲେ । ଶରୀରଚର୍ଚ୍ଚା ଏବଂ ସଙ୍ଗୀତରେ ମଧ୍ୟ ତାଙ୍କର ବିଶେଷ ଉତ୍ସାହ ଥିଲା । ଗଳିରେ ନବଗୋପାଳ ମିତ୍ରଙ୍କ ଆଖଡ଼ାରେ ନିୟମିତ କୁସ୍ତି, ଲାଠିଖେଳ ପ୍ରଭୃତି ଅଭ୍ୟାସ କରୁଥିଲେ । ତାଙ୍କର ପିତା ଓସ୍ତାଦ୍ ରଖି ତାଙ୍କୁ ଗୀତବାଦ୍ୟ ଶିଖାଇବାର ବ୍ୟବସ୍ଥା କରିଥିଲେ । ମୋଟ ଉପରେ ପଢ଼ାପଢ଼ି, ଗାଇବା ବଜାଇବା, କହିବା, ଦେଖିବା, ଶୁଣିବା ସବୁଥିରେ ନରେନ୍ଦ୍ର ଅଦ୍ୱିତୀୟ ଥିଲେ । ଏହି ସୁଦର୍ଶନ ବଳିଷ୍ଠ ଓ ନାନା ଗୁଣାନ୍ୱିତ କିଶୋର କ୍ରମେ ସର୍ବଜନ ପ୍ରିୟ ହୋଇ ଉଠିଲେ ।

କଲେଜ୍ରେ ପ୍ରବେଶ କରିବା ସଂଗେ ସଂଗେ ନରେନ୍ଦ୍ରଙ୍କ ଅନ୍ତରରେ ଧର୍ମଭାବ ପରିଲକ୍ଷିତ ହେଲା । ତାଙ୍କର ତରୁଣ ମନରେ ଶତ ଶତ ଆଲୋଡ଼ନ ସୃଷ୍ଟି ହେଲା । ଈଶ୍ୱର ଅଛନ୍ତି କି ? ଥିଲେ, କେଉଁଠି ସେ? ତାଙ୍କୁ କଅଣ ଦେଖି ହୁଏ ? ଜଗତରେ ଏତେ ଦୁଃଖ, ଏତେ ଅନ୍ୟାୟ, ଅବିଚାର କାହିଁକି ? ଜଗତ୍ପତି ଭଗବାନ କଣ ଦୟାମୟ, ନା ନିଷ୍ଠୁର ? କଲିକତାର ବ୍ରାହ୍ମସମାଜ ସେତେବେଳେ ଧର୍ମପିପାସୁ ଶିକ୍ଷିତ ସମାଜ ଉପରେ ବିଶେଷ ପ୍ରଭାବ ବିସ୍ତାର କରିଥାଆନ୍ତି । ଯୁବକ ନରେନ୍ଦ୍ର ଏଫ୍. ଏ. ପଢ଼ିବା ସମୟରେ ବ୍ରାହ୍ମସମାଜଭୁକ୍ତ ହୋଇ ନିୟମିତ ଉପାସନାରେ ଯୋଗ ଦେଉଥିଲେ । ତାଙ୍କ ମଧୁର କଣ୍ଠରେ ପ୍ରାର୍ଥନାସଙ୍ଗୀତ ଶୁଣି ସମସ୍ତେ ମୁଗ୍ଧ ହେଉଥିଲେ । କିନ୍ତୁ ବ୍ରାହ୍ମସମାଜ ତାଙ୍କ ଅନ୍ତରର ଧର୍ମପିପାସା ମେଣ୍ଟାଇ ପାରିଲା ନାହିଁ । କ୍ରମେ ସେ ଦେଖିଲେ ଯେ ବ୍ରାହ୍ମସମାଜ ଗୋଟିଏ ସମାଜ-ସଂସ୍କାରକ ପ୍ରତିଷ୍ଠାନ ମାତ୍ର । ତାଙ୍କର ଏକମାତ୍ର ଆକାଙ୍କ୍ଷା ଭଗବତ୍-ଦର୍ଶନ । ସେ ସବୁ ଧର୍ମଯାଜକଙ୍କୁ ପଚାରନ୍ତି-ଆପଣ ଈଶ୍ୱରଙ୍କୁ ଦର୍ଶନ କରିଛନ୍ତି କି ? କେହି ଏ ପ୍ରଶ୍ନର ଉତ୍ତର ଦେଇପାରନ୍ତି ନାହିଁ । ନରେନ୍ଦ୍ରନାଥ ଏଥିରେ ଅଧିକ କୌତୁହଳୀ ହୋଇ ଗଭୀରତର ସାଧନାରେ ମଗ୍ନ ହେଲେ । ରାତି ପରେ ରାତି ଧ୍ୟାନରେ ବିତିବାକୁ ଲାଗିଲା ।

*                                *                         *

ଯେଉଁ ରାମକୃଷ୍ଣଦେବଙ୍କ ସଙ୍ଗେ ତାଙ୍କ ଜୀବନ ଏତେ ନିବିଡ଼ ଭାବରେ ଜଡ଼ିତ, ଯାହାଙ୍କ ସଂସ୍ପର୍ଶରେ ଆସି ସେ ଈଶ୍ୱରଦର୍ଶନ କରିଥିଲେ, ବ୍ରହ୍ମଜ୍ଞାନରେ ପ୍ରତିଷ୍ଠିତ ହୋଇଥିଲେ ଏବଂ ଅନ୍ୟଙ୍କୁ ମଧ୍ୟ ଅଧ୍ୟାତ୍ମରାଜ୍ୟ ବିଷୟରେ ସାହାଯ୍ୟ କରିବାର ଶକ୍ତି ଅର୍ଜନ କରିଥିଲେ, ସେହି ଦେବମାନବଙ୍କ ସହିତ ସେତେବେଳକୁ ତାଙ୍କର ପରିଚୟ ହୋଇ ନ ଥାଏ । ଏହି ସମୟରେ ଦିନେ ଅପ୍ରତ୍ୟାଶିତ ଭାବରେ ନରେନ୍ଦ୍ର ଓ ଶ୍ରୀରାମକୃଷ୍ଣଦେବଙ୍କର ମିଳନ ହେଲା । ଏ ଯେପରି ପ୍ରାଚ୍ୟ ସଙ୍ଗେ ପାଶ୍ଚାତ୍ୟର ଓ ନବୀନ ସଂଗେ ପ୍ରବୀଣର ମିଳନ । ପ୍ରତିବେଶୀ ସୁରେନ୍ଦ୍ରନାଥ ମିତ୍ରଙ୍କ ଘରକୁ ପରମହଂସଦେବ ଆସିଥାଆନ୍ତି, ପରିଚିତ ଭକ୍ତ ମାନଙ୍କୁ ନେଇ ଗୋଟିଏ ଛୋଟ ଉତ୍ସବରେ ଆୟୋଜନ ହୋଇଥାଏ । ଗାୟକ ଅଭାବରୁ ଏହି ଉତ୍ସବରେ ଭଜନ ଗାଇବା ପାଇଁ ସୁରେନ୍ଦ୍ରନାଥ ପଡ଼ୋଶୀ ନରେନ୍ଦ୍ରଙ୍କୁ ଡକାଇ ପଠାଇଲେ । ପ୍ରାଣ ଢାଳି ଗାଇଲେ ନରେନ୍ଦ୍ରନାଥ । ଶ୍ରୀରାମକୃଷ୍ଣ ଗୀତ ଶୁଣି ମୁଗ୍ଧ । ନରେନ୍ଦ୍ରଙ୍କୁ ଦେଖିବା ମାତ୍ରେ ସେ ଚମକି ଉଠିଲେ-‘ଏଇ ଯେ ସେହି ଅଖଣ୍ଡ ଘରର ଋଷି !‘ ସାଗ୍ରହରେ ପାଖକୁ ଡାକିଲେ ଏବଂ ଦିନେ ଦକ୍ଷିଣେଶ୍ୱରକୁ ଯିବା ପାଇଁ ନରେନ୍ଦ୍ରଙ୍କୁ ଅନୁରୋଧ କଲେ ।

ଏହି ସମୟରେ ନରେନ୍ଦ୍ର ଏଫ. ଏ. ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ପରୀକ୍ଷା ପରେ ବିଶ୍ୱନାଥ ଦତ୍ତ ତାଙ୍କର ବିବାହ ପାଇଁ ଉଦ୍ଯୋଗୀ ହେଲେ । କିନ୍ତୁ ନରେନ୍ଦ୍ରନାଥ ସ୍ପଷ୍ଟ ଜଣାଇ ଦେଲେ ଯେ, ‘ମୁଁ ବିବାହ କରିବି ନାହିଁ ।‘ ସେତେବେଳକୁ ସେ ଅନ୍ତର୍ଦ୍ୱନ୍ଦରେ ବିଶେଷ ଜର୍ଜରିତ । ରାମଚନ୍ଦ୍ର ଦତ୍ତ ନରେନ୍ଦ୍ରଙ୍କର ଜ୍ଞାତିଭାଇ । ସେ ନରେନ୍ଦ୍ରଙ୍କର ମାନସିକ ଅବସ୍ଥା ବିଷୟରେ ଜାଣିପାରି କହିଲେ, ‘ଦେଖ ନରେନ୍, ଯଦି ଭଗବତ୍ ଲାଭ ହିଁ ତୁମ ଜୀବନର ଲକ୍ଷ୍ୟ ହୋଇଥାଏ, ତେବେ ଏଣେତେଣେ ନ ବୁଲି ଦକ୍ଷିଣେଶ୍ୱରରେ ଥିବା ପରମହଂସଦେବଙ୍କ ପାଖକୁ ଯାଅ, ଶାନ୍ତି ପାଇବ ।‘ ନରେନ୍ଦ୍ରଙ୍କର ମନେପଡ଼ିଲା ପରମହଂସଙ୍କ ଆମନ୍ତ୍ରଣ କଥା । ସେ କେତେଜଣ ବନ୍ଧୁଙ୍କୁ ସଙ୍ଗରେ ନେଇ ଦିନେ ଦକ୍ଷିଣେଶ୍ୱରଠାରେ ଉପସ୍ଥିତ ହେଲେ । ତାଙ୍କୁ ଦେଖି ପରମହଂସଦେବ ଅତ୍ୟନ୍ତ ଆନନ୍ଦିତ ହେଲେ । ଗୀତ ଗାଇବାକୁ ଅନୁରୋଧ କଲେ । ନରେନ୍ ମଧ୍ୟ ଦୁଇଟି ଗୀତ ଗାଇଲେ-‘ମନ ଚାଲ ନିଜ ନିକେତନ’ ଇତ୍ୟାଦି ଏବଂ ‘ଯିବ କି ହେ ଦିନ ମୋର ବିଫଳେ ଚାଲି’ ଇତ୍ୟାଦି ।

ଶ୍ରୀରାମକୃଷ୍ଣ ତାଙ୍କର ଯୋଗଦୃଷ୍ଟି ସହାୟରେ ଜାଣିପାରିଥିଲେ ଯେ ନରେନ୍ଦ୍ରନାଥ ହିଁ ସେହି ଅଖଣ୍ଡ ଘରର ଋଷି-ତାଙ୍କର ଯୁଗବାର୍ତ୍ତା ପ୍ରଚାର ପାଇଁ ଜଗତ ଆସିଛନ୍ତି । ଏହାପରେ ପୁଣି ଯେଉଁଦିନ ନରେନ୍ଦ୍ର ଦକ୍ଷିଣେଶ୍ୱର ଆସିଥିଲେ, ସେଦିନ ପରମହଂସଦେବ ତାଙ୍କୁ ଏକା ପାଇ ଭାବାବସ୍ଥାରେ ସ୍ପର୍ଶ କଲେ । ଏହା ଫଳରେ ନରେନ୍ଦ୍ରଙ୍କର ବାହ୍ୟଜ୍ଞାନ ଲୁପ୍ତ ହୋଇଗଲା । ସେହି ଅବସ୍ଥାରେ ପରମହଂସଦେବ ତାଙ୍କୁ ପଚାରିଲେ, ତୁମେ କିଏ, କେଉଁଠାରୁ ଆସିଛ, କାହିଁକି ଆସିଛ, କେତେଦିନ ରହିବ ?‘ ଧ୍ୟାନାବସ୍ଥାରେ ନରେନ୍ଦ୍ର ଯାହା କହିଥିଲେ, ତାହା ଶୁଣି ପରମହଂସଦେବ ତାଙ୍କ ସମ୍ବନ୍ଧରେ ନିଶ୍ଚିନ୍ତ ହେଲେ ।

ସେହିଦିନଠାରୁ ନରେନ୍ଦ୍ରଙ୍କ ଧର୍ମଜୀବନର ଶିକ୍ଷାଦୀକ୍ଷା ଆରମ୍ଭ ହେଲା । ଦକ୍ଷିଣେଶ୍ୱରକୁ ତାଙ୍କର ଯାତାୟାତ କ୍ରମେ ବଢ଼ି ଚାଲିଲା । ନରେନ୍ଦ୍ରଙ୍କ ବିଚାରଶୀଳ ମନ; ସେ ପରମହଂସଦେବଙ୍କର ପ୍ରତ୍ୟେକଟି କଥା ଓ ଆଚରଣ ପରଖି ନେଉଥାନ୍ତି । ତାଙ୍କୁ ମଧ୍ୟ ସେ ଏକ ପ୍ରଶ୍ନ ପଚାରିଥିଲେ, ‘ଆପଣ କଅଣ ଈଶ୍ୱରଙ୍କୁ ଦେଖିଛନ୍ତି ?‘ ଶ୍ରୀରାମକୃଷ୍ଣ ତତ୍କ୍ଷଣାତ୍ ଉତ୍ତର ଦେଲେ, ‘ଦେଖିଛି କଅଣ ରେ ! କଥା ମଧ୍ୟ କହିଛି । ଏଇ ତତେ ଯେମିତି ଦେଖୁଛି ତା’ଠାରୁ ବି ଭଲଭାବେ ତାଙ୍କୁ ଦେଖିବାକୁ ପାଏ । ତୁ ଦେଖିବାକୁ ଚାହୁଁ ତ ତତେ ବି ଦେଖାଇଦେବି । କିନ୍ତୁ କେତେଜଣ ବା ଭଗବାନଙ୍କୁ ଦେଖିବାକୁ ଚାହାଁନ୍ତି ?‘

ଶ୍ରୀରାମକୃଷ୍ଣଙ୍କର ଶିକ୍ଷା ଫଳରେ ନରେନ୍ଦ୍ର ବୁଝିଲେ ଯେ ପ୍ରତ୍ୟେକ ଧର୍ମ ହିଁ ସତ୍ୟ । ଶିବଜ୍ଞାନରେ ଜୀବସେବା ଭଗବାନଙ୍କର ଶ୍ରେଷ୍ଠ ପୂଜା । ତେଣୁ ସେ ପରବର୍ତ୍ତୀ କାଳରେ ଘୋଷଣା କରିଥିଲେ, ‘ବହୁ ରୂପେ ସମ୍ମୁଖେ ତୁମର, ଛାଡ଼ି କାହିଁ ଖୋଜୁଛ ଈଶ୍ୱର ! ଜୀବେ ପ୍ରେମ କରେ ଯେଉଁ ଜନ, ସେହି ଜନ ସେବଇ ଈଶ୍ୱର ।‘ ଶ୍ରୀରାମକୃଷ୍ଣ କହୁଥିଲେ, ‘ନରେନ୍ଦ୍ରର ଖୁବ୍ ଉଚ୍ଚ ଘର । ନିରାକାରର ଘର । ଦିନେ ପ୍ରସିଦ୍ଧ ବ୍ରାହ୍ମନେତା କେଶବଚନ୍ଦ୍ର ସେନ୍ ଓ ବିଜୟକୃଷ୍ଣ ଗୋସ୍ୱାମୀଙ୍କ ସଙ୍ଗେ ତୁଳନା କରି ସେ କହିଥିଲେ, କେଶବ ଓ ବିଜୟ, ଏ ଦୁଇଜଣଙ୍କ ଅନ୍ତରରେ ଈଶ୍ୱରୀୟ ଜ୍ଞାନ ପ୍ରଦୀପ ପରି ଜଳୁଛି, ଆଉ ନରେନ୍ ଭିତରେ ସେ ଜ୍ଞାନର ଦୀପ୍ତି ସୂର୍ଯ୍ୟପରି ତେଜୀୟାନ୍ ।‘

୧୮୮୫ ଖ୍ରୀଷ୍ଟାବ୍ଦରେ ବି. ଏ. ପରୀକ୍ଷା ପରେ ନରେନ୍ଦ୍ରଙ୍କ ପିତାଙ୍କର ହଠାତ୍ ମୃତ୍ୟୁ ହେଲା । ପିତା ତ କିଛି ରଖିଯାଇ ନ ଥିଲେ, ବରଂ କିଛି ଋଣ ଥିଲା । ମା’, ଭାଇ, ଭଉଣୀଙ୍କର ଶୁଖିଲା ମୁହଁ ଆଡ଼କୁ ଚାହିଁ, ଆଖିଲୁହ ପୋଛି ନରେନ୍ଦ୍ର ବାହାରନ୍ତି ଚାକିରୀ ଅନୁସନ୍ଧାନରେ । ଅନେକ ଚେଷ୍ଟା ପରେ ସାମାନ୍ୟ ସ୍କୁଲ ଶିକ୍ଷକତା ବା ବହିର ଅନୁବାଦ ଇତ୍ୟାଦି କାମ କରି କୌଣସି ପ୍ରକାର ସଂସାର ଚଳାଇବାକୁ ଲାଗିଲେ । କିନ୍ତୁ ତହିଁରେ ଅବସ୍ଥାରେ ବିଶେଷ ପରିବର୍ତ୍ତନ ହେଲା ନାହିଁ । ନାନା ପ୍ରତିକୂଳ ଅବସ୍ଥା ଭିତରେ ମଧ୍ୟ ନରେନ୍ଦ୍ରଙ୍କ ବିବେକ, ବୈରାଗ୍ୟ, ଭଗବଦ୍ବିଶ୍ୱାସ, ଅନୁରାଗ ତିଳେ ହେଲେ କମି ନ ଥାଏ । ନିରୁପାୟ ହୋଇ ସେ ଦକ୍ଷିଣେଶ୍ୱରକୁ ଶ୍ରୀରାମକୃଷ୍ଣଦେବଙ୍କ ପାଖକୁ ଗଲେ । ପ୍ରାର୍ଥନାସ୍ୱରରେ କହିଲେ, ‘ଆପଣଙ୍କୁ ଏହାର ଗୋଟିଏ ପ୍ରତିକାର କରିଦେବାକୁ ହେବ ।‘ ଶ୍ରୀରାମକୃଷ୍ଣଙ୍କ ଆଶୀର୍ବାଦରୁ ସେମାନଙ୍କର ମୋଟା ଭାତ ଓ ଲୁଗାର ସଂସ୍ଥାନ ହେଲା । ଏଣେ ନରେନ୍ଦ୍ରଙ୍କ ଜୀବନରେ ଆସିଲା ବିପୁଳ ପରିବର୍ତ୍ତନ । ଯେଉଁ ନରେନ୍ଦ୍ର ପ୍ରତିମାପୂଜାର ବିରୋଧୀ ଥିଲେ, ସେ ଦର୍ଶନ କଲେ ପାଷାଣପ୍ରତିମା ମଧ୍ୟରେ ଚୈତନ୍ୟରୂପିଣୀ ଭବତାରିଣୀଙ୍କୁ । ସେ ବିଚାର ତର୍କ ସବୁ ଛାଡ଼ି ଶ୍ରୀରାମକୃଷ୍ଣଙ୍କ ଚରଣରେ ଆତ୍ମସମର୍ପଣ କଲେ । ଈଶ୍ୱରଲାଭ ପାଇଁ ତୀବ୍ର ଆକାଙ୍କ୍ଷା ଓ ଶ୍ରୀରାମକୃଷ୍ଣଙ୍କର କୃପାହେତୁ ତାଙ୍କ ମନ କ୍ରମେ ନିର୍ବିିକଳ୍ପ ସମାଧିଭୂମିରେ ଅଧିରୂଢ଼ ହେଲା ।

୧୮୮୫ ଖ୍ରୀଷ୍ଟାବ୍ଦର ମଧ୍ୟଭାଗରେ ପରମହଂସଦେବଙ୍କ ଗଳଦେଶରେ କ୍ୟାନସର୍ ରୋଗର ସୂତ୍ରପାତ ହୁଏ । ଚିକିତ୍ସା ନିମିତ୍ତ ତାଙ୍କୁ ଶ୍ୟାମପୁକୁର ଓ ପରେ କାଶୀପୁରକୁ ଅଣା ହେଲା । ଅନ୍ୟାନ୍ୟ ଗୁରୁଭାଇମାନଙ୍କୁ ନେଇ ନରେନ୍ଦ୍ର ଗୁରୁସେବାରେ ଆତ୍ମନିୟୋଗ କଲେ । ସଂଗେ ସଂଗେ ଚାଲିଲା ଧ୍ୟାନଜପ ଓ ତୀବ୍ର ସାଧନା । ସେ ନିଜେ ଧୁନି ଜଲାଇ ସାରା ରାତି ଧ୍ୟାନ କରୁଥାନ୍ତି । ଆହାରନିଦ୍ରାରେ ଉଦାସୀନ ହୋଇ କଠୋର ସାଧନାରେ ସେ ବୁଡ଼ି ରହିଲେ । କହିଲେ, ‘ଏହି ମହାପୁରୁଷ ଥାଉଁ ଥାଉଁ ଧର୍ମ ଜୀବନରେ ପ୍ରତିଷ୍ଠିତ ହେବାକୁ ହେବ । ଶ୍ରୀରାମକୃଷ୍ଣ ମଧ୍ୟ ବିଭିନ୍ନ ସାଧନାରେ ନରେନ୍ଦ୍ରଙ୍କୁ ସିଦ୍ଧ କଲେ । ତାଙ୍କ ଜୀବନରେ ଅନେକ ଉଚ୍ଚ ଆଧ୍ୟାତ୍ମିକ ଅନୁଭୂତିର ବିକାଶ ହେବାକୁ ଲାଗିଲା । ଦିନେ ସେ ଶ୍ରୀରାମକୃଷ୍ଣଦେବଙ୍କୁ ଧରି ବସିଲେ, କହିଲେ, ‘ମୁଁ ଶୁକଦେବଙ୍କ ପରି ନିର୍ବିକଳ୍ପ ସମାଧି ଦ୍ୱାରା ସଚ୍ଚିଦାନନ୍ଦ ସାଗରରେ ବୁଡ଼ି ଯିବାକୁ ଚାହେଁ ।‘ ନରେନ୍ଦ୍ରଙ୍କର ପ୍ରାର୍ଥନା ଶୁଣି ପରମହଂସଦେବ କହି ଉଠିଲେ, ‘ଛି ! ଛି ! ତୁ ଏତେବଡ଼ ଆଧାର ! ତୋ ମୁହଁରେ ଏଇ କଥା ! ତୁ ଖାଲି ନିଜର ମୁକ୍ତି ଚାହୁଁ !‘ ପରେ ଶ୍ରୀରାମକୃଷ୍ଣ କହିଥିଲେ, ଆଚ୍ଛା ଯା’, ମା’ର ଇଚ୍ଛା ହେଲେ ତାହା ହିଁ ହେବ ।‘ ଏହାର କିଛିଦିନ ପରେ ଏକ ସନ୍ଧ୍ୟାରେ କାଶୀପୁରଠାରେ ନରେନ୍ଦ୍ର ଧ୍ୟାନରେ ବସିଛନ୍ତି; କ୍ରମେ ତାଙ୍କର ବାହ୍ୟଜ୍ଞାନ ଲୁପ୍ତ ହେଲା । ଦେହରେ ପ୍ରାଣର ଚିହ୍ନମାତ୍ର ରହିଲା ନାହିଁ । ନିର୍ବିକଳ୍ପ ସମାଧିରେ ସେ ସ୍ଥିର ହୋଇଗଲେ । ଅନେକ କ୍ଷଣ ପରେ ଜୀବକଲ୍ୟାଣରୂପକ ଏକମାତ୍ର ଭାବନା ଅବଲମ୍ବନ କରି ନରେନ୍ଦ୍ରଙ୍କର ମନ ନିର୍ବିକଳ୍ପ-ଭୂମିରୂ ଜୀବ-ଭୂମିକୁ ଖସି ଆସିଲା । ‘ବହୁଜନହିତାୟ’ କର୍ମର ବାସନା ତାଙ୍କ ମନରେ ଜାଗି ଉଠିଲା । ନରେନ୍ଦ୍ର ପରମହଂସଦେବଙ୍କ ନିକଟକୁ ଯିବାମାତ୍ରେ ସେ ଆନନ୍ଦରେ ଉଛୁଳି ପଡ଼ିଲେ । କହିଲେ, ‘ଏଥର ତ ମା’ ତୋତେ ସବୁ ଦେଖାଇଦେଲେ, କିନ୍ତୁ ବର୍ତ୍ତମାନ ସେସବୁ ଚାବି ପଡ଼ି ରହିଲା । ତୋତେ ମା’ଙ୍କର ଅନେକ କାମ କରିବାକୁ ହେବ । କାମ ଶେଷ ହେଲେ ପୁଣି ଏହି ଅବସ୍ଥା ଫେରି ପାଇବୁ ।‘ ଶ୍ରୀରାମକୃଷ୍ଣ ହିଁ ତାଙ୍କୁ ନିୟୋଜିତ କରିଥିଲେ ଜଗତର ହିତ ସାଧନରେ ।

ନରେନ୍ଦ୍ରନାଥ ପ୍ରାୟ ଛଅବର୍ଷକାଳ ଶ୍ରୀରାମକୃଷ୍ଣଙ୍କର ସଙ୍ଗଲାଭ କରିଥିଲେ । ଏହି ସମୟ ମଧ୍ୟରେ ତାଙ୍କ କୃପାରୁ ନରେନ୍ଦ୍ରଙ୍କର ଆଧ୍ୟାତ୍ମିକ ଜୀବନର ପୂର୍ଣ୍ଣ ବିକାଶ ହୋଇଥିଲା । ସେ ନିଃସନ୍ଦେହରେ ବୁଝିପାରିଥିଲେ ରାମଚନ୍ଦ୍ର, ଶ୍ରୀକୃଷ୍ଣ, ବୁଦ୍ଧ, ଯୀଶୁଖ୍ରୀଷ୍ଟ ଓ ଶ୍ରୀଚୈତନ୍ୟଙ୍କ ପରି ଶ୍ରୀରାମକୃଷ୍ଣ ମଧ୍ୟ ଭଗବାନଙ୍କର ଅବତାର । ଧର୍ମର ଗ୍ଳାନି ଦୂର କରି ସମଗ୍ର ବିଶ୍ୱରେ ସାର୍ବଜନୀନ ଉଦାର ଆଧ୍ୟାତ୍ମିକ ସତ୍ୟର ଆଲୋକ ଦେଖାଇବାକୁ ହିଁ ତାଙ୍କର ଜନ୍ମ । ଶ୍ରୀରାମକୃଷ୍ଣ ତାଙ୍କର ଅସମାପ୍ତ କାର୍ଯ୍ୟଭାର ନରେନ୍ଦ୍ରଙ୍କ ଉପରେ ଅର୍ପଣ କରି ୧୮୮୬ ଖ୍ରୀଷ୍ଟାବ୍ଦ ଅଗଷ୍ଟ ୧୬ ତାରିଖ ସୋମବାର ମହାନିଶାରେ ସମାଧିଯୋଗେ ଶରୀର ତ୍ୟାଗ କରି ସ୍ୱଧାମକୁ ଚାଲିଗଲେ ।

*                                *                         *

ଦେହତ୍ୟାଗର କିଛିଦିନ ପୂର୍ବରୁ ଶ୍ରୀରାମକୃଷ୍ଣ ନରେନ୍ଦ୍ରାଦି କେତେଜଣ ଯୁବକ ଭକ୍ତଙ୍କୁ ତ୍ୟାଗ-ମନ୍ତ୍ରରେ ଦୀକ୍ଷିତ କରିଥିଲେ । ତାଙ୍କର ତିରୋଧାନ ପରେ ନରେନ୍ଦ୍ର ଯୁବକ ଗୁରୁଭାଇମାନଙ୍କୁ ଏକତ୍ରିତ କରି ବରାହନଗରରେ ଗୋଟିଏ ପରିତ୍ୟକ୍ତ ଭଙ୍ଗା ଘର ଭଡ଼ା ନେଇ ମଠ ସ୍ଥାପନ କଲେ । ଶ୍ରୀରାମକୃଷ୍ଣଦେବଙ୍କର ପୂଜାଦି ପ୍ରବର୍ତ୍ତିତ ହେଲା । ଗୁରୁଦେବଙ୍କର ସାଧନାକୁ ନିଜ ଜୀବନରେ ଫୁଟାଇ ତୋଳିବା ପାଇଁ ସେମାନେ ତୀବ୍ର ତପସ୍ୟା, ଶାସ୍ତ୍ରାନୁଶୀଳନ, ଭଜନ, କୀର୍ତ୍ତନ ଓ ବିଦ୍ୟାଚର୍ଚ୍ଚାରେ ବ୍ରତୀ ହେଲେ । ଶ୍ରୀରାମକୃଷ୍ଣ-ତ୍ୟାଗୀସଂଘର ଭିତ୍ତିସ୍ଥାପନ ହେଲା ସେହି ବରାହନଗର ମଠରେ । ୧୮୮୭ ଖ୍ରୀଷ୍ଟାବ୍ଦର ପ୍ରଥମ ଭାଗରେ ନରେନ୍ଦ୍ର ଗୁରୁଭାଇମାନଙ୍କ ମଧ୍ୟରୁ କେତେଜଣଙ୍କ ସହିତ ବିରଜା ହୋମ କରି ସନ୍ନ୍ୟାସ ନେଲେ ଓ ନୂତନ ନାମ ଓ ବେଶରେ ଭୂଷିତ ହେଲେ । ଜୀବନର ନୂତନ ବ୍ରତ ହେଲା ‘ଆତ୍ମନୋ ମୋକ୍ଷାର୍ଥଂ ଜଗଦ୍ଧିତାୟ ଚ’ ।

ପ୍ରାୟ ଦୁଇ ବର୍ଷ କାଳ ବରାହନଗର ମଠରେ ସାଧନ ଭଜନରେ ଅତିବାହିତ କରିବା ପରେ ମଠକୁ କିଞ୍ଚିତ୍ ସୁପ୍ରତିଷ୍ଠିତ ଦେଖି ସ୍ୱାମୀଜୀ ଦଣ୍ଡ-କମଣ୍ଡଳୁଧାରୀ କପର୍ଦକ ଶୂନ୍ୟ ଅବସ୍ଥାରେ ପ୍ରବ୍ରଜ୍ୟାରେ ବାହାରିଲେ। ବାରାଣସୀ, ଅଯୋଧ୍ୟା, ଲକ୍ଷେ୍ନò, ଆଗ୍ରା, ବୃନ୍ଦାବନ ଓ ହରିଦ୍ୱାର ପ୍ରଭୃତି ଦର୍ଶନ କଲେ । ଏହି ଭ୍ରମଣ ମାଧ୍ୟମରେ ସେ ଅନେକ କିଛି ଶିଖିଥିଲେ ଏବଂ ତାଙ୍କ ଅନ୍ତର ମଧ୍ୟରେ ଶ୍ରୀରାମକୃଷ୍ଣ-ଅର୍ପିତ ଭବିଷ୍ୟତ କର୍ମପଦ୍ଧତି ଗୋଟିଏ ସକ୍ରିୟ ରୂପ ନେଇଥିଲା । ଭାରତର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତର ସୁସ୍ପଷ୍ଟ ଛବି ଭାସି ଉଠୁଥିଲା ତାଙ୍କର ଯୋଗଜ ଦୃଷ୍ଟି ସମ୍ମୁଖରେ । ଅଶିକ୍ଷା, ଅନାହାର ଓ ନଗ୍ନତାକ୍ଳିଷ୍ଟ କୋଟି କୋଟି ଭାରତବାସୀଙ୍କର ଦୁଃଖଦୁର୍ଦ୍ଦଶା ଦେଖି ତାଙ୍କର ବିଶାଳ ହୃଦୟ ମଥିତ ହେଉଥିଲା ଏବଂ ତାହାର ପ୍ରତିକାର ଚିନ୍ତାରେ ସେ ଅସ୍ଥିର ହେଉଥିଲେ ।

କିଛିଦିନ ପରେ ଶାରୀରିକ ଅସୁସ୍ଥତା ପାଇଁ ସେ ବରାହନଗର ମଠକୁ ଫେରି ଆସିଲେ । ପୁନରାୟ ୧୮୯୦ ଖ୍ରୀଷ୍ଟାବ୍ଦ ଜୁଲାଇ ମାସରେ ସେ ନିଷ୍କ୍ରାନ୍ତ ହେଲେ ପରିବ୍ରଜ୍ୟାରେ । ବୈଦ୍ୟନାଥ, ବାରାଣସୀ, ଅଯୋଧ୍ୟା ହୋଇ ହିମାଳୟସ୍ଥ ଆଲମୋଡ଼ାରେ କିଛି ଦିନ ତପସ୍ୟା କରି କଟାଇଲେ । ପରେ ଅଳକାନନ୍ଦା, ମନ୍ଦାକିନୀ ଓ ଭାଗିରଥି ତୀରରେ ତପସ୍ୟାରେ କିଛିମାସ ଅତିବାହିତ କରି ଆସିଲେ ହୃଷୀକେଶକୁ । ସେଠାରେ କିଛିଦିନ ତୀବ୍ର ତପସ୍ୟା କରି କଟାଇବା ପରେ ସ୍ୱାମୀଜୀ ମରଣାପନ୍ନ ରୋଗରେ ଆକ୍ରାନ୍ତ ହେଲେ ।

ହିମାଳୟ ପରେ ମିରଟ୍ । ସେତେବେଳକୁ ଦୁଇଜଣ ଗୁରୁଭ୍ରାତା ତାଙ୍କ ସଙ୍ଗେ ମିଳିତ ହୋଇଥାଆନ୍ତି । ତୀବ୍ର ତପସ୍ୟା, ଶାସ୍ତ୍ରାଲୋଚନା ଓ ଜନସାଧାରଣଙ୍କୁ ଧର୍ମୋପଦେଶ ଦେବାରେ ତିନିମାସ କଟି ଗଲା । ସେ ଅନ୍ତର ମଧ୍ୟରେ ବୃହତ୍ତର କର୍ତ୍ତବ୍ୟର ଆହ୍ୱାନ ଶୁଣିବାକୁ ପାଇଲେ । ଗୁରୁଭାଇମାନଙ୍କର ସଙ୍ଗ ତ୍ୟାଗ କରି ଏକାକୀ ବାହାରିପଡ଼ିଲେ । ଭାରତର ସହସ୍ର ସହସ୍ର ସନ୍ନ୍ୟାସୀଙ୍କ ପରି ସେ ଜଣେ ଅଖ୍ୟାତ, ଅଜ୍ଞାତ ପରିବ୍ରାଜକ ସନ୍ନ୍ୟାସୀ ମାତ୍ର । ମିରଟ୍ ପରେ ଦିଲ୍ଲୀ, ରାଜପୁତାନା, ଜୟପୁର, ଖେତଡ଼ି, ଆଜମୀର, ମାଉଣ୍ଟ୍ଆବୁ, ଅହମଦାବାଦ, ଜୁନାଗଡ଼, କାଠିଆବାଡ଼ । ଦେଖିଲେ ରାଜାମାନଙ୍କର ବିଳାସିତା, ପ୍ରଜାମାନଙ୍କର ଦୁଃଖଦାରିଦ୍ର୍ୟ । ସେ ସବୁ ସ୍ତରର ଲୋକଙ୍କ ସଙ୍ଗରେ ମିଶୁଥିଲେ । ପ୍ରଜାମାନଙ୍କର ଦୁର୍ଦ୍ଦଶାର ପ୍ରତିକାର ପାଇଁ ରାଜାମାନଙ୍କୁ ଉଦ୍ବୁଦ୍ଧ କରୁଥିଲେ । ଯୁବକମାନଙ୍କୁ କ୍ଷୁଦ୍ର ସ୍ୱାର୍ଥ ତ୍ୟାଗ କରି ଭାରତମାତାର ସେବାରେ ଆତ୍ମନିୟୋଗ ପାଇଁ ଉତ୍ସାହ ଦେଉଥିଲେ । ସମାଜର ଅବହେଳିତ ଦୀନଦରିଦ୍ରଙ୍କୁ ଶୁଣାଉଥିଲେ ଆତ୍ମବିଶ୍ୱାସ ଓ ଆଶାର ବାଣୀ । ଏହି ତରୁଣ ପରିବ୍ରାଜକଙ୍କ ଭକ୍ତି ବୈରାଗ୍ୟଦୀପ୍ତ ଶାନ୍ତମୂର୍ତ୍ତି, ଅଗାଧ ଶାସ୍ତ୍ରଜ୍ଞାନ, ଉଦାରଭାବ, ବାଗ୍ମିତା ଓ ଉଦ୍ବେଳ ଦେଶପ୍ରେମ ସମସ୍ତଙ୍କୁ ମୁଗ୍ଧ କରୁଥିଲା ।

ସେହି ଭ୍ରମଣର ଦିନଗୁଡ଼ାକ ତାଙ୍କ ପାଇଁ ଥିଲା ମହାଶିକ୍ଷାର ଦିନ । ଧର୍ମଭୂମି ଭାରତର ଯେଉଁ ଚିନ୍ତାଧାରା ଚାରିଦିଗରେ ବିକ୍ଷିପ୍ତ ଥିଲା, ସେଗୁଡ଼ିକ ସେ ସଂଗ୍ରହ କଲେ । ଧର୍ମ ମଧ୍ୟରେ ପାଇଲେ ଶାଶ୍ୱତ ଐକ୍ୟ । ବିଭିନ୍ନ ଧର୍ମର ମୂଳଉତ୍ସର ସନ୍ଧାନ ମଧ୍ୟ ସେ ପାଇଲେ । ଧର୍ମସ୍ରୋତର କର୍ଦ୍ଦମାକ୍ତ ଅବସ୍ଥାକୁ ସେ ବେଦନାଭରା ପ୍ରାଣରେ ଲକ୍ଷ୍ୟ କଲେ । ସେହି ରୁଦ୍ଧ ସ୍ରୋତକୁ ଗତିଶୀଳ ଓ ନିର୍ମଳ କରିବାର ପନ୍ଥା ମଧ୍ୟ ତାଙ୍କ ପ୍ରାଣରେ ରୂପାୟିତ ହେଲା । ସର୍ବୋପରି ଦେଶବାସୀଙ୍କର ଦାରିଦ୍ର୍ୟ ଓ ଅଜ୍ଞତା ତାଙ୍କ ପ୍ରାଣକୁ ଅସ୍ଥିର କରି ତୋଳିଲା । ଏସବୁର ପ୍ରତିକାର ଚିନ୍ତା ତାଙ୍କର ସମଗ୍ର ମନପ୍ରାଣକୁ ଅଧିକାର କଲା ।

ପୋରବନ୍ଦର ଠାରେ ସେ ରାଜାଙ୍କର ଅତିଥି ହୋଇ କେତେମାସ ରହିଥିଲେ । ଦେୱାନ ପଣ୍ଡିତ ଶଙ୍କର ପଣ୍ଡୁରଙ୍ଗାଙ୍କୁ ବେଦର ଅନୁବାଦ କରିବାରେ ସାହାଯ୍ୟ କରୁଥିଲେ । ବିନିମୟରେ ତାଙ୍କଠାରୁ ପତଞ୍ଜଳିଙ୍କର ମହାଭାଷ୍ୟ ପାଠ ସମାପ୍ତ କରି ଫରାସୀ ଭାଷା ଶିକ୍ଷା କଲେ । ପରେ ଦ୍ୱାରକା, ପାଲିତାନା, ବରୋଦା, ଖଣ୍ଡୋଆ ଆଦି ସ୍ଥାନ ଭ୍ରମଣ କଲେ । ଏହିଠାରେ ଚିକାଗୋ ଧର୍ମସଭା ବିଷୟ ପ୍ରଥମେ ଶୁଣି ଏହି ସମ୍ମିଳନୀରେ ଯୋଗଦାନ କରିବା ପାଇଁ ତାଙ୍କର ଇଚ୍ଛା ହେଲା । ବହୁ ବିଶିଷ୍ଟ ଲୋକ ମଧ୍ୟ ତାଙ୍କୁ ପଶ୍ଚାତ୍ୟରେ ବେଦାନ୍ତଧର୍ମ ପ୍ରଚାର କରିବାକୁ ଯିବା ପାଇଁ ଅନୁରୋଧ ଜଣାଇଲେ । ସେ କିନ୍ତୁ ରାମେଶ୍ୱର ଦର୍ଶନ କରିବା ପାଇଁ ଆଗେଇ ଚାଲିଲେ । ବମ୍ବେ, ପୁନା, ବେଲଗାଓଁ, ବାଙ୍ଗାଲୋର, ମହୀଶୂର, କୋଚିନ, ତ୍ରିଭେନ୍ଦ୍ରମ, ମଦୁରା ଓ ରାମେଶ୍ୱର । ଏହି ତରୁଣ ଯତି ସର୍ବତ୍ର ହିଁ ବିଶେଷ ସମାଦୃତ ହେଉଥାନ୍ତି । ଅନନ୍ତର ସେ ଆସିଲେ ଦେବତୀର୍ଥ କନ୍ୟାକୁମାରୀକୁ । ଦେବୀଙ୍କ ଚରଣରେ ଭକ୍ତିଅର୍ଘ୍ୟ ନିବେଦନ କରି ସେ ଭୁଲୁଣ୍ଠିତ ହେଲେ । ଏକ ଅନିର୍ବଚନୀୟ ଆନନ୍ଦରେ ତାଙ୍କର ଅନ୍ତର ଭରିଗଲା । ମନ୍ଦିରର ଅଦୂରରେ ଭାରତର ଶେଷ ଶିଳାଖଣ୍ଡ ଉପରେ ବସି ସେ ଗଭୀର ଧ୍ୟାନମଗ୍ନ ହେଲେ । ପାଇଲେ ନୂତନ ଆଲୋକ । ଲକ୍ଷ ଲକ୍ଷ ଦରିଦ୍ର ଭାରତବାସୀଙ୍କର ପ୍ରତିନିଧିରୂପେ ସେ ପାଶ୍ଚାତ୍ୟ ଦେଶକୁ ଯିବାର ସଂକଳ୍ପ କଲେ । ଅଶ୍ରୁସିକ୍ତ ବିବେକାନନ୍ଦ ଦେଶମାତୃକାଙ୍କ ଚରଣରେ ପ୍ରଣାମ କରି କହିଲେ, ‘ଜନନୀ ! ମୁଁ ମୁକ୍ତି ଚାହୁଁ ନାହିଁ । ତୁମରି ସେବା ହିଁ ମୋ ଜୀବନର ଏକମାତ୍ର ବ୍ରତ ।‘

କନ୍ୟାକୁମାରୀଠାରୁ ସ୍ୱାମୀଜୀ ଆସିଲେ ମାନ୍ଦ୍ରାଜ । ଆଗମନ ପୂର୍ବରୁ ହିଁ ତାଙ୍କର ଯଶୋଗାଥା ପହଞ୍ଚି ଯାଇଥିଲା । ସହର ମଧ୍ୟରେ ବିପୁଳ ଉଦ୍ଦୀପନାର ସଞ୍ଚାର ହେଲା । ଦଳେ ଦଳେ ଛାତ୍ର ଓ ଅଧ୍ୟାପକ ଆସୁଥାନ୍ତି । ନବୀନ ସନ୍ୟାସୀଙ୍କ ମୁହଁରେ ନବଜାଗରଣବାଣୀ ଶୁଣି ସମସ୍ତେ ମୁଗ୍ଧ । ମାନ୍ଦ୍ରାଜର ବିଶିଷ୍ଟ ନାଗରିକଗଣ ମଧ୍ୟ ସ୍ୱାମୀଜୀଙ୍କୁ ହିନ୍ଦୁଧର୍ମର ପ୍ରତିନିଧିରୂପେ ଆମେରିକା ପଠାଇବା ନିମିତ୍ତ ମହାଉତ୍ସାହରେ ଟଙ୍କା ଚାନ୍ଦା କରିବାକୁ ଲାଗିଲେ । ଠିକ୍ ଏହି ସମୟରେ ସ୍ୱାମୀଜୀ ଶ୍ରୀରାମକୃଷ୍ଣଙ୍କର ଇଚ୍ଛା ମଧ୍ୟ ଜାଣିପାରିଲେ ଏକ ଅଭାବନୀୟ ଉପାୟରେ । ଦିନେ ରାତ୍ରିରେ ଅର୍ଦ୍ଧନିଦ୍ରିତ ଅବସ୍ଥାରେ ସେ ସ୍ୱପ୍ନ ଦେଖିଲେ ଯେ ଶ୍ରୀରାମକୃଷ୍ଣ ଜ୍ୟୋତିର୍ମୟ ଦେହରେ ସମୁଦ୍ର ତୀରରୁ ଉତ୍ତାଳ ତରଙ୍ଗ ଉପର ଦେଇ ଚାଲିଛନ୍ତି ଏବଂ ସ୍ୱାମୀଜୀଙ୍କୁ ମଧ୍ୟ ଅନୁସରଣ କରିବା ପାଇଁ ଇଙ୍ଗିତ କରୁଛନ୍ତି । ସଙ୍ଗେ ସଙ୍ଗେ ଦୈବବାଣୀ ଶୁଣିଲେ-‘ଯାଅ’ । ଶ୍ରୀରାମକୃଷ୍ଣଙ୍କର ଇଚ୍ଛା ଜାଣିପାରି ସେ ପାଶ୍ଚାତ୍ୟ ଦେଶକୁ ଯିବା ସ୍ଥିର କଲେ । ଟଙ୍କା ପଇସାର ସବୁ ବ୍ୟବସ୍ଥା ହୋଇଗଲା । ବମ୍ବେରୁ ୧୮୯୩ ଖ୍ରୀଷ୍ଟାବ୍ଦ ମେ ମାସ ୩୧ ତାରିଖରେ ସେ ଆମେରିକା ଅଭିମୁଖେ ଯାତ୍ରା କଲେ ।

*                                *                         *

ଜଳପଥରେ ଭାରତର ଦକ୍ଷିଣ ଉପକୂଳ ଘୂରି ସିଙ୍ଗାପୁର, ହଂକଂ, ଚୀନ, ଜାପାନ ଓ ପ୍ରଶାନ୍ତ ମହାସାଗର ହୋଇ କାନାଡ଼ାର ଦକ୍ଷିଣ ପଶ୍ଚିମ ଉପକୂଳରେ ଭାଙ୍କୋଭର ବନ୍ଦରରେ ସେ ଜୁଲାଇ ମାସର ମଧ୍ୟଭାଗରେ ଅବତରଣ କଲେ । ତା’ପରେ ଟ୍ରେନ୍ରେ ଚିକାଗୋରେ ପହଞ୍ଚି କେତେଦିନ ଧରି ବିଶ୍ୱମେଳା ଦେଖିଲେ । ସେହିଠାରେ ଖବର ପାଇଲେ ଯେ ଧର୍ମମହାସଭା ଆରମ୍ଭ ହେବାକୁ ସେତେବେଳକୁ ପ୍ରାୟ ୨ ମାସ ବାକି; ତା’ ଛଡ଼ା ପ୍ରତିନିଧି ହେବାର ଶେଷ ତାରିଖ ମଧ୍ୟ ଅତିକ୍ରାନ୍ତ ହୋଇଯାଇଛି । ସହରରେ ବହୁତ ଖର୍ଚ୍ଚ । ପାଖରେ ଯାହା ସମ୍ବଳ ଅଛି, ତା’ ଅଳ୍ପଦିନ ମଧ୍ୟରେ ହିଁ ଶେଷ ହୋଇଯିବ । ସେ ବିଶେଷ ଚିନ୍ତିତ ହୋଇ ପଡ଼ିଲେ । ତାହାହେଲେ କଅଣ ଏହିପରି ଭାବରେ ଫେରିଯିବାକୁ ହେବ ! ନିଶ୍ଚୟ ନୁହେଁ, ସେ ତ ଆସିଛନ୍ତି ଭଗବାନଙ୍କର ନିର୍ଦ୍ଦେଶରେ । ଖର୍ଚ୍ଚ ବଞ୍ଚାଇବା ପାଇଁ ସେ ବୋଷ୍ଟନ ପାଖରେ ଗୋଟିଏ ସହରରେ କିଛିଦିନ କଟାଇ ଆସିଲେ । ଅନେକେ ତାଙ୍କ ପ୍ରତି ଆକୃଷ୍ଟ ହେଲେ । କେତୋଟି ସମିତିରେ ସେ ବକ୍ତୃତା ମଧ୍ୟ ଦେଲେ । ହାଭାର୍ଡ଼ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ମି: ରାଇଟ୍ ତିନିଘଣ୍ଟା ବାକ୍ୟାଳାପ ପରେ ସ୍ୱାମୀଜୀଙ୍କର ଗଭୀର ପାଣ୍ଡିତ୍ୟ ଓ ବିରାଟ ବ୍ୟକ୍ତିତ୍ୱ ପ୍ରତି ଏତେଦୂର ଆକୃଷ୍ଟ ହେଲେ ଯେ ସେ ସ୍ୱତଃପ୍ରଣୋଦିତ ହୋଇ ତାଙ୍କର ବିଶ୍ୱଧର୍ମ-ସମ୍ମିଳନୀରେ ଯୋଗଦାନର ସମସ୍ତ ବ୍ୟବସ୍ଥା କରିଦେଲେ । ସମ୍ମିଳନୀର କର୍ତ୍ତୃପକ୍ଷଙ୍କ ପାଖକୁ ସ୍ୱାମୀଜୀଙ୍କର ପରିଚୟ- ପତ୍ରରେ ଲେଖିଲେ, ‘ଏ ଏପରି ଜଣେ ବ୍ୟକ୍ତି ଯାହାଙ୍କର ପାଣ୍ଡିତ୍ୟ ଆମ ସମସ୍ତ ଅଧ୍ୟାପକଙ୍କର ସମ୍ମିଳିତ ପାଣ୍ଡିତ୍ୟଠାରୁ ମଧ୍ୟ ବେଶୀ ।‘

୧୧ ତାରିଖ ସେପ୍ଟେମ୍ୱର ( ଖ୍ରୀ: ୧୮୯୩) ଚିକାଗୋ ଧର୍ମମହାସଭା ଆରମ୍ଭ ହେଲା । ସ୍ୱାମୀ ବିବେକାନନ୍ଦ ସେଦିନ ସନାତନ ବୈଦିକ ଧର୍ମ ତଥା ଭାରତକୁ ଜଗତସଭାର ଶ୍ରେଷ୍ଠ ଆସନରେ ବସାଇଲେ । ସେଦିନ କେବଳ ନବଯୁଗର ସୂଚନାର ଦିନ ନୁହେଁ, ପ୍ରାଚ୍ୟ ଓ ପାଶ୍ଚାତ୍ୟର ମିଳନର ଦିନ । ପୃଥିବୀର ପ୍ରାୟ ପ୍ରତ୍ୟେକ ଧର୍ମର ପ୍ରବୀଣ ପ୍ରତିନିଧିବୃନ୍ଦ ସଭାମଣ୍ଡପରେ ଉପସ୍ଥିତ, ଆଉ ସଭାଗୃହରେ ୬/୭ ହଜାର ବିଶିଷ୍ଟ ନାଗରିକଙ୍କର ସମାବେଶ । କେତେଜଣ ପ୍ରତିନିଧିଙ୍କ ବକ୍ତୃତା ପରେ ତେଜୋଦୀପ୍ତ ତରୁଣ ସନ୍ନ୍ୟାସୀ ବିବେକାନନ୍ଦ ଦେବୀ ସରସ୍ୱତୀଙ୍କୁ ପ୍ରଣାମ କରି ଦୀପ୍ତ କଣ୍ଠରେ ସଭାକୁ ସମ୍ବୋଧନ କରି କହି ଉଠିଲେ, ‘ଆମେରିକାବାସୀ ଭଗିନୀ ଓ ଭ୍ରାତୃବୃନ୍ଦ‘-ସଙ୍ଗେ ସଙ୍ଗେ କେତେ ମିନିଟ୍ ଧରି ତୁମୂଳ କରତାଳି ଧ୍ୱନି ତାଙ୍କୁ ଅଭିନନ୍ଦିତ କଲା । ସ୍ୱାମୀଜୀଙ୍କର ସେହି ସମ୍ବୋଧନ ମଧ୍ୟରେ ଥିଲା ଅନ୍ତରର ସ୍ପର୍ଶ-ବିଶ୍ୱମାନବତାର ଝଙ୍କାର ଓ ବିଶ୍ୱଭ୍ରାତୃତ୍ୱର ବୀଜ । ଶ୍ରୋତୃବୃନ୍ଦଙ୍କର ସେହି ସ୍ୱତଃସ୍ପୂର୍ତ୍ତ ଉଲ୍ଲାସର ଅଭିବ୍ୟକ୍ତି ମନ୍ଦୀଭୂତ ହେଲା ପରେ ସେ ଓଜସ୍ୱିନୀ ଭାଷାରେ ଗୋଟିଏ କ୍ଷୁଦ୍ର ଭାଷଣ ଦେଲେ । ତାଙ୍କର ବକ୍ତୃତା ସମସ୍ତଙ୍କ ପ୍ରାଣରେ ଏକ ଅଦ୍ଭୁତ ଉଦ୍ଦୀପନା ସଞ୍ଚାର କଲା । ସେହି ହିନ୍ଦୁ ସନ୍ନ୍ୟାସୀଙ୍କର ପ୍ରଶଂସାରେ ସଭାଗୃହ ମୁଖରିତ ହେଲା । ମହାସଭାରେ ତା’ର ପ୍ରଭାବ ମଧ୍ୟ ସର୍ବାପେକ୍ଷା ଅଧିକ ହୋଇଥିଲା । ପରଦିନ ସମସ୍ତ ସମ୍ବାଦପତ୍ରରେ ପ୍ରକାଶିତ ହେଲା ସ୍ୱାମୀଜୀଙ୍କର ଅଜସ୍ର ସାଧୁବାଦ । ସେ ହେଲେ ଧର୍ମମହାସଭାର ସର୍ବଶ୍ରେଷ୍ଠ ବ୍ୟକ୍ତି । ରାସ୍ତାରେ ରାସ୍ତାରେ ତାଙ୍କର ପୂର୍ଣ୍ଣାବୟବ ରଙ୍ଗୀନ ପ୍ରତିକୃତି ଟଙ୍ଗା ହେଲା !

ଧର୍ମସମ୍ମିଳନୀ ୧୭ ଦିନ ଧରି ଚାଲିଥିଲା । ସବୁ ଧର୍ମର ପ୍ରତିନିଧିମାନଙ୍କର ଶତ ଶତ ବକ୍ତୃତା ଓ ପ୍ରବନ୍ଧ ପାଠ ହେଲା । ସ୍ୱାମୀଜୀ ମଧ୍ୟ ବିଭିନ୍ନ ଦିନରେ ୧୨ଟି ବକ୍ତୃତା ଦେଇଥିଲେ । ସେ ଥିଲେ ସର୍ବାପେକ୍ଷା ଜନପ୍ରିୟ ବକ୍ତା । ଖ୍ରୀଷ୍ଟାନ୍ମାନଙ୍କ ମଧ୍ୟରେ ଯେଉଁମାନେ ଧର୍ମାନ୍ଧ ସେମାନେ ମଧ୍ୟ କହିଲେ, ‘ବାସ୍ତବିକ ଏ ନରକୂଳର ଅଳଙ୍କାର ସ୍ୱରୂପ ।‘ ଶ୍ରୀରାମକୃଷ୍ଣଙ୍କର ପଦତଳେ ବସି ଯେଉଁ ଶିକ୍ଷା ସେ ଲାଭ କରିଥିଲେ, ସେହିସବୁ କଥା ହିଁ ସେ ବିଶ୍ୱବାସୀଙ୍କୁ ଶୁଣାଇଲେ-ପ୍ରତ୍ୟେକ ଧର୍ମ ହିଁ ସତ୍ୟ, ମଣିଷ ମଧ୍ୟରେ ହିଁ ଭଗବାନ । ମଣିଷ ପାପୀ ନୁହେଁ । ଅମୃତର ସନ୍ତାନ, ଅନନ୍ତର ଅଧିକାରୀ । ସମସ୍ତେ ହିଁ ବିଶ୍ୱପିତାଙ୍କର ସନ୍ତାନ-ମଣିଷ ମଣିଷର ଭାଇ । ଧର୍ମସମ୍ମିଳନୀରେ ବକ୍ତୃତା ଫଳରେ ସ୍ୱାମୀଜୀ ହେଲେ ବିଶ୍ୱବରେଣ୍ୟ । ବିବେକାନନ୍ଦଙ୍କର ସେହି ବିରାଟ ସମ୍ମାନ ଓ ସାଫଲ୍ୟରେ ସମଗ୍ର ଭାରତ ରୋମାଞ୍ଚିତ ହେଲା । ଭାରତବାସୀଙ୍କ ଅନ୍ତରରେ ଜାଗି ଉଠିଲା ସୁପ୍ତ ଚେତନା ଓ ଆତ୍ମମର୍ଯ୍ୟାଦାବୋଧ ।

ସମ୍ମିଳନୀ ପରେ ବିଭିନ୍ନ ସହର, ପ୍ରତିଷ୍ଠାନ, ସମିତି, ବିଶ୍ୱବିଦ୍ୟାଳୟ, କଲେଜ ଓ କ୍ଳବ କର୍ତ୍ତୃକ ଆହୂତ ହୋଇ ସ୍ୱାମୀଜୀ ପ୍ରାୟ ଦୁଇବର୍ଷ ଆମେରିକାର ଏକ ପ୍ରାନ୍ତରୁ ଅପର ପ୍ରାନ୍ତ ପର୍ଯ୍ୟନ୍ତ ଶତ ଶତ ବକ୍ତୃତା ଦେଲେ । ସେଥିରୁ ଆମେରିକାବାସୀମାନେ ଭାରତୀୟ ଧର୍ମ, ସମାଜ ଓ ସଂସ୍କୃତି ସଙ୍ଗେ ସମ୍ୟକ୍ ପରିଚିତ ହେଲେ । ଖ୍ରୀଷ୍ଟାନ୍ ମିଶନାରୀମାନଙ୍କର ଅପପ୍ରଚାର ପଳରେ ପାଶ୍ଚାତ୍ୟର ଜନଗଣଙ୍କ ମନରେ ଭାରତ ତଥା ହିନ୍ଦୁଧର୍ମ ପ୍ରତି ଯେଉଁ କିମ୍ଭୂତକିମାକାର ଧାରଣା ଜନ୍ମିଥିଲା, ତା ମଧ୍ୟ ସ୍ୱାମୀଜୀଙ୍କ ପ୍ରଚାର ଫଳରେ ଅପନୋଦିତ ହେଲା । ଯେଉଁ ଦେଶ ଓ ଯେଉଁ ଜାତି ମଧ୍ୟରେ ବିବେକାନନ୍ଦ ଜନ୍ମିଛନ୍ତି, ସେହି ଭାରତ ଓ ହିନ୍ଦୁଜାତି ପ୍ରତି ଆମେରିକାବାସୀ ଶ୍ରଦ୍ଧାସମ୍ପନ୍ନ ହେଲେ । ସେ ସ୍ଥାନେ ସ୍ଥାନେ ବେଦାନ୍ତ ପ୍ରଚାର ନିମିତ୍ତ ସମିତି ସ୍ଥାପନ କଲେ । ଅନେକ ତାଙ୍କର ଶିଷ୍ୟତ୍ୱ ଗ୍ରହଣ କଲେ । ଖ୍ୟାତି ସୁପ୍ରତିଷ୍ଠିତ ହେଲା । ତାଙ୍କର ନାମ ହେଲା-‘ସାଇକ୍ଳୋନିକ୍ ମଙ୍କ୍’ । ସେ ସବୁକିଛି ଉଡ଼େଇ ନେଇ ଚାଲିଲେ ।

୧୮୯୫ ଖ୍ରୀଷ୍ଟାବ୍ଦ ଅଗଷ୍ଟ ମାସରେ ସ୍ୱାମୀଜୀ ପ୍ୟାରିସ୍ ହୋଇ ଲଣ୍ଡନ ଆସିଲେ । ଯଦିଓ ଭାରତ ଇଂରେଜ-ଶାସିତ ଦେଶ, ତଥାପି ଇଂରେଜ ଜାତି ବିବେକାନନ୍ଦଙ୍କୁ ବରଣ କରି ନେଲା । ତାଙ୍କୁ ବୁଦ୍ଧ ଓ ଯୀଶୁଙ୍କ ସଙ୍ଗେ ତୁଳନା କଲେ । ତାଙ୍କର ଉଦାର ଧର୍ମମତର ବିଶେଷ ସମାଦର ହେଲା । ସେ ଜ୍ଞାନଯୋଗ ସମ୍ବନ୍ଧରେ ଅନେକ ବକ୍ତୃତା ଦେଲେ । ବେଦାନ୍ତର ସାର୍ବଭୌମ ତତ୍ତ୍ୱ ବ୍ୟାଖ୍ୟା କଲେ । ସମ୍ବାଦପତ୍ର ସମୂହ ତାଙ୍କର ପ୍ରଶଂସାରେ ମୁଖର ହୋଇଉଠିଲା । ଲେଖିଲେ, ‘ରାଜା ରାମମୋହନ ରାୟଙ୍କ ପରେ ଏକ କେଶବଚନ୍ଦ୍ର ସେନ୍ଙ୍କ ଛଡ଼ା ଇଂଲଣ୍ଣ ବକ୍ତୃତା-ମଞ୍ଚରେ ଭାରତବାସୀଙ୍କ ମଧ୍ୟରେ ବିବେକାନନ୍ଦଙ୍କ ପରି ବକ୍ତା ଦେଖାଯାଇ ନାହିଁ ।‘ ଇଂଲଣ୍ଡରେ ତଥା ସମଗ୍ର ୟୁରୋପ ଭୂଖଣ୍ଡରେ କର୍ମର ମୂଳପତ୍ତନ କରି କେତେଜଣ ଇଂରେଜ ଶିଷ୍ୟଙ୍କ ଉପରେ ପ୍ରଚାର କାର୍ଯ୍ୟର ଭାର ଦେଇ ସ୍ୱାମୀଜୀ ପୁନରାୟ ଆମେରିକାକୁ ଆସିଲେ ।

ଏଥର ଆମେରିକାର କାମକୁ ସୁପ୍ରତିଷ୍ଠିତ କଲେ । ସେ ଭାରତବର୍ଷରୁ ତାଙ୍କର ଦୁଇଜଣ ଗୁରୁଭାଇଙ୍କୁ ଡାକି ପଠାଇଲେ ପାଶ୍ଚାତ୍ୟରେ ବେଦାନ୍ତ ପ୍ରଚାର ପାଇଁ । ପାଶ୍ଚାତ୍ୟ ବିଜୟରେ ମତ୍ତ ଥାଇ ସେ ତାଙ୍କ ଭାରତକୁ ଭୁଲିନାହାନ୍ତି । କେବଳ ଭାରତର କଲ୍ୟାଣ ପାଇଁ ସେ ଯାଇଥିଲେ ପାଶ୍ଚାତ୍ୟକୁ । ଗୋଟିଏ ଚିଠିରେ ସେ ଶିଷ୍ୟମାନଙ୍କୁ ଲେଖିଥିଲେ, ‘ଭାରତ ବାହାରେ ଏକ ଆଘାତ, ଭାରତ ଭିତରେ ଲକ୍ଷେ ପାହାର ସଙ୍ଗେ ସମାନ ।‘ ସ୍ୱାମୀଜୀଙ୍କର ସାଫଲ୍ୟରେ ଭାରତରେ ଯେଉଁ ଆଲୋଡ଼ନ ସୃଷ୍ଟି ହୋଇଥିଲା, ତାକୁ ଅବଲମ୍ବନ କରି ଜନସାଧାରଣଙ୍କ ମଧ୍ୟରେ ଜାତୀୟତାବୋଧ ଉଦ୍ବୁଦ୍ଧ କରିବା ନିମନ୍ତେ ସେ ତାଙ୍କର ଗୁରୁଭାଇ ଓ ଶିଷ୍ୟମାନଙ୍କୁ ସଂଘବଦ୍ଧ ହୋଇ କାମ କରିବାକୁ ଲେଖିଲେ । ସେହି ସବୁ ଚିଠିରେ ଥିଲା ସଂଗଠନର ବାଣୀ ଓ ଦେଶାତ୍ମବୋଧରେ ଉଦ୍ବୁଦ୍ଧ କରିବାର ତୂର୍ଯ୍ୟଧ୍ୱନି । ଭାରତକୁ ଫେରିଯିବାର ଆହ୍ୱାନ ମଧ୍ୟରେ ଯେଉଁ ଆନ୍ତରିକତା ଓ କରୁଣସ୍ୱର ଥିଲା ତାହା ସ୍ୱାମୀଜୀଙ୍କର ଅନ୍ତର ସ୍ପର୍ଶ କଲା । ସେ ଭାରତକୁ ପ୍ରତ୍ୟାବର୍ତ୍ତନ କରିବାକୁ ମନ ସ୍ଥିର କଲେ ।

କିନ୍ତୁ ତାହା ପୂର୍ବରୁ ୟୁରୋପରେ ଯନ୍ତ୍ରଟିକୁ ସେ ଶେଷଥର ପାଇଁ ସବେଗରେ ଚାଳିତ କରିଦେଲେ । ୧୮୯୬ ଏପ୍ରିଲ ୧୫ ତାରିଖରେ ନ୍ୟୁୟର୍କଠାରୁ ସେ ଇଂଲଣ୍ଡ ଯାତ୍ରା କଲେ । ଏଥର ଇଂଲଣ୍ଡରେ ବହୁ ବକ୍ତୃତା ଦେବା ବ୍ୟତୀତ ୟୁରୋପରେ ଦୁଇଜଣ ଶ୍ରେଷ୍ଠ ମନୀଷୀ ଅଧ୍ୟାପକ ମାକ୍ସମୁଲାର ଓ ଅଧ୍ୟାପିକା ଡୟସନ୍ଙ୍କ ସଙ୍ଗେ ତାଙ୍କର ଘନିଷ୍ଠ ପରିଚୟ ହେଲା । ଅଧ୍ୟାପକ ମାକ୍ସୁମୁଲାରଙ୍କ ଆନ୍ତରିକ ଆମନ୍ତ୍ରଣରେ ସେ ୧୮୯୬ ଖ୍ରୀଷ୍ଟାବ୍ଦ ମେ ମାସ ୨୮ ତାରିଖରେ ଅକ୍ସଫୋର୍ଡ଼ରେ ବୃଦ୍ଧ ପ୍ରଫେସରଙ୍କ ଘରକୁ ଯାଇ ତାଙ୍କୁ ଦେଖା କଲେ । ଦୁଇଜଣଙ୍କ ମିଳନ ଅତ୍ୟନ୍ତ ଆନ୍ତରିକତାପୂର୍ଣ୍ଣ ହେଲା । ଦାର୍ଶନିକ ଆଲୋଚନା ଛଡ଼ା ଅଧ୍ୟାପକ ବିଶେଷ ଶ୍ରଦ୍ଧା ଓ ଉତ୍ସାହ ସହକାରେ ଶ୍ରୀରାମକୃଷ୍ଣଙ୍କ ସମ୍ବନ୍ଧରେ ଅନେକ କଥା ଜାଣିବାକୁ ଚାହିଁଲେ । ଉପାଦାନ ପାଇଲେ ଶ୍ରୀରାମକୃଷ୍ଣଙ୍କର ଖଣ୍ଡେ ଜୀବନୀ ଲେଖିବା ପାଇଁ ତାଙ୍କର ଇଚ୍ଛା ମଧ୍ୟ ସେ ପ୍ରକାଶ କଲେ । ରାତ୍ରିରେ ସ୍ୱାମୀଜୀ ଯେତେବେଳେ ଟ୍ରେନ୍ ପାଇଁ ଷ୍ଟେସନରେ ଅପେକ୍ଷା କରୁଛନ୍ତି, ସେତେବେଳେ ବୃଦ୍ଧ ଅଧ୍ୟାପକ ଝଡ଼ବୃଷ୍ଟି ମଧ୍ୟରେ ଷ୍ଟେସନରେ ଆସି ଉପସ୍ଥିତ । ତାଙ୍କୁ ଦେଖି ସ୍ୱାମୀଜୀ କୁଣ୍ଠା ପ୍ରକାଶ କରି କହିଲେ, ‘ଏ ଦୁର୍ଯୋଗ ମଧ୍ୟରେ ଆପଣ ଏତେ କଷ୍ଟ କରି କାହିଁକି ଆସିଲେ !‘ ଗଦ୍ଗଦ୍ କଣ୍ଠରେ ଅଧ୍ୟାପକ ଉତ୍ତର ଦେଲେ, ‘ଶ୍ରୀରାମକୃଷ୍ଣଙ୍କର ଜଣେ ଯୋଗ୍ୟତମ ଶିଷ୍ୟଙ୍କର ଦର୍ଶନଲାଭର ସୌଭାଗ୍ୟ ପ୍ରତିଦିନ ଆସେ ନାହିଁ ।‘ ଏହି ମର୍ମସ୍ପର୍ଶୀ କଥା କେତୋଟି ସ୍ୱାମୀଜୀଙ୍କୁ ବିଶେଷ ଅଭିଭୂତ କଲା । ବେଦ ବେଦାନ୍ତ ଚର୍ଚ୍ଚା ହିଁ ମାକ୍ସମୁଲାର୍ ଓ ଡୟସନ୍ଙ୍କର ଏକମାତ୍ର ଜୀବନବ୍ରତ । ଦୁଇଜଣ ହିଁ ଭାରତକୁ ଭଲ ପାଉଥିଲେ । ୟୁରୋପ ଭ୍ରମଣ ପରେ ଇଂଲଣ୍ଡର କାମକୁ ସୁପ୍ରତିଷ୍ଠିତ କରି ସ୍ୱାମୀଜୀ ତିନିଜଣ ଇଂରେଜ ଶିଷ୍ୟ-ଶିଷ୍ୟାଙ୍କ ସହ ଡିସେମ୍ବର ୩୦ ତାରିଖରେ ନେପଲ୍ସଠାରୁ ଭାରତ ଅଭିମୁଖେ ଯାତ୍ରା କଲେ ।

*                                *                         *

ଡେଟ୍ରୟେଟ୍‌ରେ (ଆମେରିକା) କେତେଜଣ ଶିଷ୍ୟଙ୍କ ନିକଟରେ ସ୍ୱାମୀଜୀ କହିଥିଲେ, ‘ବାସ୍ତବ ପକ୍ଷେ କହିବାକୁ ଗଲେ ମୋର କାମର ପ୍ରକୃତ ଆଦର ହୋଇପାରେ ଭାରତବର୍ଷରେ ।‘ କିନ୍ତୁ ସେ କେବେ ଭାବିନାହାନ୍ତି ଯେ ତାଙ୍କୁ ବରଣ କରିନେବା ପାଇଁ ଦେଶବ୍ୟାପୀ ଅଭାବନୀୟ ଅୟୋଜନ ହୋଇଛି ଓ ସମଗ୍ର ଦେଶ ଅଧୀର ଆଗ୍ରହରେ ତାଙ୍କୁ ପ୍ରତୀକ୍ଷା କରିଛି । ଭାରତର ମୁଖଉଜ୍ଜ୍ୱଳକାରୀ ବିବେକାନନ୍ଦ ଫେରି ଆସୁଛନ୍ତି । ଭାରତବ୍ୟାପୀ ବିପୁଳ ଆଲୋଡ଼ନ ସୃଷ୍ଟି ହେଲା । ଗୋଟିଏ ମହାନ୍ ଜାତିର ହଜାର ବର୍ଷର ନିଦ ଭାଙ୍ଗିଯାଇଛି ।

୧୮୯୭ ଖ୍ରୀଷ୍ଟାବ୍ଦ ଜାନୁଆରୀ ୧୫ ତାରିଖରେ ସ୍ୱାମୀଜୀ ସିଂହଳରେ ଓହ୍ଲାଇଲେ । ଆରମ୍ଭ ହେଲା ରାଜୋଚିତ ସମ୍ବର୍ଦ୍ଧନା । ସେହିଠାରୁ ହିଁ ଆରମ୍ଭ ହେଲା ତାଙ୍କର ଅଗ୍ନିମୟୀ ବକ୍ତୃତା । ସେହିସବୁ ବକ୍ତୃତାରେ ଧ୍ୱନିତ ହୋଇଛି ନବଜାଗରଣର ମହାମନ୍ତ୍ର, ଭବିଷ୍ୟତ ଭାରତ ଗଠନର କର୍ମସୂଚୀ । ସେ କମ୍ବୁକଣ୍ଠରେ ଭାରତକୁ ଶୁଣାଇଲେ, ‘ଆଗାମୀ ପଚାଶବର୍ଷ ଧରି ଜନନୀ ଜନ୍ମଭୂମୀ ତୁମର ଏକମାତ୍ର ଆରାଧ୍ୟ ଦେବତା ହୁଅନ୍ତୁ ।’ ଦେଶମାତୃକାର ପୂଜା ହେଉଛି ଦେଶବାସୀଙ୍କର ସେବା, ସେମାନଙ୍କର ଦୁଃଖଦୁର୍ଦ୍ଦଶା ଦୂର କରି ଶିକ୍ଷାବିସ୍ତାର ମାଧ୍ୟମରେ ସେମାନଙ୍କୁ ଜାଗ୍ରତ କରି ତୋଳିବା । ସ୍ୱାମୀଜୀଙ୍କର ‘କଲମ୍ବୋଠାରୁ ଆଲମୋଡ଼ା’ ବକ୍ତୃତାବଳୀ ଯାଦୁମନ୍ତ୍ର ପରି କାମ କଲା । ଦେଶପ୍ରେମିକମାନେ ଦେଶ କାମରେ ଆତ୍ମନିୟୋଗ କଲେ-ଆଶା ଓ ଉତ୍ସାହରେ ଭରି ତୋଳିଲେ ଜନସାଧାରଣଙ୍କର ଅନ୍ତର । ତାଙ୍କର ବାଣୀ ପହଞ୍ଚିଲା ଦୁର୍ଜେୟ ଆବେଦନରୂପରେ-‘ଉଠ, ଜାଗ, ସମସ୍ତେ ଅଣ୍ଟା ଭିଡ଼ ।’

ସିଂହଳବାସୀଙ୍କ ଅଭ୍ୟର୍ଥନା ସ୍ୱାମୀଜୀଙ୍କୁ ଅଭିଭୂତ କରିଥିଲା । କେତୋଟି ସ୍ଥାନରେ ବକ୍ତୃତା ଦେଇ ସେ ଦକ୍ଷିଣ ଭାରତର ରାମେଶ୍ୱର, ରାମନାଦ, ପରମକୁଡ଼ି, ମଦୁରା, ତ୍ରିଚିନାପଲ୍ଲୀ ଓ କୁମ୍ଭକୋନମ୍ ପ୍ରଭୃତି ସ୍ଥାନରେ ଉଦ୍ଦୀପନାମୟୀ ବକ୍ତୃତା ଦେଇ ଆସିଲେ ମାନ୍ଦ୍ରାଜକୁ । ପ୍ରତ୍ୟେକ ସ୍ଥାନରେ ହିଁ ସହସ୍ର ସହସ୍ର ନରନାରୀ ତାଙ୍କୁ ସମ୍ବର୍ଦ୍ଧନା ଜଣାଇଲେ, ତାଙ୍କର ବାଣୀ ଶୁଣିଲେ ପରମ ଆଗ୍ରହରେ । ଶିବତୀର୍ଥ ରାମେଶ୍ୱରଠାରେ ସେ ଶୁଣାଇଲେ-‘ଦରିଦ୍ର, ପ୍ରପ୍ରୀଡ଼ିତ ଓ ଆର୍ତ୍ତ ମଧ୍ୟରେ ଶିବଙ୍କର ପୂଜା କର ।’ ମାନ୍ଦ୍ରାଜଠାରେ ମହୋସିବ ଲାଗିଗଲା । ପଥେ ପଥେ ୧୭ଟି ତୋରଣ, ଯୁବକମାନେ ତାଙ୍କ ଗାଡ଼ି ଟାଣି ନେବାକୁ ଲାଗିଲେ; ପୁରଙ୍ଗନାମାନେ ଦ୍ୱାରେ ଦ୍ୱାରେ ତାଙ୍କର ଆରତି କଲେ-ନଅଦିନ ଧରି ଏହି ଆନନ୍ଦଉତ୍ସବ ଚାଲିଥିଲା । ବିଭିନ୍ନ ଭାଷାରେ ଛବିଶ ଖଣ୍ଡ ମାନପତ୍ର ତାଙ୍କୁ ଦିଆଗଲା । ସର୍ବତ୍ର ବିପୁଳ ଜନତାର ସମାଗମ । ପ୍ରତିଦିନ ତାଙ୍କୁ ବକ୍ତୃତା ଦେବାକୁ ହୁଏ । ସେ ଭାରତର ଅତୀତ ମହିମା ଶୁଣାଇଲେ; ଭାରତର ମହାବାଣୀ-ସମଗ୍ର ବିଶ୍ୱର ଏକତ୍ୱ ସେ ନୂତନ ଭାବେ ବୁଝାଇଲେ ।

ଦକ୍ଷିଣ ଭାରତରେ ତାଙ୍କୁ ପ୍ରାୟ ଏକମାସ ରହିବାକୁ ହେଲା । ଭାରତର ନାନା ସ୍ଥାନରୁ ତାଙ୍କୁ ନେଇଯିବା ପାଇଁ ବହୁ ଆବେଦନ ଆସିଲା; କିନ୍ତୁ ତାଙ୍କ ଶରୀର ଏତେ କ୍ଳାନ୍ତ ହୋଇପଡ଼ିଥିଲା ଯେ ଟିକିଏ ବିଶ୍ରାମ ବିଶେଷ ପ୍ରୟୋଜନ । ତେଣୁ ସେ କେଉଁଆଡ଼େ ଯାଇପାରିଲେ ନାହିଁ । ସ୍ଥଳପଥରେ ନ ଯାଇ ମାନ୍ଦ୍ରାଜଠାରୁ ଷ୍ଟିମରଯୋଗେ ଆସିଲେ ଖିଦିରପୁର ଏବଂ କଲିକତାରେ ପଦାର୍ପଣ କଲେ । ଫେବୃଆରୀ ୨୮ ତାରିଖ କଲିକତାର ନାଗରିକମାନଙ୍କ ପକ୍ଷରୁ ତାଙ୍କୁ ବିରାଟ ଅଭିନନ୍ଦନ ଦିଆଗଲା । ତା’ର ଉତ୍ତରରେ ସେ ଶ୍ରୀରାମକୃଷ୍ଣଙ୍କୁ ଧରି ରଖିଲେ ସମସ୍ତଙ୍କ ସମ୍ମୁଖରେ-ରାମକୃଷ୍ଣଙ୍କ ପାଦତଳେ ବସି ଶିକ୍ଷାଲାଭ କଲେ ହିଁ ଭାରତ ପୁଣି ଜାଗିଉଠିବ-ତାହା ମଧ୍ୟ କହିଲେ । ବଙ୍ଗଳାର ଯୁବକମାନଙ୍କ ପାଖରେ ଆବେଦନ ଜଣାଇଲେ, ‘ ମୁଁ ବର୍ତ୍ତମାନ ସୁଦ୍ଧା କିଛି କରିପାରି ନାହିଁ; ତୁମମାନଙ୍କୁ ସବୁ କରିବାକୁ ହେବ । ଦେଶ ଉପରେ ମୋର ବିଶ୍ୱାସ ଅଛି, ବିଶେଷ କରି ଦେଶର ଯୁବକମାନଙ୍କ ଉପରେ ।‘

ଦେଶର ଯୁବକଗଣ ବିବେକାନନ୍ଦଙ୍କର ଆହ୍ୱାନର ପ୍ରତ୍ୟୁତ୍ତର ଦେଇଛନ୍ତି; ତାଙ୍କ ପ୍ରତି ସମ୍ମାନ ଦେଖାଇଛନ୍ତି-ଭବିଷ୍ୟତରେ ମଧ୍ୟ ଦେଖାଇବେ । କେତେଦିନ ପରେ ଷ୍ଟାର ଥିଏଟରରେ ବେଦାନ୍ତ ସମ୍ବନ୍ଧରେ ବକ୍ତୃତା ଦେଇ ସ୍ୱାମୀଜୀ ଆପାତତଃ ବକ୍ତୃତା ପର୍ବ ଶେଷ କଲେ । ଲାଗିଗଲେ ଗଠନମୂଳକ କାର୍ଯ୍ୟରେ । ତାଙ୍କର ଗୁରୁଭାଇମାନେ, ଶ୍ରୀରାମକୃଷ୍ଣଙ୍କର ଭକ୍ତବୃନ୍ଦ ଓ ଦେଶବାସୀ ତାଙ୍କ ପାଖରେ ଆସି ଠିଆ ହେଲେ । ମାନ୍ଦ୍ରାଜରେ ବେଦାନ୍ତ ପ୍ରଚାର ପାଇଁ ସ୍ୱାମୀ ରାମକୃଷ୍ଣାନନ୍ଦଙ୍କୁ ସେ ପଠାଇଲେ । ମୁର୍ଶିଦାବାଦରେ ବ୍ୟାପକ ଦୁର୍ଭିକ୍ଷର କରାଳ ଗ୍ରାସରୁ ସର୍ବହରା ଦେଶବାସୀଙ୍କୁ ବଞ୍ଚାଇବା ପାଇଁ ସ୍ୱାମୀ ଅଖଣ୍ଡାନନ୍ଦ ସେବାକାର୍ଯ୍ୟରେ ଲାଗିପଡ଼ିଲେ । ସେହି ବର୍ଷ ଦିନାଜପୁରଠାରେ ଦୁର୍ଭିକ୍ଷ । ସେଠାରେ ସେବା କେନ୍ଦ୍ର ସ୍ଥାପନ କରି ସ୍ୱାମୀ ତ୍ରିଗୁଣାତୀତାନନ୍ଦ ବହୁ ଗ୍ରାମର ନରନାରୀଙ୍କର ପ୍ରାଣ ବଞ୍ଚାଇଲେ । ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ସେବାକାର୍ଯ୍ୟ ପ୍ରବର୍ତ୍ତିତ ହେଲା । ବେଦାନ୍ତ ପ୍ରଚାର ପାଇଁ ସ୍ୱାମୀ ଶିବାନନ୍ଦ ସିଂହଳକୁ ପ୍ରେରିତ ହେଲେ । ବିଭିନ୍ନ ସ୍ଥାନରେ ଗ୍ରାମଉନ୍ନୟନ, ନାରୀକଲ୍ୟାଣ, ଶ୍ରମିକ ଓ ଅନୁନ୍ନତ ଶ୍ରେଣୀଙ୍କ ମଧ୍ୟରେ ସେବାକାର୍ଯ୍ୟ, ଗରିବ ଓ ଅବହେଳିତମାନଙ୍କ ମଧ୍ୟରେ ଶିକ୍ଷାବିସ୍ତାର ପ୍ରଭୃତି ବ୍ୟାପକ ଭାବରେ ଚାଲିଲା । ହିମାଳୟରେ ଗୋଟିଏ ମଠ ସ୍ଥାପନ ଏବଂ ଗଙ୍ଗାତୀରବର୍ତ୍ତୀ କୌଣସି ପ୍ରଶସ୍ତ ସ୍ଥାନରେ ବରାହନଗରର ମଠକୁ ସ୍ଥାୟୀ ଭାବରେ ପ୍ରତିଷ୍ଠିତ କରିବା ପ୍ରଭୃତି ଅନେକଗୁଡ଼ିଏ ପରିକଳ୍ପନାକୁ କାର୍ଯ୍ୟରେ ରୂପାୟିତ କରିବା ପାଇଁ ସ୍ୱାମୀଜୀ ବିଶେଷ ବ୍ୟସ୍ତ ହୋଇପଡ଼ିଲେ ।

ପାଶ୍ଚାତ୍ୟର ସଂହତିଶକ୍ତି ସ୍ୱାମୀଜୀଙ୍କୁ ମୁଗ୍ଧ କରିଥିଲା । ସଂହତି ବ୍ୟତୀତ କୌଣସି ସ୍ଥାୟୀ କାମ ସମ୍ଭବ ନୁହେଁ । ୧୮୯୭ ଖ୍ରୀଷ୍ଟାବ୍ଦ ମେ ୧ ତାରିଖ ଗୋଟିଏ ସ୍ମରଣୀୟ ଦିବସ । ଶ୍ରୀରାମକୃଷ୍ଣଙ୍କର ସନ୍ନ୍ୟାସୀ ଓ ଗୃହୀ ଶିଷ୍ୟମାନଙ୍କୁ ଆହ୍ୱାନ କରି ସେହିଦିନ ସେ ‘ରାମକୃଷ୍ଣ ମିଶନ’ ସଂଘର ପ୍ରତିଷ୍ଠା କଲେ । ସେହି ସଂଘର ଉଦ୍ଦେଶ୍ୟ-ଜନଗଣଙ୍କର ଲୌକିକ ଓ ଆଧ୍ୟାତ୍ମିକ ସେବା, ଶ୍ରୀରାମକୃଷ୍ଣଦେବ ମାନବଜାତିର କଲ୍ୟାଣ ପାଇଁ ଯେଉଁ ସକଳ ସତ୍ୟ ନିଜ ଜୀବନରେ ଅନୁଷ୍ଠାନ କରିଥିଲେ ତାହାର ପ୍ରଚାର । ରାଜନୀତି ସହିତ ଏହି ପ୍ରତିଷ୍ଠାନର କୌଣସି ସମ୍ବନ୍ଧ ରହିବ ନାହିଁ । ଭାରତବର୍ଷର ନାନା ସ୍ଥାନରେ ମୂଳ ପ୍ରତିଷ୍ଠାନର ଶାଖା ସ୍ଥାପନ ମଧ୍ୟ ‘ରାମକୃଷ୍ଣ ମିଶନ’ର ଅନ୍ୟତମ କର୍ମସୂଚୀ । ରାମକୃଷ୍ଣ ମିଶନ୍କୁ ଯନ୍ତ୍ର କରି ସ୍ୱାମୀଜୀ ବିରାଟର ପୂଜା ପ୍ରବର୍ତ୍ତନ କଲେ ।

ସ୍ୱାମୀଜୀଙ୍କ ପ୍ରତିଷ୍ଠିତ ମଠ ସଙ୍ଗେ ‘ରାମକୃଷ୍ଣ ମିଶନ’ ମିଳିତ ହୋଇ ବର୍ତ୍ତମାନ ମଠର ସନ୍ନ୍ୟାସୀବୃନ୍ଦଙ୍କ ପରିଚାଳିତ ‘ରାମକୃଷ୍ଣ ମଠ ଓ ମିଶନ’ ରୂପେ ଯୁଗ୍ମ ପ୍ରତିଷ୍ଠାନ ଧୀରେ ଧୀରେ ଦେଶବିଦେଶରେ ପ୍ରସାର ଲାଭ କରି ବିଶାଳ ସଂଘରେ ପରିଣତ ହୋଇଛି । ବେଲୁଡ଼ ମଠରୁ ଜେନେରାଲ ସେକ୍ରେଟାରୀ କର୍ତ୍ତୃକ ୧୯୯୭ ଖ୍ରୀଷ୍ଟାବ୍ଦ ମାର୍ଚ୍ଚ ମାସରେ ପ୍ରକାଶିତ ୧୯୯୫-୯୬ ମସିହାର କାର୍ଯ୍ୟବିବରଣୀରେ ଦେଖାଯାଏ ଯେ ବର୍ତ୍ତମାନ ଭାରତ ଓ ଭାରତବହିର୍ଭୂତ ଦେଶରେ ରାମକୃଷ୍ଣ ମଠ ଓ ମିଶନ୍ର ୧୩୫ଟି ସ୍ଥାୟୀ କେନ୍ଦ୍ର ଓ ୨୭ଟି ଉପକେନ୍ଦ୍ର ଅଛି । ଉପକେନ୍ଦ୍ରଗୁଡ଼ିକ ମଧ୍ୟ ରାମକୃଷ୍ଣ ସଂଘର ସନ୍ନ୍ୟାସୀମାନଙ୍କ ଦ୍ୱାରା ପରିଚାଳିତ । ସେହି ସକଳ କେନ୍ଦ୍ରରୁ ସେହି ବର୍ଷ ଚିକିତ୍ସା ବିଭାଗରେ ୧୪ଟି ହସ୍ପିଟାଲର ଅନ୍ତର୍ବିଭାଗରେ ୨୦୬୧ଟି ଶଯ୍ୟାରେ ୭୫,୨୮୪ ଜଣ ରୋଗୀଙ୍କର ଚିକିତ୍ସାର ବ୍ୟବସ୍ଥା ହୋଇଛି । ପୁନଶ୍ଚ ୯୫ଟି ଡିସ୍ପେେନ୍ସାରିରେ ୫୮,୨୦,୩୪୮ ଜଣ ରୋଗୀଙ୍କୁ ଔଷଧ ଦିଆହୁଏ । ଶିକ୍ଷା ବିଭାଗରେ ବିଭିନ୍ନ ଶିକ୍ଷା କେନ୍ଦ୍ରରୁ ୧,୧୫,୧୭୩ଜଣ ଛାତ୍ରଛାତ୍ରୀ ଭାରତବର୍ଷ, ବାଂଲାଦେଶ୍, ସିଂହଳ, ସିଙ୍ଗାପୁର, ଫିଜି ଓ ମରିସସ୍ ଦ୍ୱୀପରେ ଶିକ୍ଷାଲାଭ କରୁଛନ୍ତି । ପାଶ୍ଚାତ୍ୟ ଦେଶରେ ବକ୍ତୃତା, କ୍ଳାସ, ଆଲୋଚନା ଓ ଗ୍ରନ୍ଥପ୍ରଣୟନ ମାଧ୍ୟମରେ ଧର୍ମ ଓ ସାଂସ୍କୃତିକ ଭାବଧାରା ପ୍ରଚାର ହେଲା ବିଶେଷ କାର୍ଯ୍ୟ । ଏହି ଭାବରେ ସ୍ୱାମୀଜୀ ମାନବଜାତିର କଲ୍ୟାଣ ପାଇଁ ଯେଉଁ ଯେଉଁ ରାମକୃଷ୍ଣ ମଠ ଓ ମିଶନ୍ରୂପେ ସଂଘ ପ୍ରତିଷ୍ଠା କରିଥିଲେ, ତାହା ଦିଗେ ଦିଗେ ପ୍ରସାର ଲାଭ କରୁଛି । ସେ କହିଥିଲେ, ‘ଏ ଯନ୍ତ୍ରକୁ କେହି ଆଉ ବନ୍ଦ କରିପାରିବେ ନାହିଁ ।‘ ତାଙ୍କର ପରିକଳ୍ପନା ଗୁଡ଼ିକୁ ଧୀରେ ଧୀରେ ରୂପାୟିତ ହେବାର ଦେଖି ସେ ଖୁସୀ ହେଲେ । ଉତ୍ତର ଭାରତର ନାନା ସ୍ଥାନରୁ କ୍ରମାଗତ ଆମନ୍ତ୍ରଣ ଆସୁଥିଲା । ରାମକୃଷ୍ଣ ମିଶନ ପ୍ରତିଷ୍ଠା ପରେ ସ୍ୱାମୀଜୀ ଉତ୍ତର ଭାରତ ଭ୍ରମଣରେ ବାହରିଲେ । କେତେଜଣ ଶିଷ୍ୟ ଓ ଗୁରୁଭାଇଙ୍କୁ ନେଇ ପ୍ରଥମେ ଆସିଲେ ଆଲମୋଡ଼ା । ହିମାଳୟରେ ଗୋଟିଏ ଆଶ୍ରମ ସ୍ଥାପନ ମଧ୍ୟ ତାଙ୍କର ଅନ୍ୟତମ ଉଦ୍ଦେଶ୍ୟ । ଆଲମୋଡ଼ାବାସୀମାନେ ବହୁ ସମ୍ମାନ ସହକାରେ ତାଙ୍କୁ ଅଭିନନ୍ଦନ ଜଣାଇଲେ । ଆଲମୋଡ଼ାରେ କେତେଗୁଡ଼ିଏ ବକ୍ତୃତା ତାଙ୍କୁ ଦେବାକୁ ହେଲା, ଅଧିକାଂଶ ହିନ୍ଦୀ ଭାଷାରେ । ଉତ୍ତରଭାରତ ଭ୍ରମଣ ବେଳେ ସ୍ୱାମୀଜୀ ପ୍ରାୟ ବକ୍ତୃତାଗୁଡ଼ିକ ହିନ୍ଦୀରେ ଦେଉଥିଲେ । ସେଭିୟର ଦମ୍ପତିଙ୍କ ଉପରେ ଆଶ୍ରମ ସ୍ଥାପନର ଭାର ଦେଇ ସେ ବାହାରିଲେ ପଞ୍ଜାବ ଓ କାଶ୍ମୀର ଭ୍ରମଣରେ । ବେରେଲି, ଅମ୍ବାଲା, ଅମୃତସର, ରାଓଲପିଣ୍ଡି ଓ ମାରି ହୋଇ ଶ୍ରୀନଗରରେ ପହଞ୍ଚିଲେ । ପ୍ରତ୍ୟେକ ସ୍ଥାନରେ ସହସ୍ର ସହସ୍ର ଉତ୍ସାହୀ ଓ ଶ୍ରଦ୍ଧାଳୁ ଶ୍ରୋତାଙ୍କ ସଭାରେ ତାଙ୍କୁ ବକ୍ତୃତା ଦେବାକୁ ହେଲା । କାଶ୍ମୀରରେ ସେ ରାଜଅତିଥି ରୂପେ ରହିଲେ । ସର୍ବତ୍ର ସେ ବହୁ ଭାବରେ ସମ୍ମାନିତ ହେଲେ । ତାଙ୍କର ଦର୍ଶନ ଓ ବକ୍ତୃତା ଶୁଣିବା ପାଇଁ ଏତେ ଲୋକଙ୍କର ସମାଗମ ହୁଏ ଯେ ସମ୍ଭାଳିବା କଷ୍ଟକର ହୋଇପଡ଼େ ।

ପୁନରାୟ ମାରି, ରାଓଲପିଣ୍ଡି, ଜମ୍ବୁ, ଶିଆଲକୋଟ୍, ଲାହୋର, ଡେରାଡୁନ୍, ସାହାରାନ୍ପୁର, ଦିଲ୍ଲୀ, ଆଲୋଆର୍, ଜୟପୁର, ଖେତଡ଼ି, ଆଜମିର ଓ ଖଣ୍ଡୁଆ ପ୍ରଭୃତି ସ୍ଥାନ ହୋଇ ୧୮୯୮ ଖ୍ରୀଷ୍ଟାବ୍ଦ ଜାନୁଆରୀ ମାସର ମଧ୍ୟଭାଗରେ ଭଗ୍ନ ସ୍ୱାସ୍ଥ୍ୟ ନେଇ ସେ କଲିକତା ପ୍ରତ୍ୟାବର୍ତ୍ତନ କଲେ । ସମଗ୍ର ଗୁଜରାଟ ଓ ମୁମ୍ବାଇର ବହୁ ସ୍ଥାନରୁ ପୁନଃ ପୁନଃ ଆହ୍ୱାନ ସତ୍ତ୍ୱେ ଶାରୀରିକ ଅସୁସ୍ଥତା ଯୋଗୁଁ ସେ ସେହିସବୁ ସ୍ଥାନକୁ ଯାଇପାରି ନାହାନ୍ତି ।

ସ୍ୱାମୀଜୀ ପ୍ରାୟ ପାଞ୍ଚମାସ ଉତ୍ତର ଭାରତର ବିଭିନ୍ନ ସ୍ଥାନ ଭ୍ରମଣ କରିଥିଲେ । ସେ ସମସ୍ତଙ୍କ ନିକଟରେ ସାମ୍ପ୍ରଦାୟିକ ସଂକୀର୍ଣ୍ଣତାରୁ ମୁକ୍ତ ହେବା ପାଇଁ ଆବେଦନ ଜଣାନ୍ତି, ମାନବାତ୍ମାର ମହିମା କୀର୍ତ୍ତନ କରନ୍ତି । ଛୁତ୍ମାର୍ଗ ପରିହାର, ନାରୀଶିକ୍ଷାର ପ୍ରୟୋଜନୀୟତା, ଜାତିଭେଦ, ଖାଦ୍ୟାଖାଦ୍ୟ ବିଚାର, ପୁଣ୍ୟଭୂମିର ମହିମା ଓ ହିନ୍ଦୁଧର୍ମର ସାଧାରଣ ଭିତ୍ତି ପ୍ରଭୃତି ମଧ୍ୟ ତାଙ୍କ ଆଲୋଚନାର ବିଷୟ ଥିଲା ।

ଅସୁସ୍ଥ ଶରୀର ନେଇ ସେ ଫେବୃଆରୀ ୩ ତାରିଖରେ (ଖ୍ରୀ: ୧୮୯୮) କଲିକତାକୁ ଫେରିଲେ। ପଶ୍ଚିମ ଗଙ୍ଗାତୀରରେ ଗୋଟିଏ ପୁରୁଣା ଘର ସମେତ ପ୍ରାୟ ୬ ଏକର ଜମି କିଣିଲେ । ନୂତନ ଜମିରେ ଶ୍ରୀଠାକୁରଘର ଓ ମଠବାଡ଼ି ନିର୍ମାଣକାର୍ଯ୍ୟ ଆରମ୍ଭ ହେଲା । ନୂତନ କିଣା ଜମି ପାଖରେ ଗୋଟିଏ ଭଡ଼ା ଘରକୁ ଆଲାମବଜାରରୁ ମଠ ସାମୟିକ ଭାବରେ ସ୍ଥାନାନ୍ତରିତ ହେଲା ।

ପାଶ୍ଚାତ୍ୟ ଶିଷ୍ୟଶିଷ୍ୟାମାନେ ଭାରତର ସେବାରେ ଆତ୍ମନିୟୋଗ କରିବାକୁ ଭାରତ ଆସିଥାଆନ୍ତି । ସେ ସମସ୍ତଙ୍କୁ କହିଲେ-‘ଭାରତକୁ ଭଲପାଅ‘ । ଏହା ପୂର୍ବରୁ ସେଭିୟର ଦମ୍ପତି ଓ ଗୁଡ୍ଉଇନ ସ୍ୱାମୀଜୀଙ୍କ ସଙ୍ଗରେ ଆସିଥିଲେ । ପରେ ମିସେସ୍ ଓଲିବୁଲ, ମିସ୍ ମୁଲାର୍, ମିସ୍ ମ୍ୟାକ୍ଲାଉଡ, ମିସ୍ ନୋବେଲ୍ ପ୍ରଭୃତି ଶିଷ୍ୟାମାନେ ମଧ୍ୟ ସ୍ୱାମୀଜୀଙ୍କ ନିକଟରେ ସମବେତ ହେଲେ । ଶିକ୍ଷାଦୀକ୍ଷା ମାଧ୍ୟମରେ ସେମାନଙ୍କର ଧର୍ମଜୀବନ ଗଢ଼ି ତୋଳିବା କାର୍ଯ୍ୟରେ ସେ ମନ ଦେଲେ ।

ମାର୍ଚ୍ଚ ୨୫ ତାରିଖ ମିସ୍ ମାର୍ଗାରେଟ୍ ନୋବେଲଙ୍କୁ ବ୍ରହ୍ମଚାରିଣୀ ବ୍ରତରେ ଦୀକ୍ଷିତ କରି ନାମ ଦେଲେ ‘ନିବେଦିତା’ । ତାଙ୍କ ସମ୍ବନ୍ଧରେ ସ୍ୱାମୀଜୀ କହିଥିଲେ ଯେ ନିବେଦିତା ଭାରତ ପ୍ରତି ଇଂଲଣ୍ଡର ଗୋଟିଏ ଶ୍ରେଷ୍ଠ ଉପହାର । ନିବେଦିତା ପ୍ରାଣ ଦେବାକୁ ଆସିଛନ୍ତି; ଗୁରୁଗିରି କରିବାକୁ ନୁହେଁ । ମିସ୍ ମୁଲାର୍ ଓ ମିସେସ୍ ଓଲିବୁଲ୍ ବେଲୁଡ଼ ମଠର ଜମି କିଣିବା ପାଇଁ ପ୍ରଚୁର ଅର୍ଥ ସାହାଯ୍ୟ କରିଥିଲେ । ମିସ୍ ମ୍ୟାକ୍ଲାଉଡ଼୍ ଭାରତର ନାନା ଗଠନମୂଳକ କାର୍ଯ୍ୟରେ ଜୀବନପାତ କରିଛନ୍ତି । ଶ୍ରୀରାମକୃଷ୍ଣ ମଠ ଓ ମିଶନ୍ର ମୁଖପାତ୍ରରୂପେ ବଙ୍ଗଳା ଭାଷାରେ ‘ଉଦ୍ବୋଧନ’ ପତ୍ରିକା ପ୍ରକାଶନର ବ୍ୟବସ୍ଥା କରି ସ୍ୱାମୀଜୀ ସେହି କାର୍ଯ୍ୟର ଭାର ଦେଲେ ଗୁରୁଭାଇ ସ୍ୱାମୀ ତ୍ରିଗୁଣାତୀତାନନ୍ଦଙ୍କ ଉପରେ ।
ଏପ୍ରିଲ ମାସ ଶେଷରେ କଲିକତାରେ ପ୍ଲେଗ ମହାମାରୀର ଆବିର୍ଭାବ ହେଲା । ଶହ ଶହ ଲୋକ ମରିଗଲେ-ସହସ୍ର ସହସ୍ର ଲୋକ ପ୍ରାଣଭୟରେ ପଳାଇବାକୁ ଲାଗିଲେ । ସ୍ୱାମୀଜୀ ସଙ୍ଗେ ସଙ୍ଗେ ପ୍ଳେଗ ନିବାରଣ କାର୍ଯ୍ୟରେ ଲାଗି ପଡ଼ିଲେ । ଜନୈକ ଗୁରୁଭାଇ ତାଙ୍କୁ ପଚାରିଲେ, ‘ଏତେ ଟଙ୍କା କେଉଁଠୁ ଆସିବ ?’ ସଙ୍ଗେ ସଙ୍ଗେ ସ୍ୱାମୀଜୀ ଜବାବ ଦେଲେ, ‘‘କାହିଁକି, ଦରକାର ହେଲେ ମଠର ନୂତନ ଜମି ବିକ୍ରି କରିବି ।’’ କିନ୍ତୁ ତା’ କରିବାକୁ ହୋଇ ନାହିଁ । ରାମକୃଷ୍ଣ ମିଶନ୍ର ଏହି କଲ୍ୟାଣକର କର୍ମ ପାଇଁ ପ୍ରଚୁର ଅର୍ଥସାହାଯ୍ୟ ଆସିଗଲା ।

ପ୍ଳେଗ ଉପଶମିତ ହେଲା । ସ୍ୱାମୀଜୀ ତାଙ୍କର ପାଶ୍ଚାତ୍ୟ ଶିଷ୍ୟମାନଙ୍କୁ ଭାରତର ଧର୍ମ, କୃଷି ଓ ସଂସ୍କୃତି ସହିତ ସମ୍ୟକ୍ଭାବରେ ପରିଚିତ କରାଇବା ପାଇଁ ସମସ୍ତଙ୍କୁ ନେଇ ଦ୍ୱିତୀୟଥର ଆଲମୋଡ଼ା ଆସିଲେ । ସେଭିୟର ଦମ୍ପତିଙ୍କ ଚେଷ୍ଟାରେ ହିମାଳୟର ମାୟାବତୀଠାରେ ଗୋଟିଏ ଆଶ୍ରମ ପ୍ରତିଷ୍ଠିତ ହୋଇଛି । ସ୍ୱମାଜୀ ସେଠାରୁ ଇଂରାଜୀ ମାସିକ ପତ୍ରିକା ‘ପ୍ରବୁଦ୍ଧ ଭାରତ’ ପ୍ରକାଶନର ବ୍ୟବସ୍ଥା କଲେ । ଅନନ୍ତର ପାଶ୍ଚାତ୍ୟ ଶିଷ୍ୟମାନଙ୍କୁ ନେଇ ଜୁନ୍ ୧୦ ତାରିଖ ଆଲମୋଡ଼ାଠାରୁ କାଶ୍ମୀର ଯାତ୍ରା କଲେ । ନିବେଦିତାଙ୍କୁ ନେଇ ଅମରନାଥ ଦର୍ଶନ କରିବାକୁ ଗଲେ । ସଦାଶିବ ଅମରନାଥ ସ୍ୱାମୀଜୀଙ୍କୁ ଦର୍ଶନ ଦେଇ ଇଚ୍ଛାମୃତ୍ୟୁ ବର ଦେଲେ । ଅମରନାଥ ପରେ କ୍ଷୀରଭବାନୀ । ସେଠାରେ ସ୍ୱାମୀଜୀ ଦୈବବାଣୀ ଶୁଣି ଏକ ଅଲୌକିକ ଅନୁଭୂତି ଲାଭ କଲେ-ଫଳରେ କାମ କରିବାର ଉତ୍ସାହ ତାଙ୍କର କମିଗଲା । ଯୁଗାଚାର୍ଯ୍ୟ, ବାଗ୍ମୀ, କର୍ମୀ, ନେତା, ଗୁରୁ, ଜନସେବକ, ଦେଶପ୍ରେମୀ ବିବେକାନନ୍ଦ ଆଉ ନାହାନ୍ତି । ଆଦ୍ୟାଶକ୍ତି ଜଗଜ୍ଜନନୀ ହିଁ ତ ସବୁ କରୁଛନ୍ତି; ସେ’ତ ତାଙ୍କ ହାତର କେ‘ଇ ମାତ୍ର ।

ସ୍ୱାମୀଜୀଙ୍କ ଶରୀର ଭାଙ୍ଗିପଡ଼ିଛି । କାଶ୍ମୀରରୁ ଫେରି ଗୋଟିଏ ଶୁଭ ଦିନରେ ବାଗବଜାରରେ ‘ନିବେଦିତା ବାଳିକା ବିଦ୍ୟାଳୟ’ ପ୍ରତିଷ୍ଠା କଲେ । ନିବେଦିତାଙ୍କ ଉପରେ ସ୍ତ୍ରୀ-ଶିକ୍ଷାର ଭାର ଅର୍ପିତ ହେଲା । ପରବର୍ତ୍ତୀ ଡିସେମ୍ବର ୯ ତାରିଖ ଦିନ ବେଲୁଡ଼ର ନୂତନ ଜମିରେ ବିଶେଷ ପୂଜାନୁଷ୍ଠାନ ପରେ ଶ୍ରୀରାମକୃଷ୍ଣଦେବଙ୍କୁ ପ୍ରତିଷ୍ଠିତ କଲେ । ତାଙ୍କ ମୁଣ୍ଡରୁ ଗୋଟିଏ ବଡ଼ ବୋଝ ଖସିଗଲା । ସେ ସମସ୍ତଙ୍କୁ ସମ୍ବୋଧନ କରି କହିଲେ, ‘ଆଜି ଆପଣମାନେ କାୟମନୋବାକ୍ୟରେ ଶ୍ରୀଠାକୁରଙ୍କର ପାଦପଦ୍ମରେ ପ୍ରାର୍ଥନା କରନ୍ତୁ-ଯେପରି ମହାଯୁଗାବତାର ଶ୍ରୀଠାକୁର ‘ବହୁଜନହିତାୟ ବହୁଜନସୁଖାୟ’ ଏହି ପୁଣ୍ୟକ୍ଷେତ୍ରରେ ଦୀର୍ଘକାଳ ବିରାଜମାନ ହୋଇ ଏହି ସ୍ଥାନକୁ ସର୍ବଧର୍ମର ଅପୂର୍ବ ସମନ୍ୱୟ କେନ୍ଦ୍ର କରି ରଖନ୍ତୁ ।‘ ବେଲୁଡ଼ମଠ ସ୍ଥାପିତ ହେଲା ଶତଯୁଗର ସ୍ଥାୟିତ୍ୱ ନେଇ ।

ଭାରତରେ ତାଙ୍କର କାର୍ଯ୍ୟକୁ ଦ୍ରୁତଗତି ପ୍ରଦାନ କରି ସ୍ୱାମୀଜୀ ଆଉ ଥରେ ୟୁରୋପ, ଆମେରିକା ଯାତ୍ରା ପାଇଁ ପ୍ରସ୍ତୁତ ହେଲେ । ସଙ୍ଗରେ ନେଇଗଲେ ଗୁରୁଭାଇ ତୁରୀୟାନନ୍ଦଙ୍କୁ । ଭାରତରେ ନାରୀଶିକ୍ଷା ଉଦ୍ଦେଶ୍ୟରେ ଅର୍ଥସଂଗ୍ରହ ପାଇଁ ନିବେଦିତା ମଧ୍ୟ ତାଙ୍କ ସହିତ ଗଲେ । ଖ୍ରୀ. ୧୮୯୯ ଜୁନ୍ ୨୦ ତାରିଖରେ କଲିକତାଠାରୁ ଜାହାଜରେ ଯାତ୍ରା କରି ସେ ଜୁଲାଇ ୩୧ ତାରିଖରେ ଲଣ୍ଡନରେ ଅବତରଣ କଲେ ଏବଂ କିଛି ଦିନ କଟାଇ ଅଗଷ୍ଟ ୧୭ ତାରିଖରେ ଆମେରିକାରେ ପଦାର୍ପଣ କଲେ । ଏଥର ଆମେରିକାରେ ସେ ପ୍ରାୟ ଏକ ବର୍ଷ ରହିଲେ । ପଶ୍ଚିମ ଉପକୂଳରେ ଥିବା କାଲିଫର୍ଣ୍ଣିଆର ଚାରୋଟି ପ୍ରଧାନ ସହରରେ ପ୍ରାୟ ୬ ମାସର ପ୍ରଚାର ଫଳରେ ସେହି ଅଞ୍ଚଳରେ ବେଦାନ୍ତର ସ୍ଥାୟୀ ପ୍ରଭାବ ସଞ୍ଚାରିତ ହୋଇଥିଲା । ସାନଫ୍ରାନ୍ସିସ୍କୋରେ ଗୋଟିଏ ବେଦାନ୍ତ-ସମିତି ସ୍ଥାପନ ମଧ୍ୟ ଅନ୍ୟତମ କାର୍ଯ୍ୟ । ୨୦ ତାରିଖ ଜୁଲାଇ ୧୯୦୦ ଖ୍ରୀଷ୍ଟାବ୍ଦରେ ଆମେରିକା ତ୍ୟାଗ କରି ସେ ୟୁରୋପ ଯାତ୍ରା କଲେ ଏବଂ ପ୍ୟାରିସରେ ବୃହତ୍ ଧର୍ମଇତିହାସ ସମ୍ମିଳନୀରେ ଯୋଗଦାନ କରି ପାଶ୍ଚାତ୍ୟ ଦାର୍ଶନିକ ଓ ପଣ୍ଡିତଗଣଙ୍କ ସଙ୍ଗେ ବିତର୍କଦ୍ୱାରା ସନାତନ ବୈଦିକ ଧର୍ମକୁ ପ୍ରତିଷ୍ଠିତ କଲେ । ଅନନ୍ତର ୟୁରୋପର ବିଭିନ୍ନ ସ୍ଥାନ ଦର୍ଶନାନ୍ତର ଭାରତଯାତ୍ରା-୧୯୦୦ ମସିହା ଡିସେମ୍ବର ୯ ତାରିଖ ରାତିରେ ବେଲୁଡ଼ ମଠକୁ ପ୍ରତ୍ୟାବର୍ତ୍ତନ ।

ଆସିବାମାତ୍ରେ ଶୁଣିଲେ କ୍ୟାପ୍ଟେନ୍ ସେଭିୟରଙ୍କର ଆକସ୍ମିକ ମୃତ୍ୟୁ ସମ୍ବାଦ । ସେଭିୟରଦମ୍ପତି ଭାରତର ସେବାରେ ପ୍ରାଣ ଦେବାକୁ ଆସିଥଲେ । ମିସେସ୍ ସେଭିୟରଙ୍କୁ ଏହି ଦୁର୍ବହ ଶୋକରେ ସାନ୍ତ୍ୱନା ଦେବା ଲାଗି ସଙ୍ଗେ ସଙ୍ଗେ ସେ ମାୟାବତୀ ଯାତ୍ରା କଲେ । ୧୫ ଦିନ ମାୟାବତୀରେ କଟାଇ ବେଲୁଡ଼ ମଠକୁ ଫେରି ଆସିଲେ ।

କର୍ମରୁ ସ୍ୱାମୀଜୀଙ୍କ ମନ କ୍ରମେ କ୍ରମେ ଦୂରେଇ ଯାଉଛି । ସେ ଅଧିକତର ଅନ୍ତର୍ମୁଖୀ ହେବାକୁ ଲାଗିଲେ । ପୂର୍ବବଙ୍ଗରୁ କ୍ରମାଗତ ଡାକରା ଆସୁଥିଲା, ତେଣୁ ସେ ପୂର୍ବବଙ୍ଗ ଗଲେ । ଢାକାରେ ବିପୁଳ ସମ୍ବର୍ଦ୍ଧନା ହେଲା । ସେଠାରେ ସେ କେତୋଟି ଉଦ୍ଦୀପନାମୟୀ ବକ୍ତୃତା ଦେଲେ । ତା’ପରେ ଚନ୍ଦ୍ରନାଥ ତୀର୍ଥ, କାମାକ୍ଷା ଓ ଶିଲଂ ଭ୍ରମଣ ଶେଷ କରି ମେ ମାସର ମଧ୍ୟଭାଗରେ ସେ ବେଲୁଡ଼ ମଠକୁ ଫେରି ଆସିଲେ । ତାଙ୍କର ଦେହ ଦିନକୁ ଦିନ ଶୀର୍ଣ୍ଣ ହେବାକୁ ଲାଗିଲା । ସେହି ଭଗ୍ନ ସ୍ୱାସ୍ଥ୍ୟ ନେଇ ସେ ବେଲୁଡ଼ ମଠର ଦ୍ୱିତଳର ଗଙ୍ଗାକୂଳରେ ଆଲୋକ ଓ ପବନଯୁକ୍ତ ଗୋଟିଏ ଘରେ ପ୍ରାୟ ସାତମାସ ରହିଥିଲେ । ବେଶୀ ବୁଲାଚଲା କରିପାରୁ ନ ଥିଲେ । ତେବେ ବି ସେ କାହାରିକୁ ଫେରାଇ ଦେଉ ନ ଥିଲେ । ଭାରତର ବିଭିନ୍ନ ପ୍ରାନ୍ତରୁ ବହୁ ଲୋକ ତାଙ୍କ ସଙ୍ଗେ ଦେଖା କରିବାକୁ ଆସନ୍ତି । ସମସ୍ତଙ୍କୁ କହୁଥିଲେ, ‘ଏଥର କେନ୍ଦ୍ର ଭାରତବର୍ଷ ।’

ସେହି ବର୍ଷ ସେ ବେଲୁଡ଼ ମଠରେ ପ୍ରତିମାରେ ଦୁର୍ଗାଦେବୀଙ୍କ ଆରାଧନା, ଲକ୍ଷ୍ମୀପୂଜା ଓ କାଳୀପୂଜା କଲେ । ପରେ ଦିନେ ତାଙ୍କ ମା’ଙ୍କ ସହିତ କାଳୀଘାଟରେ ଶ୍ୟାମାଙ୍କୁ ଦର୍ଶନ କରିବାକୁ ଯାଇଥଲେ ।

ମଠ ଓ ମିଶନ୍ର ସମସ୍ତ ଦାୟିତ୍ୱ ଗୁରୁଭାଇମାନଙ୍କ ଉପରେ ଛାଡ଼ିଦେଲେ । କାମ ପାଇଁ ପରାମର୍ଶ ମାଗିଲେ ସେ ଉଦାସୀନ ପରି କହୁଥିଲେ,‘ଏସବୁ ବିଷୟରେ ମୁଁ ଆଉ ମୁଣ୍ଡ ଖେଳାଇବାକୁ ଚାହେଁ ନାହିଁ ।’ କେବେ କେବେ ସେ ଛୋଟ ପିଲା ପରି ପଶୁପକ୍ଷୀମାନଙ୍କୁ ନେଇ ଖେଳୁଥିଲେ । କେବେ କେବେ ସାନ୍ତାଳ ଶ୍ରମିକମାନଙ୍କ ସଙ୍ଗେ ଗଳ୍ପ କରି ସମୟ କଟାଉଥାଆନ୍ତି । ସେମାନଙ୍କର ସୁଖଦୁଃଖର କଥା ସବୁ ଶୁଣନ୍ତି । ଦିନେ ସେମାନଙ୍କୁ ଖୁବ୍ ଭଲ କରି ଖୁଆଇଲେ । ପରେ କହିଥିଲେ, ‘ଏମାନେ ଯେ ସାକ୍ଷାତ୍ ନାରାୟଣ । ଆଜି ନାରାୟଣଙ୍କୁ ଭୋଗ ଦେଲି ।’

ତାଙ୍କର ଅନ୍ତର୍ମୁଖଭାବ ଦେଖି ଗୁରୁଭାଇମାନେ ଶଙ୍କିତ ହେଲେ । ଶ୍ରୀରାମକୃଷ୍ଣଦେବଙ୍କର କଥା ସେମାନଙ୍କର ମନେ ପଡ଼ିଲା-‘ସେ ଯେତେବେଳେ ନିଜର ସ୍ୱରୂପ ଜାଣିପାରିବ, ସେତେବେଳେ ଆଉ ଦେହ ରଖିବ ନାହିଁ ।‘ ଦିନେ ଜଣେ ଗୁରୁଭ୍ରାତା ପଚାରିଲେ, ସ୍ୱାମୀଜୀ ! ଆପଣ କିଏ, ତା କଅଣ ବୁଝିପାରିଛନ୍ତି ? ସେ ତତ୍କ୍ଷଣାତ୍ ଗମ୍ଭୀରଭାବେ ଉତ୍ତର ଦେଲେ ‘ହଁ ପାରିଛି !‘ ଯେଉଁ ଅନୁଭୂତିର ଦ୍ୱାରରେ ଶ୍ରୀଠାକୁର ଚାବି ଦେଇ ରଖିଥିଲେ, ଏତେବେଳେ ସମୟ ବୁଝି ତାହା ଖୋଲି ଦେଇଛନ୍ତି; କିନ୍ତୁ କେହି ବୁଝିପାରି ନାହିଁ ଯେ ଶେଷ ଦିନଟି ଏତେ ନିକଟରେ !

ଶେଷ କେତେ ଦିନ ତାଙ୍କୁ ଖୁବ୍ ସୁସ୍ଥ ମନେ ହେଉଥିଲା । ସଦା ପ୍ରଫୁଲ୍ଲ, ଉଚ୍ଛ୍ୱସିତ ଓ ପ୍ରାଣବନ୍ତ । ତାଙ୍କ ଦେହ ମଧ୍ୟ ଯେପରି ଜ୍ୟୋତିର୍ମୟ ହୋଇ ଯାଇଥିଲା । ଦେହତ୍ୟାଗର ତିନିଦିନ ପୂର୍ବରୁ ଗଙ୍ଗାକୂଳରେ ତାଙ୍କର ସମାଧି ମନ୍ଦିର ସ୍ଥାନଟି ଦେଖାଇ କହିଥିଲେ, ‘ମୋର ଶରୀର ଗଲେ ଏହିଠାରେ ସତ୍କାର କରିବ ।‘ ଜୁଲାଇ ୪ ତାରିଖ ଶୁକ୍ରବାର ୧୯୦୨ ମସିହା-ସେ ଖୁବ୍ ଭୋରରୁ ଉଠିଛନ୍ତି; ସମସ୍ତଙ୍କ ସଙ୍ଗେ ଚା ଖାଉ ଖାଉ କେତେ ମଜା ଗପ କଲେ । -କେତେ ପୁରୁଣା କଥା । ହସର ରୋଳ ଉଠିଲା । ସେ ପ୍ରଫୁଲ୍ଲ ଥିଲେ । ପରେ ଠାକୁର ଘରକୁ ଯାଇ କବାଟ ବନ୍ଦ କରି ଅନେକ ସମୟ ଧ୍ୟାନ କଲେ । ଗୋଟିଏ ଶ୍ୟାମାସଙ୍ଗୀତ ଗାଇ ଗାଇ ଠାକୁରଘରୁ ଓହ୍ଲାଇ ଆସିଲେ । ବାରଣ୍ଡାରେ ବୁଲୁ ବୁଲୁ ନିଜ ମନକୁ ମନ କହି ଉଠିଲେ, ‘ଯଦି ଆଉ ଗୋଟିଏ ବିବେକାନନ୍ଦ ଥାଆନ୍ତା, ତେବେ ବୁଝିପାରନ୍ତା ବିବେକାନନ୍ଦ କଅଣ କରିଗଲା ।‘

ଦ୍ୱିପ୍ରହର ବେଳେ ସମସ୍ତଙ୍କ ସଙ୍ଗେ ଆନନ୍ଦରେ ଖାଇଲେ । ଉପରଓଳି ଏକାବେଳକେ ତିନି ଘଣ୍ଟା ଶାସ୍ତ୍ର ଅଧ୍ୟାପନା ପରେ ସ୍ୱାମୀ ପ୍ରେମାନନ୍ଦଙ୍କ ସଙ୍ଗେ ଗପ କରି ଚାଲି ଆସିଲେ ଗ୍ରାଣ୍ଡ ଟ୍ରଙ୍କ ରୋଡ଼୍ ପର୍ଯ୍ୟନ୍ତ । ମନ୍ଦିରରେ ସାନ୍ଧ୍ୟ ଆରତ୍ରିକ ଆରମ୍ଭ ହେଲା । ସେ ନିଜ ଘରେ ଧ୍ୟାନରେ ବସିଲେ ଏବଂ ମହାସମାଧି ଯୋଗେ ସ୍ୱ-ସ୍ୱରୂପରେ ମିଳିତ ହେଲେ । ଅଖଣ୍ଡ ଘରର ଋଷି ଫେରିଗଲେ ଅଖଣ୍ଡ ଘରକୁ । ସେ କିନ୍ତୁ ଖଣ୍ଡେ ଚିଠିରେ ଲେଖିଥିଲେ, ‘ମୃତ୍ୟୁ ପରେ ମଧ୍ୟ ଜଗତର କଲ୍ୟାଣ ପାଇଁ କାମ କରୁଥିବି ।‘ ତାଙ୍କର ଏହି ବାଣୀ ସାର୍ଥକ ହେଉ !

ଭାରତର ବିବେକାନନ୍ଦ, ବିଶ୍ୱର ବିବେକାନନ୍ଦଙ୍କ ଚରଣରେ ପ୍ରଣତି !

ସ୍ୱାମୀ ବିବେକାନନ୍ଦ ଥିଲେ ସର୍ବତ୍ୟାଗୀ ସନ୍ନ୍ୟାସୀ; କିନ୍ତୁ ତାଙ୍କ ଅନ୍ତରରେ ଯେଉଁ ସ୍ୱଦେଶପ୍ରେମ ଓ ବିଶ୍ୱମାନବତାର ବିକାଶ ହୋଇଥିଲା, ତାହା ଆମକୁ ଅଭିଭୂତ କରେ । ସେ ଥିଲେ ବିରାଟର ପୂଜାରୀ । ତାଙ୍କର ଭଗବାନ କୌଣସି ମନ୍ଦିର-ବିଶେଷରେ ପ୍ରତିଷ୍ଠିତ ନ ଥିଲେ; ପରନ୍ତୁ ବାସ କରୁଥିଲେ ପ୍ରତି ମାନବର ହୃଦୟ ମନ୍ଦିରରେ । ଦେଶସେବା, ମାନବକଲ୍ୟାଣ ଓ ଭଗବତ୍ସାଧନା-ସେ ଏକ କରି ଦେଖିଥିଲେ । ଭାରତର ସମୂହ କଲ୍ୟାଣ ପାଇଁ ସେ ଦେଶବାସୀଙ୍କୁ ଶୁଣାଇଲେ-ଆଗାମୀ ପଚାଶ ବର୍ଷ ଦେଶମାତୃକାର ସେବା ହିଁ ତୁମମାନଙ୍କର ପରମ ସାଧନା ହେଉ । ମାତୃଭୂମି ହିଁ ଯେପରି ଏକମାତ୍ର ଆରାଧ୍ୟ ଦେବତା ହେଉ । ସ୍ୱାମୀଜୀଙ୍କର ଏହି ଆହ୍ୱାନର ବିପୁଳ ଫଳ ହୋଇଥିଲା । ଦେଶସେବା ଓ ଦେଶାତ୍ମବୋଧ ଶତ ଶତ ପ୍ରାଣରେ ଉଦ୍ବୁଦ୍ଧ ହୋଇ ଆତ୍ମପ୍ରକାଶ କରିଥିଲା ନାନା ଛନ୍ଦରେ ଏବଂ ତାହାର ଫଳ ସ୍ୱରୂପ ଠିକ୍ ପଚାଶ ବର୍ଷ ମଧ୍ୟରେ ଭାରତ ଲାଭ କରିଛି ରାଜନୈତିକ ସ୍ୱାଧୀନତା । କିନ୍ତୁ ଭାରତର ଜନଗଣ ଏ ପର୍ଯ୍ୟନ୍ତ ତନ୍ଦ୍ରାଚ୍ଛନ୍ନତା କଟାଇ ଉଠିପାରି ନାହାନ୍ତି-ଦୁଃଖଦୁର୍ଦ୍ଦଶା, ଅଶିକ୍ଷା ଓ ଅସ୍ୱାସ୍ଥ୍ୟ ଏବେ ବି ତାଙ୍କୁ ଘେରି ରହିଛି । ଏମାନଙ୍କର ସେବା ହିଁ ଯୁଗଧର୍ମ । ଏମାନେ ଉନ୍ନତ ହେଲେ ଭାରତର ପ୍ରକୃତ ଜାଗରଣ ହେବ । ଏ ଜାଗରଣର ପ୍ରଧାନ ପୁରୋଧା ସ୍ୱାମୀ ବିବେକାନନ୍ଦ ।

***

ଯୁଗାବତାର

୧. ଓଁ ସ୍ଥାପକାୟ ଚ ଧର୍ମସ୍ୟ ସର୍ବଧର୍ମସ୍ୱରୂପିଣେ । 

   ଅବତାରବରିଷ୍ଠାୟ ରାମକୃଷ୍ଣାୟ ତେ ନମଃ ॥ 

   ଧର୍ମର ପ୍ରତିଷ୍ଠାତା, ସର୍ବଧର୍ମସ୍ୱରୂପ, ଅବତାରଶ୍ରେଷ୍ଠ ହେ ରାମକୃଷ୍ଣ ! ତୁମକୁ ପ୍ରଣାମ !

୨. ରାମକୃଷ୍ଣ ଅବତାରରେ ଜ୍ଞାନ, ଭକ୍ତି ଓ ପ୍ରେମ । ଅନନ୍ତ ଜ୍ଞାନ, ଅନନ୍ତ ପ୍ରେମ, ଅନନ୍ତ କର୍ମ, ଅନନ୍ତ ଜୀବ ପ୍ରତି ଦୟା ।

୩. ସମଗ୍ର ହିନ୍ଦୁ ଜାତି ସହସ୍ର ଯୁଗ ଧରି ଯାହା ଚିନ୍ତା କରିଆସିଛି, ସେ (ଶ୍ରୀରାମକୃଷ୍ଣ) ଏକ ଜୀବନରେ ହିଁ ସେହି ସମୁଦାୟ ଭାବ ଉପଲବ୍ଧି କରିଛନ୍ତି । ତାଙ୍କ ଜୀବନ ସକଳ ଜାତିର ବେଦ ସମୂହର ଜୀବନ୍ତ ଟୀକାସ୍ୱରୂପ ।

୪. ସର୍ବଭାବର ଏପରି ସମନ୍ୱୟ ଜଗତର ଇତିହାସରେ ଆଉ କେଉଁଠି କଅଣ ଦେଖିବାକୁ ମିଳେ ? ଏଥର ବୁଝ ସେ କିଏ ଦେହ ଧାରଣ କରି ଆସିଥିଲେ । ଅବତାର କହିଲେ ତାଙ୍କୁ ଛୋଟ କରାହୁଏ ।

୫. ସେ (ଶ୍ରୀରାମକୃଷ୍ଣ) ଯେଉଁ ଦିନରୁ ଜନ୍ମିଛନ୍ତି, ସେହି ଦିନରୁ ସତ୍ୟଯୁଗ ଆସିଛି । ଏବେ ସବୁ ଭେଦାଭେଦ ଉଠିଗଲା । ଆଚଣ୍ଡାଳ ପ୍ରେମ ପାଇବେ । ଆଉ ସେ ହେଉଛନ୍ତି ବିବାଦଭଞ୍ଜନ-ହିନ୍ଦୁ-ମୁସଲମାନ ଭେଦ, ଖ୍ରୀଷ୍ଟାନ୍-ହିନ୍ଦୁ ଭେଦ ଇତ୍ୟାଦି ସବୁ ଚାଲିଗଲା । ଏହି ସତ୍ୟଯୁଗରେ ଏକ ବର୍ଣ୍ଣ, ଏକ ବେଦ ହେବ ଏବଂ ସମଗ୍ର ଜଗତରେ ଶାନ୍ତି ଓ ସମନ୍ୱୟ ସ୍ଥାପିତ ହେବ । ଏହି ସତ୍ୟଯୁଗର ଧାରଣା ଅବଲମ୍ବନ କରି ଭାରତ ଆଉଥରେ ନବଜୀବନ ଲାଭ କରିବ ।

୬. ଏହି ନୂତନ ଅବତାର ବା ଶିକ୍ଷକଙ୍କର ଏହି ଶିକ୍ଷା ଯେ-ଏବେ ଯୋଗ, ଭକ୍ତି, ଜ୍ଞାନ ଓ କର୍ମର ଉତ୍କୃଷ୍ଟ ଭାବ ଏକ କରି ନୂତନ ସମାଜ ଗଠନ କରିବାକୁ ହେବ ।

୭. ବିଶ୍ୱାସ କର, ବିଶ୍ୱାସ କର, ପ୍ରଭୁଙ୍କର ଆଜ୍ଞା-ଭାରତର ଉନ୍ନତି ହେବ ହିଁ ହେବ । ଜନସାଧାରଣଙ୍କୁ ଏବଂ ଦରିଦ୍ରମାନଙ୍କୁ ସୁଖୀ କରିବାକୁ ହେବ । ଆଉ ଆନନ୍ଦିତ ହୁଅ ଯେ ତୁମେମାନେ ହିଁ ତାଙ୍କ କାର୍ଯ୍ୟ କରିବାର ନିର୍ବାଚିତ ଯନ୍ତ୍ର । ଧର୍ମର ବନ୍ୟା ଆସିଛି । ମୁଁ ଦେଖିଛି, ତାହା ସମଗ୍ର ପୃଥିବୀକୁ ଭସେଇ ନେଇଯାଉଛି-ଅଦମ୍ୟ, ଅନନ୍ତ, ସର୍ବଗ୍ରାସୀ । ସମସ୍ତେ ହିଁ ଆଗେଇଯାଅ, ସମସ୍ତଙ୍କର ଶୁଭେଚ୍ଛା ତାଙ୍କ ସଙ୍ଗେ ଯୋଗ କରିଦିଅ । ସକଳ ହସ୍ତ ଏହି ପଥର ବାଧା ଘୁଞ୍ଚାଇ ଦେଉ । ଜୟ ପ୍ରଭୁଙ୍କର ଜୟ ।

୮. ଯିଏ ତାଙ୍କର ସେବା ପାଇଁ-ତାଙ୍କର ସେବା ନୁହେଁ-ତାଙ୍କ ସନ୍ତାନଙ୍କର-ଗରିବଗୁରବା, ପାପୀତାପୀମାନଙ୍କର ସେବା ପାଇଁ ଯିଏ ତିଆରି ହେବେ, ତାଙ୍କ ଭିତରେ ସେ ଆସିବେ, ତାଙ୍କ ମୁହଁରେ ସରସ୍ୱତୀ ବସିବେ । ତାଙ୍କ ବକ୍ଷରେ ମହାମାୟା ମହାଶକ୍ତି ରୂପେ ଅଧିଷ୍ଠିତ ହେବେ ।

ଭାରତର ମହିମା

୯. ଆମର ପବିତ୍ର ମାତୃଭୂମି ଧର୍ମ ଓ ଦର୍ଶନର ଦେଶ-ଧର୍ମବୀରଗଣଙ୍କର ଜନ୍ମସ୍ଥାନ, ତ୍ୟାଗର ଦେଶ । କେବଳ ଏହି ଦେଶରେ ହିଁ ସୁଦୂର ଅତୀତରୁ ବର୍ତ୍ତମାନ କାଳ ପର୍ଯ୍ୟନ୍ତ ମାନବଜୀବନର ମହତ୍ତର ଆଦର୍ଶଗୁଡ଼ିକ ବିଦ୍ୟମାନ ଅଛି । ତତ୍ତ୍ୱଦୃଷ୍ଟି, ଭଗବତ୍ପରାୟଣତା ଏବଂ ନୀତିବିଜ୍ଞାନର ପ୍ରଗତିସ୍ଥଳ ଏହି ଭାରତ ମାଧୁର୍ଯ୍ୟ, କୋମଳତା ଓ ମାନବପ୍ରୀତିର ଆକର । ଏସବୁ ହିଁ ଏବେ ମଧ୍ୟ ବିଦ୍ୟମାନ ଏବଂ ସମଗ୍ର ଜଗତର ଅଭିଜ୍ଞତା ବଳରେ ମୁଁ ଜୋର କରି କହିପାରେ ଯେ ଏସବୁ ବିଷୟରେ ଭାରତ ଏବେ ବି ଜଗତର ଜାତିପୁଞ୍ଜ ମଧ୍ୟରେ ଅଗ୍ରଣୀ ।

୧୦. ଏହି ସେହି ଭାରତ, ଯାହା ବହୁ ଶତାବ୍ଦୀର ଘାତ-ପ୍ରତିଘାତ, ଶତ ଶତ ବୈଦେଶିକ ଆକ୍ରମଣ, ଶତ ଶତ ଅଭିନବ ସାମାଜିକ ପ୍ରଥା ଓ ଆଚାରର ଆବିର୍ଭାବ ସତ୍ତ୍ୱେ ଏପର୍ଯ୍ୟନ୍ତ ବଞ୍ଚି ରହିଛି । ବାସ୍ତବିକ ଭାରତର ଜୀବନ ଅମର, ପ୍ରାଣଶକ୍ତି ଅଫୁରନ୍ତ । ତାହା ଭୂପୃଷ୍ଠର ଯେ କୌଣସି ପର୍ବତ ଅପେକ୍ଷା ବି ଅଟଳ, ବସ୍ତୁତଃ ଭାରତର ଜୀବନ ଆତ୍ମା ପରି ଅନାଦି, ଅନନ୍ତ ଓ ଅନିର୍ବାଣ ।

୧୧. ଏହିପରି ଦେଶର ସନ୍ତାନ ଆମେ । ଯେତେବେଳେ ଗ୍ରୀସ୍‌ର ଜନ୍ମ ହୋଇ ନାହିଁ, ରୋମ୍‌ର କଥା କେହି ଭାବି ନାହିଁ, ବର୍ତ୍ତମାନର ୟୁରୋପୀୟମାନଙ୍କର ପୂର୍ବପୁରୁଷମାନେ ବିଚିତ୍ର ଅଙ୍ଗରାଗରେ ରଞ୍ଜିତ ଅସଭ୍ୟ ଅରଣ୍ୟବାସୀ ମାତ୍ର ଥିଲେ, ସେହି ସୁଦୂର ଯୁଗରେ ଭାରତ ତାହାର ସଂସ୍କୃତିର ସାଧନାରେ କର୍ମମୁଖର । ତାହା ପୂର୍ବରୁ ମଧ୍ୟ, ଯେଉଁ ଦୂର ଅତୀତର ଖବର ଇତିହାସରେ ମିଳେ ନାହିଁ, ଯାହାର କୁହେଳି ଭେଦ କରିବାକୁ କିମ୍ବଦନ୍ତୀ ମଧ୍ୟ ସଂକୁଚିତ, ସେହି ସମୟଠାରୁ ବର୍ତ୍ତମାନ କାଳ ପର୍ଯ୍ୟନ୍ତ କେତେ ଉଚ୍ଚ ଉଚ୍ଚ ଭାବ, ଶାନ୍ତି ଓ ଶୁଭେଚ୍ଛାର ବାଣୀ ଭାରତରୁ ଜଗତକୁ ବିସ୍ତୃତ ହୋଇଛି ।

୧୨. ବିଶ୍ୱର ଇତିହାସ ପର୍ଯ୍ୟାଲୋଚନା କର-ଯେଉଁଠି କୌଣସି ସୁମହାନ୍ ଆଦର୍ଶର ସନ୍ଧାନ ମିଳିବ, ଦେଖିବାକୁ ପାଇବ ଜନ୍ମ ତା’ର ଭାରତବର୍ଷରେ । ସ୍ମରଣାତୀତ କାଳରୁ ଭାରତ ମାନବସମାଜ ପାଖରେ ଅମୂଲ୍ୟ ଭାବସମୂହର ଖଣିସ୍ୱରୂପ ହୋଇ ରହିଛି । ବସ୍ତୁତଃ ଏହି ଦେଶରୁ ହିଁ ଦାର୍ଶନିକ ଓ ଆଧ୍ୟାତ୍ମିକ ଭାବତରଙ୍ଗ ଉଚ୍ଛ୍ୱସିତ ହୋଇ ବାରମ୍ବାର ଜଗତକୁ ପ୍ଳାବିତ କରିଛି । ପୁନରାୟ ଭାରତବର୍ଷରୁ ହିଁ ଏପରି ଏକ ମହାପ୍ଳାବନ ନିର୍ଗତ ହୋଇ ମୁମୂର୍ଷୁ ଜାତିଗୁଡ଼ିକର ଅନ୍ତରରେ ନୂତନ ଜୀବନ ଓ ବଳବୀର୍ଯ୍ୟର ଅପୂର୍ବ ଶକ୍ତି ସଞ୍ଚାର କରିବ ।

୧୩. ବାସ୍ତବିକ ଆମର ମାତୃଭୂମି ନିକଟରେ ଜଗତର ଋଣ ଅପରିସୀମ । ପ୍ରଭାତର କୋମଳ ଶିଶିରକଣା ଯେପରି ଲୋକଚକ୍ଷୁର ଅନ୍ତରାଳରେ ମନୋରମ ଗୋଲାପର କଢ଼ଗୁଡ଼ିକୁ ଫୁଟାଇ ତୋଳେ, ବିଶ୍ୱର ଚିନ୍ତାଧାରାରେ ଭାରତର ଅବଦାନ ମଧ୍ୟ ଠିକ୍ ସେହିପରି । ଅବ୍ୟର୍ଥ ଫଳପ୍ରସୁ ଭାରତୀୟ ଭାବପୁଞ୍ଜର ନୀରବ ଅଲକ୍ଷ୍ୟ ପ୍ରଭାବରେ ବୈଦେଶିକ ଚିନ୍ତାଜଗତରେ କେତେଥର ବୈପ୍ଳବିକ ପରିବର୍ତ୍ତନ ଆସିଛି, କେହି କେବେ ବି ତାହା ଜାଣିପାରି ନାହିଁ ।

୧୪. ଯଦି ପୃଥିବୀ ମଧ୍ୟରେ ଏପରି କୌଣସି ଦେଶ ଥାଏ, ଯାହାକୁ ପୁଣ୍ୟଭୂମି ନାମରେ ବିଶେଷିତ କରାଯାଇପାରେ; ଯଦି ଏପରି କୌଣସି ସ୍ଥାନ ଥାଏ, ଯେଉଁଠାକୁ ପୃଥିବୀର ସକଳ ଜୀବଙ୍କୁ ତାଙ୍କର କର୍ମଫଳ ଭୋଗ ପାଇଁ ଆସିବାକୁ ପଡ଼ବ, ଯଦି ଏପରି କୌଣସି ସ୍ଥାନ ଥାଏ, ଯେଉଁଠାକୁ ଭଗବତ୍ଲାଭ ଆକାଂକ୍ଷୀ ଜୀବମାତ୍ରକୁ ହିଁ ଆସିବାକୁ ପଡ଼ିବ; ଯଦି ଏପରି କୌଣସି ସ୍ଥାନ ଥାଏ, ଯେଉଁଠାରେ ମଣିଷ ଜାତି ମଧ୍ୟରେ ସର୍ବାପେକ୍ଷା ଅଧିକ କ୍ଷାନ୍ତି, ଧୃତି, ଦୟା, ଶୌଚ ପ୍ରଭୃତି ସଦ୍ଗୁଣର ବିକାଶ ହୋଇଛି; ଯଦି ଏପରି କୌଣସି ଦେଶ ଥାଏ, ଯେଉଁଠାରେ ଆଧ୍ୟାତ୍ମିକତା ଓ ଅନ୍ତର୍ଦୃଷ୍ଟିର ବିକାଶ ସର୍ବାପେକ୍ଷା ଅଧିକ ହୋଇଛି-ତେବେ ନିଶ୍ଚୟ କହିପାରେ, ତାହା ଆମର ମାତୃଭୂମି ଏହି ଭାରତବର୍ଷ ।

୧୫. ଆମର ଏହି ପୁଣ୍ୟଭୂମିରେ ଏକମାତ୍ର ଧର୍ମ ହିଁ ଜାତୀୟ ଜୀବନର ବୁନିୟାଦ । ଭାରତବାସୀ ଜୀବନ-ସଙ୍ଗୀତରେ ଧର୍ମ ହିଁ ମୂଳ ସ୍ୱର । ପରିଣାମରେ ଶୁଭ ହେଉ ବା ଅଶୁଭ ହେଉ ଆମର ଜୀବନଶକ୍ତି ନିହିତ ଆମର ଧର୍ମରେ । ଏଥିପାଇଁ ଏହି ଧର୍ମର ଆଦର୍ଶ ଆମେ କଦାପି ବର୍ଜନ କରି ନ ପାରୁ । ତାହା କରିବାକୁ ଗଲେ ପ୍ରଚଣ୍ଡ ପ୍ରତିକ୍ରିୟାର ସମ୍ମୁଖୀନ ହେବାକୁ ହେବ ।

୧୬. ପ୍ରତ୍ୟେକ ବ୍ୟକ୍ତିଙ୍କୁ ଯେପରି ଜୀବନର ଗୋଟିଏ ଲକ୍ଷ୍ୟ ସ୍ଥିର କରି ନେବାକୁ ହୁଏ, ପ୍ରତ୍ୟେକ ଜାତିକୁ ମଧ୍ୟ ତାହା କରିବାକୁ ହୁଏ । ଶତ ଶତ ଯୁଗ ପୂର୍ବେ ଭାରତ ସେହିପରି ଗୋଟିଏ ଲକ୍ଷ୍ୟ ବାଛି ନେଇଛି ଏବଂ ତାକୁ ହିଁ ସେ ଧରି ରଖିବ । ଯାହା କୁହନା କାହିଁକି, ଏହି ଲକ୍ଷ୍ୟ ନିର୍ବାଚନରେ ଭାରତ କୌଣସି ଭୁଲ କରିନାହିଁ ।

୧୭. ଯୁଗ ଯୁଗ ଧରି ଜାତୀୟ ଜୀବନ ଯେଉଁ ଲକ୍ଷ୍ୟ ଦିଗକୁ ପ୍ରବାହିତ ହୋଇଛି, ତାହାକୁ ପରିତ୍ୟାଗ କଲେ ଜାତିର ଧ୍ୱଂସ ଅବଶ୍ୟମ୍ଭାବୀ । ରାଜନୈତିକ ବା ସାମାଜିକ ଉନ୍ନତିର ପ୍ରୟୋଜନ ନାହିଁ-ଏ କଥା ମୁଁ କହୁ ନାହିଁ; ଖାଲି ତୁମକୁ ମନେ ରଖିବାକୁ କୁହେ ଯେ ଏହି ଦେଶରେ ଏହିସବୁ ଲକ୍ଷ୍ୟ ଗୌଣ, ଧର୍ମ ହିଁ ମୁଖ୍ୟ ।

୧୮. ଆଧ୍ୟାତ୍ମିକତା ହିଁ ଆମର ଜାତୀୟ ଜୀବନର ଶୋଣିତପ୍ରବାହ । ଏହି ପ୍ରବାହ ଯେତେଦିନ ନିର୍ମଳ ଓ ଓଜସ୍ୱୀ ରହିବ ସେତେଦିନ ଆମର କଲ୍ୟାଣର ପଥ ଉନ୍ମୁକ୍ତ, ସେତେଦିନ ରାଷ୍ଟ୍ରର ଓ ସମାଜର ଯାବତୀୟ ଅଭାବର-ଏପରିକି ଦେଶର ବ୍ୟାପକ ଦାରିଦ୍ର୍ୟର ପ୍ରତିଷେଧକ ମିଳିବ । ଭାରତୀୟ ଜାତି ବିଲୁପ୍ତ ହୋଇ ନ ପାରେ । ବାସ୍ତବିକ ଯେତେ ଦିନ ଭାରତର ଆଧ୍ୟାତ୍ମିକ ଦୃଷ୍ଟିଭଙ୍ଗୀ ଅବ୍ୟାହତ ରହିବ, ଯେତେ ଦିନ ଭାରତର ଜନଗଣ ସେମାନଙ୍କର ପ୍ରାଣସ୍ୱରୂପ ଧର୍ମକୁ ଧରି ରଖିଥିବେ, ସେତେ ଦିନ ଭାରତୀୟ ଜାତିର ବିନାଶ ନାହିଁ ।

ଭାରତର ଭବିଷ୍ୟତ

୧୯. ତୁମେମାନେ ଧର୍ମରେ ବିଶ୍ୱାସ କର ବା ନ କର, ଯଦି ଜାତୀୟ ଜୀବନକୁ ଅବ୍ୟାହତ ରଖିବାକୁ ଚାହଁ, ତେବେ ଅଧ୍ୟାତ୍ମବିଦ୍ୟାକୁ ସବଳ ହସ୍ତରେ ଧରି ରଖିବାକୁ ହେବ । ଏକ ହାତରେ ତାହା ଧରିଥାଅ, ଅନ୍ୟ ହାତ ବଢ଼ାଇ ଅପରାପର ଜାତି ନିକଟରେ ଯାହା ଶିକ୍ଷଣୀୟ ଅଛି, ତାହା ଆହରଣ କର । ଅବଶ୍ୟ ଲକ୍ଷ୍ୟ ରଖ ଯେ, ସେସବୁ ଆହୃତ ବିଦ୍ୟା ଯେପରି ହିନ୍ଦୁର ମୂଳ ଜୀବନ ଦର୍ଶନ ଅନୁଗତ ରହେ ।

୨୦. ତାହା କରିପାରିଲେ ଭାବୀ ଭାରତ ଏପରି ମହିମାମୟ ସମୁଜ୍ଜ୍ୱଳ ହୋଇ ଉଠିବ, ଯେପରି ପୂର୍ବେ କୌଣସି କାଳରେ ନ ଥିଲା । ମୋର ଦୃଢ଼ ବିଶ୍ୱାସ, ସେ ଶୁଭଦିନ ଆସିବାକୁ ଆଉ ବିଳମ୍ବ ନାହିଁ । ଇତିହାସପ୍ରସିଦ୍ଧ ପ୍ରାଚୀନ ମହାପୁରୁଷମାନଙ୍କ ଅପେକ୍ଷା ମଧ୍ୟ ଅଧିକତର ପ୍ରଭାବଶାଳୀ ମହର୍ଷି ଓ ବ୍ରହ୍ମର୍ଷି ଏ ଦେଶରେ ଜନ୍ମଗ୍ରହଣ କରିବେ ।

୨୧. ହେ ଭ୍ରାତୃବୃନ୍ଦ, ଆମ ସମସ୍ତଙ୍କୁ ଭବିଷ୍ୟତରେ ଶୁଭ ଉଦ୍ବୋଧନ କାର୍ଯ୍ୟରେ ଅନଳସ ଐକାନ୍ତିକତାରେ ବ୍ରତୀ ହେବାକୁ ହେବ । ଆଉ ଶୋଇ ରହି କାଳ କଟାଇବାର ସମୟ ନାହିଁ । ଆମ ପ୍ରଯତ୍ନ ଉପରେ ଗୌରବୋଜ୍ଜ୍ୱଳ ଭବିଷ୍ୟତ ଭାରତର ଅଭ୍ୟୁଦୟ ନିର୍ଭର କରୁଛି ।… ଉଠ ତାକୁ ଜାଗ୍ରତ କରି ଦେଖ, ନବଜୀବନ ଲାଭ କରି ଆମର ଦେଶମାତୃକା ପୂର୍ବ ଯୁଗ ଅପେକ୍ଷା ଅଧିକତର ମହିମାରେ ତାଙ୍କର ଶାଶ୍ୱତ ସିଂହାସନରେ ପ୍ରତିଷ୍ଠିତ ହୋଇଛନ୍ତି ।

୨୨. ସୁଦୀର୍ଘ ରଜନୀ ବୋଧହୁଏ ପ୍ରଭାତ ହେଲା, ମର୍ମାନ୍ତିକ ଦୁଃଖର ବୋଧହୁଏ ଏଥର ଅବସାନ ହେଉଛି । ନିସ୍ପନ୍ଦ ଶବପରି ସୁଷୁପ୍ତ ଭାରତ ବୋଧହୁଏ ଜାଗି ଉଠିଛି । ଯିଏ ଅନ୍ଧ ସେ ହିଁ କେବଳ ଦେଖିପାରୁ ନାହିଁ, ଆଉ ଯିଏ ବିକୃତରୁଚି ସେ ଦେଖି ମଧ୍ୟ ଦେଖିବ ନାହିଁ, ଯେ ଆମ ଦେଶମାତୃକା ତାଙ୍କର ସୁଦୀର୍ଘ ଗଭୀର ପ୍ରସୁପ୍ତିରୁ ଜାଗ୍ରତ ହେଉଛନ୍ତି । କାହାର ସାଧ୍ୟ ନାହିଁ, ଏ ଜାଗରଣକୁ ରୋଧ କରିବ ! ଜାଗ୍ରତ ଭାରତ ଆଉ ନିଦ୍ରାଭିଭୂତ ହେବ ନାହିଁ । ବାହାରର କୌଣସି ଶକ୍ତି ଆଉ ତାକୁ ଦବେଇ ରଖିପାରିବ ନାହିଁ ।

୨୩. ଉଠ, ଜାଗ, ଦୀର୍ଘ ରଜନୀର ଅବସାନ ହେଉଛି, ଅରୁଣୋଦୟ ସମାସନ୍ନ ! ପ୍ରାଣେ ପ୍ରାଣେ ବିଶ୍ୱାସ କର, ଶ୍ରୀ ଭଗବାନଙ୍କର ଅଲଂଘ୍ୟ ବିଧାନରେ ଏଥର ଭାରତର ଅଭ୍ୟୁଦୟ ଅବଶ୍ୟମ୍ଭାବୀ । ଦେଶର ଦୁର୍ଗତ ଜନଗଣଙ୍କର ସୁଖସମୃଦ୍ଧିର ଦିନ ସମାଗତ ।

୨୪. ଆଧ୍ୟାତ୍ମିକତାର ଏକ ବନ୍ୟା ଆସୁଛି, ସ୍ପଷ୍ଟ ଦେଖୁଛି, ଏହି ଉଦ୍ଦାମ, ବନ୍ଧନହୀନ, ସର୍ବଗ୍ରାସୀ ପ୍ଳାବନ ସମଗ୍ର ପୃଥିବୀକୁ ଭସେଇ ନେଇଯିବ । ସମସ୍ତେ ଅଗ୍ରସର ହୁଅ । ସମସ୍ତଙ୍କର ଐକାନ୍ତିକ ପ୍ରଚେଷ୍ଟା ଏହି ପ୍ଳାବନର ବେଗ ବର୍ଦ୍ଧିତ କରୁ ଏବଂ ତୁମମାନଙ୍କର ସମବେତ ଉଦ୍ୟମର ଏହି ପଥ ବାଧାମୁକ୍ତ ହେଉ ।

୨୫. ମାନବଜାତିକୁ ଆଧ୍ୟାତ୍ମିକ ଭାବରେ ପ୍ରବୁଦ୍ଧ କରାଇବା ଭାରତର ମୂଳ ଜୀବନବ୍ରତ, ତାହାର ଅସ୍ତିତ୍ୱର ପରମ ପ୍ରତିଷ୍ଠା, ଚରମ ସାର୍ଥକତା । ତାତାର, ତୁର୍କୀ, ମୋଗଲ ଓ ଇଂରେଜର ଶାସନ ସତ୍ତ୍ୱେ ଏହି ଜାତିର ଜୀବନଧାରା ଅବ୍ୟାହତ ରହିଛି ।

୨୬. ମାନବକୁ ନବପ୍ରାଣରେ ସଞ୍ଜୀବିତ କରାଇବା, ପଶୁ ସ୍ତରର ମନୁଷ୍ୟକୁ ଦେବମାନବରେ ପରିଣତ କରାଇବା-ଏହି ମହାନ୍ ଜୀବନବ୍ରତ ଉଦ୍ଯାପନ କରିବା ପାଇଁ ଆମର ଦେଶମାତୃକା ସାମ୍ରାଜ୍ଞୀ ପରି ଧୀର ପଦକ୍ଷେପରେ ଅଗ୍ରସର ହେଉଛନ୍ତି । ସ୍ୱର୍ଗ ବା ମର୍ତ୍ତ୍ୟରେ ଏପରି କୌଣସି ଶକ୍ତି ନାହିଁ, ଯାହା ତାଙ୍କର ଗତିରୋଧ କରିପାରେ ।

ବର୍ତ୍ତମାନର ଅଧଃପତନ

୨୭. ଆଜିକାଲି ଅନେକ ହିଁ ମନେ କରନ୍ତି ଯେ ଅତୀତ ଆଡ଼କୁ ନିବଦ୍ଧଦୃଷ୍ଟି ବ୍ୟକ୍ତିଗଣ ମାରାତ୍ମକ ଭୁଲ କରୁଛନ୍ତି; ସେମାନଙ୍କର ଧାରଣା, ପୁରାବୃତ୍ତ ପ୍ରତି ଏହି ନିବିଡ଼ ମମତା ହିଁ ଭାରତର ଯାବତୀୟ ଦୁର୍ଗତିର ମୂଳ କାରଣ । ମୋର କିନ୍ତୁ ମନେ ହୁଏ ଏହାର ବିପରୀତ ଧାରଣା ହିଁ ସତ୍ୟ ।

୨୮. ଭାରତର ଅବନତିର ଅନ୍ୟତମ କାରଣ, ଆମର ସଂକୀର୍ଣ୍ଣ ଦୃଷ୍ଟି ଓ କର୍ମକ୍ଷେତ୍ରରେ ସଂକୋଚନ । ଆମ ଦେଶ ବାହାରର ଅନ୍ୟାନ୍ୟ ଜାତି ସହିତ ନିଜର ଭାବ ଓ କର୍ମାକର୍ମ ମିଳାଇ ଦେଖିନାହୁଁ,-ବହିର୍ବିଶ୍ୱରେ କଅଣ ଘଟୁଛି ତାହାର କୌଣସି ଖବର ନେଇ ନାହୁଁ, ଏହା ହିଁ ଭାରତବାସୀର ମାନସିକ ଅଧଃପତନ ପାଇଁ ପ୍ରଧାନତଃ ଦାୟୀ ।

୨୯. ମୋର ଦୃଢ଼ ବିଶ୍ୱାସ, କୌଣସି ବ୍ୟକ୍ତି ବା ଜାତି ଅପର ସଙ୍ଗରେ ସମ୍ବନ୍ଧ ବର୍ଜନ କରି ବଞ୍ଚି ରହିପାରେ ନାହିଁ । ମହତ୍ତ୍ୱ, ଶୁଚିତା ବା କର୍ମନୀତିର ଭୁଲ ଦୋହଲାଇ ଦେଇ ଏପରି ଅପଚେଷ୍ଟା ଯେ କେହି କରିଯାଇଛି, ସେ ବ୍ୟକ୍ତି ବା ଜାତିକୁ ଅନତିକାଳ ପରେ ଅପରିହାର୍ଯ୍ୟ ସଙ୍କଟର ସମ୍ମୁଖୀନ ହେବାକୁ ହୋଇଛି ।

୩୦. ବାସ୍ତବିକ ଆଶଙ୍କା ହୁଏ-ଆଜି ଆମର ଧର୍ମ ରନ୍ଧନଶାଳରେ ହିଁ ଆବଦ୍ଧ ହୋଇ ପଡ଼ିଛି । ପ୍ରକୃତରେ ଆମେ ପ୍ରାୟ ସମସ୍ତେ ଆଜିକାଲି ବୈଦାନ୍ତିକ ବି ନୋହୁଁ, ପୌରାଣିକ ବା ତାନ୍ତ୍ରିକ ମଧ୍ୟ ନୋହୁଁ-ଆମେ ‘ଛୁତ୍ପନ୍ଥୀ’; ଆମ ଧର୍ମ ରୋଷେଇ ଘରେ ସୀମାବଦ୍ଧ । ଭାତହାଣ୍ଡି ଆମର ଉପାସ୍ୟ ଦେବତା; ଆଉ ମନ୍ତ୍ର ‘ମୋତେ ଛୁଅଁନା, ମୁଁ ଶୁଚି‘-ଏହି ଘଟଣା ଆହୁରି ଏକ ଶହ ବର୍ଷ ଚାଲିଲେ ସମଗ୍ର ହିନ୍ଦୁ ସମାଜ ଉନ୍ମାଦ- ଆଶ୍ରମରେ ପରିଣତ ହେବ ।

୩୧. ମୋର ଧାରଣା ଜନସାଧାରଣଙ୍କର କଲ୍ୟାଣଚିନ୍ତା ଉପେକ୍ଷା କରି ଆମ ଜାତି ମହାପାତକ କରୁଛି ଏବଂ ତାହାରି ଫଳରେ ବର୍ତ୍ତମାନର ଅଧଃପତନ । ଯେତେ ଦିନ ପର୍ଯ୍ୟନ୍ତ ଭାରତର ଅନଭିଜାତ ଜନସାଧାରଣ ସମାଦୃତ ନ ହେଉଛନ୍ତି, ଯେତେ ଦିନ ତାଙ୍କ ପାଇଁ ଉପଯୁକ୍ତ ଖାଦ୍ୟ, ଶିକ୍ଷା ପ୍ରଭୃତିର ବ୍ୟବସ୍ଥା ନ ହୋଇଛି, ସେତେଦିନ ଆମର ଯାବତୀୟ ରାଜନୈତିକ କ୍ରିୟାକଳାପ ନିଷ୍ଫଳ ହେବ, ଏ ଦେଶର ଉନ୍ନତି ସମ୍ଭବ ହେବ ନାହିଁ ।

ନାରୀ-ଶିକ୍ଷା ଓ ନାରୀ-କଲ୍ୟାଣ

୩୨. ସ୍ତ୍ରୀ ଜାତିର ଅଭ୍ୟୁଦୟ ନ ହେଲେ ଭାରତର କଲ୍ୟାଣର ଆଶା ନାହିଁ । ଏକ ପକ୍ଷରେ ପକ୍ଷୀର ଉଡ଼୍ଡ଼ୟନ ସମ୍ଭବ ନୁହେଁ । ସେଥିପାଇଁ ରାମକୃଷ୍ଣ ଅବତାରରେ ସ୍ତ୍ରୀ-ଗୁରୁ ଗ୍ରହଣ । ସେଥିପାଇଁ କେବଳ ମାତୃଭାବର ପ୍ରଚାର । ପ୍ରାଚୀନ ସ୍ମୃତିକାର ମନୁ କହିଛନ୍ତି, ‘ନାରୀର ସମ୍ମାନରେ ଦେବତାମାନେ ତୃପ୍ତ ହୁଅନ୍ତି ।‘ ଅଥଚ ଆମ ଚିନ୍ତାଧାରା ଏତେ କଳୁଷିତ ଯେ ଆମେ ସ୍ତ୍ରୀ-ଜାତିକୁ କହୁ ‘ଘୃଣ୍ୟ କୀଟ’, ‘ନରକର ଦ୍ୱାର’ ଇତ୍ୟାଦି ।

୩୩. ତୁମେମାନେ ସ୍ତ୍ରୀ-ଜାତିକୁ ନିନ୍ଦା କର, କିନ୍ତୁ ତାଙ୍କ ଉନ୍ନତି ପାଇଁ କଅଣ କରିଛ କହିଲ ? ସ୍ମୃତି ପ୍ରଭୃତି ରଚନା କରି କଠିନ ବିଧିନିଷେଧ ସେମାନଙ୍କ ଅଣ୍ଟାପିଠିରେ ଏପରି ଭାବେ ବାନ୍ଧି ଦିଆଯାଇଛି ଯେ, ସେମାନେ ସନ୍ତାନ-ପ୍ରସବର ଯନ୍ତ୍ର ମାତ୍ରରେ ହିଁ ପର୍ଯ୍ୟବସିତ । କିନ୍ତୁ ଜଗଜ୍ଜନନୀ ଆଦ୍ୟାଶକ୍ତିଙ୍କର ସାକ୍ଷାତ୍ ପ୍ରତିମୂର୍ତ୍ତି ନାରୀମାନଙ୍କର ଅବସ୍ଥାରେ ଉନ୍ନତି ସାଧନ ନ କଲେ ଭାବ ନାହିଁ ଯେ ତୁମ ଉନ୍ନତିର ଆଉ କୌଣସି ଉପାୟ ଅଛି ।

୩୪. କୌଣସି ଶାସ୍ତ୍ରରେ ଏପରି କଥା ଅଛି ଯେ, ସ୍ତ୍ରୀଲୋକମାନେ ଜ୍ଞାନଭକ୍ତିର ଅଧିକାରିଣୀ ହେବେ ନାହିଁ ? ଭାରତୀୟ ନାରୀଗଣଙ୍କୁ ସୀତାଙ୍କର ପଦାଙ୍କ ଅନୁସରଣ କରି ନିଜର ଉନ୍ନତିବିଧାନର ଚେଷ୍ଟା କରିବାକୁ ହେବ-ଭାରତୀୟ ନାରୀର ଉନ୍ନତିର ଏହା ଏକମାତ୍ର ପଥ ।

୩୫. ସୀତା ସାବିତ୍ରୀଙ୍କର ଏହି ଦେଶରେ, ପୁଣ୍ୟକ୍ଷେତ୍ର ଭାରତରେ ଏବେ ମଧ୍ୟ ଝିଅମାନଙ୍କର ଯେପରି ଚରିତ୍ର, ସେବାଭାବ, ସ୍ନେହ, ଦୟା, ତୁଷ୍ଟି, ଭକ୍ତି ଦେଖାଯାଏ, ପୃଥିବୀରେ କେଉଁଠାରେ ମଧ୍ୟ ସେପରି ଦେଖିଲି ନାହିଁ । ଭାରତରେ କେବଳ ମହିଳାମାନଙ୍କର ନାରୀ ସୁଲଭ ସ୍ନିଗ୍ଧ ଲଜ୍ଜା ଓ ସଂଯମ ନୟନ ତୃପ୍ତି କରିଦିଏ ।

୩୬. ପ୍ରକୃତ ଭାରତୀୟ ନାରୀର ଆଦର୍ଶ ସୀତା । ଏ ଦେଶରେ ପୂର୍ଣ୍ଣାଙ୍ଗ ନାରୀଚରିତ୍ରର ଯାବତୀୟ ଆଦର୍ଶ ଏକମାତ୍ର ସୀତାଙ୍କର ଜୀବନରୁ ଗଢ଼ିଉଠିଛି । ବସ୍ତୁତଃ ସୀତା ହିନ୍ଦୁ ଜାତିର ପ୍ରାଣ ସଙ୍ଗେ ମିଶି ରହିଛନ୍ତି । ପ୍ରତି ହିନ୍ଦୁ ନରନାରୀଙ୍କର ଶୋଣିତରେ ଯେପରି ତାଙ୍କ ସତ୍ତା ଏବେ ବି ସ୍ପନ୍ଦିତ । ଆମେ ସମସ୍ତେ ହିଁ ସୀତାଙ୍କ ସନ୍ତାନ ।

୩୭. ସୀତା ଯେପରି ସତୀତ୍ୱର ମୂର୍ତ୍ତ ବିଗ୍ରହ । ସ୍ୱାମୀ ବ୍ୟତୀତ ଅପର କୌଣସି ପୁରୁଷର ଅଙ୍ଗ ସେ କେବେ ସ୍ପର୍ଶ କରିନାହାନ୍ତି । ଯାହା କିଛି ଶୁଚି, ସୁନ୍ଦର, ନିଷ୍ପାପ , ଯାହା କିଛି ମଧ୍ୟରେ ନାରୀର ନାରୀତ୍ୱ, ‘ସୀତା’ କହିଲେ ଭାରତରେ ତାହା ହିଁ ବୁଝାଏ ।

୩୮. ମୁଁ ଜାଣେ, ଯେଉଁ ଜାତି ସୀତାଙ୍କୁ ସୃଷ୍ଟି କରିଛି-ଯଦି ସେହି ସୃଷ୍ଟି କାଳ୍ପନିକ ହୁଏ-ତଥାପି ସେହି ଜାତିର ନାରୀ ପ୍ରତି ଶ୍ରଦ୍ଧା ପୃଥିବୀରେ ଅତୁଳନୀୟ ।

୩୯. ଭାରତୀୟ ନାରୀମାନଙ୍କୁ ଆଧୁନିକ କରିବା ଉଦ୍ଦେଶ୍ୟରେ ଯଦି ଆମେ ସେମାନଙ୍କୁ ସୀତାଙ୍କ ଆଦର୍ଶରୁ ବିଚ୍ୟୁତ କରିବାର ଚେଷ୍ଟା କରିବୁ, ଆମର ସକଳ ଉଦ୍ୟମ ହିଁ ବିଫଳ ହେବ । ଭାରତୀୟ ନାରୀଗଣଙ୍କୁ ସୀତାଙ୍କର ପଦାଙ୍କ ଅନୁସରଣ କରି ଉନ୍ନତି ପଥରେ ଚାଲିବାକୁ ହେବ- ଏହା ହିଁ ଏକମାତ୍ର ପନ୍ଥା ।

୪୦. ଆର୍ଯ୍ୟ ଓ ସେମିଟିକ୍ ଦୃଷ୍ଟିଭଙ୍ଗୀରେ ନାରୀର ଆଦର୍ଶ ସଂପୂର୍ଣ୍ଣ ବିପରୀତ । ସେମିଟିକ୍ ମତରେ ନାରୀର ସାହଚର୍ଯ୍ୟ ଈଶ୍ୱରଭକ୍ତି ପକ୍ଷରେ ଅନିଷ୍ଟକର । ତେଣୁ କୌଣସି ପ୍ରକାର ଧର୍ମାନୁଷ୍ଠାନରେ ନାରୀର ଅଧିକାର ନାହିଁ । ଏପରିକି ସାମାନ୍ୟ ଗୋଟିଏ ପକ୍ଷୀ ବଳି ଦେବାର ବି ନୁହେଁ; କିନ୍ତୁ ଆର୍ଯ୍ୟମତରେ ସ୍ତ୍ରୀକୁ ବାଦ ଦେଇ ପୁରୁଷ କୌଣସି ପ୍ରକାର ଧର୍ମାନୁଷ୍ଠାନ କରି ନ ପାରେ ।

ବର୍ତ୍ତମାନ କର୍ତ୍ତବ୍ୟ

୪୧. ଆମ ଦେଶ ପକ୍ଷରେ ଏବେ ବିଶେଷ ପ୍ରୟୋଜନ ଏପରି ବଳିଷ୍ଠ ମଣିଷ, ଯାହାଙ୍କର ମାଂସପେଶୀ ଲୌହବତ୍ ଦୃଢ଼, ସ୍ନାୟୁ ଇସ୍ପାତ ପରି କଠିନ, ଆଉ ଯାହାଙ୍କର ପ୍ରଚଣ୍ଡ ଇଚ୍ଛାଶକ୍ତି ବ୍ରହ୍ମାଣ୍ଡର ଗୂଢ଼ତମ ରହସ୍ୟ ଭେଦ କରିବାକୁ ସକ୍ଷମ । ଏହି କାର୍ଯ୍ୟସାଧନରେ ଯଦି ସମୁଦ୍ରର ଅତଳ ତଳକୁ ଯିବାକୁ ହୁଏ, ଏପରିକି ମୃତ୍ୟୁକୁ ମଧ୍ୟ ବରଣ କରିବାକୁ ହୁଏ, ସେଥିରେ ବି ସେମାନେ ତିଳେ ହେଲେ ପଶ୍ଚାତ୍ପଦ ହେବେ ନାହିଁ ।

୪୨. ଶକ୍ତି-ଏକମାତ୍ର ଶକ୍ତି ହିଁ ଆମର ପ୍ରୟୋଜନ । ତୁମେ ପ୍ରତ୍ୟେକ ନିଜ ଗୋଡ଼ରେ ଠିଆ ହୋଇ ସର୍ବପ୍ରକାର ବନ୍ଧନରୁ ମୁକ୍ତ ହୁଅ ।

୪୩. ଯଦି ଉପନିଷଦ୍ରେ ଏପରି ଗୋଟିଏ ଶବ୍ଦ ଥାଏ, ଯାହା ପୁଞ୍ଜୀଭୂତ ଅଜ୍ଞାନରାଶି ଉପରେ ବୋମା ପରି ବିସ୍ପାରିତ ହୋଇ ତାକୁ ଏକାବେଳକେ ଛିନ୍ନଭିନ୍ନ କରିଦେଇପାରେ, ତାହା ଏକମାତ୍ର ‘ଅଭୀ’ । ଯଦି ଜଗତକୁ କୌଣସି ଧର୍ମ ଶିଖାଇବାକୁ ହୁଏ, ତେବେ ତାହା ନିର୍ଭୀକତାର ଧର୍ମ । ଉଠ, ଜାଗ, ମୋହାଚ୍ଛନ୍ନ ହୋଇ ନିଜକୁ ଦୁର୍ବଳ ଭାବ ନାହିଁ।

୪୪. ହେ ମୋର ଯୁବକ ବନ୍ଧୁଗଣ ! ତୁମେ ସବଳ ହୁଅ, ଏହା ହିଁ ତୁମ ପ୍ରତି ମୋର ଉପଦେଶ । ଗୀତା ପାଠ ଅପେକ୍ଷା ଫୁଟବଲ ଖେଳିଲେ ତୁମେ ସ୍ୱର୍ଗର ଅଧିକତର ସମୀପବର୍ତ୍ତୀ ହେବ । ତୁମ ଶରୀର ଟିକେ ଶକ୍ତ ହେଲେ ତୁମେ ଗୀତା ଅପେକ୍ଷାକୃତ ଭଲ ବୁଝିବ ।

୪୫. କେହି ବି ପ୍ରକୃତ ଦୁର୍ବଳ ନୁହେଁ। ଆତ୍ମା ଅନନ୍ତ, ସର୍ବଶକ୍ତିମାନ୍ ଓ ସର୍ବଜ୍ଞ । ଉଠି ଠିଆ ହୁଅ । ନିଜର ସ୍ୱରୂପ ବ୍ୟକ୍ତ କର । ତୁମର ଅନ୍ତର ଦେବତାଙ୍କୁ ଅସ୍ୱୀକାର ନ କରି ତାଙ୍କ ଅସ୍ତିତ୍ୱରେ ଆସ୍ଥାବାନ ହୁଅ । ଘୋର ଆଳସ୍ୟ, ଅତ୍ୟଧିକ ଦୁର୍ବଳତା ଓ ପ୍ରଚଣ୍ଡ ଆତ୍ମବିଭ୍ରାନ୍ତି ଆମ ଜାତିକୁ ଆଚ୍ଛନ୍ନ କରିଛି ।

୪୬. ଆଧୁନିକ ହିନ୍ଦୁମାନଙ୍କୁ କହେ-ତୁମେ ଏହି ମୋହଜାଲରୁ ମୁକ୍ତ ହୁଅ । ନିଜର ପ୍ରକୃତ ସ୍ୱରୂପ ଜାଣିବାକୁ ଚେଷ୍ଟା କର ଏବଂ ଅପରକୁ ଏହିପରି କରିବାକୁ ଶିଖାଅ । ମୋହନିଦ୍ରାରେ ଅଭିଭୂତ ଜୀବାତ୍ମାକୁ ଜଗାଅ । ଆତ୍ମସମ୍ବିତ୍ ଜାଗ୍ରତ ହେଲେ ଦେଖିବ-କ୍ଷମତା, ମହିମା, ସତତା, ପବିତ୍ରତା, ଯାହା କିଛି ବରଣୀୟ ସ୍ୱତଃ ହିଁ ଆସିବ ।

୪୭. ଦୁର୍ବଳ ମସ୍ତିଷ୍କ କିଛି କରିପାରେ ନାହିଁ । ଆମକୁ ତାହା ବଦଳରେ ସବଳ ମସ୍ତିଷ୍କ ହେବାକୁ ହେବ । ଧର୍ମ ପରେ ଆସିବ । ସଙ୍କୋଚନ ହିଁ ମୃତ୍ୟୁ, ଆଉ ସର୍ବପ୍ରକାର ସଂପ୍ରସାରଣ ହିଁ ଜୀବନ । ଯଦି ତୁମେ ବଞ୍ଚିବାକୁ ଚାହଁ, ତେବେ ତୁମକୁ ସଂକୀର୍ଣ୍ଣ ଗଣ୍ଡି ଛାଡ଼ିବାକୁ ହେବ ।

୪୮. ‘ଉତ୍ତିଷ୍ଠତ ଜାଗ୍ରତ ପ୍ରାପ୍ୟ ବରାନ୍ ନିବୋଧତ‘-ଉଠ, ଜାଗ୍ରତ ହୁଅ, ଆଚାର୍ଯ୍ୟଗଣଙ୍କର ସମୀପସ୍ଥ ହୋଇ (ତତ୍ତ୍ୱଜ୍ଞାନ) ଲାଭ କର । ଭାବ ନାହିଁ ତୁମେ ଦରିଦ୍ର, ଭାବ ନାହିଁ ତୁମେ ବନ୍ଧୁହୀନ । ଉଠ, ଜାଗ !

୪୯. ସର୍ବଦା ‘ସୋଽହଂ’ କହି ନିଜ ସ୍ୱରୂପର ଚେତନା ଉଜ୍ଜୀବିତ କରି ରଖିବ । ଏହି ମହାବାକ୍ୟର ପ୍ରଭାବରେ ମନର ସକଳ ଆବର୍ଜନା ଭସ୍ମୀଭୂତ ହୋଇଯିବ ଏବଂ ଅନ୍ତରରେ ଯେଉଁ ଅନନ୍ତ ଶକ୍ତି ପ୍ରସୁପ୍ତ ଅଛି, ତାହା ଜାଗ୍ରତ ହୋଇ ପ୍ରଚଣ୍ଡ ତେଜରେ ମୂର୍ତ୍ତ ହୋଇ ଉଠିବ ।

ଶିକ୍ଷା

୫୦. ଶିକ୍ଷା କ’ଣ ପୋଥିର ବିଦ୍ୟା ?-ନା । ନାନା ବିଷୟର ଜ୍ଞାନ ? ନା, ତା’ ବି ନୁହେଁ । ଯଥାର୍ଥ ଶିକ୍ଷା କହିଲେ କେତେଗୁଡ଼ିଏ ଶବ୍ଦ ସଂଗ୍ରହକୁ ବୁଝାଏ ନାହିଁ । ବୁଝାଏ ମେଧା ପ୍ରଭୃତି ମାନସିକ ବୃତ୍ତିଗୁଡ଼ିକର ପରିସ୍ପୁରଣ । ମଣିଷର ବ୍ୟକ୍ତିଗତ ସଂକଳ୍ପଗୁଡ଼ିକ ସତ୍ ଏବଂ କାର୍ଯ୍ୟକାରୀ କରି ଗଢ଼ି ତୋଳିବାର ପଦ୍ଧତି ହେଉଛି ପ୍ରକୃତ ଶିକ୍ଷା ।

୫୧. ମାନବ ମଧ୍ୟରେ ସେହି ପୂର୍ଣ୍ଣତା ସ୍ୱତଃ ହିଁ ବିଦ୍ୟମାନ । ତା’ର ବିକାଶର ନାମ ଶିକ୍ଷା । ଶିକ୍ଷାପ୍ରଣାଳୀର ଲକ୍ଷ୍ୟ ହେବା ଉଚିତ ମଣିଷ ତିଆରି, ଯେଉଁ ଶିକ୍ଷାରେ ଜୀବନରେ ନିଜ ଗୋଡ଼ ଉପରେ ଠିଆ ହୋଇପାରେ, ତାହା ହିଁ ହେଉଛି ଶିକ୍ଷା । କେତେଟା ପାସ୍ କଲେ ବା ଭଲ ବକ୍ତୃତା କରି ପାରିଲେ କଅଣ ଶିକ୍ଷିତ ହୁଅନ୍ତି !

୫୨. ଶିକ୍ଷା କହିଲେ ମୁଁ ବୁଝେ ଯଥାର୍ଥ ଜ୍ଞାନ ଅର୍ଜନ । ଖାଲି ପୋଥିଗତ ବିଦ୍ୟାରେ ଚଳିବ ନାହିିଁ । ଦରକାର ପାଶ୍ଚାତ୍ୟ ବିଜ୍ଞାନ ସଙ୍ଗେ ବେଦାନ୍ତର ସମନ୍ୱୟ-ଯାହାର ମୂଳମନ୍ତ୍ର ବ୍ରହ୍ମଚର୍ଯ୍ୟ, ଶ୍ରଦ୍ଧା ଓ ଆତ୍ମବିଶ୍ୱାସ ।

୫୩. ବିଦ୍ୟାର୍ଥୀର ଏକାନ୍ତ ପ୍ରୟୋଜନ ଶୁଚିତା, ପ୍ରକୃତ ଜ୍ଞାନସ୍ପୃହା ଏବଂ ଅଧ୍ୟବସାୟ । ଛାତ୍ରଜୀବନରେ ଅଧ୍ୟବସାୟର ପ୍ରୟୋଜନ ସର୍ବଜନବିଦିତ । ଅଧ୍ୟବସାୟୀ ବିଦ୍ୟାର୍ଥୀର ସାଧନାରେ ସିଦ୍ଧିଲାଭ ସୁନିଶ୍ଚିତ ।

୫୪. ଦେହଟାକୁ ଖୁବ୍ ମଜଭୁତ କରିବାକୁ ଶିଖିବାକୁ ହେବ ଏବଂ ସମସ୍ତଙ୍କୁ ଶିଖାଇବାକୁ ହେବ । ଦେଖୁନ ଏବେ ବି ମୁଁ ରୋଜ୍ ଡାମବେଲ ଉଠାଏ । ଶାରୀରିକ ପରିଶ୍ରମ କରିବ । ଦେହ ଓ ମନ ସମାନ ଭାବରେ ଉନ୍ନତ ହେବା ଦରକାର ।

୫୫. ଜଗତରେ ଯଦି କିଛି ପାପ ଥାଏ, ତାହା ଏହି ଭୟ । ଯେକୌଣସି କାର୍ଯ୍ୟ ତୁମ ଭିତରେ ଶକ୍ତିର ଉଦ୍ରେକ କରାଏ ତାହା ହିଁ ପୁଣ୍ୟ, ଆଉ ଯାହା ତୁମ ଶରୀର ମନକୁ ଦୁର୍ବଳ କରେ ତାହା ପାପ । ଏହି ଦୁର୍ବଳତା ପରିତ୍ୟାଗ କର ।

୫୬. ଚାଲାକି ଦ୍ୱାରା କୌଣସି ମହତ୍ କାମ ହୁଏ ନାହିଁ । ପ୍ରେମ, ସତ୍ୟାନୁରାଗ ଓ ମହାବୀର୍ଯ୍ୟର ସହାୟତାରେ ସକଳ କାର୍ଯ୍ୟ ସମ୍ପନ୍ନ ହୁଏ ।

୫୭. ମୁଁ ଦିବ୍ୟ ଚକ୍ଷୁରେ ଦେଖୁଛି ଯେ ତୁମମାନଙ୍କ ହୃଦୟରେ ଅନନ୍ତ ଶକ୍ତି ଅଛି । ସେହି ଶକ୍ତିକୁ ଜାଗ୍ରତ କର; ଉଠ, ଲାଗି ପଡ଼, ଅଣ୍ଟା ଭିଡ଼ । ମୁଁ ମୁକ୍ତି ଫୁକ୍ତି ଚାହେଁ ନାହିଁ ।

୫୮. ସମସ୍ତଙ୍କୁ ଯାଇ କହ-ଉଠ, ଜାଗ, ଆଉ ଶୁଅ ନାହିଁ । ସକଳ ଅଭାବ, ସକଳ ଦୁଃଖ ଘୁଞ୍ଚାଇବାର ଶକ୍ତି ତୁମ ଭିିତରେ ହିଁ ରହିଛି । ଏ କଥା ବିଶ୍ୱାସ କର, ତାହା ହେଲେ ଏହି ଶକ୍ତି ଜାଗି ଉଠିବ ।

୫୯. ଏବେ ଆମର ପ୍ରୟୋଜନ ଚରିତ୍ର ଗଠନ ଏବଂ ଇଚ୍ଛାଶକ୍ତି ପ୍ରବଳ କରିବା । ବାସ୍ତବିକ ଇଚ୍ଛାଶକ୍ତିର ପ୍ରଭାବ ଅପରିସୀମ ।

୬୦. ବୈଦେଶିକ ନିୟନ୍ତ୍ରଣରୁ ମୁକ୍ତ ହୋଇ ଭାରତର ନିଜସ୍ୱ ଜ୍ଞାନ ଭଣ୍ଡାରରୁ ବିଭିନ୍ନ ବିଷୟ ସଙ୍ଗେ ପାଶ୍ଚାତ୍ୟ ବିଜ୍ଞାନ ଆୟତ୍ତ କରିବା ଆମର ପ୍ରୟୋଜନ । ଆଉ ଦରକାର କାରିଗରୀ ଶିକ୍ଷା ଏବଂ ଶ୍ରମଶିଳ୍ପ ପ୍ରସାରର ଅନୁକୂଳ ବିବିଧ ଶିକ୍ଷାର ବିସ୍ତାର, ଯାହା ଫଳରେ ଚାକିରୀ ଧନ୍ଦାରେ ନ ରହି ମଣିଷ ଜୀବିକା ଚଳାଇପାରେ ।

ଗଣୋନ୍ନତି

୬୧. ମନେରଖ, ଦରିଦ୍ରର କୁଟୀରରେ ହିଁ ଜାତିର ବସତି । କିନ୍ତୁ ହାୟ, ସେମାନଙ୍କ ପାଇଁ କେହି କିଛି ରଖି ନାହିଁ।

୬୨. ଶିକ୍ଷାୟତନ ମାଧ୍ୟମରେ ଗଣୋନ୍ନତିର ଭାବ ପ୍ରଚାର କରିବାକୁ ହେବ । ସେଠାରେ ଶିକ୍ଷାପ୍ରାପ୍ତ ପ୍ରଚାରକଗଣ ଗରୀବମାନଙ୍କୁ ଘରେ ଘରେ ଲୌକିକ ଓ ଆଧ୍ୟାତ୍ମିକ ଶିକ୍ଷା ବିତରଣ କରିବେ । ଆମ ଦେଶରେ ଦରିଦ୍ର ସଂପ୍ରଦାୟ ଏତେ ନିଃସ୍ୱ ଯେ ସେମାନେ ସ୍କୁଲ ଓ ପାଠଶାଳାକୁ ଆସିବାକୁ ଅବସର ବି ପାଆନ୍ତି ନାହିଁ ।

୬୩. ଦେଶର ସର୍ବତ୍ର ଗ୍ରାମେ ଗ୍ରାମେ ଘୂରି ଗଣସମ୍ବିତ୍ ଜାଗ୍ରତ କରିବା ତୁମମାନଙ୍କର ବର୍ତ୍ତମାନର କର୍ତ୍ତବ୍ୟ, ଜନସାଧାରଣଙ୍କୁ ବୁଝାଇବାକୁ ହେବ ଯେ ଖାଲି ଅଳସ ଭାବରେ ବସି ରହିଲେ ଚଳିବ ନାହିଁ । ତା’ପରେ ତାଙ୍କର ନିଜ ନିଜର ଐହିକ ଅବସ୍ଥାର ଉନ୍ନତିର ଉପାୟ କହିଦେବାକୁ ହେବ ।

୬୪. ଜନସାଧାରଣଙ୍କର ଦୁର୍ଗତି ଦେଖି ମୋ ହୃଦୟ ଏପରି ଭାରାକ୍ରାନ୍ତ ଯେ ଅନ୍ତରର ବ୍ୟଥା ପ୍ରକାଶ କରିବା ଅସମ୍ଭବ । ଯେତେ ଦିନ ଭାରତର କୋଟି କୋଟି ନରନାରୀ ଅଶିକ୍ଷିତ ଓ ବୁଭୁକ୍ଷୁ ରହିଥିବେ, ସେତେଦିନ ସେମାନଙ୍କୁ ବଞ୍ଚିତ କରି ଯେଉଁମାନେ ତାଙ୍କର କଲ୍ୟାଣ ସମ୍ବନ୍ଧରେ ଏକାନ୍ତ ଉଦାସୀନ ହୋଇ ରହିଛନ୍ତି, ସେମାନଙ୍କର ପ୍ରତ୍ୟେକଙ୍କୁ ମୁଁ ଦେଶଦ୍ରୋହୀ ମନେ କରେ ।

୬୫. ଇଉରୋପରେ ବହୁ ନଗରରେ ଭ୍ରମଣ ସମୟରେ ଦରିଦ୍ର ବ୍ୟକ୍ତିଗଣଙ୍କର ସୁଖ ସ୍ୱାଚ୍ଛନ୍ଦ୍ୟ ଏବଂ ଶିକ୍ଷାଦୀକ୍ଷା ଦେଖି ଭାରତର ଅସହାୟ ଗରୀବମାନଙ୍କର ଅବସ୍ଥା ମନେ ପଡ଼ୁଥିଲା, ଆଉ ଆଖିରୁ ଲୁହ ଢାଳୁଥିଲି । ଏହି ପାର୍ଥକ୍ୟର କାରଣ ଅନୁସନ୍ଧାନ କରି ବୁଝିଲି, ପ୍ରଭେଦ ଗଣଶିକ୍ଷାରେ ।

୬୬. ତୁମେମାନେ ଏହିସବୁ ଦରିଦ୍ର ମୂକ ଜନସାଧାରଣଙ୍କୁ ହିଁ ତୁମର ଆରାଧ୍ୟ ଦେବତା ମନେ କରି ସେବା କର; ତାଙ୍କର କଲ୍ୟାଣର ଚେଷ୍ଟା କର । ଯାହାର ହୃଦୟ ଦରିଦ୍ରଙ୍କ ବ୍ୟଥାରେ ବିଗଳିତ ହୁଏ, ତାଙ୍କୁ ହିଁ ମୁଁ କୁହେ ମହାତ୍ମା, ନତୁବା ସେ ଦୁରାତ୍ମା ।

୬୭. ପୃଥିବୀର ଅପର କୌଣସି ଧର୍ମ ହିଁ ହିନ୍ଦୁ ଧର୍ମ ପରି ଏତେ ଉଦାତ୍ତ କଣ୍ଠରେ ମାନବାତ୍ମାର ମହିମା ଘୋଷଣା କରି ନାହିଁ । ଅଥଚ ଅପର କୌଣସି ଧର୍ମ ହିନ୍ଦୁ ଧର୍ମ ପରି ଦରିଦ୍ର ଓ ନିମ୍ନ ଶ୍ରେଣୀର ତଣ୍ଟିକୁ ଏ ଭାବରେ ଚାପି ଧରି ନାହିଁ ।

୬୮. ଭାରତର ଉପେକ୍ଷିତ, କୃଷକ, ତନ୍ତୀ ପ୍ରଭୃତି ନିମ୍ନ ଶ୍ରେଣୀର ଲୋକମାନେ ବିଜେତାଙ୍କର ନିପୀଡ଼ନ ଏବଂ ସ୍ୱଦେଶବାସୀଙ୍କର ଅବଜ୍ଞା ସତ୍ତ୍ୱେ ସ୍ମରଣାତୀତ କାଳରୁ ନୀରବରେ କାମ କରି ଆସୁଛନ୍ତି ଏବଂ ତା’ପାଇଁ ସେମାନେ କୌଣସି ଦିନ ତାଙ୍କର ଉପଯୁକ୍ତ ପାରିଶ୍ରମିକ ପାଇ ନାହାନ୍ତି ।

୬୯. ହେ ଭାରତର ଶ୍ରମିକ ସଂପ୍ରଦାୟ! ହେ ଭାରତର ଚିର ପଦଦଳିତ ଶ୍ରମିକ ବୃନ୍ଦ । ତୁମମାନଙ୍କର କାର୍ଯ୍ୟ ବାସ୍ତବିକ ଅତି ଅଦ୍ଭୁତ । ତୁମମାନଙ୍କୁ ଅଭିନନ୍ଦନ ଜଣାଉଛି ।

୭୦. ଆମ ଜନସାଧାରଣ ପାର୍ଥିବ ବ୍ୟାପାର ସମ୍ବନ୍ଧରେ ଅତ୍ୟନ୍ତ ଅଜ୍ଞ । ତେବେ ସେମାନେ ସଜ୍ଜନ । କାରଣ ଏ ଦେଶରେ ଦାରିଦ୍ର୍ୟ ସଙ୍ଗେ ସୌଜନ୍ୟର କୌଣସି ସମ୍ପର୍କ ନାହିଁ । ସେମାନଙ୍କର ସ୍ୱଭାବ କେବେ ହିଂସାପ୍ରବଣ ନୁହେଁ ।

୭୧. ନୂତନ ଭାରତ ବାହାରୁ ! ବାହାରୁ ଲଙ୍ଗଳ ଧରି, ଚଷାର କୁଟୀର ଭେଦ କରି, କେଉଟ, ନାଉରିଆ, ମୋଚି, ମେହନ୍ତରର କୁଡ଼ିଆ ଭିତରୁ, ବାହାରୁ ତେଜରାତି ଦୋକାନ ମଧ୍ୟରୁ, ଗୁଡ଼ିଆର ଚୂଲୀ ପାଖରୁ; ବାହାରୁ କାରଖାନାରୁ, ହାଟରୁ, ବଜାରରୁ; ବାହାରୁ ବୁଦା, ଜଙ୍ଗଲ, ପାହାଡ଼, ପର୍ବତରୁ ।

୭୨. କୋଟି କୋଟି ଗରୀବ ନୀଚ ଯେଉଁମାନେ, ସେହିମାନେ ହିଁ ହେଉଛନ୍ତି ଦେଶର ପ୍ରାଣ । ଏମାନେ ସହସ୍ର ସହସ୍ର ବର୍ଷ ଅତ୍ୟାଚାର ସହିଛନ୍ତି; ସେଥିରୁ ପାଇଛନ୍ତି ଅପୂର୍ବ ସହିଷ୍ଣୁତା । ସନାତନ ଦୁଃଖ ଭୋଗ କରିଛନ୍ତି, ସେଥିରୁ ପାଇଛନ୍ତି ଅଟଳ ଜୀବନୀଶକ୍ତି ।

ଜାତୀୟତା

୭୩. ଇଂଲଣ୍ଡ ଖୁବ୍ ବେଶୀ ହେଲେ ଭାରତର ସ୍ୱାଧିନତା ଅର୍ଜନ ପ୍ରଚେଷ୍ଟାରେ ସାହାଯ୍ୟ କରିପାରେ; କିନ୍ତୁ ଅନ୍ୟ କାହାରି ବରାଦ ଅନୁଯାୟୀ କାର୍ଯ୍ୟ କରିବାରେ କୌଣସି ପ୍ରକାର ମୂଲ୍ୟ ଅଛି ବୋଲି ମୁଁ ମନେ କରେ ନାହିଁ; ଆଗେ ମଣିଷ ତିଆରି କର ।

୭୪. ସାମାଜିକ ବା ରାଜନୈତିକ ଯେ କୌଣସି ବ୍ୟବସ୍ଥା ମୂଳରେ ରହିବା ଦରକାର ବ୍ୟଷ୍ଟି ମାନବର ସତତା । ଶାସନ ସଂସଦର କୌଣସି ବିଶେଷ ବିଧାନ ପ୍ରବର୍ତ୍ତନ ଉପରେ ରାଷ୍ଟ୍ରର ମହତ୍ତ୍ୱ ନିର୍ଭର କରେ ନାହିଁ ।
ପୃଥିବୀର ସମସ୍ତ ଧନ ସମ୍ପଦ ଅପେକ୍ଷା ଖାଣ୍ଟି ମଣିଷର ମୂଲ୍ୟ ଅନେକ ବେଶୀ ।

୭୫. ଯେତେବେଳେ ତୁମମାନଙ୍କ ମଧ୍ୟରେ ଏପରି ସବୁ ଖାଣ୍ଟି ମଣିଷ ଜନ୍ମିବେ, ଯେଉଁମାନେ ଦେଶ ପାଇଁ ସର୍ବସ୍ୱ ତ୍ୟାଗ କରିବାକୁ ପ୍ରସ୍ତୁତ, ସେତେବେଳେ ଭାରତ ସମସ୍ତ ଦିଗରେ ମହିମାନ୍ୱିତ ହେବ ।

୭୬. ଦାରିଦ୍ର୍ୟ ଏବଂ ଅଜ୍ଞାନର ଘୂର୍ଣ୍ଣାବର୍ତ୍ତରେ ନିମଜ୍ଜମାନ ଲକ୍ଷ ଲକ୍ଷ ଦେଶବାସୀଙ୍କର କଲ୍ୟାଣ ପାଇଁ ଶତ ଶତ ଉନ୍ନତହୃଦୟ ନରନାରୀ ଯେତେବେଳେ ବ୍ୟାକୁଳ ହୋଇ ପ୍ରାଣପଣେ ଚେଷ୍ଟା କରିବେ, ସେତେବେଳେ ଯାଇ ଭାରତର ନବ ଜାଗରଣ ସମ୍ଭବ ।

୭୭. ଭାରତର ଜନସାଧାରଣଙ୍କର ଉନ୍ନୟନ-ଏହି ଏକମାତ୍ର ବ୍ରତରେ ଯେଉଁମାନେ ମନପ୍ରାଣ ନିୟୋଗ କରିପାରିବେ, ଏପରି ଯୁବକମାନଙ୍କ ଭିତରେ ଯାଇ କାମ କର । ପତିତ, ନିପୀଡ଼ିତ, ସର୍ବହରାମାନଙ୍କ ପ୍ରତି ସମବେଦନାରେ ସାରା ଦେଶରେ ସିଂହବିକ୍ରମରେ ପ୍ରଚାର କରିବାକୁ ହେବ ସେମାନଙ୍କର ମୁକ୍ତିର ବାଣୀ, ସେବାର ବାଣୀ, ସାମାଜିକ ଉନ୍ନୟନ ଓ ସାମ୍ୟର ବାଣୀ ।

୭୮. ମୋର ଦୃଢ଼ ବିଶ୍ୱାସ ଯେ ହିନ୍ଦୁ ସମାଜର ବର୍ତ୍ତମାନ ଅବନତି ପାଇଁ ଧର୍ମକୁ ଦାୟୀ କରିବାର ପ୍ରୟୋଜନ ନାହିଁ । କାରଣ ସମାଜର ବର୍ତ୍ତମାନ ଦୁର୍ଦ୍ଦଶା ପାଇଁ ଧର୍ମ ଦାୟୀ ନୁହେଁ, ବରଂ ସମାଜରେ ଧର୍ମର ଯଥାଯଥ ପ୍ରୟୋଗର ଅଭାବ ହିଁ ଦାୟୀ ।

୭୯. ଧର୍ମର ସଂହତି ସ୍ଥାପନ ହିଁ ଭବିଷ୍ୟତ ଭାରତ ଗଢ଼ିବାର ପ୍ରଥମ ସୋପାନ । ବହୁ ଦିଗରେ ବିକୀର୍ଣ୍ଣ ଆଧ୍ୟାତ୍ମିକ ଶକ୍ତିସମୂହର ସମ୍ମେଳନ ଦ୍ୱାରା ଭାରତର ଜାତୀୟ ଐକ୍ୟର ପ୍ରତିଷ୍ଠା କରିବାକୁ ହେବ ।

୮୦. ତୁମେ ମଧ୍ୟ କଟୀମାତ୍ର ବସ୍ତ୍ରାବୃତ ହୋଇ ସଦର୍ପ ଡାକି କୁହ-ପ୍ରତ୍ୟେକ ଭାରତବାସୀ ମୋର ଭାଇ, ଭାରତବାସୀ ମୋର ପ୍ରାଣ, ଭାରତର ଦେବଦେବୀ ମୋର ଈଶ୍ୱର, ଭାରତର ସମାଜ ମୋର ଶିଶୁଶଯ୍ୟା, ମୋର ଯୌବନର ଉପବନ, ମୋର ବାର୍ଦ୍ଧକ୍ୟର ବାରାଣସୀ । କୁହ ଭାଇ-ଭାରତର ମୃତ୍ତିକା ଆମର ସ୍ୱର୍ଗ, ଭାରତର କଲ୍ୟାଣ ଆମର କଲ୍ୟାଣ । ଆଉ ଦିନ ରାତି, କୁହ ହେ ଗୌରୀନାଥ ! ହେ ଜଗଦମ୍ବେ ମୋତେ ମନୁଷ୍ୟତ୍ୱ ଦିଅ ମା ! ମୋର ଦୁର୍ବଳତା କାପୁରୁଷତା ଦୂର କର, ମୋତେ ମଣିଷ କର ।

ବିବିଧ

୮୧. ଯେ ପର ପାଇଁ ସବୁ ଦେଇଛି ସେ ତ ମୁକ୍ତ । ଆଉ ଯେଉଁମାନେ ‘ମୋର ମୁକ୍ତି’ ‘ମୋର ମୁକ୍ତି’ କହି ଦିନରାତି ବ୍ୟସ୍ତ ହୁଅନ୍ତି, ସେମାନଙ୍କର ‘ଇତୋ ନଷ୍ଟସ୍ତତୋଭ୍ରଷ୍ଟ’ ହେବ ।

୮୨. ପରୋପକାର ଏକ ସାର୍ବଜନୀନ ମହାବ୍ରତ । ଜନସାଧାରଣ ଏବଂ ନାରୀମାନଙ୍କର ମଧ୍ୟରେ ଶିକ୍ଷାର ବିସ୍ତାର ନ ହେଲେ କୌଣସି କିଛି ହେବାର ଉପାୟ ନାହିଁ । ଗରୀବ ନିମ୍ନଜାତି ମଧ୍ୟରେ ବିଦ୍ୟା ଓ ଶକ୍ତିର ପ୍ରବେଶ ଯେବେଠାରୁ ହେବାକୁ ଲାଗିଲା, ସେବେଠାରୁ ଇଉରୋପ ଉଠିବାକୁ ଲାଗିଲା ।

୮୩. ବହୁ ରୂପେ ସମ୍ମୁଖେ ତୁମର
                                ଛାଡ଼ି କାହିଁ ଖୋଜୁଛ ଈଶ୍ୱର ?
                    ଜୀବେ ପ୍ରେମ କରେ ଯେଉଁ ଜନ
                                ସେହି ମାତ୍ର ସେବଇ ଈଶ୍ୱର ।

୮୪. ଦରିଦ୍ର, ମୂର୍ଖ, ଅଜ୍ଞାନୀ, କାତର, ଏମାନେ ହିଁ ତୁମର ଦେବତା ହୁଅନ୍ତୁ । ଏମାନଙ୍କର ସେବା ହିଁ ପରମ ଧର୍ମ ବୋଲି ଜାଣିବ । ଜଗତର କଲ୍ୟାଣ କରିବା, ଆଚଣ୍ଡାଳଙ୍କର କଲ୍ୟାଣ କରିବା-ଏହା ଆମର ବ୍ରତ । ସେଥିରେ ମୁକ୍ତି ମିଳୁ ବା ନରକ ଆସୁ । ଯେତେ ଦିନ ଦେହ ଅଛି, ସେତେ ଦିନ କାମ ନ କରି ତ କେହି ରହିପାରେ ନାହିଁ; ସୁତରାଂ ଯେଉଁ କାମରେ ପରର ଉପକାର ହୁଏ, ତାହା କରିବା ଉଚିତ । ଦେହ ତ ଦିନେ ଯିବ ହିଁ ଯିବ, ଅଳସୁଆମିରେ କାହିଁକି ଯିବ ? କାମ କଥା କହୁ, ମୁହଁକୁ ବିଶ୍ରାମ ଦିଅ ।

୮୫. ଯେଉଁ କର୍ମଦ୍ୱାରା ଆତ୍ମଭାବର ବିକାଶ ହୁଏ, ତାହା ହିଁ କର୍ମ । ଯଦ୍ଦ୍ୱାରା ଅନାତ୍ମଭାବର ବିକାଶ ହୁଏ, ତାହା ହିଁ ଅକର୍ମ । ମହାବୀରଙ୍କର ଚରିତ୍ରକୁ ହିଁ ତୁମମାନଙ୍କର ବର୍ତ୍ତମାନ ଆଦର୍ଶ କରିବାକୁ ହେବ । ଜୀବନ-ମରଣରେ ଦୃକପାତ ନାହିଁ-ମହାଜିତେନ୍ଦ୍ରିୟ, ମହାବୁଦ୍ଧିମାନ ।

୮୬. ଦେଶର ଯୁବକମାନଙ୍କ ଉପରେ ମୋର ଗଭୀର ଆସ୍ଥା ଅଛି । ଦଶବର୍ଷ ମୁଁ ସାରା ଭାରତରେ ବୁଲିଛି । ମୋର ସ୍ଥିର ଧାରଣା ହୋଇଛି ଯେ ଭାରତର ଯୁବସମାଜରୁ ଯେଉଁ ଶକ୍ତି ଆସିବ, ତାହା ଭାରତକୁ ପୁନରାୟ ତା’ର ଯଥାର୍ଥ ଆଧ୍ୟାତ୍ମିକ ମହିମାରେ ଉଜ୍ଜୀବିତ କରିବ ।

୮୭. ପିତାମାତାଙ୍କୁ ପ୍ରତ୍ୟକ୍ଷ ଦେବତାରୂପେ ଜାଣି ଗୃହୀ ବ୍ୟକ୍ତି ସର୍ବଦା ସର୍ବପ୍ରଯତ୍ନରେ ତାଙ୍କର ସେବା କରିବ । ଯଦି ମାତାପିତା ତୁଷ୍ଟ ରହନ୍ତି, ତେବେ ସେ ବ୍ୟକ୍ତିଙ୍କ ପ୍ରତି ଭଗବାନ୍ ମଧ୍ୟ ପ୍ରୀତ ହୁଅନ୍ତି । ମାତା, ପିତା, ପୁତ୍ର, ପତ୍ନୀ, ଭ୍ରାତା ଓ ଅତିଥିଙ୍କୁ ଭୋଜନ ନ କରାଇ ଯେଉଁ ଗୃହୀ ବ୍ୟକ୍ତି ନିଜର ଉଦର ପୂର୍ଣ୍ଣ କରେ, ସେ ପାପ କରେ ।

୮୮. ଜୀବସେବାଠାରୁ ବଳି ଆଉ ଧର୍ମ ନାହିଁ । ମୁଁ ଏତେ ତପସ୍ୟା କରି ଏହି ସାର ବୁଝିଛି ଯେ-ଜୀବେ ଜୀବେ ସେ ଅଧିଷ୍ଠିତ ହୋଇ ରହିଛନ୍ତି । ‘ଜୀବେ ପ୍ରେମ କରେ ଯେଉଁ ଜନ ସେହି ମାତ୍ର ସେବଇ ଈଶ୍ୱର ।’ ପରୋପକାର ହିଁ ଧର୍ମ, ବାକୀ ଯାଗଯଜ୍ଞ ସବୁ ପାଗଳାମି- ନିଜର ମୁକ୍ତିକାମନା ମଧ୍ୟ ଅନ୍ୟାୟ ।

୮୯. ପ୍ରଥମ ପୂଜା ବିରାଟର ପୂଜା; ତୁମ ସାମ୍ନାରେ, ତୁମ ଚାରି ଦିଗରେ ଯେଉଁମାନେ ଅଛନ୍ତି, ସେମାନଙ୍କର ପୂଜା-ସେମାନଙ୍କର ପୂଜା କରିବାକୁ ହେବ-ସେବା ନୁହେଁ । ଏହିସବୁ ମଣିଷ, ଏହିସବୁ ପଶୁ, ଏହିମାନେ ହିଁ ତୁମର ଈଶ୍ୱର, ଆଉ ତୁମର ସ୍ୱଦେଶବାସୀଗଣ ହିଁ ତୁମର ପ୍ରଥମ ଉପାସ୍ୟ ।

୯୦. ଶ୍ରଦ୍ଧାବାନ୍ ହୁଅ, ବୀର୍ଯ୍ୟବାନ୍ ହୁଅ, ଆତ୍ମଜ୍ଞାନ ଲାଭ କର, ଆଉ ପରହିତରେ ଜୀବନପାତ କର-ଏହା ମୋର ଇଚ୍ଛା ଓ ଆଶୀର୍ବାଦ ।

୯୧. ଖାଲି ପେଟରେ ଧର୍ମ ହୁଏ ନାହିଁ-ପ୍ରଭୁ କହିଥିଲେ । କ୍ଷୁଧାର୍ତ୍ତକୁ ଧର୍ମକଥା ଶୁଣାଇବା ନିହାତି ପାଗଳାମି । ଆଗେ କ୍ଷୁଧିତ ପାଇଁ ଅନ୍ନର ସଂସ୍ଥାନ କରିବାକୁ ପଡ଼ିବ ।

୯୨. ଯେଉଁଦିନ ମ୍ଳେଚ୍ଛ ଶବ୍ଦ ଆବିଷ୍କୃତ ଓ ବିଭିନ୍ନ ଜାତି ସଙ୍ଗେ ସଂଯୋଗ ବନ୍ଦ ହୋଇଛି, ସେହିଦିନ ଠାରୁ ଭାରତର ଭାଗ୍ୟବିପର୍ଯ୍ୟୟ ଆରମ୍ଭ ହୋଇଛି ।

୯୩. ତୁମେ ସ୍ତ୍ରୀ-ଜାତିଙ୍କର ଅବସ୍ଥାରେ ଉନ୍ନତି କରିପାର କି ! ତେବେ ଯାଇ ତୁମର କଲ୍ୟାଣର ଆଶା ଅଛି । ଜନନୀଗଣଙ୍କର ଉନ୍ନତି ହେଲେ ତାଙ୍କର କୃତୀ ସନ୍ତାନବର୍ଗଙ୍କର ମହାନ କୀର୍ତ୍ତି ଦେଶର ମୁଖୋଜ୍ଜ୍ୱଳ କରିପାରିବ ।

୯୪. ନାରୀ ପ୍ରତି ଯଥାର୍ଥ ସମ୍ମାନ ଦେଇ ସବୁ ଜାତି ବଡ଼ ହୋଇଛି । ତୁମ ଜାତିର ଯେ ଏତେ ଅଧୋଗତି, ତା’ର ପ୍ରଧାନ କାରଣ-ଶକ୍ତିର ଏହି ଜୀବନ୍ତ ମୂର୍ତ୍ତିଗୁଡ଼ିକୁ ତୁମେ ଯଥାର୍ଥ ମର୍ଯ୍ୟାଦା ଦେଇ ନାହଁ । ସେମାନେ କେଡ଼େ ଅସହାୟ, ପରମୁଖାପେକ୍ଷୀ ।

୯୫. ପ୍ରାଚୀନକାଳରେ ନାରୀମାନଙ୍କର ଜ୍ଞାନଲାଭର ଅଧିକାର ଥିଲା । ବର୍ତ୍ତମାନ ଯୁଗରେ ସେ ଅଧିକାରରୁ ସେମାନେ କାହିଁକି ବଞ୍ଚିତ ହେବେ ? ଅବନତିର ଯୁଗରେ ଯେତେବେଳେ ପୁରୋହିତକୂଳ ବ୍ରାହ୍ମଣେତର ବର୍ଣ୍ଣକୁ ବେଦପାଠର ଅନଧିକାରୀ ବୋଲି ନିର୍ଦ୍ଦେଶ ଦେଇଥିଲେ, ସେହି ସମୟରେ ସେମାନେ ସ୍ତ୍ରୀଲୋକଙ୍କୁ ସର୍ବପ୍ରକାର ଅଧିକାରରୁ ବଞ୍ଚିତ କରିଥିଲେ-ଅଗ୍ନିହୋତ୍ରୀ ପରି ବୈଦିକ କର୍ମରେ ମଧ୍ୟ ଗୃହସ୍ଥର ସହଧର୍ମିଣୀର ପ୍ରୟୋଜନ ଥିଲା । ଅଥଚ ପୌରାଣିକ ଯୁଗରେ ପ୍ରଚଳିତ ଶାଳଗ୍ରାମ ଶିଳା ପ୍ରଭୃତି ଗୃହଦେବତାଙ୍କୁ ସ୍ପର୍ଶ କରିବାର ଅଧିକାର ସ୍ତ୍ରୀ-ଲୋକଙ୍କର ନାହିଁ !

୯୬. ସମାଜଜୀବନରେ ସମସ୍ତଙ୍କର ସମାନ ଅଧିକାର । ଗୁଣଗତ ଭେଦ ବିଭାଗର ସ୍ଥାନ ଅଧିକାର କରିଛି କୃତ୍ରିମ ଜାତିଭେଦ-ଯାହା ଜାତିର ଅଧଃପତନର କାରଣ । ତାକୁ ଧର୍ମର ଉଚ୍ଚତତ୍ତ୍ୱ ସହାୟତାରେ ଦୂର କରିବାକୁ ହେବ ।

୯୭. ଭାରତ ମୋର, ତୁମେ ଜାଗ, କେଉଁଠି ତୁମର ପ୍ରାଣଶକ୍ତି ? ତୁମର ମୃତ୍ୟୁହୀନ ଆତ୍ମାରେ ? ଭାରତର ସମାଜ ସଂସ୍କାର ଓ ରାଜନୀତି ଧର୍ମଶକ୍ତିର ମାଧ୍ୟମରେ ପ୍ରଚାର କରିବାକୁ ହେବ ।

୯୮. ଭାରତବର୍ଷ ଯଦି ତା’ର ଭଗବତ୍ଜିଜ୍ଞାସାକୁ ଅବ୍ୟାହତ ରଖେ, ତେବେ ତା’ର ମୃତ୍ୟୁ ନାହିଁ । ଯଦି ସେ ରାଜନୀତି ବା ସାମାଜିକ ସଂଘର୍ଷରେ ବୁଡ଼ିଯାଏ, ତେବେ ତା’ର ମୃତ୍ୟୁ ନିଶ୍ଚିତ ।

୯୯. ଏ ଦେଶକୁ (ପାଶ୍ଚାତ୍ୟ ଦେଶକୁ) ଆସିବା ପୂର୍ବରୁ ମୁଁ ଭାରତକୁ ଭଲ ପାଉଥିଲି; କିନ୍ତୁ ବର୍ତ୍ତମାନ ଭାରତବର୍ଷର ଧୂଳିକଣାଟି ପର୍ଯ୍ୟନ୍ତ ମୋ ପାଖରେ ଶୁଚିବୋଳା; ଭାରତର ବାୟୁ ମୋ ନିକଟରେ ପବିତ୍ର । ଭାରତ ପୁଣ୍ୟଭୂମି, ମହାତୀର୍ଥ ।

୧୦୦. ତୁମେମାନେ (ଉପନିଷଦ୍ରେ) ପଢ଼ିଛ, ‘ମାତୃଦେବୋ ଭବ’ ମୁଁ କହେ-‘ଦରିଦ୍ର ଦେବୋ ଭବ’, ‘ମୂର୍ଖ ଦେବୋ ଭବ’ । ଜଣେ ଲୋକର ମୁକ୍ତି ପାଇଁ ମୁଁ ହଜାରେଥର ନରକକୁ ଯିବାକୁ ପ୍ରସ୍ତୁତ ଅଛି ।

୧୦୧. ହେ ଭାରତ ! ଭୁଲ ନାହିଁ ତୁମ ନାରୀଜାତିର ଆଦର୍ଶ ସୀତା, ସାବିତ୍ରୀ, ଦମୟନ୍ତୀ । ଭୁଲ ନାହିଁ-ତୁମର ଉପାସ୍ୟ ଉମାନାଥ ସର୍ବତ୍ୟାଗୀ ଶଙ୍କର । ଭୁଲ ନାହିଁ-ନୀଚ ଜାତି, ମୂର୍ଖ, ଦରିଦ୍ର, ଅଜ୍ଞ, ମୋଚି ମେହନ୍ତର ତୁମର ରକ୍ତ, ତୁମର ଭାଇ । ହେ ବୀର ! ସାହସ ଅବଲମ୍ବନ କର । ସଦର୍ପରେ କୁହ-ମୁଁ ଭାରତବାସୀ, ଭାରତବାସୀ ମୋର ଭାଇ ।

***